ରଜ ଉପରେ ଅରବିନ୍ଦ ଦାସଙ୍କ ନୂଆ ଗପ-‘ରଜ ସଜବାଜ’

0

// TATKAL ODISHA //
★★★★★★★★★

ଅରବିନ୍ଦ ଦାସ

ସଜବାଜ କେବଳ ଝିଅମାନେ ହୁଅନ୍ତିନି ସୁନ୍ଦର ଦିଶିବାକୁ,ସଜବାଜ ସୈନ୍ୟ,ସେନାପତି ବି ହୁଅନ୍ତି;ଯୁଦ୍ଧ ପାଇଁ।”
ଝିଅ ସ୍ମିତା କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ମାଳବିକା।
ରଜ ସଜବାଜ ବୋଲି ମାଳବିକାଙ୍କର ମନେ ପଡିଯିବାରୁ ,ସ୍ମିତା ରୁମକୁ ପଶିଯାଇ କହିଥିଲେ,
ଆଜି ସଜବାଜ।ଏମିତି ଝାମ୍ପୁରୀ ମୁଣ୍ଡି ହୋଇ ସେ ଛିଣ୍ଡା ଅସନା ଜିନ୍ସ ସାଙ୍ଗକୁ ଏଇ ଟିସାର୍ଟ ପିନ୍ଧି କଣ ଦିଶୁଛୁ ତୁ ?ପୁଅ ପିଲାବି ଆଜିକାଲି ଭଲ ବେଶପଟା ହୋଇ ବୁଲୁଛନ୍ତି।ତୋର ଏଇ ବେଶ ଦେଖିଲେ କିଏ ତୋତେ ଝିଅ ପିଲା ବୋଲି ଭାଵିଵ ?”


ଲାପଟପ ରୁ ମୁହଁ କାଢି ମମି ଆଡ଼କୁ ଅନାଇ ସ୍ମିତା ହସିଦେଲା।ମମି ମାନେ ସବୁବେଳେ ଏମିତି।ଝିଅ ହେଉ ବା ପୁଅ,ସବୁବେଳେ ମା’ଙ୍କ ଅଲିଖିତ ସମ୍ବିଧାନ ଓ ଅନୁଶାସନ ଭିତରେ ରହିବା ଦରକାର ବୋଲି ପ୍ରତ୍ୟେକ ମା ଭାବନ୍ତି।ପୁରୁଣା କାଳିଆ ଢ଼ଙ୍ଗକୁ ଜାବୁଡି ଧରି ନୀତି,ନିୟମ ,ପରମ୍ପରା ର ଦ୍ୱାହି ଦେଇ ନିଜ କଥାକୁ ମନେଇବା ପାଇଁ ଇମୋସନାଲ ଅତ୍ୟାଚାର କରିବାକୁ ପଛାନ୍ତି ନାହିଁ। ତେବେ ଏସବୁ ଦେହସୁହା ହୋଇଗଲା ପରେ ପିଲାମାନେ ବି ସିରିଅସଲି ନିଅନ୍ତିନି।ସ୍ମିତା ର ବି ଦେହସୁହା ହୋଇଗଲାଣି ମମି ର କଥା।
-ଓହୋ ମମି,କଣ ଖରାପ ଅଛି ଏଇ ଜିନ ଓ ଟି ସାର୍ଟରେ ?ଆଜି ଯଦି ମୁଁ ଝିଅ ବଦଳରେ ପୁଅ ହୋଇଥାନ୍ତି,ତେବେ କଣ ତୁ ଏମିତି କହୁଥାନ୍ତୁ ?”
