ମହାଳୟାରେ ‘ମା’: ଅରବିନ୍ଦ ଦାସଙ୍କ ନିଚ୍ଛକ ଗଳ୍ପ
★★★★★★★★
-ଅରବିନ୍ଦ ଦାସ
ମହାଳୟା ରେ ମା’ ଆସନ୍ତି….
-ଆଜି ମହାଳୟା,ମାଙ୍କ ପୂଜା।ଶୀଘ୍ର ଉଠି ଗାଧୁଆପାଧୁଆ ନିତ୍ୟକର୍ମ ଆଗେ ସାରିଦିଅ।”
ସକାଳୁ ସକାଳୁ ଶ୍ରୀମତୀଙ୍କ ଡାକରେ ଅରୁଣ’ର ନିଦ ଭାଙ୍ଗିଗଲା।ବାଥରୁମରେ ପଶିଲାବେଳକୁ ପୁଣି ନିର୍ଦ୍ଦେଶ ଆସିଲା,
-ଶୁଣ,ରୋଷେଇଘରେ ଆଜି କେଉଁ ଜିନିଷରେ ହାତ ମାରିବନି କି ଚାଖିକି ଅଇଁଠା କରିବନି।ମୁଁ ସବୁ ଧୁଆ ପୋଛା କରି ରଖିଛି।ଆଜି ମହାଳୟାରେ ରନ୍ଧାବଢା ସାରି ଦେଇପିଣ୍ଡି ଓ ବାହାରେ ମାଙ୍କ ପାଇଁ ଭୋଗ ଦିଆହେବ ବୋଲି ମନେ ଅଛି ନା ନାହିଁ ?କଦଳୀ ପତ୍ର ଆଣିଦେବ।”
ବ୍ରସ କଲାବେଳେ ଦର୍ପଣ ରେ ନିଜ ମୁହଁକୁ ଦେଖୁଥିଲା ଅରୁଣ।ତାକୁ ହଠାତ ଲାଗିଲା କାହା ମୁହଁର ପ୍ରତିବିମ୍ବ ଯେମିତି ଦେଖାଗଲା।ପଛପଟକୁ ବୁଲିକି ଚାହିଁଲା।କେହି ନଥିଲେ।ଚୁପଚାପ ନିତ୍ୟକର୍ମ ସାରି ବାହାରକୁ ବାହାରିଲା ବେଳେ ମନଟା ଉଦାସିଆ ଲାଗୁଥିଲା ତାକୁ।
ଠାକୁରଙ୍କ ଫଟ ପାଖରେ ଧୂପ ଜାଳି ଦୁର୍ଗା ମା’ଙ୍କ ଫଟରେ ମନ୍ଦାର ଫୁଲ ଚଢାଇ ମୁଣ୍ଡିଆ ମାରି ଉଠି ଆସିଲା ବେଳକୁ ଡ୍ରଇଂରୁମରେ ରଖା ହୋଇଥିବା ମା’ର ଫଟ ଉପରେ ଆଖି ପଡିଗଲା।
ମା ଚାଲିଯିବାର କିଛି ବର୍ଷ ହୋଇଗଲାଣି।ତେବେ ଏମିତି କେଉଁଦିନ ନାହିଁ,ଯେଉଁଦିନ ତାର ମା କଥା ମନେ ପଡେନା।ମହାଳୟାରେ ତ ବେଶୀ ମନେପଡେ।
ପିଲାବେଳେ ଆଜି ଦିନରେ ମା ଗାଧେଇ ପାଧେଇ ପୂଜା ସାରି ପରିବା ଡାଲା ଧରି ବସିଗଲା ବେଳେ କୁହେ,
-“ମହାଳୟା ଅମାବାସ୍ୟା ଭାରି ପବିତ୍ର ଦିନ।ପିତୃପକ୍ଷ ଆଜି ଶେଷ ହୁଏ।ପ୍ରାୟ ହିନ୍ଦୁ ଲୋକମାନେ ପିତୃପକ୍ଷ ର ଏଇ ଦୁଇ ସପ୍ତାହ ଭିତରେ ଯେକୌଣସି ଗୋଟିଏ ଦିନରେ ନିଜ ସ୍ୱର୍ଗବାସୀ ପୂର୍ବପୁରୁଷମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ/ତର୍ପଣ କରିଥାନ୍ତି।