ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ-9: ‘ବିଶ୍ୱାସ’
//TATKAL ODISHA//
**********************************************
- ଗଳ୍ପ : ବିଶ୍ୱାସ
- ମନୋଜ କୁମାର ମହାପାତ୍ର
+++++++++++++++++++++++++++++++
ସଞ୍ଜ ନଇଁ ଆସୁଥିଲା l ପୁଷ ମାସର ଶୀତୁଆ ପବନଟା ସାଏଁ ସାଏଁ ମୋ ଶୀତବସ୍ତ୍ର-ଅଭାବୀ ଦେହଟାକୁ ଏମିତି ଥରାଉଥାଏ ଯେ ମୋତେ ଲାଗିଲା ସତେକି ମୁଁ ହେମାଳ ପାଣିରେ ଭାସିଯାଉଛି ! ହଠାତ ଦେଖିଲି ନଈ ସେପାରି ଆଳୁଚାଷ ଜମିର ହିଡ଼କୁ ଲାଗି ତିଆରି ହେଇଥିବା ଗୋଟିଏ ବରଡ଼ାପତର ଛିଆ ଝାଟିମାଟିର ପଲ୍ହାରେ ବସି ବଣୁଆ ଜେନା ବେଶ ଆରାମରେ ନିଆଁ ପୁଉଁଛି ଓ ବିଡି ଟାଣୁଛି l ମୁଁ ସଅଳ ପାଦରେ ଦୌଡ଼ି ଯାଇ ତା ଉମେଁହି ପାଖରେ ବସି ପଡିଲି l
ମୋର ଅପ୍ରତ୍ୟାଶିତ ଆଗମନ ଦେଖି ବଣୁଆ ସ୍ନେହଭରା କଣ୍ଠରେ କହିଲା - କି ହୋ ଛୋଟବାବୁ , ଯେଉଁ ଜାଡ ପଡିଛି, ପୁଣି ସଞ୍ଜବେଳେ ତୁମେ କଣ ଏଠାରେ ? କଣ ତୁମ କିଆରୀରେ କେମିତି ଆଳୁ ହେଇଛି ଦେଖିବାକୁ ମନେପଡିଗଲା କି?
ଜ୍ୱଳନ୍ତ ନିଆଁରେ ହାତ ସେକି ଥର ଥର ସ୍ୱରରେ କହିଲି - ନା ମଃ ଦାଦା l ଏଇ ଟିୟୁସନ ଯାଇଥିଲି ତ, ଆସିବା ବାଟରେ ପଡିଆରେ ସାଙ୍ଗଙ୍କ ସହିତ ଟିକେ ଫୁଟବଲ ଖେଳିଲି, ଡେରି ହେଇଗଲା l ଆଉ ତୁମେ କଣ ଘରକୁ ଯିବନି ?
ନା କେମିତି ଯିବି ? ଆଲୁଗଛଗୁଡାକ ଏବେ ଛନଛନିଆ ଶାଗୁଆ ପତର ମେଲେଇ ଠିଆ ହେଇଛି, ସେଥିପାଇଁ ଶ°ସାଗୁଡ଼ାକର ରାତିରେ ଉତ୍ପାତ ବେଶୀ l ନ ଜଗିଲେ ଗଛକୁ କାଟି ଖାଇଯିବେ l ଏଇ କେତେଦିନ ହେଲା ପହ୍ଲାରେ ରାତିରେ ରହି ଫସଲ ଜଗୁଛି l
ଖାଉଛ କଣ, ପୁଣି ଭୀଷଣ ଜାଡ଼ରେ ଶୋଉଛ କେମିତି ?