ଚୁପ ହୋଇ ଝିଅକୁ ଅନାଇଥିଲେ ମାଳବିକା।
ଲକଡାଉନ କୋହଳ ସହ ଅଫିସ ଖୋଲିଲା ପରେ ସ୍ମିତା ଚାଲିଆସିଥିଲା ବାଙ୍ଗାଲୋର।ଛଅ ବର୍ଷ ହେଲାଣି ସ୍ବାମୀଙ୍କ ଦେହାନ୍ତ ପରେ ଓଡ଼ିଶାରେ ମାଳବିକା ଏକୁଟିଆ ରହି ଆସୁଛନ୍ତି।ମଝିରେ ମଝିରେ ସ୍ମିତା ପାଖକୁ ସେ ବୁଲି ଆସନ୍ତି।ନିଜ ଘରର ମୋହ ଛାଡି ,ଝିଅ ପାଖରେ ଏଇ ମେଟ୍ରୋ ସହର ମାନଙ୍କରେ ରହିବା ତାଙ୍କୁ ଜମା ପସନ୍ଦ ନଥିଲା।ଏସବୁ ସହର ଉପରକୁ ଦେଖିବାକୁ ସୁନ୍ଦର,ହେଲେ ଆତ୍ମୀୟତା କେଉଁଠି ?ସ୍ମିତା ଅଫିସ ଚାଲିଗଲା ପରେ ସକାଳ ଆଠଟା ରୁ ରାତି ଆଠଟା,ନ ଅଟା ଯାଏଁ କବାଟ ବନ୍ଦ କରି ଫ୍ଲାଟ ଭିତରେ ପଶି ସେ ଅଣ ନିଶ୍ବାସୀ ହୋଇଯାଆନ୍ତି।ସକାଳେ, ସନ୍ଧ୍ୟାରେ ଆପାର୍ଟମେଣ୍ଟ ତଳେ ଚାଲିବାକୁ ସେ ଅବଶ୍ୟ ଯାଆନ୍ତି,କିଛି ଲୋକ ନିଜ ଆଡୁ ବନ୍ଧୁତା ହାତ ବି ବଢ଼ାଇଛନ୍ତି।ହେଲେ କାହିଁକି କେଜାଣି ଏଠି ନିଜକୁ ସହଜ କରି ପାରନ୍ତିନି।
ତା ସହିତ ପୁଣି ବାପ’ର ଜିଦିଆପଣକୁ ଜନ୍ମସୂତ୍ରରେ ପାଇଥିବା ଏଇ ଝିଅ ସାଙ୍ଗରେ ସବୁବେଳେ ଯୁକ୍ତି କରିବାକୁ ବି ତାଙ୍କୁ ଭଲ ଲାଗେନି।ଚାକିରୀ ବାକିରୀ କରି ଦେହରେ ଇଣ୍ଡିପେନ୍ଡେଣ୍ଟ ଷ୍ଟାମ୍ପ ବାଜୁଥିବା ପିଲାମାନେ ବାପା, ମାଙ୍କ କଥା କଣ ଖାତିର କରନ୍ତି !
ମାଳବିକା ଭାଵନାରାଜ୍ୟରୁ ଫେରିଆସି କହିଲେ,
ଶୁଣ ମା,ତୋର ବାହା ବୟସ କେବେଠୁ ହୋଇଗଲାଣି।ଆହୁରି ଅଧିକା ପାଠ ପଢ଼ିବୁ,ଢ଼ିଙ୍କି ଘୋଡା ଏମବିଏ,ଫେମବିଏ କରିବୁ କହିଲୁ,କଲୁ।ବାହା ହୋଇଯା,ନାଇଁ।ଅଧିକ ଟଙ୍କା ପାଇଁ ଗୋଟେ ଚାକିରୀ ଛାଡି ଅନ୍ୟ ଚାକିରୀ କରି ସମୟ ଗଡାଇ ଦେଲୁ, କଣ ମିଳିବ ଆମକୁ ସେ ଅଧିକ ଟଙ୍କାରୁ ?ତୋରି ସାଙ୍ଗ ଝିଅମାନେ କେବେଠୁ ବାହା ହୋଇସାରିଲେଣି।ଏବେ ତୋର ସେଇ ଅଫିସ ସାଙ୍ଗ ଚନ୍ଦ୍ରଭାନୁ, ଭଲ ପିଲାଭଳି ଲାଗୁଛି।ସେ ତ ବାହା ହୋଇନି।ମୋତେ ଲାଗେ ସେ ତୋତେ ପସନ୍ଦ କରେ ବୋଲି।”

ଗାଳ୍ପିକ ଅରବିନ୍ଦ ଦାସ


ଓହୋ ମମି, ତମର ଖାଲି ମୋ ବାହାଘର ଚିନ୍ତା !

“ମୋ ବୟସର ଅନେକ ଝିଅ ଏବେ ବି ଅବିବାହିତ।ଏବେ ଜୀବନକୁ ଏନଜୟ, ଉପଭୋଗ କରିବା ସମୟ।ତା ଛଡା ମୋତେ ପସନ୍ଦ କରୁଥିବା ପୁଅ ନିଜ ଆଡୁ ପ୍ରପୋଜ କଲାପରେ ମୁଁ ଚିନ୍ତା କରିବି।”
ଚିଡିଯାଇ ମାଳବିକା କହିଲେ,
-ନିଜକୁ କେବେ ଆଇନାରେ ଦେଖିଛୁ ?ଝିଅ ପିଲା ଭଳି ଦିଶୁଛୁ ତୁ ?କଣ ନା ଆଇ ୱାଣ୍ଟ ଟୁ ବି ମାଇଁ ସେଲ୍ଫ।ମୁହଁରେ ପାଉଡର,ଓଠରେ ଲିପଷ୍ଟିକ,ଆଖି ପତାରେ ଆଇ ବ୍ରୋ କଳା, କପାଳରେ ଗୋଟେ ଛୋଟ ବିନ୍ଦି,ହାତରେ କିଛି ଚୁଡ଼ି,ବେକରେ ଗୋଟେ ପତଳା ହାର,କାନରେ କାନଫୁଲ,ନଖରେ ଟିକେ ନେଲପଲିସ,ପାଦରେ ହଳେ ପାଉଁଜ କେବେ ପିନ୍ଧୁଛୁ ?ଶାଢ଼ୀ କିମ୍ବା ଝିଅଙ୍କ ଚୁଡ଼ିଦାର, ଗାଉନ,ଡ୍ରେସ ବଦଳରେ ପୁଅଙ୍କ ଟିସାର୍ଟ,ସାର୍ଟ ,ଜିନ ପ୍ୟାଣ୍ଟ ପିନ୍ଧି,ମୁଣ୍ଡ ବାଳକୁ ଛୋଟ କରି କାଟି ତୁ ଗୋଟେ ଗୁଣ୍ଡା ଭଳି ଦିଶୁ।କେଉଁ ଅକାଳ ସକାଳରେ ତୋ ଅଫିସ ପାର୍ଟି ଥିଲେ ,ପାର୍ଲର ଯାଇ ଟିକେ ଫେସିଆଲ କରି ଚାଲି ଆସୁଛୁ। ଝୁନୁ ମାଉସୀ ଝିଅ ବାହାଘର ରେ ଓ ମୋହନ ଦାଦାଙ୍କ ପୁଅ ରିସେପସନ ରେ ତୁ ବୋଧେ ଶାଢ଼ୀ ଓ ଘାଗରାଚୋଲି ପିନ୍ଧିଥିଲୁ।ଆଉ କେବେ ପିନ୍ଧୁଛୁ ?”