ଯେଉଁମାନେ କୌଣସି ଅସୁବିଧାବଶତଃ ପିତୃପକ୍ଷରେ ଶ୍ରାଦ୍ଧ/ତର୍ପଣ/ପିଣ୍ଡଦାନ କରିପାରିନଥାନ୍ତି,ସେମାନେ ଏଇ ପବିତ୍ର ମହାଳୟାରେ ତାହା କରନ୍ତି।ତମେମାନେ ତ ସବୁ ଓଡିଶା ବାହାରେ ରହିଲ,ପିଣ୍ଡଦାନ ଶ୍ରାଦ୍ଧକାମ ଗୋଟାଏ ଜାଗାରେ ହୁଏ।ଗାଁରେ ଏଇ ପିତୃପକ୍ଷରେ ପିଣ୍ଡଦାନ ଓ ଦୀପାବଳୀ ଅମାବାସ୍ୟାରେ ବଡ଼ ବଡୁଆ ଡ଼କାହୁଏ।ତେଣୁ ତମେ ଯେଉଁଠି ଥିବ,ସେଠି ଅରୁଆରେ ଟିକେ ରୋଷେଇ କରି,ବାହାରେ ଟିକେ ବାଢି ଦେଉଥିବ।ନାତୁଣୀବୋହୁ ହାତ ପରଷା ପାଇଁ ଜେଜେ,ଜେଜେମା,ଅଜା ଆଈ କାଳେ ଆଶା କରିଥାନ୍ତି।କାଉ ହେଉ କି ଚଢ଼େଇ ବେଶରେ ପିତୃ ପୁରୁଷମାନେ ଆସି ବାହାରେ ବଢା ହୋଇଥିବା ଖାଦ୍ୟ ଖାଆନ୍ତି ବୋଲି ଆମ ବିଶ୍ବାସ।ମହାଳୟା କୁ ଭୁଲିବନି ଆଉ ହଁ, ନିଜ ଦିବଙ୍ଗତ ମଣିଷମାନେ ଭଲ ପାଉଥିବା ଜିନିଷ ବି ବାଢିବାକୁ ଚେଷ୍ଟା କରିବ।ଯେମିତି କିଏ ଶାଗ ତ କିଏ ଭଜା ଆଉକିଏ ଖଟା ବା ଘାଣ୍ଟ ଭଲ ପାଆନ୍ତି।ତେବେ ମୁଗଡାଲି ପକେଇ ଘିଅ ଖେଚୁଡ଼ି ଟିକେ ଶ୍ରଦ୍ଧାରେ ବାଢିଲେ ପୂର୍ବପୁରୁଷ ଖୁସି।ସବୁ ଗୋଟେ ବିଶ୍ବାସ।”
ମା ହାତରେ ଯାଦୁ, ମ୍ୟାଜିକ ଥିଲା।ତା ରୋଷେଇରେ ଏକ ନିଆରା ସୁଆଦ ଥିଲା।ମହାଳୟାରେ ଅନ୍ନ,ମୁଗଡାଲି,ଘାଣ୍ଟ ତରକାରୀ,ଓଉଖଟା,ଶାଗ,
କଦଳୀଭଜା ହୁଏ।ରାନ୍ଧି ସାରି ମା ଦୁଇଟି ଛୋଟ କଦଳୀ ପତ୍ରରେ ସବୁ ବାଢି,ଉପରେ ଗୁଆ ଘିଅ ପକେଇ,ପତ୍ରରେ କାଗିଜିଲେମ୍ବୁ ,ଲୁଣ ,କଞ୍ଚା ଲଙ୍କା ସହ ଗୋଟେ ଛୋଟ ସାଧା ପାନ ଭାଙ୍ଗି ଦୁଇଟି ଯାକ ପତ୍ର ରେ ଦେଇ ଗୋଟିଏ ରୋଷେଇ ଘର କୋଣରେ ଓ ଅନ୍ୟଟି ବାହାରେ ରଖି, ଶାଢ଼ୀ କାନିକୁ ମୁଣ୍ଡରେ ଢାଙ୍କି ମୁଣ୍ଡିଆ ମାରି ପ୍ରଣାମ କରି,କବାଟ ଆଉଜାଇ ଚାଲିଆସେ।
କିଛି ସମୟ ଚୁପ ହୋଇ ବିଛଣାରେ ବସି ଆଖି ପୋଛିଲା ବେଳେ ଅରୁଣ ଥରେ ପଚାରିଦେଇଥିଲା,
–ମା,ତୁ କାନ୍ଦୁଛୁ ?”
