ମନୋଜ କୁମାର ମହାପାତ୍ରଙ୍କ ଗପ-8: ଯେତିକି ଆଲୁଅ,ସେତିକି ଅନ୍ଧାର

0

  • *****
  • ଗଳ୍ପ
  • *****
          *ଯେତିକି ଆଲୁଅ* 
          *ସେତିକି ଅନ୍ଧାର* 

 *ମନୋଜ କୁମାର ମହାପାତ୍ର*

   ଗାଁ ମୁଣ୍ଡରେ କେଉଁକାଳରୁ ଅବସ୍ଥିତ ମଠରେ ଏବେ ଆଗଭଳି କୋଳାହଳ ନାହିଁ l ମଠର କେତେ ଚାଷ ଜମି ନ ଥିଲା ସତେ ! ଏଇନେ  ଗୋଟେ ଗୁଣ୍ଠ ନାହିଁ l ମୂଷାମାନଙ୍କର ଉତ୍ପାତକୁ କେହି ରୋକି ପାରିଲେନି l ଏଇ ମୂଷାମାନେ ମଠରେ ଅନାହୁତ କୁଣିଆ ଭାବେ ପଶି, ଏହାର ରକ୍ଷଣବେକ୍ଷଣ ନାଁରେ ଗୋଟିଏ ପରେ ଗୋଟିଏ ଜମିକୁ ହଡପ କରି, ନିଜ ନିଜର ବିବରକୁ ଧନବନ୍ତ କଲେ l ଶେଷରେ ଭଙ୍ଗାରୁଜା ଠାକୁରଘରେ ଠାକୁରଙ୍କୁ ଓଳିଏ ଖାଇବାକୁ ମିଳୁନି l ପୂରା ମଠ ଇଲାକା କାନ୍ଥଡା ଓ ଅରମା ଜଙ୍ଗଲ, ପୁଣି ସରୀସୃପଙ୍କର ବସା l ତା ଭିତରେ ବିଚରା ଅଶୀ ବର୍ଷର ମହନ୍ତ ଦିନ ଗଣନ୍ତି କେବେ ତାଙ୍କୁ କାଳ ନେବ l
    ଭଙ୍ଗା କୁଡ଼ିଆ ଆଗରେ ଥିବା ସିମେଣ୍ଟ ବେଞ୍ଚରେ ବସି ଏକଦା ମହନ୍ତ ହରିଦାସ ଭାବୁଥିଲେ - କେମିତି କୁଡ଼ିଆଟିର ଛପର କରିବେ, ଦୁଇବର୍ଷ ହେଲା ନଡା ମିଳୁନି, ଏ ବର୍ଷ ଯଦି ଛପର ନହୁଏ ତେବେ ଘରେ ବାସ କରିବା ମୁସ୍କିଲ l ଚାଷୀ ବିଲରେ ମେସିନ ଦ୍ୱାରା ଧାନ ଆଜିକାଲି କାଟିବା ଯୋଗୁ କଚଡ଼ା କି କଳେଇ ଆଉ ବିଲରେ ବନ୍ଧା ହେଉନି କି ଖଳାକୁ ଆସୁନି l ଧାନସବୁ ବସ୍ତା କରି ଟ୍ରାକ୍ଟରରେ ନେଇ ଆସି କୁଟା ଓ ଛଣକୁ ବିଲରେ ନିଆଁ ଲଗେଇ ଦେଉଛନ୍ତି l ଗାଁ ଟା ଯାକରେ ପୁଣି ଛୋଟ ବଡ଼ ପକ୍କା ଘର l କିଏ ଇନ୍ଦିରା ଆବାସ ପାଇ ଘର କରିଛିତ କିଏ ନିଜ ଉପାର୍ଜନରୁ କରିଛି l ଆଉ ଯେଉଁ ଛଣ ଏବେ କାଁ ଭାଁ ମିଳୁଛି ତାକୁ ମୋ ଭଳି ନିଃସ୍ୱ ବାବାଜୀଟା କଣ କିଣି ପାରିବ ?
