ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ଟୁଉକୁ ମୂଷି ‘
ଗଳ୍ପ
//ଟୁଉକୁ ମୂଷି//
**************
ମନୋଜ କୁମାର ମହାପାତ୍ର
*****************
"ଟୁଉକୁମୂଷି ଟୁଉକୁମୂଷି ଧାନ ଭରଣକ ଖାଉତା ବସି, ଧାନ ଛଡେଇ ଚାଉଳ ଖାଆ, ଫୁର କିନା ଉଡି ଯାଆ " ପାକୁଆ ପାଟିରେ ଜେଜେମା ଦଶମାସର ନାତୁଣୀ ରେଖାକୁ ଚାହିଁ ଏକଦା ହସରେ ଫାଟି ପଡୁଥିଲେ l ପୁଣି ତା'କୁ କାଖେଇ ବାଡ଼ି ଦୁଆର ପାଖରେ ନଡ଼ିଆ ଗଛ ଡେଙ୍ଗା ଗଣ୍ଡିରେ ଦ୍ରୁତ ବେଗରେ ଧାଉଁଥିବା ଗୁଣ୍ଡୁଚିମୂଷାକୁ ଦେଖେଇଦେବା କ୍ଷଣି ନାତୁଣୀକୁ ସମ୍ଭାଳିବା ଜେଜେମା ପାଇଁ ହୁଏ ସଂଘର୍ଷମୟ l ନାତୁଣୀ କାଖରୁ ଓହ୍ଲାଇ ଗୁଣ୍ଡୁଚିମୂଷା ପାଖକୁ ଯିବାର ପ୍ରବଳ ଚେଷ୍ଟା ଓ ତା'କୁ ଜାବୁଡି ଧରିବାର ଜେଜେମାର ଧଇଁସଇଁ ଅବସ୍ଥା ଭିତରେ ଯେଉଁ ସଂଘର୍ଷ ଉତ୍ପନ୍ନ ହୁଏ, ତାକୁ ନା ବୁଝିପାରେ ନାତୁଣୀ ନା ଗୁଣ୍ଡୁଚିମୂଷା l କିନ୍ତୁ ବିଚାରୀ ଜେଜେମାର ହଲକ ଶୁଖିଯାଏ ସେହି ମୁହୂର୍ତ୍ତରେ କାଳେ ନାତୁଣୀ କାଖରୁ ଖସି ପଡି ଲହୁ ଲୁହାଣ ହେଇଯିବ ? ସତୁରିବର୍ଷର ବୁଢ଼ୀ ଯେ ସେ, ଆଉ ବୟସ ଆସୁଛି ଯେ ତାକୁ ସମ୍ଭାକିବ ? ଚାଲିବାବେଳେ ବାଡ଼ିଟିଏ ଯା'ର ସାହାରା ସେ ପୁଣି ୟାକୁ ସମ୍ଭାଳିବ ! ତଥାପି ତାକୁ ସେ ଛାଡିପାରେନା l
ଇୟେ କି ପ୍ରକାର ଆକର୍ଷଣ ନା ମମତାର ଆସକ୍ତି ? କୁନି କୁନି ହାତରେ ଟୁଉକୁ ମୂଷି.....ଟୁଉକୁ ମୂଷି କରି ଦି'ହାତକୁ ଉପରକୁ ଟେକି ଦେବାର ଭଙ୍ଗୀ ଏମିତି ଜେଜେମାକୁ ଉଲ୍ଲସିତ କରେ ଯେ ସତେକି ସେ ଅନନ୍ତ ଆକାଶକୁ ଉଡିଯାଉଛନ୍ତି !! ଏଇ ଯେଉଁ ଆନନ୍ଦ ଟିକକ ଭିତରେ ସେ ନିଜକୁ ହଜାଇ ଦିଅନ୍ତି ତା'ର ସ୍ୱାଦ କେବଳ ଜେଜେମାମାନେ ବୋଧହୁଏ ବୁଝନ୍ତି l
ସମୟର ଅପ୍ରତିରୋଧ୍ୟ୍ୟ ସ୍ରୋତରେ କିଏ ବା ଗୋଟିଏ ବିନ୍ଦୁରେ ଅଟକିଯାଇ ପାରିବ ଚିରକାଳ ପାଇଁ l ଏମିତି ଯଦି ସମ୍ଭବ ହେଉଥାନ୍ତା ତେବେ ଜେଜେମା ଓ ନାତୁଣୀ ରେଖା କେବେ ବି ଏବର 'ଟୁଉକୁମୂଷି' ସ୍ତରରେ ପହଂଚିପାରି ନ ଥାନ୍ତେ l ଏବେ ରେଖା ଗାଁ ସ୍କୁଲରେ ପଢିଲେଣି l ନିତି ଜେଜେମା ତାକୁ କାଖେଇ ସ୍କୁଲରେ ଛାଡ଼ନ୍ତି ଏବଂ ଆଣନ୍ତି l କିନ୍ତୁ ଜେଜେମା ଏମନ୍ତ ନିତିଦିନିଆ ଅଭ୍ୟାସଟାକୁ କେତେଦିନ ରଖିପାରିବେ ? ରେଖା ପରା ଏବେ ଦୁଇ ମାଇଲ ଦୂରସ୍ଥ ଦୋଳସାହି ହାଇସ୍କୁଲରେ ପାଠ ପଢିଲେଣି l ତାକୁ କାଖେଇ ସ୍କୁଲ ନେବାର ବେଳ ପରା ଅତୀତର ଝାପ୍ସା କୁହୁଡି ଭିତରେ କେବେଠୁଁ ଲୁଚିଗଲାଣି l
