ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ-‘ଟିଣ ଟ୍ରଙ୍କ ମୁଣ୍ଡେଇ ଥିବା ବାପା’
- ଗଳ୍ପ:ଟିଣ ଟ୍ରଙ୍କ ମୁଣ୍ଡେଇ ଥିବା ବାପା
-ମନୋଜ କୁମାର ମହାପାତ୍ର
କର୍ଣ୍ଣାଟକ ସରକାରଙ୍କର ଅତିରିକ୍ତ ଶାସନ ସଚିବ ଭଗିରଥ ଆଚାର୍ଯ୍ୟ ଓ କନ୍ନଡ଼ ପତ୍ନୀ ଭାବିନି ମଙ୍ଗଳମ ଦୁଇ ଝିଅଙ୍କ ସହିତ ଗାଁରେ ପହଂଚି ନିଜ ପୈତୃକ ଘର ଭିତରକୁ ପାଦ ବଢ଼ାଇଲେ l ବାପା ବୋଉଙ୍କର ଦେହାନ୍ତ ପରେ ପୁରୁଣା ମାଟି ଚାଳଛପର ଘର ଭାଙ୍ଗି,ନୂଆ ପକ୍କା ବିଲଡିଂଟିଏ ତିଆରି କରିଦେଇଛନ୍ତି l ଅବଶ୍ୟ ବାପା ବୋଉଙ୍କ ସ୍ମୃତିରେ l ଡ୍ରଇଂ ରୁମର ସୋଫାରେ ବସିବା କ୍ଷଣି କେୟାର-ଟେକର ପଇଡ଼ ପାଣି ପିଇବାକୁ ଦେଲା l କେୟାର ଟେକର, ଯିଏକି ଖୋଦ ଖୁଡ଼ତାଙ୍କ ପୁଅ ବାନା ଆଚାର୍ଯ୍ୟ କହିଲା - ନନା ,ଖାଇବା ରେଡି, ବାଢିବାକୁ କହିବି ?
ନା, ଆଉ ଟିକେ ଯାଉ l ବୋଉ ଶୋଉବା ରୁମ ଟିକେ ଖୋଲିଲୁ ?
ଭଗିରଥବାବୁ ରୁମ ଭିତରକୁ ପଶି ଗୋଟିଏ ଢ଼ିଙ୍କି ଓ ଟିଣ ଟ୍ରଙ୍କ ଉପରେ ଘୋଡା ଯାଇଥିବା ଧଳା ଧୋତିଟିକୁ ବାହାର କରିଦେଲେ l ଲମ୍ବଖମ୍ବ ହେଇ ଦୁଇଟିକୁ ଜୁହାର ହେଇ ଦୁଇଝିଅ ଆଡକୁ ଚାହିଁ କହିଲେ - ଟିଣ ଟ୍ରଙ୍କ ମୋ ବାପା ଆଉ ଢ଼ିଙ୍କି ମୋ ବୋଉ l ପତ୍ନୀ ମଧ୍ୟ ଭକ୍ତି ସହକାରେ ଭୂମିଷ୍ଠ ପ୍ରଣାମ କଲେ l
ଦୁଇ ଝିଅ ଢ଼ିଙ୍କିର ରୂପ ଓ ଥଣ୍ଟ ଆକୃତି ଦେଖି ଖୁବ ହସିଲେ, ସତେକି ଅପୂର୍ବ ଜିନିଷଟିଏ ଆଜି ଜୀବନରେ ନୂଆ ଦେଖୁଛନ୍ତି ! ସେ ଦୁହେଁ କହିଲେ - ବାପା, ଟିଣ ଟ୍ରଙ୍କକୁ ଗୋଟିଏ ବାକ୍ସ ବୋଲି ଜାଣିପାରୁଛୁ କିନ୍ତୁ ଇଏ ଥଣ୍ଟ ମହାରାଜ ପୁଣି କିଏ ?