   ଗଭୀର ଚିନ୍ତାରେ ଆଉଟ ପାଉଟ ହେଇ ବୃଦ୍ଧ ମହନ୍ତଙ୍କ ନାକରୁ ବୋହୁଥିଲା ଉତ୍ତପ୍ତ ନିଃଶ୍ୱାସ l ଏକଦା ଭକ୍ତ ଗହଳିରେ ଥାଟପଟଳ ଭାଙ୍ଗୁଥିବା ଏଇ ମଠରେ କଳାକନା ଦିନେ ବୁଲିବ ବୋଲି ସେ କେବେ କଳ୍ପନା କରିନଥିଲେ l କୁଆଡେ ଗଲା ମଠର  ଦଶମାଣ ଧାନ ଜମି, କାହିଁ ସେଇ ଗୁହାଳ ଯେଉଁଠି ହାତୀ ଭଳି ବଳଦ ବନ୍ଧା ହୁଅନ୍ତି, ଯୋଡ଼ା ଯୋଡ଼ା ଦୁଧିଆଳି ଗାଈର ହାଣ୍ଡି ଭଳି ପହ୍ନା କୁଆଡେ ଗଲା ?  ଯଜ୍ଞ ଓ ହୋମ ପାଇଁ ଭଣ୍ଡାର ଘରେ ଥୁଆ ହେଉଥିବା କୁତଭରା ଘିଅ ଆଜି ନାହିଁ l ରାସ ପୁନେଇଁ ଓ ରମାନବମୀରେ ପଙ୍ଗତରେ ବସିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ, ସେଇ ଦୃଶ୍ୟ କୁଆଡେ ଉଭେଇ ଗଲା ଆଜି !!! 
   ସବୁ ଜିନିଷରେ ପୋକ ଲାଗେ ବା ଘୁଣ ଖାଏ ବୋଲି ଶୁଣିଛି କିନ୍ତୁ ଧାର୍ମିକ ଉପାସନା କ୍ଷେତ୍ରକୁ ମୋ ଆଖି ଆଗରେ ଘୁଣ ଖାଇ ପୋଡା ଭୂଇଁରେ ବଦଳେଇ ଦେବେ , ମୁଁ ଜାଣିନଥିଲି l ବାପରେ ବାପ କି ଭୟଙ୍କର କଳା ମୁଣ୍ଡିଆ ଘୁଣ ପୋକ ଏମାନେ ହୋ ! ଠାକୁର ଖାଇ ଖଟୁଳି ଖାଇଦେଲେ l ଏମିତି ଦିନେ ମଠ କାନ୍ଥଡା ହେବ ବୋଲି ଯଦି ଆଗରୁ ଜାଣିଥାନ୍ତି,କାହିଁକିବା ମୋ ଗୁରୁ ବୁଢ଼ା ମହନ୍ତର ଫୁସୁଲା ଫୁସୁଳିରେ ଚେଲା ସାଜିଥାନ୍ତି, ନା ଏ ମଠର ଶେଷ ମହନ୍ତ ଆଜି ହେଇଥାନ୍ତି, ନା ଦୁଇ ଗୋଡ଼ିଆ ଘୁଣଖିଆ ପୋକମାନେ ବିଶ୍ୱାସରେ ମୋତେ ବିଷ ଦେଇ ଏଇ ସୁପ୍ରସିଦ୍ଧ ମଠକୁ ପୋଡା ଭୂଇଁରେ ପରିଣତ ଆଜି କରିପାରିଥାନ୍ତେ !