ରାତିରେ ଦି'ଟା ଫୁଟେଇ ଖାଉଛି,ଆଉ ହେଁସ ଘୋଡ଼ି ଶୋଉଛି l
ବଣୁଆ ଦାଦାର ନିଛାଟିଆ ଜାଗାରେ ଏକୁଟିଆ ରହିବାର ସାହସ ଦେଖି ମୁଁ ଅବାକ l ଚାରିଆଡେ ଆଖି ପାଉନଥିବା ଖାଲି ଜମି ହିଁ ଜମି l ସେତେବେଳକୁ ଗପୁ ଗପୁ ରାତି ପହଡ଼େ l ନିଆଁସେକା ଦେହଟାକୁ ବେଶ ଗରମ କରିଦେଲାଣି l ଇୟା ଭିତରେ ମୋର କାହିଁକି କେଜାଣି ମନ ହେଲାଣି ସେଠାରେ ରାତିଟା ରହିଯିବାକୁ l ମୁଁ କହିଲି - ଦାଦା,ତମ ସହିତ ଆଜି ରାତିଟା ଏଠାରେ ରହିଲେ ତୁମର କିଛି ଅସୁବିଧା ହେବକି ? ସେ କହିଲା - ଭଲ କଥା କହୁଛ l ତୁମ ଜମି, ତୁମ ଚାଷ, ମୁଁ କିଏ ମନା କରିବାକୁ ! ମୁଁ ତ ତୁମ ଘରର ମୁଲିଆ l ହେଲେ ରହି ପାରିବତ ? ମୁଁ ଖୁବ ଉତ୍ତେଜିତ ସ୍ୱରରେ କହିଲି - ନିଶ୍ଚୟ, ଇଏ ତ ମୋ ପାଇଁ ଗୋଟେ ପିକନିକ ହେବ l
ବଣୁଆ ଦାଦା ମୋ ସହିତ ଗପୁ ଗପୁ ଚୁଲି ଲଗାଇଲା l ବାସ ଘଂଟାଏ ଭିତରେ ରୋଷେଇ ଶେଷ l ଆମେ ଦୁହେଁ ଖାଇ ବସିଲୁ l ଗରମ ଗରମ ଭାତ, ଆଳୁପୋଡା ଚକଟା, ତା ସାଙ୍ଗକୁ ରସୁଣ କଞ୍ଚାଲଙ୍କା ମିଶା ଶୁଖୁଆପୋଡା ଦଳା l "ଓ ମାଇଁ ଗଡ଼ ! କି ଚମତ୍କାର ଖାନା ସେଦିନ ! ଏମିତି ତୃପ୍ତି ଜୀବନରେ କେବେ ପାଇନି" l
ଗୋଟେ ହେଁସ ଘୋଡ଼ି ଦୁହେଁ ଦଉଡିଆ ଖଟରେ ଶୋଇ ଗପିଲୁ କିନ୍ତୁ ମଝିରେ ମଝିରେ ସେ କିଆରି ମଝିରେ ଖୁଣ୍ଟରେ ବନ୍ଧା ହେଇଥିବା ପତଳା ଟିଣର ପହ୍ଲା ପର୍ଯ୍ୟନ୍ତ ଲମ୍ବା ଦଉଡିକୁ ଟାଣି ଢାଉଁ ଢାଉଁ ବଜାଉଥାଏ, ଶଂସାମାନଙ୍କୁ ତଡିବା ପାଇଁ l
ବଣୁଆ ଦାଦାର ମେହନତି ଚାଷୀ ମଣିଷର ଦେହ ସତରେ ଫସଲର ପ୍ରତ୍ୟେକ ମୁହୁର୍ତ ପାଇଁ ରକ୍ଷା କବଚ l ଏହି କଥାଟିକୁ ଭାବୁଥିବା ବେଳେ ଛାଈ ନିଦ ମୋ ଆଖିକୁ ମାଡି ବସୁଥିଲା l ନା ମୁଁ ପୂରା ଜାଗ୍ରତ ଥିଲି ନା ନିଦ୍ରିତ ଥିଲି l ଏମନ୍ତ ସନ୍ଧିକ୍ଷଣ ଭିତରେ ପହ୍ଲା ନିକଟରେ ବହିଯାଉଥିବା ନଈର ଆର ପଟ ଶାସନ-ବଗିଚାର ଆମ୍ବ ବାଉଁଶବଣ ଊର୍ଧ୍ୱସ୍ତ ଆକାଶରେ ଡିବି ଡିବି ବାଜା ବାଜିବା ଭଳି ଅଦ୍ଭୁତ ଶବ୍ଦ ଶୁଣାଗଲା l ମୁଁ ଚମକି ପଡ଼ି ଚାହିଁ ଦେଖେତ ବଣୁଆ ଦାଦା ବସି ଢ଼ୋଳଉଛି l
ଭୟ ମିଶ୍ରିତ ସ୍ୱରରେ କହିଉଠିଲି - ଦାଦା ଏମିତି ବାଜା ଶବ୍ଦ କେଉଁଠୁ ଶୁଭୁଛି ! ସେ ଆଖି ତରାଟି ମୋତେ ଚାହିଁଲା l ଅଧା ଜଳା ବିଡ଼ିରେ ନିଆଁ ଲଗାଇ ସୁଟକେ ଟାଣି କହିଲା - ରାତି ଅଧରେ କୃଷ୍ଣ ଚତୁର୍ଦଶୀ ତିଥିରେ ଏମିତି ଶବ୍ଦ ବେଳେବେଳେ ଶୁଭେ l ଉତ୍ତର ଦିଗର ହିମାଳୟ ପର୍ବତରୁ ଶିବପାର୍ବତୀ ଯୁଗଳମୂର୍ତ୍ତି ଆକାଶରେ ଉଡି ଉଡି କେବେ କେମିତି ସମୁଦ୍ର କୁଳର କନ୍ୟାକୁମାରୀ ଆଡକୁ ଯାଆନ୍ତି l ସେଥିପାଇଁ ଶଙ୍ଖ ମୃଦଙ୍ଗ ଝାଞ୍ଜ କିମ୍ବା ବେଳେବେଳେ ଡମ୍ବରୁର ବାଜଣା ଶୁଭେ l
ମୋର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମନ ଓ ଅଧା-ପାକଳ ବୁଦ୍ଧିଟା ଶୋଷିନେଲା ନିମିଷକେ ତାର ବିସ୍ମୟକର ଉକ୍ତିକୁ l ଆଖି ମଳି ମଳି ଉଠି ପଚାରିଲି - ତୁମେ କେବେ ସେହି ଯୁଗଳମୂର୍ତ୍ତିକୁ ଦେଖିଛ ?
ବଣୁଆ ଦାଦା ନାକ ବାଟେ ଜୋରରେ ଧୂଆଁ ଛାଡି କହିଲା - ହେତ ତେରିକା, ଏଇ ଚର୍ମ ଆଖିରେ କଣ ସେଇ ଦୃଶ୍ୟ ଦେଖି ହେବ l ସେଥିପାଇଁ ଦୃଢ଼ ବିଶ୍ୱାସ ସହିତ ଶୁଦ୍ଧ ମନ ଓ ବ୍ୟାକୁଳତା ଦରକାର l ତଥାପି ରାତି ଅଧରେ ପଲ୍ହାରେ ଶୋଇଥିବାବେଳେ ମୋ କାନରେ ବାଜଣାର ଶବ୍ଦ କେତେଥର ବାଜିଛି l କିଟିମିଟି ଅନ୍ଧାର ଭିତରେ ଆକାଶକୁ ଚାହେଁ, ମେଞ୍ଚା ମେଞ୍ଚା ତାରା ଛଡା ଆଉ କିଛି ଦିଶେନି l
ବଣୁଆ ଦାଦା ଟିକିଏ ଗମ୍ଭୀର ହେଇ କହିଲା - ହଁ ପରା ଏ କଥାଟା ସତ l ତା ନ ହେଇଥିଲେ ଅଗନା ଅଗନି ବନସ୍ତରେ ରାଜକୁମାରୀ କେମିତି ହିଂସ୍ର ଜନ୍ତୁଙ୍କ କବଳରୁ ରକ୍ଷା ପାଇଥାନ୍ତା !
ଏଭଳି ପ୍ରସଙ୍ଗଶୂନ୍ୟ ଖାପଛଡା କଥା ଶୁଣି ପଚାରିଲି - କେଉଁ ରାଜକୁମାରୀ ?