ଦୁଇଝିଅଙ୍କ ପ୍ରଶ୍ନ ତାଙ୍କ ଆଖିରେ ମୁହୂର୍ତକେ ଲୁହ ଭରିଦେଲା l ଲୁହଭରା ଆଖିରେ ସେ କିଛି ମୁହୂର୍ତ୍ତ ଅତୀତକୁ ଫେରି ଆସିଲେ ଯେଉଁଠି ସେ ସ୍ପଷ୍ଟ ଦେଖୁପାରୁଥିଲେ ବୋଉ ଢ଼ିଙ୍କିରେ ଧାନ କୁଟୁଛି ଓ ବାପା ଟିଣ ଟ୍ରଙ୍କ ମୁଣ୍ଡେଇ ଝାଳନାଳ ହେଇ ବାଟ ଚାଲୁଛନ୍ତି l
x x x x x
ବହୁବର୍ଷ ତଳର କଥା l ମୋ ବାପାଙ୍କର ସମ୍ପତ୍ତି କହିଲେ ମାତ୍ର ପନ୍ଦର ଗୁଣ୍ଠ ଜମି l ଯେନତେନ ପ୍ରକାରଣେ ଚାରୋଟି ଝିଅକୁ ବାହା କରାଇଲା ପରେ କୋଳପୋଛା ପୁଅ ମୁଁ ଭଗିରଥ ଓରଫ ଭଗିଆକୁ ପାଠ ପଢ଼ାଇବା ପାଇଁ ମୋ ବାପା ଶାମମାଷ୍ଟ୍ରେ ନାକେଦମ ହେଇଯାଇଥିଲେ l ତଥାପି ଜୁଆଳିକୁ କାନ୍ଧରୁ କେବେ ଓହ୍ଲାଇ ନାହାନ୍ତି କି ପରିବାର ବୋଝକୁ ହାଲୁକା କରିବା ପାଇଁ ଅସାଧୁ ପଥ ଆପଣେଇ ନାହାନ୍ତି l କୌଳିକ ପୁରୋହିତ-ବୃତ୍ତି ଥିଲା ଏକମାତ୍ର ଆଶ୍ରାବାଡ଼ି ମୋ ବାପାଙ୍କର l ଅଳ୍ପବହୁତେ ଯାହା ଉପାର୍ଜନ କରନ୍ତି ସେଥିରେ ଗୁଜରାଣ ମେଣ୍ଟି ଯାଉଥିଲା l ତଥାପି ଯଜମାନଙ୍କ ଆର୍ଥିକ ସାହାଯ୍ୟ ବିନା ସେ କଣ ଚାରିଟା ଝିଅକୁ ବାହା କରିପାରିଥାନ୍ତେ ?
ଆଖପାଖ ଗାଁରେ କର୍ମକାଣ୍ଡି ବ୍ରାହ୍ମଣ ଭାବେ ଶାମମାଷ୍ଟ୍ରେଙ୍କ ଖାତିର ରହିଛି l ଗୋରା ଦେହ, ପୁଣି ବାଁ କାନ୍ଧରେ ଝୁଲନ୍ତ ଧୋବ ଫରଫର ନଅଖିଅ ପଇତା ସାଙ୍ଗକୁ ମଠାଟିଏ ପିନ୍ଧି ବାଟରେ ଚାଲି ଯାଉଥିବାବେଳେ,ଅପୂର୍ବ ଭାବନାରେ ଲୋକେ ଝୁଙ୍କାଇ ଦିଅନ୍ତି ମୁଣ୍ଡ ତାଙ୍କ ଆଡକୁ l ବ୍ରାହ୍ମଣକୁ ସମ୍ମାନଦେବାର ସାମାଜିକ ଭୟରେ ନୁହେଁ ବରଂ ତାଙ୍କର ନିର୍ଲୋଭପଣ ଓ ଉଦାର ଭାବ ଯୋଗୁ l
ନୂଆକରି ଆମ ଦେଶ ସ୍ୱାଧୀନତା ପ୍ରାପ୍ତିର ପଚାଶ ଦଶକରେ ପୁରୋହିତ ବୃତ୍ତିର ବ୍ରାହ୍ମଣଙ୍କ ଭଳି ଶ୍ୟାମସୁନ୍ଦର ଆଚାର୍ଯ୍ୟ ଓରଫ ଶାମମାଷ୍ଟ୍ରେ ଉତ୍କଟ ବ୍ରାହ୍ମଣ ଅସ୍ମିତାର ମଣିଷ ନ ଥିଲେ ବରଂ ବେଦାନ୍ତରେ ଆଲୋକିତ ତାଙ୍କର ମସ୍ତିଷ୍କ l ବର୍ଣ୍ଣାଶ୍ରମକୁ ମାନନ୍ତି କିନ୍ତୁ ଛୁଆ ଅଛୁଆଁ ଭେଦଭାବ ଜାତିପ୍ରଥାକୁ ନୁହେଁ l ସେଥିପାଇଁ ବ୍ରାହ୍ମଣ ସମାଜରେ ସେ ସହଜରେ ଜଣେ ଅନନ୍ୟ ମଣିଷ ଭାବେ ବାରି ହେଇଯାଆନ୍ତି l
ଭଗିଆ ମାଟ୍ରିକ ପାସ କଲା ପରେ, ପୁଅକୁ କଲେଜରେ ପଢାଇବାକୁ ଇଛା ଥିଲେ ବି ଅର୍ଥାଭାବ ବାଟରେ ହିମାଳୟ ପରି ଛିଡା ହେଲା l ମାସକୁ ମାସ କଲେଜ ଓ ହଷ୍ଟେଲ ଫି କେମିତି ଦେବେ?
