ମାୟାଧର ମିଜାଇଲ-25:ମୃତ୍ୟୁର ବିଭୀଷିକା : ସୁକିନ୍ଦା ଉପତ୍ୟାକା
- ମୃତ୍ୟୁର ବିଭୀଷିକା : ସୁକିନ୍ଦା ଉପତ୍ୟାକା
- ମାୟାଧର ନାୟକ
ସୁକିନ୍ଦା ଏଭଳି ଏକ ନାଁ – ଯାହା କେବଳ ଓଡିଶା, ଭାରତ ପାଇଁ ଭାତହାଣ୍ଡି ନୁହେଁ – ସମଗ୍ର ବିଶ୍ୱର ଆଖି ସୁକିନ୍ଦା ଉପରେ ।
ଏସିଆ ମହାଦେଶରେ କେବଳ ଓଡିଶାର ସୁକିନ୍ଦାରେ ହିଁ ୯୬% କ୍ରୋମପଥର ଅଛି । ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣଆଫ୍ରିକା, ଜିମ୍ବାୱେ, କାଜାକ୍ସ୍ଥାନରେ ଗଚ୍ଛିତ କ୍ରୋମପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ ।
କ୍ରୋମର ବ୍ୟବହାର ସଂପର୍କରେ କେବଳ ଓଡିଶାବାସୀ ନୁହଁନ୍ତି – ସାରା ପୃଥବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ । କ୍ରୋମପଥର ବିଶେଷଭାବରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସବୁଠୁ ବେଶି ସହାୟକ, ଇସ୍ପାତ ସହିତ ମିଶ୍ରଣ କରାଯାଇ ଶକ୍ତିଶାଳୀ, କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ । ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି – ସେଥବରେ କ୍ରୋମାଇଟ୍ ହିଁ ମୁଖ୍ୟ ଅଂଶ ଗ୍ରହଣ କରେ । ବଲବ୍ ବେରିଙ୍ଗଠାରୁ ଆରମ୍ଭକରି କ୍ରୋମ ମିଶ୍ରିତ ଇସ୍ପାତ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ ।
ଦଧୀଚିର ଅସ୍ଥି – ଯାହାକୁ ନେଇ ବଜ୍ର । ଏ କ୍ରେମାଇଟ୍ ହେଉଛି – କଳିକାଳର ଦଧୀଚି ହାଡ – ଯାହାକୁ ନେଇ ଆଧୁନିକ ମାରଣାସ୍ତ୍ରର ପ୍ରସ୍ତୁତି । ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା । ଏସୀୟ ରାଷ୍ଟ୍ର ଚୀନ୍ ଓ ଜାପାନ ଚାଟିନେଇ ସାରିଲେଣି ସୁକିନ୍ଦା କ୍ରେମାଇଟର ବହୁଳାଂଶ । ଯେଉଁ ଦେଶର ଖଣିଜ କଂଚାମାଲ ରପ୍ତାନି ହୁଏ, ସେ ଦେଶର ଲୋକେ ହତଭାଗା । ଆମେ ସେହି ହତଭାଗା ଭାରତୀୟ – ଲକ୍ଷଲକ୍ଷ ବର୍ଷଧରି ଆମ ମାଟିତଳେ ଗଚ୍ଛିତଥିବା ମୂଲ୍ୟବାନ ଖଣିଜପଦାର୍ଥକୁ ବିଦେଶକୁ ଶାଗମାଛ ମୂଲରେ ବିକ୍ରି କରିଦେଉଛେ ।
- କ୍ରୋମାଇଟ୍ ଯଦି ମାଟି ଉପରେ ବାଲିଗୋଡି ଭଳି ଥୁଆହୋଇଥାନ୍ତା – ତା’ହେଲେ ସେ କେବେଠୁଁ ଶେଷ ହୋଇସାରନ୍ତାଣି । କ୍ରୋମାଇଟ୍ ଅଛି ସାତତଳ ପଙ୍କ ଭିତରେ ମାଟିତଳ ଗୋଦାମରେ । ଉପରେ ଜଙ୍ଗଲ, ଗଛମାଳମାଳ, ଝରଣା, ତଳେ ୧୦୦ ମିଟରରୁ ୫ ହଜାର ମିଟର ଗଭୀରରେ ଅଛି କ୍ରୋମପଥର । କ୍ରେମାଇଟ୍ ବାହାର କରିବାକୁହେଲେ ଜଙ୍ଗଲ ଧ୍ୱଂସ କରିବାକୁ ହେବ – ଝରଣାର ଗତିପଥ ବଦଳାଇ ଦେବାକୁ ହେବ – ମାଟି କାଦୁଅ ଖୋଳିବାକୁ ହେବ – ଖଚ୍ଚିରେ ପାଣି ଭର୍ତ୍ତିହେଲେ – ପାଣି ପାଢି ନଈନାଳକୁ ଛାଡିବାକ ୁ ହେବ – ଆଉ ଅନେକ ଅନେକ କାର୍ଯ୍ୟ ଅକାର୍ଯ୍ୟ କରିବାକୁ ହେବ – ଏସବୁ ହେଲେ କ୍ରୋମାଇଟ୍ ‘ମହାପ୍ରଭୁ’ ପଦାକୁ ଆସିବେ । ସେହି କ୍ରୋମାଇଟ୍ ମହାପ୍ରଭୁଙ୍କୁ ଧଳା କାଗଜକଲମରେ ବିକିବେ, କଳାରେ ଦଶଗୁଣ ବିକିବେ । ଯାହା ଖର୍ଚ୍ଚ ହୋଇଥିବ ଲାଭ ହେବ ଶହେଗୁଣ । ସେଇ ଲାଭ ଟଙ୍କାରୁ ପାଞ୍ଚଦଶ ଭାଗ ‘ଭୋଗ’ବଣ୍ଟାରେ ଯିବ ।
ଖଣିଜ ସଂପଦ ବିଶ୍ୱର ଭାତହାଣ୍ଡି । ଏଇ ବିଶ୍ୱରେ ଜାଣିଥିଲି – ୩୨ ପ୍ରକାର ଖଣିଜସମ୍ପଦ । ଏବେ ଜାଣିଲି ଆଉ ୩୦ ପ୍ରକାର ଅତି ପ୍ରୟୋଜନ ଦୁର୍ମୂଲ୍ୟ, ଜଟିଳ ଖଣିଜର ସନ୍ଧାନ । ପାଖାପାଖି ୫୦ପ୍ରକାର ଖଣିଜସଂପଦ ମଣିଷ ସଭ୍ୟତାର ବିକାଶରେ ଅତ୍ୟନ୍ତ ପ୍ରୟୋଜନ । ଏହି ଖଣି ପାଇଁ ସବୁଦେଶ ଧନଦାନବମାନେ ପାଗଳ । ପୃଥିବୀଗ୍ରହରୁ ଚନ୍ଦ୍ରଗ୍ରହକୁ ଯାଇ ଖଣିଜସଂପଦ ଖୋଜୁଛନ୍ତି । ଅର୍ଥନୈତିକ ବିକାଶ ଓ ଜାତୀୟ ସୁରକ୍ଷାପାଇଁ ଖଣିଜପଦାର୍ଥ ଅତ୍ୟନ୍ତ ଦରକାରୀ ଓ ଅମୂଲ୍ୟ । କେବଳ ଭାରତ ନୁହେଁ ସାରାବିଶ୍ୱ ପାଇଁ ଆବଶ୍ୟକ ।
