ମାୟାଧର ମିଜାଇଲ-33: ‘ଯୁଦ୍ଧ ଜଗତ ଜୀବନ : ଅବସାନ ନା ସାବଧାନ’ !
//TATKAL ODISHA//
- ଯୁଦ୍ଧ ଜଗତ ଜୀବନ : ଅବସାନ ନା ସାବଧାନ !
************************************* - ମାୟାଧର ନାୟକ
ପୃଥିବୀରେ ଯେତେଯୁଦ୍ଧ ହୋଇଯାଇଛି – ସବୁଠୁ ଭୟଙ୍କର ଯୁଦ୍ଧ ଇସ୍ରାଏଲ-ପାଲେଷ୍ଟାଇନ୍ ସମସ୍ତଙ୍କୁ ବଳିଯାଇଛି । ସତ୍ୟ, ତ୍ରେତୟା, ଦ୍ୱାପରଯୁଗରେ କଳିଯୁଗଭଳି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନଥିଲା । ସେତେବେଳେ ତେଣ୍ଟା, ବର୍ଚ୍ଛା, ଧନୁତୀର, ଗଦା, ଠେଙ୍ଗା ପ୍ରମୁଖ ଯୁଦ୍ଧାସ୍ତ୍ର ଭାବେ ବ୍ୟବହାର ହେଉଥିଲା । ପ୍ରଥମ ବିଶ୍ୱଯୁଦ୍ଧରେ କିଛିକିଛି ବନ୍ଧୁକ, ଗୁଳିଗୁଳା, ଟ୍ୟାଙ୍କ୍ ବ୍ୟବହାର ହୋଇଥିଲା । କିନ୍ତୁ ୨ୟ ବିଶ୍ୱଯୁଦ୍ଧରେ ଜର୍ମାନ, ଆମେରିକା ସଂପୂର୍ଣ୍ଣ ନୂତନ ଭୟଙ୍କର ଯୁଦ୍ଧାସ୍ତ୍ର, କ୍ଷେପଣାସ୍ତ୍ର, ଆଟମ୍ବମ୍ ବ୍ୟବହାର କରୁଥିଲେ । ଆମେରିକା-ଭିଏତନାମ ଯୁଦ୍ଧରେ ମଧ୍ୟ ଆଟମ୍ବମ୍ ବ୍ୟବହାର ହୋଇଥିଲା । ରୁଷ-ୟୁକ୍ରେନ୍, ପାଲେଷ୍ଟାଇନ୍-ଇସ୍ରାଏଲ୍ ଯୁଦ୍ଧରେ ଗୁଳିଗୋଳା, ଟ୍ୟାଙ୍କ୍ ତ ଅଛି – ପରମାଣୁ ବୋମା, ଡ୍ରୋନ୍, ଉଡାଜାହାଜ, ବୁଡାଜାହାଜ, ସ୍ଥଳଭାଗରେ ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି – ଯାହା କ୍ଷଣିକେ ଧନଜୀବନ, କୋଠାବାଡି ମାଟିରେ ମିଶାଇଦେଉଛି ।
- ଏହି ଲେଖକ ୧୯୭୧ରେ ନବଜନ୍ମିତ ବଂଗଳାଦେଶକୁ ଜଣେ ସାମ୍ବାଦିକ ଭାବରେ ଗସ୍ତ କରିଥିଲା । ଢାକା ପାଖ ‘ଗଳାମାରି’ ବିଲରେ ପାକ୍ସେନା ପାଖାପାଖି ମାସମାସ ପୂର୍ବବଂଗର ସୁନ୍ଦରୀଝିଅବୋହୂମାନଙ୍କୁ ଜବରଦସ୍ତ ଘରୁ ଟେକିନେଇ ସେନାଛାଉଣୀରେ ଉପଭୋଗ କରୁଥିଲେ – ଜଣେ ନୁହେଁ – ସେଇ ଏକାଧିକ ବର୍ବର ପାକ୍ସେନାଙ୍କ ଯୌଥ ଯୌନାଚାରରେ କେତେକଙ୍କ ପ୍ରାଣବାୟୁ ସୁଦ୍ଧା ଉଡ଼ିଯାଉଥିଲା – ଆଉ କେତେକ ଗର୍ଭବତୀ ହୋଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିରହିଥିଲେ । ସେମାନଙ୍କୁ ହତ୍ୟାକରି ଏଇ ଗଳାମାରି ବିଲରେ ଫିଙ୍ଗିଦିଆଯାଇଥିଲା । ମୁଁ ଯେତେବେଳେ ସେଇ ସ୍ଥାନକୁ ଦେଖିବାକୁ ଯାଇଥିଲି – ସେତେବେଳେ ଶହଶହ ହତଭାଗା ସ୍ୱାମୀ, ବାପଭାଇମାନେ ଅଣ୍ଡାଳୁଥିଲେ ଆତ୍ମୀୟମାନଙ୍କ ଲୁଗାପଟା । ଗଳାମାରିର କାନ୍ଦଣା ଏବେବି ମୋ ଆତ୍ମାକୁ ମନ୍ଥିତ କରେ, ମନେପଡିଗଲେ । ସେଇଭଳି ଘଟଣା ଏବେ ମଣିପୁରରେ ଘଟିଗଲା – କେବଳ ମଣିପୁର ନୁହେଁ, ସାରାବିଶ୍ୱରେ ଘଟିଚାଲିଛି ଏଭଳି ଅଘଟଣ, ଗୋପନରେ ଅବଶ୍ୟ ।
ଋୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧକୁ ୨୦ମାସ ବିତିଗଲାଣି । ଥମିବାରେ ନାଁ ଧରୁନି । ଏଇ ଅଶୁଭ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ୍ ଇସ୍ରାଏଲ ଉପରେ ୨୦ ମିନିଟ୍ରେ ୫୦୦୦ ରକେଟ୍ ମାଡକରି ସାରାବିଶ୍ୱକୁ ଚମକାଇଦେଲେ । ପାଲେଷ୍ଟଇନ୍ ଠାରୁ ଇସ୍ରାଏଲ ୧୦୦ ଗୁଣ ଶକ୍ତିଶାଳୀ । ଇସ୍ରାଏଲ ପ୍ରତିଶୋଧ ନେବାପାଇଁ ପାଲେଷ୍ଟାଇନ୍ ଉପରେ ବୋମାବର୍ଷଣ କରିଚାଲିଛି । ଉଭୟପଟରୁ ସୈନ୍ୟ-ସାଧାରଣ ନାଗରୀକଙ୍କ ମୃତ୍ୟୁସଂଖ୍ୟା ଓ ଆହତସଂଖ୍ୟା ବଢିବାରେ ଲାଗିଛି । ପାଲେଷ୍ଟାଇନ୍ ପକ୍ଷନେଇ ଲେବାନନ୍ ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । ଇସ୍ରାଏଲ-ପାଲେଷ୍ଟାଇନ୍ରେ ରକ୍ତର ହୋରିଖେଳ ଚାଲିଛି । ଯେଉଁମାନେ ଯୁଦ୍ଧ କ’ଣ ଜାଣିନାହାଁନ୍ତି – ଶତ୍ରୁତା କ’ଣ ବୁଝିନାହାଁନ୍ତି – ସେଇ ସାଧାରଣ ନାଗରୀକ, ଓ ନାରୀ, ଶିଶୁମାନଙ୍କୁ ଅତ୍ୟନ୍ତ ବର୍ବର ଭାବେ ହତ୍ୟା କରାଯାଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ – ବିଶ୍ୱରେ ଆମେରିକା, ଇସ୍ରାଏଲର ଗୁଇନ୍ଦା ବିଭାଗ କିଛି ଟେର୍ ପାଇଲେନାହିଁ । ପ୍ରାୟ ୩ବର୍ଷ ଧରି ଇରାନ୍ ଗୋଇନ୍ଦା ସଂସ୍ଥା ହମାସ୍ ଲେବାନ୍ର ହିଜ୍ବୁଲ୍ଲା ଗୋଷ୍ଠୀଙ୍କୁ ତାଲିମ୍ ଦେଇଥିଲେ । ଯାହାଫଳରେ ବିଶ୍ୱର ସମସ୍ତ ଗୁଇନ୍ଦାସଂସ୍ଥା ବିଫଳ ହେଲେ । ଇରାନ୍ ଗୋଇନ୍ଦା ସଂସ୍ଥା ବିଶ୍ୱରେ ଏବେ ଏକନମ୍ବର ଗୁଇନ୍ଦା ସଂସ୍ଥା ଭାବେ ପ୍ରମାଣିତ ହେଲା । ଯୁଦ୍ଧାସ୍ତ୍ର ଖରିଦ୍ କରିବା, ବିକିବା, ସୈନ୍ୟମାନଙ୍କୁ ସବୁ ସୁବିଧାସୁଯୋଗ ଦେବାପାଇଁ ସବୁଦେଶର ପ୍ରତିରକ୍ଷା