ମହାପ୍ରଭୁ ଜଗନ୍ନାଥଙ୍କ ଅଲୌକିକତା : ଶ୍ରୀମନ୍ଦିରରେ ଆଶ୍ଚର୍ଯ୍ୟ ‘ଫରାସୀ’ ଘଣ୍ଟି

0
  • TATKAL ODISHA// ଐତିହ୍ୟ ଖୋଜ//



ମହାପ୍ରଭୁ ଶ୍ରୀଜଗନ୍ନାଥ I ସେ ଜଗତର, ଜଗତ ତାଙ୍କର I ସେ ସୃଷ୍ଟି କର୍ତ୍ତା ଓ ପାଳନ କର୍ତ୍ତା l ତାଙ୍କ ଇଙ୍ଗିତରେ ସକଳ ସୃଷ୍ଟି ଆତଯାତ I ତାଙ୍କର ମହିମା ଓ ଅଲୌକିକତା ସାରା ବ୍ରହ୍ମାଣ୍ଡରେ ବ୍ୟାପ୍ତ I ଶ୍ରୀମନ୍ଦିର ପରିସରରେ ଥିବା  ସେମିତି ଏକ ଆଶ୍ଚର୍ଯ୍ୟ ଘଣ୍ଟି ପଛରେ ରହିଛି ମହାପ୍ରଭୁଙ୍କ ଅଲୌକିକତା କାହାଣୀ I

କେବେ ଦେଖିଛନ୍ତି? ତାହାକୁ ଦେଖନ୍ତୁ.. ଆଉ ଭାବ ଓ ଭକ୍ତିରେ ତନ୍ମୟ ହୁଅନ୍ତୁ ଓ ଜାଣନ୍ତୁ…

ଗୋଟିଏ ଜଳ ଜାହାଜ ଫ୍ରାନ୍ସର ଗୋଟିଏ ବନ୍ଦରରୁ ଗଭୀର ସାଗର ବକ୍ଷରେ ଯାତ୍ରା କରୁଥାଏ ଫ୍ରାନ୍ସ ଉପନିବେଶ ଭାରତର ପଣ୍ଡିଚେରୀ ଅଭିମୁଖେ l ଜାହାଜରେ ଯାଉଥାଏ ପଣ୍ଡିଚେରୀର ଏକ ଚର୍ଚ୍ଚ ଉଦ୍ଦେଶ୍ୟରେ ବିରାଟ ଧାତବ ଘଣ୍ଟି l ଜାହାଜରେ କ୍ୟାପଟେନ ଥାଆନ୍ତି ଅଭିଜ୍ଞ ଅଧିନାୟକ କ୍ୟାପଟେନ ବିଟୋ l ତାଙ୍କ ଜୀବନକାଳରେ ସେ ଅତଳସମୁଦ୍ର ମଧ୍ୟରେ ବହୁବାର ବିଭିନ୍ନ ବିପଦର ସଫଳ ମୁକାବିଲା କରି ଆସିଛନ୍ତି l ଜାହାଜ ନିର୍ବିଘ୍ନରେ ସମୁଦ୍ରରେ ଗତି କରୁଥାଏ l କର୍ମଚାରୀମାନେ ବାଇନୋକୁଲାରରେ ସମୁଦ୍ରର ଜଳରାଶିକୁ ନୀରିକ୍ଷଣ ପୂର୍ବକ ଆନନ୍ଦ ଉପଭୋଗ କରୁଥାନ୍ତି I

ହଠାତ ଜଣେ କର୍ମଚାରୀ ଦୂରବିନରେ ଗୋଟିଏ ଦୃଶ୍ୟ ଦେଖି ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଲେ l ସେ ଦେଖିଲେ ଅଦୂରରେ ଗୋଟିଏ ବିରାଟକାୟ ଜଳଜୀବ ତାଙ୍କ ଜାହାଜ ଆଡ଼କୁ ମାଡ଼ି ଆସୁଛି l- ବିପଦ ଆଶଙ୍କା କରି ସେ କ୍ୟାପଟେନ ବିଟୋଙ୍କୁ ଯାଇ ତୁରନ୍ତ ଖବର ଦେଲେ l- ବିଟୋ ଆସି ସେ ଦୃଶ୍ୟଟି ଦେଖିଲେ କିନ୍ତୁ ଅଭିଜ୍ଞ କ୍ୟାପଟେନ ବୁଝି ଗଲେ ଏହା କୌଣସି ଜୀବ ନୁହେଁ,ଏହା ଗୋଟିଏ ଭୟଙ୍କର ସାମୁଦ୍ରିକ ଝଡ଼ l- ଭୀଷଣ ବିପଦ ମାଡ଼ି ଆସୁଛି l ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନଥାଏ l ସେ ଜାହାଜଟିକୁ ରକ୍ଷା କରିବା ଚିନ୍ତାରେ ଇତସ୍ତତଃ ବୁଲି ସମସ୍ତଙ୍କୁ ସତର୍କ କରାଇବା ସହ ବିପଦ ଘଣ୍ଟିଟି ବଜାଇ ଦେଲେ l ସମସ୍ତେ ବଡ଼ ଆତଙ୍କିତ ହୋଇ କ’ଣ ହେବ ବୋଲି ଭାବି ହେଉ ଥାଆନ୍ତି I


