ମା’ ସରଳା ଦେବୀ : ଗୋଟିଏ ଦିନର ବାଚସ୍ପତି
(ଅଗଷ୍ଟ ୯ରେ ୧୨୧ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି)
ଦିନଟି ଥିଲା ୨୪ ମାର୍ଚ୍ଚ ୧୯୩୯
- ****************
- ଗୁରୁକଲ୍ୟାଣ ମହାପାତ୍ର
- *****************
ଓଡ଼ିଶାର ପ୍ରଥମ ମହିଳା ସ୍ବାଧୀନତା ସଂଗ୍ରାମୀ ସ୍ୱର୍ଗୀୟା ସରଳା ଦେବୀ ପ୍ରଥମ ମହିଳା ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ନଥିଲେ,କିନ୍ତୁ ବାଚସ୍ପତି ଆସନରେ ଦିନକ ପାଇଁ ସେ ବସିବାର ସୁଯୋଗ ପାଇଥିଲେ।
ଦୁଃଖର କଥା ବିରୋଧୀ କଂଗ୍ରେସ ଦଳ ଓ ଅନେକ ତଡିତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସେ ପ୍ରଥମ ମହିଳା ବାଚସ୍ପତି ଥିବା ପ୍ରଚାର କରାଯିବା ଦୁର୍ଭାଗ୍ୟଜନକ ବୋଲି ମନେ ହୋଇଥାଏ।
ପ୍ରକୃତରେ ସେ କଟକର ପ୍ରଥମ ବିଧାୟିକା ଭାବେ ୧୯୩୭ରୁ ୧୯୪୧ ଯାଏଁ କାର୍ଯ୍ୟ କରିଥିଲେ।
ଯେଉଁ ଦିନ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସ ଓ ଉପ ବାଚସ୍ପତି ନନ୍ଦ କିଶୋର ଦାସ ଅନୁପସ୍ଥିତ ଥିଲେ, ବିଧାୟିକା ସରଳା ଦେବୀଙ୍କୁ ବିଧାନସଭା ଗୃହ ପରିଚାଳନା ପାଇଁ ସେହି ଦିନକ ପାଇଁ ସୁଯୋଗ ମିଳିଥିଲା।
ସେହି ଦିନଟି ଥିଲା ୧୯୩୯ ମସିହା ମାର୍ଚ୍ଚ ମାସ ୨୪ ତାରିଖ।ସେହି ସୁଯୋଗରେ ସେ ବିଧାନସଭାର ଗୃହ କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବାକୁ ନିର୍ଦ୍ଦେଶ ଜାରି କରି ଉଦାହରଣ ସୃଷ୍ଟି କରିଥିଲେ।ବିଳମ୍ବରେ ହେଲେ ମଧ୍ୟ ଏବେ ଓଡ଼ିଆ ଭାଷାରେ ଅଧିକାଂଶ କାର୍ଯ୍ୟ ହେଉଛି।
୧୯୨୧ ମାର୍ଚ୍ଚ ୨୩ରେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଆସିଥିବା ବେଳେ କଟକର କାଠଯୋଡି ନଦୀର ବାଲି ଉପରେ ସେ ସଭା କରୁଥିବା ବେଳେ ଗାନ୍ଧିଜୀ ତାଙ୍କ ବକ୍ତୃତାରେ ଇଂରାଜୀ ଭାଷା ଉପରେ ଗୁରୁତ୍ବ ନଦେଇ ମାତୃଭାଷା ଉପରେ ଗୁରୁତ୍ବ ଦେବାକୁ ଓଡ଼ିଆମାନେ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।ତାହାର ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡ଼ିଥାଇ ପାରେ। ଏବେ ଶତାଧିକ ବର୍ଷ ପରେ ମାତୃଭାଷାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ ପଢ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେପରି ଉଦ୍ୟମ କରିଛନ୍ତି,ତାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।ଓଡ଼ିଆ ଭାଷାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରକାଶ ପାଉଥିବା ଆନନ୍ଦର ବିଷୟ।
ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଗାନ୍ଧିଜୀଙ୍କ ଇଚ୍ଛା ଅନୁଯାୟୀ ସରଳ। ଦେବୀ କଟକ ସହରରେ ମହିଳା ମାନଙ୍କୁ ଏକଜୁଟ କରି ସଭାର ଆୟୋଜନ କରିଥିଲେ।ସେମାନଙ୍କୁ ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣ ର ଓଡ଼ିଆ ଅନୁବାଦ ତତକ୍ଷଣାତ୍ କରି ପ୍ରଭାବିତ କରିଥିଲେ।ଗାନ୍ଧିଜୀଙ୍କ ହରିଜନ ପାଣ୍ଠି ପାଇଁ ମଧ୍ୟ ସେତେବେଳେ ଏକ ହଜାର ଟଙ୍କା ଓ କେତେ ତୋଳା ସୁନା ଓ ରୂପା ସଂଗ୍ରହ କରିଥିଲେ।ଗାନ୍ଧିଜୀ ଖୁସି ହୋଇଥିଲେ।ସେହି ଦିନରୁ ସରଳା ଦେବୀ ନିଜ ହାତରୁ ସୁନା ଓ ରୂପା ଚୁଡ଼ି କାଢି ଗାନ୍ଧିଜୀଙ୍କୁ ଦାନ କରିଥିଲେ ଓ କେବେହେଲେ ହାତରେ ଚୁଡ଼ି ପିନ୍ଧି ନଥିଲେ।
ସରଳା ଦେବୀଙ୍କ ସ୍ବାମୀ ସ୍ୱର୍ଗୀୟ ଭାଗିରଥୀ ମହାପାତ୍ର ଓ ପୁତ୍ର ସ୍ୱର୍ଗୀୟ ଅମିତାଭ ମହାପାତ୍ର ମଧ୍ୟ ସ୍ବାଧୀନତା ସଂଗ୍ରାମୀ ଥିଲେ। ସରଳା ଦେବୀଙ୍କ ସ୍ମୃତି ରକ୍ଷା ପାଇଁ ବରିଷ୍ଠ ସାମ୍ୱାଦିକ ପ୍ରଦୋଷ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟ୍ରଷ୍ଟ ଗଠିତ ହୋଇଛି। ଏ ଲେଖକ ତାହାର ସମ୍ପାଦକ ରହିଛି। ସରଳା ଦେବୀଙ୍କ ବଡ଼ ନାତୁଣୀ ନିବେଦିତା ମହାନ୍ତି, ନାତୁଣୀ ସସ୍ମିତା ବହିଦାର, ନାତି ଭବାନୀ ମହାପାତ୍ରଙ୍କ ସହଯୋଗରେ ଟ୍ରଷ୍ଟ ସରଳା ଦେବୀଙ୍କ ସ୍ମୃତି ରକ୍ଷା କରି ଆସୁଛି।
(ଲେଖକ ଜଣେ ସାହିତ୍ୟିକ,ସାମ୍ବାଦିକ ଓ ରାଜ୍ୟ ସରକାରଙ୍କ ପତ୍ରିକା ଉତ୍କଳ ପ୍ରସଙ୍ଗର ପୂର୍ବତନ ମୁଖ୍ୟ ସମ୍ପାଦକ,ଫୋନ ନମ୍ବର୍ ୯୪୩୭୦ ୧୨୧୨୩)