ଭଗିଆ ବୋଉ କହିଲା - ପିଲାଟା ଭଲ ପଢୁଛି, ତାକୁ ନ ପଢ଼ାଇଲେ ମନ ଉଣା କରିବ l ସହରରେ ଦୁର୍ଗାପୂଜା ଭଳି ବଡ଼ ବଡ଼ ପୂଜା କରିବାକୁ ତୁମେ ଯାଅ, ମୁଁ ତ ଏମିତି ପର ଘରର ଧାନଉଁଶା, ଧାନକୁଟା କାମ ଆମ ଢ଼ିଙ୍କିଶାଳରେ କରି କିଛି ପଇସା କମାଉଛି l ମୁଁ ଭାବୁଛି ଏତିକି ପଇସାରେ ଭଗିଆଟାକୁ ଶିକ୍ଷିତ କରିପାରିବା l
ଶାମ ଆଚାର୍ଯ୍ୟଙ୍କୁ ମାଷ୍ଟ୍ରେ ବୋଲି ଡାକିବାର କାରଣ ହେଉଛି ଯେ ସେ ଅନେକ ବ୍ରାହ୍ମଣ ପିଲାଙ୍କୁ ନିଜ ଘରେ କର୍ମକାଣ୍ଡର ପାଠ ପଢାଇ ପୁରୋହିତ ପନ୍ଥୀ କରାନ୍ତି l ଅବଶ୍ୟ ବିନା ପଇସାରେ l ତେଣୁ ତାଙ୍କୁ ସମସ୍ତେ ଶାମମାଷ୍ଟ୍ରେ ଡାକନ୍ତି l
ଭଗିଆକୁ ପାଠ ପଢାଇବାର ପରାମର୍ଶ ପତ୍ନୀଙ୍କ ଠାରୁ ଶୁଣି ସେ ଶିବ ସଂକଳ୍ପ ନେଲେ, ଭଗିଆ ଯେମିତି ହେଲେ କଲେଜରେ ପଢିବ l ଦିନେ ଲୁଗାପଟା ଓ ବହି ଖାତା ଗୋଟିଏ ପୁରୁଣାକାଳିଆ ଟିଣ ଟ୍ରଙ୍କରେ ଭର୍ତି କରି ଶାମମାଷ୍ଟ୍ରେ ଟ୍ରଙ୍କ ମୁଣ୍ଡେଇ ଭଗିଆକୁ ସାଙ୍ଗରେ ଧରି ଗାଁରୁ ମଙ୍ଗଳ ରାତି ବୁଧ ପାହାନ୍ତି ମୁହଁ ଅନ୍ଧାର ବେଳେ ବାହାରିଗଲେ l ଭଦ୍ରକରେ ପହଁଚିଲା ବେଳକୁ ସକାଳ ଆଠ l
ହଷ୍ଟେଲରେ ଭଗିଆକୁ ଛାଡି ଶାମମାଷ୍ଟ୍ରେ ହସିଲା ଭଳି ମୁହଁ କରି କହିଲେ - ଆରେ ଭଗିଆ ! ମନ ଦେଇ ପାଠ ପଢ଼ିବୁ l ଉଚ୍ଚ ଶିକ୍ଷିତ ହେଇ ଯେମିତି ବାହାରିବୁ l ତୋ ପାଖକୁ ବାରମ୍ବାର ମୁଁ ଆସିପାରିବିନି l କିନ୍ତୁ ଯେତେବେଳେ ଟଙ୍କା ଦରକାର ମୋତେ ଚିଠି ଲେଖିବୁ, ନଚେତ ଖବର ପଠାଇବୁ ମୁଁ କାହା ହାତରେ ଟଙ୍କା ପଠାଇଦେବି l ହଁ ମନ ଦେଇ ପଢ଼ିବୁ l ଭଲ ପଢିଲେ ତୋର, ମନ୍ଦ ପଢିଲେ ବି ତୋର l
ଶାମମାଷ୍ଟ୍ରେଙ୍କର ମୁହଁ ସିନା ସେ ଦିନ ହସିଲା ଭଳି ଦେଖାଯାଉଥିଲା, କିନ୍ତୁ ଭିତରେ ଟଙ୍କା ଯୋଗାଡ଼ କରିପାରିବାର ଅକ୍ଷମତା ଭୟଙ୍କର ଝଡ଼ ବତାସ ସୃଷ୍ଟି କରୁଥିଲା l କାଳେ ଭଗିଆଟା ବାପାର ଅସହାୟପଣ ଠଉରାଇ ଅଧାରୁ ପାଠ ଛାଡି ଦେବ ? ଏଇ ଚିନ୍ତାରେ ନିଜ ମୁହଁରେ ଜବରଦସ୍ତି ହସ ଫୁଟାଇବା ଛଡା ତାଙ୍କର ଅନ୍ୟ ଗତି ନଥିଲା l
ବାପା ଚାଲିଗଲା ପରେ ଭଗିଆ ମୁହଁ ଶୁଖେଇ କିଛି ସମୟ ବସିଲା l ସେ ଭାବୁଥିଲା - ଟ୍ରଙ୍କ ମୁଣ୍ଡେଇ ଗାଁ ଦାଣ୍ଡରେ ଚାଲିବାକୁ ବାପା ଖୁବ ଲାଜ କରୁଥିଲେ l କାଳେ ଲୋକେ ତାଙ୍କୁ ଦେଖି କଣ ଭାବିବେ ? ସେଥିପାଇଁ ମୁହଁ ଅନ୍ଧାର ବେଳେ ଲୋକଲଜ୍ଜା ଭୟରରେ ଘରୁ ବାହାରିଥିଲେ l ଭୟଭୀତ ଠାଣିରେ, କ୍ଷୀପ୍ର ଗତିରେ ଚାଲିବା ପାଇଁ ବାଧ୍ୟ ହେଉଥିଲେ ଯେମିତି ତାଙ୍କୁ କେହି ନ ଦେଖୁ l ଯେତେହେଲେ ଆଖପାଖ ଖଣ୍ଡମଣ୍ଡଳରେ ସେ ଜଣେ ସମ୍ଭ୍ରାନ୍ତ କର୍ମାଙ୍ଗୀ ପୁରୋହିତ l ତାଙ୍କ ନାଁ ଡାକ ରହିଛି l ଯାହାଙ୍କୁ ଦିନରେ ଶହେ ଓଳକି ଲୋକେ ପକାନ୍ତି ଶ୍ରଦ୍ଧା ଓ ସମ୍ନାନରେ,ଟ୍ରଙ୍କ ମୁଣ୍ଡେଇଥିବା ଶାମମାଷ୍ଟ୍ରେଙ୍କୁ ସେମାନେ ସହଜରେ କେମିତି ଗ୍ରହଣ କରିବେ ?
