ରାଷ୍ଟ୍ରପତି ଭାବେ ଶପଥ ନେଇ ଇତିହାସ ରଚିଲେ ଦ୍ରୌପଦୀ

0

– ଦେଶର ସର୍ବକନିଷ୍ଠ ଓ 15 ତମ ରାଷ୍ଟ୍ରପତି 

– ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ଉପସ୍ଥିତ   

ନୂଆଦିଲ୍ଲୀ,//TATKAL ODISHA //

ଦେଶର ସର୍ବକନିଷ୍ଠ ଓ 15 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଇତିହାସ ରଚିଛନ୍ତି I ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି I ତାଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପିଭି ରମାନ୍ନା ତାହା କରିଛନ୍ତି I

ଦ୍ରୌପଦୀ ମୁର୍ମୁ, ନୂଆ ରାଷ୍ଟ୍ରପତି

ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ”-

ଶପଥ ଗ୍ରହଣ ପରେ ଦ୍ରୌପଦୀ ଭୀମ ଭୋଇଙ୍କ ଉକ୍ତି ଉପରେ ଜୋର ଦେବେ ବୋଲି ପ୍ରକାଶ କରିଥିଲେ..

  ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଏହି ସପଥ ଗ୍ରହଣ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ସେମାନଙ୍କ ଭିତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଚସ୍ପତି ଓମ ବିର୍ଲାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ I 

 ଉଲ୍ଲେଖନୀୟ ଯେ, ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଲୋକସଭା ଓ ରାଜ୍ୟସଭାର ବିଜେଡି ସାଂସଦମାନେ  ବି ଉପସ୍ଥିତ ଥିଲେ I ଏହି ଅବସରରେ ପାରମ୍ପରିକ ନୃତ୍ୟ ଗୀତରେ  ଉତ୍ସବ ମୁଖରିତ ହୋଇଥିଲା । ଏଥି ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ କ୍ୟାମ୍ପସରେ ଆୟୋଜନ କରାଯାଇଥିଲା ।ଦ୍ରୌପଦୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ  କହିଥିଲେ , ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ  ଆସୀନ ହୋଇ ଶ୍ରୀମତୀ ମୁର୍ମୁଇ ଇତିହାସ ରଚିଛନ୍ତି I  ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି । ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ଅତ୍ୟନ୍ତ ଖୁସିଅଛି । ପ୍ରତିଟି ଓଡ଼ିଆ   ତାଙ୍କ ପାଇଁ ଗର୍ବିତ ବୋଲି ପ୍ରକାଶ କରିଥିଲେ I

ଦ୍ରୌପଦୀ ମୁର୍ମୁ : ଶିକ୍ଷକରୁ ରାଷ୍ଟ୍ରପତି

++++++++++++++++++++++

ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଜଣେ ଆଗଧାଡ଼ିର ଆଦିବାସୀ ନେତ୍ରୀ । ମୟୂରଭଞ୍ଜରେ ଜନ୍ମିତ ଏହି ଚର୍ଚ୍ଚିତ ନେତ୍ରୀ ଜଣକ ଏବେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନ୍‌ଡିଏ)ର ପ୍ରାର୍ଥୀ ହୋଇ ରାଷ୍ଟ୍ରପତି ହୋଇଛନ୍ତି । ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଶ୍ରୀମତି ମୁର୍ମୁ ଓଡ଼ିଶା ସରକାରଙ୍କ ଅଧିନରେ ଜଳସେଚନ ଓ ବିଦ୍ୟୁତ୍ ବିଭାଗରେ କନିଷ୍ଠ ସହାୟକ ଭାବେ ପ୍ରଥମେ କାର୍ଯ୍ୟ କରିଛନ୍ତି । ପରେ ସେ ତାହା ଛାଡ଼ି ରାଇରଙ୍ଗପୁରସ୍ଥ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସ୍କୁଲରେ ଶିକ୍ଷକତା କରିଛନ୍ତି । ତା’ପରେ ରାଜନୀତିରେ ପାଦ ଥାପି ପଛକୁ ଆଉ ଫେରି ଚାହିଁନାହାନ୍ତି ।

୨୦ ଜୁନ ୧୯୫୮ରେ ଓଡ଼ିଶାର ରାଇରଙ୍ଗପୁର, ମୟୁରଭଞ୍ଜରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ । ୧୯୯୭ରେ ସେ ରାଜନୀତିକୁ ପ୍ରବେଶ କରି ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ସେହିବର୍ଷ ଶ୍ରୀମତି ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପସଭାନେତ୍ରୀ କରାଯାଇଥିଲା । ଏହାପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ହୋଇଥିଲେ ।

୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ନିର୍ବାଚିତ ହୋଇଛନ୍ତି । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମିଳିତ ଶାସନ ସମୟରେ ଶ୍ରୀମତି ମୁର୍ମୁ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ଓଡ଼ିଶା ବିଧାନ ସଭାଦ୍ୱାରା ୨୦୦୭ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତେବେ ସେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିବା ସହ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଦଳର ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ହୋଇଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି ଜିଲ୍ଲା ଅଧ୍ୟକ୍ଷା ପଦରେ ଆସୀନ ହୋଇଛନ୍ତି । ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ଶ୍ରୀମତି ମୁର୍ମୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଛନ୍ତି ।

ଏବେ ସେ ଦେଶର ନୂଆ ରାଷ୍ଟ୍ରପତି । ତେଣୁ ଓଡ଼ିଶା ପାଇଁ ଏବେ ଖୁସି ଓ ଗର୍ବର ମୁହୂର୍ତ୍ତ ।

Leave A Reply

Your email address will not be published.