ମାୟାଧର ମିଜାଇଲ-14:ସବୁଠୁ ବଡଭିକାରୀ ସ୍ୱଂୟସମ୍ରାଟ

0
  • ************************
  • ସବୁଠୁ ବଡଭିକାରୀ ସ୍ୱଂୟସମ୍ରାଟ
  • ମାୟାଧର ନାୟକ
  • *************************

ଏବେ ବିଶ୍ୱସ୍ୱାସ୍ଥ୍ୟସଂଗଠନ ଘୋଷଣା କରିଛି – କୋଭିଡ୍‍-୧୯ କରୋନା ମହାମାରୀରେ ସାରାପୃଥିବୀରେ ୨କୋଟି ଲୋକ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରିଛନ୍ତି । ଆହୁରି ପାଖାପାଖି ୩ କୋଟି ଲୋକ କରୋନାରେ ମରିଛନ୍ତି – କେତେକଙ୍କୁ ଅନ୍ୟରୋଗରେ ମରୁଛନ୍ତି ବୋଲି ଦେଖାଇଦିଆଯାଇଛି ।

  • କରୋନା ଏ ବିଶ୍ୱରୁ ସଂପୂର୍ଣ୍ଣ ଲୋପ ପାଇନି । କରୋନାଠାରୁ ଆହୁରି ଭୟଙ୍କର ୧୩୭ ପ୍ରଜାତି ବିଶ୍ୱସାରା ଘୁରିବୁଲୁଛନ୍ତି । ଆସନ୍ତାଦିନମାନଙ୍କରେ ଭୟଙ୍କରେ ରୋଗ ମାଡିଆସୁଛି । ଲୋକେ ଛଟପଟହୋଇ ପୋକମାଛି ଭଳି ମରିଯିବେ । ତାଙ୍କ ଆକଳନରୁ ପ୍ରାୟ ଦୁଇକୋଟି ମଣିଷ ମୃତ୍ୟୁମୁଖରେ ପଡିବେ । ଏ ଦୁଇକୋଟି ହେବ କି ପାଞ୍ଚକୋଟି ହେବ ଏବେଠୁ କହିହେବନି । ଆମେ ଦେଖିଛେ – କୋଟିକୋଟି ଟଙ୍କାରମାଲିକ କ୍ଷଣକେ କରୋନାରେ ମୃତ୍ୟୁବରଣ କରିଛନ୍ତି । ଧନ, ସମ୍ପତ୍ତି ସେମାନଙ୍କୁ ବଞ୍ଚାଇପାରିଲାନାହିଁ । ଚିକିତ୍ସାବିଜ୍ଞାନ ବି ବିଫଳ ହେଲା । ଥରେ ମହାନ୍‍ ଦାର୍ଶନିକ ପ୍ଲାଟୋ କହିଥିଲେ ଯେ – ‘ଞଷର ଶକ୍ସରବଗ୍ଧରଗ୍ଦଗ୍ଧ ଡରବକ୍ଷଗ୍ଧଷ ସଗ୍ଦ ଗ୍ଧକ୍ଟ କ୍ଷସଙ୍ଖର ମକ୍ଟଦ୍ଭଗ୍ଧରଗ୍ଦଗ୍ଧ ଙ୍ଗସଗ୍ଧଷ କ୍ଷସଗ୍ଧଗ୍ଧକ୍ଷର’, ଅର୍ଥାତ୍‍ ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି, କିନ୍ତୁ ମଣିଷ ଜାତିର ଚରମ ଦୁର୍ଭାଗ୍ୟ ହେଉଛି ଏହା ଯେ, ମଣିଷ ଚିରକାଳ ଏହି ବିଷ ସଦୃଶ ସମ୍ପତ୍ତି ପଛରେ ହିଁ ଧାଇଁଛି ।

