ମୋ ଜୀବନ ପଛେ ନର୍କେ ପଡ଼ିଥାଉ..
ସୃଜନୀ ଆଲୋଚନାଚକ୍ରରେ ସନ୍ଥକବି ଭୀମ ଭୋଇ ଓ ମହିମା ଧର୍ମ
ଚେନ୍ନାଇ//TATKAL ODISHA//
ସମାଜ ସଂସ୍କାରକ ତଥା ମହିମା ଧର୍ମ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କୁ ସମର୍ପିତ ସ୍ମୃତି – ଶ୍ରଦ୍ଧାଞ୍ଜଳି ତଥା ସାରସ୍ୱତ ଆଲୋଚନାଚକ୍ର ସୃଜନୀ ପରିବାର (ଚେନ୍ନାଇ ) ଅନୁକୁଲ୍ୟରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ତଥା ବରେଣ୍ୟ ଅତିଥି ଓ ଆଲୋଚକ ବୃନ୍ଦଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି I
ସନ୍ଥକବି ଭୀମ ଭୋଇ ନିଜ ରଚନାରେ ମାନବବାଦ ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ “ସନ୍ଥ କବି” ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ” ଅନ୍ୟତମ ।
ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଭୀମଭୋଇ.. ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିଲା… ସେ “ସନ୍ଥ କବି” ଭାବରେ ପରିଚିତ ଥିଲେ..
ସାହିତ୍ୟ ସାଧକ ତଥା ସଂସ୍କୃତି ଗବେଷକ ଡକ୍ଟର ଉଦ୍ଧବ ଚରଣ ନାୟକଙ୍କ ତତ୍ତ୍ୱାବଧାନରେ ଆଲୋଚନାଚକ୍ର ଗତିଶୀଳ ହୋଇଥିଲା I ସନ୍ଥ ଭୀମ ଭୋଇ ସାହିତ୍ୟ ତଥା ମହିମା ଧର୍ମ ଗବେଷକ ଡକ୍ଟର ଉଦ୍ଧବ ଚରଣ ନାୟକଙ୍କ ଅଭିଭାଷଣରେ କବିଙ୍କ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ସହ ତତ୍କାଳୀନ ସମାଜରେ ପ୍ରଚଳିତ ଜାତିପ୍ରଥା,ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ପ୍ରସଙ୍ଗରେ ଉପସ୍ଥାପନା କରିବା ସହ ତାଙ୍କଦ୍ୱାରା ରଚିତ ପୋଥି ସମୂହ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମା ବିନୋଦ ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ I

ସୋନପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ସୌରଭ ରଞ୍ଜନ ଖମାରୀ, ଉଲ୍ଲୁଣ୍ଡା ଡ଼ିଗ୍ରୀ କଲେଜ (ସୁବର୍ଣ୍ଣପୁର )ର ଅଧ୍ୟକ୍ଷ ପ୍ରାଧ୍ୟାପକ ଡକ୍ଟର ଦେବାଶିଷ ପାଣ୍ଡିଆ,ଐତିହାସିକ ଡକ୍ଟର ସୁଦାମ ନାୟକ ଏବଂ ଡକ୍ଟର କୈବଲ୍ୟ ମିଶ୍ର ଆଦି ଆଭାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସନ୍ଥକବି ଙ୍କ ଜୀବନ ଯାତ୍ରା ସହ ସାରସ୍ୱତ ଯାତ୍ରାର ପ୍ରସଙ୍ଗରେ ନିଜସ୍ୱ ଅଭିବ୍ୟକ୍ତି ପ୍ରକାଶ କରିଥିଲେ I
ବିଶେଷ ଅବସରରେ ଆୟୋଜିତ ଆଭାସୀ ସଭାରେ ସୃଜନୀର ମୁଖ୍ୟ ଉପଦେଷ୍ଟା-ସୃଜନୀ ତଥା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଆଶୁତୋଷ ସାମନ୍ତସିଂହାର, ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଡ. ଗୋଦାବରୀଶ ମିଶ୍ର, ସୃଜନୀର ଉପଦେଷ୍ଟା ତଥା ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ,ସଂପାଦକ ଅଶୋକ ସାମନ୍ତ , କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ ବିଘ୍ନେଶ୍ଵର ସାହୁ ଏବଂ ଉପସ୍ଥାପିକା ତଥା ଉଦ୍ଘୋଷିକା (ଆକାଶବାଣୀ) ସୁମତି ମୁଣ୍ଡ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।
ଆଭାସୀ ସାରସ୍ୱତ ସଭାରେ ପ୍ରସାର ଭାରତୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଯଥା ବିଦ୍ୟୁତପ୍ରଭା ପଟ୍ଟନାୟକ ଏବଂ କୃଷ୍ଣଚନ୍ଦ୍ର ସେନ୍ଧିଆଙ୍କ ଗୀତରେ ସଭା ସଂଗୀତମୟ ହୋଇଥିଲା I ଦେଶ ତଥା ବିଦେଶରୁ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I