ମା’ ବାଗଦେବୀଙ୍କ ଆବାହନ

0

ଆଜି ପବିତ୍ର ଶ୍ରୀପଞ୍ଚମୀ | ବିଦ୍ୟାଦାୟିନୀ ବାଗ୍ଦେବୀ ମା’ସରସ୍ୱତୀଙ୍କ ଆବାହନୀ ସଙ୍ଗୀତରେ ସାରା ଜଗତ ବିଭୋର |ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ନୀରିକ୍ଷା ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟଙ୍କୁ ଦୋଦୁଲ୍ୟମାନ ଅବସ୍ଥାରେ ରଖି ମାନସିକ ଭାବେ ଦୁର୍ବଳ କରୁଥିଲେ ହେଁ ଆଜିର ଦିନରେ ଶିକ୍ଷାର୍ଥୀମାନେ ତଥାପି ସେମାନଙ୍କ ଶିକ୍ଷାୟତନରେ ମା’ଙ୍କ ପୂଜାରେ ଆନନ୍ଦ ବିଭୋର | ବସନ୍ତର ଆଗମନରେ ମା ସରସ୍ୱତୀଙ୍କ ପୂଜାରେ ନିମଗ୍ନ ହେବାର ଶୁଭ ଅବସର ମା’ଙ୍କ ଆଶୀର୍ବାଦରୁ ସମ୍ଭବହୋଇଛି | ମା’ଙ୍କ ପୂଜା ବୈଦିକ ଯୁଗରୁ ପାଳିତ ହୋଇଆସୁଛି |ତାଙ୍କ ବୀଜ ମନ୍ତ୍ର “ଓଁ ପାଵକାନଃ ସରସ୍ବତୀ ବାଜେଭି ର୍ବାଜିନୀବତି, ଯଜ୍ଞ° ବସ୍ଟୁ ଧିୟାବସୁ8’ରେ ତାଙ୍କୁ ଅର୍ଚ୍ଚନା କରାଯାଉଛି |

