ମାୟାଧର ମିଜାଇଲ୍‍-୬: ‘ଆନ୍ଦୋଳନ ଚାଲୁରଖ’

0
  • TATKAL ODISHA// VIEW POINT //
  • *************
  • ମାୟାଧର ନାୟକ
  • ***************

ସମ୍ବାଦପତ୍ର ପୃଷ୍ଠା ଖୋଲିଲେ କି ଟିଭି ଦେଖିଲେ ସଭାସମିତି, ଘେରାଉ, ଆନ୍ଦୋଳନ, ବିକ୍ଷୋଭ ପଢୁପଢୁ ଦେଖୁଦେଖୁ ଦଫାଶେଷ । ୟା-ବାଦେ ପୁଣି ସେକ୍ସ, ରେପ୍‌, ମର୍ଡର, ଚୋରୀ, ଡକାୟତୀ, ରାହାଜାନୀ, ଅପହରଣ, ଘୋଟେଲା, ଖେଳ, ବ୍ୟବସାୟ, ସିନେମା, କଳା, ସଂସ୍କୃତି ସମ୍ବାଦ ଅଛି । କିନ୍ତୁ ଅସଲୀ ସମ୍ବାଦ ଦୃଶ୍ୟମାନ ହୁଏନା, ଚାଷୀ ଶ୍ରମିକ, ମୂଲିଆ ଗାଁ ଗଣ୍ଡାର ଅପନ୍ତରାରେ ରହୁଥିବା – ଜୀବନ ବଂଚାଇବା ପାଇଁ ସଂଗ୍ରାମ କରୁଥିବା ଅଗଣିତ ଜନଗଣଙ୍କ କଥା । କାଁ ଭାଁ ଉପରଠାଉରିଆ ଭାବରେ କଦବା କେଉଁଠି ଖୁଚୁରାଖବର ହୋଇ ପ୍ରକାଶିତ ହୋଇଥାଏ ।

  • ଯେଉଁମାନେ ପେଟକୁ ଦାନା ଦେଲେ, ଦେହକୁ କନା ଦେଲେ, ସେମାନେ ଅଦୃଶ୍ୟରେ ଆଉ ଯେଉଁମାନେ ଦାନାକନା ଛଡେଇ ନେଲେ ସେମାନେ ଦୃଶ୍ୟମାନ । ଯୁଗ ଆରମ୍ଭରୁ ପ୍ରତିବାଦ-ପ୍ରତିରୋଧ, ପ୍ରତିକାର ବିଭିନ୍ନ ଉପାୟରେ ଚାଲିଛି- ଯୁଗ ବଦଳିବା ସଂଗେସଂଗେ ତରିକା ମଧ୍ୟ ବଦଳିଯାଉଛି । ପୂର୍ବରୁ ଯେଉଁ ଅସଲି ତରିକା ଥିଲା ଏବେ ସବୁ ନକଲି ତରିକାରେ ରୂପାନ୍ତରିତ କେବେଠୁ ହୋଇସାରିଲାଣି ।
    • ସାରା ଓଡ଼ିଶା
      • ସୁକିନ୍ଦା
        • ଭୁବନେଶ୍ୱର
          • ଦିଲ୍ଲୀ

ମୋର ଦୀର୍ଘବର୍ଷର ସ୍ମୃତି ମନେପଡୁଛି । ସୁକିନ୍ଦା, ଭୁବନେଶ୍ୱର, ସାରା ଓଡିଶା, ଦିଲ୍ଲୀରେ ସଭାସମିତି ବିକ୍ଷୋଭ, ଧାରଣା, ଶୋଭାଯାତ୍ରା, ଘେରାଉ କଲାବେଳେ ଦର୍ଶକ କିମ୍ବା ବିକ୍ଷୋଭ- ପ୍ରଦର୍ଶନକାରୀମାନେ ଆନ୍ତରିକ ଭାବେ ସବୁ କରୁଥିଲେ । ଅଧିକାଂଶ ନେତା ଯେଉଁମାନେ ଏସବୁ ପରିଚାଳନା କରୁଥିଲେ- ସେମାନଙ୍କ ଆଚାର ବ୍ୟବହାର ଉଚ୍ଚାରଣରେ କିଛିଟା ସତ୍ୟ ଥିଲା । ସେତେବେଳେ ବି ବହୁନେତା ଯାହା କୁହନ୍ତି ଓଲଟା କାମ କରନ୍ତି ।

