ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ – ‘ପଦ୍ମ ଘୁଂଚି ଘୁଂଚି ଯାଉଛି’
- TATKAL ODISHA //ଗଳ୍ପ//
//ପଦ୍ମ ଘୁଂଚି ଘୁଂଚି ଯାଉଛି//
+++++++++++++++++++
//ମନୋଜ କୁମାର ମହାପାତ୍ର//
++++++++++++++++++++
ବୟସ ଯେତେବେଳେ ବଢି ବଢି ଜୀବନର ଦିଗବଳୟ ପାଖାପାଖି ପହଞ୍ଚେ, ସେତେବେଳେ ଦେହ କ୍ରମଶଃ ହେମାଳ ଭଳି ଲାଗେ ଯେମିତି ଅସ୍ତଗାମୀ ପରାକ୍ରମୀ ସୂର୍ଯ୍ୟ ପଶ୍ଚିମ ଦିଗବଳୟ ପାଖାପାଖି ବଳଶୂନ୍ୟ ହେଇପଡନ୍ତି l ଦେହ ସିନା ହେମାଳ କିନ୍ତୁ ସ୍ମୃତି ପେଟିକାରୁ ଅଭୁଲା ସ୍ମୃତିଗୁଡାକ ଡେଣା ଫଡ ଫଡ କରି ବାହାରି ତୀକ୍ଷ୍ଣ ଦୃଷ୍ଟିରେ ଚାହାଁନ୍ତି l
ସେ ଚାହିଁବାର କଣ ଥାଏ ? କେବଳ ସ୍ମୃତିର ଉତ୍ପୀଡ଼ନକୁ ସହିବା ଛଡା ଆଉ ବାଟ ନ ଥାଏ l କାହିଁକି କେଜାଣି ଏଇ ଶେଷ ସମୟରେ ସେଇ ନିଆଁଲଗା ପଦ୍ମଟା ଖାଲି ଘୁଂଚି ଘୁଂଚି ଯାଉଛି ଯଦିଓ ଆଣ୍ଠୁଏ ପାଣିରୁ ଛାତିଏ ପାଣି ହେଲାଣି l ନାକେ ପାଣି ହେବା ପର୍ଯ୍ୟନ୍ତ କେହି ଜଣେ ଟାଣି ଆଣି ନ ଥାନ୍ତେ ? ନା, ଦେହ ଓ ମନର ଅନ୍ତ ଘଟିଲେ ବି ସ୍ମୃତି ଏକଲା ରହିବ ହି ରହିବ ତାର ନିର୍ଦ୍ଧାରିତ ବାଟରେ l
"ଏ ବୋଉ..... ଏ ବୋଉ...." କଣ କହୁଛୁ ବୋଲି ଡାକି, ପୁଅ ହରିଶ ତାଙ୍କୁ ଧୀରେ ହଲାଇ ଦେବାରୁ ଅଶୀ ବର୍ଷୀୟା ବୃଦ୍ଧା ଜୟନ୍ତୀଦେବୀ ନିଦୁଆ ଆଖିରେ କହିଲେ -ଉଁ... ଉଁ l
ତୁମେ ଏମିତି ରାତି ଅଧରେ ବିଳବିଳେଇ ହେଉଛୁ କାହିଁକି ? ସ୍ୱପ୍ନ ଦେଖୁଛ ନା କଣ ?
ନା... ନା ସ୍ୱପ୍ନ ନୁହେଁ l ଏଇ ଆମର କୁନି କଥା ଭାବୁଛି l
କେଉଁ କୁନି ?
ମୋ ସାନ ଭଉଣୀ କୁନି l
ମୁଁ ଜାଣିବାରେ ମୋର ତ ମାଉସୀ ବୋଲି କେହି ନାହାନ୍ତି ବରଂ ତିନି ଜଣ ମାମୁଁ ଅଛନ୍ତି l ତୁମର ପୁଣି ଭଉଣୀ କେଉଁଠୁ ଆସିଲା ?
