ଭୋଗରାଇ ରାଜନୀତି ପାଣି : ଗୋଳିଆ କରୁଛନ୍ତି ବାପ-ପୁଅ?

0
  • ଭୁଶୁଡିଯିବ କି ଭୋଗରାଇ ବିଜେଡି ଗଡ଼?
  • ପରିବାରବାଦ ରାଜନୀତିକୁ ଲୋକଙ୍କ ନାପସନ୍ଦ

ବାଲେଶ୍ୱର// TATKAL ODISHA//

ବାଲେଶ୍ୱର ଜିଲ୍ଲା ଭୋଗରାଇ ରାଜନୀତି ପାଣି ଗୋଳିଆ ହେବାରେ ଲାଗିଛି । ଏଥିରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି ଦାସ ବାପ-ପୁଅ I ନିଜେ ତ ବୁଡିବେ, ଦଳକୁ ବି ବୁଡ଼େଇ ଦେବାର ରାସ୍ତା ପ୍ରଶସ୍ତ କରିଛନ୍ତି I ଏକଥା ଆମେ କହୁ ନାହୁଁ, ଭୋଗରାଇ ସମେତ ସାରା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି I

ହେଲେ କେଉଁମାନେ ସେଇ ଦିବ୍ୟଦର୍ଶୀ “ଦାସ ବାପ-ପୁଅ” ? ଲୋକେ କହୁଛନ୍ତି ସେମାନେ ହେଉଛନ୍ତି ବାବୁ ଅନନ୍ତ ଦାସ ଓ ତାଙ୍କ ପୁଅ ଅଭିଜିତ I

  • ନିର୍ବାଚନ-୨୦୧୪କୁ ଆଉ ମାତ୍ର କେତେ ମାସ ବାକି I ବିଜେଡି, ବିଜେପି, କଂଗ୍ରେସ ସବୁ ଦଳରେ ଜୋରଦାର ଚାଲିଛି ପ୍ରସ୍ତୁତି। ବିଭିନ୍ନ ଦଳର ଟିକଟ ଆଶାୟୀ ନେତାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ବୁଲିବା ଆରମ୍ଭ କଲେଣି । ଏଭଳି ପରିସ୍ଥିତିରେ ଘମାଘୋଟ ଲଢ଼େଇ ହେବା ଆରମ୍ଭ ହୋଇଛି I

“ବିଧାୟକ ଅନନ୍ତ ଦାସଙ୍କ ପରିବାରରୁ କେହି ଆଗାମୀ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ବିରୋଧୀ କଂଗ୍ରେସ ଚାହୁଁଛି । କାରଣ ଅନନ୍ତ ଓ ତାଙ୍କ ପରିବାର ପ୍ରତି ଲୋକଙ୍କ ବିମୁଖତା କଂଗ୍ରେସ ପ୍ରତି ଆଶୀର୍ବାଦ ହେବ ବୋଲି କଂଗ୍ରେସ ନେତୃବୃନ୍ଦ ଆଶା ବାନ୍ଧି ବସିଛନ୍ତି।”

ବିଜେଡିର ଗଡ଼ ଭାବେ ପରିଚିତ ଭୋଗରାଇ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୩୩ବର୍ଷ ଧରି ପ୍ରଥମେ ଜନତା ଦଳ ଏବଂ ପରେ ବିଜେଡି ପ୍ରାର୍ଥୀ ହିଁ ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି । ଜିଲ୍ଲାର ଅନ୍ୟ ସମସ୍ତ ନିର୍ବାଚନମଣ୍ଡଳୀରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ବିଭିନ୍ନ ସମୟରେ ନିର୍ବାଚିତ ହେଉଥିଲେ ହେଁ ଭୋଗରାଇବାସୀ ବିଜେଡି ଉପରେ ଗଭୀର ଆସ୍ଥା ପ୍ରକଟ କରି ଆସିଛନ୍ତି। ଏଥର କିନ୍ତୁ ଭୁଶୁଡ଼ି ଯାଇପାରେ ବିଜେଡିର ଏହି ଅଭେଦ୍ୟ ଦୁର୍ଗ ।

ଏଭଳି ଆଶଙ୍କା ଆଦୌ ଅମୂଳକ ନୁହେଁ ।

କାରଣ ବର୍ତ୍ତମାନର ବିଧାୟକ ଅନନ୍ତ ଦାସ ବୟାସାଧିକ୍ୟ ଓ ବାର୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଲୋକଙ୍କ ପାଖରେ ପହଂଚି ପାରୁନାହାନ୍ତି । ପ୍ରଥମତଃ ସେ ୨ବର୍ଷ କାଳ କୋଭିଡ ପାଇଁ ଘରୁ ବାହାରିଲେ ନାହିଁ କି ଲୋକଙ୍କ ହାନିଲାଭ ବୁଝିଲେ ନାହିଁ । କୋଭିଡ ପରେ ମଧ୍ୟ ସେ ନିର୍ବାଚନମଣ୍ଡଳୀରେ ଏତେଟା ସକ୍ରିୟ ନ ରହିବା ଫଳରେ ଭୋଗରାଇବାସୀ ତାଙ୍କ ଆଡ଼ୁ ମୁହଁ ଫେରାଇ ନେଇଛନ୍ତି । ଏହାର ପ୍ରତିଫଳନ ୨୦୨୨ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି।

