ମିଶନ ଶକ୍ତି ଗୃହ: ହେଲା ୧୦୦୦, ହେବ ୫୭୫୮

0

  • ଗୃହ ନିର୍ମାଣ ପାଇଁ ୩୧୭ କୋଟି ମଞ୍ଜୁର
  • ଗୋଟିଏ ଛାତତଳେ ଏସ୍‌ଏଚ୍‌ଜିଙ୍କ ସାମୂହିକ କାର୍ଯ୍ୟକ୍ରମ

ଭୁବନେଶ୍ୱର,//TATKAL ODISHA//


ବର୍ତ୍ତମାନ ସୁଦ୍ଧା ୧୦୦୦ ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ ହୋଇଛି । ଆଗକୁ ହେବ ଆହୁରି ୫୭୫୮ ଗୃହ । ରାଜ୍ୟ ସରକାର ଏହି ଗୃହ ପାଇଁ ୩୧୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗୋଟିଏ ଛାତତଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍‌ଏସଜିଙ୍କ ସାମୂହିକ କାର୍ଯ୍ୟକ୍ରମ କରିବାର ଯୋଜନା ହୋଇଥିଲା ତାହା ସଫଳ ହେବାକୁ ବସିଛି । ଫଳରେ ମିଶନ ଶକ୍ତିର କାର୍ଯ୍ୟ ବ୍ୟାପକ ହେବାରେ ଲାଗିଛି ।


 ମିଶନ ଶକ୍ତି ନିର୍ଦେଶିକା ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇଛନ୍ତି I ସେ କହିଛନ୍ତି ଯେ,ରାଜ୍ୟ ରେ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ୱ ଏସ୍‌ଏଚ୍‌ଜି ଗୋଷ୍ଠୀ ମଧ୍ୟରେ ୭୦ ଲକ୍ଷ ମହିଳା ସାମିଲ ଅଛନ୍ତି । ଏହି ଗୋଷ୍ଠୀଙ୍କ ଜରିଆରେ ସାରା ରାଜ୍ୟରେ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ, ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଓ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍‌ଏଚ୍‌ଜିଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି । ସ୍ଥାନୀୟ ଅଞ୍ଚଳର ସମସ୍ତ ଏସ୍‌ଏଚ୍‌ଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବେ । ଏପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରାୟ ଏକ ହଜାରଟି ମିଶନ ଶକ୍ତି ଗୃହ ଏସ୍‌ଏଚ୍‌ଜିଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ସାମୂହିକ ଓ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାଙ୍କ ସାମାଜିକ ଓ ଆର୍ôଥକ ସଶକ୍ତିକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି ବୋଲି ବିଭାଗ ସ୍ପଷ୍ଟ କରିଛି । ଓଡ଼ିଶା ସରକାର ଏସ୍‌ଏଚ୍‌ଜିଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତ୍ତିଭୂମି ନିର୍ମାଣ କରିଛନ୍ତି । ଫଳରେ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ତାହା ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି । 
 ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତରେ ‘ଅଗ୍ରଗତି ଏସ୍‌ଏଚ୍‌ଜି’ ଦ୍ୱାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା । ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ୱ ‘ପ୍ରଗତି ଏସ୍‌ଏଚ୍‌ଜି’କୁ ହସ୍ତାନ୍ତର କରାଯାଇଛି । ଏସ୍‌ଏଚ୍‌ଜିଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍‌ଏଚ୍‌ଜି ଏବଂ ଗ୍ରାମ ପଞ୍ଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତି । ଏତଦ୍‌ବ୍ୟତୀତ ଧାନସଂଗ୍ରହ ନିମନ୍ତେ ଚାଷୀଙ୍କ ଅନ୍‌ଲାଇନ୍ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି । ପଞ୍ଚାୟତସ୍ତରରେ ଏସ୍‌ଏଚ୍‌ଜିଙ୍କ ପାଇଁ ଏହି ଭଳି ଭିତ୍ତିଭୂମି ନିର୍ମାଣ ଓଡ଼ିଶାରେ ଏସ୍‌ଏଚ୍‌ଜି ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରିପାରିଛି । ଯଥାର୍ଥରେ ଓମ୍ ମହାଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟା କୁନିଲତା ସାମଲ କୁହନ୍ତି, ‘ନିଜ ଗାଁ ଭିତରେ ଆମମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଆମେ ବସିପାରୁଛୁ, ଦେଖା ହୋଇ ପାରୁଛୁ, ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରିପାରୁଛୁ । ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଭଲ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ । ମିଶନ ଶକ୍ତି ପାଇଁ ଆମେ ଆଗକୁ ବଢ଼ିପାରିଛୁ ବୋଲି ମିଶନ ଶକ୍ତି ରିପୋର୍ଟ ଦେଇଛି । ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମାରେ ସେହିପରି ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟିର ସଙ୍କେତ ବହନ କରୁଛି ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଗୃହ ଏକ ଉତ୍ସର୍ଗୀକୃତ କାର୍ଯ୍ୟସ୍ଥଳରେ ପରିଣତ ହୋଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.