ଜୟନ୍ତୀ ଦେବୀ ଏତକ କହି ଧୀରେ ଉଠି ପଛପଟ ତକିଆକୁ ଆଉଜି ବସିଲେ l ପୁଅ ହରିଶକୁ ଚାହିଁ କହିଲେ - ହଁ ରେ ପୁଅ, ମୋର ଅଲିଅଳି ସାନ ଭଉଣୀଟିଏ ଥିଲାନା l ତୁମମାନଙ୍କୁ କେବେ କହିନି ସତ କିନ୍ତୁ ତାର ସ୍ମୃତି ଆଜିକାଲି ବେଶୀ ମୋର ଛାତିକୁ ମଂଥୁଛି l ମାତ୍ର ସାତ ବର୍ଷ ବୟସରେ ସେ ମରିଥିଲା l
ହରିଶ ସାମାନ୍ୟ ବ୍ୟସ୍ତ ହେଇ କହିଲେ - ବୋଉ, ହଉ ହେଲା l ତୁମେ ପୁରୁଣା ସ୍ମୃତିକୁ ଏ ସାଙ୍ଘାତିକ ଅବସ୍ଥାରେ ମନରେ ପୁରାଅନା l ଖାଲି ଦୁଃଖ ପାଇବ l ତୁମେ ତ ମନବିଜ୍ଞାନୀ, ତୁମକୁ କଣ ବୁଝାଇବି l
ଜୟନ୍ତୀ ଦେବୀ ପୁଅକୁ ଚାହିଁ ମୁରୁକି ହସି କହିଲେ - ଆରେ ହରିଶ,ବ୍ୟାଧି ଓ ବୃଦ୍ଧାବସ୍ଥାରେ ଦେହ ସିନା ଦୁର୍ବଳ କିନ୍ତୁ ସ୍ମୃତିଗୁଡାକ ଅତି ଶକ୍ତିଶାଳୀ l ଯେମିତି ପ୍ରଚଣ୍ଡ ଗୁଳୁଗୁଳି ଭିତରେ ଅସରାଏ ବର୍ଷା ହେଲେ ଗାତରୁ ପିମ୍ପୁଡି ଗୁଡାକ ବାହାରି ଆସି ଘର ବାରଣ୍ଡାରେ ଚରି ଯାଆନ୍ତି ସେପରି ସ୍ମୃତିଗୁଡାକ ପରା ମନର ଶୂନ୍ୟ ଅଗଣାରେ ଚରି ଯାଆନ୍ତି l ମନ କଣ ତାକୁ ଅଟକାଇ ପାରିବ !
ହରିଶଙ୍କ ମୁଣ୍ଡରେ ବୋଉର କଥାଟା ପଶିଲାନି l ସେ ବଲବଲ ହେଇ କେବଳ ଚାହିଁଲେ l ଭାବନାର ଏକ ଘୁର୍ଣ୍ଣି ବଳୟ ଭିତରେ ଛନ୍ଦି ହେଇ ଅନୁଭବ କରୁଥିଲେ - ପ୍ରାୟ ତିରିଶବର୍ଷ ଧରି ବୋଉ ବିଶ୍ଵବିଦ୍ୟାଳୟରେ ମନୋବିଜ୍ଞାନ ପ୍ରଫେସର ଥିଲେ l ଲେଖିଛନ୍ତି କେତୋଟି ଗବେଷଣାତ୍ମକ ସନ୍ଦର୍ଭ ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ଥରରେ ଏବେ ବି ତର୍କ ଥମିବାର ନାଁ ନେଉନି l ଏବେ କଣ କହୁଛନ୍ତି ସେ ? ନିଜେ ବୁଝିପାରୁଛନ୍ତି ନା ମୁଁ ତାଙ୍କର କଥାକୁ ବୁଝିବାକୁ ଅକ୍ଷମ ?
ପୁଅର ବାକହୀନତା ଲକ୍ଷ୍ୟ କରି କହିଲେ - ଆରେ ହରିଶ ! ମନ ବୋଲିକି ଜିନିଷଟି ବ୍ରେନରେ ନାହିଁ କି ହୃଦୟରେ ନାହିଁ କି ଦେହର କୌଣସି ନିର୍ଦ୍ଦିଷ୍ଟ ଜାଗାରେ ନାହିଁ l ତଳିପାରୁ ମସ୍ତିଷ୍କ ପର୍ଯ୍ୟନ୍ତ ମନ ବିସ୍ତାରିତ କିନ୍ତୁ ମସ୍ତିଷ୍କ ଏହାର ପ୍ରକାଶକ ମାତ୍ର l ଯେମିତି ଢେଉ ହେଉଛି ସମୁଦ୍ରର ପ୍ରକାଶକ l ସମୁଦ୍ର ଥିବା ଯାଏଁ ଢେଉ ରହିବ, ଠିକ ସେମିତି ଦେହ ଥିବାଯାଏ ମନ ରହିବ l ଯେମିତି ସମୁଦ୍ର ସାରା ଢେଉ ବିଛେଇ ରହିଛି ସେପରି ଦେହ ସାରା ମନ l କିନ୍ତୁ ସ୍ମୃତିଗୁଡାକର ବସା ମନ ନୁହେଁ l ଶୂନ୍ୟତାର କେଉଁ ଅଚେତନ କି ଅବଚେତନ ମନର ଗଭୀର ରାଜ୍ୟରେ ଖଣି ମରା ହେଇ ରହିଛି ସ୍ମୃତିଗୁଡାକ ତାର ଟେର ମନ ପାଇବନି l ଅଥଚ ସ୍ମୃତିଗୁଡାକ ମନ ପାଖକୁ ପଳାଇ ଆସନ୍ତି ଯେମିତି ଦୋହଳ ଗାଈ ଛନଛନିଆ ଘାସ ପଡିଆକୁ ଚାଲିଆସେ l
ହରିଶ ପଚାରିଲେ - କାହିଁକି ଚାଲି ଆସନ୍ତି ?
