ମାୟାଧର ମିଜାଇଲ-୩: ଗଣଆନ୍ଦୋଳନ : ସେଦିନ ଓ ଆଜି–କେତେ ତଫାତ୍ !
- ମାୟାଧର ନାୟକ
- //TATKAL ODISHA//
ଆମେ ଜାଣନ୍ତି, ଟ୍ରେଡ୍ୟୁନିୟନ ଓ ଗଣତାନ୍ତ୍ରୀକ ଆନ୍ଦୋଳନ ଧାରା ଅତି ପୁରୁଣା ଓ ଚିରାଚରିତ । ଶହେବର୍ଷ ପୂର୍ବେ ସେତେବେଳର ପୁଞ୍ଜିବାଦର ଉତ୍ପତ୍ତି ଓ କ୍ରମୋନ୍ନତିକୁ ବିରୋଧ କରିବା ପାଇଁ ଶ୍ରମିକ ଆନ୍ଦୋଳନ ଜନ୍ମ ନେଇଥିଲା । ବର୍ତ୍ତମାନର ପୁଞ୍ଜିବାଦ କ୍ଷୟିଷ୍ଣୁ ଚରିତ୍ର ସଂପନ୍ନ ହେଲେ ମଧ୍ୟ ଅତି ପରିପକ୍ୱ, ପରିଣତ ଓ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯାହାର ଉଗ୍ର ଗତିପଥକୁ ରୋକିବାପାଇଁ ଗଣଆନ୍ଦୋଳନର ନୂତନ କୌଶଳ, ନୂଆ ହତିଆର ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡିଛି । ସମୟ ଆସିଛି ଆମେ ସମସ୍ତେ ସକ୍ରିୟ ଭାବେ ଏହି ଧ୍ୱଂସ ମୁଖୀ ବ୍ୟବସ୍ଥାର ସାମନାକରି ସମାଜକୁ ମୁକ୍ତ ଏବଂ ସୁରକ୍ଷିତ କରି ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ନିମନ୍ତେ ଐକ୍ୟବଦ୍ଧ ଓ ସଂକଳ୍ପବଦ୍ଧ ଭାବେ ସଂଗ୍ରାମ ଆରମ୍ଭ କରିବା । ଏକ ନୂତନ ବିକଳ୍ପ, ଯାହାକି ସଂପୂର୍ଣ୍ଣ ନୂଆ ଦୃଷ୍ଟିକୋଣ ନେଇ ଏହି ଜନବିରୋଧୀ ଓ ଧ୍ୱଂସମୁଖୀ ଶକ୍ତି ସମୂହକୁ ପ୍ରତିରୋଧ କରିବା ପାଇଁ ଶକ୍ତିଶାଳୀ ଗଣଆନ୍ଦୋଳନ ଏକାନ୍ତ ଆବଶ୍ୟକ ।
ଆଜି ସମଗ୍ର ଭାରତବର୍ଷରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡିକର ଆକାଶ ଛୁଆଁ ଦରବୃଦ୍ଧି ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟସରକାରମାନଙ୍କର ଜନବିରୋଧୀ ବଜେଟ୍ରେ ଯାତ୍ରୀଭଡା, ପରିବହନ ଶୁଳ୍କ ଓ ଟିକସ୍ ବୃଦ୍ଧିକୁ ସାଧାରଣ ଲୋକଙ୍କ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଛି । ଯାହା ଗରୀବ, ଖଟିଖିଆ, ଶ୍ରମଜିବୀ, ସହରୀ ଓ ଗାଉଁଲି ଜୀବନଧାରା ପ୍ରତି ଏକ ଶକ୍ତ ଧକ୍କା । ଅତ୍ୟନ୍ତ ଭୟଙ୍କର ଭାବେ ବେକାରୀ ସମସ୍ୟା ସାଙ୍ଗକୁ କ୍ରମାଗତ ଭାବେ କଳକାରଖାନା, ଖଣିଖାଦାନ ବନ୍ଦ ଏବଂ ଶ୍ରମିକ ଛଟେଇ, ନିଯୁକ୍ତି ସଂକୋଚନ, ସ୍ୱଳ୍ପ ଜମିଥିବା ଚାଷୀ ଧୀରେ ଧୀରେ ଜମି ହରେଇ ଦେଇ ଦାଣ୍ଡର ଭିକାରୀ ସାଜିବା, ଶିକ୍ଷା ଅତି ଶସ୍ତାରୁ ଶସ୍ତା ହୋଇଯିବା, ଶିକ୍ଷା ଓ ସଂସ୍କୃତିଜୀବନ ପ୍ରଣାଳୀକୁ ଉନ୍ନତ୍ତ କରିବା ପରିବର୍ତ୍ତେ ବ୍ୟବସାୟିକ ପଦ୍ଧତିରେ ସମାଜକୁ ଧ୍ୱଂସ ଆଡକୁ ଟାଣି ନେଇଯାଉଛି ।
ଏସବୁ ସାଙ୍ଗକୁ ସମାଜରେ ଆଖିବୁଜା ଆତଙ୍କରାଜର ଉତ୍ପାତ୍ତ, ହିଂସାକାଣ୍ଡର କ୍ରମାଗତ ବୃଦ୍ଧି, ହତ୍ୟା, ଗଣହତ୍ୟା, ଅପହରଣ, ନାରୀ ନିର୍ଯ୍ୟାତନା, ଉତ୍ପୀଡନ ଏବଂ ସାଂପ୍ରଦାୟିକତା ମନୋଭାବରୁ ଚାରିଆଡେ ଦୁଃସହ ଦଙ୍ଗାହଙ୍ଗାମା, ନିରୀହ ଜନଗଣଙ୍କୁ ନିଷ୍ଠୁର ହତ୍ୟାଲୀଳା, ଧନସଂପତ୍ତି ଲୁଟ୍ ତରାଜ, ଦୋକାନ ଓ ବାସଗୃହକୁ ଜାଳି ଧ୍ୱଂସ କରିଦେବା, ଘରର ମହିଳାମାନେ ଗଣଧର୍ଷଣର ଶିକାର ହେବା, ସର୍ବୋପରି ଧର୍ମ ନାଁରେ ଏସବୁ ଅପକର୍ମ ଏ ଦେଶର ଜୀବନଧାରାକୁ ହାଣ ମୁହଁକୁ ମୁହାଁଇ ନେଇଛି । ଜଣାଶୁଣା ବାମପନ୍ଥୀ ଓ ଧର୍ମନିରପେକ୍ଷ ଦଳ, ସଂଗଠନଗୁଡିକ ଏ ଘୋର ଅନ୍ୟାୟ ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ କରିବାର ଆଶା ଯାହା କରାଯାଉଥିଲା, ତାହା ପାଣି ଫଟକା ପରି ମିଳେଇ ଯାଇଛି । ସେମାନଙ୍କ ମଧ୍ୟରୁ କେତେକ ନୀରବ-ନିଷ୍କ୍ରିୟ ଭାବରେ ବସି ରହିଥିବାବେଳେ ଅନ୍ୟ କେତେକ କେବଳ ସାମ୍ବିଧାନିକ ଧାରାରେ ଉଚ୍ଚାସ୍ୱରରେ ଭାଷଣ ଦେବା ଛଡା ଆଉ କିଛି କରିପାରୁନାହାଁନ୍ତି ।