ଏ ସମସ୍ତ ଖଣିଜସଂପଦ ସକଳ ଭୂଭାଗରେ ବିଚ୍ଛୁରିତ । ଏ ସମସ୍ତ ଖଣିଜସଂପଦ ପୃଥିବୀପୃଷ୍ଠରେ ଯିଏ ଯେଉଁଠି ଦେଶଗଢି ବସବାସ କରୁଛନ୍ତି – ସେ ଭୂଖଣ୍ଡରେ ସେ ମାଲିକ । କିନ୍ତୁ ଖଣିଜସଂପଦ ସମସ୍ତଙ୍କର ବିକାଶର ଅଗ୍ରଗତି ପାଇଁ ଜରୁରୀ । ତେଣୁ ଖଣିଜସଂପଦ ଆମଦାନୀ-ରତ୍ପାନୀ କରାଯାଏ । ଏଇସବୁ ଖଣିଜସଂପଦରୁ ଯେଉଁସବୁ ପଦାର୍ଥ ପ୍ରସ୍ତୁତ ହୁଏ, ତା’ର ଅମୂଲ୍ୟ ମୂଲ୍ୟ । ଯାହାପାଖରେ ଅର୍ଥ – ସେ ହାତେଇନେଇ ଫିନସ୍ପ୍ରଡକ୍ଟ କରି ପୁଣି ଆମଦାନୀ-ରତ୍ପାନୀ ହୁଏ । ଯିଏ ବେଶି ମୁଣ୍ଡ ଖଟାଇଲା – ସେଇ ଦେଶ ବେଶି ଲାଭପାଏ । ଯେଉଁମାନେ ମୁଣ୍ଡଖଟେଇ ପାରନ୍ତିନାହିଁ ଖଣିଜ କଞ୍ଚାମାଲକୁ ବିକାବିକି କରନ୍ତି – ସେ ଦେଶର ଲୋକେ ହତଭାଗା ।
ବାଉନବର୍ଷ ତଳେ ଘୂର୍ଣ୍ଣିର ମାଟି ସୁକିନ୍ଦା ଘାଟିରେ ପଚିଶବର୍ଷ ବୟସରେ ପାଦଦେଇଥିଲି ଚାଷୀମୂଲିଆଶ୍ରମିକମାନଙ୍କ ସଂଗରେ ରହି ତାଙ୍କ ସ୍ୱାର୍ଥପାଇଁ ଲଢିବାକୁ । ସୁକିନ୍ଦାର ପାହାଡ, ପର୍ବତ, ସମତଳ ଅଞ୍ଚଳ ଘୁରିବୁଲିଲି । ଆଦିବାସୀ, ଦଳିତ, ମହନ୍ତ ସଂପ୍ରଦାୟ, ଅନ୍ୟାନ୍ୟ ସଂପ୍ରଦାୟ ଗରୀବଗୁରୁବାଙ୍କ ସହ ମିଶି ହୃଦୟଙ୍ଗମ କଲି – ଯାହାର ମାଟିତଳେ ଅଜସ୍ର ଖଣିଜସଂପଦ, ତାହାର ପୁଅଝିଅମାନେ ଭୋକିଲା କାହିଁକି, ବେକାରୀ କାହିଁକି, ରୋଗରେ ଷଢୁଛନ୍ତି କାହିଁକି, ଠକାମୀର ଶିକାର ହେଉଛନ୍ତି କାହାପାଇଁ, ଏମାନଙ୍କୁ ଶୋଷଣ କରୁଛନ୍ତି କେଉଁମାନେ? ସେଇଠି ଶପଥବଦ୍ଧ ହେଲି ଏମାନଙ୍କୁ ବିପ୍ଲବର ବ୍ୟାକରଣ ପଢାଇ ବିପ୍ଲବର ମଇଦାନକୁ ଓହ୍ଲେଇଦେବି । ଏମାନେ ଦିନେ ନା ଦିନେ ତାଙ୍କର ହକ୍ପ୍ରାପ୍ୟ ଛଡାଇଆଣିବେ ।