ଆରେ ସ୍ମୃତିଗୁଡାକ ଖାଲି ଛାପ ମାନେ ଇମପ୍ରିଣ୍ଟ, ତାର ନିଜସ୍ୱ ଶକ୍ତି ନାହିଁ କିନ୍ତୁ ସିନମାର ପର୍ଦ୍ଦା ଭଳି ଗୋଟିଏ ମନ ସେମାନଙ୍କର ଦରକାର ଯେଉଁଠି ସେମାନେ ଅତି ସହଜରେ ପ୍ରକାଶିତ ହେଇ ଚଳପ୍ରଚଳ କରିପାରିବେ l ତୁ ପୁଣି ମୋତେ କହୁଛୁ ବିଗତ ସ୍ମୃତିକୁ ମନେପକାଅନା l ଅସମ୍ଭବ l
ହରିଶଙ୍କ ମୁଣ୍ଡ ଟାଏଁ ଟାଏଁ ହେଇଗଲା l କିନ୍ତୁ ବୋଉର ରୋଗାକ୍ରାନ୍ତ ମୁହଁ ଖୁବ ଆଲୋକିତ ଦେଖାଯାଉଥିଲା l ସତେକି ସେ ଯାହା କହୁଛନ୍ତି ସେଥିରେ ସେ ପୂରା ଡୁବି ହନ୍ତାଲୁଛନ୍ତି ସ୍ମୃତି ପେଟିକୁ ! ଆକାଶଛୁଆଁ କଥାକୁ ବୁଝିବାର ଅସମର୍ଥତା ଅନୁଭବ କରି କଥାର ଦିଗ ବଦଳାଇ ହରିଶ କହିଲେ - ବୋଉ, କହିଲ ତୁମ ଅଲିଅଳି କୁନିର ଅକାଳ ମରଣ କାହାଣୀ l
ଜୟନ୍ତୀ ଦେବୀ ସାମାନ୍ୟ ବିରକ୍ତି କଣ୍ଠରେ କହିଲେ - କଣ କହିଲୁ କାହାଣୀ ? ଜେଜେମା ଗପ ପେଡିର ଇୟେ ଏକ କାହାଣୀ ନୁହେଁ, ପୂରା ସତ କଥା ଯାହାର ସ୍ମୃତି ମୋ ମନ ଇଲାକାକୁ କୋଦାଳରେ କୋଡ଼ି କୋଡ଼ି ମୋତେ ଦେଉଛି ଅଶେଷ ଯନ୍ତ୍ରଣା l ଏତକ କହି ଆରମ୍ଭ କଲେ ସ୍ମୃତିର କାହାଣୀ l
ଆମ ଗାଁର ଶାସନ ବଗିଚାର ଦକ୍ଷିଣ ପଟେ ଶାଳନ୍ଦୀ ନଦୀର ଯେଉଁ ଶାଖା ଦଶମୌଜା ନଈ ନାଁରେ ବହି ଯାଉଛିନା,ତାର କୂଳରେ ଥିଲା ଆମ ପିଲାଦିନେ ଏକ ପ୍ରକାଣ୍ଡ ବରଗଛ l ତାରି ମୂଳରେ ଅଭିଆଡ଼ି ଝିଅମାନେ ପ୍ରତିବର୍ଷ ଦେବୀ ଗୌରୀଙ୍କର ସୁଆଙ୍ଗବୁଡ଼ ଓଷା ଅଶିଣ ମାସରେ ପାଳନ କରନ୍ତି l ସକାଳୁ ମୁହଁ ଅନ୍ଧାରବେଳେ ଝିଅମାନେ ଶିଅଳଲଟାର ଫୁଲ, ହରଗୌରା ଫୁଲ, ମନ୍ଦାର, ଟଗର, ସିଙ୍ଗିଡାହାର ଫୁଲ ଭଳି କେତେ ରକମର ଫୁଲ ତୋଳି ଆଣନ୍ତି ଏବଂ ଗୋଟିଏ ବରଡ଼ାପତ୍ରରେ ସେ ସବୁକୁ ବାନ୍ଧି ନଈକୂଳକୁ ଯାଆନ୍ତି l ସେଠାରେ ସାଙ୍ଗମାନେ ଗୀତ ଗାଇ ନଈରେ ଗାଧାନ୍ତି ଓ ବୁଡ଼ ପକାନ୍ତି l ଗାଧୋଇ ସାରି ବରଡାପତ୍ରରେ ବିଭିନ୍ନ ପ୍ରକାର ଫୁଲ ଫଳ ଭର୍ତି କରି ଗୋଟିଏ ମୂର୍ତ୍ତି ରୂପରେ ବରଗଛ ମୂଳରେ ଆଗରୁ ତିଆରି କରିଥିବା