ମୁହଁଟା ପୋଛି ମା ସେଦିନ କହିଥିଲା,
-ଆଜି ଦିନରେ ନିଜ ଲୋକକୁ ମନେ ପକାଇ କିଛି ବାଢିଲା ବେଳେ ଲାଗେ ସେମାନେ ଯେମିତି ମୋ ପାଖରେ ଠିଆହୋଇ ମୋତେ ଦେଖୁଛନ୍ତି।ତୋ ଜେଜେମା ହେଉ କି ମୋ ବୋଉ,ଲାଗେ ସେମାନେ ଆସି ଆମକୁ ଦେଖି ଆଶୀର୍ବାଦ କରିଛନ୍ତି।ସତରେ କଣ ନିଜ ମଣିଷଙ୍କୁ ଭୁଲି ହୁଏ ?ମହାଳୟା ଦିନଟା ବହୁତ ଶୁଭ।”
–ଶୁଣୁଛ ?କଦଳୀ ପତ୍ର ମନେ କରି ଆଣିବ।ଆଛା ଡାଲମା କରିବି ନା ଘାଣ୍ଟ କରିବି ?ଘାଣ୍ଟ କଲେ ପୁଣି ଡାଲି କରିବାକୁ ପଡିବ।”
ଶ୍ରୀମତୀଙ୍କ କଥା ଶୁଣି ଭାବନା ରାଜ୍ୟରୁ ଫେରିଆସି ଅରୁଣ କହିଲା,
-ନା ଡାଲମା ନୁହେଁ,ଘାଣ୍ଟ ତରକାରୀ ଓ ମୁଗ ଡାଲି କର।କଞ୍ଚା କଦଳୀ ଓ ଶାଗ ତ ଆଣିଥିଲି ଭଜା ପାଇଁ।ଓଉ ଖଟା ବି କର।ମା’ର ବହୁତ ପସନ୍ଦ।”
ସେପଟୁ ଚିଡିଯାଇ ରୁବି କହିଲା,
-ଓଉ କେଉଁଠୁ ଆଣିବି ?ଓଡିଶାରେ କେଉଁ ରହୁଛ ଯେ ଯେତେବେଳେ ଚାହିଁବ ଓଉ ମିଳିବ ?
କଞ୍ଚା ଆମ୍ବ ଖଟା କରିଦେଉଛି।ଦଶହରା କୁ ଓଡିଶା ଗଲେ ଓଉ ଖାଇବ ଓ ଫେରିଲାବେଳକୁ ନେଇକି ଆସିବା।”
ଚୁପ ହୋଇଗଲା ଅରୁଣ।ଆହା ଓଡିଶାରୁ କିଏ ହେଲେ ଆସୁଥାନ୍ତା କି ସେ ତା ହାତରେ ଓଉ ମଗାଇ ଦେଇଥାନ୍ତା।ରୁବିକୁ କହିଲା,
–ମୁଁ ବଡ଼ ମାର୍କେଟ ଯାଇ ଦେଖୁଛି,କାଳେ ଓଉ ମିଳିଯିବ।ପଣା ସଂକ୍ରାନ୍ତିରେ ଏଠି ପାଚିଲା ବେଲ ମିଳୁଛି,ଏବେ ପୋଟଳ ବି ମିଳୁଛି।ଟିକେ ଅପେକ୍ଷା କରିଥା।”
ବଡ଼ ମାର୍କେଟ ଯାଇ କଦଳୀ ପତ୍ର କିଣିଲା ବେଳେ ଅରୁଣ ସବୁ ପରିବା ଦୋକାନ ତନ୍ନ ତନ୍ନ କରି ଦେଖିଲା ଓ ମୋବାଇଲରେ ଓଉ ଚିତ୍ର ଇଣ୍ଟରନେଟରୁ ବାହାର କରି କିଛି ପରିବା ଦୋକାନୀ ଙ୍କୁ ଦେଖାଇ ପଚାରିଲା।ସମସ୍ତେ ମନା କଲେ ଓ ସେଇଟା କି ଫଳ ବୋଲି ଓଲଟା ପ୍ରଶ୍ନ କଲେ।
