ମାୟାଧର ମିଜାଇଲ-18: ‘ସାତଶଙ୍ଖର ସେ ଚା’ ଦୋକାନୀ ମା’
- //TATKAL ODISHA//
- ମାୟାଧର ନାୟକ
‘ବିଶ୍ୱଭବିଷ୍ୟବାଣୀ’ ପାଣ୍ଡୁଲିପିଟି ଯେଉଁଦିନ ସରିଗଲା, ତା’ର ପ୍ରେସ୍ କପିଟି ହାତରେ ଧରି ଭାବୁଥିଲି କାହିଁକି ଏ ବିଶ୍ୱଭବିଷ୍ୟବାଣୀ ! ମନେହେଉଥିଲା, ଅଜସ୍ର ଅଗ୍ନିକଣାରେ ପ୍ରସ୍ତୁତ ଏ ଗୋଟାଏ ଭବିଷ୍ୟତର ପରମାଣୁବୋମା – ଏଇ ପରମାଣୁବେମା ଛାର୍ଖାର୍ କରିଦେଇପାରେ – ରାକ୍ଷସରାଜ୍ର ଛତ୍ରଛାଉଣୀ ।
ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ପୁରୀ ରଥଯାତ୍ରା ୨୦ଜୁନ୍, ୨୦୨୩ରେ ୩୨ବାର୍ଷିକ ସେବାଶିବିର ପଡିଥିଲା । ସାରାଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୧୫୫ଜଣ ସ୍ୱେଚ୍ଛାସେବୀ ପୁଅଝିଅଯୋଗଦେଇ ସବୁପ୍ରକାର ସେବାକାର୍ଯ୍ୟମୂଳକ ସହାୟତା ଯୋଗାଇଦେଇଥିଲେ । ଏହି ଆଜାଦୀ ଠେଙ୍ଗାବାହିନୀର ପ୍ରତିଷ୍ଠାତା ଏବେ ୮୫ବର୍ଷ ବୟସ୍କ କୃଷକ ଲକ୍ଷ୍ମଣ ଦାଶ । ହେଲେ ତାଙ୍କର ଶାଳପ୍ରାଂଶୁପ୍ରାୟ ଶାରିରୀକ ସ୍ଥାପତ୍ୟ ଆଉ ରାଜପଥ ଦ୍ରୁତସ୍ପର୍ଦ୍ଦିତ ଗତିଭଙ୍ଗୀମା ଦେଖି ବାହାରକୁ ବେଶ୍ ମଜବୁତ୍ ମନେହେଉଥିବା ୨୫ବର୍ଷ ବୟସୀ ଯୁବପଥିକଦଳ ମଧ୍ୟ ତାଟକାହୋଇ ଚାହିଁରହିଥାନ୍ତି ତାଙ୍କୁ । ଠେଙ୍ଗାବାହିନୀର ୫୦ତମ ଉଦ୍ଯାପନୀ ଦିବସ ।
ମହାନେତାଜୀ ଜୟନ୍ତୀ ୨୩ ଜାନୁଆରୀ, ୨୦୨୩ରେ ଯାଜପୁରରୋଡଠାରେ ଅନୁଷ୍ଠିତ ହୋଇଥିଲା । ମୁଁ ଗଲା ୫ବର୍ଷ ହେଲା ଆଜାଦୀ ଠେଙ୍ଗାବାହିନୀର ସର୍ବୋଚ୍ଚନେତା ମେଜର୍ ଜେନେରାଲ ଭାବରେ ଦାୟିତ୍ୱ ତୁଲାଇଆସୁଛି । ଏବର୍ଷ ମଧ୍ୟ ପୁରୀରେ ୧୯ ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ସେବାଶିବିରରେ ଅବସ୍ଥାନକରି ସବୁବିଷୟ ତଦାରଖ କରୁଥିଲି । ବଡଭାଇ ଲକ୍ଷ୍ମଣ ଦାଶ ବାହୁଡା ପର୍ଯ୍ୟନ୍ତ ରହି ସେବାଶିବିର ପରିଚାଳନା କରିବେ । ମୁଁ ୨୧ ତାରିଖ ସନ୍ଧ୍ୟାବେଳେ ପୁରୀ ଛାଡିଲି । ବାଟରେ ସାତଶଙ୍ଖଠାରେ ରାସ୍ତାକଡରେ ଥିବା ଚା’ପାନ ଦୋକାନରେ ଅଟକିଲୁ । ସେଠାରେ ଜଣେ ମହିଳା ପ୍ରାୟ ୫୨ବର୍ଷ ବୟସ୍କା ହେବେ – ଦୋକାନ ଚଳାଉଥାନ୍ତି ।
