ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ନିପୁଣ ଓଡ଼ିଶା’, ‘ଡିପ୍’ କାର୍ଯ୍ୟକ୍ରମ

0
  • ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
  • ଶିକ୍ଷକମାନେ ଭବିଷ୍ୟତ ସମାଜର ମାର୍ଗଦର୍ଶକ- ମୁଖ୍ୟମନ୍ତ୍ରୀ
  • ସଂସ୍କୃତି ଆଧାରିତ ଶିକ୍ଷା ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରହିଛି
  • ପ୍ରାଥମିକ ଶିକ୍ଷାରେ ଭାଷା ଏବଂ ସଂସ୍କୃତିର ଗୁରୁତ୍ଵ ପାଇଁ ବ୍ୟବସ୍ଥା
  • ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ

ଭୁବନେଶ୍ୱର//TATKAL ODISHA//

ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ କରିବା ଉଦ୍ଦେଶ୍ୟରେ ‘ନିପୁଣ ଓଡ଼ିଶା’ ଏବଂ ବିଦ୍ୟାର୍ଥୀଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ ପାଇଁ ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ’ (ଡିପ୍) ଆରମ୍ଭ କରାଯାଇଛି I

ଗୁରୁଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି I

ଗୁରୁବାର ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ।

ସେ କହିଲେ ଯେ ଆଜିର ଗୁରୁମାନଙ୍କ ହାତରେ ହିଁ ଭବିଷ୍ୟତର ସୁରକ୍ଷା ଦାୟିତ୍ଵ। ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷା ବ୍ୟବସ୍ଥାର ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ କେବଳ ଉତ୍ତମ ଶିକ୍ଷାରେ ସନ୍ତୁଷ୍ଟ ନ ହୋଇ ପିଲାମାନେ ଯେପରି ଜୀବନରେ ମୂଲ୍ୟବୋଧ, ନୀତି ଓ ଆଦର୍ଶକୁ ଅନୁସରଣ କରିବେ, ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍।

ନିଜର ଶିକ୍ଷକତା ଜୀବନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷକମାନେ ଯେଉଁ ତ୍ୟାଗ କରନ୍ତି ତାହା ଅମୂଲ୍ୟ। ଛାତ୍ରଛାତ୍ରୀଙ୍କ ସଫଳତାରେ ହିଁ ଶିକ୍ଷକମାନେ ଜୀବନର ସାର୍ଥକତା ଅନୁଭବ କରିଥାନ୍ତି। ସେଥିପାଇଁ ସମସ୍ତେ ଗୁରୁମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ। ଆମ ଦେଶର ଗୁରୁ ଶିଷ୍ୟ ପରମ୍ପରା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରଖିଥିଲା। କିନ୍ତୁ ବିଦେଶୀ ଶାସନ ସମୟରେ ଆମର ସଂସ୍କୃତିଭିତ୍ତିକ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦିଆଯାଇଥିଲା। ବର୍ତ୍ତମାନ ଧିରେ ଧିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି ଏବଂ ନୂତନ ଶିକ୍ଷା ବ୍ୟବସ୍ଥାରେ ସଂସ୍କୃତି ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଦ୍ୱାରା ୩ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହେବେ ଓ ଡ୍ରପ ଆଉଟ୍‌ ହାର ହ୍ରାସ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସହିତ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା କାର୍ଯ୍ୟକାରୀ କରିବେ। ଏଥିରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବ I

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କହିଲେ ଯେ ଗୁରୁ ବିନା ଜ୍ଞାନ ପ୍ରାପ୍ତି ଅସମ୍ଭବ । ବାପା ମା’ ଙ୍କ ପରେ ଯଦି କିଏ ପିଲାମାନଙ୍କର ମଙ୍ଗଳ ଚିନ୍ତା କରିଥାନ୍ତି ତେବେ ସେ ହେଉଛନ୍ତି ଗୁରୁ ବା ଶିକ୍ଷକ। ଶିକ୍ଷା ଜୀବନ ନିର୍ମାଣ କରିଥାଏ, ଶିକ୍ଷା ଚରିତ୍ର ଗଠନ କରିଥାଏ। ଆମ ସରକାର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଓଡିଶାର ଶିକ୍ଷାକ୍ଷେତ୍ର କିପରି ଆଗ୍ରାଧିକାର ପାଇବ ସେଥିପାଇଁ ଆମର ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କହିଲେ ଆଜିର ଯେ, ସମ୍ବର୍ଦ୍ଧିତ ହେଉଥିବା ବିଦ୍ୟାର୍ଥୀମାନେ ମନେରଖିବା ଉଚିତ୍ ଯେ ଏହା ସେମାନଙ୍କ ସମ୍ବର୍ଦ୍ଧନା ନୁହେଁ ବରଂ ଏକ ସଂକଳ୍ପ। ସମଗ୍ର ବିଶ୍ବରେ ଭାରତର ଶିକ୍ଷା ଏବଂ ସଭ୍ୟତାର ସ୍ବତନ୍ତ୍ର ପରିଚୟ ରହିଛି। ଆଗାମୀ ଦିନରେ ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେ କହିଥିଲେ। ଗୁରୁ ଏବଂ ବିଦ୍ୟାର୍ଥୀମାନଙ୍କର ଅଦମ୍ୟ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ଓଡ଼ିଶା ଭବିଷ୍ୟତ ପିଢ଼ିମାନଙ୍କୁ ଶ୍ରେଷ୍ଠ କରି ଗଢ଼ିବାରେ ସଫଳ ହୋଇପାରିଛି। ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାର୍ଥୀମାନେ ବିଶ୍ଵରେ ପ୍ରଶଂସିତ ହେଉଛନ୍ତି ବୋଲି ସେ କହିଥିଲେ।