ସେପଟୁ ମୋବାଇଲ ବାଜିଲା।ଦିଲ୍ଳୀରୁ ବଡ଼ ଭାଉଜଙ୍କ ଫୋନ।କିଛି ସମୟ କଥାବାର୍ତ୍ତା ପରେ ମାଳବିକାଙ୍କ ଅଭିଯୋଗ ଶୁଣି ଦୀପା ଭାଉଜ କହିଲେ,
-ଆଜିକାଲି ଯଗରେ ପୁଅଙ୍କ ଭଳି ଝିଅମାନେ ସଜେଇ ହେବା ଫେସନ ହେଲାଣି।ମୋ ବୋହୁ ତ ସେମିତି ପୁଅପିଲାଙ୍କ ବେଶପଟା ହୋଇ ଅଫିସ ଯାଉଛି।ଆଉ ମୋ ଦୁଇ ଖେଚଡ ନାତୁଣୀଙ୍କୁ ରଜ ସଜବାଜ କଥା କହିବାରୁ ମୋତେ ଆଇନ ଝାଡି କହୁଛନ୍ତି, ହୋଟେଲ କିମ୍ୱା କିଛି ପାର୍ଟି ଥିଲେ ସେମାନେ ମେକଅପ ହେବେ।ଘରେ ସକାଳୁ ସେମାନେ ମେକଅପ ହେବେନି।ଆଲୋ,ମେକଅପ ହେବାକୁ କିଏ କହୁଛି?ଚନ୍ଦନ ଟିପା,ଅଳତା ଲଗାଇଲେ ସେମାନେ କାଳେ ମାଙ୍କିଡି ଭଳି ଦିଶିବେ।ଆଜି କାଲିକା ଏ ଟୋକି ଗୁଡାକ ଏକଦମ ଉଗୁରି ହେଉଛନ୍ତି।”
ଫୋନ ରଖି ସ୍ମିତାକୁ କହିଲେ,
ମୋ କଥା ଆଜି ରଖିବୁ ନା ନାହିଁ ?ତୋତେ ମୁଁ ନିଜ ହାତରେ ଟିକେ ସଜବାଜ କରି ଦିଅନ୍ତି,ଠିକ ଯେମିତି ଛୁଆ ବେଳେ ତୋତେ କରିଦେଉଥିଲି।ଚୁପଚାପ ମୋ ସାମ୍ନା ରେ ଠିଆ ହେଉଥିଲୁ।”
-ଓହୋ ମମି,ଏବେ ମୁଁ ବଡ଼ ହୋଇଗଲିଣି।”

  • ପିଲାମାନେ ସବୁବେଳେ ମା ପାଇଁ ଛୋଟ ଛୁଆ।
    କେଉଁଦିନ ମୁଁ ମରିଯିବି ଯେ ବୁଝୁଥିବୁ।”ଆଖିରେ ତାଙ୍କର ଦୁଇ ବୁନ୍ଦା ଲୁହ।
    ସ୍ମିତା ଜାଣିଲା ମମି ଆଜି ଅଭିମାନ କରିଛି।ତାଙ୍କୁ କୁଣ୍ଢାଇ ପକାଇ କହିଲା ,
    -ସଜବାଜ କେବଳ ଝିଅମାନେ ହୁଅନ୍ତିନି ସୁନ୍ଦର ଦିଶିବାକୁ,ସଜବାଜ ସୈନ୍ୟ,ସେନାପତି ବି ହୁଅନ୍ତି;ଯୁଦ୍ଧ ପାଇଁ।ଠିକ ଅଛି,ମୋତେ ତମେ ସଜବାଜ କରିବ,ହେଲେ ଗୋଟେ ସର୍ତ୍ତରେ।”
    ଚମକି ପଡି ମାଳବିକା ପଚାରିଲେ,
    -କେଉଁ ସର୍ତ୍ତ?”