ଜେଜେମା ସିନା ତାକୁ ଆଉ କାଖେଇ ପାରିଲେନି କିନ୍ତୁ ବାଡ଼ିଟିଏ ଠୂକ ଠୂକ କରି ଗାଁ ମୁଣ୍ଡ ଶ୍ମଶାନ ପର୍ଯ୍ୟନ୍ତ ବାଟେଇ ଦେଇ ଆସନ୍ତି, ପୁଣି ଦ୍ବିପହର ବେଳକୁ ସେହି ଶ୍ମଶାନ ନିକଟରେ ତାର ଆସିବା ବାଟକୁ ଚାହିଁ ବସିଥାନ୍ତି l ରେଖା ହାତରୁ ବସ୍ତାନି ନେଇ ନିଜ କାନ୍ଧରେ ଝୁଲାଇ କେତେ କଣ ଗପି ଗପି ଉଲ୍ଲସିତ ପାଦରେ ଘରକୁ ଫେରନ୍ତି l
ନାତୁଣୀର ସ୍କୁଲ ଯିବା ଓ ଫେରିବା ଭିତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୁଏ, ତାହା ଅସରନ୍ତି ପ୍ରତୀକ୍ଷାର ଗୋଟାଏ ଲେଖାଏଁ ଭୟାକୁଳ ମୁହୂର୍ତ୍ତ ଭଳି ଅନୁଭୂତ ହୁଏ ଜେଜେମାଙ୍କ ପାଇଁ l ଯଦି ନିର୍ଘଣ୍ଟ ସମୟରେ ନାତୁଣୀ ସ୍କୁଲରୁ ନ ଫେରିଲା ତେବେ କଥା ସରିଲା, ସ୍କୁଲ ଆଡକୁ ତାଙ୍କର କ୍ଷୀପ୍ର ଗତିରେ ଚାଲିବା ଆରମ୍ଭ ହେଇଯିବ l ହଁ ପରା, ଏକଦା ରେଖାର ଫେରିବା ସାମାନ୍ୟ ଡେରି ହେବାରୁ ଜେଜେମା ଯାଇକି ହାଇସ୍କୁଲ ଫାଟକ ପାଖରେ "ଟୁଉକୁମୂଷି".... "ଟୁଉକୁମୂଷି" କହି ରଢ଼ି ଛାଡିଲେ l ରେଖାକୁ ଲାଜ ଲାଗିଲା l ସେ ଦୌଡ଼ି ଆସି ଜେଜେମା ପାଟିରେ ହାତ ଗେଞ୍ଜି କହିଲା - ଆଲୋ ଜେଜେମା ! ତୋ ମୁହଁକୁ ଟିକେ ଲାଜ ସରମ ନାହିଁ l ଦେଖୁନୁ ମୋ ସାଙ୍ଗମାନେ କେମିତି ନାକରେ ହାତ ଦେଇ କିରିକିରି ହସୁଛନ୍ତି?
ମୋତେ ରେଖା ବୋଲି ଡାକିଲୁନି ? "ଟୁଉକୁମୂଷି" ବୋଲି ଏଠାରେ ନ ଡାକିଥିଲେ ହେଇନଥାନ୍ତା ?
ଜେଜେମା ଆଉ କହିବେ କଣ ? ହସି ହସି କହିଲେ - ହଉ ହେଲା, ଚାଲ ଉଛୁର ହେଲାଣି l କିନ୍ତୁ ନାତୁଣୀକୁ ଧରି ଘରକୁ ଫେରିବା ବାଟରେ ଭାବୁଥିଲେ - ୟାକୁ ଏବେ ଲାଜ ଘାରିଲେଣି, ବଡ଼ ହେଲେଣି ତ
ହଁ ସତରେ ତ l ଇୟା ଭିତରେ ରେଖା ସମୟ ସ୍ରୋତର ଗୋଟିଏ ପରେ ଗୋଟିଏ ପାହାଚ ଚଡି ଏମିତି ବଡ଼ ହେଇଗଲା ଯେ ଗୁଣ୍ଡୁଚିମୂଷା ଭଳି ଘରପଛ ଡେଙ୍ଗା ନଡ଼ିଆଗଛର ଅଗକୁ ଚଢ଼ି ବାହୁଙ୍ଗା ଉହାଡ଼ରେ ସେ ଲୁଚିଗଲା l ବିଚରା ଜେଜେମା ଜଳକା ପରି ଅନେଇଛି,ଇଆଡ଼େ ନାତୁଣୀ ରେଖା ଯାଇ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ l
ନାତୁଣୀ ସିନା ଆଖି ସାମ୍ନାରୁ ଅଲଗା ହେଇଗଲା କିନ୍ତୁ ଜେଜେମା ନିପଟ ମଫସଲି ଗାଁରେ ରହି ବି ତା'ର ଟୁଉକୁମୂଷିକୁ ନିତି ଦେଖୁଥିଲା ନିଜ କଳ୍ପିତ ଆଖିରେ l
କେମିତି ନ ଦେଖିବେ କହିଲ ? ଜନ୍ମ ହେଉ ହେଉ ତା' ମା ଛୁତିକା ଦୋଷର କଷଣ ଯୋଗୁ ଆଖି ବୁଝିଲା l ସେତେବେଳେ ଆଜିକା ପରି କଣ ଡାକ୍ତଖାନା ଗାଁ ଗଣ୍ଡାରେ ଥିଲା କି ? ଜେଜେମା ଯଦି ନିଜ ଛାତିରେ ତାକୁ ଆଉଜେଇ ନ ନେଇଥାନ୍ତେ,ତାର କୁଆଁ କୁଆଁ ରାବ କଣ ବନ୍ଦ ହେଇଥାନ୍ତା ???