ବଜେଟ୍ରେ ସିଂହଭାଗ ଅର୍ଥ ବରାଦ ହୁଏ । ଦେଶର ନାଗରୀକମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ, ନିଯୁକ୍ତି ବଂର ପଛରେ ଥାଉ, କିନ୍ତୁ ପ୍ରତିରକ୍ଷା ବଜେଟ୍କୁ ଆଗରେ ରଖିବାକୁ ହେବ । ଯୁଦ୍ଧ ହିଁ ଧ୍ୱଂସ । ସବୁଯୁଦ୍ଧରେ ମଣିଷ ମରିବ – ସଂପତ୍ତି ନଷ୍ଟ ହେବ ।
ସଂପ୍ରତି ଯୁଦ୍ଧର କଳାବାଦଲ ସାରାଆକାଶକୁ ଆଚ୍ଛାଦିତ କଲାଣି । ମେଦିନୀ ଥରୁଛି । ଏ ପୃଥିବୀର ୪ ଭାଗରୁ ଭାଗେ ସ୍ଥଳ ପାଇଁ ଦେଶ ଦେଶ ମଧ୍ୟରେ କେତେଯେ ଯୁଦ୍ଧ ହୋଇଗଲାଣି, କେତେଯେ ଧନସଂପତ୍ତି ଜୀବନ ନଷ୍ଟ ହେଲାଣି ତା’ର ହିସାବ କରିବା କଷ୍ଟକର । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାରାବିଶ୍ୱ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା । ଏବେ ମଧ୍ୟ ରୁଷ-ୟୁକ୍ରେନ୍, ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ବିଶ୍ୱର ବିଭିନ୍ନ ଦେଶ ପକ୍ଷଭୂକ୍ତ ହେବାରେ ଲାଗିଛନ୍ତି । ୨୦୨୩ ଶେଷବେଳକୁ ଦେଶେଦେଶେ ଯୁଦ୍ଧ ଲାଗିଯାଇପାରେ । ୨୦୨୪ରେ ପୃଥିବୀ ଧ୍ୱଂସଆଡକୁ ଅଗ୍ରସର ହେବାକୁ ଯାଉଛି । ପ୍ରାକୃତିକ-ମନୁଷ୍ୟକୃତ ବିପଦ ଏକାକାର ହୋଇଗଲାଣି । ଯୁଦ୍ଧଯୋଗୁ ଜଗତରେ ଜଘନ୍ୟ ଘଟଣାମାନ ଘଟିଚାଲିଛି । ଏ ଘୋର କଳିକାଳରେ କେବଳ ଯୁଦ୍ଧ ନୁହେଁ – ମହାମାରୀ ମଧ୍ୟ ମାଡିଆସୁଛି । ଯୁଦ୍ଧ, ଭୋକ-ରୋଗରେ ସାରାସଂସାର ଜୀବଜଗତ ଛଟପଟ ହେଉଛନ୍ତି । ନାରୀ, ଜମି, ଧର୍ମ ପାଇଁ ଯୁଦ୍ଧ । ଏବେକାର ଯୁଦ୍ଧ ଜମି ଅର୍ଥାତ୍ ଦେଶ ଦଖଲ, ଧର୍ମ-ଧର୍ମ ମଧ୍ୟରେ ଯୁଦ୍ଧ । ପୃଥିବୀର ୪ଟି ଦେଶ ବର୍ତ୍ତମାନ ଭୟଙ୍କର ବିପତ୍ତି ସୃଷ୍ଟି କରୁଛନ୍ତି । ରୁଷ୍, ଚୀନ୍, ଆମେରିକା, ଇସ୍ରାଏଲ୍ ନେତୃବର୍ଗ ପାଗଳ ଭଳି ଆଚରଣ କରି ସମଗ୍ର ବିଶ୍ୱକୁ ଧ୍ୱଂସଆଡକୁ ଟାଣିନେଉଛନ୍ତି ।
୨ୟ ବିଶ୍ୱଯୁଦ୍ଧପରେ ସମଗ୍ର ବିଶ୍ୱରେ ଶୀତଳଯୁଦ୍ଧ ଲାଗିରହିଛି । ଆମେରିକା-ଭିଏତନାମ୍ ଯୁଦ୍ଧ, ତୁର୍କୀ-ସିରିଆ ଯୁଦ୍ଧ, ଚୀନ୍-ଭାରତ ଯୁଦ୍ଧ, ପାକିସ୍ତାନ-ଭାରତ ଏବେ ରୁଷ-ୟୁକ୍ରେନ୍ – ସଂପ୍ରତି ପାଲେଷ୍ଟାଇନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରମୁଖ ଭାବେ ଦେଖାଦେଇଛି । ଲେବାନନ୍ର ଲଢୁଆ ଗୋଷ୍ଠୀ ହିଜିବୁ୍ଲ୍ୱାହା ଯୁଦ୍ଧକ୍ଷେତ୍ରରେ । ଇରାନ୍-ସିରିଆ ସହାୟତା ଯୋଗାଇଦେଉଛନ୍ତି । ପାଲେଷ୍ଟାଇନ୍ ହମାସ୍ ଆକ୍ରମଣକୁ ଇରାନ୍-ରୁଷ୍-ଚୀନ୍ ସମସ୍ତ ମଦଦ୍ ଯୋଗାଇଦେଉଛନ୍ତି । ଯୁଦ୍ଧଭୂମିରେ ବିଶେଷକରି ଇସ୍ରାଏଲ୍-ପାଲେଷ୍ଟାଇନ୍ ରାସ୍ତାରେ କୁଢକୁଢ ଶବର ପାହାଡ । ମଧ୍ୟପ୍ରାଚ୍ୟ ଯୁଦ୍ଧଯୋଗୁ ତୈଳ ସଂକଟ ଦେଖାଯିବ । ଇରାନ୍ ତୈଳ ସମ୍ପଦରେ ବଳିଆନ୍ । ସେଠାରୁ ତୈଳ ନଆସିଲେ ଡିଜେଲ୍-ପେଟ୍ରୋଲ୍ ଦାମ୍ ବଢିଯିବ । ଏହା ବିଶ୍ୱସଂକଟରେ ପରିଣତ ହେବ । କଳିଯୁଗରେ ଭୂମି ଓ ଧର୍ମ ପାଇଁ କେତେଯେ ଯୁଦ୍ଧ ଲାଗି ଧନସଂପତ୍ତି ଜୀବନ ଛାରଖାର୍ କରିଦେଲେଣି । ଆଜି ଜମି ଖଣ୍ଡକ ପାଇଁ ଗାଁରେ ଭାଇଭାଇ ମଧ୍ୟରେ ଲଢେଇ, ଦେଶଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଏଇ ବିଶ୍ୱରେ ବିଭିନ୍ନ ଧର୍ମାବଲମ୍ବୀ ପ୍ରାୟ ସବୁଦେଶରେ ମିଳିମିଶ ବାସ କରୁଛନ୍ତି । ଖ୍ରୀଷ୍ଟିଆନ୍, ମୁସଲିମ୍, ହିନ୍ଦୁ, ଇହୁଦି, ଜିଉ, ବୌଦ୍ଧ, ଜୈନ ପ୍ରମୁଖ ଧର୍ମ ଏବଂ ସେମାନଙ୍କର ପ୍ରାର୍ଥନା ପାଇଁ ଗୀର୍ଜା, ମସଜିଦ୍, ଚର୍ଚ୍ଚ, ମନ୍ଦିର ଗଢିଉଠିଛି । ଅର୍ଥନୀତିରେ ବଳିୟାନ୍ ଆମେରିକା, ଚୀନ୍, ରୁଷ୍, ବ୍ରିଟିଶ୍ ପ୍ରମୁଖ ଦେଶ ବିଶ୍ୱର ଅନ୍ୟଦେଶର ସଂପତ୍ତିକୁ ହାତେଇବାପାଇଁ ବିଭିନ୍ନ ଫନ୍ଦିଫିକର କରିଚାଲିଛନ୍ତି । ଯାହାଫଳରେ ଏଇ ଜମି, ସଂପତ୍ତି, ଧର୍ମକୁ ନେଇ ଅହରହ ଯୁଦ୍ଧ ଲାଗିଚାଲିଛି ।
କାହିଁ କେଉଁ କାଳୁ ଦ୍ୱାପର ଯୁଗରେ ବସୁଦେବ ଦେବକୀଙ୍କୁ ବାହା ହୋଇଥିଲେ । ପାଣ୍ଡବଙ୍କ ମାମୁ ଶଲ୍ୟ ଦେବକୀଙ୍କୁ ଚାହୁଥିଲେ, କିନ୍ତୁ ପାଇଲେ ନାହିଁ । ସେହି ହିଂସାର ଅନଳରେ ଜଳିପୋଡି ଶଲ୍ୟ ବିଚଳିତ ଥିଲେ । ଶଲ୍ୟ ମହାଯୋଦ୍ଧା । ମହାଭାରତ ଯୁଦ୍ଧରେ ଯେହେତୁ ଶ୍ରୀକୃଷ୍ଣ ପାଣ୍ଡବ ପକ୍ଷର ସାରଥି ହେଲେ ଶଲ୍ୟ କୌରବ ପକ୍ଷର କର୍ଣ୍ଣଧାର ଦୁର୍ଯ୍ୟୋଧନ ପାଖକୁ ଗଲେ । ଏ ହୁଏତ ଦେବକୀଙ୍କୁ ନପାଇବାର ସେହି ଅବଦମିତ ପ୍ରତିହିଂସାର ପ୍ରଜ୍ୱଳିତ ପରିପ୍ରକାଶ ।