ତାର ହଠାତ ମନେପଡ଼ିଲା, ଦ୍ଵିତୀୟା ଘାଣ୍ଟ ପୂର୍ବରୁ ଏଠିକାର ଜଣେ ଓଡ଼ିଆ ବନ୍ଧୁ ନାୟକ ବାବୁଙ୍କୁ ଫୋନ କରି ସେ ଓଉ କଥା କହିଥିଲା।ନାୟକ ବାବୁ ଓଡ଼ିଶାର ଗୋଟେ କମ୍ପାନୀର ଏଠିକା ବ୍ରାଞ୍ଚ ମ୍ୟାନେଜର।ଓଡିଶାରୁ ତାଙ୍କ କମ୍ପାନୀ ଲୋକେ ଯିବାଆସିବା କରନ୍ତି।ହେଲେ ଅରୁଣଙ୍କୁ ନିରାଶ ହେବାକୁ ପଡିଥିଲା।
ଘରକୁ ଫେରିଲା ପରେ ଅରୁଣ, ରୁବି ହାତକୁ କଦଳୀ ପତ୍ର ବଢ଼ାଇଦେଇ ,ଆମ୍ବ ଖଟା ଆଜି କର ବୋଲି କହିବାକୁ ଗଲାବେଳେ ତା ମୋବାଇଲ ବାଜିଲା।ଆରପଟୁ ନାୟକ ବାବୁଙ୍କ ସ୍ୱର,
-ଆଜି ଓଡିଶାରୁ ଜଣେ ପିଲା ଓଉ ନେଇ ଆସିଛି।ସାଙ୍ଗରେ କିଛି ରସଗୋଲା ଆପଣଙ୍କ ଘରକୁ ପଠାଉଛି।”
ଖୁସିରେ ଉଛୁଳି ପଡି ଅରୁଣ କହିଲା,
–ଆରେ ବାଃ,ଆଜି ମହାଳୟା ରେ ବହୁତ କାମରେ ଆସିବ ଓଉ।ମୁଁ ତ ଆଜି ସକାଳୁ ଖାଲି ଓଉ କଥା ମନେ ପକାଉଥିଲି।ଆପଣଙ୍କୁ ଅନେକ ଧନ୍ୟବାଦ।”
କିଛି ସମୟ ପରେ ଓଉ ଓ ରସଗୋଲା ଆସି ପହଁଚିଗଲା।ରୁବି ସବୁ କଟାକାଟି କରି ରୋଷେଇ ସାରି ରୋଷେଇ ଘରେ ଓ ବାହାରେ କଦଳୀ ପତ୍ରରେ ବାଢି ଦେଇ ମୁଣ୍ଡିଆ ମାରୁଥିଲା।ଅରୁଣ ର ମନେପଡୁଥିଲା ମା କଥା।ମା ନିଜ କା ବୋହୁକୁ ଦେଇଯାଇଛି ଯେମିତି।
ମା ଭଳି ବାହାର କବାଟ ଆଉଜାଇ ଦେଇ ରୁବି ଭିତରକୁ ଆସିଲାବେଳେ ଅରୁଣ ଦେଖୁଥିଲା କାଉଟିଏ ଆସି ପତ୍ର ପାଖରେ ବସିଗଲାଣି।ଛାତି ଭିତରଟା ଯେମିତି ଜୋରରେ ଧକ ଧକ କରୁଥିଲା।
ମା ଫଟ କୁ ଚାହିଁଲା ସେ।
ରୁବିକୁ ଅନାଇ କହିଲା,
–ଓଉ ଖଟା ଓ ଘାଣ୍ଟ ତରକାରୀ ମା’ର ବହୁତ ପସନ୍ଦ।ତା ସହିତ ରସଗୋଲା।ଦେଖ କେମିତି ଯୋଗାଡ଼ ହୋଇଗଲା।”
ମୃଦୁ ହସି ରୁବି କହିଲା,
-ତୁମର ଏସବୁ ଅଧିକ ପସନ୍ଦ ବୋଲି କାହିଁକି କହୁନ?
ଭଗବାନ ଯା ହେଉ ସବୁ ଯୋଗାଡ଼ କରିଦେଲେ।”
ରୁବି କାନ୍ଧରେ ହାତ ରଖି ଅରୁଣ କହିଲା,
-ଭଗବାନ ନୁହନ୍ତି,ଏସବୁ ମା ହିଁ ଯୋଗାଡ଼ କରି ପଠେଇଛି।ପିଲାଙ୍କ ମନକଥା ମା ଠୁ ଅଧିକ କିଏ ଜାଣେ ?ତାଛଡା ଆଜି ପୁଣି ମହାଳୟା।ମା’ଙ୍କ ଦିନ..
ଅରୁଣର ଆଖିଟା ଛଳ ଛଳ ହୋଇଯାଉଥିଲା।
- © ଅରବିନ୍ଦ ଦାସ