ମାୟାଧରଙ୍କ ନିୟମିତ ସ୍ତମ୍ଭ : ‘ସାହିତ୍ୟରେ ଶାନ୍ତିଭଙ୍ଗ’

0

  • TATKALODHISHA //ସାହିତ୍ୟ//

+++++++++++++++++++++++++++++++++

  • GUEST EDITOR //ମାୟାଧର ନାୟକ//

+++++++++++++++++++++++++++++++++++

ଦିନକର ଘଟଣା । ବଙ୍ଗଳାରେ ସାହିତ୍ୟ ପ୍ରତି ସାଧାରଣ ଲୋକଙ୍କର ପ୍ରବଳ ଆଗ୍ରହ ରହିଆସିଛି କେଉଁକାଳରୁ । ପ୍ରତିବର୍ଷ ଦୁର୍ଗାପୂଜାରେ ଅନେକ ପ୍ରକାଶକ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶନ କରନ୍ତି । ଲୋକମାନଙ୍କର ମଧ୍ୟ ପୂଜା ବଜେଟରେ ପୁସ୍ତକ କିଣାପାଇଁ ଟଙ୍କା ବରାଦ ଥାଏ । ସେ ବର୍ଷ ଦୁର୍ଗାପୂଜାରେ ପ୍ରାୟ ସବୁ ଜଣାଣୁଣା ଲେଖକମାନଙ୍କୁ ପ୍ରକାଶକମାନେ ପାଣ୍ଡୁଲିପି ପାଇଁ ବରାଦ ଦେଇସାରିଥିଲେ । ଜଣେ ପ୍ରକାଶକ ଖୋଜିଖୋଜି ଲେଖକ ପାଇଲେ ନାହିଁ ।
   ଅଧିକାଂଶ ଲେଖକ ସେଇ ପ୍ରକାଶକଙ୍କୁ ମନାକରିବା ସଂଗେସଂଗେ ପରାମର୍ଶ ଦେଲେ – ଜଣେ ନିଶାଖୋର ଲେଖକ ଶରତ ଚଟ୍ଟୋପାଧ୍ୟାୟ ଅଛନ୍ତି, ତାଙ୍କୁ ଯାଇ ପାଣ୍ଡୁଲିପି ପାଇଁ ବରାଦ ଦିଅ ।


  ଶରତ ଚାଟାର୍ଜୀ ସେତେବେଳେ ନିଶାଖୋର୍ ଥିଲେ । କାହାକୁ ମାନୁ ନଥିଲେ । ମନକୁ ଯାହା ଆସୁଥିଲା – ଲେଖୁଥିଲେ । ଏଇଥିପାଇଁ ସେତେବେଳର ବଂଗଳା ଲେଖକମାନଙ୍କ ପଙ୍ଗତରେ ଶରତବାବୁ ପଶି ପାରି ନଥିଲେ । ଅନ୍ୟ ଲେଖକମାନେ ଶରତବାବୁଙ୍କୁ ଏକପ୍ରକାର ତାଚ୍ଛଲ୍ୟ କରୁଥିଲେ । ପ୍ରକାଶକ ବ୍ୟବସାୟୀମାନେ ବେଳେବେଳେ ବ୍ୟବସାୟରେ ବାଜି ଲଗାଇ ଦିଅନ୍ତି । ଜଣେ ପ୍ରକାଶକ ଅପରାହ୍ନ ୪ଟା ବେଳେ ଶରତଚନ୍ଦ୍ରଙ୍କୁ ଭେଟି ଲେଖାକଥା କହିଲେ । ଶରତବାବୁ ରାଜିହେଲେ ଏବଂ କହିଲେ, ବର୍ତମାନ ଯାଇ ଏଇଏଇ ଜିନିଷ ଆଣ । ପ୍ରକାଶକ କିଛି ପାନୀୟ, ଖାଦ୍ୟ, କାଗଜକଲମ ଆଣି ପହଂଚିଲେ । ଏ ସମସ୍ତ ପଦାର୍ଥ ବୋଧେ ସେତେବେଳେ କୋଡିଏ ଟଙ୍କାରୁ ବେଶୀ ହେବନାହିଁ ।