   ମହନ୍ତ ହରିଦାସ ଛଳଛଳ ଅନୁତପ୍ତ ଲୁହଭରା ଆଖିରେ, ଗଭୀର ଚିନ୍ତାରାଶିର ନଦୀର ଉଛୁଳା ଜଳରେ  ଭାସୁଥିବା ବେଳେ କିଛି ଦୂରରେ ଦେଖିଲେ ଯେ ତାଙ୍କର ବାଲ୍ୟ ସଙ୍ଗାତ କମ୍ପାନୀରୁ ସେବା ନିବୃତ ବୃଦ୍ଧ ହରିଦାସ ରାସ୍ତା କଡରେ ବଙ୍କୁଲି ବାଡ଼ିଟିଏ ହାତରେ ଧରି ନାତି ଓ ନାତୁଣୀକୁ କଣ କହୁଛି l ଜେଜେ ଓ ନାତି ନାତୁଣୀର ଏମନ୍ତ ସମ୍ପର୍କ ଦେଖିବା ମାତ୍ରେ ମହନ୍ତଙ୍କୁ ଲାଗିଲା ସତେ କି ତାଙ୍କ କଟା ଘା'ରେ କିଏ ଚୂନ ମାରିଦେଲା !
    କଟା ଘାଆରେ ଚୂନ ମାରିବାର ଯନ୍ତ୍ରଣା ଆଦୌ ସଙ୍ଗାତ ପ୍ରତି ଇର୍ଷାର ଏକ ଆବେଗ ନୁହେଁ ବରଂ ଅବସୋସ, ଏଇଥିପାଇଁ ଯେ ଦୁଇହିଁଙ୍କର ନାଁ ହରିଦାସ ହେଇଥିବାରୁ ପିଲାଦିନେ ସଙ୍ଗାତ ବସିଥିଲେ l ହରିଦାସ ବାହା ହେଇ ଘରଦ୍ୱାର କରି ପୁଅ ଝିଅ ସହିତ ନାତି ନାତୁଣୀର ସଂସାର ସୁଖ ଆଜି କେମିତି ଚାଖୁଛି କିନ୍ତୁ ଆଉ ଗୋଟିଏ ମହନ୍ତ ହରିଦାସ ସଂସାର ସୁଖକୁ ଗୋଡ଼ରେ ଆଡେଇ ଭଗବତ ପ୍ରାପ୍ତିର  ଭୁଆଁବୁଲା ପଥରେ ଚାଲୁଚାଲୁ ଆଜି କେମିତି ଏଇ ମଠର ପୋଡାଭୂଇଁରେ ମୁହଁମାଡି ପଡ଼ି ନିଜର କର୍ମକୁ ନିନ୍ଦୁଛି ! ନା ମୁଁ ଏ  କୁଳକୁ ହେଲି ନା ସେ କୂଳକୁ l ଏବେ କଣ ଏ ବୟସରେ ସଂସାରୀ ହେଇପାରିବି, ନା ନାତି ନାତୁଣୀ ସହ ମଉଜ କରି ପାରିବି ???