ଶୁଣ ତେବେ l ଅନେକ ବର୍ଷ ଆଗରୁ ଜଣେ ସୁନ୍ଦରୀ ଓ ରୁପସୀ ରାଜକୁମାରୀ ସଖିମାନଙ୍କ ସହ ନଦୀକୁ ଜଳକ୍ରୀଡ଼ା କରିବାକୁ ଯାଇଥିଲା l ରାଜା ରାଣୀଙ୍କର ଏକମାତ୍ର ଅଲିଅଳ ଝିଅ l କିନ୍ତୁ ଭାଗ୍ୟ ମନ୍ଦ ଯେ ସେ ନଈ ସୁଅରେ ଆସାବଧାନତା ଯୋଗୁ ଥଳକୂଳ ହରାଇ ଭାସିଗଲା ଏବଂ ଶେଷରେ କିଛି ବାଟ ଭାସି ଯାଇ ଗୋଟିଏ ଉଚ୍ଚା ଢିପରେ ଲାଖିଲା,ଯେଉଁଠୁ ଆରମ୍ଭ ଏକ ବିଶାଳ ଘଞ୍ଚ ଅରଣ୍ୟ l ଚେତା ଫେରିବାରୁ ଚାହିଁଲା ଚାରିଆଡକୁ, ଖାଲି ଡେଙ୍ଗା ଡେଙ୍ଗା ଗଛ ହିଁ ଗଛ l ଶୁଣିଲା ହିଂସ୍ର ଜନ୍ତୁଙ୍କ ଭୟଙ୍କର ଗର୍ଜନ l ପୁଣି ରାତି ଘନେଇ ଆସିବା ମାତ୍ରେ ତାର ଉଚ୍ଚସ୍ୱରର ବିକଳ କାନ୍ଦ ଆହୁରି ତୀବ୍ର ହେଲା l ଅରଣ୍ୟ ଭିତରୁ ତାର କାନ୍ଦ ଶୁଣି ହିଂସ୍ରଜନ୍ତୁ ବି ଗର୍ଜିଲେ l ସେ ଆକାଶକୁ ଲୁହଭରା ଆଖିରେ ଚାହିଁ ଈଶ୍ଵରଙ୍କୁ ଗୁହାରି କରିବା ଛଡା ଆଉ ଉପାୟ ନ ଥିଲା l
ଇତ୍ୟବସରେ ଉର୍ଦ୍ଧ୍ଵ ଆକାଶରେ ଉଡି ଉଡି ଯାଉଥିବା ଶିବ ପାର୍ବତୀ ରାଜକୁମାରୀର ବିକଳ କାନ୍ଦ ଶୁଣିପାରିଲେ l ତାର ଶୁଦ୍ଧ ମନ ଓ ଭକ୍ତିଭାବ ମିଶ୍ରିତ ବ୍ୟାକୁଳତା ଦ୍ୱାରା ଶିବ ପାର୍ବତୀଙ୍କ କାରୁଣ୍ୟ ହୃଦୟ ବିଗଳିତ ହେଲା l ତତକ୍ଷଣାତ ସେ ଦୁହେଁ ତା ସମ୍ମୁଖରେ ଉଭା ହେଲାରୁ ରାଜକନ୍ୟା ଦେବୀ ପାର୍ବତୀଙ୍କୁ ବିକଳରେ ଚାହିଁ ଯୋଡ଼ହସ୍ତରେ କହିଲା - ମା, ମୁଁ ତୁମର ଝିଅ, ମୋତେ ବଞ୍ଚାଅ l ଉଭୟଙ୍କର ହାତ ଲମ୍ବୀଗଲା ରାଜକନ୍ୟା ମୁଣ୍ଡ ଉପରକୁ ଏବଂ ଦିବ୍ୟଶକ୍ତି ବଳରେ ତାକୁ ଉଦ୍ଧାର କରି ରାଜବାଟିରେ ପହଞ୍ଚାଇ ଦେଲେ l ରଜା ରାଣୀଙ୍କର ଝିଅକୁ ପାଇବାର ଖୁସି ସେଦିନ କହିଲେ ନ ସରେ l
ବଣୁଆ ଦାଦା ଗପଟି କହୁ କହୁ କେତେବେଳୁ ଶୋଇଗଲାଣି ମୋତେ ଜଣା ନାହିଁ l ତାର ପ୍ରଚଣ୍ଡ ଘୁଙ୍ଗୁଡ଼ି ଶବ୍ଦକୁ ହେଁସ ଭିତରେ ମୁହଁ ଢାଙ୍କି ମୁଁ ଶୁଣୁଥିଲି ସତ କିନ୍ତୁ ମୋତେ ଲାଗୁଥିଲା ସତେକି ଉଡ଼ନ୍ତା ଶିବଙ୍କର ଡମ୍ବରୁ ବାଜୁଛି !!!