+++++++++++++++++ADVT+++++++++++++++

+++++++++++++++++++++++++++++++++++++

ଏହି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟକ୍ରମର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଇଥିଲା ।

(କ) ‘ନିପୁଣ ଓଡ଼ିଶା’ : ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଶିକ୍ଷକମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ (FLN)ର ଅନୁମୋଦିତ କୌଶଳକୁ ବ୍ୟବହାର କରି ପିଲାମାନଙ୍କ ଶିକ୍ଷଣକୁ ସୁନିଶ୍ଚିତ କରିବେ ।

(ଖ) ‘ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ’ (ଡିପ୍) : ବିଦ୍ୟାର୍ଥୀଙ୍କୁ ଡିଜିଟାଲ ସାକ୍ଷରତା ଏବଂ କୋଡିଂ ଶିକ୍ଷା ଦେବା ପାଇଁ ‘ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ’ (ଡିପ୍)ର ଶୁଭାରମ୍ଭ କରାଯାଇଛି। ଏହାଦ୍ଵାରା ବିଦ୍ୟାର୍ଥୀମାନେ ଆଗାମୀ ଦିନରେ କମ୍ପ୍ୟୁଟର ଶିକ୍ଷା ଓ କୋଡିଂରେ ସଫଳତା ପାଇବେ।

(ଗ) ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପୋର୍ଟାଲ (ଶିକ୍ଷା ଜ୍ୟୋତି): ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା, ଏକାଡେମିକ୍ କ୍ୟାଲେଣ୍ଡର, ପରୀକ୍ଷା କାର୍ଯ୍ୟସୂଚୀ, ଫଳାଫଳ ଏବଂ ବିଜ୍ଞପ୍ତି ସହଜରେ ପାଇପାରିବେ । ଏହି ୱେବସାଇଟକୁ ଉପଭୋକ୍ତା-ଅନୁକୂଳ କରାଯାଇଛି, ଯାହାଦ୍ବାରା ସମସ୍ତେ ଏହାକୁ ସହଜରେ ବ୍ୟବହାର କରି ଆବଶ୍ୟକୀୟ ସୂଚନା ପାଇପାରିବେ। ଏହି ପୋର୍ଟାଲରେ ଶୈକ୍ଷିକ ଆଳାପ ପାଇଁ ବ୍ୟବସ୍ଥା ରହିଛି ।

(ଘ)କ୍ୟାରିୟର ଗାଇଡାନ୍ସ ପୋର୍ଟାଲ: କ୍ୟାରିୟର ଗାଇଡାନ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରକାର କ୍ୟାରିଅର ବିଷୟରେ ସୂଚନା ପାଇପାରିବେ । ଏହା ମାଧ୍ୟମରେ ପ୍ରାୟ ୧୬ ଲକ୍ଷ ବିଦ୍ୟାର୍ଥୀ ଉପକୃତ ହେବେ। ଯାହା କ୍ୟାରିଅର ବିଷୟରେ ସୂଚନା ଦେବା ସହ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ କରାଇବ। ଏହା ବିଭାଗର ୧୦୦ ଦିନିଆ କାର୍ଯ୍ୟ ଯୋଜନାର ଏକ ଅଂଶ।

(ଙ) ଘରୋଇ ବିଦ୍ୟାଳୟ ପରିଚାଳନା ପୋର୍ଟାଲ: ରାଜ୍ୟରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟର ପରିଚାଳନା ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଖୋଲିବା, ମାନ୍ୟତା ପ୍ରମାଣପତ୍ର ଏବଂ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ ଭଳି ବିଭିନ୍ନ ସେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଏହି ପୋର୍ଟାଲ ମାଧ୍ୟମରେ ଅପଲୋଡ୍ କରାଯାଇପାରିବ ।