ସେଥିପାଇଁ ଜେଜେମାଙ୍କର ନଜର ଚିଆଁକୁ କୁକୁଡ଼ା ଜଗିବା ଭଳି ନାତୁଣୀ ଉପରେ ସଦା ରହିଥାଏ, ଯେମିତି ରେଖା ଗାଁ ମୁଣ୍ଡ ଶ୍ମଶାନ ଆଡ଼େ ଏକେଲା ନ ଯାଏ l ହେଲେ କଣ ହେବ ? ଛୁଆଙ୍କୁ ଆକଟ କରିବା ଭାରି କଷ୍ଟ l ସମବୟସୀ ଛୁଆଙ୍କ ସହିତ ଖେଳୁ ଖେଳୁ ଦିନେ ଜେଜେମାଙ୍କ ଅଜାଣତରେ ଶ୍ମଶାନ ଭିତରକୁ ପଶିଗଲା ରେଖା ବଇଞ୍ଚ କୋଳି ତୋଳିବାକୁ l
ଜେଜେମାଙ୍କୁ ଆଉ କିଏ ସମ୍ଭାଳେ ? ହାଉଳି ଖାଇ ଦୌଡିଲେ ଶ୍ମଶାନ ଆଡକୁ l ରେଖାକୁ କାଖେଇ ନେଇ ଆଣିଲେ ସତ, କିନ୍ତୁ ଜ୍ୱରର ତାତି କିଛି ସମୟରେ ବଢିବାକୁ ଲାଗିଲା, ଏଣୁତେଣୁ ଖାଲି ପ୍ରଳାପ କଲା ରେଖା l
ଜେଜେମା ବୁଝିଗଲେ - ମୁଁ ଜାଣେ ପରା ସେଇ ପୋଡ଼ାମୁହିଁର ନଜର ଇୟା ଉପରେ ପଡିଲା l ଆଲୋ ପେତିନି, ତୁ ତ ତାକୁ ଜନ୍ମ ଦେଉ ଦେଉ ମଲୁ, ତା ଉପରେ ନଜର କାହିଁକି ରଖିଛୁ ଲୋ କଳାକାନି l ମା ସରାଗ ଦେଖାଉଛୁ, ରହ ପାନେ ଦେଉଛି ତତେ ଆଜି l
ଦାଣ୍ଡ ଦୁଆରରେ ଠିଆ ହେଇ ସେ ଭାବପାଢ଼ୀକୁ ଡାକ ଛାଡିଲେ - ହଇଏ ଭାବନ୍ନା, କଉଁଠି ଅଛ,ଝଅଟ ଆସିଲୁ l ମୋ ରେଖାକୁ ସେଇ ପୋଡାମୁହିଁ ପୁଣି ମାଡି ବସିଛି l
ବୁଢା ଭାବନ୍ନା ଖଣ୍ଡିଏ ଗୋବର ଘଷିଫଡାରେ ମେଞ୍ଚାଏ ଲୁଣ ଧରି ସାଙ୍ଗେ ସାଙ୍ଗେ ହାଜର l ଗୁଣୁ ଗୁଣୁ ହେଇ ମନ୍ତ୍ର ଉଚ୍ଚାରି ଗୋଟିଏ ପିପେଇ କାଠିରେ ସବୁତକ ଲୁଣକୁ ଘାଣ୍ଟିଲେ l ଝିଅ ପାଟିରେ ଟିକେ ଲୁଣ ଖୁଆଇ ଦେଇ, ସବୁତକ ଲୁଣ ସହିତ ଘଷିଫଡ଼ାକୁ ବାଡ଼ିପଟ ଦର୍ଜା ଖୋଲି ବାହାରକୁ ଫିଙ୍ଗିଦେଇ ବଡ଼ ପାଟିରେ ଅସ୍ଫଟ ସ୍ୱରରେ କହିଲେ - "ଯା... ଯା....ବାହାର ଏଠୁ, ଶିବ ପାର୍ବତୀର ଆଜ୍ଞା, ବାହାର ଏଠୁ l ଦେଖ ପେତିନି, ଆଉ ଦିନେ ଯଦି ୟାକୁ ମାଡ଼ିବସିବୁନା,ତତେ ସୀମା ପାର କରିଦେବି l"
ସକାଳୁ ସକାଳୁ ଆଉ ଜ୍ଵର ନ ଥିଲା ନାତୁଣୀ ଦେହରେ l ନିଜ ଗୋଡ଼ର ବୁଢା ଆଙ୍ଗୁଳିରୁ ଟିକେ ଧୂଳି ନେଇ ରେଖା କପାଳରେ ମାରି କହିଲେ - ମୋ ଟୁଉକୁମୂଷିର ଦେହ ବଜ୍ର ହେଉ l ଗ୍ରାମ ଦେବତୀ ମା କ୍ଷେତ୍ରପାଳ ତତେ ଘଣ୍ଟ ଘୋଡାଇ ଏମିତି ରଖନ୍ତୁ l