କେବଳ ସେତିକି ନୁହେଁ ଦଶମାଇଲ ବାଟ ଚାଲୁଥିବାବେଳେ ସେ ଖୁବ ଝାଳନାଳ ହେଇ ମଝିରେ ମଝିରେ ଥକି ପଡୁଥିଲେ l ତଥାପି ଚାଲିବାର ଗତି ଥମୁ ନଥିଲା l
ବାପା ଏକଦମ କ୍ଲାନ୍ତ ହେଇଯିବାରୁ ଗାଁ ଠାରୁ ପ୍ରାୟ ପାଞ୍ଚ ମାଇଲ ଦୂର ଏକ ବୃହତ ଅର୍ଜୁନ ଗଛ ମୂଳରେ ବସି ପଡିଲେ l ସାଙ୍ଗରେ ଆଣିଥିବା ଲୋଟାରୁ ମୁନ୍ଦେ ପାଣି ପିଇଲେ l ଗାମୁଛାରେ ବାନ୍ଧିଥିବା ପାଚିଲା କଦଳିରୁ ନିଜେ ଦୁଇଟା ଖାଇଲେ ଏବଂ ମୋତେ ଦୁଇଟା ଦେଲେ l
ପୁଣି ଚାଲିବାକୁ ଉଦ୍ୟତ ହେଲାବେଳକୁ ମୁଁ କହିଲି - ବାପା ମୋତେ ଟ୍ରଙ୍କଟା ଦିଅ l ମୁଁ ମୁଣ୍ଡେଇ ଚାଲିବି ଯେମିତି ଆମ ବିଲରୁ ତୁମେ ଧାନ କଚଡ଼ା ମୁଣ୍ଡେଇ ଖଳାକୁ ଆଣ l ଯେତେ କହୁଥିଲି, ସେ କିନ୍ତୁ ମୋ ମୁଣ୍ଡରେ ଟ୍ରଙ୍କ ରଖିବାକୁ ରାଜି ନ ଥିଲେ l କଣ ନା ତୁ ପିଲାଲୋକ,ଭାରି ଟ୍ରଙ୍କଟାକୁ ମୁଣ୍ଡରେ ଠିକ ଭାବରେ ଧରିପାରିବୁନି l
ହଁ..... ବାପା ସେ ଦିନ ଦଶମାଇଲ ଦୂରତ୍ୱ ବାଟରେ ଝାଳନାଳ ହେଇ ଖୁବ ଚାଲୁଥିଲେ, କ୍ଲାନ୍ତି ଲାଗୁଥିଲା କିନ୍ତୁ ପରବାୟ କରୁନଥିଲେ l
ବାଟଚଲା ଭିତରେ ମୁଁ ବାରମ୍ବାର ଚେଷ୍ଟା କରୁଥିଲି ତାଙ୍କ ମୁଣ୍ଡକୁ ଉଶାସ କରିବା ପାଇଁ କିନ୍ତୁ ମୋର ଶତଚେଷ୍ଟା ସତ୍ୱେ ମୁଁ ହାରିଯାଉଥିଲି l କିନ୍ତୁ ଟ୍ରଙ୍କ ମୁଣ୍ଡେଇଥିବା ବାପା ମୋ ଆଗରେ ଜିତି ଯାଉଥିଲେ l ଶେଷରେ ବାପାଙ୍କର ଟିଣ ଟ୍ରଙ୍କ ମୁଣ୍ଡେଇ ଥିବା ଝାଳନାଳଭରା କ୍ଲାନ୍ତି ଚେହେରା ଗୋଟିଏ ଅଲିଭା ଛବି ହେଇ ମୋ ମୁଣ୍ଡ ଭିତରେ ବସା ବାନ୍ଧି ରହିଗଲା ଯେ ରହିଗଲା l ଆଉ ସେହି ସ୍ମୃତିର ଦୃଶ୍ୟ ମୋତେ ଅନେକ ସମୟରେ ଯନ୍ତ୍ରଣାରେ ବାଇବିଛ କରୁଥିଲା ଏବଂ ଆଖିରେ ଲୁହ ବି ଭରୁଥିଲା l
ବାପା ପ୍ରତିମାସ ଅବଶ୍ୟ ମୋ ପାଖକୁ ଟଙ୍କା ପଠାଇବା ସହିତ ପର୍ବପର୍ବାଣୀରେ ବୋଉର ହାତଗଢା ଏଣ୍ଡୁରି,ମଣ୍ଡା, ଆରିସା, ଚକୁଳି ଓ ପୋଡ଼ପିଠା କେଉଁ ନା କେଉଁ ଲୋକ ହାତରେ ପଠାଉଥିଲେ l ଖୁସିରେ ହଷ୍ଟେଲ ପିଲାଙ୍କ ଭିତରେ ବାଣ୍ଟି ଖାଉଥିଲେ ବି ବାପାଙ୍କର ଟିଣ ଟ୍ରଙ୍କ ମୁଣ୍ଡେଇଥିବା କ୍ଲାନ୍ତିପୂର୍ଣ ଦୃଶ୍ୟ ଜଳଜଳ ଦେଖାଯାଉଥିଲା ମୋ ସାମ୍ନାରେ ଅନେକ ସମୟରେ l ଏକୁଟିଆ ବସି କାନ୍ଦୁଥିଲି, ନିଜକୁ ଧିକ୍କାର କରୁଥିଲି l ଆହାଃ ମୋ ବାପାଙ୍କୁ ଆଜି ମୁଁ କେମିତି ଭାରବାହୀ ଗଧ କରିଦେଇଛି l
ପୂଜା କରୁଥିବା ସମୟରେ ଯିଏ ତାଙ୍କର ସୁଲଳିତ ମନ୍ତ୍ର ଉଚ୍ଚାରଣ ଶୁଣେ, ସେ କିଛି ସମୟ ଏକ ଅଚିନ୍ତ୍ୟ ରାଜ୍ୟକୁ ଚାଲିଯାଏ l ଲୋକେ କହନ୍ତି ଶାମମାଷ୍ଟ୍ରେଙ୍କ ସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ ଆକାଶରୁ ମେଘକୁ ଟାଣି ଆଣେ l ଆଉ ଏ ହତଭାଗା ପୁଅ ଭଗିଆର ପାଠ ପଢିବା ପାଇଁ ତାଙ୍କୁ ପୁଣି ଟିଣ ଟ୍ରଙ୍କ ମୁଣ୍ଡେଇବାକୁ ପଡିଲା ?
ସେ ପଟେ ବୋଉ ମୁଣ୍ଡରେ ହାତେଲମ୍ବ ଓଢଣା ଟାଣି ଆମ ଗୁହାଳ ପରସ୍ତରେ ଲୋକେ ପହଞ୍ଚେଇ ଦେଉଥିବା ଧାନ ଉସାଉଁ ଥିଲା,ନିଜ ଢ଼ିଙ୍କିଶାଳରେ ଧାନ କୁଟି ଚାଉଳ କରୁଥିଲା, ବିରି ବାଟି ବଡି ତିଆରି କରୁଥିଲା, ଲୋକେ ସେ ସବୁ ନେଇ ତାକୁ ଯଥାମୂଲ୍ୟ ପାଉଣା ଦେଉଥିଲେ l କୁଳୀନ ବ୍ରାହ୍ମଣ ଘରର ବୋହୂ ସେ, ନିଜ ମର୍ଯ୍ୟାଦା ରଖି ଦାଣ୍ଡଜୁ ପାଦ କାଢ଼େନି l ଅନେକ ଲୋକ କହନ୍ତି ଭଗିଆ ବୋଉର ମୁହଁ ଆମେ ଦେଖିନାହୁଁ l କିନ୍ତୁ ବୋଉ ସବୁବେଳେ କହେ - ଆଲୋ ସଖି ଆପଣା ମହତ ଆପେ ରଖି l ଏଇ ଢଗଟି ସତରେ ମୋ ବୋଉର ଆଭୂଷଣ ଥିଲା l
ଶାମମାଷ୍ଟ୍ରେ ବି ଭଦ୍ରକ କିମ୍ବା ଆଖପାଖ ସହରରେ ହେଉଥିବା ଶାରଦୀୟ ଦୁର୍ଗାପୂଜା, କାଳୀପୂଜା ଏବଂ ବିଭିନ୍ନ ଜାଗାରେ ଅନୁଷ୍ଠିତ ବିଶ୍ଵଶାନ୍ତି ଯଜ୍ଞରେ ପୁରୋହିତ କାମ କରି ଭଲ ଦି'ପଇସା କମଉଥିଲେ ଯାହା ଫଳରେ ଭଗିଆ କଷ୍ଟେମଷ୍ଟେ ପାଠ ପଢିପାରୁଥିଲା l
1962 ମସିହାରେ ଦେଶରେ ଅନୁଷ୍ଠିତ ହେଲା ସାଧାରଣ ନିର୍ବାଚନ l ସେତେବେଳେ ମୋର ପାଠ ପଢ଼ାର ଅନ୍ତ ଘଟିଲା l ରେଭେନ୍ସା କଲେଜରୁ ଅର୍ଥଶାସ୍ତ୍ରରେ ଏମ. ଏ ପାସ କଲି l ଖୁସିରେ ଗାଁକୁ ଆସି ଘର ଭିତରକୁ ପଶି ବୋଉ ବୋଉ ଡାକିଲା ସମୟରେ ବୋଉ ଢ଼ିଙ୍କି ଶାଳରୁ କହିଲା - ହଁ ରେ ଭଗିଆ ମୁଁ ଏଇଠି ଅଛି, ଆ l
ଦୁଇ ପାଦ ଧରି ସାଷ୍ଟାଙ୍ଗ ପ୍ରଣାମ କରିବା ସମୟରେ ବୋଉ ମୋତେ ତଳୁ ଉଠାଇ ପିନ୍ଧିଥିବା ସାଗୁଆ କସ୍ତା ଶାଢୀରେ ମୋର ଆଖି ପୋଛି ଦେଉଥିବା ବେଳେ ଏକ ଅପୂର୍ବ ଉଲ୍ଲାସ ଭିତରେ ଚରି ଯାଉଥିବା ଅନୁଭବ କଲି l
ଇତ୍ୟବସରେ ଭଗିଆର ଦୃଷ୍ଟି ହଠାତ ଢ଼ିଙ୍କି ଉପରେ ପଡିଲା l ତତକ୍ଷଣାତ ସେ ଢ଼ିଙ୍କି ଉପରେ ମୁଣ୍ଡ ରଖି ଜୁହାର ହେଲା l
ବୋଉ ଆଶ୍ଚର୍ଯ୍ୟ ହେଇ କହିଲା - ଏଁ....ଏଁ....ଢ଼ିଙ୍କିଟାକୁ ଜୁହାର ହେଉଛୁ କାହିଁକିରେ ଭଗିଆ ?