ଚା’ ପିଉପିଉ ପଚାରିଲି – ଆଚ୍ଛା ମା’ ! ଏସନ ରଥଯାତ୍ରାରେ ମଝିଦାଣ୍ଡରେ ଜଗନ୍ନାଥ – ସୁଭଦ୍ରାଙ୍କ ରଥ ଅଟକିଗଲା । କ’ଣ ଏହାର ସୂଚନା । ସେ କହିଲେ – ଘୋର ବିପଦର ସତର୍କଘଣ୍ଟି । ଜାଣିଲ ବାବୁ ! ପହଣ୍ଡିବେଳେ ବଡ ଅଘଟଣ ଘଟିଲା – ପଡିଗଲେ ମହାପ୍ରୁ । ମସ୍ତକରୁ ଖସିଗଲା ଚିତା । ଆଗ ବଡଭାଇ ବଳିଆ ମହାପ୍ରୁ ମୁହଁମାଡି ପଡିଗଲେ । ତହୁଁ ସାନଭାଇ ଜଗା ହାଁବୁଡେଇ ପଡିଲେ । ଦି’ଭାଇଙ୍କ ଏ ଦଶାଦେଖି ସୁଭଦ୍ରା ଭଉଣୀଙ୍କ ହାଲୁକ୍ ଶୁଖିଗଲା । ସାନଭାଇଙ୍କ ପିଣ୍ଡରେ ରକା ପଶିଗଲା । ଛୋଟେଇଛୋଟେଇ ପାହୁଣ୍ଡପାହୁଣ୍ଡ ଆଗେଇଲେ କଷ୍ଟେମଷ୍ଟେ । ସେତେବେଳକୁ ସୂର୍ଯ୍ୟ ବୁଡିବା ଉପରେ । ଆଉ ରଥ ଚାଲିଲାନାହିଁ – ରହିଗଲା ବାଟମଝିରେ । ଭଉଣୀ କହୁଛି – ଭାଇକୁ – ଆଉ ସହ୍ୟକରି ହେବନି – ତୁମେ ଭାଇ ଏଥର କଳ୍କୀରୂପ ଧରି ସଂହାର କର । ମୁଁ ପଚାରିଲି – କ’ଣ ସହ୍ୟ କରିପାରିଲେନି । ସେ କହିଲେ – ଏଇ ଦେଖୁନା – ପୁରୀ ପର୍ଯ୍ୟନ୍ତ ଯେଉଁ ଜଗନ୍ନାଥ ସଡକ ଦି’ପାଖରେ ବଡବଡ ଗଛଥିଲା – ପୁରାରାସ୍ତା ଛାଇଥିଲା – ଏବେ ଅଛି ? ସବୁକାଟି ୪ଲେନ୍ ରାସ୍ତା କଂକ୍ରିଟ୍ରେ ହୋଇଗଲା । ଖରାବେଳେ ରାସ୍ତାରେ ଖଇଫୁଟୁଛି ।
- ଏବେ ପୁଣି ଯୁଆଡେ ଚାହଁ – ଦେଖିବ ମୁଣ୍ଡରେ ଓଢଣା ନାହିଁ, ଦେହ ଢାଙ୍କିବାର ସେ ଶାଢି ବି ଉଭାନ୍ । ଡ୍ରେସ୍ ପିନ୍ଧି ବାଳ ମୁକୁଳାକରି ଚାଲୁଛନ୍ତି ଘରଘରର ଝିଅବୋହୂଏ । ଦେଖିବ, ଦିନେ ଏଇ ମୁକ୍ତକେଶୀ ନାରୀମାନଙ୍କ ପାଇଁ ଦୁନିଆ ଛାର୍ଖାର୍ ହୋଇଯିବ । ମୁଁ ପଚାରିଲି – କିମିତି ?
