ମଶାଓଡଶକାମୁଡା ଚଉଠିରାତି !!! (୪)
- TATKAL ODISHA
- ମାୟାଧର ନାୟକ
ବାହାଘର ସିନା ୧୨ ଟଙ୍କା ଖର୍ଚ୍ଚ ହୋଇ ୨୫ ଟଙ୍କାରେ ଭୋଜି ସରିଗଲା । ହେଲେ ଚଉଠି ରାତି ! କେବେ ? ମୁଁ ଜାଣିନ ଥିଲି । ଲିଲିଙ୍କ ବଡଭାଇ ଅର୍ଣ୍ଣଦାଶଙ୍କର ଯାଜପୁରରୋଡରେ ଭୋଜିଭାତର ଆୟୋଜନ କଲେ । ଆମ ଏସ୍.ୟୁ.ସି.ଆଇ.ବାଲାଙ୍କୁ ନିମନ୍ତ୍ରଣ କଲେ । ଆମ ନେତା ତାପସ ଦତ୍ତଙ୍କ ସମେତ ପାଖାପାଖି ୧୦ ଜଣ ଆସିଲେ । ମୁଁ କୁଆଡେ କାମରେ ଯାଇଥାଏ । ସେଦିନ ଖରାବେଳେ ଶଶୁରଘରେ ପହଞ୍ôଚଲି । ଗାଧୁଆ ସାରି ଆସିଲାବେଳକୁ ମୋ ପାଇଁ ପଂଜାବୀ, ଟ୍ରାଉଜର, ଗଞ୍ଜି, ଅଣ୍ଡରୱୟାର କିଣି ରଖିଥିଲେ । ତାକୁ ପିନ୍ଧିଲାବେଳକୁ ଛୋଟ ହେଲା – ଫାଟି ବି ଗଲା । ମୋ ପୋଷାକ ପିନ୍ଧିଲି ।
ସଂଧ୍ୟାବେଳକୁ ଅତିଥିମାନେ ଆସି ଭୋଜିସଭାରେ ଯୋଗଦେଲେ । ୟାଡେ ମୋ ବାପା – ଗଙ୍ଗାଧର ନାୟକ ରାତି ୧୦ଟା ବେଳକୁ ଲିଲି ଘର ପାଖରେ ଜଣକ ଘରେ ବସିଛନ୍ତି । ଏ ଖବର ପାଇ ଲିଲିଙ୍କ ବଡଭାଇ ବାପାଙ୍କୁ ତାଙ୍କ ଘରକୁ ଡାକି ଆଣିଲେ । ଲିଳି ଆସି ବାପାଙ୍କୁ ପାଦଛୁଇଁ ଜୁହାର ହେଲା । ବାପା ଲିଲି ହାତରେ ସୁନା ମୁଦିଟିଏ ପିନ୍ଧାଇଦେଲେ । ମୁଁ ଦୋଷୀଟା ଭଳିଆ ଠିଆହୋଇଥାଏ । ବାପା ମୋତେ ଲିଲିକୁ ଚାହିଁ ଟିକେ ହସିଦେଇ ଚାଲିଗଲେ । ଜାଣିଲି – ବାପା ଏବେ ଲିଲିକୁ ଦେଖି ଖୁସି ଅଛନ୍ତି ।
- ଭୋଜି ସରୁସରୁ ପ୍ରାୟ ରାତି ସାଢେ ଏଗାରଟା ହୋଇଗଲା । ରାତି ୧୨ଟା ବେଳେ ଅର୍ଣ୍ଣଦାଭାଇ କହିଲେ – ମାୟାଧର – ଏବେ ଗାଁ ତରାପୁରକୁ ଯିବ । କାର୍ ମଗାଇଦେବି ? ମୁଁ ମନାକଲି – ଏଇ ଗୋଟିଏ କିଲୋମିଟର ଦୂରରେ ମୋ ବେଙ୍ଗ ମା ଘର, ସେଇଠିକୁ ଯିବୁ । ରାତି ୧୨ଟାରେ ଲିଲି ମୁଁ ଖଣ୍ଡେ ବ୍ୟାଗରେ ମୋ ଲୁଙ୍ଗିଗାମୁଛା, ଖଣ୍ଡେ ବେଡସିଟ୍, ଲିଲିର ଶାଢୀବ୍ଲାଉଜ୍ ପୁରାଇ ଶଶୁରଘରୁ ବିଦାୟନେଇ ଚାଲିଚାଲି ମୋ ବେଙ୍ଗ ମା – ଜନ୍ମକଲା ମା’ ନ ହେଲେବି ମୋତେ ପୁଅ କରିଛି । ରାତି ପ୍ରାୟ ୧୨ଟା ୧୦ ମିନିଟ୍ରେ ପହଞ୍ଚି କବାଟ ଖଟ୍ ଖଟ୍ କଲି । ମା’ ଉଠି କବାଟ ଖୋଲିଲା । କହିଲି – ମା ତୋ’ ବୋହୁକୁ ନେଇ ଆସିଛି । ସେ କାନ୍ଦିକାନ୍ଦି କହିଲା – କ’ଣ କହୁଛୁ । ଆମେ ଏଠି ଆଜି ରହିବୁ । ମା’ ଛୋଟ ଏକ ବଖରାଘର ଖୋଲିଦେଲା । ଖଟରେ ମଳିଛିଆ କନ୍ଥା, ତେଲଚକଟା ତକିଆଟା ପଡିଛି । ଡିବିରି ଲଗାଇ, ପାଣି ଲୋଟେ ଦେଲା । ଆମେ ଏବେ ସ୍ୱାମୀସ୍ତ୍ରୀ ସେ ନିବୁଜବଖରାର ଛୋଟ ଝରକାଟି ଖୋଲିଦେବାରୁ ଟିକେଟିକେ ପବନ ବହିଆସିଲା । ଖରାଦିନ – ଅବଶ୍ୟ ଛଣଘର ଯୋଗୁ ବେଶି ଗରମ ହେଉନଥାଏ । ସେଇ ତେଲଚକଟା କନ୍ଥାତକିଆ ଉପରେ ବେଡସିଟଟି ପକାଇ ମୁଁ ଲୁଙ୍ଗି ପିନ୍ଧିଲି– ଲିଲି ତା’ ପୋଷାକ ବଦଳାଇଲା ।
ପ୍ରାୟ ରାତି ଗୋଟାଏବେଳେ ବିଛଣାକୁ ଯିବାବେଳେ କୁଆଡେ ଥିଲେ ସେ ମଶାଗୁଡା ମାଡିଆସି ଆକ୍ରମଣ କଲେ । ଝରକା ପବନରେ ଡିବି ଆଲୁଅ ଲିଭିଗଲା । ବାଧ୍ୟ ହୋଇ ସେଇ ଅନ୍ଧାରଭିତରେ ଆମେ ଶୋଇବାକୁ ଗଲୁ । ପ୍ରାୟ ଦଶମିନିଟ୍ ଭିତରେ କୁଆଡେ ଥିଲେ ଓଡଶଗୁଡା – ସତେ ଯେମିତି ଆମକୁ ଅପେକ୍ଷା କରିଥିଲେ – ଦୁହିଁଙ୍କୁ ଆକ୍ରମଣ କରିବାରେ ଲାଗିଲେ । ସେଇ ମଶାଓଡଶକାମୁଡା ଭିତରେ ସକାଳର ସୂର୍ଯ୍ୟ ଉଇଁଲାଣି ବୋଲି ଆମକୁ ସେଇ ଛୋଟ ଝରକାଟି ସୂଚାଇଦେଲା । ଆମେ ପ୍ରାୟ ଘଣ୍ଟେ କି ଦି’ଘଣ୍ଟା ବିଶ୍ରାମ ନେଇନୁ । ସକାଳୁ ଉଠି ଲୋଟାପାଣିରେ ଦୁହେଁ ମୁହଁ ପଖାଳିଲୁ । ମା’ ଚା’କରି ସାରିଥିଲ । ଆମ ଦୁହିଁଙ୍କୁ ଦେଲା । କହିଲା – ଆଜିତ ସୁକିନ୍ଦା