ସେତେବେଳେ ଆଜିକାଭଳି ଏତେ ବହୁମୁଖୀ ଗଣମାଧ୍ୟମ ନଥିଲା । ହାତଗଣତି ସମ୍ବାଦପତ୍ର, ନ୍ୟାସ୍‌ନାଲ ଦୂରଦର୍ଶନ ପ୍ରମୁଖରେ ସମ୍ବାଦ ଫଟୋ ପ୍ରକାଶିତ ହେଲେ ସମଗ୍ର ଦେଶରେ ଦୃଶ୍ୟମାନ ହେଉଥିଲା ଏବଂ ଲୋକ ଜାଣୁଥିଲେ । ଆଜି କିନ୍ତୁ ସବୁ ଓଲଟପାଲଟ ହୋଇଯାଇଛି । ଦେଶୀୟ ଓ ରାଜ୍ୟସ୍ତରୀୟ ସମ୍ବାଦପତ୍ର ହାଉଜାଉ; ଅଥଚ ଗୋଟିଏ ଅଂଚଳର ଖବର ଅନ୍ୟ ଅଂଚଳ ଲୋକ ଜାଣିପାରୁନାହାନ୍ତି ।

ଉଦାହରଣ ସ୍ୱରୂପ- ଓଡିଶାରେ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଆଶା ପ୍ରମୁଖ ସମ୍ବାଦପତ୍ରଗୁଡିକର ସଂଧ୍ୟାରେ ଗୋଟିଏ ସଂସ୍କରଣ ପ୍ରକାଶ ପାଇବା ଦ୍ୱାରା ସାରା ଓଡିଶାର ଲୋକମାନେ ସକାଳୁ ରାଜ୍ୟର ବିଭିନ୍ନ କୋଣଅନୁକୋଣର ସମ୍ବାଦ ପାଇପାରୁନଥିଲେ । ଏବେ ପାଖାପାଖି ୬୧ଟି ଦୈନିକ, ୪୧ଟି ସାପ୍ତାହିକ, ପାକ୍ଷିକ ଓ ଅସଂଖ୍ୟ ମାସିକ, ତ୍ରୟୋମାସିକ, ବାର୍ଷିକ ସମ୍ବାଦପତ୍ର ପତ୍ରିକା ଏବଂ ଇଂରାଜୀ, ହିନ୍ଦୀ ସମ୍ବାଦପତ୍ର ସଂଖ୍ୟା ମଧ୍ୟ କମ୍ ନୁହେଁ । ଜାତୀୟ ସମ୍ବାଦପତ୍ରର କିଛି ସଂସ୍କରଣ ମଧ୍ୟ ଓଡିଶାରୁ ପ୍ରକାଶ ପାଉଛି । ବହୁ ଟିଭି ଚାନେଲ୍ ରାତିଦିନ ୨୪ ଘଂଟା ଚାଲିଛି । ଲୋକେ କ’ଣ ଦେଖିବେ କ’ଣ ପଢିବେ- ବଡ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।