ଜେଜେମାର ଅସରନ୍ତି ଦୁଃଖ, ଚୋର ମା ଆଖି ମଳି ମଳି କାନ୍ଦିଲା ଭଳି, ସେ ଏକେଲା ଅନେକ କାନ୍ଦନ୍ତି, କିନ୍ତୁ ମନର କଥା କେବଳ ମନରେ ମରେ, ସେ କାହାକୁ କିଛି କହନ୍ତିନି l ଏମିତି ତ ଗାଁ ମଠର ଗଞ୍ଜୋଡ଼ ମହନ୍ତ ପାଲରେ ପଡି ଦିନରାତି ଏକମାତ୍ର ଆଡବାୟା ପୁଅ କୀର୍ତନରେ ମାତିଛି ,ପୁଣି ବୋହୂର ଅଚାନକ ମରଣ ପରେ ଆଉ ଘରେ ରହୁନି,ଚବିଶ ଘଣ୍ଟା ମହନ୍ତର ବୋକଚା ବୁହା ସାଜିଛି l
ନିଜ ଭାଗ୍ୟକୁ ନିନ୍ଦି ଜେଜେମା ଆଖିରେ ଆଖିଏ ଲୁହ ଭରି କହନ୍ତି - ଦେଖୁନ ପୁଅଟାକୁ ମୋର l ମୋର ସେ ଏକାଇବାଳା ବିଶିକେଶନ l ମୋ ଗେରସ୍ତର ଦେହାନ୍ତ ହେଲା ମୋ ଜଵାନୀ ବୟସରେ l ପୈତୃକ ପାଞ୍ଚମାଣ ଜମିରେ ସୁନା ଫଳାଇ ତାକୁ ଶିକ୍ଷିତ କରିବାରେ ମୋ ମୁଣ୍ଡର ଝାଳ ପାଟିରେ କେତେ ପଶିଛି, କେତେ ଯନ୍ତ୍ରଣା ଭୋଗିଛି, କେତେ ହନ୍ତସନ୍ତ ନ ହେଉଛି ଲୋ ମା l ଶେଷରେ କୁଳୀନ ବ୍ରାହ୍ମଣ ଝିଅଟିଏ ଯୋଗାଡ଼ କରି ତା'କୁ ବାହା କରାଇଲି l ଏତେ ତ୍ୟାଗର ମୂଲ୍ୟ କଣ ସେ ବୁଝି ପାରିଲା ? ନା ନିଜ ସ୍ତ୍ରୀର ହେଇପାରିଲା ନା ଘରର l
ସେଇ ମଠର ଗଞ୍ଜୋଡ଼ ମହନ୍ତ ବାବାଜୀ ପାଲରେ ପଡି ବାଟହୁଡା ହେଇ ମଠରେ ତାର ଦିନ ରାତି ବିତୁଛି l ତିଳକ ଚିତା ମୁଣ୍ଡ ଓ ଦେହରେ ମାଖି କୀର୍ତନରେ ମାତୁଛି l ବୋହୂଟା ପ୍ରସବ ବେଦନାରେ ଛାଟିପିଟି ହେଉଥିବାବେଳେ ତାକୁ କେତେ ନେହୁରା ହେଲି ଡାକ୍ତରଖାନାକୁ ନେବା ପାଇଁ l
କିନ୍ତୁ ସେ ପଥରହୃଦୟୀ ଅଲାଜୁକ ଓଲଟା କହିଲାନା କଣନା - ମା ଲୋ ତୁ ଆଦୌ ଚିନ୍ତା କରନା l ଏଇ ନେ ମହନ୍ତଙ୍କର ମନ୍ତ୍ରିତ କାଞ୍ଜି ପାଣି, ତାକୁ ପିଆଇ ଦେ, ପ୍ରସବ ସୁରୁଖୁରୁରେ ହେଇଯିବ l ହରିଙ୍କ ଉପରେ ଭରସା ରଖ l
କାଞ୍ଜି ପିଆଇଲେ ବି ଯନ୍ତ୍ରଣା କମିଲାନି l ବାଧ୍ୟ ହେଇ ବୋହୂଟାକୁ ନିଜ କୋଳରେ ଧରି ଗୋଟିଏ ଅଟୋରେ ଡାକ୍ତଖାନାକୁ ନେଇଗଲି l ଅବଶ୍ୟ ଡାକ୍ତରାଣୀ ବୋହୂକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ ସେ ବଞ୍ଚିଲାନି l ସେଇ ଦିନରୁ ଝିଅଟା ମୋର ଟୁଉକୁମୂଷି ସାଜିଛି l