ସମୟ ଥିଲା – ସବୁଠୁ ସଂଗଠିତ ଥିଲା ଶ୍ରମିକ ଆନ୍ଦୋଳନ । ସେତେବେଳେ ଶ୍ରମିକମାନେ, ଶ୍ରମିକନେତାମାନେ ସତ୍ ମନରେ ଆପଣାର ଅଧିକାର ସାବ୍ୟସ୍ତ କରିବାପାଇଁ ଲଢେଇ କରୁଥିଲେ । ଯେଉଁଦିନଠାରୁ ମାଲିକଶ୍ରେଣୀ ନେତା କିଣିବା ଆରମ୍ଭ କଲେ – ଏପରିକି ମନ୍ତ୍ରୀ, ଏମ୍.ଏଲ୍.ଏ., ଅଫିସର ଏବଂ ନେତାମାନଙ୍କୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ଦେଲେ – ସେବଠୁଁ ନେତାମାନେ ବକ୍ରି ହୋଇ ହାଟରେ ବିକ୍ରି ହେଲେଣି । ଶ୍ରମିକଶ୍ରେଣୀ ପାଇଁ ଲଢେଇ କରୁଥିବା ନେତାମାନଙ୍କର ସତ୍ତା, ଦୂରଦୃଷ୍ଟି, ସାଧୁତା ଅଭାବରୁ ଶ୍ରମିକ ଆନ୍ଦୋଳନ ବିପଥଗାମୀ ହେବାରେ ଲାଗିଛି । ଯେଉଁ ନେତାମାନେ ମାଲିକର ଦଲାଲ ହେଲେ ନାହିଁ ସେମାନେ ମଧ୍ୟ ସଠିକ୍ ରାସ୍ତାରେ ସଠିକ୍ ନେତୃତ୍ୱ ଦେବାରେ ସକ୍ଷମ ହୋଇପାରୁନଥିବାରୁ ଶ୍ରମିକ ଶ୍ରେଣୀ ନାନାବିଧ ସମସ୍ୟା ଓ କ୍ଷତି ସହିବାରେ ଲାଗିଛନ୍ତି । ଆମ ଆଖି ଆଗରେ ଆନ୍ଦୋଳନଗୁଡିକ ଶତ୍ରୁ ପକ୍ଷର ସାମାନ୍ୟ ଧକ୍କାରେ ଛିନ୍ନଛତ୍ର ହେବାର ଲାଗିଛି । ଆନ୍ଦୋଳନ ଆରମ୍ଭରେ ଆମେ କେତେ ବଡବଡ ସ୍ଲୋଗାନ୍ କଣ୍ଠ ଫଟେଇ ରଡିଛାଡି ରାସ୍ତା ଦଖଲ କରି ଶୋଭାଯାତ୍ରାରେ ଯାଇଛନ୍ତି ।
ଆମ ଶୋଭାଯାତ୍ରା, ଭାଷଣକୁ ଟିଭି, ରେଡିଓ, ଖବରକାଗଜ ବଡବଡ ହରଫରେ ଛାପୁଥିଲେ – ରେଡିଓ କହୁଥିଲା – ଟିଭି ଆମ ଚେହେରା ଦେଖାଉଥିଲା । ଆମେ ସବୁ ଗର୍ବ ଅଂହକାରରେ ଫାଟି ପଡୁଥିଲେ । ସତେ ଯେମିତି ଆମର ଜୟ ହାତ ମୁଠାରେ । ଗୋଟିଏ ଗୋଟିଏ ଆନ୍ଦୋଳନ ଗଢି ତୋଳିବା ପାଇଁ କର୍ମକର୍ତ୍ତା-ଆଗୁଆମାନେ କେତେ ପରିଶ୍ରମ କରି ନଥିବେ ! କେତେ କୁଆଡୁ ଚାନ୍ଦାଆଦାୟ କରିଥିବେ । ଶୋଭାଯାତ୍ରାରେ ଯୋଗ ଦେଇଥିବା ସ୍ଲୋଗାନକାରୀମାନେ ପକେଟରୁ କେତେ ଟଙ୍କା ଖର୍ଚ୍ଚ କରିନଥିବେ । ଆଉ ଅଧିକାଂଶ ଶୋଭାଯାତ୍ରା ଆନ୍ଦୋଳନରେ ଲୋକ ଯୋଗାଡ କରିବା ପାଇଁ ଗାଡିମଟର, ଖାଇବା ପିଇବା, ମଜୁରୀ ବାବଦ କେତେ ଟଙ୍କା ଖର୍ଚ୍ଚ ହୋଇନଥିବ ! ଏସବୁ ହିସାବ କିତାବ ସାଧାରଣ ଲୋକେ ଜାଣିବା ଆବଶ୍ୟକ କି ନୁହେଁ । ସେ ଆଡକୁ କାହାର ନଜର ନାହିଁ ।
