ମାୟାଧର ନାୟକଙ୍କ ସ୍ତମ୍ଭ: ଆଜି ମଧ୍ୟ ତମେ କନ୍ଦେଇଦେଲ !!! (୫)

0

+++++++++++++++

//TATKAL ODISHA// LOVE STORY//
ମାୟାଧର ନାୟକ

+++++++++++++++

ସେଦିନ ଥିଲା ଏପ୍ରିଲ୍‍ ପହିଲା ୨୦୨୩ ଉତ୍କଳ ଦିବସ । ବ୍ୟାସନଗରରେ ଉତ୍କଳ ଦିବସ ଉପଲକ୍ଷେ ଏକ ସମାବେଶ ହୋଇଥିଲା । ସେହି ସଭାରେ ମୋର ଅତିପ୍ରିୟ ୩ ଜଣ ବିଶିଷ୍ଟ ବକ୍ତା ଯୋଗଦେଇଥିଲେ । ସେମାନେ ସଭା ପରେ ଆମ ‘ମହାନାୟକ ଭବନ’ରେ ପହଞ୍ଚି ଥିଲେ । ସେମାନଙ୍କୁ ପତ୍ନୀ ଇନ୍ଦିରା ଦାସ ଯଥାରୀତି ଚର୍ଚ୍ଚା କଲେ । ସେଦିନ ରାତି ୧୨ଟା ପରେ ପ୍ରାୟ ୧ଟା ହେବ । ୧୨ଟା ପରେ ୨ ଏପ୍ରିଲ୍‍ । ମୁଁ ଶୋଇପଡିଥିଲି ।

ମୋର ପତ୍ନୀ ଲିଲି ମତେ ହଲେଇଦେଇ କହିଲେ ମୁଣ୍ଡଟା ଭାରି ବିନ୍ଧୁଛି । ମୋ ନିଦ ଭାଙ୍ଗିଗଲା । ମୁଁ ଲିଲିର ମୁଣ୍ଡ ଚିପିବା ଆରମ୍ଭ କଲି । ଆମ ଦୁଇଜଣଙ୍କର ନିଦ ଭାଙ୍ଗିଗଲା । ଲିଲି ତା’ ଜୀବନର ଅନେକ ଅକୁହା କଥା କହିଚାଲିଲା ।

କହିଲା – ଆପଣ ବର୍ତ୍ତମାନ ଯେଉଁ ସ୍ପିଡ୍‍ରେ ଦୌଡୁଛନ୍ତି, ଆମେ ଯେଉଁମାନେ ଆପଣଙ୍କ ଚାରିପାଖେ ଅଛୁ, ଆମକୁ କ’ଣ ସଂଗରେ ନେଇଯିବେନି ? ମୁଁ କହିଥିଲି – ମୁଁ ଦୌଡିବା ଅର୍ଥ ମୋ ସାଙ୍ଗରେ ଯେଉଁମାନେ ଅଛନ୍ତି ସମସ୍ତେ ଦୌଡିବେ । ସମସ୍ତଙ୍କର ମଙ୍ଗଳ ହେବ । ଏହିଭଳି ଭାବରେ କଥାବାର୍ତ୍ତରେ କିଛି ସମୟ କଟିଗଲା ।