ଏଠାରେ ଏକ ଉଦାହରଣ ଦିଆଯାଇପାରେ – କ୍ଷୁଦ୍ର ମାସିଡୋନିଆ ରାଜ୍ୟର ରାଜା ଆଲେକ୍‍ଜାଣ୍ଡାର । ରାଜ୍ୟ ପରେ ରାଜ୍ୟ ଜୟକରିଚାଲିଛନ୍ତି । ତଥାପି ରାଜ୍ୟ ଜୟର ପିପାସା ମେଣ୍ଟୁନି । ଶେଷରେ ସ୍ୱର୍ଣ୍ଣପ୍ରସୂ ଭାରତବର୍ଷ ଆକ୍ରମଣ କରିବାକୁ ବାହାରିଛନ୍ତି । ସାଥିରେ ଅଛନ୍ତି ସୈନ୍ୟସାମନ୍ତଙ୍କ ବିଶାଳ ପଟୁଆର । କୋଳାହଳରେ ଫାଟିପଡୁଛି ଏଥେନ୍ସ ନଗରୀର ରାଜରାସ୍ତା । ନଗରୀର ଉପାନ୍ତରେ ଏକ ଭଙ୍ଗା କୁଡିଆରେ ରହୁଥାନ୍ତି ଦାର୍ଶନିକ ଦାଓଜିନସ୍‍ ଓ କୁକୁରଟିଏ । ନଜାଣିଥିବା ଲୋକେ ତାଙ୍କୁ ଭିକାରୀ ବୋଲି ଭାବନ୍ତି । କୁଡିଆରେ ଶୋଇଥିଲେ ଦାଓଜିନସ୍‍ । କୋଳାହଳ ଶୁଣି ନିଦ ଭାଙ୍ଗିଗଲା ।

ସେ ମୁଣ୍ଡ ଉଠେଇ ଦେଖନ୍ତି ତ ଆଲେକ୍‍ଜାଣ୍ଡାରଙ୍କ ବିଶାଳ ସେନା ଚାଲିଛନ୍ତି । ସେ ହଠାତ୍‍ ଉଠିପଡି ସୈନିକମାନଙ୍କ ଆଡକୁ ଧାଇଁଲେ ଏବଂ ଉଚ୍ଚ କଣ୍ଠରେ ଚିତ୍କାର କଲେ – ରହିଯାଅ, ସମ୍ରାଟ୍‍ ଆଲେକ୍‍ଜାଣ୍ଡାରଙ୍କୁ ମୋର କିଛି ଦେବାର ଅଛି । ଏହା କହି ସେ ଆଲେକ୍‍ଜାଣ୍ଡାରଙ୍କ ନିକଟକୁ ଯାଇ ତାଙ୍କ ହାତରେ ମୁଦ୍ରାଟିଏ ଧରାଇଦେଲେ । ବିସ୍ମିତହୋଇ ଆଲେକ୍‍ଜାଣ୍ଡାର ପଚାରିଲେ – ଏହା କ’ଣ ? ଦାଓଜିନସ୍‍ କହିଲେ – କିଛିଦିନ ତଳେ ଜଣେ ଧନିକ ବ୍ୟକ୍ତି ମୋତେ ଭିକାରୀ ଭାବି ଏ ମୁଦ୍ରାଟିକୁ ମୋ କୁଡିଆ ଭିତରକୁ ଫୋପାଡି ଦେଇଥିଲେ । ମୁଁ ସେହିଦିନ ଭାବିଥିଲି – ମୋ ଠାରୁ ଆଉ ଜଣେ ବଡଭିକାରୀ ଦେଖିଲେ ମୁଁ ତାଙ୍କୁ ଏହି ମୁଦ୍ରାଟି ଉପହାର ଦେବି । ଆଜି ତୁମକୁ ପାଇଗଲି – ତେଣୁ ତୁମ ହାତରେ ଏ ମୁଦ୍ରାଟି ଧରାଇଦେଲି । ଆଲେକ୍‍ଜାଣ୍ଡାର ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ କହିଲେ – ଜାଣିଛ ତ ମୁଁ ବିଶ୍ୱବିଜୟୀ ଗ୍ରୀକ୍‍ ବୀର ଆଲେକ୍‍ଜାଣ୍ଡାର । ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ମୋର ପଦାନତ । ଏହା ସତ୍ତ୍ୱେ ମୋତେ ଭିକାରୀ ବୋଲି କହିବାର ଧୃଷ୍ଟତା ପାଇଁ ମୁଁ ତୁମର ଶିରଚ୍ଛେଦ କରିପାରେ । ଅବିଚଳିତ ଦାଓଜିନସ୍‍ ଅଳ୍ପ ହସି କହିଲେ – ‘ମୋର କିଛି ନାହିଁ, ତେଣୁ ମୁଁ ଭିକାରୀ ହେବାକୁ ବାଧ୍ୟ । ତୁମର ଏତେସବୁ ଥିବା ସତ୍ତ୍ୱେ ଆହୁରି ପାଇବାପାଇଁ ତୁମର ଏ ଯେଉଁ ଭୋକ, ତାହା କ’ଣ ପାଇଁ? ତୁମେ ମୋ ଠାରୁ ବଡଭିକାରୀ ନୁହଁ କି ? ଶୁଣ ସମ୍ରାଟ୍‍ ! ଯିଏ ଚାହୁଁଥିବ କୋଟିଏ କିନ୍ତୁ ପାଇଥିବ ଗୋଟିଏ, ସେ ଏ ସଂସାରର ସବୁଠାରୁ ବଡ ଦରିଦ୍ର । ଯିଏ ଜୀବନରେ କିଛି ଚାହିଁନାହିଁ, କିଛି ପାଇ ବି ନାହିଁ, ସିଏ ଧନୀ ନହୋଇପାରେ, କିନ୍ତୁ ତୁମ ଭଳି ଦରିଦ୍ର ନୁହେଁ । ଆବଶ୍ୟକତାଠାରୁ ଅଧିକ ଅର୍ଥ, କ୍ଷମତା ଓ ପ୍ରତିପତ୍ତିର ପିପାସା ହିଁ ପ୍ରକୃତ ଦାରିଦ୍ର‌୍ୟ । ଯାହାର ତୃଷ୍ଣା ବା ଅଭିଳାଷ ଯେତେ ଅଧିକ, ସେ ସେତେ ଅଧିକ ଦରିଦ୍ର । ଯାହାର ମନ ସନ୍ତୁଷ୍ଟ ଓ ତୃପ୍ତ, ତା’ପାଇଁ ଧନୀଦରିଦ୍ର କି ଫରକ୍‍ ? ଏଥର କୁହ, ତୁମେ ଭିକାରୀ ନା ମୁଁ ଭିକାରୀ ?

  • ବାସ୍ତବରେ ଏ ସଂସାରରେ ଭିକାରୀ କିଏ ? ଭିକାରୀ ସିଏ ନୁହେଁ – ଯିଏ ଅନ୍ୟ ଆଗରେ ହାତ ପତେଇ ଭିକ ମାଗେ, ପ୍ରକୃତ ଭିକାରୀ ତ ସିଏ – ଯାହା ପାଖରେ ସବୁ ଥାଇ ମଧ୍ୟ ସେ ଆହୁରି ଚାହୁଁଥାଏ । ପାଠକେ ! ଏଭଳି ଏକ ପ୍ରସଙ୍ଗ ଏଠି ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି ଏହା ଯେ, ବିଶ୍ୱ ଅଭିଯାନରେ ବାହାରିଥିବା ସମ୍ରାଟ୍‍ ଆଲେକ୍‍ଜାଣ୍ଡାର ନିଜ ଦେଶକୁ ମଧ୍ୟ ଫେରିପାରିଲେ ନାହିଁ । ଭାରତ ଅଭିଯାନ ସାରି ଫେରିବା ବାଟରେ ବେବିଲୋନ୍‍ ନଗରୀରେ ମାତ୍ର ୩୩ବର୍ଷ ବୟସରେ ସେ ପ୍ରାଣତ୍ୟାଗ କଲେ । ରାଜଧାନୀ ଏଥେନ୍ସ ଥିଲା ତଥାପି ଚବିଶ ଘଣ୍ଟାର ଦୂର । ସବୁଠାରୁ ଉଲ୍ଲେଖଯୋଗ୍ୟ ଉପଲବ୍ଧ ଏହା ଯେ – ମୃତ୍ୟୁ ପୂର୍ବରୁ ଆଲେକ୍‍ଜାଣ୍ଡାର