ପ୍ରସନ୍ନ କୁମାର ହୋତାଙ୍କ କଥା ପେଟିକା-6 :’ଭେକ’

0
  • ++++++++++++++++++++
  • ପ୍ରସନ୍ନ କୁମାର ହୋତା
  • ++++++++++++++++++++
  • TATKAL ODISHA //କଥା ପେଟିକା//

ଭବନାଥ ଓରଫ ଫକୀର ମାମୁଁଙ୍କୁ ମୁଁ ପ୍ରଥମେ ଯେତେବେଳେ ଦେଖିଲି, ମୋର ପରିଷ୍କାର ମନେ ଅଛି ତାଙ୍କ ତେଜୋଦୀପ୍ତ ଚେହେରା । ଗୋରା, ସ୍ୱାସ୍ଥ୍ୟବାନ୍ ଓ ହସହସ । ତାହା ମୋର ସପ୍ତମ ଶ୍ରେଣୀ ହୋଇଥିବ କିନ୍ତୁ ତା’ ପୂର୍ବରୁ ଷଷ୍ଠ ଶ୍ରେଣୀରେ ମୋର ଦେଖା ହୋଇଥାଏ କାଶୀ ପ୍ରଧାନଙ୍କ ସହ । ଫକୀର ମାମୁଁ, ତଥା ଭବନାଥ ସମାସ୍କନ୍ଧ ଘରର ପିଲା; ଓ ବୟସରେ, ସାମର୍ଥ୍ୟରେ, ନେତୃତ୍ୱରେ ମୋ’ଠାରୁ ଆଗୁଆ । କାଶୀ ପ୍ରଧାନ ବୋର୍ଡ଼ ଅଫ୍ ରେଭେନ୍ୟୁର କର୍ମଚାରୀ । ମୋ’ ବାପାଙ୍କ ପାଖରେ ନିଯୁକ୍ତ ଚପରାସୀ ।

ବାଙ୍ଗରା, ଶ୍ୟାମଳ, କ୍ଷୀଣ ସ୍ୱାସ୍ଥ୍ୟ କିନ୍ତୁ ହସ ହସ ।

ପ୍ରଥମେ ପ୍ରଥମେ ହାକିମଙ୍କ ପିଲାଙ୍କ ବଦମିଜାଜିକୁ ଯଥା ସ୍ଥାନରେ ରଖିବା ପାଇଁ ସେ ମତେ ଏକାନ୍ତରେ ସୂଚାଇ ଦେଇଥିଲେଯେ ମୁଁ ତାଙ୍କୁ ଚପରାସୀ ଡାକିବା ଠିକ୍ ନୁହେଁ । ଅବଶ୍ୟ ଏକଥା ମତେ ସେ ସିଧା ସଳଖ କହି ନଥିଲେ-ଗପଟିଏ କହିଥିଲେ । କେଉଁ ବଦ୍ ମିଜାଜି ଟୋକା ଷ୍ଟେନୋ ଆଙ୍ଗୁଠିରେ ଫୁଟକି ମାରି ତାଙ୍କୁ ଅଫିସ୍‌ରେ ‘ଏ ଚପରାସୀ, ଶୁଣ୍’ ବୋଲି ଡାକିବାରୁ କାଶୀ ତାଙ୍କୁ ବୁଝାଇ ଦେଲା, ‘‘ବାବୁ ତେମେ ଜାଣି ନଥିବ, ମୁଁ ଅର୍‌ଡ଼ଲି-ସାହେବଙ୍କର । ଆପଣ ନୂଆ ପିଲା, ଟେମ୍ପରୀ, ଆମେ ପୁରୁଣା ପରମିଟ୍, କାଗଜ ଖଣ୍ଡେ କମ୍ ଫର୍ମ ମିଳିଛି, ତେଣୁ ଆଗ ଭଲ କାମ ଶିଖନ୍ତୁ। କିଛି ନ ଆସିଲେ, ଜାଣିବାକୁ ଥିଲେ ମତେ ଡାକିବ।’’ ଷଷ୍ଠ ଶ୍ରେଣୀର ଛାତ୍ର ମୁଁ ଏଥୁରୁ କିଛି ବୁଝିଲି; ମୋଟାମୋଟି ଜାଣିଲି କାଶୀ ପ୍ରଧାନ ଏକ ସାଧାରଣ ଲୋକ ନୁହନ୍ତି। ବଡ଼ ହେଲାରୁ ଜାଣିଲି ସରକାରୀ ଚାକିରୀର ମଞ୍ଜି କଥା ଟେମ୍ପରାରୀ, ପରମାନେଣ୍ଟ ଓ କନ୍‌ଫର୍ମ ହେବା କଥା ପ୍ରଧାନେ ଅବତାରଣା କରିଥିଲେ । ଅବିଳମ୍ବେ କାଶୀ ଆମ ପରିବାରର ଏକ ଅନ୍ୟତମ ସଦସ୍ୟ ରୂପେ ପରିଗଣିତ ହେଲେ।

