ରାଧାଶ୍ୟାମ ମହାନ୍ତିଙ୍କ ମିନିଗଳ୍ପ-‘ପାପପୁଣ୍ୟ’

0

//TATKAL ODISHA//ଗଳ୍ପ//                                                        

ଡ୍ରଇଂରୁମରେ ଜେଜେ ନାତି ବସି ଟିଭି ଦେଖୁଥିଲେ । ଜେଜେଙ୍କ ପାନଖିଆ ପାକୁଆ ପାଟିରୁ ହଠାତ ଲାଳ ଠୋପେ ତାଙ୍କ ପଞ୍ଜାବୀ ଉପରେ ଖସି ପଡ଼ିଲା । ଏହା ଦେଖି ନାତି ଟୋକା ତାଳିମାରି ଠୋ ଠୋ ହସି ଉଠିଲା, ଆଉ କହିଲା

- ଜେଜେ ତମ ପାଟିରୁ ତ ଲାଳ ଗଡ଼ୁଛି !

ମୋ ପାଟିରୁ ଲାଳ ଗଡ଼ିଲେ ମାମା ମୋ ଉପରେ ଏତେ ରାଗୁଛି କାହିଁକି ?
   
ଜେଜେ ଫିକ କରି ହସିଦେଲେ । ସ୍ପ୍ରେ କଲାଭଳି ପାନ ପିକ ଚାରିଆଡେ ବିଛାଡ଼ି ହୋଇ ପଡ଼ିଲା । ଛି .. ଛି କହି ନାତି ଟୋକା ଜେଜେଙ୍କ ପାଖରୁ ଘୁଞ୍ଚିଗଲା । ଜେଜେ କହିଲେ, ଆରେ କୁନୁ ! ମଣିଷ ବୁଢ଼ା ହୋଇ ଗଲେ ପୁଣି ପିଲା ପାଲଟିଯାଏ ।

- ନାତି କହିଲା, ବୁଢ଼ା ପୁଣି ପିଲା ହୋଇଯାଏ କେମିତି ଜେଜେ ?

-ଜେଜେ କହିଲେ, ବୁଢ଼ା ହେଲେ ବଳ ଭାଙ୍ଗି ଯାଏ । ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ଯେମିତି ତୋ ମାମା ତୋତେ ଗାଧେଇ ଦେଉଛି, ଖୁଆଇ ଦେଉଛି, ତୋ  ପ୍ୟାଣ୍ଟ ସାର୍ଟ ସଫା କରିଦେଉଛି;  ସେମିତି ତୋ ମାମା ମତେ ବି ଗାଧେଇ ଦେଉଛି, ମୋ ଲୁଗାପଟା ସଫା କରୁଛି, ମୋ ଶେଯ ପାରିଦେଉଛି । ସେଇଥିପାଇଁ କୁହାଯାଏ - ପିଲା ବୁଢ଼ା ସମାନ ।
 ନାତି ବଡ଼ ଉତ୍ସାହିତ ହୋଇ କହିଲା - "ତାହେଲେ ଜେଜେ ତମେ ମୁଁ ସମାନ !
"ଜେଜେ କହିଲେ , - ସମାନ ଯେ . . . କିନ୍ତୁ ତୋ ମୋ ଭିତରେ ଗୋଟେ ବଡ଼ ତଫାତ ଅଛି ।

ସେଇଟା କଣ ଜେଜେ ?- ନାତି ପଚାରିଲା ।
ଜେଜେ ଟିକିଏ ଭାବି କହିଲେ - ସେ ହେଉଛି ପାପ ଓ ପୂଣ୍ୟର ତଫାତ ।

ନାତି କହିଲା,- ଜେଜେ ତମେ କଣ କହୁଛ ମୁଁ କିଛି ବୁଝି ପାରୁନି ? 
   
ଜେଜେ କହିଲେ, ଆରେ ! ଯୋଉ କାମକୁ ସମସ୍ତେ ଭଲ କୁହନ୍ତି ସେ ହେଉଛି ପୂଣ୍ୟ । ଆଉ ଯୋଉ କାମକୁ ଖରାପ କୁହାଯାଏ - ସେ ହେଉଛି ପାପ । ନାତି କହିଲା, ଜେଜେ ମୁଁ ତୁମକୁ ଖତେଇ ହେଲେ ମାମା କହେ ସେଇଟା ଖରାପ କାମ । ତାହେଲେ ଜେଜେ ମୁଁ କଣ ପାପ କଲି ? 
   ଜେଜେ ଠୋ ଠୋ ହୋଇ ହସି ଉଠିଲେ । କହିଲେ, - ନାଇଁରେ ବାୟା ! ତୋ ଭଳି ପିଲାମାନେ ହେଲେ ନିଷ୍ପାପ । କାହିଁକି ଜାଣୁ ? ତମେମାନେ ଅଜାଣତରେ କିଛି ଭୁଲ କରିଦିଅ । ତେଣୁ ତାକୁ ପାପ କୁହାଯିବନି । କିନ୍ତୁ ଆମେ ବଡ଼ମାନେ ଜାଣିଶୁଣି ଭୁଲ କରୁ । ସେ ହେଲା ଆମର ପାପ ।

 ନାତି ତତକ୍ଷଣାତ ପଚାରିଲା, ତାହେଲେ ବଡ଼ମାନେ ଜାଣି ଜାଣି ପାପ କରନ୍ତି କାହିଁକି ଜେଜେ ?
ଜେଜେ ନିରୁତ୍ତର ହୋଇଗଲେ । ସେ ନୀରବ ରହିବା ଦେଖି ନାତି ଟୋକା ପୁଣି ଟିଭି ଆଡ଼କୁ ନଜର ଦେଲା ।
              

- ରାଧାଶ୍ୟାମ ମହାନ୍ତି
ନାଗେଶ୍ୱରଟାଙ୍ଗୀ,ଭୁବନେଶ୍ୱର
ମୋ-

Leave A Reply

Your email address will not be published.