   ବିଚରା ବୃଦ୍ଧ ମହନ୍ତ ନିଜ ସଙ୍ଗାତର ନାତି ନାତୁଣୀ ଖେଳାଇବାର ଆମୋଦିତ ଦୃଶ୍ୟରେ ବିମୋହିତ l ମଠର ଚାଳ ଛପର ନ କରାଇ ପାରିବାର ବ୍ୟର୍ଥତା ଜାଗାରେ ଏବେ ଉଭା ହେଲେଣି ଏକ ନୂତନ ଭାବପ୍ରବଣତା -  ବିବାହିତ ହେଇ ପରିବାରଟିଏ ଗଢ଼ିଥିଲେ ଭଲ ହେଇଥାନ୍ତା ! ଏମିତି ଭାବିବା କ୍ଷଣି ପୁରାଣ ବର୍ଣିତ  ବ୍ରହ୍ମଚାରୀ ବର୍ଷିଆନ ସୌଭରୀ ଋଷିଙ୍କ ଉପାଖ୍ୟାନ ଜଳ ଜଳ ଦିଶିଲା ତାଙ୍କ ମାନସପଟରେ l
   "ଏକଦା ଯମୁନା ନଦୀ କୁଳର ଆଶ୍ରମ ପିଣ୍ଡାରେ ବସି ଋଷି ସୌଭରୀ ଗଭୀର ଧ୍ୟାନମଗ୍ନ ଥିବା ସମୟରେ ସକାଳ ସୂର୍ଯ୍ୟରଶ୍ମି ସ୍ପର୍ଶରେ ତାଙ୍କର ଧ୍ୟାନଭଙ୍ଗ   ହେଲାରୁ ଦେଖିଲେ ଯେ ଏକ ବୃହତ ରୋହି ମାଛ ତାର ସ୍ତ୍ରୀ ପିଲାପିଲି ସହିତ ଯମୁନାର ସ୍ୱଛ ଜଳରେ ଖୁସିରେ କ୍ରୀଡାରତ l ରୋହିର ଏମନ୍ତ ପାରିବାରିକ ଉଲ୍ଲାସ ଦେଖିବା ମାତ୍ରେ ବୃଦ୍ଧ ଋଷିଙ୍କ ଭିତରେ  ହଠାତ ଜାଗି ଉଠିଲା ପରିବାରଟିଏ ଗଢି ସ୍ତ୍ରୀ, ପୁତ୍ରକନ୍ୟା ଓ ପୌତ୍ରପୌତ୍ରୀ ସହିତ ଖୁସିରେ ଜୀବନ ବଂଚିବାର କାମନା l
  କାମନା ଦ୍ୱାରା ଉଚ୍ଚାଟ ହେଇ ତତକ୍ଷଣାତ ପହଁଚିଲେ ସେ ରାଜ୍ୟର ରାଜାଙ୍କ ସମ୍ମୁଖରେ ଏବଂ କହିଲେ - ରାଜନ, ଆପଣଙ୍କ କନ୍ୟା ମୋତେ ସମର୍ପଣ କରନ୍ତୁ, ମୁଁ ବିବାହ କରିବି l ରଜାଙ୍କ ମୁଣ୍ଡରେ ଚଡକ ପଡିଲା l ଏଭଳି ଅସ୍ଥି କଙ୍କାଳ ସାର ବୃଦ୍ଧଙ୍କୁ କିପରି ନିଜର ସୁନ୍ଦରୀ କନ୍ୟା ଅର୍ପଣ କରିବେ ? ନା କହିଲେ ତ ଅଭିଶାପ l ରଜା ବିଚଳିତ ସ୍ୱରରେ କହିଲେ - ହେ ଋଷି ପ୍ରବର ! ଆପଣ ମୋର ଅନ୍ତଃପୁରକୁ ଆସନ୍ତୁ ଯେଉଁଠି ମୋର ପଚାଶ କନ୍ୟା ବାସ କରନ୍ତି l  ଆପଣ ମନଲାଖି କନ୍ୟାଟିଏ  ବାଛି ଜଣକୁ ବିବାହ କରିବେ l ଋଷି ଆନନ୍ଦରେ ଗଦଗଦ ହେଇ ଅନ୍ତଃପୁରକୁ ପ୍ରବେଶ କଲେ ଏବଂ ନିଜର ଯୋଗଶକ୍ତି ବଳରେ ନିଜକୁ ଏକ ସୁନ୍ଦର ଯୁବକରେ କଲେ ରୂପାନ୍ତରିତ l ତାଙ୍କର ରୂପ ଏଭଳି ସୁନ୍ଦର,ସୌମ୍ୟ ଓ ଆକର୍ଷଣୀୟ ଥିଲା ଯେ ସମସ୍ତ ପଚାଶ ଜଣ ରାଜକନ୍ୟା ଋଷିଙ୍କ ଗଳାରେ ବରଣ ମାଳା ପିନ୍ଧାଇ ତାଙ୍କୁ ସ୍ୱାମୀ ଭାବରେ ଗ୍ରହଣ କଲେ l ଋଷି ସେମାନଙ୍କୁ ବିବାହ କରି ସ୍ତ୍ରୀ ସୁଖ ଉପଭୋଗ କଲେ ଏବଂ ପୁତ୍ର କନ୍ୟା ନାତି ନାତୁଣୀରେ ଉଛୁଳି ପଡିଲା ତାଙ୍କର ବିଶାଳ ପରିବାର l ଋଷି ଲଭିଲେ ଆତ୍ମତୃପ୍ତି "l
   ମହନ୍ତ ହରିଦାସ ଏଭଳି ଭାବନାରେ କିଛି କ୍ଷଣ ଉଲ୍ଲସିତ ହେଉଥିବା ସମୟରେ ହଠାତ ନୈରାଶ୍ୟ କେଉଁଠି ଥିଲା କେଜାଣି ହଠାତ ତାଙ୍କୁ ମାଡି ବସିଲା,ଦୀର୍ଘ ନିଃଶ୍ୱାସଟିଏ ମାରି କହି ଉଠିଲେ -   "କାହିଁ ରାମଚନ୍ଦ୍ର କାହିଁ ରାମ ଭଣ୍ଡାରୀ" l 
        ଇତ୍ୟବସରେ ମହନ୍ତଙ୍କୁ ଜଣା ନ ଥିଲା ଯେ ସଙ୍ଗାତ ହରିଦାସ କେତେବେଳୁ ଆସି ତାଙ୍କ ପଛପଟେ ଠିଆ ହେଲେଣି l ଗୃହସ୍ଥ ସଙ୍ଗାତ ହରିଦାସ ହସି ଉଠି କହିଲେ - ଆରେ ସଙ୍ଗାତ, କାହାକୁ କହୁଛ ରାମଭଣ୍ଡାରୀ ?
   ମହନ୍ତ ସାମାନ୍ୟ ଅପ୍ରତିଭ ହେଇ କହିଲେ - ତମେ ତ ଦିଜଣ ନାତି ନାତୁଣୀ ସହ ଏଇନେ ରାସ୍ତା କଡରେ ମଉଜ କରୁଥିଲ, ଏଠି କେତେବେଳେ ପହଂଚିଗଲଣି ହୋ ? ସତରେ ସଙ୍ଗାତ ତୁମେ ବଡ଼ ଭାଗ୍ୟବାନ l ନା ମୋର ଅଛି ପୁଅନାତି ନା ପରିବାର l ମଠଟା ଥିଲା ତା ବି ଶେଷରେ ହାତରୁ ଗଲା l
       ମଠରେ ବାବାଜୀ ହେଇ କିଛି ବି ସାଧନା କରିପାରିଲିନି, ଜୀବନଟା କେବଳ ମଠର ସମ୍ପତ୍ତି ସକାଶେ ମାଲି-ମକଦମାରେ ବିତିଲା, ହେଲେ କଣ ହେବ, ଗୁଣ୍ଠେ ଜମି ବି ଜବରଦଖଲରୁ ଏ ପର୍ଯ୍ୟନ୍ତ ମିଳିଲାନି  l ଆଜି ହେଜୁଛି, ବାହା ହେଇ ଘରଦ୍ୱାର କରିଥିଲେ ଆଜି ତମ ଭଳି ମଉଜରେ ନାତି ନାତୁଣୀ ଖେଳାଉଥାନ୍ତି l
     ମଉଜ କଥାଟା ଶୁଣି ଗୃହୀ ସଙ୍ଗାତ ହରିଦାସଙ୍କ ଦେହରେ ନିଆଁ ଲାଗିଗଲା l ସେ ଆଖି ତରାଟି ଗର୍ଜି ଉଠିଲେ, ସତେକି ବାରୁଦରେ କିଏ ଅଗ୍ନି ସଂଯୋଗ କଲା - କଣ କହିଲ ମୁଁ ନାତି ନାତୁଣୀ ସହିତ ରାସ୍ତା କଡରେ ମଉଜ କରୁଥିଲି ନା  ସେହି ଲୋକଟାର ମୁଣ୍ଡକୁ ପାହାରେ ପକାଇବାକୁ ବଂକୁଲି ବାଡି଼କୁ ଉଞ୍ଚାଇ ଥିଲି ?
