ରଜ ଦୋଳି କଟ କଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ

0

//TATKAL ODISHA//*ରଜପର୍ବ *

  • ଶ୍ରୀକାନ୍ତ ଦାଶ

ଓଡିଶାର ସଂସ୍କୃତି ବହୁ ପ୍ରାଚୀନ | ଆଉ ଏହି ସଂସ୍କୃତିରେ ଭରି ରହିଛି ନନା ପ୍ରଥା ଓ ପରମ୍ପରା | ବାର ମାସରେ ତେର ପର୍ବ ଏହି ପରମ୍ପରା ଭିତରେ ଅନ୍ତର୍ଭୁକ୍ତ |

ଜୀବନକୁ ଆନନ୍ଦ ଉଲ୍ଲାସରେ ଭରି ଦେବାକୁ ଯାଇ ଉତ୍କଳୀୟ ମାନେ ବାର ମାସରେ ତେର ପର୍ବ ପାଳନ୍ତି |ଆମ ହିନ୍ଦୁ ସଂସ୍କୃତିରେ ଯେତେ ପର୍ବ ପର୍ବାଣୀ, ପୂଜା ପାଠ କରାଯାଏ, ତାହା ଅନ୍ୟ ଧର୍ମ, ସମ୍ପ୍ରଦାୟରେ ଦେଖାଯାଏନି |

ରଜ ପିଠା

ଆଉ ଏହା ହିଁ ଉତ୍କଳୀୟ ସଂସ୍କୃତିର ବୈଶିଷ୍ଟ୍ୟ |ରଜ ପର୍ବ ଏହି ସବୁ ପର୍ବରୁ ଗୋଟିଏ, ଯାହା ଅନନ୍ୟ ଓ ସ୍ୱତନ୍ତ୍ର |ଏଥିରେ ଝିଅ, ବୋହୁ ମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଏ|ଏଥିପାଇଁ ଏହାକୁ ଝିଅ ମାନଙ୍କ ପର୍ବ କହିଲେ ଅତ୍ୟୁକ୍ତି ହେବନି |ଆଉ ମଧ୍ୟ କୃଷକ ମାନଙ୍କ ପାଇଁ ମଧ୍ୟ ଆନନ୍ଦର ପର୍ବ |

ପରମ୍ପରା ଅନୁଯାୟୀ ରୁଦ୍ର ସନ୍ୟାସୀ ଗ୍ରୀଷ୍ମ ଧରା ପୃଷ୍ଠରୁ ବିଦାୟ ନେବା ପରେ ଆସେ ବିଦ୍ୟୁତ ଲୋଚନା ବର୍ଷା | ଚତୁଃର୍ଦିଗରେ ବର୍ଷାର ମଧୁର ଧ୍ୱନି ସହ ଗ୍ରୀଷ୍ମ କଷ୍ଟରୁ ପ୍ରଣୀ ଜଗତ ଶାନ୍ତି ଲାଭ କରେ |ଏହି ଶୀତଳତା ଭିତରେ ଧାନ୍ୟର ସମ୍ଭାବନା କୃଷକ ମନକୁ ଉଚ୍ଚାଟ କରେ |ସେ ବସୁଧା ମା”ର ପୂଜା କରେ |ତାର ବିଶ୍ୱାସ ଯେ ଏହି ସମୟରେ ବସୁଧା ମା’ ରଜବତୀ ହୁଅନ୍ତି |ସେଥିପାଇଁ ଏହା ରଜପର୍ବ ବୋଲି ଉତ୍କଳୀୟ ସଂସ୍କୃତିରେ ଗ୍ରହଣ କରାଯାଇଛି |

ରଜବତୀ ମା’ ବସୁଧାକୁ କର୍ଷଣ ନ କରି କୃଷକ ପରିବାର ତାର ପୂଜା ତିନି ଦିନ ଧରି କରନ୍ତି |ଉତ୍କଳୀୟ ଝିଅ ବୋହୁ ମାନେ ମା ‘ର ପ୍ରତୀକ ଭାବେ ତିନି ଦିନ ଧରି କୌଣସି କାମ ନ କରି ଆନନ୍ଦରେ ସମୟ କାଟନ୍ତି |ଘରେ ଘରେ ଖିଆପିଆର ଆନନ୍ଦ ଲାଗିଯାଏ |ପିଲାମାନେ ନୂଆ ବସ୍ତ୍ର ପରିଧାନ କରି ଦୋଳି ଖେଳରେ ମାତି ଯା’ନ୍ତି |

ଦୋଳି ଖେଳ ସହ ସେମାନଙ୍କର କଣ୍ଠରୁ ଭାସିଆସେ ପାରମ୍ପରିକ ରଜ ଦୋଳି ଗୀତ, “ରଜ ଦୋଳି କଟ କଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ଲୋ ଦିଶୁଥାଇ ଝଟ ଝଟ,”