ଆନ୍ଦୋଳନ ଯେ ପର୍ଯ୍ୟନ୍ତ ନିରାପଦ ଥିବ ଭାରି ବଢିଆ ଟିକେ ଆକ୍ରମଣ ହେଲେ ଛିନ୍ନଛତ୍ର । ପୁଣି ଆକ୍ରମଣ ପରେ ଆକ୍ରମଣ, ଗିରଫ, ଜେଲ, ନିର୍ଯ୍ୟାତନା ହେଲେ କଥା ସରିଲା । ଲୋକେ ଆନ୍ଦୋଳନ ବିମୁଖ ହୋଇପଡନ୍ତି । ଦାବୀସବୁ ଫସର ଫାଟିଯାଏ ।
ଲୋକଙ୍କର ସବୁବେଳେ ବିପଦ ଅଛି – ନେତାମାନେ ବିପଦରୁ ମୁକ୍ତି କରିଦେଇ ସବୁ ଦାବୀ ହାସଲ କରିଦେବେ ବୋଲି କହନ୍ତି । ଲୋକେ ବି ଖୁସି ହୁଅନ୍ତି । ସ୍ୱପ୍ନ ଦେଖନ୍ତି । ମାତିଯାଆନ୍ତି । ହଜାର ହଜାର ଲୋକ ଏକାଠି ହେଲେ – ଭାବନ୍ତି ଏଥର ଦାବୀପୂରଣ ନହୋଇ ଯିବ କୁଆଡେ ? ମାତୁମାତୁ ହଠାତ୍ ପୁଲିସର ଲାଠିଗୁଳି ଦେଖି କିଛି ଲୋକଙ୍କ ଅଧାସାହାସ କମିଯାଏ । କିଛି ଲୋକ ମହାବୀରର ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ।
ଆନ୍ଦୋଳନକାରୀମାନେ ସଠିକ୍ ରାସ୍ତା ଓ ନେତୃତ୍ୱ ଦୃଢସଂଗଠନ ଅଭାବରୁ ଅଧାରୁ ଛତ୍ରଭଂଗ ଦିଅନ୍ତି । ସ୍ୱପ୍ନ ସବୁ ଭାଙ୍ଗିଚୁରମାର ହୋଇଯାଏ । ଅଧିକାଂଶ ଶତ୍ରୁର ଶରଣାପନ୍ନ ହୁଅନ୍ତି ।
ବିଶେଷକରି ଶ୍ରମିକନେତା, ଗଣଆନ୍ଦୋଳନର ନେତା, ଅର୍ଥନୈତିକ ସୁବିଧାବାଦର ଶିକାର ହେବା ଫଳରେ ସବୁ ଆନ୍ଦୋଳନ ଗର୍ଜ୍ଜନ ଓ ନିଆଁଗିଳା ସ୍ଲୋଗାନରେ ଫସର ଫାଟି ଯାଉଛି ଏବଂ ସ୍ଥଳବିଶେଷରେ ବିପଥଗାମୀ ହେବାରେ ଲାଗିଛି । ବହୁନେତା ବିନା ବ୍ୟବସାୟରେ କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି । ମାଲିକମାନଙ୍କ ଜାଲିଆତି ଜାଲରେ ଶ୍ରମିକଶ୍ରେଣୀ ଛନ୍ଦି ହୋଇଗଲେଣି । କମ୍ ଶ୍ରମିକ କର୍ମଚାରୀରେ ବେଶୀ ଲାଭର ଲାଳସା ମାଲିକମାନଙ୍କୁ ପାଗଳ କରି ଦେଇଛି । ଶ୍ରମଶକ୍ତି ବଦଳରେ ଯନ୍ତ୍ରଶକ୍ତି ବ୍ୟବହାର କରି ଲକ୍ଷଲକ୍ଷ ଶ୍ରମିକଙ୍କୁ ଛଟେଇ କରି ଭିକାରୀରେ ପରିଣତ କରିଛନ୍ତି । ଆଗକୁ ବେକାରବାହିନୀର ଭୟଙ୍କର ରୂପ ଦେଖିବାକୁ ବାକି ରହିଲା ।