ପ୍ରସନ୍ନ କୁମାର ହୋତା

ମୋ’ ମା’ ତାଙ୍କୁ ‘ପ୍ରଧାନ’ ବୋଲି ଡାକିଲେ କାରଣ ମୋ ବାପାଙ୍କ ଡାକ ନାମ ମଧ୍ୟ କାଶୀ। ଆମ ଆଠ ଭାଇଭଉଣୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବ୍ୟକ୍ତିଗତଭାବେ ତାଙ୍କର ଘନିଷ୍ଠ ବନ୍ଧୁ ବନିଗଲେ । ସେ ପ୍ରତି ସପ୍ତାହରେ ଅନେକ ପ୍ରକାରର କାହାଣୀ ଓ ଅଙ୍ଗଲିଭା ଘଟଣା ବର୍ଣ୍ଣନା କରି ଆମ ସମସ୍ତଙ୍କୁ ମଜ୍ଜାଇ ଦେଲେ । ସବୁଠାରୁ ରୋମାଞ୍ଚକ କାହାଣୀ ହେଲା ସାହେବ ଭୂତ ଓ ପଠାଣ ଭୂତ ସହ କାଶୀ ପ୍ରଧାନଙ୍କ ରାତି ଅଧରେ ଯଥାକ୍ରମେ ପେଟିନ୍ ସାହି ଓ ବାଉଁଶଗଳି ପାଖାପାଖି ଆମ୍ନାସାମ୍ନା ଓ ତାଙ୍କ ବୁଦ୍ଧି ଯୋଗୁଁ ଭୂତମାନେ ଅଭୂତପୂର୍ବ ଭାବେ ତାଙ୍କ ବଶ୍ୟତା ସ୍ୱୀକାର କରିବା ଓ ପ୍ରାଣ ବଞ୍ଚାଇ ପଳାୟନ କରିବା । ଅବଶ୍ୟ ଆମେ ଗଳ୍ପାଗ୍ରହରେ ଭୂତର ପୁଣି ପ୍ରାଣ କେଉଁଠାରୁ ଆସିଲା ଆଦି ଅବାନ୍ତର ପ୍ରଶ୍ନ କରୁ ନଥିଲୁ ।
ଫକୀର ମାମୁଁ ଓରଫ ଭବନାଥ ଆମ-ମୁଁ ଓ ମୋ’ ସନ୍ନିକଟ ମଝିଆ ଭାଇ ଜୀବନରେ ଏକ ବସନ୍ତର ବତାସ ସମ ବହିଆସିଲେ । ତା’ ପୂର୍ବରୁ ଆମ ବିସ୍ଫାରିତ ନେତ୍ରରେ ଆମ ମାଉସୀ ପୁଅ ଭାଇ ଅପ୍ରତିଦ୍ୱନ୍ଦ୍ୱୀ ନେତା ଥିଲା । ସେ ଗାଁରେ ରହୁଥିଲା; କିନ୍ତୁ ସହର ପିଲାଙ୍କ କାନ କାଟିଦେବ; ଚଞ୍ଚଳିଆ, କୁହାଳିଆ ଓ ବୁଦ୍ଧିଆ । ମଉସା ମାଉସୀ ଗାଁ ଘରେ ତାକୁ ଏକୁଟିଆ ଛାଡ଼ି ଆସିଥିଲା ବେଳେ କୁଆଡ଼େ ଗାଁର ଦୁଷ୍ଟ ଟୋକା ଦୁଃଶାସନ ବଳପୂର୍ବକ ଆମ ବାଡ଼ି ପଛ ପୋଖରୀରୁ ବନଶୀ ପକାଇ ଗୋଟେ ବଡ଼ ମାଛ ଧରିନେଲା । ‘ତୁ କ’ଣ କଲୁ, ’ ବୋଲି ମଉସା ପଚାରିବାରେ ସେ ଦାୟିତ୍ଵ ଓ ବିଫଳତାର କ୍ରୋଧରେ କାନ୍ଦ କାନ୍ଦ ହୋଇ କିଛି କହିବା ପୂର୍ବରୁ ମାଉସୀ ତା’ ସପକ୍ଷରେ ଯୁକ୍ତି ବାଢ଼ିଲେ ଓ ମୋ’ ମା’ ‘‘କୃଷ୍ଣ (ମୋ’ ମାଉସୀ ପୁଅ ଭାଇଙ୍କ ନାମ) ଭାରି ପାରିବାର” ବୋଲି କହିବାରୁ ଅବସ୍ଥା ସମ୍ଭାଳିଗଲା । ବନଶି ପକାଇ ମାଛ ଧରିବାରେ ମୋର ପିଲାଦିନୁ ଅଶେଷ ଆଗ୍ରହ । ଆମ ଗାଁର ନିଜ ବାଡ଼ି ପୋଖରୀର ମାଛ ଗୁଡ଼ାକ ବଡ ସରକାରୀ ଅଫିସରଙ୍କ ପରି; ଧରା ଦେବାକୁ ବହୁତ ସମୟ ନିଅନ୍ତି । ମୁଁ ଭାବିବାରେ ଲାଗିଲିଯେ, ଆମ ଗାଁରେ ମୁରବୀ ଶୃଙ୍ଖଳା ଓ ନଡ଼ିଆ ବାଡ଼ିର ଅବସ୍ଥିତି ଦୃଷ୍ଟେ ବାହାର ଲୋକ ବିନାନୁମତିରେ କିପରି ପଶିପାରିଲା ଓ ଦୀର୍ଘ ସମୟ ରହି ମାଛ ମାରି ପାରିଲା ? ପରେ କୃଷ୍ଣ ବର୍ଣ୍ଣନା କଲା ‘‘ଆରେ ସେ ମାଛଟା ମାରି ଉପରେ ରଖିଥିଲା; ମୁଁ କି ଛାଡ଼ିବା ଲୋକ । ଫାଶ ବସେଇ ସେଥିରୁ ଅଧେ କାଟିନେଲି ।’’ ଆମେ ଚକିତ ହୋଇଗଲୁ। ‘‘କି ଚାଲାକି ଫାଶ! ମାଛ ବାଟେ ମାଛ ବସିଛି, ଫାଶ ଅଧା କାଟି ନେଲା । ଏ ଅବିଶ୍ୱାସ ନକରିବା ମୂଳରେ ଅବଶ୍ୟ ଥିଲା ତା’ ପୂର୍ବ ଗ୍ରୀଷ୍ମ ଋତୁରେ ମୋ’ ଗାଁ ବୁଲା ଓ ସେଥିମଧ୍ୟରେ ବୟସ୍କଙ୍କ କଥାବାର୍ତ୍ତାକୁ କାନପାରି ଶୁଣିବା ।