ବାଲୁକା ମଣ୍ଡପରେ ରଖି ପୂଜା କରନ୍ତି l ଧୂପ, ଝୁଣା ଦିଅନ୍ତି, ଭୋଗ ଲଗାନ୍ତି l ଶଙ୍ଖ ହୁଲୁହୁଳି ପକାଇ ଗୌରୀ ଦେବୀଙ୍କୁ ପୂଜା କରନ୍ତି l ଏଇ ପୂଜା ପ୍ରାୟ ଆଠଦିନ ଧରି ଚାଲେ l ଦୁର୍ଗାପୂଜାର ମହାଷ୍ଟମୀ ଦିନ ଝିଅମାନେ ବିଶେଷ ପୂଜା କରନ୍ତି l ଗଜାମୁଗ, ତାଳଗଜା ଇତ୍ୟାଦି ଭୋଗ ଦିଅନ୍ତି l ତାଳଗଜାର ଭୋଗ ଭାରୀ ସ୍ୱାଦିଷ୍ଟ l ସୁଆଙ୍ଗବୁଡ଼ ଓଝାଇବା ଦିନ ଗାଁ ଯାକ ପିଲାଙ୍କୁ ଭୋଗ ଖୁଆନ୍ତି l ଓଷା ଦିନମାନଙ୍କରେ ଝିଅମାନେ ସାକାହାରୀ ରହି ମା ଗୌରୀଙ୍କର ପୂଜାର୍ଚନା କରିଥାନ୍ତି l
ମୋର ବୟସ ଯେତେବେଳେ ନଅ ବର୍ଷ, ମୁଁ ଏଇ ଓଷା ଆମ ଗାଁର ଝିଅମାନଙ୍କ ସହିତ ଆରମ୍ଭ କରିଥିଲି l ଗୋଟିଏ କି ଦୁଇ ବର୍ଷ ବିତିଛି କି ନାହିଁ ମୋର ସାନ ଭଉଣୀ କୁନି ସୁଆଙ୍ଗବୁଡ଼ ଓଷା ଦେଖିବାକୁ ମୋ ସହିତ ଯିବା ପାଇଁ ଖୁବ ଅଝଟ କଲା l ବାପା ବୋଉ ତାକୁ କେତେ ବୁଝାଇଲେ ନ ଯିବାକୁ l ସେ କିନ୍ତୁ ରାହା ଛାଡି କାନ୍ଦିଲା l ବାଧ୍ୟ ହେଇ ତାକୁ କାଖେଇ ନଈ କୂଳକୁ ଗଲି l ସାଙ୍ଗମାନେ ବି ମୋ ବୋଉକୁ ଆଶ୍ୱାସନା ଦେଇଥିଲେ ଯେ ତାକୁ ଯତ୍ନରେ ନେବେ ଓ କୁଳ ପାଖରୁ କିଛି ଦୂରରେ ବସାଇବେ ଓ ପୂଜା ସରିଲେ ତାକୁ ଘରକୁ ନେଇ ଆସିବେ l
କୁନିକୁ ବରଗଛ ମୂଳରେ ବସାଇ ଆମେ ନଈ ଭିତରକୁ ପଶି ପାଣି ଛଟାଛଟି ହେଇ ଗୀତ ଗାଇଲୁ l ସାମାନ୍ୟ ମୁହଁ ଅନ୍ଧାରରେ ମୁଁ କୁନିକୁ ବସିଥିବାର ମଝିରେ ମଝିରେ ସ୍ପଷ୍ଟ ଦେଖୁଥାଏ l
ଏତକ କହୁ କହୁ ଜୟନ୍ତୀ ଦେବୀ ଭୋ ଭୋ କାନ୍ଦି ଉଠିଲେ ଏବଂ ତାଙ୍କର କଣ୍ଠ ରୁଦ୍ଧି ହେଇଗଲା l ହରିଶ ବାବୁ ସାଙ୍ଗେ ସାଙ୍ଗେ ବୋଉର ମୁଣ୍ଡକୁ ଆଉଁସି ଦେଇ ଆଖିରୁ ଲୁହ ପୋଛି ଦେବାରୁ, ସେ କମ୍ପିତ ସ୍ୱରରେ କହିଲେ - ଆରେ ହରିଶ, ପାଣିରୁ ଉଠି ଆମେ ବରଗଛ ମୂଳରେ ପହଂଚିବା କ୍ଷଣି ଦେଖିଲୁ ଯେ କୁନି ଆଉ ସେଠାରେ ନ ଥିଲା l
ମୋର କାନ୍ଦ ସେ ଦିନ ସାରା ଶାସନ ବଗିଚାକୁ କମ୍ପମାନ କଲା l ବାପା ବୋଉ ସମେତ ଗାଁଟା ଯାକ ଲୋକ ଦୌଡ଼ି ଆସିଲେ l ନଈଟାକୁ ହନ୍ତାଳି ପକାଇଲେ l କିନ୍ତୁ କୁନି ଆଉ ମିଳିଲାନି l