ଇୟା ଭିତରେ ନାତୁଣୀ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଏମ.ବି.ଏ ପାସ କଲା,କେମ୍ପସ ଇଣ୍ଟେରଭ୍ୟୁ ମାଧ୍ୟମରେ ପବ୍ଲିକ ସେକ୍ଟରର କେନ୍ଦୁଝରର ଥିବା ଏକ ବିଶାଳ ମାଇନ୍ସରେ ପର୍ଶନେଲ ଅଫିସର ପଦରେ ନିଯୁକ୍ତି ପାଇଛି l ଜେଜେମାର ଖୁସି କହିଲେ ନ ସରେ ଏବେ l ଠାକୁରଘରେ କୁଳଦେବତା ରଘୁନାଥଙ୍କ ପାଖରେ କଇଁ କଇଁ କାନ୍ଦି କହନ୍ତି - ହେ ପ୍ରଭୁ ମୋ ଟୁଉକୁ ମୂଷିକୁ ଘଣ୍ଟ ଘୋଡେଇ ଏମିତି ରଖିଥିବ l ପ୍ରଭୁ ତୁମ କୃପାରୁ ଯାହାହେଉ ମୋ ପିତୃପୁରୁଷଙ୍କର ଏଇ ଭିଟାମାଟି ସହିତ ପାଞ୍ଚମାଣର ବିଲ ଏଣିକି ସୁରକ୍ଷିତ ରହିବ l ଆଉ ତୁମର ପୂଜା ବି ନିରନ୍ତର ଚାଲିବ l
ନିଜ ଝିଅ ରେଖାର ଚାକିର ପାଇବାର ସଫଳତାର ଖବର ତା'ର କୀର୍ତ୍ତନିଆ ତିଳକ-ଚିତାଧାରୀ ବାପାକୁ ଖୁସି କରୁଥିବ କି ନାହିଁ ଅବଶ୍ୟ ଜେଜେମାଙ୍କୁ ଜଣାନଥିଲା, କିନ୍ତୁ ସେ ଏବେ ଦିନେ ଆସି ଯାହା କହିଲା, ସେଥିରେ ଜେଜେମାଙ୍କର ଫାକାସି ଉଡ଼ିଗଲା l ସତରେ ବଅଁଶ ଡୁବିଲାବେଳେ ଘୋଡ଼ାମୁହାଁ ପୁଅ ଜନ୍ମ ହୁଏ l
ଦିନେ ଅନ୍ଧଭକ୍ତ ପୁଅ କହୁଛି - ଆଲୋ ମା, ଝିଅ ତ ଚାକିରୀ କଲାଣି, କାଳେ ସେ ମାସକୁ ପଚାଶହଜାର ଟଙ୍କା ଉପରକୁ ଦରମା ପାଇବ l ଆଜି ନୁହେଁ ତ ସେ କାଲି ବାହା ହେଇ ତାର ଘର ଦ୍ୱାର ବସେଇବ l ତୁ ଆଉ କେତେଦିନ ବଂଚିବୁ l ମୋ କଥା ଛାଡ଼, ହରିକୃଷ୍ଣ ମୋ ଭରସା l ଜୀବନଟା ମଠରେ ନାମ ଜପ କୀର୍ତନରେ କାଟିବି l ମୋ ଗୁରୁ ମହନ୍ତ ମୋ ଭକ୍ତିରେ ଏମିତି ସନ୍ତୁଷ୍ଟ ଯେ ସେ କହନ୍ତି ପରା - ଆରେ ପୁଅ, ଦେଖିବୁ ମୃତ୍ୟୁ ପରେ ତୁ ରାଧା-କୃଷ୍ଣଙ୍କ ନିତ୍ୟ ଲୀଳାରେ ସ୍ଥାନ ପାଇବୁ l
ଜେଜେମା ଠଉରେଇ ନେଲେଣି ଯେ ମୋ ଚିତାକଟା ପୁତ୍ରମଣି ଆଜି କିଛି ଗୋଟେ ନୂଆ ରକମର କଥା କହିବ କହିବ ହେଉଛି l ସେ ବିରକ୍ତି ସ୍ୱରରେ କହିଲେ - ଆରେ ଏମିତି ବଙ୍କେଇ ଚୁନେଇ କଥା ହେଉଛୁ କାହିଁକି ? କଣ କହିବା କଥା ସିଧା କହୁନୁ l
ମଠ ଆଶ୍ରିତ ପୁଅ କହିଲା - ମା ଲୋ ତୋ ଅନ୍ତେ ଆମ ଜମି କଥା କିଏ ବୁଝିବ ? ଝିଅ ତ ତାର ଶାଶୁ ଘରେ ରହିବ l ଆମ ମହନ୍ତ କହୁଥିଲେ - ତୁମ କୁଳଦେବତା ଶାଳଗ୍ରାମ ରଘୁନାଥଙ୍କୁ ମଠକୁ ଦେଇଦିଅ, ଏଠାରେ ନୀତିକାନ୍ତି ଅନୁସାରେ ପୂଜା ପାଇବେ l ଆଉ ପାଞ୍ଚମାଣ ଜମି ମଠ ନାଁ ରେ ରେଜିଷ୍ଟ୍ରି କରିଦିଅ l ତୁମ ବଂଶର ଟେକ କାଳ କାଳକୁ ରହିବ l