ଖେଳକୁଦ, ଗଛ ଚଢ଼ା ଓ ପହଁରାରେ ଏକାନ୍ତ ପଛୁଆ ଥିବା ହେତୁ ମୋର ବିଳାସ ଥିଲା, ମୋ’ ଗାଁ ସାଙ୍ଗମାନେ ପୋଖରୀରେ ଓଧପରି ପହଁରୁଥିବା ବେଳେ ପୋଖରୀକୂଳ ଚାନ୍ଦିନୀରେ ବସି ପାଖ ବେଞ୍ଚରେ ଗପ ମାରୁଥିବା ବୁଢ଼ାମାନଙ୍କ କଥାବାର୍ତ୍ତାକୁ କାନ ଡେରିବା । ‘ହ୍ୟାପ୍, ଦେଖ ଏ ବାଳୁଙ୍ଗାକୁ, ଚବିଶ ଘଣ୍ଟା ପୋଖରୀରେ । ପାଠ ନାହିଁ, ପୂଜା ନାହିଁ, କି କଳିକାଳ ।’
‘ଯାହା କହିଲ ସଙ୍ଗାତେ; ମନ୍ତ୍ରଗଲା ତନ୍ତ୍ରଗଲା-ଏ ଘୋର କଳି ।’
‘ଆରେ କ’ଣ କହିବି ତନ୍ତ୍ର କଥା, ଯୁବାବେଳେ ମୁଁ ପଛିଃମକୁ ଯାତ୍ରୀ ଆଣି ଯାଇଥାଏ । ପାହାଡ଼ ତଳେ ବେଟିଲି ଏକ ଜଟାଧାରୀ ବାବାଜୀ । କି ଅଲୌକିକ ଶକ୍ତି! ‘ମା’, ମା’ ଡାକି ଦେଲାକ୍ଷଣି ଠନ୍ ଠନ୍ ଦୁଇ ରୂପା ଟଙ୍କା । ଯେତେ ଖାଇବ ଖାଅ । କିନ୍ତୁ ଗୋଟେ କଥା, ସଞ୍ଚିବନାହିଁ, ଲୋଭକରି ରଖି ଦେଲେ ସବୁ ଖାଇବା ନାଳ ହୋଇଯିବ ।’
ସତରେ ଭାଇନା, ଯାହା କୁହ, ତୁମେ ବଡ଼ କପାଳିଆ । ଏ ବଳିଆ ବୋଉଟା ମତେ କୁଆଡ଼େ ଛାଡ଼ିଦେଲାନି । ମୁଁ କିଛି ଭୋଗ କରିପାରିଲି ନାହିଁ । ଆଉ କ’ଣ ବିଚିତ୍ର ହୋଇଥିଲା, ଟିକେ କୁହ ।’


‘ଦେଖ୍ ବାପ, ସେ ବଡ଼ ଗହନ କଥା; ମାହାତ୍ମ୍ୟ ବର୍ଣ୍ଣନା କରିବା ମନା | ତେବେ ତୁ’ ଆମ ସାଂଗ ସୁଖ ଲୋକ । ତତେ ଅଳ୍ପ କହୁଛି, କାନକୁ ଦି’କାନ କରିବୁ ନାହିଁ । ଆଉ ଥରେ କ’ଣ ଦେଖିଲି – ଶାଗୁଆତି (ମାଂସ) ଖାଇବାକୁ ମନ ବଳେଇଲା । ବାବାଜୀ ବାପୁଡ଼ା ଜାଣି ପାରିଲା କି’କଣ । ପାହାଡ଼ ଉପରେ ଛେଳି । ‘ଟିଟିକ୍ରିଂ’ କହିଲା ବେଳକୁ ଛେଳି ମତନ୍ ଛେଳି ଚରୁଛି – ତଳେ କଲିଜା ଆସି ତରକାରୀ ହୋଇ ସାରିଲାଣି ।’


