ରାଧାଶ୍ୟାମ ମହାନ୍ତିଙ୍କ ଅଣୁଗଳ୍ପ -‘ଦୁଃଖ ସଂକ୍ରମଣ’
//TATKAL ODISHA//
ରାଧାଶ୍ୟାମ ମହାନ୍ତି
ପୁରୀ ଷ୍ଟେସନରୁ ଇଣ୍ଟରସିଟିରେ ଚଢିଲି । ଭିଡ଼ ଭିତରେ ଟ୍ରେନକୁ ଉଠୁ ଉଠୁ ଡୋର ପାଖରେ ଭିକାରୀଟେ ହାତ ପାତିଲା - ବାବୁ କିଛି ମିଳୁ ।
ଯାହାହେଉ ଝରକା ପାଖରେ ସିଟଟାଏ ପାଇଗଲି । ସିଟରେ ଜବର ହୋଇ ବସିଗଲି । ଆଉ ଟ୍ରଲି ବ୍ୟାଗଟା ଗୋଡ଼ ତଳେ ରଖିଦେଲି । ଝରକା ସଟର ଟେକିଦେଇ ଦମ ନେଲି । ଦେଖିଲି ସେଇ ଭିକାରୀ ଜଣକ ମୋତେ ହାତ ବଢ଼ାଇଛି । ସେ ମୁହଁରେ ଅନିଚ୍ଛାକୃତ ସ୍ମିତହାସ୍ୟ ଖେଳାଇ ପୁଣି ପୁରୁଣା ରେକର୍ଡ ଶୁଣାଇଲା - ବାବୁ କିଛି ମିଳୁ !
ତାକୁ ଟିକେ ନିରେଖି ଚାହିଁଲି । ମୁଖମଣ୍ଡଳ ତାର ମଳିନ ପଡିଯାଇଛି । ବୟସ ଆନୁମାନିକ ଚାଳିଶ ପାଇଁଚାଳିଶ ମଧ୍ୟରେ ହେବ । ସତେ ଯେମିତି ତାକୁ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରିଛି ! ଟ୍ରେନ ଛାଡିବାର ସିଟି ଶୁଣାଗଲା । ସେ ଖୁବ ବିକଳ ହୋଇ କହିଲା - "ବାବୁ ଦୁଇତିନିଦିନ ହେଲା କିଛି ଖାଇନି । " ଛିଣ୍ଡା ପଞ୍ଜାବୀ ଭିତରୁ ତାର କୁଷ୍ଠ ରୋଗାକ୍ରାନ୍ତ ହାତ ଉପରେ ମୋ ନଜର ପଡିଲା । ମନଟା ମୋର ଚହଳିଗଲା । ପୋଖରୀରେ ଟେକାଟେ ପଡ଼ିଲେ ଯେମିତି ତରଙ୍ଗ ଖେଳିଯାଏ ମୋ ଭିତରେ ସେମିତି ହୋଇଗଲା । ଭାବିଲି ତାକୁ ଖୁସୀ ଦେଇପାରିବିନି କି ତାର ଦୁଃଖ ନେଇ ପାରିବିନି !
ଏତିକିବେଳେ ଟ୍ରେନ ଗଡ଼ିବାକୁ ଲାଗିଲା । ସେ ଟ୍ରେନ ଧାରେ ଧାରେ ଚାଲିବାକୁ ଲାଗିଲା । ମୁଁ ସାର୍ଟ ପକେଟରୁ ଟଙ୍କା କାଢ଼ିବାକୁ ଗଲାବେଳେ ଦଶ ଟଙ୍କା ଖୋଜୁ ଖୋଜୁ ପଚାଶ ଟଙ୍କିଆ ନୋଟଟେ ପଡିଗଲା । ଦେବାପାଇଁ ଆଗପଛ ହେବା ଭିତରେ ତା ହାତକୁ ବଢ଼ାଇଦେଲି ନୋଟ ଖଣ୍ଡକ । ତା ମୁଖମଣ୍ଡଳରେ ବିଜୁଳି ଚମକ ପରି ଖୁସିର ଝଲକ ଖେଳିଗଲା
ଟ୍ରେନ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଲା । ଭିକାରୀଟିର ଖୁସିର ମୁଖମଣ୍ଡଳ ବହୁ ପଛରେ ରହିଗଲା । ମତେ ଲାଗିଲା , ତାକୁ କ୍ଷଣିଜ ଖୁସୀ ଦେବା ବଦଳରେ ମୁଁ ସାଙ୍ଗରେ ନେଇଆସିଲି ତାର ଅନେକ ଦୁଃଖ ! କାହିଁ କେତେ ଭାବନାରେ ବୁଡ଼ିଗଲି । ଟ୍ରେନ ବ୍ରେକ ଡେବାରୁ ପ୍ରକୃତିସ୍ଥ ହେଲି । ମୋର ଗନ୍ତବ୍ୟ ସ୍ଥଳ ଷ୍ଟେସନରେ ମୁଁ ପହଞ୍ଚି ଯାଇଥିଲି ।
# # # #