ଖବର ଅଖବର, ରେପମର୍ଡର, ଖେଳ, ସିରିଏଲ୍‌, ସିନେମା ଏତେମାତ୍ରାରେ ଟିଭି, ସମ୍ବାଦପତ୍ରରେ ପ୍ରକାଶ ପାଉଛି- ଜଣେ ସବୁ ପଢିଦେଖି ପାରିବ ନାହିଁ । ପୁଣି ଟିଭି ଖବର କାଗଜରେ ବିଜ୍ଞାପନ ଭର୍ତି ହୋଇଯାଉଛି । ସବୁ ଗଣମାଧ୍ୟମ ବ୍ୟବସାୟରେ ମାତିଛନ୍ତି । ଯଦି ଏତେ ଟିଭି, ସମ୍ବାଦପତ୍ର ନଥାନ୍ତା ତା’ହେଲେ ଆନ୍ଦୋଳନ ବିକ୍ଷୋଭ, ଶୋଭାଯାତ୍ରା, ସଭାସମିତି ସଂଖ୍ୟା ମଧ୍ୟ କମିଯାଆନ୍ତା । କାରଣ ଲକ୍ଷ୍ୟ ଉଦ୍ଦେଶ୍ୟ ଯାହାହେଉନା କାହିଁକି- ନେତାନେତ୍ରୀ ଓ ଲୋକମାନେ ଦୂରଦର୍ଶନରେ ଦୃଶ୍ୟ ହେଲେ, ସମ୍ବାଦପତ୍ରରେ ଫଟୋ ବାହାରିଲେ କୃତକୃତ୍ୟ ହୋଇଯାଆନ୍ତି । ସେଣିକି ଦାବୀ ପୂରଣ ହେଲା କେତେ ନ ହେଲା କେତେ ?

  • ବେଳେବେଳେ ବିରାଟବିରାଟ ବିକ୍ଷୋଭ, ଧାରଣା, ଶୋଭାଯାତ୍ରା ନେତୃତ୍ୱବିହୀନ ହୋଇଥାଏ । ‘ହରିବୋଲିଆ’ ଭଳି ଜନତା ମାତିଯାଆନ୍ତି । ନିଜଦାବୀ ସଂପର୍କରେ ମଧ୍ୟ ସଂପୂର୍ଣ୍ଣ ସଚେତନ ନଥାଆନ୍ତି । ଦଳେ ନେତା ଅଛନ୍ତି- ନିଜେ କରିପାରିବେ ନାହିଁ କି କାହାରିକୁ ପୂରାଇ ଦେବେନି । ଅଧିକାଂଶ ସମୟରେ ନେତାଙ୍କ ମଧ୍ୟରେ ତାଳମେଳ ରହେନା । ଏପରିକି ଜାତୀୟ ନେତାଙ୍କ ସହ ଫଟୋ ଉଠାଇବା ପାଇଁ ମୁଥା ମରାମରି ହୁଅନ୍ତି । ଫଟୋ ପାଇଁ ମୁଖା ମରାମରି ନହୋଇ ଦାୟିତ୍ୱ ନେବାପାଇଁ ମୁଥା ମରାମରି ହୁଅନ୍ତେ କି- ତା’ହେଲେ ଲୋକଙ୍କର ମଙ୍ଗଳ ହୁଅନ୍ତା ।

ଆନ୍ଦୋଳନରେ ନାଟକବାଜି ବେଶୀ । ଆନ୍ଦୋଳନମେଳା ଯେତେବେଳେ ଆରମ୍ଭ ହୁଏ, ବିଶେଷକରି ଶୀତଋତୁରେ ବର୍ଷସାରା ସାଇତି ରଖିଥିବା ଶାଲ, ସୁଇଟର, କୋର୍ଟ ନେହୁରୁ ଜ୍ୟାକେଟ୍‌, ଅନ୍ୟାନ୍ୟ ହରରଙ୍ଗୀ ଶୀତପୋଷାକ ପିନ୍ଧି ଓଡିଶାର ଗାଁଗଣ୍ଡାରୁ ବହୁ ଆନ୍ଦୋଳନକାରୀ ଏବଂ ଅଣଆନ୍ଦୋଳନକାରୀ ରାଜଧାନୀକୁ ଛୁଟିଆସନ୍ତି । ଆଜିକାଲି ଫ୍ଲେକ୍ସ ମିଟର ୮ଟଙ୍କାରୁ ୧୦ ଟଙ୍କା ହୋଇଥିବାବେଳେ ଶସ୍ତାରେ ବ୍ୟାନର ଆଣି ଶୋଭାଯାତ୍ରାର ଅଗ୍ରଭାବରେ ନେତାମାନେ ଧରିଚାଲନ୍ତି ।