କୋଳାହଳ ଭିତରେ କ୍ୟାପଟେନ ବିଟୋ ଜାହାଜ ମଧ୍ୟରେ ବୁଲୁ ବୁଲୁ ଦେଖିଲେ ଜଣେ କର୍ମଚାରୀ ସ୍ଥିର ହୋଇ ବସି ଗୋଟିଏ ଫଟୋକୁ ନିରିଖେଇକି ଦେଖୁଛି l ଜଣାପଡୁଥାଏ ସେ ଯେମିତି ଏ ଆସନ୍ନ ବିପଦରେ ଆଦୌ ଆତଙ୍କିତ ନୁହେଁ l କ୍ୟାପଟେନ ଦେଖିଲେ ଲୋକଟି ଦୁଇଟି ଗୋଲାକାର ଚକ୍ଷୁର ଚିତ୍ର ଉପରେ ମନୋନିବେଶ କରିଛି I


କ୍ୟାପଟେନ ତା କାନ୍ଧରେ ହାତ ପକାଇ କହିଲେ, ଆସନ୍ନ ବିପଦ ପାଇଁ ସମସ୍ତେ ଆତଙ୍କିତ ଅଥଚ ତୁମେ ନିଶ୍ଚଳ ହୋଇ ବସିଛ, ଏ କ’ଣ କରୁଛ? ଲୋକଟି କହିଲା,ମୁଁ ଜଗନ୍ନାଥଙ୍କ ଭଜନ କରୁଛି l ଆସନ୍ନ ବିପଦରୁ ମହାପ୍ରଭୁ ରକ୍ଷା କରିବେ ଏ ଦୃଢ଼ ବିଶ୍ୱାସ ମୋର ଅଛି l ପୁଣି କହିଲା ଜୀବନରେ ମୁଁ ବହୁବାର ପରୀକ୍ଷା କରି ଦେଖିଛି ତାଙ୍କ ଆଶ୍ରୟ ନେଲେ ବିପଦ ଛାଏଁ ଛାଏଁ ଟଳି ଯାଏ I

କ୍ୟାପଟେନ କର୍ମଚାରୀଟିର ଦୃଢ଼ ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହେଲେ l* ମନେ ମନେ ଭାବିଲେ,ହଁ ମୁଁ ଜଗନ୍ନାଥଙ୍କ ନାମ ଶୁଣିଛି ହେଲେ ଥରେ ତାଙ୍କୁ ଦେଖିବାର ସୁଯୋଗ ଲାଭ କରି ନାହିଁ l ବିପଦ ବେଳେ ତାଙ୍କୁ ସ୍ମରଣ କଲେ ସେ ହୁଏତ ସହାୟ ହୋଇପାରନ୍ତି l
ଖ୍ରୀଷ୍ଟ ଧର୍ମରେ ବିଶ୍ୱାସୀ ବିଟୋଙ୍କ ବିଶ୍ୱାସ ଜଗନ୍ନାଥଙ୍କ ଉପରେ ଦୃଢ଼ ହେଉନଥାଏ l କର୍ମଚାରୀଟିର ଅନୁରୋଧରେ କ୍ୟାପଟେନ ସେହି ଚକାନେତ୍ର ଦୁଇଟିକୁ ଚାହିଁ ବସିଲେ l ତାଙ୍କ ଦେଖା ଦେଖି ସବୁ କର୍ମଚାରୀ ମଧ୍ୟ ସେହି ଫଟୋ ଚିତ୍ରକୁ ଚାହିଁ ଜଗନ୍ନାଥଙ୍କ ଧ୍ୟାନ କରିବାକୁ ଲାଗିଲେ l
ସକଳେ ହୋଇ ଏକ ମୁଖ l

ଡାକିଲେ ନାରାୟଣ ରଖ ଲ୍


କ୍ୟାପଟେନ ଚକାନେତ୍ର ଦ୍ୱୟରେ ଚକ୍ଷୁ ମୁଦ୍ରିତକରି ଧ୍ୟାନ ଆବଦ୍ଧ କରି ବସିଥାନ୍ତି l ଏମିତି କିଛି ସମୟ କଟିଗଲା l କ୍ୟାପଟେନ ଚକ୍ଷୁ ଖୋଲି ଦେଖନ୍ତି ତ ଜାହାଜ ଧୀରେ ଧୀରେ ଆଗକୁ ଗତି କରୁଛି l ଭୟଙ୍କର ଝଡ଼ କୁଆଡ଼େ ଉଭେଇ ଯାଇଛି l ଆଉ କିଛି ବିପଦ ନାହିଁ l