ଆପଣମାନେ କି ଆନ୍ଦୋଳନ କରିବେ – ହକ୍ ଦାବୀ ହାସଲ ପାଇଁ କଣ୍ଠ ଫଟାଇ ଚିତ୍କାର କରି କହିବେ – ଆମ ଦାବୀ ପୂରଣ କର – ନହେଲେ ଆମେ ନିଆଁ ଜାଳିବୁ । ରାଜଧାନୀରେ କଳକାରଖାନା, ଖଣିଖାଦାନ, ବନ୍ଦର, ଶିଳ୍ପାଞ୍ଚଳ ମୁଖ୍ୟ କାର୍ଯ୍ୟାଳୟରେ ସରକାରୀ ଅଫିସ୍ ଆଗରେ ହଜାର ହଜାର ସଂଖ୍ୟରେ ଶୋଭାଯାତ୍ରା ବିକ୍ଷୋଭ, ଘେରାଉ କରିବେ । ଶେଷରେ ଧାରଣା ଦେଇ ଅନଶନ କରିବେ । ଆପଣମାନେ ମହାତ୍ମାଗାନ୍ଧୀ ନୁହଁନ୍ତି ଯେ ଅନଶନ କାମ ଦେବ । ଦି, ଚାରିଦିନ, ମାସ ମାସ ଧରି ଆନ୍ଦୋଳନ କଲେବି କେହି ଶୁଣିବାକୁ ନାହିଁ । ହଇରାଣହରକତରେ ଛଟ୍ପଟ୍ ହେଲାବେଳେ କର୍ତ୍ତୃପକ୍ଷଙ୍କ ଠାରୁ ମିଛ ପ୍ରତିଶ୍ରୁତି ପାଇ ଶେଷରେ ଓହରିଯାଆନ୍ତି ।
ଏ ବର୍ଷ ୨୦୨୨ ଶେଷବେଳକୁ ରାଜଧାନୀରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଲା । ଡ୍ରାଇଭର ମହାସଂଘର ହଜାର ହଜାର ସଂଖ୍ୟାରେ ରାଜଧାନୀ ଦଖଲ, ବିକ୍ଷୋଭ ଶୋଭାଯାତ୍ରା ଥିଲା ଅଦ୍ଭୂତ ପୂର୍ବ । ସେଇଭଳି ଅଙ୍ଗନବାଡି, ଆଶାକର୍ମୀ, ନିର୍ମାଣଶ୍ରମିକ, ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୁଖ ସଦସ୍ୟ/ସଦସ୍ୟାଙ୍କ ବିକ୍ଷୋଭ ଶୋଭାଯାତ୍ରା, ଅହରାତ୍ର ଧାରଣା ଦେଖିଲେ ଏବଂ ହଜାର ହଜାର ସଂଖ୍ୟାରେ ଏପରିକି ପଚାଶହଜାରରୁ ଉର୍ଦ୍ଧ ବିକ୍ଷୋଭକାରୀଙ୍କ କଣ୍ଠଫଟା ଚିତ୍କାରର ଗର୍ଜନ ରାଜଧାନୀରେ ଏକ ବିରାଟ କୋଳାହଳରେ ପରିଣତ ହୋଇଥିଲା ।
ଯେହେତୁ ଅଧିନ ଜଣେ ଜନଆନ୍ଦୋଳନର ସମର୍ଥକ ସେଥିପାଇଁ ଏ ବିକ୍ଷୋଭକାରୀ ଧାରଣାସ୍ଥଳକୁ ଯାଇ ସେମାନଙ୍କର ମନର କଥା ଓ ବେଦନାକୁ ଅନୁଭବ କରୁଥିଲି । ସେଦିନ ଗୋଟିଏ ସଂଗଠନର ଅହୋରାତ୍ର ଧାରଣା ଚାଲିଥାଏ, ଶ୍ରମଜୀବୀ ପୁରୁଷ/ମହିଳାମାନେ ଶୀତକାକରରେ ସବୁଦିନିଆ ପ୍ରଶସ୍ତ ରାଜପଥରେ ହିନିମାନିଆ ଅବସ୍ଥାରେ ରାତ୍ରିଯାପନ କରୁଥିଲେ । ଏପରିକି ସେ ସମୟରେ ମଗୁଶର ମାସ ମାଣବସା ଗୁରୁବାର ପଡିଥିଲା – ରାସ୍ତା ମଝିରେ ‘ମାଣବସା’ ଗୀତଗାଇ ମହିଳାମାନେ କଣ୍ଠ ଫଟାଉଥିଲେ । ସେଠାରେ ଏକପ୍ରକାର ଉଠାଦୋକାନୀ ମାନଙ୍କ ଠେଲାଗାଡିରେ ଜଳଖିଆ ଠାରୁ ଆରମ୍ଭ କରି ଚୂଡି ପର୍ଯ୍ୟନ୍ତ ପସରା ମେଲିଥିଲା । ଭାଇଭଉଣୀମାନଙ୍କ ବିକ୍ଷୋଭ ଧାରଣା ଚାଲିଥିଲାବେଳେ ବି ଠେଲାଗାଡି ଦୋକାନୀଙ୍କ ପାଖରେ ଭିଡ ଲାଗିରହିଥିଲା । ପୁଣି କେତେକ ରାଜଧାନୀ ବୁଲି ମନପସନ୍ଦର ଜିନିଷ କିଣିବାରେ ବ୍ୟସ୍ତ ରହୁଥିବାର ଦେଖାଗଲା ।
ଧାରଣାସ୍ଥଳରେ ହଜାରହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଦିନେ, ଦି’ଦିନ, ତିନିଦିନ ଧରି ରହୁଥିବାରୁ ସେଠାରେ ପରିସ୍ରା କରିବାର ସ୍ଥାନ ନଥିଲା । ପରିସ୍ରାକୁ କ’ଣ ଅଟକାଇ ହେବ? ଯିଏ ଯେଉଁଠି ପାଇଲେ ମୂତ୍ର ତ୍ୟାଗ କଲେ । ସଂଧ୍ୟାବେଳେ ଧାରଣାସ୍ଥଳ ପାଖ ସରକାରୀ କ୍ୱାର୍ଟରରେ ରହୁଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ସାକ୍ଷାତ୍ କରିବାକୁ ଯାଇଥିଲି । ତାଙ୍କ ମୁଖ୍ୟ ଫାଟକ ପାଖରେ ମଧ୍ୟ ବିକ୍ଷୋଭକାରୀଙ୍କ କୋଳାହଳ । ଗେଟ୍ରେ ତାଲା ପଡିଛି – ଖଡ୍ଖଡ୍ କଲାରୁ ସାମ୍ବାଦିକଙ୍କ ପୁଅ ଆସି ଦେଖି କହିଲେ – ମଉସା ପଛପଟେ ଆସନ୍ତୁ । ମୁଁ ତାଙ୍କ କ୍ୱାର୍ଟର ସାଇଡ୍ ପାଚେରୀ ପାଖରେ ପହଞ୍ଚିଲାବେଳେକୁ ମନରେ ଏକ ଭ୍ରମ ସୃଷ୍ଟି ହେଲା । ସତେ ଯେମିତି ପଚପଚ ମୂତ୍ରର ପୋଖରୀ, ପୁଣି ମଳମୂତ୍ରର ସମିଶ୍ରଣ ନାକଫଟା ଗନ୍ଧ । ସେ ଦୁର୍ଗନ୍ଧକୁ ନାକପାଟି ବାଟେ ନ ପଶିବାକୁ ଚେଷ୍ଟାକରି ବିଫଳ ହେଲି । ଛୋଟ ଗେଟ୍ ବାଟେ ପ୍ରବେଶକରି ବରିଷ୍ଠ ସାମ୍ବାଦିକଙ୍କୁ ସାକ୍ଷାତ କଲି । ସେ କହିଲେ – ମାୟାଧର ଆମେ ଏକପ୍ରକାର ଗୃହବନ୍ଦୀ । ପଦାକୁ ବାହାରି ହେଉନି ।