    ହସିଦେଇ ସ୍ମିତା କହିଲା,
    -ତମକୁ ଆଜି ମୁଁ ସଜାଇବି, ନିଜ ଷ୍ଟାଇଲରେ।”
    ଝିଅର ମୁହଁକୁ ଓଦା ଟାୱେଲ ରେ ପୋଛି, ତା ଅସଜଡ଼ା ବାଳରେ ତେଲ ଲଗାଇ ସୁନ୍ଦର କରି ସଜାଡି ରବର ବ୍ୟାଣ୍ଡରେ ବାନ୍ଧିଲେ।ମୁହଁରେ ହାଲକା ଫେସ ପାଉଡର ମାରି,ଠାକୁରଙ୍କ ଫଟ ପାଖରୁ ଚନ୍ଦନ ପେଡି ଆଣି ଘୋରି, କପାଳରେ ଚନ୍ଦନ ଟୋପି ଦେଇ ମଝିରେ ବିନ୍ଦି ଓ ନଖରେ ନେଲପଲିସ
    ଲଗାଇଦେଲେ।ଆଖିରେ କାଜଲ ପେନସିଲରେ ଗାଢ଼ କଳା ରଙ୍ଗର ଗାର ଟାଣି ଦେଇ,ମୁଣ୍ଡ ବାଳରେ, ଡାଇନିଂ ଟେବୁଲ ଫ୍ଲାୱାର ଭେସରୁ ଗୋଟେ ଗୋଲାପ ଫୁଲ ଆଣି ଖୋସିଦେଲେ।ନିଜ ବ୍ୟାଗରେ ଥିବା ସୁନା କାନଫୁଲ,ପତଳା ଚେନ ,ଶାଢ଼ୀ ପିନ୍ଧାଇ ଅପଲକ ନୟନରେ ଝିଅକୁ ଅନାଇ ମାଳବିକା ଭାବୁଥିଲେ,ଦର୍ପଣ ସାମ୍ନାରେ ସେ ନିଜେ ଠିଆ ହୋଇଛନ୍ତି କି ?
    ନିଜକୁ ନୂଆ ବେଶରେ ଦେଖି ସ୍ମିତା କହିଲା,
    -ମୋତେ ଏମିତି ଫ୍ୟାନ୍ସି ଡ୍ରେସରେ ସଜାଇବା ପାଇଁ ତମର ସବୁବେଳେ ଇଛା।ଜାଣିଛ ମମି ?ଆଜିକାଲି ଏସବୁ ପୁରୁଣା ଗାଉଁଲିଆ…ଉଫ ଆଇ ଆମ ସରି ମମି, ମୋ କହିବାର ଅର୍ଥ ହେଲା,ଆଜିକାଲି ର ପୁଅ ମାନେ ମଡ଼ର୍ଣ୍ଣ ଲୁକ ଚାହାନ୍ତି।ହୁଏତ ବୁଢ଼ାମାନେ ଏଭଳି ସଜବାଜ ହୋଇଥିବା ଝିଅକୁ ପସନ୍ଦ କରିବେ।ବୁଢା ଜୋଇଁ ମିଳିବେ ତୁମକୁ।”
    କଣ ଚିନ୍ତା କରି ନିଜର ସେଲ୍ଫି ଉଠାଇ ସ୍ମିତା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଦେଲା,
    -ରଜ ସଜବାଜ ଓଡ଼ିଆ ଲୁକ।”
    ଏଥର ମାଳବିକାଙ୍କ ପାଳି ଥିଲା।ସ୍ମିତା ତାଙ୍କୁ ଜବରଦସ୍ତି ନିଜର ଜିନ ଓ ଟି ସାର୍ଟ ପିନ୍ଧାଇ, ମୁଣ୍ଡ ବାଳକୁ ଖୋଲି ହେଆର ଡ୍ରା ଏ ର ରେ ଶୁଖାଇ ଖୋଲା ଛାଡିଦେଇ, ନିଜ ବ୍ୟାଗରୁ ଗୋଟେ ହ୍ଵାଇଟ ମେଟାଲର ଇମିଟେସନ ବ୍ୟାଙ୍ଗଲ ଓ ଲକେଟ ପିନ୍ଧାଇ ଦେଲା।ମାଳବିକା ଙ୍କୁ ଲାଜ ଲାଗୁଥିଲା।
    -ବୁଢ଼ୀ ବୟସରେ ମୁଁ କଣ ଏମିତି ସଜବାଜ ହେବି ?”