“ଭୋଗରାଇ ଥାନା ଛକରେ ବିଜେଡି ପ୍ରତିଷ୍ଠା ଦିବସ ଆୟୋଜନ କରିଥିଲେ ଉଭୟ ବାପ-ପୁଅ, ଲୋକ ନ ହେବାରୁ ଭାଣ୍ଡିଆ ହେଲେ I”

ଅନନ୍ତ ଦାସ ତାଙ୍କ ବଡ଼ପୁଅ ବିଶ୍ୱଜିତଙ୍କୁ ଭୋଗରାଇ ବ୍ଲକ ଅଧ୍ୟକ୍ଷ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ବିଶ୍ୱଜିତଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ସେ ସମିତି ସଭ୍ୟଟିଏ ମଧ୍ୟ ହୋଇପାରିଲେ ନାହିଁ ।

ଭୋଗରାଇରେ ଅନନ୍ତଙ୍କ ଜନପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଉଥିଲେ ହେଁ ଏବେ ପୁଣି ସେ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ବଡ଼ପୁଅ ବଦଳରେ ମଝିଆପୁଅ ଅଭିଜିତ ଦାସଙ୍କୁ ଥଇଥାନ କରିବା ପାଇଁ ଲାଗିପଡିଛନ୍ତି। ରାଜ୍ୟ ବାହାରେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବା ଏବଂ ରାଜନୀତିର ‘ର’ ଅକ୍ଷର ଜାଣିନଥିବା ଅଭିଜିତଙ୍କୁ ସେ ବିଭିନ୍ନ ସଭା ସମିତିରେ ବସାଉଥିବାରୁ ତାକୁ ନେଇ ମଧ୍ୟ ଦଳ ଭିତରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି। ଯେଉଁ ପୁଅ ହେଉ ନା କାହିଁକି, ଚାରି ଚାରି ଥର ବିଧାୟକ ହୋଇଥିବା ଅନନ୍ତଙ୍କ ପରିବାରବାଦ ରାଜନୀତିକୁ ଭୋଗରାଇବାସୀ ଯେ ପସନ୍ଦ କରୁନାହାନ୍ତି, ତାହାର ପ୍ରମାଣ ଗତ ପଞ୍ଚାୟତ ନିର୍ବାଚନରେ ମିଳି ସାରିଛି। ଆଗାମୀ ଦିନରେ ଭୋଗରାଇବାସୀଙ୍କ ଉପରେ ଏହା ଲଦି ଦିଆଗଲେ ଏଠାରେ ବିଜେଡି ଗଡ଼ ଭୁଶୁଡ଼ି ଯାଇପାରେ ବୋଲି ଛକ ବଜାରରେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଭୋଗରାଇ ବିଜେଡିରେ ଅନନ୍ତଙ୍କ ପରିବାରବାଦ ରାଜନୀତିକୁ ନେଇ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତିରୁ ଫାଇଦା ନେବାକୁ ଅନାଇ ରହିଛି କଂଗ୍ରେସ । କାରଣ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ ଅନନ୍ତଙ୍କଠାରୁ ମାତ୍ର ୧୬ ହଜାର ୮ଶହ ୭୫ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ୨୦୦୯ ପରଠାରୁ ବିଜେଡିର ଭୋଟ ହାର ଏଠାରେ କମିବାରେ ଲାଗିଥିବାରୁ ଅନନ୍ତଙ୍କ ପୁତ୍ରମୋହ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ବୀ କଂଗ୍ରେସର ବିଜୟ ପାଇଁ ବାଟ ଫିଟାଇ ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ସେମାନଙ୍କ କହିବା କଥା ହେଲା, ଭୋଗରାଇରେ ଜନମତ ଏବେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ସପକ୍ଷରେ ରହିଛି। କିନ୍ତୁ ବିଧାୟକ ଅନନ୍ତ ଦାସ ପ୍ରବଳ ଆଣ୍ଟି ଇନ୍‌କୁମ୍ୱେନସିର ଶିକାର ହେଉଛନ୍ତି। ତେଣୁ ଭୋଗରାଇରେ ଏବେ ଅନନ୍ତଙ୍କ ଜଣେ ଉପଯୁକ୍ତ ବିକଳ୍ପ ପ୍ରାର୍ଥୀ ହିଁ ବିଜେଡିକୁ ଜିତାଇ ପାରିବ।