  ପ୍ରକାଶକ ପଦାର୍ଥ ଭେଟି ଦେଇ ପଚାରିଲେ – ଆଜ୍ଞା ପାଣ୍ଡୁଲିପି ନେବାକୁ କେବେ ଆସିବି । ଶରତ ଚନ୍ଦ୍ର କହିଲେ – କେତେଟା ବାଜିଛି ? ପ୍ରକାଶକ କହିଲେ – ୫ଟା ବାଜିଛି । ଶରତବାବୁ କହିଲେ – କାଲି ସକାଳ ୫ଟା ବେଳକୁ ଆସ; ପାଣ୍ଡୁଲିପି ନେଇଯିବ । ପ୍ରକାଶକ ମନେମନେ ମନସ୍ତାପକରି କିଛି ନ କହି ପଳାଇ ଆସିଲେ । ଅକାରଣେ କୋଡିଏ ଟଙ୍କା ପାଣିରେ ପଡିଲା ଭାବି ପୁଣି ପରୀକ୍ଷା ଅପେକ୍ଷାରେ ରହିଲେ ।

ଶରତଚନ୍ଦ୍ର ଲେଖି ବସିଲେ – ଲେଖୁଲେଖୁ ଭୋର ୫ଟା ହୋଇଗଲା । ଠିକ୍ ସେତିକିବେଳେ ପ୍ରକାଶକ ଶରତବାବୁଙ୍କ କବାଟ ଠକ୍ ଠକ୍ କଲେ । ଶରତବାବୁ ବାଷ୍ଫରୁଦ୍ଧ କଣ୍ଠରେ କହିଲେ – କବାଟ ଖୋଲାଅଛି, ଭିତରକୁ ଆସ । ପ୍ରକାଶକ ଭିତରକୁ ଯାଇ ଦେଖିଲେ ଶରତଚନ୍ଦ୍ରଙ୍କ ଆଖିରୁ ଲୁହ ଧାରଧାର ହୋଇ ଗଡି ଚାଲିଛି । ଫର୍ଦ୍ଦ ଫର୍ଦ୍ଦ କାଗଜ ଚାରିଆଡେ ବିଛଣା ଚାରିପାଖ ପଡିଛି । କିଛି ଫର୍ଦ୍ଦ କାଗଜ ଉପରେ ଶରତବାବୁ କଲମ ମାଡି ଭାଙ୍ଗି ଦେଇଛନ୍ତି ।


  ଲୁହ ପୋଛୁ ପୋଛୁ ଶରତବାବୁ କାଗଜ ଗୋଟାଇ ପୃଷ୍ଠା ପରେ ପୃଷ୍ଠା ସଜାଇ ପ୍ରକାଶକଙ୍କୁ ପାଣ୍ଡୁଲିପି ବିଡାଟି ଧରାଇଦେଲେ । ପ୍ରକାଶକ ସେଇ ପାଣ୍ଡୁଲିପି ଆଣି ଛପାଇ ଦେଲେ । ସେବର୍ଷ ଦୁର୍ଗାପୂଜାରେ ଶରତଚନ୍ଦ୍ରଙ୍କ ଉପନ୍ୟାସର ବିକ୍ରି ସମସ୍ତ ଲେଖକଙ୍କ ଉପନ୍ୟାସକୁ ଟପିଗଲା । ତୁଣ୍ଡବାଇଦ ସମସ୍ରକୋଶ ଭଳି ଶରତଚନ୍ଦ୍ରଙ୍କ ପ୍ରଶଂସା ଘରେ ଘରେ ବିଚ୍ଛୁରିତ ହେଲା ।
  ସେ ଉପନ୍ୟାସ ଥିଲା – ‘ଦେବଦାସ’ । ଆଜିବି ଦେବଦାସ ଭାରତର ସବୁଭାଷାରେ, ବିଦେଶର ୧୪ଟା ଭାଷାରେ ପ୍ରକାଶିତ । କୋଟିକୋଟି ପାଠକଙ୍କ ପାଖରେ ଆଦର ଲାଗ କରିଛି । ପ୍ରକାଶକ ‘ଦେବଦାସ’ ପ୍ରକାଶକରି ପାଂଚମହଲା କୋଠାର ମାଲିକ ହୋଇଥିଲେ ।