ତାଙ୍କର ଅଙ୍ଗରକ୍ଷୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ – ମୋ ଶବାଧାରକୁ ସମାଧିସ୍ଥଳକୁ ନେବାବେଳେ ମୋ ହାତଯୋଡିକୁ ଦୁଇପଟକୁ ଝୁଲାଇ ଦେଇଥିବ, ଯେମିତି ସମଗ୍ର ବିଶ୍ୱବାସୀ ଦେଖିବେ ଆଲେକଜାଣ୍ଡାର ଶୂନ୍ୟହସ୍ତ ହୋଇ ଆସିଥିଲା, ଆଉ ମୃତ୍ୟୁପରେ ମଧ୍ୟ ଏ ପୃଥିବୀରୁ ଶୂନ୍ୟହସ୍ତ ହୋଇ ଫେରିଯାଉଛି । ଅଜସ୍ର ସମ୍ପତ୍ତି ଅର୍ଜିଥିବା ଆଲେକ୍‍ଜାଣ୍ଡାର ପାଇଁ ହୀରାନୀଳା ମୋତିମାଣିକ ସବୁ ଗୋଡିମାଟି ପରି ମୂଲ୍ୟହୀନ । ସେସବୁ ତା’ର ଜୀବନରକ୍ଷା ପାଇଁ ସାମାନ୍ୟମାତ୍ର ସାହାଯ୍ୟ କରିପାରିଲେନାହିଁ କି କାଣିକଉଡିଟିଏ ମଧ୍ୟ ତା’ସହ ଗଲେନାହିଁ । ଶୂନ୍ୟହସ୍ତରେ ସବୁଠୁ ବଡଭିକାରୀ ସ୍ୱଂୟ ସମ୍ରାଟ ଏ ସଂସାରରୁ ବିଦାୟ ନେଲେ । ପୃଥିବୀର ପ୍ରାୟ ସବୁଦେଶରେ ଆଲେକଜାଣ୍ଡାର ଭଳି ବଡବଡ ଭିକାରୀ ଅଛନ୍ତି । ଆମ ଭାରତରେ ମଧ୍ୟ ଟାଟା, ବିରଳା, ଗୌତମ ଆଦାନୀ, ମୁକେଶ ଅମ୍ବାନୀ ଭଳି ହଜାରେ ପାଖାପାଖି ବଡଭିକାରୀ ଅଛନ୍ତି । ଏମାନେ ସବୁ ଜନଗଣଙ୍କ ଅର୍ଜିତ ସମ୍ପତ୍ତିକୁ ପବନ, ଲୁଣ, ଗାଡି ପ୍ରମୁଖ ବିକି ଠକିନେଇଛନ୍ତି – ଏବେବି ନେଉଛନ୍ତି । ଏମାନେ ଭିକାରୀରେ ଗଣା ।

ତଥାପି ଅନେକ ମଣିଷ ଏବେବି ନୀତିନୈତିକତା, ମୂଲ୍ୟବୋଧ ଓ ମଣିଷପଣିଆକୁ ଜଳାଞ୍ଜଳି ଦେଇ ସାରାଜୀବନ ଧନସମ୍ପତ୍ତି ଗୋଟେଇବାରେ ଲାଗିଛନ୍ତି । ବଡ ବିଚିତ୍ର ଏ ମଣିଷର ପ୍ରକୃତି । ଘରଦ୍ୱାର, କୋଠାବାଡି, ଅଭ୍ରକଂସ ଅଟ୍ଟାଳିକା ପଛରେ ଧାଇଁ ଧାଇଁ ଜୀବନର ଅମୂଲ୍ୟ ସମ୍ପଦ ‘ସ୍ୱାସ୍ଥ୍ୟ’କୁ ହଜେଇଦିଅନ୍ତି । ପୁଣି ସେହି ସ୍ୱାସ୍ଥ୍ୟକୁ ଫେରିପାଇବା ପାଇଁ ଡାକ୍ତର ଦୁଆରେ ଯାଇ ଭିକମାଗନ୍ତି । ଏଠି ଆସେ ଯେତେ, ଯାଏ ସେତେ । ଅଥଚ ନିର୍ବୋଧମଣିଷ ଏକ ଅସରନ୍ତି ଶୋଷ ପଛରେ ଧାଇଁଥାଏ । ଇଏ କେଉଁ ପ୍ରକାର ଗଣିତ ? ରାତି