ସେଇ ସୁକିନ୍ଦାରେ ବିଶେଷକରି ଖଣି ଅଞ୍ଚଳରେ ଶ୍ରମିକମାନଙ୍କ ହକ୍ପ୍ରାପ୍ୟ ପାଇଁ ୟୁନିଅନ୍ ଗଢିତୋଳିଥିଲି । ସେତେବେଳେ ସୁକିନ୍ଦା ଉପତ୍ୟାକା ଖଣି ଅଞ୍ଚଳରେ ଟିସ୍କୋ, ଓଡିଶା ଖଣି ନିଗମ, ଫ୍ୟାକର୍, ମିଶ୍ରିଲାଲ୍ ମାଇନସ୍, ବି.ସି. ମହାନ୍ତି ଏଣ୍ଡ୍ ସନସ୍, ଆଇ.ଡି.ସି., ଇମ୍ଫା ପ୍ରମୂଖ ଖଣିମାଲିକ ସାରାଦେଶରୁ ବଡବଡ ଠିକାଦାରମାନଙ୍କୁ ଆଣି କ୍ରୋମାଇଟ୍ ଖୋଳି ଦେଶବିଦେଶକୁ ବିକ୍ରି କରୁଥିଲେ । ସେତେବେଳେ ବିଭିନ୍ନ ଖଣିରେ ପାଖାପାଖି ୫୦ହଜାର ଖଣିଶ୍ରମିକ କାମକରୁଥିଲେ । ଅସ୍ୱାସ୍ଥ୍ୟକର ପରିବେଶରେ ରହି ରୋଗରେ ପଡି ଅଧିକାଂଶ ଶ୍ରମିକ ମରିଯାଉଥିଲେ ।
ସେମାନଙ୍କ ପାଇଁ ସରକାରୀ ଆଇନ୍ ଆଖିଠାର । ଦୃର୍ବାର ଶ୍ରମିକଆନ୍ଦୋଳନରେ ମାଲିକଠିକାଦାରମାନେ କିଛିକିଛି ଦାବୀ ପୂରଣ କରିବାପାଇଁ ବାଧ୍ୟହେଲେ । କେନ୍ଦ୍ର ଓ ରାଜ୍ୟ ସରକାର ଖଣିମାଲିକମାନଙ୍କର ମିଳିତଚକ୍ର ମାନବଶକ୍ତି ବଦଳରେ ଦାନବଶକ୍ତି, ଯନ୍ତ୍ରଶକ୍ତି ମେସିନ୍ ପୁରାଇବାକୁ ପ୍ରବଳ ଉଦ୍ୟମ କଲେ । ଶ୍ରମିକମାନଙ୍କ ପକ୍ଷରୁ ପ୍ରବଳ ବିରୋଧ ମଧ୍ୟ ହେଲା । ବାଧ୍ୟହୋଇ କିଛି ଖଣିରେ ମେସିନ୍ ଅଟକିଗଲା, ଆଉ କିଛି ଖଣିରେ ଦଲାଲ୍ମାନଙ୍କ ସହଯୋଗରେ ମେସିନ୍ ବସିଲା । ଶ୍ରମିକମାନେ ଆଇନ୍କାନୁନ୍ ହକ୍ପ୍ରାପ୍ୟ ବୁଝି ମାଲିକଠିକାଦାରଙ୍କ ଉପରେ ପ୍ରବଳ ଚାପ ପକାଇଲେ । ମତେ ପ୍ରଥମେ ଗୁଣ୍ଡାମାନେ ହତ୍ୟା କରିବାକୁ ଆଗେଇଆସିଲେ । ମତେ ନପାଇ ଶ୍ରମିକନେତା ଶ୍ୟାମାପଦ ରାଉତଙ୍କୁ ଦିନ ଦି’ପହରେ ହତ୍ୟା କଲେ । ଆଉଥରେ ଗୋଟିଏ ବିଖ୍ୟାତ ଖଣିମାଲିକ ସୁପାରିକିଲର ଦ୍ୱାରା ମୁଁ ରାଉରକେଲା ଯିବା ଗାଡିରେ ପ୍ରବେଶକରି ମତେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମୁଁ ବିଶେଷସୂତ୍ରରୁ ଖବରପାଇ ଏକ ଛୋଟିଆ ଷ୍ଟେସନ୍ରେ ଓହ୍ଲାଇପଡି ରହିଯାଇଥିଲି । ଶେଷରେ ଇର୍ଷାପ୍ରଣୋଦିତ କିଛି ଦୁର୍ଦ୍ଧାନ୍ତ ନେତା ଓ ଗୁଣ୍ଡାମାନେ ମୋ ସଭାସ୍ଥଳୀକୁ ଯିବା ରାସ୍ତାରେ ଗୁଳିକରି ହତ୍ୟାକରିବାକୁ ବନ୍ଧୁକଧରି ଠିଆହୋଇଥିଲେ । ଅନ୍ୟ ରାସ୍ତାରେ ଯାଇଥିଲି । କିନ୍ତୁ ସେ ରାସ୍ତାରେ ସଭାକୁ ଯାଉଥିବା ଶ୍ରମିକମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଲେ । ଦୁଇଜଣ ମୃତ୍ୟୁବରଣ କଲେ । ତିନିଥର ହତ୍ୟା ମୁହଁକୁ ଯାଇ ଆଜି ମୁଁ କିନ୍ତୁ ବଂଚିକି ଅଛି ।
ଗତ ୧୨ ଅଗଷ୍ଟରେ ୫ଟି ଜିଲ୍ଲାର ଖଣିଖାଦାନ, କଳକାରଖାନାର ଶ୍ରମିକନେତାମାନେ ମୋ ପାଖକୁ ଆସିଥିଲେ । ସୁକିନ୍ଦା କଲରଙ୍ଗୀ କ୍ରୋମାଇଟ୍ ଖଣିରୁ ଯେଉଁ ନେତାମାନେ ଆସିଥିଲେ ସେମାନଙ୍କୁ ଦେଖି ମୋ ମନ ବହୁତ ଖରାପ ହୋଇଗଲା । ସେମାନେ ସବୁ ବୟସରେ ମୋ ଠାରୁ ସାନ । ୫୫ରୁ ୬୫ ଭିତରେ । ଆଖି ଭିତରକୁ ପଶିଯାଇଛି, ଅଣ୍ଟା ନଇଁଯାଇଛି, ରୋଗାକ୍ରାନ୍ତ ହୋଇଯାଇଛନ୍ତି । ସତେଯେମିତି ଦେହରେ ଶକ୍ତି ନାହିଁ ।
ଠେଲିଦେଲେ ପଡିଯିବେ । ସେମାନଙ୍କ ସହିତ ଆଲୋଚନାକରି ଯାହା ବୁଝିଲି – ହେକ୍ସାଭାଲେଣ୍ଟ୍ ବିଷଜ୍ୱାଳାରେ ବିଷାକ୍ତ ଜଳ, ବିଷାକ୍ତ ଫସଲ, ବିଷାକ୍ତ ଜଳବାୟୂରେ ସେମାନଙ୍କ ଶରୀର ବିଷାକ୍ତ ହୋଇଯାଇଛି । କ୍ରୋମାଇଟ୍ ଉତ୍ତୋଳନବେଳେ ସେଠାରୁ ନିର୍ଗତ ହେକ୍ସାଭାଲେଣ୍ଟ ବିଷଜ୍ୱାଳାରେ ସମଗ୍ର ସୁକିନ୍ଦା ଉପତ୍ୟାକା ମରଣଯନ୍ତା ପାଲଟିଯାଇଛି ।