ମହାଭାରତର ଚକ୍ରବ୍ୟୂହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବ୍ୟୂହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ – ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୂହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁକୁ ନିଧନ କରାଯାଉଛି । ସାରା ପୃଥିବୀରେ ତାରୁଣ୍ୟ ଏହି ଚକ୍ରବ୍ୟୂହ ମଧ୍ୟରେ ତୀରବିଦ୍ଧ, ଅସିବିଦ୍ଧ ଅବସ୍ଥାରେ ଊର୍ଦ୍ଧ୍ୱଶ୍ୱାସ – ଅଥଚ ଏ ଅବସ୍ଥା ଦେଖିବାକୁ ଆଖି ନାହିଁ କି ସାକ୍ଷୀ ନାହିଁ । ଏହା ତେବେ କିଭଳି ଚକ୍ରବ୍ୟୂହ ? କେଉଁଠି ଯୁଦ୍ଧ ଚାଲିଛି ? କାହିଁକି ?
- ଫୁଲପତ୍ରର ଏହି ପୃଥିବୀରେ ପ୍ରତିହିଂସା ନିଜ ବିଶ୍ୱବୃକ୍ଷର କଂଟା ବିଛାଇ କେତେ ଯେ ଅଘଟଣ ଘଟାଇଯାଇଛି – କେବଳ ଇତିହାସ ହିଁ ତା’ର ମୂକସାକ୍ଷୀ । ଆମ ଭାରତବର୍ଷରେ ମଧ୍ୟ ବହୁ ମହାମନୁଷ୍ୟ, ସତ୍ୟନିଷ୍ଠ ମଣିଷଙ୍କୁ କମ୍ ନିର୍ଯାତନା ଭୋଗିବାକୁ ପଡିନି । ସବୁଠି କ୍ଷମତା ଓ ସମ୍ପତ୍ତି ଲୋଭରେ ରକ୍ତପାତ । ଏସବୁ ଇତିହାସ ରାମାୟଣ, ମହାଭାରତକୁ ବଳିଯିବ ।
ଏବେ ଇସ୍ରାଏଲ୍-ପାଲେଷ୍ଟାଇନ୍ ରକ୍ତଯୁଦ୍ଧ ଜଘନ୍ୟ ଆଡକୁ ଗତିକରିଛି । ଏ ଘମାଘୋଟ ଭୟଙ୍କର ଯୁଦ୍ଧଯୋଗୁ ସାରାପୃଥିବୀରେ ଯେଉଁ ତୈଳସଂକଟର ଅଚିନ୍ତନୀୟ ଆଶଙ୍କା ସୃଷ୍ଟି ହେବାକୁ ଯାଉଛି – ତାହା ଏଇ ଦେଶର ଆସନ୍ନ ନିର୍ବାଚନର ଅଙ୍କଗୁଡିକ ମଧ୍ୟ ଏପଟସେପଟ କରିଦେଇପାରେ । ଜାଣିବାଶୁଣିବା ମହଲରେ ଏବେ ଏହି ଆଶଙ୍କାକୁ ନେଇ ଭିତରେ ଭିତରେ ମହାଭାଳେଣିର ଭଉଁରୀ ସୃଷ୍ଟି ହୋଇଛି । ସମଗ୍ର ବିଶ୍ୱ ବର୍ତ୍ତମାନ ଯୁଦ୍ଧମୁହାଁ । ଯେଉଁମାନଙ୍କ ପାଖରେ ପରମାଣୁବୋମା ଅଛି ସେମାନେ ପାଗଳ ଭଳି ଆଚରଣକରି ଯଦି ରାଗରେ ବଟନ୍ ଦବେଇଦିଅନ୍ତି – ତା’ହେଲେ ସମଗ୍ର ବିଶ୍ୱରେ ଘୋର ବିପର୍ଯ୍ୟୟ ଘଟିବ । ବିଶ୍ୱଧ୍ୱଂସର କାରଣ ହେବ । ଏଇ ନିଷ୍ଠୁରତା ବନ୍ଦକରିବାକୁ ବିଶ୍ୱବାସୀ ଆଗେଇଆସନ୍ତୁ ।
- ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