      ମହନ୍ତ ମହାଶୟ ଚମକି ଉଠିଲେ, ଭାବିଲେ ମୋର ଅନୁମାନ କଣ କଳ୍ପନା ଥିଲା ? ଏମନ୍ତ ଭାବନାରେ ତାଙ୍କ ମୁହଁରୁ ପଦେ ବାକ୍ୟ ସ୍ଫୁରିଲାନି l ସେ ଅବାକ ହେଇ ଚାହିଁଥିଲେ ସତ କିନ୍ତୁ ଭିତରେ ଅନୁଭବ ହେଉଥିଲେ ଯେମିତି ନାତିକୁ ଉଞ୍ଚାଇ ଥିବା ଠେଙ୍ଗାଟା ତାଙ୍କ ମୁଣ୍ଡ ଉପରେ ପଡିଛି ! 
   ହଇଓ ସଙ୍ଗାତେ ଏମିତି ମୋତେ କଟମଟ ଅନେଇଛ କଣ ? ତୁମେ ବାବାଜିଆ ଲୋକ, ବଳବୟସ   ହରାଇବା ଉତ୍ତାରୁ  ଆମ ପରି ସଂସାରୀ ଲୋକେ ପୁଅ ବୋହୂ ନାତି ନାତୁଣୀ ଠାରୁ କେମିତି ନିଆଁ ଚେଙ୍କ ଖାଇ ଅଧାମରା ସାପ ଭଳି କଲବଲ ହେଇ ମରଣକୁ ନିତି ମନାସୁ ଥାଉ,  ତାହା ତୁମେ ଅଙ୍ଗେ ନିଭାଇ ପାରିବନି  ହୋ l
       ଟିକେ ରାଗ ଥମିବାରୁ ଗୃହୀ ହରିଦାସ ସାମାନ୍ୟ ଅନୁଚ ସ୍ୱରରେ କହିଲେ - ତୁମେ ତ ଜାଣିଛ ଅଧାରୁ ପାଠ ଛାଡି ଗୋଟିଏ ଲୁଗା କାରଖାନାରେ ତିରିଶବର୍ଷ ଚାକିରି କରି ଅବସର ନେଲି l ସେହି ପଇସାରେ ଚାରିଟା ଝିଅ ବାହା କଲି ଓ ଗୋଟିଏ ପୁଅକୁ ମଣିଷ କଲି l ପୁଅ ନିଜର ପରିବାର ନେଇ ବାହାରେ ରହି ଘରଦ୍ୱାର କଲା l କେହି ଟଙ୍କାଟିଏ ଦେଲେନି କି ଗାଁକୁ ଆସି ମୋର ଭଲମନ୍ଦ ନେଲେନି l
    ବୃଦ୍ଧ ହରିଦାସ ଏତିକି କହି ଛେପ ଢ଼ୋକି ପୁଣି କହିଲେ - ତୁମେ ତ ସଙ୍ଗାତ ଜାଣିଛ , ପ୍ରାଇଭେଟ ସଂସ୍ଥାରେ ଚାକିରି କରିଥିବାରୁ ମୋର ଅନ୍ୟମାନଙ୍କ ଭଳି ମୋଟା ଅଙ୍କର ପେନସନ ନାହିଁ l ଇ ପି ଏଫରୁ ମାସିକ ସାତଶହ ଟଙ୍କା ମିଳେ l ଦୁଃଖେ କଷ୍ଟେ କେମିତି ଆମେ ଦୁହେଁ ବୁଢ଼ାବୁଢ଼ୀ ଚଳୁ ତାହା ଈଶ୍ଵରଙ୍କୁ ଜଣା l  ଦୁଇବର୍ଷ ହେଲା ଘର ଛପର ହେଇନି, ଛଣର ମୁଲ ଆକାଶଛୁଆଁ, ଏତେ ପଇସା ଆମ ପାଖରେ କାହିଁ ଛଣ କିଣିବାକୁ ? କି ହିନସ୍ଥା ହେଉଛୁ, ସେ ବିଷୟରେ ତୁମକୁ କଣ କହିବି ଆଉ l  ଆମେ ବୁଢାବୁଢ଼ୀ ନିତି ଦିନ ଗଣୁଛୁ କେବେ ଯମ ଆସିବ l 