ଜେଜେମାଙ୍କୁ ଆଉ କିଏ ସମ୍ଭାଳେ !!!! ବାଘୁଣୀ ପରି ଗର୍ଜି ଉଠିଲେ - ଆରେ ବଅଁସ ବୁଡ଼ା ଘୋଡ଼ାମୁହାଁ ଡାହୁକ ! ହେଇ ମୁଣ୍ଡି ଛାଞ୍ଚୁଣିକୁ ଦେଖୁଛୁନା l ମଠର ଜମିଜୁମା ବିକିଭାଙ୍ଗି ମଠରେ କଳାକନା ବୁଲାଇଲାଣି ସେଇ ଗଞ୍ଜୋଡ଼ ନିଶାଡି ମହନ୍ତ,ପୁଣି ମୋ ସମ୍ପତ୍ତି ଉପରେ ତାର ଲୋଲୁପ ଆଖି ? ଗୋଟା ଖାଇଯିବି ତାକୁ ଜାଣିଛୁନା ? ଯା... ଯା... ବାହାର ଘରୁ l ପୋଡ଼ାମୁହାଁ ନିଜ ସ୍ତ୍ରୀ ଘର ସଂସାରକୁ ଜାଳି ପୋଡି ଧ୍ଵଂସ କଲୁ, ତୋ ମନ ବୁଝିଲାନି, ଏବେ ଭିଟାମାଟିର ସମ୍ପତ୍ତିକୁ ଖାଇବୁ ?
କୀର୍ତ୍ତନିଆ ପୁଅ ଚୁପ କିନା ଇତ୍ୟାବସରେ କେତେବେଳେ ମା'ର ଚଣ୍ଡୀ ମୂର୍ତ୍ତି ଦେଖି ଖସିଯାଇଛି, ଜେଜେମାଙ୍କୁ ଜଣା ନାହିଁ l ସେ କିନ୍ତୁ ଭୋ ଭୋ କାନ୍ଦି ଠାକୁର ଘରେ ରଘୁନାଥଙ୍କ ପାଖରେ ଢ଼ୋ ଢ଼ୋ ମୁଣ୍ଡ ପିଟି କଣ ସବୁ କହୁଥିବା ସମୟରେ ଜଣେ ଲେଖାଯୋଖା ନାତି ଦୌଡ଼ି ଆସି କହିଲା - ହଇଲୋ ଜେଜେମା ହେଇ ଦେଖ ଦାଣ୍ଡ ଆଡକୁ,ତୋ ଟୁଉକୁମୂଷି କାରରୁ ଓହ୍ଲାଉଛି ପରା l
ଜେଜେମା ଅଣ୍ଟା ସଳଖି ଉଠି ଠିଆ ହେଲା କ୍ଷଣି ନାତୁଣୀ ଜେଜେମାକୁ କୁଣ୍ଢାଇ କହିଲା - ଆଲୋ ଜେଜେମା,ତୋ ଆଖିରେ କଣ ଲୁହ ? କାନ୍ଦୁଥିଲୁ ନା କଣ ? ଜେଜେମାର କାନ୍ଦ ବାଡ଼ ବତା ମାନିଲାନି,ସେ ଖୁବ ଜୋରରେ କାନ୍ଦିଲା l
ରେଖା ନିଜର ଛାତିରେ ତା'କୁ ଜାବୁଡି ଧରିବାରୁ ତାର କାନ୍ଦ ବନ୍ଦ ହେଲା କିଛି ମୁହୂର୍ତ୍ତ ଉତ୍ତାରୁ l ଜେଜେମା ସବୁ କଥା ନାତୁଣୀ ଆଗରେ କହିଲେ l ନିଜ ବାପାର ଅନ୍ଧଭକ୍ତି ଓ ମହନ୍ତର କଳା କାରନାମା ସମ୍ବନ୍ଧରେ ଆଗରୁ ତାଙ୍କୁ ସବୁ ଜଣା l ସେ ଜେଜେମାଙ୍କୁ ଛୋଟ ଝିଅ ଭଳି ବୁଝାଇ କହିଲେ - ଦେଖ ଲୋ ଜେଜେମା, ଆମ ଠାକୁରଙ୍କ ସହିତ ଘରବାଡ଼ି ଓ ଜମିଜମା କଥା ମୁଁ ଏଣିକି ସବୁ ବୁଝିବି l ଆମ ସମ୍ପତ୍ତି ସୁରକ୍ଷିତ ରହିବ l ସେଥିପାଇଁ ତୁ ଚିନ୍ତା କରନା l