ବୋଉକୁ କୁଣ୍ଢାଇ ଭଗିଆ କହିଲା - ଆଲୋ ବୋଉ, ଏଇଟା ତୋର ବାହନ, ଯେମିତି ଲକ୍ଷ୍ମୀଙ୍କର ବାହାନ ପେଚା, ସରସ୍ୱତୀଙ୍କର ହଂସ, ନାରାୟଣଙ୍କର ଗରୁଡ଼ ଓ ଶିବଙ୍କର ଷଣ୍ଢ l
ବୋଉ ମୁହଁରେ ହସ ଉଛୁଳି ପଡିଲା l ଶାଢ଼ୀର କାନିକୁ ମୁହଁରେ ଦେଇ ହସି କହିଲା - ମୋ ବାୟାଟା !
ଇତ୍ୟବସରେ ଶାମମାଷ୍ଟ୍ରେ ପହଞ୍ଚି ଭଗିଆକୁ ଦେଖି ଖୁବ ଖୁସିହେଲେ l କିନ୍ତୁ ଭଗିଆ ବାପାଙ୍କୁ ଆଁ କରି କେବଳ ଅନେଇଥିଲା l ନା ସେ ଭୂମିଷ୍ଠ ପ୍ରଣାମ କରିପାରୁଛି ନା ପାଟିରୁ କଥା ବାହାରୁଛି l ବାପା କଳାକାଠ ପଡିଗଲେଣି l କୁନ୍ଦିଲା ଭଳି ଗୋରା ଛାତିର ପଞ୍ଜରା ହାଡ଼ ବାହାରକୁ ବାହାରି ପଡିଛି ! ସତେକି କଲେଜକୁ ଯିବାଦିନ ଟିଣ ଟ୍ରଙ୍କ ମୁଣ୍ଡେଇ ଥିବା ବାପାଙ୍କ ମୁଣ୍ଡରେ ଆଜି ପାହାଡ଼ ଭଳି ଟିଣ ଟ୍ରଙ୍କ l ସେ କୁଜେଇ ଗଲେଣି l
ସେ କିଛି କହିପାରିଲାନି ବରଂ କଲେଜ ଛାଡ଼ିବା ଦିନ ବାପା ଯେମିତି ମୁହଁରେ ମିଛ ହସ ଫୁଟାଇ ଥିଲେ, ସେ ସମିତି ହସି ଦେଇ ବାପାଙ୍କୁ ଜୁହାର ହେଲା l
କିଛି ସମୟ ଅତିକ୍ରାନ୍ତେ ଭଗିଆ ନିଜକୁ ସମ୍ଭାଳି କହିଲା - ବାପା, ତୁମର ଇୟେ କି ଅବସ୍ଥା ?