ସାରା ଗ୍ରୀଷ୍ମ ଛୁଟି, ତା’ ପରେ ମୁଁ ଓ ମାଉସୀ ପୁଅ ଭାଇ ‘ଟିଟିକ୍ରିଂ’ କହି ଚେଷ୍ଟା କରି ଚାଲିଲୁ, ଫଳ କିଛି ହେଲାନାହିଁ। କିନ୍ତୁ ସାରା ଜୀବନ ପାଇଁ ଦକ୍ଷତାର ଏକ ମଧୁର ମାପ କାଠି ରହିଗଲା – କୌଣସି କାମ, ଅସାଧ୍ୟ କିନ୍ତୁ କରିବାକୁ ହେଲେ ଆମେ ପରସ୍ପରକୁ ‘ଟିଟିକ୍ରିଂ’ କହି ଉତ୍ସାହ ଦେଉ । ସତ ମିଛ ଅନୁସନ୍ଧାନର ଆବଶ୍ୟକତା କ’ଣ ? ଅନେକ ଦିନ ପରେ ଅବଶ୍ୟ ଜାଣିପାରିଲି ପ୍ରକୃତ ଘଟଣା କ’ଣ ହୋଇଥିଲା – କୃଷ୍ଣ ତା’ ଗୁରୁକୁ ମାଛ ମାରିବାକୁ ନିମନ୍ତ୍ରଣ କରି ନେଇଥିଲା । ମାଛ ପଡ଼ିଲା । କୃଷ୍ଣ ଭାଗ ମାରିବାରୁ ତାକୁ ଲାଞ୍ଜ ଖଣ୍ଡକ ମିଳିଲା ତେଣୁ ତା’ର କ୍ରୋଧ ଓ ଅଭିଯୋଗ । ସେ ଅନେକ ବର୍ଷ ଧରି ଆମର ‘ସିନିୟର ଖେଳା’ ବା ଗୁରୁ ରୂପେ ଅଭିଷିକ୍ତ ରହିଲା । ତାସ୍ ଖେଳରେ, ତାସ ଗୋଟାଇବା, ମସିଣା ବିଛାଇବା, ଉଠାଇବା ଓ ଟ୍ୱେଂଟିନାଇନ୍ ବା ମାଗଣରେ ସେ ଯାହା ଡ଼ାକିବ ବା ମାଗ ନଦେବ, ତାହା ସ୍ୱୀକାର କରିବା ଆମ ଭାଷାରେ ତାକୁ ସାରାଜୀବନ ‘ସିନିୟର ଖେଳା’ ପଦବୀରେ ମୁତୟନ ରଖିଲା । ଫକୀର ମାମୁଁଙ୍କ ଆବିର୍ଭାବ ପରେ ଅବଶ୍ୟ ଏହି ପଦବୀ ତା’ର ଅସାରତା ପ୍ରମାଣ କରିବାକୁ ଓ ତା’ର ଦାସତ୍ଵ ଅସ୍ୱୀକାର କରିବାକୁ ଆୟୁଧ ହେଲା ।


ଫକୀର ମାମୁଁଙ୍କ କାର୍ଯ୍ୟକଳାପ ଆମ କଳ୍ପନାର ସୀମା ସରହଦ ଡ଼େଇଁ- କେବେ ଏକା ଥରକେ ପଚାଶ ରସଗୋଲା ଖାଇ ଭୋଜି ଦେଲାବାଲାଙ୍କୁ ହରବର କରି, କେବେ ରୁଷିକରି ଅଜାଙ୍କୁ (ତାଙ୍କ ବାପାଙ୍କୁ) ଲୁଚି ଦୁଇଦିନ ଏକାଦି କ୍ରମେ ତାଙ୍କ ଘର ନଡ଼ିଆ ଗଛରେ ଚଢ଼ି ରହି, ସେ ଅଚିରେ ଆମର ନେତା ବନିଗଲେ । ତାଙ୍କ ଲୁକ୍କାୟିତ ଅନଶନ ଧର୍ମଘଟର ତୃତୀୟ ଦିନ ଅବଶ୍ୟ ସେ ଭୋକ ତାଡ଼ନାରେ ଛପି ଛପି ଆସି ଶୋଇବାଘର ଖଟ ତଳେ ପଶିରହିଲେ ଓ ଆଈ (ତାଙ୍କ ମା) ରାନ୍ଧିସାରି ଆଉଥରେ ଗାଧୋଇ ଗଲାରୁ ସବୁ ଖାଇ ପୁଣି ନଡ଼ିଆ ଗଛକୁ ଚମ୍ପଟ ମାରିଲେ। ଆଇ ଆସି କହିଲେ “ଏ ବିରାଡ଼ିଦଳ ବଡ଼ ବଦମାସ, ସବୁ ଖାଇ ଦେଲେ” l ରାତି ଅଧରେ ସେ ଓ ମୋ’ ଭାଇ ଏଆର୍ ଗନ୍ ଧରି ବାଦୁଡ଼ି ଶିକାରରେ ସିଦ୍ଧ ହସ୍ତ । ତାଙ୍କ ଓ କୃଷ୍ଣର ନେତୃତ୍ୱରେ ତଫାତ୍ ହେଲା, ସେ ନିର୍ବିକାରରେ ନିଜର ଦୋଷ ଓ ଦୁର୍ବଳତା ମାନିଯାନ୍ତି ଓ ତାହା ଗପରେ ପରିଣତ କରି ଆମକୁ ମଜ୍ଜାଇ ଦିଅନ୍ତି । ତାଙ୍କର କେଉଁଠି ପିଲାଦିନେ ‘ଭୂତନାଥ’ ବୋଲି ଗୋଟିଏ ସାଙ୍ଗଥିଲା-ତାକୁ ମଧ୍ୟ ସେ ରାତିଅଧରେ ଯାଇ ବାଡି ପଟେ ଅନ୍ଧାରରେ କବାଟରେ ହାତ ମାରି ଡାକି ଆଣି ଗୁଲେଇରେ ବାଦୁଡ଼ି ମାରୁଥିଲେ । ଦିନେ ରାତିରେ ଧୀରେ କବାଟରେ ହାତ ମାରିବାରୁ କବାଟ ଖୋଲିଗଲା -ଏକ ଦୀର୍ଘାକୃତି ଛାୟା। ‘‘କିଏ ଭୂତ କିରେ ?”

ଫକୀର ମାମୁଁ ପଚାରିଲେ । “ମୁଁ ଭୂତ ନୁହେଁ, ଭୂତର ବାବା” । ଗମ୍ଭୀର ଉତ୍ତରରେ ଫକୀର ମାମୁଁ ବେହୋସ୍ । ସାଷ୍ଟାମ ହୋଇ ଘରକୁ ଆସି ସକାଳୁ ଜାଣିଲେଯେ ଛାୟାମୂର୍ତ୍ତି ଭୂତନାଥଙ୍କ ପିତା ଯେ ନିଦରୁ ଉଠି ପଦାକୁ ଯିବାକୁ ବାହାରିଥିଲେ। କିଛି ଦିନ ଧରି ଫକୀର ମାମୁଁଙ୍କ ରାତିବୁଲା ବନ୍ଦ ହୋଇଥିଲା-ବାଦୁଡ଼ିମାନେ ଶାନ୍ତିରେ ରହିଥିଲେ । ବାଦୁଡ଼ିମାନେ ଶାନ୍ତିରେ ରହିଲେ କିନ୍ତୁ ପାଖଆଖରେ ତା’ ପରେ ରାତି ହେଲେ ଭୁଆବିରାଡ଼ି ଉପଦ୍ରବ ବଢ଼ିଗଲା । ବିଚିତ୍ର କିଳ୍ କିଳା ଶବ୍ଦ ଖଣ୍ଡମଣ୍ଡଳ କମ୍ପମାନ କଲା । ରାତି ଅଧରେ ନିଦ ଭାଙ୍ଗିଯିବ ଦୁଇ ଅଣ୍ଡିରା ବିରାଡ଼ି ସାରା ସମୟ ବିଚିତ୍ର ସ୍ଵରକରି ତୁମ ମୁଣ୍ଡ ଖରାପ କରିଦେବେ । ଯେଉଁ ମୁହୂର୍ତ୍ତରେ ତୁମେ ଭାବିବ ବିରାଡ଼ି ଚୁପ୍ ହେଲେ ଓ ଶୋଇବାକୁ ଚେଷ୍ଟାକରିବ, ପୁଣି ସେମାନେ କୁହାଟ ଆରମ୍ଭ କରିବେ । ପରେ ଜଣାଗଲାଯେ ବିଳମ୍ୱିତ ପ୍ରହରର ବିରାଡ଼ି କଳି ମାର୍ଜାର ସଙ୍ଗଠିତ । କିନ୍ତୁ ଅଧିକାଂଶ ପ୍ରାରମ୍ଭିକ ପ୍ରହରର ଗହଳ ଫକୀର ମାମୁଁ ଓ ତାଙ୍କ ଗୁରୁ ରବି ମାମୁଁଙ୍କ ଯୁଗଳବନ୍ଦୀ । ଫକୀର ମାମୁଁଙ୍କର ଅନ୍ୟ ସ୍ୱର ଅନୁକରଣ କରିବାରେ ବିଶେଷ ଦକ୍ଷତା ଆମକୁ ତାଙ୍କ ଗୁଣମୁଗ୍ଧ ଶ୍ରୋତା କରିଦେଲା । ରବିମାମୁଁଙ୍କ କଳା ଆହୁରି ଉଚ୍ଚରେ । ବିଦୂଷକ ହେବାକୁ ତାଙ୍କର ଯେପରି ଜନ୍ମ ।