ବଣୁଆ ଦାଦାର ଶିବ ପାର୍ବତୀ ଉଡି ଉଡି ଯିବାର ଗଳ୍ପ ଶୁଣିବାର ପ୍ରାୟ ଷାଠିଏ ବର୍ଷ ଇୟା ଭିତରେ ବିତିଗଲାଣି l ସେ ଦିନର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଚଉଦବର୍ଷର ବାଳକ ବର୍ତମାନ ଚଉସ୍ତୋରି ବର୍ଷୀୟ ପଦାର୍ଥ ବୈଜ୍ଞାନିକ ଡକ୍ଟର କୁଞ୍ଜବିହାରୀ ଆଚାର୍ଯ୍ୟ l ଏବେ ଏବେ ଇନଷ୍ଠିଚ୍ୟୁଟ ଅଫ ଫିଜିକ୍ସରୁ ଅବସର ନେଇଛନ୍ତି l ମୁଣ୍ଡଟା ବିଜ୍ଞାନ ସିନା କିନ୍ତୁ ହୃଦୟଟା ଆଧ୍ୟାତ୍ମିକ l ଦିନେ ସନ୍ଧ୍ୟାବେକେ ହାଲୁକା ମନରେ ଘର ଅଗଣାରେ ବସି ନାତି ସହିତ ଗପୁଥିବା ସମୟରେ,ନାତି ପଚାରିଲା - ଜେଜେ ଗୋଟେ ମଜାଦାର ଗପ କୁହନା ମତେ l ହଁ ଏମିତି ଗପ କହିବ, ସେଟା ତୁମର ବେଷ୍ଟ ଗପ ଯେମିତି ହେଇଥିବ l
ବଣୁଆ ଦାଦାର ଉଡ଼ନ୍ତା ଈଶ୍ଵର ପାର୍ବତୀ ଗପଟି ସେ ନାଟକୀୟ ଭଙ୍ଗୀରେ କହିଲେ l କିନ୍ତୁ ନାତି ଗପଟି ଶୁଣି ହସି ହସି ବେଦମ ହେଇଗଲା l ଜେଜେଙ୍କର ଜଙ୍ଘକୁ ଚିମୁଟି ଦେଇ ବିଦ୍ରୁପ ଢଙ୍ଗରେ କହିଲା - ଓ ମାଇଁ ଗଡ଼ ! ଏଇଟା ତାହେଲେ ତୁମର ବେଷ୍ଟ ଷ୍ଟୋରୀ l ଗ୍ରିକ ମିଥୋଲୋଜିରେ ମୁଁ ତ ଏଭଳି ପିଲାଙ୍କ କାହାଣୀ ବହୁତ ପଢିଛି l ଖାଲି କଳ୍ପନା ଆଉ ମନଗଢ଼ା l ଅନ୍ଧବିଶ୍ୱାସ ଓ କଳ୍ପନାଭରା ମସ୍ତିଷ୍କର ଏଭଳି ଗଳ୍ପସବୁ ଗୋଟେ ଲେଖାଏଁ ଭୟଙ୍କର ବିକୃତ ଉଦ୍ଗିରଣ l ଈଶ୍ଵର ପୁଣି ଉଡି ଉଡି ଯିବେ ? ତାବାଦେ, ତୁମେ କୁହ ପରା ଈଶ୍ଵର ସର୍ବବିଦ୍ୟମାନ l ଈଶ୍ଵର ପୁଣି ଉଡି ଉଡି ଯିବେ କାହିଁକି ? ତମେ ଜଣେ ବୈଜ୍ଞାନିକ, ଏପରି ଗପକୁ କେବେ ବିଶ୍ୱାସ କରିପାରିବ ?