ବାପା ବୋଉଙ୍କ ଛାତି ଫଟା କାନ୍ଦ ଓ ଦୁଃଖ ନ କହିଲେ ଭଲ ମୁଁ କିନ୍ତୁ କୁନିକୁ ଝୁରି ଝୁରି କଣ୍ଟା ହେଇଗଲି l କେହି କେହି କହିଲେ ଯେ ତାକୁ କୁମ୍ଭୀର ଟାଣି ଖାଇଗଲା l କିନ୍ତୁ ପୁଣି ଲୋକେ କହିଲେ ଯେ ଦଶମୌଜା ନଈରେ କେଉଁ କାଳରେ କୁମ୍ଭୀର ନାହିଁ, କୁମ୍ଭୀର କେମିତି ତାକୁ ଟାଣି ନେବ ?
କୁମ୍ଭୀର ନାଁ ଶୁଣି ମୋର ଜେଜେମା ପାଖରୁ ଶୁଣିଥିବା ଗପଟି ବାରମ୍ବାର ଉଛୁଳି ଉଠିଲା ମୋର କିଶୋରୀ ମନରେ l ଗପ ଅବାସ୍ତବ ଭଳି ଲାଗିଲେ ମଧ୍ୟ ତାର ଏସେନ୍ସ ପିଲାଙ୍କର ଭବିଷ୍ୟତ ଜୀବନକୁ କିଛି ଅଂଶରେ ଗଢିବାରେ ସହାୟକ ହୁଏ l ଶୁଣ ଗପଟି l
ଏକଦା ତୋଟାପଡା ଗାଁରେ ବାସକରୁଥିବା ଗର୍ଭବତୀ ସାଧବାଣୀର କଳମ ଶାଗ ଖାଇବାର ଇଛା ହେଲା l ଇଛାର ପୂରଣ ପାଇଁ ତାର ସ୍ୱାମୀ ସାଧବ ପହଂଚି ଥିଲା ଏକ ନଈର ଯୋଡ ପାଖରେ, ଯେଉଁଠି ଦେଖିଲା ଛନଛନିଆ କଳମ ଶାଗର ଭଣ୍ଡାର l ସାଧବ ଯୋଡ ଭିତରକୁ ପଶି କଳମ ଶାଗ ତୋଳୁଥୁବା ସମୟରେ ବିରାଟ ବଉଳା କୁମ୍ଭୀର ତାର ଗୋଡ଼କୁ କାମୁଡି ଧରିଲା l ସାଧବ ନେହୁରା ହେଇ କହିଲା - କୁମ୍ଭୀର ଭାଇ ମୋର ସ୍ତ୍ରୀ ଗର୍ଭବତୀ, ମୋତେ ଛାଡି ଦେ ନଚେତ ମୋର ସଂସାର ଉଜୁଡି ଯିବ l କୁମ୍ଭୀରର ଟିକେ ଦୟା ହେଲା, ସେ କହିଲା - ତୋର ଯଦି ଝିଅଟିଏ ହେବ, ମୋତେ ଦେବୁ l ପୁଅ ହେଲେ ତୋର କିନ୍ତୁ ମନେ ରଖ ଝିଅଟିର ବୟସ ଚଉଦ ବର୍ଷ ହେଲେ ମୋ ପାଖରେ ତାକୁ ଛାଡି ଦେବୁ l ଏଇ ସର୍ତ୍ତକୁ ଯଦି ମାନିବୁ ତେବେ ତତେ ମୁଁ ଏଇନେ ଛାଡି ଦେବି l ଅନନ୍ୟୋପାୟ ହେଇ ସାଧବ ରାଜି ହେବାରୁ କୁମ୍ଭୀର ତାକୁ ଛାଡିଦେଲା l
ସାଧବର ଝିଅଟିଏ ହେଲା l ଅତି ଖୁସିରେ ସେ ବାପା ମାଙ୍କ ଯତ୍ନରେ ବଢିଲା l କିନ୍ତୁ ଝିଅ ଚଉଦ ବର୍ଷ ହେବା ମାତ୍ରେ ସର୍ତ୍ତ ଅନୁଯାୟୀ ସାଧବ ଝିଅକୁ ଧରି ଅତି ଦୁଃଖରେ ନଈର ଯୋଡ ପାଖରେ ପହଂଚି ଦେଖେତ ଯୋଡରେ ସୁନ୍ଦର ପଦ୍ମ ଫୁଲଟିଏ ଫୁଟିଛି l ଝିଅ ପଦ୍ମର ସୌନ୍ଦର୍ଯ୍ୟ ଦେଖି ବାପାଙ୍କୁ କହିଲା - ବାପା ମୋ ପାଇଁ ପଦ୍ମ ତୋଳି ଆଣ l ବାପା କହିଲେ - ତୁ ନିଜେ ତୋଳି ଆଣ l