ସେ କହିଲେ – ସୀତା ହରଣ ପାଇଁ ରାମରାବଣ ଯୁଦ୍ଧ । ରାକ୍ଷସଙ୍କ ବଂଶ ଧ୍ୱଂସ । ଆମେ ସବୁ ରାମାୟଣ ପଢୁଛେ । ଆଉ ଦ୍ରୌପଦୀ ଉପରେ ପାପୀ କୌରବକୂଳର ଚୁଡାମଣି ଦୁର୍ଯ୍ୟୋଧନ ନିର୍ଦ୍ଦେଶରେ ଦୁଃଶାସନର ଅତ୍ୟାଚାର । ସେହିଦିନ ଦ୍ରୌପଦୀ କେଶ ମୁକୁଳାକରି ପାପୀଙ୍କ ରକ୍ତରେ କେଶ ପଖାଳିବବୋଲି ଧାର୍ମିକ ପଞ୍ଚୁପାଣ୍ଡବକୁ ଶପଥ କରାଇଥିଲା । ଆଜି କିନ୍ତୁ ସାରାବିଶ୍ୱରେ ନାରୀମାନେ କେଶ ମୁକୁଳାକରି ବୁଲୁଛନ୍ତି । ଏମାନଙ୍କ କେଶସବୁ କେବେ ରକ୍ତରେ ଧୁଆହେବ କେଜାଣି ?
ମୁଁ ପଚାରିଲି – ଆଉ ସବୁ କ’ଣ ହେବ ?
ସେ କହିଲେ – ଘରେ ପେଚା ବସିଲେ – ପେଚା ରାବିଲେ – ଅଶୁଭ ବୋଲି କୁହାଯାଏ । ବିପଦର ସଂକେତ ବୋଲି ଜଣାପଡେ । ଏବେ ଘରେଘରେ ଦି’ଚାରିଟା ପେଚା ସବୁବେଳେ ରାବଦେଉଛନ୍ତି ।
ମୁଁ ପଚାରିଲି – ବୁଝିପାରିଲିନି ମା’ ? ମାନେ ?
ସେ କହିଲେ– ଘରେଘରେ ମୋବାଇଲ୍ । ସମସ୍ତେ ମୋବାଇଲ ଦେଖିବାରେ ବ୍ୟସ୍ତ । ଏସବୁ ଭୟଙ୍କର ବିପଦର ଲକ୍ଷଣ ।
ମୁଁ କଥାଟିକୁ ଉଡାଇପାରିଲିନି । କିନ୍ତୁ ମୁଁ ମନେମନେ ଭାବିଲି – ସତେ ତ ! ନୂଆପିଢିକୁ ବିପ୍ଲବବିମୁଖ କରିଦେଇ ଗୋଟାଏ ବିକୃତ ବିଳାସୀ ପିଢିରେ ପରିଣତ କରିଦେବା ମତଲବରେ ପୁଞ୍ଜିବାଦୀ କଳାକୁବେରତନ୍ତ୍ର ତରଫରୁ କୁତ୍ସିତ ଚକ୍ରାନ୍ତର ଏକ ଉତ୍କଟ ଉପାୟୁଦ୍ଧ ଏ ମୋବାଇଲ୍ – ସାରା ଦୁନିଆରେ ସୁଦ୍ ପବନବିକି ସମସ୍ତଙ୍କ ଅର୍ଥମୁଣି କଣାକରିବାରେ ଲାଗିଛି । ମୋବାଇଲରେ କମ୍ପାନୀବାଲାଙ୍କର ଲାଭ ଯେତିକି – ଲୋକମାନଙ୍କର ଲୋକସାନ୍ ତା’ଠାରୁ କାହିଁ କେତେଗୁଣ ଅଧିକ । ମୋବାଇଲ ପରିବାର, ବନ୍ଧତ୍ୱ – ସମୟ ବରବାଦ କରିଦେଉଛି । ଏଇସବୁ କଥା ଭାବିଭାବି ସେଠାରୁ ଆସି ମୋ ଗାଡିରେ ଚଢୁଛି । ଡ୍ରାଇଭର ସତ୍ୟବ୍ରତ ଜେନା ଚା’ପଇସା ଦେଲାବେଳେ ସେ ମା’ ପଚାରିଲେ – ଏ ବାବୁ କିଏ ? ତାଙ୍କ ମୁହଁ ଉଜ୍ୱଳ ଦେଖାଯାଉଛି ।