ସରିଯାଏ ପଛେ ସ୍ୱପ୍ନ ସରେନା । ବାଟ ସରିଯାଏ ସିନା ହାଟ ସରେନା । ଏଠି ଜୀବନର ଅନ୍ୟନାମ ‘ବସ୍ତୁପ୍ରୀତି ବା ‘ବସ୍ତୁରତି’ । ଏକବିଂଶ ଶତାଦ୍ଦୀର ମଣିଷ ଏବେ ଗୋଟିଏ ବସ୍ତୁରେ ପରିଣତ ହୋଇଯାଇଛି । ସେଇଥିପାଇଁ ସମସ୍ତ ଭୌତିକ ବିକାଶ ସତ୍ତ୍ୱେ ମଣିଷ ଆଜି ଖୁବ୍‍ ନିଃସ୍ୱ, ଖୁବ୍‍ ନିଃସଙ୍ଗ । ପାଖରେ ଜୀବନ ବିତାଇବା ପାଇଁ ସକଳ ସୁଖ-ସାଧନ ଅଛି, ମାତ୍ର ଶାନ୍ତିସୁଦୂର ପରାହତ । ଚାରିପାଖରେ ପର୍ଯ୍ୟାପ୍ତ ଭୋଜନସାମଗ୍ରୀ ଅଛି, କିନ୍ତୁ ପେଟରେ ଭୋକ ନାହିଁ । ବିଳାସମୟ ପ୍ରାସାଦ ଅଛି, କିନ୍ତୁ ସୁନିଦ୍ରା ନାହିଁ । ପରିପୂର୍ଣ୍ଣ ପରିବାର ଅଛି, କିନ୍ତୁ ପ୍ରସନ୍ନତା ନାହିଁ । ଫେସ୍‍ବୁକ୍‍ରେ ଅସଂଖ୍ୟ ବନ୍ଧୁ, ଦୁଃଖ ଶୁଣିବାକୁ ଜଣେ ବି ନାହିଁ । ସୁଖ ମରୀଚିକା ପଛରେ ଧାଇଁ ଧାଇଁ ମଣିଷ ଆଜି ଖୁବ୍‍ ଦୁଃଖୀ । ଟଲ୍‍ଷ୍ଟୟଙ୍କ ଗଳ୍ପର ନାୟକ ‘ପାହୋମ୍‍’ ଭଳି ସକାଳୁ ସଞ୍ଜଯାଏଁ ଗଳଦଘର୍ମ ହୋଇ ଖାଲି ଧାଇଁଛି ଆଉ ଧାଇଁଛି । ଏମିତି ଧାଁ-ଦଉଡର ଅର୍ଥ କ’ଣ ଜୀବନ ?

କିଏ ଜଣେ କହିଥିଲେ – ‘ମନ୍ଦିର ଏକ ଅଦ୍ଭୁତ ସ୍ଥାନ, ଯେଉଁଠି ଗରିବ ବାହାରେ ଭିକମାଗେ, ଆଉ ଧନୀ ଭିତରେ ଭିକମାଗେ । ପ୍ରକାରାନ୍ତରେ ଏଠି ସମସ୍ତେ ଭିକାରୀ ।’ କେଉଁଦିନ ଏ ନିଃସ୍ୱମଣିଷ ବୁଝିବ ଯେ, ଟଙ୍କା ‘ଘର’ କିଣିପାରେ – ହେଲେ ‘ପରିବାର’ ନୁହେଁ । ଟଙ୍କା ‘ଦାମିକା ଘଣ୍ଟା’ କିଣିପାରେ – ହେଲେ ‘ସମୟ’ ନୁହେଁ । ଟଙ୍କା ‘ତୂଳିତଳ୍ପ ଶଯ୍ୟା’ କିଣିପାରେ – ହେଲେ ‘ସୁନିଦ୍ରା’ ନୁହେଁ । ଟଙ୍କା ‘ବହି’ କିଣିପାରେ – ହେଲେ ‘ଜ୍ଞାନ’ ନୁହେଁ । ଟଙ୍କା ‘ବନ୍ଧୁ’ କିଣିପାରେ – ହେଲେ ‘ବନ୍ଧୁତା’ ନୁହେଁ । ଦୁନିଆରେ କେବଳ ଭାଗ୍ୟବାନ ସେହି – ଯାହା ପାଖରେ ‘ଭୋଜନ’ ସହିତ ‘ଭୋକ’ ଅଛି । ‘ଶଯ୍ୟା’ ସହିତ ‘ନିଦ୍ରା’ ଅଛି । ଆଉ ‘ଧନ’ ସହିତ ‘ଧର୍ମ’ ବି ଅଛି । ସମୁଦ୍ରକୂଳରେ କ’ଣ ଶାମୁକାର ଅଭାବ ଥାଏ ନା ପୃଥିବୀପୃଷ୍ଠରେ ମଣିଷର ? ବାସ୍‍ ଫରକ୍‍ କେବଳ ଏତିକି ଯେ – କିଛି ଶାମୁକା ଭିତରେ ମୋତି ଥାଏ, ଆଉ କିଛି ମଣିଷଙ୍କ ପାଖରେ ହୃଦୟ । ବାକିସବୁ ମଣିଷ ସେଇ ମିଛ ଖୋଳପାଧାରୀ ଶାମୁକା ସଦୃଶ । ନିର୍ଣ୍ଣୟ ଆପଣଙ୍କର । ଆପଣ ହୃଦୟବାନ୍‍ ମଣିଷଟିଏ ହେବେ ନା ଶୂନ୍ୟ ଶାମୁକାଟିଏ ହେବେ । କିନ୍ତୁ ଏ କଥା ସତ୍ୟ ଯେ – ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶି ହେବ । ତାହା ଧନ ହେଉ କିମ୍ବା ସମ୍ମାନ, ଭୋଜନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ । ଦି’ଦିନର ଏ ଜୀବନ ! ମରୀଚିକା ପଛରେ ଧାଇଁବା ଅର୍ଥହୀନ । ପାରୁଛ ଯଦି ପ୍ରେମ ବାଣ୍ଟିଚାଲ । ଲୋକଙ୍କ ହୃଦୟ କିଣ । ନିଶ୍ୱାସକୁ ବିଶ୍ୱାସ ନାହିଁ । ନମୟ ନଷ୍ଟ ଅର୍ଥାତ୍‍ ଜୀବନ ନଷ୍ଟ । ପ୍ରାକୃତିକକୁ ଛାଡି ଅତ୍ୟଧିକ ଭୌତିକ ପଦାର୍ଥରେ ଆଶକ୍ତ ହିଁ ଅତ୍ୟଧିକ ରୋଗର କାରଣ । କାହିଁକି ରୋଗକୁ କିଣିବେ । କେତେଦିନ ଏ ସଂସାରରେ ବଞ୍ଚିବେକି ? ଦିନେ ନିଃସ୍ୱମଣିଷ ହୋଇ ଏ ସଂସାରରୁ ବିଦାୟ ନେବେ । “କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ସଂଗେ ଛୁଟିଲେ ଘଟ” । ସବୁ ଠିକ୍‍ଠାକ୍‍ ଥିବ, ହଠାତ୍‍ ହୃଦଘାତରେ ଟଳିପଡିବ । ଛ’ଖଣ୍ଡ ବାଉଁଶରେ କୋକେଇ ବନ୍ଧା । ସେଥିରେ ଶବହୋଇ ପଡିରହିବେ । କାରଣ ମଶାଣିକୁ ଆପଣ ଅର୍ଜିଥିବା ଚାରିକୋଟି ନୁହେଁ, ମାତ୍ର ଚାରିଜଣ ଆପଣଙ୍କୁ ଛାଡିବାକୁ ଯିବେ । ସେ ମଶାଣିରେ ଅଗ୍ନିରେ କୁଆଡେ ଲୀନ ହୋଇଯିବେ । ତେଣୁ ଲୋଭରୁ ପାପ – ପାପରୁ ମୃତ୍ୟୁ । ସାଧୁ ସାବଧାନ୍‍ ।

ମାୟାଧର ନାୟକ, ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.