ମହାପ୍ରଭୁଙ୍କ ‘ଅଧରପଣା’ ନୀତି କାହିଁକି? ଜାଣନ୍ତୁ ଵିଧି..

0

🙏 ପ୍ରଭୁଙ୍କର ଅଧର ପଣାଉତ୍ସବ🙏
ଶ୍ରୀଜଗନ୍ନାଥ କଳିଯୁଗରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ରୂପରେ ଅବତାର ନେଇଛନ୍ତି | ଆଉ ସେ ଲୀଳାମୟ ନୀଳାଦ୍ରୀଶଃ ରୂପରେ ଲୀଳା କରିବାକୁ ବଡ଼ ଦାଣ୍ଡକୁ ଚାଲି ଆସନ୍ତି ଭକ୍ତ ମାନଙ୍କୁ ମୂକ୍ତ ଦର୍ଶନ ଦେଇ ମୁକ୍ତି ପ୍ରଦାନ କରିବାକୁ |

ମହାପ୍ରଭୁଙ୍କ ନବଦିନ ଯାତ୍ରା ଆରମ୍ଭ ହୁଏ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ, ଯାହା ଘୋଷ ଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ରଥଯାତ୍ରା ନାମରେ ପ୍ରସିଦ୍ଧ |

କର୍ମ ବେଦିରୁ ଏ ଯାତ୍ରା କରନ୍ତି ଜନ୍ମ ବେଦୀକୁ, ଗୁଣ୍ଡିଚା ମନ୍ଦିରକୁ | ତା ପରେ କର୍ମଭୂମି ନୀଳକନ୍ଦରସ୍ଥ ରତ୍ନ ସିଂହାସନକୁ ଫେରି ଆସନ୍ତି ବାହୁଡା଼ ଯାତ୍ରାରେ, ଆଷାଢ଼ ଶୁକ୍ଳ ଦଶମୀରେ | ସିଂହଦ୍ୱାର ସମୁଖରେ ତିନି ରଥ ଅବସ୍ଥାନ କରନ୍ତି | ପ୍ରଭୁ “ନୀଳାଦ୍ରି ବିଜେ” ଦିନ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି |

ମହାପ୍ରଭୁ ଶ୍ରୀଜଗନ୍ନାଥ ରହସ୍ୟମୟ ଦାରୁବ୍ରହ୍ମ | ସେ ଲୀଳାମୟ ଓ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି | ସେ ରଥ ଉପରେ ସୁନାବେଶ ଧାରଣ କରି ତାଙ୍କର ଐଶ୍ଵର୍ଯ୍ୟ ବିଶ୍ୱକୁ ପ୍ରଦର୍ଶନ କରାନ୍ତି | ସେ ଐଶ୍ଵର୍ଯ୍ୟମୟ ଠାକୁର ବଡ ଦାଣ୍ଡରେ ରହି ଅନ୍ୟଏକ ଲୀଳା କରନ୍ତି | ଯାହା ଅଧର ପଣା ନାମରେ ଖ୍ୟାତ |

ସୁନାବେଶ ପରେ ଅଧର ପଣା ନୀତି କରାଯାଏ |ଏହା ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା |ପ୍ରଭୁଙ୍କର ଯାତ୍ରାରେ ଯୋଗ ଦେଇଥିବା ଦେବ ଦେବୀ, ଆଶରୀରୀ ଆତ୍ମା, ପାର୍ଶ୍ଵ ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଏହା କରାଯାଏ |

ତିନି ଠାକୁରଙ୍କ ଅଧର ପର୍ଯ୍ୟନ୍ତ ଉଚ୍ଚା ମାଟିର ତୁମ୍ବାକୃତି ହାଣ୍ଡିରେ ଦିଅଁଙ୍କୁ ଅର୍ପଣ କରାଯାଉଥିବା ପଣାକୁ ଅଧର ପଣା କୁହାଯାଏ |ଦୁଇ ଭାଗ ଜଳ, ଏକ ଭାଗ ଦୁଗ୍ଧ ସହିତ ଛେନା, ସର, ପାଚିଲା କଦଳୀ, ଆଦି ଏକାଠି ମିଶାଇ ସେଥିରେ କର୍ପୁର ଓ ମରିଚ ଗୁଣ୍ଡ ପକାଇ ଏହି ପଣା ପ୍ରସ୍ତୁତ କରାଯାଏ |

  • ବଡ଼ ଉଚ୍ଚା ହାଣ୍ଡିରେ ରଖାଯାଇ ଠାକୁରଙ୍କୁ ରଥ ଉପରେ ଅର୍ପଣ କରାଯାଏ |
  • ତିନିଟି ଛୋଟ ହାଣ୍ଡିରେ ଏହି ପଣା ପୂର୍ଣ୍ଣ କରି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଓ ରାମକୃଷ୍ଣ ଭଗବାନଙ୍କ ନିକଟରେ ଅର୍ପଣ କରାଯାଏ |
  • ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ଼ ଓଡ଼ିଆ ମଠ ଅଧର ପଣାର ସମସ୍ତ ଦ୍ରବ୍ୟ ଯୋଗାଇଦିଅନ୍ତି ଓ ମହାସୁଆର ଏହାକୁ ପ୍ରସ୍ତୁତ କରନ୍ତି |

ଭିତରଛୁ ମହାପାତ୍ର, ତଳିଛ ମହାପାତ୍ର, ପାଳିଆ ମହା ସୁଆର, ପୁଷ୍ପାଳକ ଆଦି ଶ୍ରୀମନ୍ଦିର ସେବାୟତ ମାନେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରନ୍ତି |ଦିନ ଦ୍ବିପ୍ରହରରେ ଧୂପ ସରିବା ପରେ ଅଧର ପଣା କାର୍ଯ୍ୟ ଅନୁଷ୍ଠିତ ହୁଏ |ଅଧର ପଣା ପାନକଲେ ସର୍ବ ବ୍ୟାଧି ଓ ସର୍ବ ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି |

ସତରେ ଲୀଳାମୟଙ୍କ କି ଅପୂର୍ବ ଲୀଳା |ତାଙ୍କ ସମୁଖରେ ରଥ ଉପରେ ଅଧର ପଣା ହାଣ୍ଡି ଭଙ୍ଗା ଯାଇ ଏ ନୀତି ସମ୍ପୂର୍ଣ୍ଣ କରାଯାଏ |
ଜୟ ଜଗନ୍ନାଥ, ଜୟ ନୀଳାଦ୍ରିଶ 🙏

  • ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି ‘ ଓ ସାଧାରଣ ସମ୍ପାଦକ,ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ :9238304919

Leave A Reply

Your email address will not be published.