- ସତ୍ୟ କହିଲା – ଏ ବାବୁ ! ମାୟାଧର ନାୟକ – ତାଙ୍କ ପୁଅ ଆକାଶ ଦାସନାୟକ, ସିନେମା ହିରୋ । ସତ୍ୟକୁ ସେ ମା’ କହିଲେ – ହଁ,ହଁ, ଆକାଶଙ୍କ ଫିଲମ୍ ଆମେସବୁ ବହୁତ ଦେଖିଛୁ । ସତ୍ୟ ଆସି ଗାଡି ଷ୍ଟାର୍ଟକଲାବେଳେ ସେ ମା’ଟି ଗୋଟିଏ ଖାତାକଲମ ଧରି ମୋ ପାଖକୁ ଆସି କହିଲେ – ବାବୁ! ଫୋନ୍ ନମ୍ବର ଲେଖିଦିଅନ୍ତୁ – କଥା ହେବି । ମୁଁ କହିଲି – ତମ ଫୋନ୍ ନମ୍ବର କୁହ ? ସେ କହିଲେ – ମୋର ଫୋନ୍ ନାହିଁ । ମୋ ସ୍ୱାମୀ ନାରାୟଣ ମହାନ୍ତିଙ୍କର ଫୋନ୍ ଅଛି – ସେ ଫୋନ୍ ନମ୍ବର ଡାକିଲେ – ମୁଁ ଫୋନ୍ରେ ଫିଡ୍ କଲି । ପଚାରିଲି – ତୁମ ନାଁ କ’ଣ ? ଉତ୍ତର ଆସିଲା – ଶାନ୍ତିଲତା ମହାନ୍ତି, ସାତଶଙ୍ଖ ପୁରୋହିତପୁର ଘର । ଗାଡି ଛାଡିଲା ଯାଜପୁର ରୋଡ ।
ବାଟରେ ଭାବିଭାବି ଆସୁଥିଲି – ମୁଁ ଯେତେ ଲେଖାଲେଖି କରିଛି – ଅଧିକାଂଶ ବାଟଘାଟରୁ ତଥ୍ୟ ସଂଗ୍ରହକରି । ହଁ – ସେଇ ଶାନ୍ତିଲତା ଦେବୀ କହିଥିଲେ – ଆଜିକାଲି ନିଶାରେ ସମସ୍ତେ ଭୋଳ । ଶତକଡା ୯୫ଭାଗ ଲୋକ ନିଶାଗ୍ରସ୍ତ । ଏହି ନିଶାଖାଇ ଯଦୁବଂଶ ଧ୍ୱଂସ ହୋଇଯାଇଥିଲା । ଏ ନିଶା ଏ ଘୋର କଳିକାଳରେ ଧ୍ୱଂସ କରିଦେବ ଯୁବପିଢିଟାକୁ ।
ସାତଶଙ୍ଖରୁ ସାକ୍ଷୀଗୋପାଳ ପାରହେଲାପରେ ଜାତୀୟରାଜପଥ ପାଖରେ ଏକ ସାଇନ୍ବୋର୍ଡରେ ଲେଖାଯାଇଛି – ବୀର ରାମଚନ୍ଦ୍ରପୁର । ମୋର ପୁରୁଣା ସ୍ମୃତି ମନେପଡିଗଲା – ଏଇ ଗାଁର ‘ଚାନ୍ଦିଆନା’ ରାମଚନ୍ଦ୍ର ମିଶ୍ରଙ୍କ ସହ ମୋର ଘନିଷ୍ଠତା ଅଛି । ସେଠାକୁ ଯାଏ – ଭଲମନ୍ଦ ଖବର ବୁଝେ । ତାଙ୍କ ପାରିବାରିକ ଅନୁଷ୍ଠାନରେ ଯୋଗଦେଇଛି । ଚାନ୍ଦିଆନା ମୁହଁ ଦେଖି ଆଗତଭବିଷ୍ୟତ ଓ ପ୍ରତିକାର ପନ୍ଥା କରିଦିଅନ୍ତି । ତାଙ୍କ କଥା ବି ସତ ହୁଏ ।
ଚାନ୍ଦିଆନା କହୁଥିଲେ – କଳିକାଳର କଳାସମୟ ଆସିଯାଇଛି । ସତ୍ୟଯୁଗ ୫୧୮୪ବର୍ଷ, ତ୍ରେତୟା ୩୮୮୮ବର୍ଷ, ଦ୍ୱାପର ୨୫୯୨ବର୍ଷ ଓ କଳିଯୁଗ ୧୨୬୦ବର୍ଷ । ଏହି କଳିଯୁଗ ଅନ୍ଧକାର, ଅଜ୍ଞାନ, ଅନଭିଜ୍ଞ ବର୍ଷରୂପେ ବିଦିତ । ଅସତ୍ ଉପାୟରେ ଧନଉପାର୍ଜନ ପାଇଁ ଯେକୌଣସି ପାପକାର୍ଯ୍ୟ କରିବାକୁ ପଛାନ୍ତିନାହିଁ । ଯାହା ଜୀବନକୁ ଛାରଖାର କରିଦିଏ । ମଣିଷ ଅମଣିଷ ହୋଇଯାଏ । ଶ୍ରୀଜଗନ୍ନାଥ କଳ୍କୀ ରୂପରେ ବାରହାତ ଖଣ୍ଡାଧରି ମ୍ଲେଚ୍ଛ ସଂହାର କରିବେ । ଚାନ୍ଦିଆନା କହୁଥିଲେ – କଳାଧଳା ଘୋଡାରେ ଜଗାବଳିଆ ଦୃଶ୍ୟ ହେବେନି । ଯଦୁବଂଶ ଧ୍ୱଂସ ହେଲାଭଳି କିଛି ଭଲମଣିଷ ବାହାରି ଖରାପମଣିଷକୁ ସଂହାର କରିବେ । ଯେଉଁମାନେ ବଞ୍ôଚରହିବେ ସେମାନେ କୂଳକୁ ବିହନ । ସତ୍ୟଯୁଗ ପୁଣି ଆରମ୍ଭହୋଇ ଦଶହଜାରବର୍ଷ ପର୍ଯ୍ୟନ୍ତ ଚାଲିବ । ଏବେ କଳିଯୁଗର ଅନ୍ତିମପର୍ଯ୍ୟାୟ । ସୁଡଙ୍ଗ ଶେଷରେ ସୂର୍ଯ୍ୟୋଦୟ ହିଁ ସତ୍ୟଯୁଗର ଆରମ୍ଭ । ଏଇସବୁ କଥା ଭାବିଭାବି ଆସୁଥିଲି ।
ଆଉ ମନେପଡିଲା – କଳାପାଡାଡ ଗାଥା । ଏବେ କିନ୍ତୁ ଜଗନ୍ନାଥ – ସୁଭଦ୍ରା ରଥ ମଝିଦାଣ୍ଡରେ ଅଟକିଗଲା – କେଉଁ କଳାପାହାଡ ଯୋଗୁଁ ? ଆମର ପରିଚାଳକମାନେ କ’ଣ କଳାପାହାଡ ପାଲଟିଗଲେକି ? ଏଇକଥା ଭାବୁଭାବୁ ସେଇ ଜୁନ୍ ୨୧ ତାରିଖରେ ଆମେରିକାର ବାଇଡେନ୍-ମୋଦିଜୀଙ୍କ ମିଳନଦୃଶ୍ୟ ଦେଖି ଆଶ୍ଚର୍ଯ୍ୟଚକିତ ହେଲି । ମୋଦୀଜୀ ବାମପାଖରେ ଜୋ ବାଇଡେନ୍, ଡାହାଣପାଖରେ ବାଇଡେନ୍ଙ୍କ ପତ୍ନୀ ଜିଲ୍ ଠିଆହୋଇ ଫଟୋ ଉଠାଇଛନ୍ତି । ସମସ୍ତଙ୍କ ମୁଣ୍ଡବାଳ ପାଚିଲା । ଜିଲ୍-ବାଇଡେନ୍ଙ୍କୁ ମୋଦୀଜୀ ୧୦ଟି ଦାନମ୍ ଉପହାର ଦେଇଥିଲେ । ବର୍ତ୍ତମାନ ବାଇଡେନ୍ଙ୍କୁ ୮୦ବର୍ଷ ୮ ମାସ । ତାଙ୍କୁ ବିଭିନ୍ନ ଉପହାର ଦେବା ସଂଗେସଂଗେ ଫାଷ୍ଟ୍ ଲେଡି ଜିଲ୍ଙ୍କୁ ସାଢେସାତ କ୍ୟାରେଟ୍ର ପରିବେଶଅନୁକୂଳ ସବୁଜ ହୀରା (ଗ୍ରୀନ୍ ଡାଇମଣ୍ଡ) ଉପହାର ଦେଇଥିଲେ । ଏସବୁ ଉପହାରର ମୂଲ୍ୟ ଭାରତୀୟ ରାଜକୋଷରୁ ଖର୍ଚ୍ଚ କରାଯାଇଛି । କେବଳ ଉପହାରପାଇଁ ଖର୍ଚ୍ଚ ନୁହେଁ – କୋଟିକୋଟି ଟଙ୍କା ଅଯଥା ମଧ୍ୟ ଖର୍ଚ୍ଚ କରାଯାଇଛି । ଏଇ ୯ବର୍ଷ ୮ମାସରେ କେବଳ ବିଦେଶଗସ୍ତରେ ରାଜକୋଷରୁ ୬୯୪୧କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟାନ୍ୟ ଖର୍ଚ୍ଚ-ବିକ୍ରୟ ହସ୍ତଗତ ହୋଇଛି । ତାହାର ହିସାବ କେହି ଲୁଚାଇପାରିବେନାହିଁ । ଦେଶ ଯେତେବେଳେ ଧ୍ୱଂସଆଡକୁ ଗତିକରେ – ସେତେବେଳେ ବିକ୍ରୟଯୋଗ୍ୟ ଗଣ-ମାଧ୍ୟମ, ମୁର୍ଖ, ଅନ୍ଧ ଭକ୍ତମାନେ ଜୟଜୟକାର କରୁଥାନ୍ତି ।
ଯେତେବେଳେ ରୋମନଗରୀ ଜଳୁଥିଲା – ଶାସକ ନିରୋ ବୀଣାବାଦନ କରୁଥିଲେ । ଏବେ ୨୦୨୩ ଜୁନ୍ ୨୧ରେ ଯେତେବେଳେ ମଣିପୁରରେ ରକ୍ତତାଣ୍ଡବନୃତ୍ୟ ଚାଲିଛି – ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଜୀ ଦ୍ୱିତୀୟଥର ଆମେରିକାରେ ଗସ୍ତରେ ଅଛନ୍ତି । ଏହା ରୋମ ଶାସକ ନିରୋଙ୍କ ସହ ଭାରତ ଶାସକ ମୋଦୀଙ୍କୁ ସମତୁଲ କରିଦେବାଭଳି ଧାରଣା ଉପୁଜାଇଲା । ପୃଥିବୀର ରାଷ୍ଟ୍ରମୁଖ୍ୟମାନେ କ’ଣ ପାଗଳ ହୋଇଗଲେଣି କି ? ଏଇମାନଙ୍କ ଯୋଗୁ ପୃଥିବୀ ଛାରଖାର୍ ହେବାକୁ ଯାଉଛି । ଆଗକୁ ଅବିଳମ୍ବେ ଆଗେଇଆସୁଛି ଘୋର ବିପର୍ଯ୍ୟୟର ବିସ୍ଫୋରକ ବିଭୀଷିକା । ହୁସିଆର୍ !!
- ମାୟାଧର ନାୟକ,
- ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