ବୋଉ ଆଖିରେ ଆଖିଏ ଲୁହ ଧରି କହିଲା - ତାଙ୍କୁ କଣ ଫୁରସତ ମିଳୁଛି l କେବଳ ଯଜ୍ଞ ଆଉ ପୂଜା ବିଭିନ୍ନ ସ୍ଥାନରେ l ଟଙ୍କା ଖାଲି ଟଙ୍କା l ଯେତେ କହିଲେ ସେ ମୋ କଥା କଣ ଶୁଣୁଛନ୍ତି ? ଭଗିଆ ପାଠ ପଢୁଛି ପରା l
ଭଗିଆ ବାପାଙ୍କୁ ଜୁହାରଟିଏ ହେଇ ତା ପରଦିନ ସକାଳୁ ପଳାଇ ଆସିଲା l ଛାତିଟା ଫାଟି ପଡୁଥିଲା ବାପାଙ୍କ ମୁଣ୍ଡରେ ବିରାଟ ଟିଣ ଟ୍ରଙ୍କର ଓଜନ ଦେଖି l
ବାପା ମୁଣ୍ଡେଇ ଥିବା ଟିଣ ଟ୍ରଙ୍କର ଦୃଶ୍ୟ ଯେତେ ଭଗିଆକୁ ନିର୍ଯାତିତ କରୁଥିଲା,ସେ ସେତେ ସଫଳତାର ଦୁଆର ନିକଟରେ ପହଂଚୁଥିଲା l ଠିକ ସମୟରେ ସଫଳତାର ଦୁଆର ଖୋଲିଲା l ଆହାଃ କି ସୁନ୍ଦର ସାତରଙ୍ଗର ଇନ୍ଦ୍ରଧନୁ l
ବର୍ଷେ ଯାଇଛି କି ନାହିଁ ଗାଁଟା ଯାକରେ ଖବର ଖେଳିଗଲା ଯେ ଶାମମାଷ୍ଟ୍ରେଙ୍କ ପୁଅ ଭଗିଆ ସିଭିଲ ସର୍ଭିସ ପରୀକ୍ଷାରେ ଆଇ.ଏ.ଏସ ପାଇଛି l ତାକୁ କର୍ଣ୍ଣାଟକ କେଡ଼ର ମିଳିଛି l ଏ ସମ୍ବାଦଟି ଶାମମାଷ୍ଟ୍ରେଙ୍କ କାନରେ ଅବଶ୍ୟ ପଡିଲା l ସେ ଗାଁ ଠାରୁ ପଚାଶ ମାଇଲ ଦୂରସ୍ଥ ଚାନ୍ଦବାଲିରେ ବିଶ୍ଵଶାନ୍ତି ଯଜ୍ଞରେ ପୂର୍ଣ୍ଣାହୂତି ଦେଉଥିଲେ l
ହଁ ମୁଁ ଜାଣିନି ସେ ଦିନ ମୋ ବାପା ତାଙ୍କ ପୁଅ ଭଗିଆର ଆଇ.ଏସ.ଏ ହେବାର ଖବର ପାଇବା ପରେ କଣ ଭାବିଥିବେ କିନ୍ତୁ ମୁଁ ଭାବିଥିଲି - ମୋ ବାପାଙ୍କ ମୁଣ୍ଡରୁ ଟିଣ ଟ୍ରଙ୍କଟାକୁ ଓହ୍ଲାଇ ହାଲୁକା କରିବାର ଦୀର୍ଘ ସଂଘର୍ଷର ବୋଧହୁଏ ପୂର୍ଣ୍ଣାହୁତି ପଡିଲା l
ଦୁଇ ଝିଅଙ୍କୁ ଚାହିଁ ଭଗିରଥ ଓରଫ ଭଗିଆ ହସି ହସି କହିଲେ - ଟିଣ ଟ୍ରଙ୍କଟା ବାପାଙ୍କ ମୁଣ୍ଡରୁ ଓହ୍ଲାଇ ଏଇଠି ରଖିଛି, ଆଉ ବୋଉର ରକ୍ତକୁ ଝାଳ କରୁଥିବା ଢ଼ିଙ୍କିଟାକୁ ବି ଏଇଠି ସାଇତି ରଖିଛି l
ଦୁଇଝିଅ ନିସ୍ତବ୍ଧ ଆଖିରେ କେବଳ ବାପାଙ୍କୁ ଚାହିଁଥିଲେ l
ଇଆଡ଼େ ବାନା ଆଚାର୍ଯ୍ୟ ତାଗିଦ କରି କହୁଥିଲା - ନନା ଡେରି କରନି l ଖାଇବା ବଢା ହେଇସାରିଲାଣି l
---------000000---------
© ମନୋଜ କୁମାର ମହାପାତ୍ର