    -ମମି,ବୟସ କେବଳ ଆମ ମନର ଏକ ଆନୁପାତିକ ଚିନ୍ତାଧାରା।ସବୁବେଳେ ଆମେ ନିଜକୁ ୟଙ୍ଗ ବୋଲି ଭାବିବା ଉଚିତ।”
    ବାହାରେ କଲିଙ୍ଗ ବେଲ ବାଜିଲା।ସ୍ମିତା କବାଟ ଖୋଲିଲା।ଉପର ଫ୍ଲୋରରେ ରହୁଥିବା ଅବସର ପ୍ରାପ୍ତ ନେଭି ଅଫିସର ମନୋରଞ୍ଜନ ବାବୁ ଠିଆ ହୋଇଥିଲେ।ଏଠି ଏକୁଟିଆ ରୁହନ୍ତି।ତାଙ୍କ ଦୁଇ ପୁଅ ବୋହୂ ଏବେ ବିଦେଶରେ।ଓଡ଼ିଆ ଲୋକ ବୋଲି ଚିହ୍ନା ପରିଚୟ,କଥାବାର୍ତ୍ତା।ମାଳବିକା ଏଠିକୁ ଆସିଲେ,ସେ ପ୍ରାୟ ସବୁଦିନ ଆସନ୍ତି।ସ୍ମିତାର ବେଶ ଦେଖି ହସିଦେଇ ମନୋରଞ୍ଜନ ବାବୁ କହିଲେ,
    -ଆରେ ବାଃ,ବହୁତ ସୁନ୍ଦର ଦିଶୁଛୁ ସ୍ମିତା।”
    -ଗାଉଁଲି ଆଣ୍ଟି ଭଳି ଦିଶୁଛି ବୋଧେ।ମମି ସଜେଇଛି ମୋତେ,ଆଜି ରଜ ସଜବାଜ।”
  • ନା,ଏକଦମ ଟ୍ରାଡିସନାଲ ,ଆଣ୍ଟିକ,
    ସୋଫିଷ୍ଟିକେଟେଡ଼ ଲୁକ ବୋଲି କହ।ରିଏଲ ବିଉଟି ଏହାକୁ କୁହନ୍ତି,ସିମ୍ପଲ ବଟ ଏଲିଗାଣ୍ଟ।”
    -ଘର ଭିତରକୁ ଆସନ୍ତୁ।” ସ୍ମିତା କହିଲା।
    ସୋଫାରେ ବସିଲା ବେଳେ ହଠାତ ସ୍ମିତାର ପଛ ପଟେ ମାଳବିକାଙ୍କୁ ଜିନ ଓ ଟି ସାର୍ଟରେ ଦେଖି ଆବାକାବା ହୋଇ ମନୋରଞ୍ଜନ କହିଲେ,
    -ଆରେ,ଆପଣଙ୍କର ତ ପୁରା ମେକ ଓଭର ହୋଇଛି।”
    ଲାଜେଇ ଯାଇ ମାଳବିକା କହିଲେ,
    -ୟାରି ଜିଦି।ଦେଖୁ ନାହାଁନ୍ତି ମୋତେ କିଭଳି ବେଶ କରିଛି ?ବୟସ ହୋଇଗଲା ପରେ…
  • ଆରେ,ବୟସ କେବଳ ଗୋଟେ ନମ୍ବର,ସଂଖ୍ୟା,ତାକୁ କମ ବେଶୀ କରିବା ଆମ ମସ୍ତିଷ୍କ ଉପରେ ନିର୍ଭର କରେ।ସତ କହୁଛି,ଆପଣ ସ୍ମିତାର ବଡ଼ ଭଉଣୀ ଭଳି ଦିଶୁଛନ୍ତି।ଏ ବେଶର ଫଟ ମ୍ୟାଟ୍ରିମୋନିଆଲ ସାଇଟରେ ପକାଇଲେ ହଜାର ହଜାର ପ୍ରସ୍ତାବ ଆସିବ।”
    ଫେଁ କିନା ହସି ସ୍ମିତା କହିଲା,
    -ଆପଣ ବିଲକୁଲ ଠିକ କହିଛନ୍ତି।ମୁଁ ତ କେବେଠୁ ଭାବୁଛି,ଗୋଟେ ଭଲ ପ୍ରସ୍ତାବ ଦେଖି ମମି ଙ୍କ ବାହାଘର କରିଦେଲେ ମୁଁ ଆରାମରେ ବାହା ହୋଇ ଘର ସଂସାର କରିପାରିବି।ମମିଙ୍କ ଚିନ୍ତା ରହିବନି।”
    ଅନ୍ୟମନସ୍କ ହୋଇ ଏକ ଲୟରେ ତାଙ୍କୁ ଅନାଇଥିଲେ ମନୋରଞ୍ଜନ।ଅନେକ ଦିନ ହେଲା ତାଙ୍କ ମନରେ ଥିବା ଗୋଟେ କଥା ମାଳବିକାଙ୍କୁ ପଚାରିବାକୁ ଇଛା ଥିଲା ତାଙ୍କର।ସ୍ମିତା ତ ହିଂଟ୍ସ ଦେଇ ସାରିଲାଣି।
    ମୃଦୁ ହସି ମନୋରଞ୍ଜନ କହିଲେ,
    -ଜୀବନ ଏକ ଆହ୍ୱାନ,ବଦଳିବାର।ଜୀବନ ଏକ ସହାବସ୍ଥାନ ଆଧୁନିକ ଓ ପାରମ୍ପରିକ ଚଳଣୀ ର,ବାସ ଦରକାର ଖାଲି ସନ୍ତୁଳନ’ର।
    ଦୁଇଜଣଙ୍କ ନୂଆ ଲୁକ ଚମତ୍କାର।ଆଛା,ଆଜି ସଜବାଜରେ ଚା କପେ ମିଳିବ ?”
    କିଚେନକୁ ପଶିଗଲେ ମାଳବିକା ।ତାଙ୍କୁ ମନୋରଞ୍ଜନ ବାବୁଙ୍କ ସହ ଗପିବାକୁ ଅବଶ୍ୟ ଭଲ ଲାଗେ।ସ୍ମିତା କିଚେନକୁ ଆସିଲା ପରେ ମୃଦୁ ଅଭିମାନ ସ୍ୱରରେ ମାଳବିକା କହିଲେ,
    -ମୋର ଏ ବେଶ ଦେଖି ସେ କଣ ଭାବୁଥିବେ କହିଲୁ?
    ହସିଦେଇ ସ୍ମିତା କହିଲା,
  • ମମି,ତମଠାରୁ ଆହୁରି ବୟସ୍କ ଲୋକ ବେଶପଟା ହୋଇ ଖାଲି ବୁଲୁ ନାହାନ୍ତି, ନିଜ ଜୀବନରେ ଦ୍ଵିତୀୟ ଇନିଂସ ବି ଆରମ୍ଭ କରୁଛନ୍ତି।ଏବେ ତମ ପାଳି।ସଜବାଜ ଖାଲି ସୁନ୍ଦର ଦିଶିବା ପାଇଁ ନୁହେଁ,ଯୁଦ୍ଧ ପାଇଁ ବି ସଜବାଜ ହୁଏ ମଣିଷ।ଏବେ ଜୀବନ ଯୁଦ୍ଧର ଦ୍ଵିତୀୟ ପାଳି ପାଇଁ ତୁମେ ପାଦ ବଢାଅ ମମି, ସୁଯୋଗ ତୁମ ସାମ୍ନାରେ।”
    ବଲବଲ ହୋଇ ଚାହିଁଥିଲେ ମାଳବିକା।
    ସ୍ମିତା ଫୋନରେ ତା ନୂଆ ଲୁକ ଦେଖି ଶହ ଶହ ମେସେଜ।ହଠାତ ହ୍ଵାଟ୍ସଆପରେ ଚନ୍ଦ୍ରଭାନୁ’ର ଭିଡିଓ କଲ।ଫୋନ ଅନ କଲା ସ୍ମିତା।ସେପଟୁ ହାତରେ ଗୋଟେ ଗୋଟେ ମୁଦି ଧରି ଚନ୍ଦ୍ରଭାନୁ କହୁଥିଲା,
    -ତୁମର ଏଇ ନୂଆ ରୂପ ମୋତେ ବାଧ୍ୟ କଲା ପଚାରିବାକୁ,ଉଇଲ ୟୁ ମ୍ୟାରି ମି ?”
    (©ଅରବିନ୍ଦଦାସ)

Leave A Reply

Your email address will not be published.