ପରିଣତ ଜୀବନରେ ମୋର ଅନୁସନ୍ଧିସୁ କିନ୍ତୁ ଉଦାସ ମନରେ ଈଶ୍ଵର ଏକ ଅସ୍ପଷ୍ଟ ଅନିଚ୍ଛୁକ ଅଭିଭାବକ । ଦୁର୍ବଳ ସ୍ୱାସ୍ଥ୍ୟ ଓ ଦୁର୍ବାର କ୍ରୋଧରେ ଜୀବନର ଉଠାପକା ରାସ୍ତାରେ ଚାଲୁଚାଲୁ ପିଲାଦିନୁ ଅକର୍ମା ମୁଁ କର୍ମବ୍ରତରେ ନିଜର ମୁକ୍ତି ଖୋଜେ । ଜୀବନାକାଶରୁ ମେଘ ଆଡ଼େଇ ହୋଇ କେବେ କ୍ୱଚିତ୍ ଈଶ୍ୱରଙ୍କ କରୁଣାର ଝଲକ୍ ଦୃଶ୍ୟ ହୋଇଥାଏ- ବଞ୍ଚିବାର ପାଥେୟ ମିଳେ । ଏ ଜନ୍ମ ବା ପୂର୍ବ ଜନ୍ମର ସୁକୃତ ହେତୁ ଐଶ୍ୱରିକ ଆଶୀର୍ବାଦ ମିଳିଛି ବୋଲି ପ୍ରତ୍ୟୟ ହୁଏ । ଅନେକ ସୁକୃତ ହେତୁ ହୁଏତ ଅନେକ ଜନ୍ମର ପୁଣ୍ୟର ସମାହାର ହେତୁ- ପରିଣତ ଜୀବନରେ ନିମ୍ନୋକ୍ତ ଘଟଣାଟି ମନପ୍ରାଣରେ ସ୍ନେହର ପୁଲକ ଖେଳାଇଦିଏ । ଅନେକ ଇତର ଦୁଃଖର କୁହେଳିକୁ ଭାବ ଓ ସ୍ମୃତିର ଆନନ୍ଦର ଲହରୀ ଅଚିରେ ଦୂର କରିଦିଏ- ସାରା ଜୀବନ ପାଇଁ ଏକ ମଧୁର ଆନନ୍ଦଦାୟକ ଆହ୍ଲାଦ ।

ଚାକିରୀର ପିଲା ବୟସରେ ମତେ ଏକ ସରକାରୀ ଗୁରୁଦାୟିତ୍ଵ – ଇପିକଲ୍ ମ୍ୟାନେଜିଂ ଡାଇରେକ୍ଟର – ଅପ୍ରତ୍ୟାଶିତ ଭାବେ ମିଳିଥାଏ । ସରକାରୀ ଚାକିରୀରେ କନିଷ୍ଠତା ଏକ ବଡ଼ ପାପ । ତେଣୁ କନିଷ୍ଠକୁ ଏପରି ଗୁରୁ ଦାୟିତ୍ଵ ଉଚ୍ଚ ଅଫିସର ମହଲରେ ଆଲୋଡ଼ନ ସୃଷ୍ଟି କଲା । ନିଜକୁ ପ୍ରମାଣିତ କରିବାକୁ ମୁଁ ଦିନରାତି କାମରେ ଲାଗିଲି । ମୋ ବାପାଙ୍କ କାନକୁ କଥା ଗଲା l ସେ ମତେ ଦିନେ ଭେଟି ସୂଚାଇ ଦେଲେ ଯେ ସେ ମୋର କାମ ପାଗଳାମିରେ ପ୍ରଭାବିତ ନୁହନ୍ତି । ମୁଁ ଅନ୍ତତଃ ସକାଳୁ ଉଠି କାମ ଆରମ୍ଭ ନକରି ସ୍ଵାସ୍ଥ୍ୟଚର୍ଯ୍ୟାରେ କିଛି ସମୟ ଦେବା ଉଚିତ ।


