ମାଧବଙ୍କ ‘କୁଣିଆଁ’ ସେବା

0

// ପ୍ରକାଶ ତ୍ରିପାଠୀ //

++++++++++++++++++++++++++++++++++++ଆପଣ ହେଲେ ଆମର କୁଣିଆଁ। କୁଣିଆଁଙ୍କ ଠାରୁ କ’ଣ ପାରିଶ୍ରମିକ ରଖାଯାଏ? ଏତିକି  କୁଣିଆଁସେବା ଆମେ ଦେଇପାରିବୁନି?+++++++++++++++++++++++++++++++++++

   ଦୁଇବର୍ଷ ତଳର କଥା। ଏକ ସରକାରୀ କାର୍ଯ୍ୟକ୍ରମରେ ସାତ ଦିନପାଇଁ ମୁମ୍ବାଇ ଯାଇଥାଏ। ପ୍ରାୟ ଚଉଦ ପନ୍ଦରବର୍ଷ ପରେ ଯାଇଥିବାରୁ ମୁମ୍ବାଇ ମୋତେ ନୂଆ ନୂଆ ଲାଗୁଥାଏ। ରାସ୍ତାରେ ଗାଡ଼ି ମଟର ସଂଖ୍ୟା ବଢିବା ସହ କୋଠା ବାଡିର ଉଚ୍ଚତା ମଧ୍ୟ ଅନେକ ବଢିଯାଇଥାଏ। ସତରେ, ମୁମ୍ବାଇକୁ ଦେଖିଲେ କେହିବି କହିବ ନାହିଁଯେ ଭାରତରେ ଆଉ ଗରିବୀ ଅଛି।
   ଏକ ସାଧାରଣ ହୋଟେଲରେ ମୁଁ ରହୁଥାଏ। ଦାଦର ଷ୍ଟେସନ ଠାରୁ ପ୍ରାୟ ପାଞ୍ଚ କିମି ଦୂରରେ ହୋଟେଲଟି ଅବସ୍ଥିତ।ଗନ୍ତବ୍ୟ ସ୍ଥଳକୁ ପ୍ରତିଦିନ ଅଟୋରେ ଯିବା ଆସିବା କରେ। ପ୍ରତିଦିନ ଅପରାହ୍ନ ୫ଟାରେ କାର୍ଯ୍ୟକ୍ରମ ସରିଯାଏ।ସୂର୍ଯ୍ୟ ଅସ୍ତହେବାକୁ ଆହୁରି ଦୁଇଘଣ୍ଟା ବାକି ଥାଏ। ଓଡିଶା ଅପେକ୍ଷା ସେଠାରେ ଟିକେ ବିଳମ୍ବରେ ସୂର୍ଯ୍ୟାସ୍ତ ହୁଏ। ତେଣୁ ଆମ କାମ ସରିବା ପରେ ଅନ୍ୟାନ୍ୟ ପ୍ରଦେଶରୁ ଭାଗନେଇଥିବା ଅଧିକାରୀଙ୍କ ସହ ମୁମ୍ବାଇ ବୁଲିବାକୁ ବହାରିଯାଉ। ଫେରୁଫେରୁ ରାତିଦଶ। ବାହାରୁ ଖାଇ ହେଟେଲକୁ ଫେରୁ।
   ସେଦିନ ଥାଏ ରବିବାର। ଟିକେ ଡେରିରେ ଉଠିଲି। ସକାଳୁ ମୁହଁ ଧୋଇ ଦର୍ପଣରେ ଦେଖେତ ମୁଣ୍ଡରେ ଚୁଟି ବଢିଗଲା ଭଳି ଲାଗିଲା। ଭାବିଲି, ମୁମ୍ବାଇରେ ଚୁଟି କାଟିଦେଇ ଯିବିକି?। କେତେ ଟଙ୍କା ଲାଗିବ? ଏବେତ ଭୁବନେଶ୍ୱରରେ ଚୁଟି କାଟିବାକୁ ଶହେ ଟଙ୍କା ଲାଗିଲାଣି। ମୁମ୍ବାଇ ନଗରୀରେ ନିଶ୍ଚିତ ଦୁଇଶହ ଟଙ୍କାରୁ କମ ପଡିବନି। ଯାହା ପଡୁଛି ପଡୁ, କିନ୍ତୁ ମୁମ୍ବାଇ ସେଳୁନରେ ଯେମିତିହେଲେ ଚୁଟିକାଟିକି ଭୁବନେଶ୍ୱର ଫେରିବି। ଚାଲି ଚାଲି ହୋଟେଲ ସମୁଖ ରାସ୍ତାରେ ସକାଳୁ ବାହାରି ପଡ଼ିଲି। ରାସ୍ତାର ଦୁଇପଟକୁ ଦେଖି ଦେଖି ଯାଉଥାଏ। ହଠାତ ଏକ ଗଳି ଭିତରେ ଏକ ସେଳୁନ ର ସାଇନବୋର୍ଡ ନଜରରେ ପଡିଲା। ମେନ ରୋଡ଼ରେ ରହୁଥିବା ସେଲୁନ ଅପେକ୍ଷା ଛୋଟ ଛୋଟ ଗଳି ରାସ୍ତାରେ ଥିବା ସେଳୁନରେ ଖର୍ଚ୍ଚ କମ ପଡେ। ଏହା ମୁଁ ଭୁବନେଶ୍ୱର ଅଭିଜ୍ଞତା ଆଧାରରେ ଭାବିଲି।ତେଣୁ ସେଇ ଗଳିରେ ଥିବା ସେଳୁନକୁହିଁ ଗଲି।