ବଂଗଳାସିନେମାରେ ‘ଦେବଦାସ’ ଭୂମିକାରେ ଦିଲ୍ଲୀପ କୁମାର ଏବଂ ଏଇ ନିକଟ ଅତୀତରେ ହିନ୍ଦୀ ଚଳଚ୍ଚିତ୍ରରେ ଶହାରୁଖ ଖାନ୍‌ଙ୍କ ଅଭିନୟ ବହୁ ଦର୍ଶକଙ୍କ ମନରେ ଏବେବି ଉଦ୍‌ଜୀବିତ ।

ତା’ହେଲେ ଯେଉଁ ଲେଖକଙ୍କୁ ସେ ସମୟରେ ସମସାମୟିକ ଲେଖକମାନେ ଟିଟ୍ଟିକାର ମାରୁଥିଲେ, ସେ ଲେଖକ ଭାରତର ଉପନ୍ୟାସ ସମ୍ରାଟ ହୋଇଗଲେ । ଏଇଭଳି ଘଟଣା ସାହିତ୍ୟ କ୍ଷେତ୍ରରେ ଏବେବି ଘଟୁଛି । ଆମେ ସାହିତ୍ୟିକମାନେ କେହି କାହାକୁ ଦେଖିପାରୁନୁ କି ସତ୍ ଲେଖାକୁ ପ୍ରଶଂସା କରିପାରୁନୁ । ଏହାହିଁ ବିଡମ୍ବନା ।


  ବିରାଟ ଦେଶ ଭାରତରେ ୨ୟ ଭାଷା ଇଂରାଜୀରେ ବହି ପଢିବା ଲୋକଙ୍କର ସଂଖ୍ୟା ମଧ୍ୟ କମ୍ ନୁହେଁ । ଅଧିକାଂଶ ଲୋକ ନିଜ ମାତୃଭାଷା ଅପେକ୍ଷା ଇଂରାଜୀ ଭାଷା ପଢିବାକୁ ଭଲ ପାଆନ୍ତି । ହିନ୍ଦୀ ଏବଂ ଅନ୍ୟାନ୍ୟ ଆଂଚଳିକ ଭାଷାରେ ଭଲ ଲେଖାର ଆବଶ୍ୟକତା ରହିଛି । ଯାହାର ଅଭାବ ଯୋଗୁ ପାଠକ ଆକୃଷ୍ଟ ହୋଇପାରୁନାହାଁନ୍ତି ।


  ପୁରାଣରେ କୃଷ୍ଣ ଅର୍ଜୁନ, ରାମ ରାବଣ ଅଲୌକିକ ଶକ୍ତିଠାରୁ ହାରୀପୋର୍ଟର ମହାଶକ୍ତିଶାଳୀ ବୋଲି ବର୍ଣ୍ଣନା କରାଯାଇଛି । ଅଧିକାଂଶ ପଣ୍ଡିତ ଏବଂ ଧର୍ମାନ୍ଧ ମଣିଷ ଯେଉଁମାନେ ପୁରାଣକୁ ପାଣ୍ଠି କରି ବିରାଟ ବୋଲାଉଥିଲେ ସେମାନେ ଚିନ୍ତିତ ହେବା ସ୍ୱାଭାବିକ ।