ଏ ଅଧମ ପ୍ରାୟ ପଚାଶ ବର୍ଷ ହେଲା ଦେଶ ଓ ରାଜ୍ୟ ଏପରିକି ଆଞ୍ଚଳିକ ସ୍ତରରେ ଛାତ୍ର, ଶ୍ରମିକକର୍ମଚାରୀ, କୃଷକ, ବିସ୍ଥାପିତ ପ୍ରମୂଖ ବହୁ ଗଣଆନ୍ଦୋଳନରେ ଭାଗ ନେଇଛି – ନେତୃତ୍ୱ ମଧ୍ୟ ନେଇଛି । ‘ଦିଲ୍ଲୀ ଚାଲ’ ଠାରୁ ଆରମ୍ଭକରି ହଜାରହଜାର ସଂଖ୍ୟାରେ ଶ୍ରମଜୀବୀ, ବାସହରା ବଞ୍ଚିତ ମଣିଷକୁ ନେଇ ରାଜଧାନୀକୁ ପାଖାପାଖି ବିଭିନ୍ନ ସ୍ଥାନରୁ ୧୫୦ କିଲୋମିଟର ପଦଯାତ୍ରାରେ ୫/୭ ଦିନରାତି କଟିଯାଇଛି । ସେଦିନ ଶ୍ରମଜୀବୀ ଜନଗଣ ନିଷ୍ଠାର ସହିତ ସଂକଳ୍ପବଦ୍ଧ ହୋଇ ସଂଗ୍ରାମରେ ସାମିଲ ହେଉଥିଲେ । କେତେକାଂଶରେ ହକ୍ ଦାବୀ ମଧ୍ୟ ପୂରଣ ହେଉଥିଲା । ଏ ଆଖି ଦେଖିଛି – ରାଜ୍ୟ ଓ ଦେଶର କେତେ କେତେ ନିର୍ଜ୍ଜାତିତ ମଣିଷର ପଟୁଆର । ଆଜି କିନ୍ତୁ କ’ଣ ଦେଖିଲି – ଏ କ’ଣ ହେଲା – କାହିଁକି ଏମିତି ହେଲା – ଏଇ ସମସ୍ୟାର କ’ଣ ସମାଧାନ ନାହିଁ ?
ବର୍ତ୍ତମାନର ଭସ୍ମୀଭୂତ ଭାରତବର୍ଷ ଓ ସଂତ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିତ୍ରାଣର ପନ୍ଥା ଖୋଜା ଚାଲିଛି ବିଭିନ୍ନ ସ୍ତରରେ । ଭସ୍ମସ୍ତୂପ ମଧ୍ୟରୁ ଭବିଷ୍ୟତକୁ ଉଦ୍ଧାର କରିବା ଏବଂ ଭଗ୍ନସ୍ତୂପ ମଧ୍ୟରୁ ଜନଜୀବନକୁ ରକ୍ଷା କରିବା ନିମନ୍ତେ ଆଜି ଯେଉଁ ଅଙ୍ଗୀକାରବଦ୍ଧ ଆନ୍ଦୋଳନ ଓ ଗଣସଂଗ୍ରାମ ଏକାନ୍ତ ପ୍ରୟୋଜନ, ସେଥି ନିମନ୍ତେ ଆମ ସମସ୍ତଙ୍କର ସମ୍ମିଳିତ ସଂକଳ୍ପ ଅପରିହାର୍ଯ୍ୟ ।
ଆଜି ମନ୍ଦିର-ମସ୍ଜିଦ୍କୁ ନେଇ ଝଗଡା । ଧର୍ମ-ବିଧର୍ମକୁ ନେଇ ବିବାଦ । ସୀମା-ସନ୍ତ୍ରାସକୁ ନେଇ ତୁମ୍ବି ତୋଫାନ୍ । ରାଷ୍ଟ୍ର, ଧର୍ମ, ପତାକା, ଜାତୀୟତା ଇତ୍ୟାଦିକୁ ଆଳ କରି ସାରା ପୃଥିବୀରେ ସଂପ୍ରତି ପୁଞ୍ଜିବାଦ ତା’ର ଚକ୍ରାନ୍ତର ଚମତ୍କାରିତା ପ୍ରଦର୍ଶନ କରିଚାଲିଛି । ମାଟିଠୁ ମଣିଷକୁ ଅଲଗା କରି ଦିଆଯାଉଛି । ଲକ୍ଷ୍ୟଠୁ ଲୋଚନକୁ ଦୂରେଇ ରଖା ଯାଉଛି, ସ୍ୱପ୍ନଠୁ ସଂକଳ୍ପକୁ ହଟାଇ ନିଆଯାଇଛି । ସବୁ ସ୍ତରରେ ଲେଲିହାନ୍ ଲୋକଜିହ୍ୱା ବିସ୍ତାର କରି ଚାଲିଛି ଅତିଷ୍ଠ ଅସନ୍ତୋଷର ଅଗ୍ନିଶିଖା । ଅଥଚ ଗଦିରେ ଘୁମେଇ ଗାଦିରେ ବସିଥିବା ଆଜିର ଶାସକ ଶ୍ରେଣୀ, ଖଟରେ ଶୋଇ ମଠରେ ମାମଲାତି କରୁଥିବା ଯାଜକବୃନ୍ଦ, କୁର୍ସିରେ ବସି ଆର୍ସି ଆଗରେ ଚେହେରା ସଜଉଥିବା ପ୍ରଶାସକ ବର୍ଗ ସମକାଳୀନ ସମାଜର ଏ ଉତ୍କଟ ଅସୁସ୍ଥତା ପ୍ରତି ଏକାନ୍ତ ଉଦାସୀନ ।
ହାଣ ମୁହଁକୁ ମୁହାଇଁ ଚାଲିଥିବା ଆମର ଏ ଯୁଗ ଯୁଗର ଐତିହ୍ୟମୟ ଦେଶ ଓ ସମାଜଜୀବନକୁ କ’ଣ ଧ୍ୱଂସ ହେବା ପାଇଁ ଆମେ ଛାଡି ଦେବା ? ଗୋଟିଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର… ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକାଇ ଦେବା ତା’ ଭିତରେ ? ନା, ପରିତ୍ରାଣ ପାଇଁ ଆମକୁ ଆଜି ଶିରସ୍ତ୍ରାଣ ପିନ୍ଧି ହାତରେ ଧରିବାକୁ ପଡିବ ଗଣସଂଗ୍ରାମର ଅମୋଘ ଅସ୍ତ୍ର । ସତ୍ ମନର ସ୍ୱପ୍ନ ଯଦି ସଂକଳ୍ପରେ ପରିଣତ ହୁଏ, ତେବେ ନିଶ୍ଚିତ ଭାବରେ ସାର୍ଥକ ହେବ ଆମର ଆଗାମୀ ସମାଜର ସଜର୍ନା ଓ ସଂରଚନା ।
ଲୁହ ଲହୁର ଲଢେଇ ପାଇଁ ଶେଷକୁ ହାର ମାନିବ ? ଶ୍ରମଜୀବୀ- ସଂସ୍କୃତି ହେବ ପଥଭ୍ରଷ୍ଟ ? ସାଧାରଣ ମଣିଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ ହେବ ନୀତିଭ୍ରଷ୍ଟ ? ଶ୍ରମିକ ଶ୍ରେଣୀର ଭବିଷ୍ୟତ ହେବ ନଷ୍ଟବିନଷ୍ଟ ? ଧ୍ୱଂସର ଆସନ୍ନ ଅନ୍ଧକାର ବିରୋଧରେ ଆଲୋକ ଓ ଅଙ୍ଗୀକାରର ଅଭିଯାତ୍ରା ପାଇଁ ସମୟ ପହଞ୍ଚିଯାଇଛି ଆଜି । ଏହି ଘଡିସନ୍ଧି ମୁହୂର୍ତ୍ତରେ ପଶ୍ଚାତଗତିର ବ୍ୟର୍ଥତା ଓ ବିଡମ୍ବନାର ନୂତନ ଅଭିଜ୍ଞତାର ଶିକ୍ଷା ହାସଲ କରି ଜନଗଣଙ୍କ ହାତରେ ଗଣଆନ୍ଦୋଳନର ନୂତନ ଆଭିମୁଖ୍ୟ ଜ୍ଞାନଅସ୍ତ୍ର ଧରାଇଦେବା ହିଁ ସମୟର ଆହ୍ୱାନ ।
- ମାୟାଧର ନାୟକ
- ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