   ମୋତେ ଦେଖି ସେଲୁନବଲା ଗୁଡ଼ ମର୍ନିଂ ସାର୍ ଅଭିବାଦନ ପୂର୍ବକ ଭିତରକୁ ଆସିବା ପାଇଁ ଆମନ୍ତ୍ରଣ କଲେ। ଖୁସି ହେଲି ସେଲୁନଵାଲାର ପ୍ରାଥମିକ ସମ୍ଭାଷଣରେ ଯାହାକି ଆମ ଭୁବନେଶ୍ୱରରେ ସ୍ୱପ୍ନ। ମୋ ପୂର୍ବରୁ ଆଉ ଦୁଇଜଣ ବ୍ୟକ୍ତି ଚୁଟିକାଟିବାପାଇଁ ସେହି କୋଠରୀରେ ଅପେକ୍ଷା କରି ବସିଥିଲେ। ଟି ପୟ ଉପରେ ରହିଥାଏ କେତୋଟି ସିନେମା ମାଗାଜିନ, ହିନ୍ଦୀ ଓ ମରାଠୀ ସମ୍ବାଦପତ୍ର। ହିନ୍ଦୀ ପେପର ଉଠାଇ ପଢିବାକୁ ଲାଗିଲି। 
    “ସାର, ଆଇଏ” ସେଳୁନଵାଲା ମୋତେ ଚୁଟି କାଟିବା ନିମନ୍ତେ ଉଦ୍ଦିଷ୍ଟ ଚେୟାରରେ ବସିବା ପାଇଁ ଡାକିଲେ। ପେପର ଟି ପୟ ଉପରେ ରଖି ମୁଁ ଚେୟାର ଉପରେ ବସି ପଡ଼ିଲି। କେଉଁ ଷ୍ଟାଇଲ ରେ ଚୁଟି କଟିବେ, ଦାଢ଼ି କଟିବେ ନା ନାହିଁ, ଚୁଟି ରଙ୍ଗ କରିବେ କି ଆଦି ଗୋଟି ଗୋଟି କରି ସବୁ ସୂଚନା ମୋତେ  ସେ ହିନ୍ଦୀରେ ପଚାରି ସାରି ଚୁଟି କାଟିବା ଆରମ୍ଭ କରିଦେଲେ ସେହି ବ୍ୟକ୍ତି।
    ହଠାତ ମୋର ମୋବାଇଲ ଫୋନ ରିଂ ହେଲା। ସୁବିଧାରେ ପକେଟ ରୁ ମୋବାଇଲ ଯେପରି କାଢ଼ିପାରିବି ସେଥିପାଇଁ ସେଳୁନଵାଲା ଚୁଟି କାଟିବା ବନ୍ଦ କରି ମୋତେ ପିନ୍ଧାଇଥିବା ଆପ୍ରନ ବି ଅଧା ଖୋଲିଦେଲେ। ଫୋନ କାଢି ଦେଖେତ ପତ୍ନୀ ଙ୍କ ଫୋନ। ଫେରିବାବେଳେ ମୁମ୍ବାଇରୁ ପିଲାଙ୍କପାଇଁ ନୂଆ ଡ୍ରେସ କିଣି ଆଣିବାକୁ ଫର୍ମାଇସ କରିଥିଲେ। ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ଆଜିକାଲି କିଛି ଫରକ ନାହିଁ। ଏଠୁ କାହିଁକି ବୋହିକି ନେବି ବୋଲି ଯେତେ ବୁଝାଇଲେ ବି ପତ୍ନୀ ବୁଝିବାକୁ ନାରାଜ। ଶେଷରେ “ହଉ ଦେଖିବା, ନେବା ପାଇଁ ଚେଷ୍ଟା କରିବି” କହି ଫୋନ କାଟିଲି।
    ପତ୍ନୀଙ୍କ ସହ ଓଡ଼ିଆରେ ମୋର କଥାବାର୍ତ୍ତା ଶୁଣି ସେଳୁନଵାଲା ମୁହଁରେ ପ୍ରସନ୍ନତା ସ୍ପଷ୍ଟ ବାରି ହୋଇଯାଉଥିଲା। ମୋ କଥାବାର୍ତ୍ତା ଶେଷ ହେଉ ହେଉ କହି କହିଲେ-ସାର୍! ଆପଣଙ୍କ ଘର ଓଡିଶା ? ମୁଁ ଉତ୍ତର ନଦେଇ ଓଲଟି ତାଙ୍କୁ ପ୍ରଶ୍ନ କଲି- ତୁମେ ଓଡିଶା ଲୋକ?
ସୁଦୂର ମୁମ୍ବାଇରେ ଜଣେ ଓଡ଼ିଆ ଭଣ୍ଡାରୀ ମୋର ଚୁଟି କାଟି ମୋ ସହ ମୋ ମାତୃଭାଷାରେ କଥା ହେଉଛନ୍ତି,ଏହାଠାରୁ ବଳି ଖୁସି ଓ ଅଧିକ ଆନନ୍ଦ ଆଉ କ’ଣ ହୋଇପାରେ।
ଏହାପରେ ସେ ଅନର୍ଗଳ କହିଚାଲିଲେ ତାଙ୍କ ନିଜ କଥା।ପୁରିଜିଲ୍ଲା ନୂଆହାଟ ତାଙ୍କ ଜନ୍ମସ୍ଥାନ।ଓଡିଶା ମାଟି, ପାଣି ଓ ପବନରେ ସେ ଛୋଟରୁ ବଡ଼ ହୋଇଛନ୍ତି।ପାରିବାରିକ ଆର୍ଥିକସମସ୍ୟା ଯୋଗୁଁ ସେ ମାତ୍ର ଅଠର ବର୍ଷ ବୟସରେ ନିଜ ପ୍ରିୟ ଓଡିଶାକୁ ଛାଡି ମୁମ୍ବାଇ ଚାଲି ଆସିଥିଲେ। ନିଜର ଜଣେ ସମ୍ପର୍କୀୟଙ୍କ ସହାୟତାରେ ଏଠି ପ୍ରଥମେ ଗୋଟିଏ ସେଳୁନରେ ଚୁଟି କଟା ଶିଖିଲେ। ସେଇ ସେଲୁନ ରେ ଦୀର୍ଘ ପନ୍ଦର ବର୍ଷ ରହିବା ପରେ ଏଇ ଦୁଇବର୍ଷ ହେବ ନିଜ ସେଳୁନ ଖୋଲିଛନ୍ତି। ନିଜ କୌଳିକ ବୃତ୍ତିକୁ ଆପଣେଇ ଆଜି ସେ ନିଜ ଗୋଡ଼ରେ ଠିଆହୋଇ ପାରିଛନ୍ତି। ଛୋଟିଆ ଘରଟିଏ କରିଛନ୍ତି।ଏବେ ବି ପ୍ରତିମାସରେ  ବାପା ବୋଉ ଙ୍କ ପାଖକୁ ଟଙ୍କା ପଠାଇବାକୁ ଭୁଲିନାହାନ୍ତି ସେ। ସାନ ଭଉଣୀ ର ବାହାଘର ଓ ଦୁଇଭାଇଙ୍କୁ ପଢ଼ାଇବାର ସବୁ ଖର୍ଚ୍ଚ ଉଠାଇଛନ୍ତି ସେ। ଏବେ ଦୁଇଭାଇ ରୋଜଗାରକ୍ଷମ। ମା ବାପାଙ୍କ ସହ ଗାଁ ରେ ରହୁଛନ୍ତି। ପଚାରିଲି- ଏତେ କଥା କହିଲ, ହେଲେ ତୁମ ନାମ ତ ଏପର୍ଯ୍ୟନ୍ତ କହିଲ ନାହିଁ ?