୨ ତାରିଖ ଠିକ୍‍ ସକାଳ ସାଢେ ପାଞ୍ଚଟାରେ ଲିଲି ଉଠିପଡିଲେ । ମୁଁ ମଧ୍ୟ ଉଠେ, କିନ୍ତୁ ସେଦିନ ଉଠୁ ଉଠୁ ୬.୧୫ ବାଜିଗଲା । ମତେ ଦେଖି ଲିଲି କହିଲେ – ସୁପ୍ରଭାତ ! ମୁଁ କହିଲି – ସ୍ୱାଗତମ । ତା’ପରେ ସେ ଗରମପାଣି ଏକ ଗ୍ଲାସ୍‍, ଆଲେଭେରା ଜୁସ୍‍ ଏକ କପ୍‍ ଥୋଇଲେ । ମୁଁ ତାହା ପିଇଲି । ପରେ ପରେ ଚା’ ବିସ୍କୁଟ୍‍ ଦି’ଖଣ୍ଡ ରଖିଦେଲେ । ମୁଁ ଅଲ୍‍ ଇଣ୍ଡିଆ ରେଡିଓର ଭଜନ ଶୁଣୁଥାଏ । ସକାଳ ୬.୩୦ରେ ପାଖାପାଖି ଓଡିଆ, ବଙ୍ଗଳା, ହିନ୍ଦୀ, ଇଂରାଜୀ ଖବରକାଗଜ ୩୨ଟି ଆଣି ଗୋବର୍ଦ୍ଧନ ଦେଇଗଲା । ଖବରକାଗଜ ଆସିଲେ ମୁଁ ସଂଗେ ସଂଗେ ଆଗେ ଓଡିଆ କାଗଜରେ ଆଖି ବୁଲେଇଦିଏ ।

ସେଦିନ TATKAL ODISHA ରେ ମୋର ପ୍ରେମ କାହାଣୀର ଚତୁର୍ଥ ଭାଗ ‘ମଶାଓଡଷକାମୁଡା ଚଉଠିରାତି’ ପ୍ରକାଶ ପାଇଥାଏ । ପୂର୍ବରୁ ୧ ନଂରେ ‘ଯେଉଁଠି ଉଠେ ଝଡ, ସେଇଠି ଫୁଟେ କଢ’, ୨ନଂରେ ‘ଏ ଜୀବନ ଏକ ମିଳନାତ୍ମକ ନାଟକ, ଅଥଚ ଅଶାନ୍ତ ଆରମ୍ଭ’, ୩ନଂରେ ‘୧୨ଟଙ୍କାରେ ବାହାଘର, ୨୫ରେ ଭୋଜି’ ଆଜି ୪ ନଂ । ଏ ନିବନ୍ଧଗୁଡିକ ପାଖାପାଖି ୧୦ଟି ସମ୍ବାଦପତ୍ରରେ ଗୋଟିଏ ସପ୍ତାହରେ ପ୍ରକାଶ ପାଇଆସୁଛି । ମୁଁ ଚିହ୍ନିନଥିବା ବହୁ ପାଠକ ମୋ ପାଖକୁ ଫୋନ୍‍ କରି ବଧେଇ ଜଣାଉଛନ୍ତି ।

ୟା’ ଭିତରେ ବରହମ୍‍ପୁର, ରାୟଗଡା, କୋରାପୁଟ, ଜୟପୁର, ନବରଙ୍ଗପୁର, ଡାବୁଗାଁ, ଖଲ୍ଲିକୋଟ, କୋଦଳା, କବିସୂର୍ଯ୍ୟନଗର, ଆସ୍‍କା, ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର, କଟକ, ଛତିଆ, ଧର୍ମଶାଳା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବାରିପଦା, ରାଇରଙ୍ଗପୁର, ଯଶିପୁର, ଭୂବନ, ଢେଙ୍କାନାଳ, ଅନୁଗୁଳ, ରେଢାଖୋଲ, ଫୁଲବାଣୀ, କଳାହାଣ୍ଡି, ଯାଜପୁର ରୋଡ ପ୍ରମୂଖ ସ୍ଥାନରୁ ଫୋନ୍‍ କରି ଅନେକ ଶୁଭେଛୁମାନେ ମତେ ପ୍ରଶଂସାରେ ପୋତି ପକେଇଛନ୍ତି । ପାରଳାଖେମୁଣ୍ଡିରୁ ଜଣେ ମୋ ଠାରୁ ବୟସ୍କ ଶିକ୍ଷାବିତ୍‍ ଫୋନ୍‍ କରି କହିଲେ – ମାୟାଧର ବାବୁ! ଏତେ ସତକଥା କେବଳ ଆପଣ ହିଁ ଲେଖିପାରନ୍ତି । କେନ୍ଦୁଝରରୁ ଜଣେ ବନ୍ଧୁ କହିଲେ – ଏତେ ସ୍ପଷ୍ଟ ଆପଣ । ସଦା ହାସ୍ୟ ମୁଖରେ ସମସ୍ତଙ୍କୁ ସମ୍ବାଷଣ କରୁଛନ୍ତି । ମୋ ଆଖିରୁ ଲୁହ ଗଡିଯାଉଛି । ଏଇସବୁ ବିଭିନ୍ନ ଦରଦଭରା କଣ୍ଠରେ ଚାରିଆଡୁ ମୋ ପାଖକୁ ଫୋନ୍‍ ଆସୁଥାଏ ।