ଆନନ୍ଦ ଅଧୀର କ୍ୟାପଟେନ ଯାଇ କୁଣ୍ଢାଇ ପକାଇଲେ ଜଗନ୍ନାଥ ଭକ୍ତ ସେହି କର୍ମଚାରୀକୁ l ଗଦ ଗଦ କଣ୍ଠରେ ତାଙ୍କୁ ଜାବୁଡି ଧରି କହିଲେ,ତୁମରି ଯୋଗୁଁ ଆମେ ଏ ଭୟଙ୍କର ବିପଦରୁ ରକ୍ଷା ପାଇଲୁ l ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ମହାପ୍ରଭୁ ଝଡ଼ର ଗତି ବଦଳାଇଦେଲେ l ତେବେ କୁହ ସେ ଜଗନ୍ନାଥ କାହାଁନ୍ତି l କଅଣ ତାଙ୍କୁ ଥରେ ମୁଁ ଦର୍ଶନ କରି ପାରିବିନି l ଏ ପ୍ରଶ୍ନଶୁଣି ସେ ଭକ୍ତ କର୍ମଚାରୀଟି କହିଲା,ମହାପ୍ରଭୁ ଜଗନ୍ନାଥ ଭାରତ ପୂର୍ବ ଉପକୂଳରେ ଶ୍ରୀକ୍ଷେତ୍ର ପୁରୀରେ ନୀଳାଚଳ ଧାମ ଶ୍ରୀମନ୍ଦିରରେ ବିରାଜମାନ କରୁଛନ୍ତି l ସେ ବଡ଼ କରୁଣାମୟ l ତୁମ୍ଭେ ଚାହିଁଲେ ନିଶ୍ଚୟ ତାଙ୍କ ଦର୍ଶନ ଲାଭ କରି ପାରିବ l


ଏକଥା ଶୁଣି କ୍ୟାପଟେନ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଲେ ତୁମେ ବର୍ତ୍ତମାନ ଶ୍ରୀକ୍ଷେତ୍ର ଅଭିମୁଖେ ଜାହାଜ ଚଳାଅ l ଏ ଘଣ୍ଟାକୁ ଆଉ ପଣ୍ଡିଚେରୀରେ ଦେବାର କୌଣସି ଆବଶ୍ୟକତା ନାହିଁ l ଘଣ୍ଟାକୁ ମୁଁ ପ୍ରତ୍ୟକ୍ଷ ଅନୁଭୂତିରେ ଆଣିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉପହାର ଦେବି ଳ


ଜାହାଜ ଚାଲିଲା ପୁରୀ ଅଭିମୁଖେ l କ୍ୟାପଟେନ ବିଟୋ ଶ୍ରୀ ମନ୍ଦିରରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କଲେ l କିଛି ଉପହାର ସହିତ ଘଣ୍ଟାଟିକୁ ସମର୍ପଣ କଲେ ମହାପ୍ରଭୁଙ୍କୁl ମହାପ୍ରଭୁଙ୍କ ମହିମା ପ୍ରଚାର କରୁଥିବା ସେହି ଘଣ୍ଟାଟି ଏବେ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ଥିବା ନିଳାଦ୍ରି ବିହାର ମ୍ୟୁଜିୟମ ପରିସରରେ ରଖାଯାଇଛି l

ଘଣ୍ଟାରେ ଫ୍ରେଞ୍ଚ ଅକ୍ଷରରେ ଲେଖା ଯାଇଛି,” CANTA BOET PSALLAMIN GEN TIBUS DE FRANCE MF PONDICHERRY 1746,NOMME PIWRRIE ANDRE JF PESSE 900, A PONDICHERRY 1746 IA LIBERALITE DE PEDRO MOUDEN COURT ” l ଏହା ସେହି 1746 ମସିହାର ଘଟଣା l ଘଣ୍ଟା ପାଦଦେଶରେ ସିମେଣ୍ଟ ଫଳକରେ ଘଟଣାଟିର ସଂକ୍ଷିପ୍ତ ବିବରଣୀ ଲେଖା ହୋଇ ରହିଛି l


ସ୍ୱାଧୀନତା ପରେ ଫ୍ରାନ୍ସ ସରକାର ଏହି ଘଣ୍ଟାକୁ ଫେରାଇ ଦେବା ପାଇଁ ଭାରତ ସରକାରଙ୍କ ଠାରେ ଦାବି ରଖିଥିଲେ l ମାତ୍ର ଜଗନ୍ନାଥଙ୍କୁ ଏହା ଭକ୍ତର ଭକ୍ତି ନିବେଦନ ବୋଲି କହି ଏହା ଆଉ ଫେରାଇ ଦିଆଯାଇନଥିଲା l ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଯାଉଥିବା ପ୍ରତ୍ୟେକ ଭକ୍ତଙ୍କୁ ନିବେଦନ ଏହି ଅପୂର୍ଵ ଘଣ୍ଟାକୁ ଥରେ ନିଶ୍ଚୟ ଦର୍ଶନ କରିବା ପାଇଁ l ମହାପ୍ରଭୁଙ୍କ ଚକା ଆଖିକୁ ନେତ୍ରପଥରେ ରଖିଲେ ବିପଦ ଅବଲୀଳା କ୍ରମେ କଟିଯାଏ ଏହି ଘଣ୍ଟାଟି ତା’ର ନିଦର୍ଶନ I (ସଂଗୃହିତ )

Leave A Reply

Your email address will not be published.