  ସବୁ ଲେଖା – ଲେଖା ନୁହେଁ । ସବୁ ଲେଖକ ଲେଖକ ନୁହଁନ୍ତି । ଯେଉଁମାନେ ଅତ୍ୟନ୍ତ ଅସାଧାରଣ ବିଷୟବସ୍ତୁକୁ ଜଟିଳତା, ରସାଳ, କୌତୁକ ଓ ଚାତୁର୍ଯ୍ୟ ତଥା ଶଦ୍ଦର ପ୍ରାଚୁର୍ଯ୍ୟ ମଧ୍ୟରେ ସ୍ୱପ୍ନ ରାଇଜରେ- ମାନସ ପଟ୍ଟରେ ନାଚିଯାଉଥିବା ଚରିତ୍ର ଓ ଦୃଶ୍ୟ ଏବଂ ଆପଣାର ଇଚ୍ଛା ଅଭ୍ୟାସ ଚରିତ୍ରକୁ କିଂଚିତ୍ ହେଲେ ମଧ୍ୟ ସ୍ପର୍ଶ କରୁଥିବା ଲେଖା ଅତି ଆଦରରେ ହୋଇଯାଏ ତଥା ବେଳେ ବେଳେ ଅନେକ ଦିନ ପର୍ଯ୍ୟନ୍ତ ମନରେ ଗଭୀର ରେଖାପାତ ସୃଷ୍ଟି କରିଥାଏ । ବିଜ୍ଞାପନ ଯୁଗ ଆସିଯାଇଛି । ଯିଏ ଯେତେ ପ୍ରଚାର କରିପାରିଲା ସେ ସେତେ ବାଜି ମାରିବ । ଯିଏ ନ ପଢିବ ସେ ପଛରେ ପଡିଯିବ । ସମସ୍ତେ ପଢିଲେଣି – ତୁମେ ପଢିଛ ? ଏଇସବୁ ମନ ଭୁଲାଣିଆ ବିଜ୍ଞାପନ ଦେଇ ଏକ ବିରାଟ ବଜାର ସୃଷ୍ଟି ହୋଇଯାଉଛି । ମିଡିଆରେ ଘନ ଘନ ପ୍ରଚାର ହେବା ଫଳରେ ସମାଲୋଚନାର ଦ୍ୱାର ଏକରକମ ବନ୍ଦ ହୋଇଯାଇଛି ।


  ସମାଜ ପରିବର୍ତନରେ ଅଳ୍ପ ଯେଉଁ କେତେଜଣ ଦାର୍ଶନିକ, ବୈଜ୍ଞାନିକ, ଲେଖକ ବହୁ ଉପାଦେୟ ପୁସ୍ତକ ଲେଖିଯାଇଛନ୍ତି ସେଗୁଡିକୁ ଜନସମାଜରୁ ଦୂରେଇ ରଖିବାକୁ ଅପଚେଷ୍ଟା ଚାଲିଛି । ପୁଣି ସେଇ ରକ୍ଷଣଶୀଳତା ଆଡକୁ ଜନସମୁଦାୟକୁ ମୁହାଇଁ ନେବାର ଗୁପ୍ତ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ପଚାଶ ବର୍ଷ ଧରି ଏଇ ପୃଥିବୀରେ ଯେଉଁ ଲେଖା ପ୍ରକାଶ ପାଉଛି ଅଧିକାଂଶ ଲେଖା ତୃଣମୂଳ ଜୀବନ ସହ ସଂପର୍କ ରହୁନି । ଯେଉଁ ନାମକରା ଲେଖକମାନଙ୍କର ଲେଖା ନୋବେଲ୍ ପ୍ରାଇଜ୍ କିମ୍ବା ଅନ୍ୟ ପୁରସ୍କାର ପାଉଛି ସେଥିରେ ମଧ୍ୟ ପ୍ରିୟାପ୍ରୀତି ତୋଷଣ ଚାଲିଛି ।