ପଳାଇବ । ଦି’ଦିନ ପରେ ଆସିବ । ମୁଁ ଶହେଦେଢଶ’ ଲୋକଙ୍କୁ ଇଲିଶିମାଛ ତରକାରୀ ଭାତ ଭୋଜିଦେବି । ଆମେ ହଁ ଭରି ସକାଳୁସକାଳୁ ଯାଜପୁରରୋଡରୁ ବସରେ ସୁକିନ୍ଦା ଅଭିମୁଖେ ଯାତ୍ରା କଲୁ । ଲିଲିର ସେ ମୁରକିହସ ଆଜିବି ମୋ ମନ ଗହନରେ, ମାନସ ଚକ୍ଷୁରେ ନାଚିଯାଉଛି । କସ୍ତୁରୀମୃଗ ଜାଣେନା – ନାଭିରେ ତା’ର କସ୍ତୁରି ।
- ଏହିସବୁ ପୁରୁଣା ସ୍ମୃତି ଏଇ ମାର୍ଚ୍ଚ ପହିଲା ୨୦୨୩ ସକାଳ ୭ଟାରେ ଲେଖିଲାବେଳେ କାହିଁକି କେଜାଣି ଏ ଅମାନିଆ ଆଖି ବୋଲ ମାନିଲାନାହିଁ । କୋହ ଆଉ ଲୁହରେ ଆଖିରୁ ଲୁହର ବନ୍ୟା ସୃଷ୍ଟି ହେଲା । ଗାମୁଛା ମୋର ଓଦା ହୋଇଗଲା । ଲୁହ ପୋଛୁ ପୋଛୁ ଲିଲି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଓଡିଶାରେ ଯାଇଥିବା ବ୍ରହ୍ମକୁମାର ଓ ବ୍ରହ୍ମାକୁମାରୀମାନଙ୍କ ଗହଳରେ ରାଜସ୍ଥାନର ମାଉଣ୍ଟଆବୁରୁ ଫୋନ୍ କଲେ । ପଚାରିଲେ – କ’ଣ କରୁଛ ? କେତେବେଳୁ ଉଠିଲଣି ? ମୁଁ ଉତ୍ତର ଦେବା ପୂର୍ବରୁ ମାଉଣ୍ଟଆବୁରେ ଏବେ ଅନ୍ଧାର ଘୁଞ୍ôଚନି । ଅଳ୍ପ ସମୟପରେ ସୂର୍ଯ୍ୟୋଦୟ ହେବ । ଆମେସବୁ ନିତ୍ୟକର୍ମସାରି ରେଡି ହେଲୁଣୁ । ମୁଁ କହିଲି – ତୁମେ ସିନା ସେଠି କାହିଁ କେତେଦୂରେ ସୁଡଙ୍ଗ ଶେଷରେ ସୂର୍ଯ୍ୟୋଦୟ ଦେଖିବାକୁ ଯାଉଛ – ମୁଁ କିନ୍ତୁ ଏଇ ଯାଜପୁରରୋଡ ଆମ ମହାନାୟକ ଭବନରେ ଏକାକି ଲୁହରବନ୍ୟାରେ ନାଆ ବାହିଚାଲିଛି । ଲିଲି କହିଲେ – କ’ଣ କହୁଛ ଯେ ? ମୁଁ କହିଲି ହଁ – ଏଇ ସକାଳୁ ସକାଳୁ ତମ କଥା ମନେପକେଇ ଦି’ଚାରିପଦ କଥା ଲେଖିଦେଲି । ଲିଲି କହିଲେ – ପଢିଲ ପଢିଲ । ମୁଁ ପଢିଲି । ଶେଷବେଳକୁ କୋହ ସମ୍ଭାଳିନପାରି ଭୋ ଭୋ ହୋଇ କାନ୍ଦିପକାଇଲି । ଲିଲି ସେଇ ପର୍ବତକନ୍ଦରରୁ ସାନ୍ତ୍ୱନାଦେଇ କହିଲେ – ଟିକେ ଧୈର୍ଯ୍ୟ ଧର – ଏତେ ଇମୋସ୍ନାଲ୍ ହେଲେ ଚଳିବ । ମୁଁ ୯ ତାରିଖରେ ଭୁବନେଶ୍ୱରରେ ପହଞ୍ôଚବି, ଆପଣ ଆସିବେ ମତେ ନେବାପାଇଁ ।