ସବୁଦିନ ସକାଳ ସାଢେ ଛ’ଟା ବେଳେ ସବୁ ଓଡିଆ, ବଂଗଳା, ହିନ୍ଦୀ, ଇଂରାଜୀ ସମ୍ବାଦପତ୍ର ପ୍ରାୟ ୩୨ଟି ଆସେ । ସବୁ କାଗଜ ଉପରେ ଆଖିବୁଲାଏ । ସେଦିନ ସକାଳ ୭ଟା ବେଳେ ଲିଲିକୁ ଡାକିଲି – ଆସ ହୋ ଆସ ! ଆମ ‘ମଶାଓଡଷକାମୁଡା ଚଉଠିରାତି’ ଖବରକାଗଜରେ ବାହାରିଛି । ଲିଲି ସଂଗେ ସଂଗେ ଆସି ସେଇ ଖବରକାଗଜ ନେଇ ପଢିବା ଆରମ୍ଭକଲେ । ଶେଷ ପାରାଗ୍ରାଫରେ୍‍ ମୁଁ ଲେଖିଥିଲି – “ଲିଲି – ବହୁତ ଗେଲବସରରେ ବଢିଥିଲ ତମ ବୁନିଆଦୀ ବାପଘରେ । ଜାଣିନି, କାହିଁକି ସେଦିନ ଏ ସର୍ବହରାର ହାତ ଧରିବାପାଇଁ ସାରାଜୀବନ ପଥପାରିହେବାର ପଣ କଲ – ଚିରିଦେଲ ଆମେରିକାରେ କର୍ମରତ ଇଂଜିନିୟର ବରକୁ ବିବାହ କରିବାର ରଙ୍ଗୀନ୍‍ ଚିଠା ଖଣ୍ଡକ । ହୁଏତ ମୋର ଅଜାଣତରେ ତମକୁ ଦୁଃଖକଷ୍ଟ ଭୋଗିବାକୁ ପଡିଥିବ କଳ୍ପନାତୀତ – ହେଲେ ତମେ ତ କାହାରି ଆଗରେ କାନ୍ଦନି – ନଗାଧିରାଜନ୍‍ ଦିବ୍ୟ ନିତ୍ୟବ୍ରତଚାରିଣୀ ପାର୍ବତୀଙ୍କ ପରି ଏଇ ଭସ୍ମବିଭୂଷିତ ଭୋଳାନାଥର ହସ ହସ ମୁହଁ ଆଗରେ ବି ଦୁଃଖର ଦି’ଟୋପା ଲୁହ ଭୁଲରେ ବି ନିଗାଡିନ – କେବେ କୌଣସି ଦିନ – ଜାଣିଛି – ଯଦି କାନ୍ଦିଥିବ ତା’ହେଲେ ଲୁଚି ଲୁଚି କୋଉ ନିର୍ଜନତମ ଦୁଃସ୍ଥିତିରେ, ନିତାନ୍ତ ସର୍ନ୍ତପଣରେ ।