ରେଖା ଜେଜେମାର ମନର ପରିବର୍ତନ ଓ ଖୁସି ପାଇଁ କାଳବିଳମ୍ବ ନ କରି ତାକୁ ଧରି ମାଇନ୍ସକୁ ନେଇ ଆସିଲେ l ନାତୁଣୀର ଏତେ ବଡ଼ କ୍ୱାର୍ଟର୍ସର ସାଜସଜା ଦେଖି ଜେଜେମାଙ୍କ ଛାତି କୁଣ୍ଢେମୋଟ ଗର୍ବ ଓ ସଫଳତାରେ ଉହୁଁକି ଉଠିଲା l ତାଙ୍କର ଜୀବନଯାକ ହାଡ଼ଭଙ୍ଗା ପରିଶ୍ରମ ଆଜି ସଫଳ ହେଇଛି, ମନ ଖୁସିରେ ଉଛୁଳି ପଡିଲା l
ଅଳ୍ପ କେଇଟା ଦିନରେ ଜେଜେମାଙ୍କର ସ୍ନେହ ଓ ଆଦରର ଉତ୍ତାଳ ତରଙ୍ଗ କୁଳଲଙ୍ଘି ଅଫିସର୍ସ କଲୋନୀର ପ୍ରାୟ ସମସ୍ତଙ୍କୁ ବାନ୍ଧି ପକାଇଲା l ସେମାନଙ୍କର ଜେଜେମା ଜେଜେମା ସମ୍ବୋଧନରେ ସେ ଏବେ ସମସ୍ତଙ୍କର ଜେଜେମା ପାଲଟିଗଲେଣି l କେବଳ ସେତିକି ନୁହେଁ ମାଇନ୍ସର ପର୍ଶନେଲ ଅଫିସର ମିସ ରେଖା ଦାସଙ୍କର ସଭିଙ୍କୁ ଆପଣାର କରିନେବା କଳା ମାଧ୍ୟମରେ ସେ କେବଳ ଜେଜେମାଙ୍କର ଅଲିଅଳ "ଟୁଉକୁ ମୂଷି" ନୁହନ୍ତି ବରଂ ସବୁ ଶ୍ରମିକ ଓ ଅଫିସର୍ସଙ୍କର "ଟୁଉକୁ ମୂଷି"ରେ ହେଲେ ପରିଣତ l ରେଖା ତାଙ୍କର ସହକର୍ମୀମାନଙ୍କୁ ଛାତି ଫୁଲାଇ କହନ୍ତି - ଆମେ ମେନେଜମେଣ୍ଟ ପାଠ୍ୟକ୍ରମରେ ଯେଉଁ ସବୁ ବିଷୟ ପଢ଼ିଛନ୍ତି ତାହାର ଜ୍ୱଳନ୍ତ ପ୍ରୟୋଗଶାଳାର ମୂର୍ତ୍ତିମନ୍ତ ହେଉଛି ମୋ ଜେଜେମା l ସତରେ କି ତ୍ୟାଗ, କି ସାହସ, କି ଧୈର୍ଯ୍ୟ ତାଙ୍କର ସତେ !!!!
ପ୍ରାୟ ନାତୁଣୀ ପାଖରେ ଛଅମାସ ରହିବା ଉତ୍ତାରୁ ଜେଜେମା ବାହାରିଲେ ଗାଁକୁ l ଘର ଓ ଜମିଜମାର ବୁଝାସୁଝା ଠିକ ଭାବେ ମୁଲିଆ ହରିଆତନ୍ତୀ କରୁଛି କି ନାହିଁ ଓ କୁଳଦେବତା ରଘୁନାଥଙ୍କର ପୂଜା ପୁରୋହିତ ଟିମା ପାଢ଼ୀ ରୀତିନିୟମରେ କରୁଛି କି ନାହିଁ,ସେ ସବୁ ଦେଖି ଆସିବେ l ଏଇୟା ତାଙ୍କର ଉଦ୍ଦେଶ୍ୟ l
ରେଖା କହିଲେ - ଠିକ ଅଛି ଜେଜେମା l ତତେ ମୋ ଡ୍ରାଇଭର ନେଇ ଗାଁରେ ଛାଡି ଦେଇ ଆସିବ,ଗୋଟିଏ ସର୍ତ୍ତ, ମାସେ କି ଦୁଇମାସ ପରେ ମୁଁ ନିଜେ ଯାଇ ତତେ ନେଇ ଆସିବି l ଜେଜେମା ନାତୁଣୀକୁ ପ୍ରତିଶୃତି ଦେଇ ଗାଁକୁ ଚାଲି ଆସିଲେ l
କିନ୍ତୁ ଜେଜେମାଙ୍କ ଅନୁପସ୍ଥିତି ଯୋଗୁ ରେଖାଙ୍କ ମନ ବୁଝୁ ନ ଥାଏ l ଜେଜେମାକୁ ନବେବର୍ଷ ହେଲେଣି l ଅନେକ ପ୍ରକାର ଦୁଶ୍ଚିନ୍ତାରେ ସେ ଡହଳ ବିକଳ ହେଉଥାନ୍ତି l ମାସେ ବିତିଛି କି ନାହିଁ, ହଠାତ ସକାଳୁ ସକାଳୁ ପୁରୋହିତ ଟିମା ପାଢ଼ୀଙ୍କ ଠାରୁ ଫୋନ ଆସିଲା - ନାନୀ,ଜେଜେମା ଆଜି ଠାକୁର ବାସନକୁସନ ସଫା କରୁଥିବାବେଳେ ଗୋଡ଼ ଖସି ଗଲା l ହଠାତ ତଳେ ପଡିଗଲେ l ଚେତା ଆଉ ଫେରୁନି l ମୁଣ୍ଡରେ ଖୁବ ଜୋରରେ ଆଘାତ ଲାଗିଛି l