ହଁ ହଁ – ନିଶ୍ଚୟ ଯିବି ।
ମୁଁ ସିନା ମଶାଓଡଶକାମୁଡା ଚଉଠିରାତି କଥା ଲେଖିଦେଲି – ମାତ୍ର ମହାବିପ୍ଲବୀର ମଧୁଶଯ୍ୟା ତ ମରୁଶ୍ମଶାନଭୂମିରେ ସୁଧା ସମ୍ଭବ – ଯେଉଁଠି ଶୋଇଲେ ବି ଚଉଠି ସେଇଠି – ଏ ଚଉଠି ବାହାଘରର ଚଉଠି ନୁହେଁ – ସାରା ଜୀବନ ଦୁର୍ଗମଗିରିପଥଯାତ୍ରୀ – ଦୁର୍ବାର ବିପ୍ଲବୀର ଦୁଇଦଣ୍ଡ ପାଇଁ ମିଳିଥିବା ଟିକେନାକୁ ବିଶ୍ରାମର ମିଠା ଚଉଠି । ବିପ୍ଲବୀ ନିଜର କୌଣସି ଗଭୀରତମ ବ୍ୟକ୍ତିଗତ ଦୁଃଖରେ ବି କାନ୍ଥରେ ମୁଣ୍ଡପିଟି କେବେ କାନ୍ଦେନି – ବିପ୍ଲବୀର ଅଶ୍ରୁ ଚିରକାଳ ଅନ୍ତହୀନ ଅନ୍ତରାଳର ଅଶ୍ରୁ । ସେ ଅଶ୍ରୁର ଗୋପନଗିରିନିର୍ଝରକୁ ପୋଛିବାପାଇଁ ଏ ଦୁନିଆର କେତେ ନା କେତେ କୁବେରକମ୍ପାନୀ ଯେତେ ରେଶମୀ ରୁମାଲ ଯୋଗାଇଦେଲେବି ସେସବୁ ତୁଚ୍ଛାତିତୁଚ୍ଛ । ଯେହେତୁ ମହାଜୀବନଯୋଦ୍ଧା ଚିରବିପ୍ଲବୀର ଏକବିନ୍ଦୁ ଅଶ୍ରୁ ଆଗରେ ଫିକା ପଡିଯାଏ ଲକ୍ଷେ ପାହାଡିଝରଣା ।
ଲିଲି – ବହୁତ ଗେଲବସରରେ ବଢିଥିଲ ତମ ବୁନିଆଦୀ ବାପଘରେ । ଜାଣିନି, କାହିଁକି ସେଦିନ ଏ ସର୍ବହରାର ହାତ ଧରିବାପାଇଁ ସାରାଜୀବନ ପଥପାରିହେବାର ପଣ କଲ – ଚିରିଦେଲ ଆମେରିକାରେ କର୍ମରତ ଇଂଜିନିୟର ବରକୁ ବିବାହ କରିବାର ରଙ୍ଗୀନ୍ ଚିଠା ଖଣ୍ଡକ । ହୁଏତ ମୋର ଅଜାଣତରେ ତମକୁ ଦୁଃଖକଷ୍ଟ ଭୋଗିବାକୁ ପଡିଥିବ କଳ୍ପନାତୀତ – ହେଲେ ତମେ ତ କାହାରି ଆଗରେ କାନ୍ଦନି – ନଗାଧିରାଜନ୍ ଦିବ୍ୟ ନିତ୍ୟବ୍ରତଚାରିଣୀ ପାର୍ବତୀଙ୍କ ପରି ଏଇ ଭସ୍ମବିଭୂଷିତ ଭୋଳାନାଥର ହସ ହସ ମୁହଁ ଆଗରେ ବି ଦୁଃଖର ଦି’ଟୋପା ଲୁହ ଭୁଲରେ ବି ନିଗାଡିନ – କେବେ କୌଣସି ଦିନ – ଜାଣିଛି – ଯଦି କାନ୍ଦିଥିବ ତା’ହେଲେ ଲୁଚି ଲୁଚି କୋଉ ନିର୍ଜନତମ ଦୁଃସ୍ଥିତିରେ, ନିତାନ୍ତ ସର୍ନ୍ତପଣରେ । ଆଜି ମୁଁ କାନ୍ଦୁଛି – ଅତୀତର ସେଇସବୁ ଦୁର୍ବହଦିନରେ ତମେ ଭୋଗିଥିବା ଦୁଃଖକଷ୍ଟର ଗୋଟି ଗୋଟି ଦୃଶ୍ୟ ମନେପକାଇ । ହଁ – ତମ ଲୁହ ମୁଁ ଯେମିତି ଦେଖିନି – ମାତ୍ର ଆଜି ଆମ ଦାମ୍ପତ୍ୟର ଦୁର୍ମୂଲ୍ୟ ସ୍ମୃତି ଏଇ ନିର୍ଜନତମ ମୁହୂର୍ତ୍ତରେ ମୋ ଦୁଇଆଖିରୁ ଦାବି କରେ ମୋ ଅନ୍ତଃକରଣରୁ ଉତ୍ସରିତ ଦୁଇ ଅଶ୍ରୁବିନ୍ଦୁ । ତମେ ଏଠି ମୋ ଆଗରେ ଚା’ କପ୍ ଧରି ଛିଡା ହୋଇନା । ଆଜି ରାଜସ୍ଥାନର ମାଉଣ୍ଟଆବୁ ପାହାଡଚୂଡାକୁ ଚାହିଁ ସୂର୍ଯ୍ୟ ଉଇଁବାର ଅପେକ୍ଷା କରିଥିବ । ଆମ ଜୀବନରେ ମୋ ହସ ଆଉ ତମ ହସ ମିଶି ଏ ଦାମ୍ପତ୍ୟକୁ, ସତରେ ସ୍ୱୀକାର କରୁଛି ଯେ – ସୃଷ୍ଟି କରିଛି ଏକ ଅପୂର୍ବମିଳନର ଛନ୍ଦ । ମୁଁ ଏଠି ଯଦି କାନ୍ଦେ ଏକା – ତମେ ଆଉ କୋଉଠି କାନ୍ଦୁଥିବ ଏକବାରେ ଏକାକିନୀ । ଲିଲି – ଆମର ମିଳନ ହେଲା – ଆମ ଉଭୟଙ୍କର ହସର ବି ମିଳନ ହେଲା – ହେଲେ ଆଶ୍ଚର୍ଯ୍ୟ ଲାଗେ, କାହିଁ ଏ ଚାରିଚକ୍ଷୁର ଦି’ଦି’ ବୁନ୍ଦା ଲୁହର ତ କେବେ ମିଳନ ହୋଇପାରିଲା ନାହିଁ ! ଏ କଥା ମୁଁ ଭାବୁଛି, ତମେ ଭାବୁଛ କି ? ନା- ଚାଲ ଆଜି ଆଉ ଗୋଟାଏ ପଣ କରିବା – ଆମେ ଲୁହକୁ ଭୁଲିଯିବା – ଆଉ ଅନାଇ ରହିବା ଆଜିବି ଦୁନିଆର ଦୁର୍ଗତ ପଟୁଆରରେ ସାମିଲ ଆମ ମାମୁଲି ହେଲେବି ମରମୀଦରଦୀ ମଣିଷମାନଙ୍କର ଓଦା ଓଦା ଆଖିସବୁକୁ… ଯେଉଁ ଆଖିର ଅପନ୍ତରାରେ ଅଜସ୍ର ଆଶାର ଅପୂର୍ଣ୍ଣ ଅପେକ୍ଷା ।
- ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