  • ଭାରତର ପ୍ରାୟ ପ୍ରତି ରାଜ୍ୟରେ ବିଭିନ୍ନ ରୀତିନୀତିରେ ସରସ୍ବତୀଙ୍କ ପୂଜା କରାଯାଏ |ଦେଶ ବାହାରେ ନେପାଳ, ମ୍ୟାମାର, ଜାପାନ, ଇଣ୍ଡୋନେସିଆ, ବାଲି, ଜାଭା, ଶ୍ରୀଲଙ୍କା ଆଦି ଦେଶରେ ମଧ୍ୟ ଦେବୀଙ୍କ ପୂଜା କରାଯାଏ |
    ଋଗବେଦ କହନ୍ତି,”ସରସ୍ବତୀ ହେଉଛନ୍ତି ଆରୋଗ୍ୟ ଓ ଜଳକୁ ପବିତ୍ର ରଖିବାର ଦେବୀ |ଅଥର୍ବ ବେଦ ଅନୁସାରେ ସେ ହେଉଛନ୍ତି ସର୍ବ ଦୁଃଖରୁ ଆରୋଗ୍ୟ କାରିଣୀ ଓ ଜୀଵନକୁ ମଧୁମୟ କରିବାରେ ଶକ୍ତି ପ୍ରଦାୟିନୀ ଦେବୀ |ଯଜୁର୍ବେଦ କହନ୍ତି,”ଯେତେବେଳେ ଦେବରାଜ ଇନ୍ଦ୍ର ଅତ୍ୟଧିକ ସୋମରସ ପାନକରି ଅସୁସ୍ଥ ହୋଇ ପଡିଲେ ସେତେବେଳେ ସେ ସରସ୍ବତୀଙ୍କ ଆଶୀର୍ବାଦରୁ ସୁସ୍ଥତା ଲାଭ କରିଥିଲେ |ମା’ସରସ୍ବତୀଙ୍କ ଉପରେ ପୁରାଣ ବର୍ଣ୍ଣିତ କେତେକ ତଥ୍ୟ ହେଲା..ସେ ହେଉଛନ୍ତି ବେଦମାତା.. ସମସ୍ତ ଜ୍ଞାନ ଓ ବୁଦ୍ଧିର ଉତ୍ସ | ସରସ୍ବତୀ ଙ୍କର ପ୍ରତିରୂପ ହେଉଛନ୍ତି ଦେବୀ ଗାୟତ୍ରୀ |ସୂର୍ଯ୍ୟ ଭଗବାନଙ୍କ ତେଜରେ ଆକର୍ଷିତା ହୋଇ ଗାୟତ୍ରୀ ତାଙ୍କ ନିକଟରେ ନିଜକୁ ସମର୍ପଣ କରି ତାଙ୍କ ସହ ଲୀନ ହୋଇଗଲେ ଓ ସୂର୍ଯ୍ୟଙ୍କ ଆଶୀର୍ବାଦରୁ ଗାୟତ୍ରୀ ମନ୍ତ୍ର ଭାବେ ସଂସାରରେ ଆବିର୍ଭୁତା ହେଲେ |ମା ସରସ୍ବତୀ ବାଗ୍ଦେବୀ ଭାବେ ପ୍ରସିଦ୍ଧା | ବାକ୍ ଓ ଧ୍ଵନିର ଦେବୀ ଭାବେ ଏହି ନାମ ବ୍ରହ୍ମାଙ୍କ ଠାରୁ ପ୍ରାପ୍ତ ହୋଇଥିଲେ | ସରସ୍ବତୀଙ୍କୁ ସୃଷ୍ଟି କଲାପରେ ବ୍ରହ୍ମା ତାଙ୍କ ରୂପ ଲାବଣ୍ୟରେ ଏପରି ମୋହିତ ହୋଇ ଗଲେ ଯେ ଚତୁଃର୍ଦିଗରେ କେବଳ ତାଙ୍କ ରୂପ ଦର୍ଶନ କରିବାକୁ ଲାଗିଲେ | ଏଥିପାଇଁ ସେ ଚତୁର୍ମୁଖ ଧାରଣ କଲେ |ବ୍ରହ୍ମାଙ୍କ କାମବାସନାରୁ ବର୍ତ୍ତିବା ପାଇଁ ଦେବୀ ବିଭିନ୍ନ ରୂପ ଧାରଣ କରିଥିବାରୁ ସେ ‘ଶତରୁପା’ନାମରେ ଖ୍ୟାତ ହେଲେ.। ଭାରତର ପୂର୍ବାଞ୍ଚଳରେ ସେ ଦୁର୍ଗା ଓ ଶିବଙ୍କର କନ୍ୟାରୂପେ ପୁଜିତା |ଏଣୁ ସମ୍ପର୍କରେ ମା’ଲକ୍ଷ୍ମୀ, କାର୍ତ୍ତିକେୟ ଓ ଶ୍ରୀ ଗଣେଶ ତାଙ୍କର ଭଉଣୀ ଓ ଭାଇ ଅଟନ୍ତି | ବୌଦ୍ଧ ମତରେ ସେ ହେଉଛନ୍ତି ବୋଧିସତ୍ତ୍ୱ ଯେ କି ମଞ୍ଜୁଶ୍ରୀ ନାମରେ ବିଦିତ ଥିଲେ, ତାଙ୍କର ପତ୍ନୀ ଅଟନ୍ତି |ସେ ପଦ୍ମପୁଷ୍ପ ଉପରେ ଆସିନା, ଯାହା ସର୍ବୋତ୍ତମ ଜ୍ଞାନର ପ୍ରତୀକ |ମା’ଯେଉଁ ବୀଣା ଧାରଣ କରିଛନ୍ତି ତାହା ସଦଭାବନା, ବୁଦ୍ଧି ଓ ଧୀଶକ୍ତିର ପ୍ରତୀକ | ପ୍ରାୟ 4000ବର୍ଷ ତଳେ ଭାରତରେ ସରସ୍ବତୀ ନାମରେ ଏକ ନଦୀ ପ୍ରବାହିତ ହେଉଥିଲା | ସଂସାରରେ ତାହା ସରସ୍ବତୀଙ୍କର ପାର୍ଥିବ ରୂପ ଥିଲା ବୋଲି ପୁରାଣ କହନ୍ତି |ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ଅବତାର |ଏହି ଅବତାରରେ ସେ କ୍ଷତ୍ରିୟ ବଂଶ ନାଶ କଲାପରେ ସରସ୍ବତୀ ନଦୀରେ ସ୍ନାନ କରି ହତ୍ୟା ଜନିତ ପାପରୁ ମୁକ୍ତ ହୋଇଥିଲେ ବୋଲି ପୁରାଣ କହନ୍ତି | ଏମିତି ମା ‘ସରସ୍ବତୀ