ରେଖାଙ୍କର ଛାତି ଧଡ଼ପଡ଼ ହେବାକୁ ଲାଗିଲା l ପାଟି ଶୁଖି ଅଠା ହେଇଗଲା l ଆଖିରେ ଆଖିଏ ଲୁହ l ବାଷ୍ପରୁଦ୍ଧ କଣ୍ଠ l ମାଇନ୍ସ ହସପିଟାଲର ଦୁଇଜଣ ସିନିଅର ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଆମ୍ବୁଲାନ୍ସରେ ଗାଁକୁ ତୁରନ୍ତ ଚାଲି ଆସିଲେ l
ଜେଜେମା ଶୋଇଛି l ଡାକ୍ତର ଲାଇଫ ସେଭିଂ ଇଞ୍ଜେକ୍ସନ ଦେଲେ ସତ, କିନ୍ତୁ କୋଣସି ପ୍ରତିକ୍ରିୟା ନାହିଁ l ଡକ୍ଟର କହିଲେ - ମାଡାମ, ସିଭିଅର ବ୍ରେନ ଷ୍ଟ୍ରୋକ l ପଲ୍ସ ମିଳୁନି l ନିଶ୍ୱାସ ପ୍ରଶ୍ୱାସ ଚାଲୁନି l ଆଉ ସେ ନାହାନ୍ତି ବୋଧେ l
ରେଖା ଖୁବ ଜୋରରେ ବାହୁନି ବାହୁନି କାନ୍ଦି ଜେଜେମାର ଛାତିକୁ କୁଣ୍ଢାଇ ଧରିଲେ l ଜୋରରେ ଡାକୁଥିଲେ - ଜେଜେମା ଲୋ... ଉଠ ଟିକେ l ମୋତେ ଚାହନା ଥରେ l ନୋ ରେସପନ୍ସ l
ରେଖା ଶେଷରେ ଦୁଇ ଚାମଚ ରଘୁନାଥଙ୍କର ପାଦୁକା ଜେଜେମା ପାଟିରେ ଦେଇ ଅତି କରୁଣ ସ୍ୱରରେ କହିବାକୁ ଲାଗିଲେ - " ଟୁଉକୁ ମୂଷି....ଟୁଉକୁ ମୂଷି ଧାନ ଭରଣକ ଖାଉଥା ବସି, ଧାନ ଛଢେଇ ଚାଉଳ ଖାଆ,ଫୁର କିନା ଉଡି ଯାଆ l "
ବଡ଼ ଆଶ୍ଚର୍ଯ୍ୟ ଘଟଣା l ଇୟେ କଣ ଚମତ୍କାରୀତା, ନା ପ୍ରଭୁ ରଘୁନାଥଙ୍କର କୃପା, ନା ଜେଜେମାର ରେଖାକୁ ଦେଖିବାର ଶେଷ କାମନାର ଫଳର ଅଭିବ୍ୟକ୍ତି ?
.....ଜେଜେମାର ଆଖି ସାମାନ୍ୟ ଖୋଲିଲା, ଓଠରେ ସାମାନ୍ୟ ହସର ରେଖାଟିଏ ଆଙ୍କି ହେଇଗଲା,ନିଷ୍ପ୍ରାଣ ହାତରେ ସଂଚରିତ ହେଲା ପ୍ରାଣ-ଉର୍ଜା, ନାତୁଣୀକୁ ଜାବୁଡି ଧରିଲେ l ମୁହୂର୍ତକେ ପୁଣି ଆଖି ଦୁଇଟି ଯେଉଁ ସ୍ଥିରକୁ ସେହି ସ୍ଥିର ହେଇଗଲା l
ପୁରୋହିତ ଟିମା ପାଢ଼ୀ କାନ୍ଦ କାନ୍ଦ ସ୍ୱରରେ କହି ଉଠିଲା - ନାନୀ, ଯାହାହେଉ ଜେଜେମା ତୁମକୁ ଚିହ୍ନି, ତୁମ ହାତରୁ ପ୍ରଭୁଙ୍କର ପାଦୁକା ପାଇ,ବୈକୁଣ୍ଠବାସୀ ହେଇଗଲେ l ସତରେ ଧନ୍ୟ ତୁମେ ଟୁଉକୁ ମୂଷି l
————000000———
© ମନୋଜ କୁମାର ମହାପାତ୍ର