୧୯୭୧ରେ ସଦ୍ୟ ପାକିସ୍ଥାନ-ପୂର୍ବ ପାକିସ୍ଥାନରେ ଭୟଙ୍କର ଗୃହଯୁଦ୍ଧ ଅବସାନର ୭ଦିନ ପରେ ନୂତନ ବଙ୍ଗଳାଦେଶକୁ ଜଣେ ସାମ୍ବାଦିକ ଭାବେ ଯାଇଛି.

ଟିଭି, ଫଟୋ ସାମ୍ବାଦିକ ଆସିଗଲେ, ପ୍ରାୟ ବହୁଳାଂଶଙ୍କ ସ୍ଲୋଗାନ୍‌, ଖୁବ୍ ଜୋରରେ ଶୁଣାଯାଏ । ପୋଷାକପତ୍ର ମୁଣ୍ଡବାଳ ଟିକେ ସଜାଡିନିଅନ୍ତି ।

ଏଇ କେତେବର୍ଷ ହେଲା, ବିଶେଷକରି ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଲେ, ସେଦିନ ଯଦି ମାଣବସା ଶେଷ ଗୁରୁବାର ହୋଇଥାଏ, ତା’ହେଲେ ଲୋଏର୍ ପି.ଏମ୍‌.ଜି. ରାସ୍ତା ମଝିରେ ଲକ୍ଷ୍ମୀ ଠାକୁରାଣୀ ପୂଜା ଆରମ୍ଭ ହୋଇଥାଏ । ସେ ଫଟୋ ସମ୍ବାଦପତ୍ର ଓ ଟେଲିଭିଜନରେ ଦେଖାଯାଏ । ଅଧିକାଂଶ ପାଠକ, ଦର୍ଶକ ମୁରକି ହସନ୍ତି । ଏହାଦ୍ୱାରା ବାସ୍ତବ ଦାବୀପ୍ରତି ଯେଉଁ ଅଙ୍ଗୀକାର ରହିବା କଥା, ତା’ ରହେନି । ଆନ୍ଦୋଳନ ପରିହାସରେ ପରିଣତ ହୁଏ ।

ଏହି ଲେଖକ ଆନ୍ଦୋଳନ ସଂପର୍କରେ ଅନେକ କିମ୍ଭୂତ କିମ୍ଭାକର ଘଟଣା ଦେଖିଛି । ୧୯୭୧ ମସିହାରେ ସଦ୍ୟ ପାକିସ୍ଥାନ-ପୂର୍ବ ପାକିସ୍ଥାନରେ ଭୟଙ୍କର ଗୃହଯୁଦ୍ଧ ଅବସାନର ୭ଦିନ ପରେ ନୂତନ ବଙ୍ଗଳାଦେଶକୁ ଜଣେ ସାମ୍ବାଦିକ ଭାବେ ଯାଇଛି । ଢାକାର ବିରାଟ ମଇଦାନରେ ବିଜୟୋତ୍ସବ ପାଳିତ ହେଉଥାଏ । ଜଣେ ଛାତ୍ରନେତା ନାଟକୀୟ ଢଙ୍ଗରେ ଭାଷଣ ଦେବାବେଳେ ଘନଘନ କରତାଳି ଶଦ୍ଦରେ ସଭାସ୍ଥଳ ଫାଟି ପଡୁଥିଲା । ସେହି ନେତା ସଭାମଂଚ ତଳକୁ ଆସି ଗଦ୍‌ଗଦ୍ ହୋଇ ସାମ୍ବାଦିକମାନଙ୍କ ନିଜ ବାହାଦୂରୀ ବଖାଣିଲେ । ଏଇଭଳି ଅଧିକାଂଶ ନେତା ନାଟକୀୟ ଭଙ୍ଗିମାରେ ଭାଷଣ ଦେଇ ଶ୍ରୋତାଙ୍କ ଠାରୁ କରତାଳି, ହସ ସିନା ସଂଗ୍ରହ କରନ୍ତି, କିନ୍ତୁ ମଞ୍ଜ କଥା କହିପାରନ୍ତିନି । ଏହାଦ୍ୱାରା କିଛି ଲାଭ ହୁଏନା ।

ଏଇ ଓଡିଶାର ରାଜଧାନୀରେ ବହୁବର୍ଷ ଧରି ଯେତେବେଳେ ଶିକ୍ଷକ ମହାସଂଘର ରାଲି ହୁଏ, ଓଡିଶାର କୋଣଅନୁକୋଣୁ ପାଖାପାଖି ୨୫ ହଜାରରୁ ୩୦ ହଜାର ଶିକ୍ଷକ, ଶିକ୍ଷୟତ୍ରୀ ଆସନ୍ତି । ଶୃଙ୍ଖଳିତଭାବେ ଦୁଇଧାଡିରେ ଚାଲନ୍ତି । ସର୍ବାଗ୍ରେ ମଧ୍ୟ ବ୍ୟାନର ଧରି ଦୁଇଜଣ ଚାଲନ୍ତି । ଅବଶ୍ୟ ଧାଡି ସରେନା । ଫଟୋ ସମ୍ବାଦପତ୍ରରେ କେବଳ ଆଗଧାଡିରୁ କିଛି ଅଂଶ ଦେଖାଯାଏ; ଟେଲିଭିଜନରେ ମଧ୍ୟ ବେଶୀ ଭିଡ ଦେଖାଯାଏନା ।

ସବୁବେଳେ କିଛିନା କିଛି ନୂଆ ଧାରା ସୃଷ୍ଟି କରିବାର ଇଚ୍ଛାଯୋଗୁ ଥରେ ରାଜଧାନୀରେ ରଣଅଭିଯାନ ଓଡିଶାର ଏକ ରାଲିରେ ୫ ହଜାର ଆନ୍ଦୋଳନକାରୀ ଯୋଗଦେଇଥିଲେ ।

ପ୍ରଥମେ ପାଖାପାଖି ୫ ଶହ ଆଗରେ ପୂରାରାସ୍ତା ଜାମ୍ କରି ବିରାଟବ୍ୟାନର ଗୋଡଠାରୁ ପେଟପର୍ଯ୍ୟନ୍ତ ଧରି ଶୋଭାଯାତ୍ରା କଲୁ । ସମ୍ବାଦପତ୍ରରେ ଫଟୋ ବିରାଟ ଆକାରରେ ଆସିଲା । ଟେଲିଭିଜନ ମଧ୍ୟ ୫ ହଜାରରୁ ୨୫ ହଜାର ଭଳି ଲୋକ ଦେଖାଇଦେଲେ ।

ଯେଉଁଠି ବିପର୍ଯ୍ୟୟ ସେଇଠି ଜୟଜୟ । ଏ ହେଉଛି ଇତିହାସର ନିୟମ । ତେଣୁ ଧୈର୍ଯ୍ୟ ଧରି ଶେଷପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରଖ

ଆଉଥରେ ଏଇ ଲେଖକ ନେତୃତ୍ୱରେ ପାଖାପାଖି ୫୦ଜଣ ଗଣଅଭିଯାନ କର୍ମୀନେତା ରାଜଧାନୀରେ ସଂଗ୍ରାମୀ ପାଣ୍ଠି ସଂଗ୍ରହ ପାଇଁ ଘରଘର ବୁଲିଲେ । ୨ ଦିନ ବୁଲିଲା ପରେ ଆଦାୟ କମ୍ ଖର୍ଚ୍ଚ ଅଧିକ ହେବାରୁ କାର୍ଯ୍ୟକ୍ରମ ବାତିଲ କରାଯିବା ପାଇଁ ନିଷ୍ପତି ନିଆଗଲା । ସେଇରାତିରେ ଖବର ପ୍ରକାଶ ପାଇଲା ନାଲ୍‌କୋ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ମସୁଧା କରୁଛନ୍ତି । ରାତିରାତି ଭୁବନେଶ୍ୱର ନାଲ୍‌କୋ ହେଡଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ସ୍ଥିରକରି କିଛି ଧଳାକନା ଅଣାଯାଇ ବିଭିନ୍ନ ସ୍ଲୋଗାନ୍ ଲେଖି ମୁଣ୍ଡରେ ଗଳାଇ ଛାତିରେ ପିଠିରେ କର୍ମୀମାନେ ପିନ୍ଧି ସ୍ଲୋଗାନ୍ ଦେଲେ । ସେଦିନ ସଂଗେସଂଗେ ଜାତୀୟ ଟେଲିଭିଜନ୍ ଓ ଜାତୀୟ ସମ୍ବାଦପତ୍ରଠାରୁ ଆରମ୍ଭ କରି ଆଂଚଳିକ ଗଣମାଧ୍ୟମ ଏହି ଅଭିନବ ପ୍ରଦର୍ଶନକୁ ବ୍ୟାପକ ପ୍ରଚାର କଲେ ।

କଥାରେ ଅଛି- ଦେଖା ଶିଖା ଓଡିଶା । ବିଭିନ୍ନ ଦଳ ସଂଗଠନମାନେ ଏଭଳି ଅଭିନବ ଶୋଭାଯାତ୍ରା, ଧାରଣା, ବିକ୍ଷୋଭ ଦେଖି ନିଜର ସଂଗଠନମାନଙ୍କରେ ତାହାକୁ ଅନୁକରଣ କରିବାରେ ଲାଗିଲେ, ଯାହା ଆଜିଯାଏବି ଚାଲିଛି । ଏବେ ସଭାସମିତି, ଧାରଣା ବିକ୍ଷୋଭ ଶୋଭାଯାତ୍ରା ଏପରିକି ଘେରାଉ, ମାରପିଟ, ଗଣ୍ଡଗୋଳ ବହୁ ସ୍ଥାନରେ ହେଉଛି । ଲୋକେ ଏସବୁରେ ଭାଗନେଉଛନ୍ତି; କିନ୍ତୁ ଉଦ୍ଦେଶ୍ୟ-ଆଶା-ଆକାଂକ୍ଷା ଲକ୍ଷ୍ୟ ପୂରଣ ହେଉନି । ଆନ୍ଦୋଳନକାରୀଙ୍କ ଅପେକ୍ଷା ଆନ୍ଦୋଳନ ବିରୋଧୀ ଶକ୍ତି କୌଶଳରେ ଦମନ କରିଦେଉଛି । ତା’ସତ୍ୱେ ଜନଗଣଙ୍କ ସହଯୋଗ ଯେତେ ବଢିବ- ସେତେ ଶିକ୍ଷା ପାଇବେ, ସଚେତନ ହେବେ । ଥରେ ଗରିଷ୍ଠସଂଖ୍ୟାରେ ଲୋକ ସଚେତନ ହୋଇଗଲେ ଜନବିରୋଧୀ ଶକ୍ତି ସାବାଡ ହୋଇଯିବେ । ଯଦିଓ ବର୍ତମାନ ସର୍ବଗୁଣସଂପନ୍ନ ପରିକ୍ଷିତ ନେତା ମିଳୁନାହାଁନ୍ତି; ଆନ୍ଦୋଳନ ଲଗାତର ଲାଗିରହିଲେ, ଦମନକୁ ମୁକାବିଲା କରୁକରୁ ନୂଆ ନେତାଙ୍କର ଆବିର୍ଭାବ ହେବ । ଯେଉଁଠି ବିପର୍ଯ୍ୟୟ ସେଇଠି ଜୟଜୟ । ଏ ହେଉଛି ଇତିହାସର ନିୟମ । ତେଣୁ ଧୈର୍ଯ୍ୟ ଧରି ଶେଷପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରଖ ।

  • ମାୟାଧର ନାୟକ,
  • ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.