ଆଜି ମୁଁ କାନ୍ଦୁଛି – ଅତୀତର ସେଇସବୁ ଦୁର୍ବହଦିନରେ ତମେ ଭୋଗିଥିବା ଦୁଃଖକଷ୍ଟର ଗୋଟି ଗୋଟି ଦୃଶ୍ୟ ମନେପକାଇ । ହଁ – ତମ ଲୁହ ମୁଁ ଯେମିତି ଦେଖିନି – ମାତ୍ର ଆଜି ଆମ ଦାମ୍ପତ୍ୟର ଦୁର୍ମୂଲ୍ୟ ସ୍ମୃତି ଏଇ ନିର୍ଜନତମ ମୁହୂର୍ତ୍ତରେ ମୋ ଦୁଇଆଖିରୁ ଦାବି କରେ ମୋ ଅନ୍ତଃକରଣରୁ ଉତ୍ସରିତ ଦୁଇ ଅଶ୍ରୁବିନ୍ଦୁ । ତମେ ଏଠି ମୋ ଆଗରେ ଚା’ କପ୍‍ ଧରି ଛିଡା ହୋଇନା । ଆଜି ରାଜସ୍ଥାନର ମାଉଣ୍ଟଆବୁ ପାହାଡଚୂଡାକୁ ଚାହିଁ ସୂର୍ଯ୍ୟ ଉଇଁବାର ଅପେକ୍ଷା କରିଥିବ । ଆମ ଜୀବନରେ ମୋ ହସ ଆଉ ତମ ହସ ମିଶି ଏ ଦାମ୍ପତ୍ୟକୁ, ସତରେ ସ୍ୱୀକାର କରୁଛି ଯେ – ସୃଷ୍ଟି କରିଛି ଏକ ଅପୂର୍ବମିଳନର ଛନ୍ଦ । ମୁଁ ଏଠି ଯଦି କାନ୍ଦେ ଏକା – ତମେ ଆଉ କୋଉଠି କାନ୍ଦୁଥିବ ଏକବାରେ ଏକାକିନୀ । ଲିଲି – ଆମର ମିଳନ ହେଲା – ଆମ ଉଭୟଙ୍କର ହସର ବି ମିଳନ ହେଲା – ହେଲେ ଆଶ୍ଚର୍ଯ୍ୟ ଲାଗେ, କାହିଁ ଏ ଚାରିଚକ୍ଷୁର ଦି’ଦି’ ବୁନ୍ଦା ଲୁହର ତ କେବେ ମିଳନ ହୋଇପାରିଲା ନାହିଁ ! ଏ କଥା ମୁଁ ଭାବୁଛି, ତମେ ଭାବୁଛ କି ? ନା- ଚାଲ ଆଜି ଆଉ ଗୋଟାଏ ପଣ କରିବା – ଆମେ ଲୁହକୁ ଭୁଲିଯିବା – ଆଉ ଅନାଇ ରହିବା ଆଜିବି ଦୁନିଆର ଦୁର୍ଗତ ପଟୁଆରରେ ସାମିଲ ଆମ ମାମୁଲି ହେଲେବି ମରମୀଦରଦୀ ମଣିଷମାନଙ୍କର ଓଦା ଓଦା ଆଖିସବୁକୁ… ଯେଉଁ ଆଖିର ଅପନ୍ତରାରେ ଅଜସ୍ର ଆଶାର ଅପୂର୍ଣ୍ଣ ଅପେକ୍ଷା ।”