ରଜର ପ୍ରଥମ ଦିବସ “ପହିଲି ରଜ” ସଜବାଜର ଦିନ ଏହିଦିନ ରଜ ପର୍ବର ସ୍ୱାଗତ କରାଯାଏ |ପହିଲି ରଜ ଦିନ ପ୍ରତ୍ୟୁଷରୁ ପିଲାମାନେ ଉଠି ସଜ ବାଜ ହୋଇ ପିଠା ପଣା ଖାଇ ବୁଲି ବାହାରନ୍ତି |ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି, ତା ପରଦିନ ଭୁ ଦହନ ଓ ତା’ପରେ ମହାଲକ୍ଷ୍ମୀ ସ୍ନାନ ବା ବସୁମତୀ ସ୍ନାନ |

ଭୁଦହନରେ କୃଷକ ଚାଷ କାମ ଆରମ୍ଭ କରେ ଓ ଭଲ ଅମଳ ହେବାର ଆଶା ରଖେ |ତେବେ ସମୟ ବଦଳି ଯାଇଛି |ରଜ ସମୟପୂର୍ବରୁ ଯେଉଁ ଶୀତଳତା ଥିଲା ତାହା ଆଉ ନାହିଁ | ମାନବ କୃତ କାର୍ଯ୍ୟ ଦ୍ୱାରା ପରିବେଶ ନଷ୍ଟ ହୋଇ ପ୍ରଚଣ୍ଡ ଗ୍ରୀଷ୍ମରେ ଧରାପୃଷ୍ଠ ଉତପ୍ତ କଡେଇରେ ପରିଣତ ହୋଇ ଜୀବ ଜଗତକୁ କଷ୍ଟ ଦେଉଛି |

ଆଉ ଆମ ପାରମ୍ପରିକ ଖାଦ୍ୟ ଏଣ୍ଡୁରି, ଚକୁଳି, ଆରିସା, ଇଡ଼ିଲି, ବରା, ପୋଡ଼ ପିଠାର ମହକ ପିଲାଙ୍କୁ ଆକୃଷ୍ଟ କରୁନି |ସେସବୁ ସ୍ଥାନ ନେଇଛି ଫାଷ୍ଟ ଫୂଡ଼ | ବିଭିନ୍ନ ଆକର୍ଷଣୀୟ ପାକେଟ ରେ ମିଳୁଥିବା କୁରକୁରେ,ଲେଜ, ଚିପ୍ସ ପିଲାଙ୍କୁ ପାଗଳ କରୁଛି |ଦୋଳି, କବାଡି ଆଦି ଖେଳ ଛାଡି ମୋବାଇଲ ଖେଳରେ ମାତୁଛନ୍ତି | ଫଳରେ ଶରୀର ମୋଟା ଓ ବୁଦ୍ଧି ପତଳା ହେଉଛି |ଏମାନେ ହେବେ ଦେଶର ଭବିଷ୍ୟତ ନାଗରିକ!ବରିଷ୍ଠଙ୍କୁ ଉପେକ୍ଷା ରୀତିମତ ଘଟଣା ହେଲାଣି |ଏସବୁର ଅନ୍ତ ହେବା ଦରକାର |

ରଜ ପର୍ବ ପରି ଏକ ଗଣ ପର୍ବର ମହତ୍ତ୍ୱ ପିଲାଙ୍କୁ ବୁଝେଇବାକୁ ହେବ ଓ ଫାଷ୍ଟ ଫୂଡ଼ ଅଭ୍ୟାସକୁ ବଦଳେଇ ପାରମ୍ପରିକ ଖାଦ୍ୟ ପ୍ରତି ସେମାନଙ୍କୁ ଆକୃଷ୍ଟ କରିବାକୁ ହେବ |ଏ ଦିଗରେ ବାପା, ମା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ |ମା’ ମାନେ ମୋବାଇଲ ନିଶା ନ ଛାଡିଲେ ଏହା ସମ୍ଭବ ହେବନି |ଆଉ ସେମାନଙ୍କ ବାର୍ଦ୍ଧକ୍ୟ ଯନ୍ତ୍ରଣା ଦାୟକ ହେବ |

ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତି


ଏ ବର୍ଷ ଜୁନ 15ତାରିଖ ରଜ ସଂକ୍ରାନ୍ତି ଓ ଓଡିଶାର ଦୁଇ ବରପୁତ୍ର ପଠାଣି ସାମନ୍ତ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓ ଓଡ଼ିଆ ସାହିତ୍ୟର ଭଗିରଥ ସେନାପତି ଫକୀର ମୋହନଙ୍କ ତିରୋଧାନ ଦିବସ |

ସେମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସମସ୍ତଙ୍କୁ ଅନୁରୋଧ ପରିବେଶ ସୁରକ୍ଷା କରିବା ସହିତ ଆମ ପରମ୍ପରା ଅନୁଯାୟୀ ପର୍ବ ପର୍ବାଣୀ ବିଶେଷ କରି ରଜପର୍ବ ପାଳନରେ ମନୋନିବେଶ କରିବେ |

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ ଓ ସଭାପତି, ‘AUBI’
    ଦୂରଭାଷ :9238304919

Leave A Reply

Your email address will not be published.