  • ସମ୍ବର୍ଦ୍ଧନା ସମାରୋହ –
    ଏହି ସ୍ବତନ୍ତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଅବସରରେ “ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ”ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ରାଜ୍ୟସ୍ତରରେ ୨୮୭, ଜିଲ୍ଲାସ୍ତରରେ ୩୧୨୮, ବ୍ଲକସ୍ତରରେ ୩୨,୨୦୮ ଏବଂ ମହାନଗରନିଗମ ସ୍ତରରେ ୧୯୦୩ଜଣ ବିଦ୍ୟାର୍ଥୀଙ୍କୁ “ମେଧାବୀ ବିଦ୍ୟାର୍ଥୀ ପୁରସ୍କାର” ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟର ସର୍ବମୋଟ୍ ୭୧୬୦ଜଣ ବିଦ୍ୟାର୍ଥୀଙ୍କୁ “ଓଡ଼ିଆ ଭାଷା ବୃତ୍ତି” ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଏବଂ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ବାଦଶ ବୋର୍ଡ଼ର ଶ୍ରେଷ୍ଠ ୪୨ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସ ଅବସରରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

ଏହା ବ୍ୟତୀତ ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପୁସ୍ତିକା ଉନ୍ମୋଚନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

(କ) ଆକାଂକ୍ଷୀ ପାଠ୍ୟକ୍ରମ ପୁସ୍ତିକା: ଆକାଂକ୍ଷୀ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ସହ ଦକ୍ଷତା ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । ନୂତନ ପୁସ୍ତିକାଗୁଡିକ ଶିକ୍ଷାର୍ଥୀଙ୍କ ମନରେ ଚର୍ତୁଃପାର୍ଶ୍ଵର ପ୍ରାକୃତିକ ପରିବେଶ ଓ ସ୍ଥାନୀୟ ସଂସ୍କୃତି ପ୍ରତି ଆଗ୍ରହ ବଢାଇବା ସହ ସଚେତନତା ସୃଷ୍ଟି କରିବ । ସେମାନଙ୍କର ଅନୁସନ୍ଧାନମୂଳକ ଇଚ୍ଛାଶକ୍ତି ବୃଦ୍ଧି କରିବ ଏବଂ ଜାଣିବାର ଆଗ୍ରହକୁ ପ୍ରୋତ୍ସାହନ ଦେବ। ଶିକ୍ଷାର୍ଥୀଙ୍କର ସୃଜନଶୀଳ ଗୁଣକୁ ବିକଶିତ କରିବାରେ ମଧ୍ୟ ସାହାଯ୍ୟ କରିବ ।

(ଖ) ଜୈବ ବିବିଧତା ପୁସ୍ତିକା: ପ୍ରାକୃତିକ ବାସସ୍ଥାନ ଏବଂ ପରିସଂସ୍ଥାନ ସଂରକ୍ଷଣର ମହତ୍ଵ ବୁଝାଇବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଓଡ଼ିଶାର ଜୈବବିବିଧତା ସମ୍ବନ୍ଧରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ, ନବମ ଏବଂ ଦଶମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଜୈବବିବିଧତା ବୋର୍ଡର ମିଳିତ ସହଯୋଗରେ ତିନୋଟି ଶିକ୍ଷଣ ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଏହି ପଦକ୍ଷେପ ବିଦ୍ୟାଳୟସ୍ତରରୁ ପରିବେଶ ସଂରକ୍ଷଣ ପ୍ରତି ଶିକ୍ଷାର୍ଥୀମାନଙ୍କୁ ଦାୟିତ୍ଵବାନ କରିବାରେ ସହାୟକ ହେବ ।

(ଗ) ସଫଳତାର ଶୀର୍ଷରେ ଆମ ପ୍ରତିଭା: ବିଦ୍ୟାର୍ଥୀମାନଙ୍କ କୃତିତ୍ୱକୁ ରାଜ୍ୟସ୍ତରରେ ଦର୍ଶାଇବା ପାଇଁ “ସଫଳତାର ଶୀର୍ଷରେ ଆମ ପ୍ରତିଭା” ପୁସ୍ତକ ଉନ୍ମୋଚନ କରାଯାଇଛି। ଯେଉଁଥିରେ ପିଲାମାନଙ୍କର ପରିଶ୍ରମ ଏବଂ ସଫଳତା ବିଷୟରେ ବର୍ଣ୍ଣନା କରାଯାଇଛି।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା, ଶ ଅନନ୍ୟା ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଜାମିନୀ ଷଡଙ୍ଗୀ, ବିଭାଗର ବରିଷ୍ଠ ଅଧିକାରୀ, ୩୦ଟି ଜିଲ୍ଲାରୁ ଆସିଥିବା ଶିକ୍ଷୟ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଭାସୀ ମାଧ୍ୟମରେ ୩୦ ଜିଲ୍ଲାର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

++++++++ADVT+++++++++++++++++++++

Leave A Reply

Your email address will not be published.