    ସଂସାରରେ ବିଦ୍ୟାଦାୟିନି ଓ ମୁକ୍ତି ପ୍ରଦାୟିନୀ ରୂପେ ପୁଜିତା |
    ବିଦ୍ୟାଦାୟିନୀ ମା’ଙ୍କ ପୂଜା ପ୍ରତି ଶିକ୍ଷାୟତନରେ ଖୁଵ ଭକ୍ତି ଭାବର ସହିତ ଅନୁଷ୍ଠିତ ହୁଏ | ଶିକ୍ଷାର୍ଥୀ ମାନେ ନୂତନ ବସ୍ତ୍ର ପରିଧାନ କରି, ମା’ଙ୍କ ପାଦତଳେ ପୁସ୍ତକ, କଲମ ରଖି ବିଦ୍ୟାପ୍ରାପ୍ତିର କାମନା କରନ୍ତି |ଆଉ ମା’ଙ୍କର ପ୍ରାର୍ଥନା କରନ୍ତି :”ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା ଯା ଶ୍ୱେତ ପଦ୍ମାସନା,
    ଯା ବୀଣା ବରଦଣ୍ଡ ମଣ୍ଡିତ କରା ଯା ଶୁକ୍ଳବସ୍ତ୍ରାନ୍ବିତା,
    ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭି ଦେବୈ ସଦା ବନ୍ଦିତା,
    ସା ମା°ପାତୁ ସରସ୍ବତୀ ଭଗବତୀ ନିଃଶେଷ ଜାଡ୍ୟାପହା |”
    ଏହି ସମୟରେ ବିଭିନ୍ନ ପନିପରିବା ମିଳୁଥିବାରୁ ଭୋଜି ଭାତର ଆସର ଜମେ |ଜ୍ଞାନଦାୟିନୀ ମା’ ହଳଦିଆ ସୋରିଷ ଫୁଲର ସମ୍ଭାର ଭିତରେ ସଂସାରକୁ ଆଗମନ କରନ୍ତି ଓ ଜଣେଇ ଦିଅନ୍ତି ହଳଦିଆ ରଙ୍ଗ ଜ୍ଞାନର ପ୍ରତୀକ |ଶୁଭ୍ର ବସ୍ତ୍ର ପରିହିତା ଶୁଭ୍ର ହଂସ ଆରୁଢ଼ା ମା’ସମସ୍ତ ଶୁଭକର୍ମର ମୂଳ ଅଟନ୍ତି |ସେଥିପାଇଁ ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ |ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବସନ୍ତ ପଞ୍ଚମୀ ରୀତି ପାଳିତ ହୁଏ ଓ ପ୍ରଭୁଙ୍କ ରଥ କାଠ ସବୁର ସଂସ୍କାର କରାଯାଏ |
    ହୋଲି ପର୍ବର ଅୟମାରମ୍ଭ ମା’ଙ୍କ ପୂଜାରୁ ହୁଏ |ଏହିଦିନରୁ ଠିକ ଚାଳିଶ ଦିନ ପରେ ହୋଲି ପର୍ବ ପାଳିତ ହୁଏ |
    ବୀଣା, ପୁସ୍ତକ ଧାରିଣୀ, ଜଗତ କଲ୍ୟାଣୀ ମା’ସରସ୍ବତୀ ବୈଶ୍ୱିକ ହିଂସା ରୂପୀ ମହାମାରୀ କବଳରୁ ସଂସାରକୁ ରକ୍ଷା କରିବା ସହିତ ଦେଶ ଜାତିର ଉନ୍ନତି ପାଇଁ ଶିକ୍ଷାର୍ଥୀମାନଙ୍କୁ ଆଶୀର୍ବାଦ କରନ୍ତୁ | ଆଜିର ଦୁନିଆରେ ସୃଷ୍ଟି ହୋଇଥିବା ଅଶାନ୍ତ ବାତାବରଣକୁ ନଷ୍ଟ କରି ଶାନ୍ତ ବାତାବରଣର ସୃଷ୍ଟି ପାଇଁ ମଣିଷ ମନରେ ସଦଭାବନା ଦିଅନ୍ତୁ | ଆମର ଭାଷା ଓ ସୀମା ଆଜି ଅସୁରକ୍ଷିତ | ଅନ୍ତତଃ ପ୍ରଶାସନିକ ଅଧିକାରୀଙ୍କୁ ନିସ୍ଵାର୍ଥପର ସେବା ପାଇଁ ଆଶୀର୍ବାଦ ଦେଇ ଦେଶ, ରାଜ୍ୟରେ ଶାନ୍ତି, ପ୍ରଗତିକୁ ସ୍ଥାୟୀ କରନ୍ତୁ | ଶିକ୍ଷାୟତନ ର ପବିତ୍ରତା ବଜାୟ ରହୁ |ମା’ଙ୍କ ପାଦତଳେ ଏତିକି ପ୍ରାର୍ଥନା |
  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ ଓ ସଭାପତି, ‘AUBI ‘
    ଦୂରଭାଷ :9238304919

Leave A Reply

Your email address will not be published.