ଏଇ ପାରାଗ୍ରାଫଟି ପଢୁପଢୁ ଲିଲି ଆଖିରୁ ଥପ୍‍ ଥପ୍‍ ହୋଇ ଦି’ଟୋପା ଲୁହ ଝରିପଡିଲା । ସ୍ୱତଃ ପାଟିରୁ ବାହାରିଆସିଲା – ଆଜି ମଧ୍ୟ ତମେ କନ୍ଦେଇଦେଲ । ଲିଲିର ମୋ ପାଇଁ ଲୁହଝରା ଦୃଶ୍ୟକୁ ଦେଖି ମୋ ଆଖିରେ ମଧ୍ୟ ଲୁହ ଜକେଇଆସିଲା । ଏ ବୟସରେ ବି ଆମ ପ୍ରେମ ଏତେ ସତେଜ ମୁଁ ଅନୁଭବ କଲି । ଆଗରୁ କହିଥିଲି – ଆମ ପରିବାର ଗୋଟିଏ କଳାକାର ପରିବାର । ପରିବାର ଭିତରେ ଯେତେ ସଦସ୍ୟ ଅଛନ୍ତି ସମସ୍ତେ ଲିଲିକୁ ଭଲପାଆନ୍ତି, ସମ୍ମାନ, ଶ୍ରଦ୍ଧା, ଆର୍ଶିବାଦ ମଧ୍ୟ ଓଜାଡିପକାନ୍ତି । କେବଳ କ’ଣ ପରିବାର – ଲିଲିର ଭଉଣୀମାନଙ୍କ ଝିଅପୁଅମାନେ ବି ଲିଲିକୁ ଭଲପାଆନ୍ତି । ବଡଭଉଣୀ ଆନନ୍ଦମୟୀ, ଉପରଭଉଣୀ କଲ୍ୟାଣୀ, ତଳ ଭଉଣୀ ପଲ୍ଲୀ, ସବା ସାନଭଉଣୀ ସସ୍ମିତାର ଝିଅ ଶିବାନୀ ଶିବାୟିକା (ଜୁଜୁ) ସେ ଲିଲି ଆଉ ମୋ ଝିଅ । ପଲ୍ଲୀର ଝିଅପୁଅ ଆଉ କୁନାଦେଇର ଝିଅପୁଅବୋହୂନାତୁଣୀମାନେ ମଧ୍ୟ ଆମ ସହ ଅନ୍ତରଙ୍ଗ ସ୍ନେହଶ୍ରଦ୍ଧାରେ ବନ୍ଧା । ଆମ ଝିଅ ଭୂମିକା (ଲିମା), ଜ୍ୱାଇଁ ସ୍ୱରୂପ, ନାତୁଣୀ ଜୋଷିକା, ନାତି ବିଭାନ୍‍, ଏମାନେ ବମ୍ବେରେ ଥିଲେ ବି ସବୁଦିନେ ଭିଡିଓକଲ୍‍ କରି କଥାବାର୍ତ୍ତା ହୁଅନ୍ତି, ଆଉ ପୁଅ ଆକାଶ, ବୋହୂ ଶୁଭ୍ରାଜ୍ୟୋତି, ସେ ତ ବୋହୂ ନୁହେଁ ଆମର ଝିଅ । ମୁଁ ତାକୁ ଡାକେ ସୁ, ଘରେ ଡାକନ୍ତି ଶ୍ରୀୟା । ସେ ଆମ ଦୁଇଜଣଙ୍କ ସେବାସୁଶ୍ରୁଶା କେବଳ ନୁହେଁ ସମସ୍ତଙ୍କ କଥା ବୁଝେ । ମୋର ଦି’ଟା ନାତି ଅଂଶ୍‍ ଓ ଦେଶାନ୍‍ । ଅଂଶ୍‍ର ବୟସ ଏବେ ୭ । ଏଇ ବୟସରେ ସେ ଛୋଟ ଛୋଟ ଗଳ୍ପ ଲେଖା ଆରମ୍ଭ କଲାଣି । ତା’ର ସବୁ ଗଳ୍ପକୁ ମିଶାଇ ଗୋଟିଏ ‘ଅଂଶ୍‍ ଷ୍ଟୋରି’ ନାମରେ ବହି କରିଦେବି ବୋଲି କହିବାରୁ ତା’ର ଆନନ୍ଦ କହିଲେ ନ’ସରେ । ସାନନାତି ଦେଶାନ୍‍ର ବୟସ ଦୁଇଅଢେଇ ବର୍ଷ ହେବ । ସେ ସମସ୍ତଙ୍କୁ ମଜେଇ ରଖିଛି । ମୋଟାମୋଟି ଭାବେ ପରିବାର, ବନ୍ଧୁବାନ୍ଧବ ଏପରିକି ପଡିଶା ଦୂରଦୂରାନ୍ତରେ ଥିବା ଘନିଷ୍ଠମାନଙ୍କ ସହ ଆମର ବାର୍ତ୍ତାଳାପ ହୁଏ । ସମସ୍ତେ ପରସ୍ପର ସ୍ନେହଶ୍ରଦ୍ଦାପ୍ରେମରେ ବନ୍ଧା ।

ମୋର ‘ପ୍ରଥମ ପ୍ରେମ’ ଉପନ୍ୟାସଟି ଉତ୍ସର୍ଗ କରିଛି – ଜୀବନର ପ୍ରେମ ପ୍ରଥମ, କିନ୍ତୁ ତାହା କେବେ ଶେଷ ନହେଉ । ଏହି ସଂକଳ୍ପବଦ୍ଧ ଶାଣିତ ସତ୍ୟକୁ ପବିତ୍ର କ୍ରୁଶକାଷ୍ଠ ପରି ବହନ କରିଚାଲିଥିବା ପ୍ରତ୍ୟେକ ନିଃସଂଗ ଅଥଚ ନିର୍ଭୀକ ହୃଦୟକୁ ସମର୍ପିତ । ‘

ମୋର ‘ପ୍ରଥମ ପ୍ରେମ’ ଉପନ୍ୟାସଟି ଉତ୍ସର୍ଗ କରିଛି – ଜୀବନର ପ୍ରେମ ପ୍ରଥମ, କିନ୍ତୁ ତାହା କେବେ ଶେଷ ନହେଉ । ଏହି ସଂକଳ୍ପବଦ୍ଧ ଶାଣିତ ସତ୍ୟକୁ ପବିତ୍ର କ୍ରୁଶକାଷ୍ଠ ପରି ବହନ କରିଚାଲିଥିବା ପ୍ରତ୍ୟେକ ନିଃସଂଗ ଅଥଚ ନିର୍ଭୀକ ହୃଦୟକୁ ସମର୍ପିତ । ‘ପ୍ରଥମ ପ୍ରେମ’ କହିବାକୁ ଗଲେ ମୋର ପ୍ରଥମ ଉପନ୍ୟାସ – ଅଧାଲେଖା ଅବସ୍ତାରେ ଲେଖାଯାଇଥିବା କିଛି କିଛି ଛିଣ୍ଡାକାଗଜର ଗୋଟାଏ ଧୂସର ପାଣ୍ଡୁଲିପି । ପ୍ରଥମ ଲେଖାର ପ୍ରାୟ ଚାଳିଶବର୍ଷ ପରେ । ରଚନାକାଳ ଦୃଷ୍ଟିରୁ ପ୍ରଥମ ଉପନ୍ୟାସ ହେଲେ ହେଁ ପ୍ରକାଶନ କାଳବିଳମ୍ବରେ ଏହା ହେଉଛି ମୋର ଅଷ୍ଟମ ଉପନ୍ୟାସ । ଅନେକବର୍ଷର ଅନ୍ଧକାର ଅତିକ୍ରମକରି ଆଲୋକ ଦର୍ଶନ କରୁଛି । ମନେହେଉଛି, କେଉଁ କଦମ୍ବବନ – ବୀଥିକାରେ ଯେମିତି ଶିଶୁ କୃଷ୍ଣଙ୍କ ମୋହନବଂଶୀ ବାଜୁଛି, ତା’ ରାଗ-ଅନୁରାଗର ଆନ୍ତରିକ ଆତ୍ମକେ ପଦୀରେ ! ପ୍ରେମ ହୁଏତ ଦେହ ଓ ଦହନର ଦୈତଗାନ, ପ୍ରକୃତ ପ୍ରେମ କିନ୍ତୁ ମନ ଆଉ ମତର ମିଳନରାଗ ।

  • ମାୟାଧର ନାୟକ,ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.