୧୯୫୪ ମସିହାରୁ ଆଜିପର୍ଯ୍ୟନ୍ତ ୧୪ଟି ଖଣିରୁ କ୍ରୋମାଇଟ୍ ଖୋଳୁଛନ୍ତି । ସୁକିନ୍ଦା ଓ ଦାନଗଦୀ ବ୍ଲକ୍ରେ ଖଣିଅଞ୍ଚଳରୁ ଝରଣାନାଳ ପାଣିରେ ହେକ୍ସାଭାଲେଣ୍ଟ ବିଷ ମିଶି ଲୋକେ ବିଷମିଶ୍ରିତ ଜଳ ବ୍ୟବହାର କରୁଛନ୍ତି । ଏଇ ବିଷ ବିଭିନ୍ନ ଉପାୟରେ ମଣିଷର ଖାଦ୍ୟ ଭାବରେ ଶରୀରରେ ମିଶିଯାଉଛି । ଖଣିରୁ ବହୁ ପରିମାଣରେ ଜଳ ନିଷ୍କାସନ କରାଯାଇ ପାଖ କେନାଲ୍ ଡ୍ୟାମ୍ରେ ଛାଡିଦିଆଯାଏ । ଫଳରେ କେବଳ ସୁକିନ୍ଦା, ଦାନଗଦୀ ନୁହେଁ ଢେଙ୍କାନାଳ ଜିଲ୍ଲାର ଭୂବନ ବ୍ଲକ୍ରେ ସେହି ବିଷ ପାଣିକୁ ଲୋକେ ପିଉଛନ୍ତି । ନିତ୍ୟକର୍ମ ପାଇଁ ବ୍ୟବହାର କରୁଛନ୍ତି । ଫସଲରେ ମଧ୍ୟ ମଡାଯାଉଛି । ସୁକିନ୍ଦା ଖଣି ଅଞ୍ଚଳରୁ ଜମଶାଳ ନାଳଦ୍ୱାରା ଚିରସ୍ରୋତା ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳକୁ ମଧ୍ୟ ବିଷାକ୍ତ କରିଦେଉଛି । ଏଇସବୁ ଅଞ୍ଚଳରେ ହେଉଥିବା ମୃତ୍ୟୁହାର ୮୪.୭୫ ପ୍ରତିଶତ ହେକ୍ସାଭାଲେଣ୍ଟ ବିଷ କାରଣରୁ ହେଉଛି । ସୁକିନ୍ଦା ଖଣି ଅଞ୍ଚଳ ବିଷର ଚତୁର୍ଥ ପ୍ରଦ୍ୟୁଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସୁକିନ୍ଦା ଉପତ୍ୟାକାର ବିଷାକ୍ତ ଜଳ ବ୍ୟବହାର କରି ସୁକିନ୍ଦା ବ୍ଲକ୍, ଦାନଗଦୀ ବ୍ଲକ୍, ଭୂବନ ବ୍ଲକର ହଜାରହଜାର ଲୋକ ମାରାତ୍ମକ ଚର୍ମରୋଗ, ଜ୍ୱର, ଜଣ୍ଡିସ୍, କ୍ୟାନସର୍ ଓ ଯକ୍ଷ୍ମାଭଳି ରୋଗରେ ପୀଡିତହୋଇ ମୃତ୍ୟୁବରଣ କରୁଛନ୍ତି । ମୃତ୍ୟୁର ବିଭୀଷିକା ସୁକିନ୍ଦା ଖଣିଶ୍ରମିକଙ୍କ ପିଛା ଛାଡୁନି ।
- ସେଇ ସୁକିନ୍ଦା ଉପତ୍ୟକା ଖଣି ଅଞ୍ଚଳରେ ମୋର ଉତ୍ତପ୍ତ ତାରୁଣ୍ୟର ସବୁଯାକ ଦ୍ୱିପ୍ରହର ମୁଁ କଟାଇସାରିଛି । ଯାହା ଦେଖୁଛି – ବ୍ୟକ୍ତିତ୍ୱ ବର୍ତ୍ତମାନ ଜିରୋ – ବିତ୍ତ ବର୍ତ୍ତମାନ ପୌରୁଷ । ଖଣି ମାଲିକରୁ ମୁଲକ ମାଲିକ ହେବାର ରାସ୍ତା ତିଆରି ହେଲାଣି । ଏ ରାତାରାତି ରାଜନୀତିର ଜମାନା – ଖରି ଲୁଟେରାମାନେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବାର ଯୋଜନା କରୁଛନ୍ତି । କୌଳିକତାହୀନ ଏବଂ ମୌଳିକତାହୀନ ଗୁଡାଏ ଅପଦାର୍ଥ ଏହି ଖଣିଜପଦାର୍ଥକୁ ଆତ୍ମସାତ୍ କରି ଆସନ୍ନ ଭବିଷ୍ୟତରେ ଯେଉଁ ଅମାପ ବିତ୍ତର ଅଧିକାରୀ ହେବାକୁ ଯାଉଛନ୍ତି – ତାହା ସେମାନଙ୍କୁ ଜନଗଣଙ୍କର ପିଠି ଉପରେ ତାବୁକ୍ ଚଳାଇବାର ରାଜନୈତିକ ସାମର୍ଥ୍ୟ ପ୍ରଦାନ କରିବ ହିଁ କରିବ – କାରଣ ଆଜିର ପୌରୁଷ ବ୍ୟକ୍ତିତ୍ୱରେ ନାହିଁ – ଅଛି ବିତ୍ତରେ । ଧନ ଧଳା ହେଉ କି କଳା ହେଉ – ବାପଧନ ହେଉ କି ପାପଧନ ହେଉ, ବ୍ୟକ୍ତିତ୍ୱବର୍ଜିତ – ଅଥଚ ବିତ୍ତଅର୍ଜିତ ବ୍ୟକ୍ତିମାନଙ୍କ ଦ୍ୱାରା କବଳିତ ହେଲେ ସାରାସମାଜ ପାଇଁ ଘୋର ଅଶୁଭ କାଳକୁ ନିମନ୍ତ୍ରଣ କରିଆଣିବ ।
ଏଇ କଥା ଆଜି କହିଲାବେଳକୁ ମୁଁ କ୍ଲାନ୍ତ ନୁହେଁ ଅବଶ୍ୟ, ମାତ୍ର ଭୟଙ୍କର ଭାବରେ ହତାଶ । କାରଣ – ଏଇ କଥା – ଖାଲି ଏତିକି କଥା ନୁହେଁ – ଆହୁରି ବହୁତ କଥା – ବହୁବର୍ଷ ତଳୁ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବଙ୍କଠୁ ଆରମ୍ଭକରି ରାଜନୈତିକ ସ୍ୱପ୍ନବିଳାସୀ ବିଜୁବାବୁଙ୍କ ପର୍ଯ୍ୟନ୍ତ କାହା କାହାକୁ ମୁଁ ନ କହି ଆସିଛି – ଅଳ୍ପ କହିଛି – ବହୁତ ଅକୁହା ରହିଛି – କାହିିଁକି ନା କୌଣସି କର୍ଣ୍ଣଧାର ମୋର ଏ କଥାରେ କର୍ଣ୍ଣପାତ କରିନାହାଁନ୍ତି ବୋଲି ମୁଁ କାହିଁକି କେଜାଣି ଭାବିଆସୁଛି । ଏବେ ନେଡିଗୁଡ କହୁଣୀକୁ ବୋହିଯିବା ବେଳକୁ ଖଣିକୁ ନେଇ ଖାଲି ଖଞ୍ଜଣି ମାଡ, ଶାସନ ଛାଡ । କିନ୍ତୁ ଯିଏ ବି ଶାସନକୁ ଆସିଲା, ସେ ବି ଏଇ ଖଣିଲୁଟିର ଲାଳସାରେ ଲଟରପଟର ହେବାର ଦେଖିଲି – ପ୍ରତିବାଦ କରି କରି ମୁଁ ନିଜେ ପ୍ରତ୍ୟାହୃତ କରିଆଣିଛି ନିଜକୁ ତଥାକଥିତ କର୍ଣ୍ଣଧାରମାନଙ୍କର କେନ୍ଦ୍ରୀୟ ପରିଧିରୁ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