ଡକ୍ଟର ଆଚାର୍ଯ୍ୟ ଅବାକ ହେଇ ଚାହିଁଲେ ଷ୍ଟାଣ୍ଡାର୍ଡ-8 ରେ ପଢ଼ୁଥିବା ନାତିର ତାତ୍ସଲ୍ୟ ଭାବରେ ପରିପୂର୍ଣ ମୁହଁକୁ l ବଣୁଆ ଦାଦାର ଗପ ଶୁଣିବା ପରେ ଯେଉଁ ଆବେଗ ମିଶ୍ରିତ ଭୟ ଓ ବିଶ୍ୱାସ ଦ୍ୱାରା ଏକଦା ସେ ନିର୍ଜନ ଶୀତ ରାତିରେ ଆଚ୍ଛନ୍ନ ହେଇ ପଡ଼ିଥିଲେ ,ତାର କାଣିଚାଏ ତ ଆଜି ଦେଖିପାରୁନାହାନ୍ତି ନିଜ ନାତି ମୁହଁରେ !!! ଦୀର୍ଘ ନିଃଶ୍ୱାସଟିଏ ମାରି ମନେମନେ କହିଉଠିଲେ - "ଓହୋ....ଏବେ ବୁଝିଲି, ସମୟ-କାଳ-ପାତ୍ର ବୋଧେ ତୀବ୍ରଗତିରେ ଆଗେଇ ଗଲେଣି l ବଣୁଆ ଦାଦା କେଉଁକାଳରୁ ମରିଗଲେଣି, ଆଳୁଚାଷ ହେଉଥିବା ଆମ ଜମିଟା ଭାଇ ଭାଗ ବଣ୍ଟାରେ କେବେଠୁଁ ବିକ୍ରି ହେଇଗଲାଣି ଆଉ ହେଁସ ଘୋଡା ସମୟଟା ଆଖି ପାଉନଥିବା ଆକାଶର ଦିଗବଳୟର ବହୁ ପଛରେ ହଜିଗଲାଣି l ସେ ଦିନର ସ୍ପେସ ଟାଇମ କଜେଶନର ପତ୍ତା ଆଉ ନାହିଁ l ତଥାପି ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମରିଯାଇଥିବା କୋଟି କୋଟି ଆଲୋକ ବର୍ଷ ଦୂରସ୍ଥ ତାରାର ଆଲୋକ ଏବେ ବି ତାରାଟିଏ ହେଇ ଆକାଶରେ ମିଟମିଟ କରୁଛି ଯେମିତି ବଣୁଆ ଦାଦାର ଗଳ୍ପଟି ମୋ ବିଶ୍ୱାସୀ ମନରେ ସତେଜ ହେଇ ଆଜି ବି ମିଟମିଟ କରୁଛି l
'ଅଳ୍ପ ବିଦ୍ୟା ଭୟଙ୍କର' ନ୍ୟାୟରେ ଗେହ୍ଲା ନାତିର ତାତ୍ସଲ୍ୟ ପରିହାସକୁ ଜେଜେର ଭଲପାଇବା ସ୍ୱଗୁଣରେ ସେ ଗ୍ରହଣ କରିନେଲେ ସତ କିନ୍ତୁ ଆପେକ୍ଷିକ ଜଗତରେ କଳ୍ପନା ଓ ମନଗଢା ଏବଂ ବିଶ୍ୱାସ ଓ ଅବିଶ୍ୱାସ ଭଳି ଜିନିଷ ମନରେ ପ୍ରତିକ୍ଷଣ ଜାତ ହେଉଥିବା ଅସଂଖ୍ୟ ଭାବନାରୁ ଅଲଗା ନୁହେଁ ତାହା ସେ ବେଶ ଭଲ ଭାବରେ ବୁଝିଛନ୍ତି l
ଜେଜେଙ୍କର ଭାବନାରେ ଡୁବିଯାଇଥିବା ନୀରବତା ଲକ୍ଷ୍ୟ କରି ନାତି ପଚାରିଲା - ଜେଜେ, ମୋ କଥାଟା ତୁମକୁ ବାଧିଲା କି? ଏଭଳି ଗପ ଫାଣ୍ଟାସି ନୁହେଁ କି ?