     ଏତକ କହି ଅଣ୍ଟା ଟିକେ ସଳଖି ସିମେଣ୍ଟ ବେଞ୍ଚଉପରେ ବସି ଯିବାରୁ ମହନ୍ତ ସଙ୍ଗାତଙ୍କ ଚମ ଧୁଡୁ ଧୁଡୁ କାଳିଆ ଦେହକୁ ଆଉଁସି ଦେଇ କହିଲେ - ରାସ୍ତା କଡରେ ଯେଉଁ ଟୋକା ଉପରକୁ ବାଡ଼ି ଉଞ୍ଚାଇ ଥିଲ, ସେ କଣ ତୁମର ପୁଅ ନୁହଁ ?
    ସଙ୍ଗାତ ହରିଦାସଙ୍କ ଶୁଖିଲା ମୁହଁରେ ସାମାନ୍ୟ ବିରକ୍ତି ଭାବ ଫୁଟି ଉଠିଲା, ସେ କହିଲେ - ନା ମଃ l ମୋ ପୁଅ ଏଠାକୁ କାହିଁକି ଆସିବ l ସେ ତ ବାଙ୍ଗାଲୁରୁର ବଡ଼ ହୋଟେଲର ମେନେଜର l ବହୂଟା ଭାରି କଳିହୁଡ଼ି l ସେ ଆମ ବୁଢ଼ାବୁଢୀକୁ ତାର ପରିବାରରେ ପଶାଇ ଦିଏନି l ଶାଶୁ ବୋହୂର ସମ୍ପର୍କ ଅହି ନକୁଳ ଭଳି l ହଁ ଶୁଣ ଯେଉଁ ଟୋକା ମୁଣ୍ଡରେ ପାହାରେ ଦେବାକୁ ମୁଁ ବାଡ଼ି ଉଞ୍ଚାଇ ଥିଲି, ସେଟା ଗୋଟେ ରାଜନେତିଆ ଘୋଡା ମଦୁଆ l 
  କଣ କହିବି ସାଙ୍ଗ, ମୋ ବାଡ଼ିରେ ଦୁଇଟା ବଡ଼ ବଡ଼ ଆମ୍ବଗଛ ଥିଲା l ସେ ଦୁଇଟାକୁ ପାଞ୍ଚହଜାରେ ଟଙ୍କାରେ ସେଇ ଟୋକାକୁ ବିକିଥିଲି l ମାତ୍ର ମୋତେ ଦୁଇହଜର ଟଙ୍କା ଦେଇ ବାକି  ତିନିହଜାର ଟଙ୍କା ଆଜି ଦେବି କାଲି ଦେବି କହି ମୋତେ ଠକାଇ ଚାଲିଛି l ଦୈବାତ ଆଜି ସେ ତାର ପୁଅଝିଅକୁ ସାଙ୍ଗରେ ନେଇ ଆସୁଥିବାବେଳେ ହଠାତ ମୋ ସହିତ ରାସ୍ତାରେ ଦେଖା ହେଇଗଲା l ମୁଁ ଟଙ୍କା ମାଗିବାରୁ ସେ ମୋତେ ନାଲି ଆଖି ଦେଖାଇ କହୁଛି - କି ଟଙ୍କା ? ମୋ ରାଗତ ମୁଣ୍ଡକୁ ଉଠିଗଲା, ମୁଁ ବାଡ଼ିଟା ଉଠାଇ ପାହାରେ ଦେବାକୁ ଉଦ୍ୟତ ହେଉଥିବା ବେଳେ ସେ ଦୌଡ଼ି ପଳାଇଗଲା l କହିଲ ସଙ୍ଗାତେ, ବର୍ଷା ଦିନ ଆଗକୁ, ଯଦି ଛପର ନ କରିବି, ଆମେ ଦୁଇପ୍ରାଣୀ ଆଉ ସେ ଘରେ ରହି ପାରିବୁକି ? ମୋ ଭାଗ୍ୟ ମନ୍ଦ l ବର୍ତମାନ ଭାବୁଛି ବାହା ହେଇ ସଂସାର କରି ଭୁଲ କରିଛି l ତୁମ ଭଳି ବାବାଜୀ ହେଇଥିଲେ ବରଂ ଭଲ ହେଇଥାନ୍ତା, ନଚେତ ଆଣ୍ଠୁକୁଡା ହେଇଥିଲେ  ଆହୁରି ଭଲ ହେଇଥାନ୍ତା l କଣା ଫୁଟା ଚାଳ ଛପର ଘରେ କେମିତି ମେଘବର୍ଷା ଦିନେ ରହିବି ଭଲା l
    ବିଚରା ମହନ୍ତ ମହାଶୟ ଖରାଦିନିଆ ମେଘ ବର୍ଷଣ ପୂର୍ବରୁ ପରିବେଶ ଯେମିତି ଗୁମ ହେଇଯାଏ, ସେମିତି ସଙ୍ଗାତଙ୍କ ଅନୁତତ୍ପ ନିଆଁର ଧାପରେ ଗମ୍ଭୀର ହେଇଗଲେ l ପୁନର୍ବାର ପରିବାର ଗଢିବାର ଗଜିରି ଉଠୁଥିବା ମଞ୍ଜିଟି ହଠାତ ଗଜା ମରୁଡିର ସମ୍ମୁଖୀନ ହେଇ ସତ୍ତାଶୂନ୍ୟ ହେଲା ବୋଲି ସେ ନିଜ ଭିତରେ ଅନୁଭବ କଲେ l ବାକରୁଦ୍ଧ ହେଇ ଅସହାୟ ଦୃଷ୍ଟିରେ ଚାହିଁଥିବା ସମୟରେ ସଙ୍ଗାତ ଗୃହୀ ହରିଦାସ ମହନ୍ତଙ୍କ ଦେହକୁ ଖେଂଚି ପଚାରୁଥିଲେ - ଏମିତି ତୁମେ ଚୁପ ହେଇଗଲ ଯେ  ? 
    ବିଚରା ମହନ୍ତ ଏବେ ବୁଝିଗଲେଣି ଯେ ଏ ସଂସାରଟା ଯେତିକି ଆଲୁଅ ସେତିକି ବି ଅନ୍ଧାର l ଦୁଇ ସଙ୍ଗାତଙ୍କର ତ ସମ ଦଶା l ମହନ୍ତ ଆଉ କହିବେ କଣ ? ନିଜ ମଠ ଘରର କଣା ଫୁଟା ଚାଳ ଛପର ଆଡକୁ ଆଙ୍ଗୁଳି ଦେଖାଇ ଭାବ ଗମ୍ଭୀର ସ୍ୱରରେ ସଙ୍ଗାତକୁ କହିଲେ -
     " ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ " l

————-000000———

® ମନୋଜ କୁମାର ମହାପାତ୍ର
30.4.23

Leave A Reply

Your email address will not be published.