ଯଦି ଭୋଗରାଇରେ ବିଜେଡିର ବିକଳ୍ପ ପ୍ରାର୍ଥୀଙ୍କ କଥା ବିଚାରକୁ ନିଆଯାଏ ତେବେ ସାମ୍ବାଦିକରୁ ରାଜନେତା ପାଲଟିଥିବା ଗୌତମବୁଦ୍ଧ ଦାସ ସବୁଠୁ ଆଗରେ ଅଛନ୍ତି। ସେ ଦଳରେ ଯୋଗଦେବା ପରେ ବିଜେଡିର ରାଜ୍ୟ ମୁଖପାତ୍ର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ସ୍ୱର୍ଗତ ବାପା ଦୁର୍ଗା ଦାସ ଏବଂ ବଡ଼ବାପା ପ୍ୟାରିମୋହନ ଦାସ ଉଭୟ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଭାବେ ସୁଖ୍ୟାତ ହୋଇଥିବାବେଳେ ଦୁହେଁ ବିଧାୟକ ଭାବେ ପ୍ରାୟ ତିନି ଦଶନ୍ଧି ଧରି ଭୋଗରାଇବାସୀଙ୍କ ସେବା କରିଛନ୍ତି। ଗୌତମବୁଦ୍ଧ ମଧ୍ୟ ଭୋଗରାଇବାସୀଙ୍କ ସୁଖଦୁଃଖରେ ରହିଛନ୍ତି ଏବଂ ଦଳର ପୁରୁଣା ଓ ନୂଆ କର୍ମୀଙ୍କ ସହ ଲଗାତାର ସମ୍ପର୍କରେ ଅଛନ୍ତି । ଜଣେ ପ୍ରତିଭାବାନ ଯୁବ ଚେହେରା ଭାବେ ଭୋଗରାଇରେ ଗୌତମବୁଦ୍ଧଙ୍କ ବେଶ୍ ଗ୍ରହଣୀୟତା ରହିଛି। ତେଣୁ ଏଥର ବିଜେଡି ତାଙ୍କୁ ପ୍ରାର୍ଥୀ କଲେ ଅନନ୍ତଙ୍କ ବିରୋଧ କାମ ଦେବ ନାହିଁ ଏବଂ ଗୌତମବୁଦ୍ଧ ବଡ଼ ବ୍ୟବଧାନରେ ଜିତିବେ ବୋଲି ଚର୍ଚ୍ଚା ହେଉଛି।

ବିଜେଡିର ଅନ୍ୟ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଭୁବନାନନ୍ଦ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଏବଂ ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି ପ୍ରମୁଖ। ଭୁବନାନନ୍ଦ ସରକାରୀ ଓକିଲ ଭାବେ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯିବାରୁ ତାଙ୍କର ପ୍ରାର୍ଥୀ ହେବାର ଆଶା ଏକ ପ୍ରକାର ମଉଳି ଯାଇଛି। ସେହିପରି ନିବେଦିତା ଓ ପ୍ରବୀରଙ୍କର ଭୋଗରାଇର ୫୦ଟି ପଞ୍ଚାୟତରେ ସେଭଳି ଗ୍ରହଣୀୟତା ନଥିବାରୁ ସେମାନେ ଟିକଟ ଦୌଡରେ ପଛରେ ପଡ଼ିଯାଇଛନ୍ତି। ଏମାନଙ୍କ ବ୍ୟତୀତ ବିଜେଡିର ପ୍ରାଥମିକ ସଦସ୍ୟ ନ ଥାଇ ମଧ୍ୟ ଏମସରେ କ୍ୟାନସର ବିଶେଷଜ୍ଞ ଥିବା ଡାକ୍ତର ସରୋଜ ଦାସ ମଜୁମଦାର ଏବଂ ଏକ ଘରୋଇ କଲେଜ ମାଲିକ ବିଦୁବେନ୍ଦୁ ପାତ୍ର ପ୍ରମୁଖ ବିଜେଡି ଟିକଟ ପାଇଁ ଲବି କରୁଥିବା ଜଣାଯାଇଛି। ମାତ୍ର ଉଭୟ ସକ୍ରିୟ ରାଜନୀତିରେ ନଥିବାରୁ ଦଳ ଭିତରୁ ଏତେ ସମର୍ଥନ ପାଉନାହାନ୍ତି।

ଏଭଳି ସ୍ଥିତିରେ ଦଳ ପକ୍ଷରୁ କଣଠେସା ଭୟରେ ବାପା ଏବେ “ରାଜନୀତିରେ ପଲିଟିକ୍ସ” ପୁରାଇଵା ସହ କଂଗ୍ରେସ ଶରଣରେ ଥିବା ଚର୍ଚ୍ଚା ଜୋର ଧରିଛି I ଏହା ଯଦି ସତ ତାହାଲେ ନିଶ୍ଚିତ ଭାବରେ ସାଙ୍ଘାତିକ I

ଏକଥା ପଚାରିବାରୁ ବିଧାୟକ ଅନନ୍ତ ଦାସ ଚିଡ଼ି ଯିବା ସହ ସବୁ ଅଭିଯୋଗ ମିଛ ବୋଲି କହିଛନ୍ତି I

Leave A Reply

Your email address will not be published.