ଝିଅ ପାଣିକୁ ପଶିଲା l କିନ୍ତୁ ଆଗରୁ କୁମ୍ଭୀର ପଦ୍ମ ନାଡକୁ କାମୁଡି ଧରିଥାଏ l ଝିଅ ଯେମିତି ପଦ୍ମ ପାଖରେ ପହଁଚିଛି ପଦ୍ମ ଘୁଂଚିବାକୁ ଆରମ୍ଭ କଲା l ଝିଅ କହିଲା - ଆଣ୍ଠୁଏ ପାଣିକୁ ଗଲିଣି ବାପା ମୁଁ,ପଦ୍ମ ଘୁଂଚି ଘୁଂଚି ଯାଉଛି l ବାପା କହିଲେ - କି କରିବି ଝିଅ କି କରିବି ମୁଁ, ତୋ ବୋଉ ତ କଳମ ଖାଇଛି l ପୁଣି ଝିଅ କହିଲା - ଅଣ୍ଟାଏ ପାଣିକୁ ଗଲିଣି ବାପା ମୁଁ,ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି l ବାପା କହିଲେ - କି କରିବି ଝିଅ କି କରିବି ମୁଁ, ଏଇ ବାପା ତୋର ସତ୍ୟ କରିଛି l ପୁଣି ଝିଅ କହିଲା - ଛାତିଏ ପାଣିକୁ ଗଲିଣି ବାପା ମୁଁ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି l ବାପା କହିଲେ - ଭୁଲ ବୁଝିବୁନି ଏଇ ନାଚାର ବାପାକୁ, କୁମ୍ଭୀରକୁ ତତେ ମୁଁ ଦେଉଛି l ବାସ କୁମ୍ଭୀର ଝିଅକୁ ଅତଳାତଳ ପାଣି ଭିତରକୁ ଟାଣି ନେଇ ତାର ଘର ଭିତରେ ରଖିଲା l
ଯେହେତୁ ବଉଳା କୁମ୍ଭୀରଟି ବୁଢ଼ା ହେଇ ଯାଇଥିଲା ତେଣୁ ସେ ଶିକାର କରିବାକୁ ଥିଲା ଅସମର୍ଥ l କୁମ୍ଭୀର ନିର୍ଦ୍ଦେଶରେ ଝିଅଟି ତାର ଘରେ ରହି ସବୁଦିନ ଜନ୍ତୁ ମାରି କୁମ୍ଭୀରକୁ ଖାଇବାକୁ ଦିଏ l କିନ୍ତୁ କୁମ୍ଭୀର ଦିନେ ଝିଅକୁ କହିଲା - ଆଲୋ ଝିଅ ! ଅନେକ ଦିନ ହେଲା ମୁଁ ମଣିଷ ମାଂସ ଖାଇନି, ତୁ ମୋତେ ମଣିଷ ମାଂସ କେଉଁଠୁ ଆଣି ଦେ l ଝିଅ କହିଲା - ମୁଁ କେଉଁଠୁ ଆଣିବି, ଯଦି ଖାଇବୁ ତ ମୋତେ ଖାଅ l କୁମ୍ଭୀର କହିଲା - ଠିକ ଅଛି ମୁଁ ଟିକେ ପଥରରେ ମୋ ଦାନ୍ତ ପଜେଇକି ଆସେ l ତୁ ଏଠି ପ୍ରସ୍ତୁତ ହେଇ ରହିଥା l କୁମ୍ଭୀର ଚାଲି ଯିବାରୁ ଝିଅ ସାଙ୍ଗେ ସାଙ୍ଗେ ପହଁରି ପହଁରି କୂଳରେ ପହଞ୍ଚି ଗଲା ଏବଂ ଅଗନା ଅଗନି ବନସ୍ତ ଭିତରକୁ ପଳାଇ ଆସିଲା l ହେ ଭଗବାନ ! କୁମ୍ଭୀର ଠାରୁ ସିନା ବର୍ତ୍ତିଗଲା ସେ କିନ୍ତୁ ଗୋଟିଏ ମହାବଳ ବାଘ ହାବୁଡ଼ରେ ପଡିଗଲା l ଉପାୟଶୂନ୍ୟ ହେଇ ଝିଅଟି ଗୋଟିଏ ସାହାଡ଼ା ଗଛ ପଛପଟେ ଲୁଚି ଯାଇ କାନ୍ଦି କାନ୍ଦି କହିଲା - ହେ ମା ସାହାଡ଼ା ସୁନ୍ଦରୀ, ତୋ କୋଳରେ ମୋତେ ଆଶ୍ରୟ ଦେ l ସାହାଡ଼ା ଗଛଟି ଦିଫାଳ ହେଇ ଯିବାରୁ ଝିଅଟି ତାର ଗଣ୍ଡି ଭିତରକୁ ପଶିଗଲା l ପୁଣି ତାର ଗଣ୍ଡି ବୁଜିଗଲା ନିମିଷରେ l
ଇତ୍ୟବସରେ ପାରିଧିରେ ଅରଣ୍ୟରେ ବୁଲୁଥିବା ରାଜକୁମାରଙ୍କର ତୀର ମାଡ଼ରେ ମହାବଳ ବାଘର ମୃତ୍ୟୁ ହେଲା l ତାପରେ..... ଅନେକ କଥା l ଶେଷରେ ଝିଅ ସାହାଡ଼ା ଗଛରୁ ବାହାରି ରାଜକୁମାରଙ୍କୁ ବାହା ହେଇ ରାଜ୍ୟର ରାଣୀ ସାଜିଲା l
ବୁଝିଲୁରେ ହରିଶ ! ଜେଜେମାର ଏଇ ଗପଟି ମୋ କିଶୋରୀ ମନରେ ସୃଷ୍ଟିକଲା କୁନିକୁ ହରାଇବାର ଦୁଃଖଦ ସମୟରେ ପ୍ରଚଣ୍ଡ ଆତ୍ମ ପ୍ରତ୍ୟୟ l କୁନିକୁ ମୁଁ ଯେତିକି ପ୍ରାଣ ଭରି ଭଲ ପାଉଥିଲି ତାହା ଠାରୁ ସେ ମୋତେ ବେଶୀ ଭଲ ପାଉଥିଲା l ଏଇ ନିବିଡ଼ ଭଲପାଇବା ଭିତରୁ ମୋର ହୃଦବୋଧ ହେଲା ଯେ କୁନି ନିଶ୍ଚୟ କୁମ୍ଭୀର ପାଖରୁ ଖସି ଆସି ଆମ ନଈ ପାଖ ସାହାଡ଼ା ଗଛ ଭିତରେ ଲୁଚି ରହିଥିବ l କାହିଁକି ନା ନଈ କୂଳରେ ଯେଉଁଠି ମୁଁ କୁନିକୁ ସେଇ ଅଘଟଣ ଦିନରେ ବସାଇଥିଲି ସେଠି ଥିଲା ଗୋଟିଏ ପ୍ରକାଣ୍ଡ ସାହାଡ଼ା ଗଛ l ସବୁଦିନ ସେଠାକୁ ଏକୁଟିଆ ଯାଇ ସାହାଡ଼ାଗଛକୁ କୁଣ୍ଢାଇ, ତାର ଗଣ୍ଡିରେ ମୁଣ୍ଡ ପିଟି କହେ - ଆଲୋ ସାହାଡ଼ା ସୁନ୍ଦରୀ ମୋ କୁନିକୁ ତୋ ପେଟରୁ ଟିକେ ବାହାର କରି ଦେନା l
ପ୍ରାୟ ବର୍ଷେ ପରେ ହଠାତ ଗଛକୁ କୁଣ୍ଢାଇ ମୋର କାନ୍ଦିବାର ଦୃଶ୍ୟ ବାପାଙ୍କ ନଜରରେ ପଡିଲା l ସେ ମୋତେ ବୁଝାଇ ସୁଝାଇ ଘରକୁ ନେଇ ଆସିଲେ ଏବଂ ବୋଉ ଆଗରେ ମୋତେ ଆଖି ଛଳ ଛଳ କରି କହିଲେ - ଆଲୋ ମା, ତୋ କୁନିକୁ କୁମ୍ଭୀର ଖାଇନି l ତୁମେ ଝିଅମାନେ ସେ ଦିନ ନଈରେ ଗାଧୋଉଥିବା ସମୟରେ, ତୁମର ଅଜାଣତରେ ସେ ଧୀରେ ଧୀରେ ଆସିଥିଲା ତୁମମାନଙ୍କ ସହିତ ହସ ଖୁସି ହେଇ ଗାଧୋଇବାକୁ l ସେ ଦିନ ନଈର ସୁଅ ପ୍ରଖର ଥିଲା l ଭାରସାମ୍ୟ ହରାଇବାରୁ ନଈର ସୁଅରେ ଭାସିଗଲା l ପରଦିନ ସକାଳେ ମସୁଆପାଳ ବାଉଁଶ ପୋଲ ନିକଟରେ ତାର ମୃତଦେହକୁ ଉଦ୍ଧାର କରିଥିଲୁ l ଏ କଥା ତୋତେ ଲୁଚାଇ ଥିଲୁ l ବାପାଙ୍କ ପାଖରୁ ଏ କଥା ଶୁଣି କାନ୍ଦି କାନ୍ଦି ଆମ ଘରପରସ୍ତକୁ ସେ ଦିନ ମୁଁ ହୁଲୁସ୍ତୁଲ କରିଥିଲି l
ବୋଉ ମୁହଁରୁ ଗପଟିର ଅନ୍ତ ଘଟିବାର କେତୋଟି ମୁହୂର୍ତ୍ତ ଭିତରେ ହରିଶ ଦେଖିଲେ ଯେ ବୋଉ ନିଜର ମାଳମାଳ ସ୍ମୃତି ସହିତ ବାକଯୁଦ୍ଧ କରି ସେତେବେଳକୁ ସମ୍ପୂର୍ଣ୍ଣ କ୍ଲାନ୍ତ ଓ ଅବସ l ପଛପଟ ତକିଆରେ ମୁଣ୍ଡକୁ ଧୀରେ ଆଉଜାଇ କେବଳ ଧୀର ଦୃଷ୍ଟିରେ ଚାହିଁଛି l ଆଶ୍ଚର୍ଯ୍ୟର ସୀମା ରହିଲାନି ହରିଶଙ୍କର l ଯିଏ ତିନିବର୍ଷ ହେଲା ବ୍ରେଷ୍ଟ କେନ୍ସରରେ ପୀଡିତ ହେଇ ଦୁଇ ଦୁଇଟା ଅପରେସନ, ବହୁବାର କେମୋ ଓ ରେଡ଼ିଓ ଥେରାପି ସହିତ ପୁଳେ ପୁଳେ ମେଡ଼ିସିନ ଓ ଇଞ୍ଜେକ୍ସନ ନେଇ ଯନ୍ତ୍ରଣାର ଜୀବନ ବିତାଏ, ସେ କେମିତି ବାଡ଼ବତା ନ ମାନିଲା ଭଳି ମୋ ସହିତ ତାର ଅଲିଭା ସ୍ମୃତିକୁ ଅନ୍ତିମ ସମୟରେ ସେୟାର କରି ପାରିଲା ???
ପ୍ରଫେସର ମନୋବିଜ୍ଞାନୀ ଜୟନ୍ତୀ ସାହୁ ଓରଫ ମୋ ବୋଉ ଯାହା କହିଥିଲେ " ଦେହ ସିନା ବାର୍ଦ୍ଧକ୍ୟ ଓ ବ୍ୟାଧି ଯୋଗୁ ଦୁର୍ବଳ କିନ୍ତୁ ସ୍ମୃତି ଖୁବ ପାୱାରଫୁଲ " ତାହା କଣ ସତରେ ସେ ମୋ ଆଗରେ ପ୍ରମାଣ କରିଦେଲେ ? ହରିଶ ବୋଉର ଦୀର୍ଘ ନିସ୍ତବଧତା ଓ ଅପଲକ ଚକ୍ଷୁ ଲକ୍ଷ୍ୟ କରି, ତାଙ୍କର ମୁଣ୍ଡକୁ ଆଉଁସି ଦେଲେ l ପାଣି ମୁନ୍ଦାଏ ତାଙ୍କ ମୁହଁରେ ଦେଇ ଆତଙ୍କିତ ବାଷ୍ପରୁଦ୍ଧ କଣ୍ଠରେ କହି ଉଠିଲେ - ବୋଉ ବୋଉମଃ ଟିକେ ଚାହାଁ l କିନ୍ତୁ ବୋଉର ଜୀବନ ପଦ୍ମଟା ଯେ ଗୋଟାପଣେ ଘୁଞ୍ଚି ଘୁଞ୍ଚି ଦିଗବଳୟର ସେପାରିକୁ ଚାଲି ଗଲାଣି,ହରିଶଙ୍କୁ ଜଣା ନ ଥିଲା l
------00000-------
© ମନୋଜ କୁମାର ମହାପାତ୍ର
8.8.2023