ଆଖିରେ ଜକେଇ ଆସୁଥିବା ଲୁହ କୁ ପାପୁଲିରେ ପୋଛିନେଇ ସେ କହିଲେ- ମାଧବ ।
   ସାର୍, ମୁଁ ମୁମ୍ବାଇରେ ରହି ବହୁତ ଟଙ୍କା ରୋଜଗାର କରୁଛି ସତ, ହେଲେ ଯେଉଁ ଶାନ୍ତି ଓ ଖୁସି ନିଜ ଗାଁରେ, ନିଜ ଘରେ ଓ ନିଜ ଲୋକଙ୍କପାଖରେ ଥିଲେ ମିଳେ ତାହା ଏଠି ସାତ ସପନ। ଏଠି କେତେବେଳେ କେମିତି ଆପଣଙ୍କ ଭଳି ଓଡ଼ିଆ ଲୋକଟିଏ ଦେଖା ହୋଇଗଲେ, ଦୁଇପଦ ତାଙ୍କ ସହ ଓଡ଼ିଆରେ କଥା ହୋଇଗଲେ  ମନ ଖୁସିରେ ଆତ୍ମହରା ହୋଇଯାଏ। ଖୁବ ନିଜର ନିଜର ଲାଗନ୍ତି। କିଏ କେଉଁ ଜିଲ୍ଲାର  ହୋଇଥାନ୍ତୁ ନା କାହିଁକି, ସମସ୍ତେ ମୋ ଓଡିଶାର ଭାଇବୋଲି ଲାଗନ୍ତି।ଓଡିଶାରେ ବିତାଇଥିବା ଗୋଟିଏ ଗୋଟିଏ ମୁହୂର୍ତ୍ତ ସିନେମା ଭଳି ଆଖିଆଗରେ ନାଚି ଉଠେ। ଆଖିରେ କୁହ ଜକେଇ ଆସେ।
    ମାଧବ କ୍ରମଶଃ ଅଧିକ ରୁ ଅଧିକ ଭାବପ୍ରବଣ ହୋଇ ଉଠୁଥିଲେ। ମୋ ଚୁଟି କଟା କେତେବେଳେ ଯେ ସରିଯାଇଥିଲା,ତାହା ଜଣା ପଡିନଥିଲା। 
     ଚେୟାରରୁ ଉଠି ଠିଆହେଲି। ପକେଟରୁ ମନିପର୍ସ କାଢ଼ିଲି।  ମାଧବଙ୍କୁ ପଚାରିଲି- ଭାଇ କେତେ ହେଲା?
ମୁଣ୍ଡ ହଲେଇ ମାଧବ ସେଇ ଲୁହାଭିଜା ଆଖିରେ କହିଲେ-ସାର୍, ଆପଣ ଓଡିଶାରୁ ମୁମ୍ବାଇ ଦିନ କେତୁଟା ପାଇଁ ଆସିଛନ୍ତି। ଆପଣ ହେଲେ ଆମର କୁଣିଆଁ। କୁଣିଆଁଙ୍କ ଠାରୁ କ’ଣ ପାରିଶ୍ରମିକ ରଖାଯାଏ। ଏତିକି  କୁଣିଆଁସେବା ଆମେ ଦେଇପାରିବୁନି?
     କେଇପଦ ଅତ୍ମୀୟତାପୂର୍ଣ କଥାରେ ମାଧବ ମୋତେ ସମ୍ପୂର୍ଣ କିଣିସାରିଥିଲେ। ଏହାର ଉତ୍ତର ମୋ ପାଖରେ ନଥିଲା।ମୋତେ କୁଣିଆଁ କରି ମାଧବ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିସାରିଥିଲେ। ପରବର୍ତ୍ତୀ କର୍ତ୍ତବ୍ୟ ସମ୍ପାଦନ ବାକି ଥିଲା ମୋର। ମନିପର୍ସରୁ ଦୁଇଶହ ଟଙ୍କା କାଢି ମାଧବଙ୍କ ହାତରେ ଗୁଂଜିଦେଇ କହିଲି, ଘରକୁ ଫେରିଲାବେଳେ ପିଲାଙ୍କପାଇଁ ମିଠା ନେଇଯିବ ଓ ମୋର କଲ୍ୟାଣ ଜଣାଇଦେଵ।
     ସେଲୁନରୁ ଫେରିବାବେଳେ ମାଧବଙ୍କ ଆଖିରୁ କେଇଟୋପା ଲୁହ ଝରିପଡିଥିଲା ତଳକୁ। ମୋର ବି।। 
 @କୋଣାର୍କ,ପୁରୀ।9437232463 

Leave A Reply

Your email address will not be published.