  ଭାରତୀୟ ଲେଖକ / ଲେଖିକାମାନେ ନିଜର ସ୍ପଷ୍ଟ ମତାମତ କିମ୍ବା ଜୀବନ ସହ ସଂପର୍କିତ ଲେଖା ଲେଖିବାକୁ ଉଦ୍ୟମ କଲେ ବି ବିଭିନ୍ନ କ୍ଷେତ୍ରରେ ବାଧା ପାଉଛନ୍ତି । ଅଧିକାଂଶ ଲେଖକ ଯେଉଁମାନେ ନାମକରା ସେମାନେ ଉପର ମାଲିକ (ସରକାର-ଧନପତି)ଙ୍କ ମର୍ଜ୍ଜିକୁ ସମ୍ମାନ ଦେଉଥିବାରୁ ଲେଖାଗୁଡିକ ଚିରାଚରିତ ସାଧାରଣ ହେଉଥିବାରୁ ତାହା ସୁଖପାଠ୍ୟ କିମ୍ବା ଶିକ୍ଷଣୀୟ ହେଉ ନାହିଁ । କେବଳ କୋଟି କୋଟି ଟଙ୍କାର କାଗଜ ଓ ଅଯଥା ସମୟ ନଷ୍ଟ କରୁଛନ୍ତି । ବିଶେଷକରି ଶିଶୁମାନେ ଦେଶର ଭବିଷ୍ୟତ କହି ଡିଣ୍ଡିମ ପିଟୁଥିଲାବେଳେ ସେଇ ଶିଶୁ ମନକୁ ମୂଳରୁ କିମ୍ଭୂତ କିମାକାର ଧାରଣା ସୃଷ୍ଟି କରାଇ ଧର୍ମଭୀରୁ କରାଇ ଦିଆଯିବାର ସୁକୌଶଳ ଷଡଯନ୍ତ୍ର ଚାଲିଛି । ଶିଶୁମାନଙ୍କୁ ଆରମ୍ଭରୁ ସାହସୀ, ଲଢୁଆ, ସତ୍ୟନିଷ୍ଠ କରି ଗଢିତୋଳିଲେ ପ୍ରାଚୁର୍ଯ୍ୟର ସାମ୍ରାଜ୍ୟ ଯେ ଭାଙ୍ଗି ଚୂର୍‌ମାର୍ ହୋଇଯିବ ଏ ଭୟ ମଧ୍ୟ ଶାସକ-ଶୋଷକ ଗୋଷ୍ଠୀର ଅଛି । ତେଣୁ ଏହି ଦେଶ ବିରୋଧୀ ଜନବିରୋଧୀ ଗୋଷ୍ଠୀ ରାଜକୋଷକୁ ବରବାଦ୍ କରି ବରାଦିଆ ଲେଖକ ଗୋଷ୍ଠୀ ସୃଷ୍ଟି କରୁଛନ୍ତି । ଯାହା ଫଳରେ ଶିକ୍ଷା ପାଇଁ ପାଠ୍ୟକ୍ରମ ମଧ୍ୟ ସେମାନଙ୍କ ମର୍ଜ୍ଜି ଉପରେ ନିର୍ଭର କରୁଛି । ଜ୍ଞାନଅସ୍ତ୍ର ବଦଳରେ ଅଜ୍ଞାନ-ଅନ୍ଧକାର-ବିକୃତ ଅସ୍ତ୍ର ଧରାଇ ଦିଆଯାଉଛି । ଏହା ସମାଜ ପାଇଁ ଭୟଙ୍କର ବିପଦ ଡାକି ଆଣୁଛି । ଏହି ଆକ୍ରମିତ ବିପଦ ବିରୋଧରେ ଅଳ୍ପ ହେଲେ ବି କିଛି ଲେଖକ କଲମ ଚଳାଇଲେ ଇତିହାସର ଧାରା ବଦଳିଯିବ ।


ଏଇ ଗୋଲାର୍ଦ୍ଧରେ ଅନେକ ଲେଖକ ଅଛନ୍ତି ଯେଉଁମାନେ ଜୀବନ ଜୀବିକା ସହ ସଂଘର୍ଷ କରି ତୃଣମୂଳ ସହ ସଂପର୍କ ରଖି ଲେଖନୀ ଚାଳନା କରିଚାଲିଛନ୍ତି । ସେମାନଙ୍କ ପାଇଁ ବଜାର ନାହିଁ କି ପ୍ରଚାର ନାହିଁ । ଅଧିକାଂଶ ମୂଲ୍ୟବାନ ରଚନା ଆଦୌ ଜନମାନସକୁ ଆସିପାରୁନି । ଏଇ ଓଡିଶାରେ ମଧ୍ୟ ଏଭଳି ଲେଖକ ଅଛନ୍ତି – ଯେଉଁମାନଙ୍କ ରଚନା ବିଶ୍ୱର ଉପଯୁକ୍ତ ସ୍ଥାନରେ ପହଂଚି ପାରିଲେ ବିଶ୍ୱବିଖ୍ୟାତ ଲେଖକ/ଲେଖିକାମାନଙ୍କ ସହ ସମକକ୍ଷ ହୋଇପାରିବେ ।

  • ମାୟାଧର ନାୟକ ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.