ଜେଜେ ନିଜର ନୀରବତାରୁ ଓହରି ଯାଇ ଟିକେ ହସିଦେଇ କହିଲେ - ଯିଏ ଏ ସବୁକୁ ଫାଣ୍ଟାସି ଭାବିବ, ସେ ଠିକ, ଯିଏ ନ ଭାବିବ ସେ ବି ଠିକ l
ନାତି ପୁଣି ଫେଁ କିନା ହସି ଦେଇ କହିଲା - ଦି'ଟା କେମିତି ଠିକ ହେବ ? ବଡ଼ ଗୋଳମାଳିଆ ଲୋକ ତୁମେ ଜେଜେ l
କୁଞ୍ଜବାବୁ ନାତିର ମୁଣ୍ଡ ବାଳକୁ ଆଉଁସି ଦେଇ କହିଲେ - ତୁ ବଡ଼ ହେଲେ ବୁଝିବୁ l ବାସ ଏତିକି କହି କଥାକୁ ଆଉ ଲମ୍ବାଇଲେନି,ବରଂ ଉଠି ଚାଲିଗଲେ ବୈଜ୍ଞାନିକ ମହାଶୟ l କିନ୍ତୁ ନାତି ଗୁମ ହେଇ କିଛି ସମୟ ବସିଲା, ତା ମନରେ ଗୋଟିଏ ଭାବନା କ୍ରମଶଃ ଆସନ ଜମାଉଥିଲା - ଜେଜେ ଯାହା କହିଲେ,ତୁ ବଡ଼ ହେଲେ ବୁଝିବୁ, ତାର ମାନେ କଣ ଈଶ୍ଵର ପାର୍ବତୀ ଘଟଣା ସତ ? ମୁଣ୍ଡ ଝାଇଁ ଝାଇଁ ହେଇଗଲା l ଶେଷରେ ସେ ଗପଟିକୁ ନନସେନ୍ସ କହି ଖେଳିବାକୁ ଚାଲିଗଲା l
କୌଣସି ଭାବନାକୁ ହାଲୁକା ମନରେ ନନସେନ୍ସ କହିଦେଲେ ତାହା ନନସେନ୍ସ ହେଇଯାଏନି ବରଂ କେତେବେଳେ କେମିତି ମୌକା ଦେଖି ଅଜାଣତରେ ମନ ଭିତରକୁ ପଶି ଆସେ l ବର୍ଷେ କି ଦିବର୍ଷ ବିତିଛି କି ନାହିଁ ଭୀଷଣ ଭାଇରାଲ ଜ୍ଵରରେ ଆକ୍ରାନ୍ତ ହେଲା ନାତି l ଆଣ୍ଟିବାଇଓଟିକ୍ସ ଖାଇଲା ସତ୍ୱେ ଶହେ ଦୁଇ ଡିଗ୍ରୀରୁ ଜ୍ଵର କମିଲା ନାହିଁ l ପୂରା ପରିବାରଙ୍କର ଚିନ୍ତା ବଢିଗଲା l ଡାକ୍ତର କହୁଥିଲେ ଯେ ବ୍ୟସ୍ତ ହେବାର ନାହିଁ, ଏଇ ଦୁଇତିନି ଦିନରେ ଜ୍ଵର କମିଯିବ, ଭାଇରଲ ଫିବର ବେଳେବେଳେ ଏମିତି ଦଶବାର ଦିନ ରହେ l
ଦିନେ ରାତିରେ ନାତି ପାଖରେ ବସିଥିବାବେକେ ବୈଜ୍ଞାନିକ ଆଚାର୍ଯ୍ୟ ଦେଖିଲେ ଯେ ନାତି ଅତ୍ୟଧିକ ଜ୍ଵର ଯୋଗୁ ବିଳବିଳେଇ ହେଉଛି l ବୋହୂ ତା ମୁଣ୍ଡରେ ଜଳପଟି ଦେଉଥାଏ l କିଛି ସମୟ ଉତ୍ତାରୁ ନାତି ଅବଶ୍ୟ ଶୋଇପଡିଲା l
ସକାଳୁ ସକାଳୁ ବୈଜ୍ଞାନିକ ଆଚାର୍ଯ୍ୟ ଦେଖନ୍ତି ଯେ ନାତି ବିଛଣାରେ ଶୋଇ ଅନେଇଛି l ତା ମୁଣ୍ଡରେ ହାତ ମାରି ଦେଖନ୍ତି, ଦେହରେ ଆଦୌ ଜ୍ଵର ନାହିଁ l ହେ ଭଗବାନ ! ଯାହାହେଉ ଔଷଧ କାମ କଲା ବୋଲି ହଠାତ ତାଙ୍କ ପାଟିରୁ ବାହାରିଗଲା l
ଜେଜେ ଆଡକୁ ମୁହଁ କରି ଅନାଇ ନାତି ହସି ହସି କହିଲା - ବୁଝିଲ ଜେଜେ l ମୁଁ କାଲି ଆକାଶରେ ଶିବ ପାର୍ବତୀ ଡମ୍ବରୁ ବଜାଇ ଉଡି ଉଡି ଯାଉଥିବାର ଦେଖିଲି l ବାପରେ ବାପ କି ଆଲୁଅ !! ସେ ଦୁହିଁଙ୍କୁ ଦେଖି ମୁଁ 'ଓଁ ନମଃ ଶିବାୟ' କହି ଟାଏ ଟାଏ କଲି l ଟି ଭି ସିରିଏଲରେ ଯେମିତି ତାଙ୍କୁ ହାତ ଉଠାଇ ଆଶୀର୍ବାଦ କରିବାର ପୋଜ ଦେଝିଥିଲିନା, ସେହି ପୋଜରେ ସେ ଦୁହେଁ ଠିକ ସେମିତି ହସହସ ମୁହଁରେ ମୋତେ ଆଶୀର୍ବାଦ କରି ଆକାଶରେ କୁଆଡେ ଅଦୃଶ୍ୟ ହେଇଗଲେ କିନ୍ତୁ ତାଙ୍କର ଡିବି ଡିବି ଡମ୍ବରୁ ଶବ୍ଦ ଶୁଣି ଏମିତି ଘୋର ନିଦରେ ଶୋଇପଡିଲି ଯେ ଆଉ ମୋତେ କିଛି ଜଣା ନାହିଁ l
ତା କଥା ଶୁଣି ସମସ୍ତେ ହସୁ ଥିବାବେଳେ ବୈଜ୍ଞାନିକ କୁଞ୍ଜବାବୁ ନାତିକୁ ଚାହିଁ କହିଲେ - ଆରେ ବାବା ! ଔଷଧ ଯେମିତି ଠିକ ସେମିତି ବି ବିଶ୍ୱାସ l ମଣିଷ ମନର ଜଗତଟା ହେଉଛି ବିଶ୍ୱାସ ଓ ଅବିଶ୍ୱାସର ଛନ୍ଦାଛନ୍ଦି ଜାଲ l ଗୋଟିଏକୁ ଛାଡି ଅନ୍ୟଟିକୁ ଧରିହୁଏନି l ନା କଣ କହୁଛୁ l
ନାତି ଲମ୍ବା ଅଳସିଆ ହାଇଟିଏ ମାରି କହିଲା - ହଁ ପରା l
------0000-------
© Manoj Kumar Mahapatra
- ସମ୍ପର୍କ : 9937297039