ଆଳସ୍ୟ ତଥା ଅସଙ୍ଗଠିତ କାର୍ଯ୍ୟ ପ୍ରଣାଳୀ ଯୋଗୁଁ ଉପଦେଶକୁ ଗ୍ରହଣ କଲେ ମଧ୍ୟ କାର୍ଯ୍ୟରେ ପରିଣତ କରିବାକୁ ଋତୁ ବିତିଯାଏ । ‘ଖରାଦିନ ଯାଉ’, ‘ବର୍ଷା କମୁ’ – ଏପରି ହେଉ ହେଉ ପ୍ରଥମ ଶୀତ ଓ କୁହୁଡ଼ି ଆସିଗଲା । ଭଗବତ୍ ଲୀଳା ଛଡ଼ା ଆଉ କିଛି ନୁହେଁ- ସେଦିନ ସକାଳୁ ଭୋର୍‌ରୁ ନିଦ ଭାଙ୍ଗିଗଲା । ଆଳସ୍ୟକୁ ସମର୍ଥନ କରିବାକୁ ଆବଶ୍ୟକତା ହେଲାନାହିଁ – ମନ୍ତ୍ରମୁଗ୍ଧ ପରି ସ୍ଵଚ୍ଛ ମନରେ ଅଫୁରନ୍ତ ଉତ୍ସାହରେ ଘର ତଥା ସହରର ପ୍ରାୟ ସମସ୍ତେ ଶୋଇଥିବା ଅବସ୍ଥାରେ ସକାଳର ସିଦ୍ଧାର୍ଥ ରୂପେ ବିଶ୍ଵଦର୍ଶନ ଆକାଂକ୍ଷାରେ ମଣିଙ୍ଗ୍ ୱାକ୍‌ରେ ବାହାରି ପଡ଼ିଲି ।

ଘର ସାମନା ସଡ଼କ ଯାଇ ଅଦୂରରେ ଜନପଥରେ ମିଶିଥାଏ । ତେଣୁ କୁହୁଡ଼ି ସତ୍ତ୍ୱେ ଘରୁ ବାହାରୁ ବାହାରୁ ଶୂନ୍ୟ ପଥ ଦେଇ ଦେଖିଲି, ମୁଖ୍ୟ ରାସ୍ତାରେ ଲୁଙ୍ଗି ପିନ୍ଧିଥିବା ଏକ ସାଇକେଲ ଆରୋହୀ ଗୋଟିଏ ହାତରେ କିଛି ଧରି ଧୀରେ ଚାଲିଗଲା । ମୁଖ୍ୟ ରାସ୍ତାରେ ପହଞ୍ଚୁ ପହଞ୍ଚୁ ଜନପଥରେ ଶହୀଦନଗର ଓ ସତ୍ୟନଗର ମଝିରେ ଥିବା ଧାନ ବିଲ ଓ ତା’ ଉପରେ ମୁଖ୍ୟ ରାସ୍ତାର ନୀଚା ପୋଲ । ଦୂରରୁ ଦେଖିପାରିଲିଯେ ସାଇକେଲ ଆରୋହୀ ସେଠାରେ ପହଞ୍ଚି ସାଇକେଲ ପୋଲ କଡ଼ରେ ଡେରି ତଳ ପାଣି ଆଡ଼କୁ ଝୁଙ୍କିଲା । ମୁଁ ପଦକ୍ଷେପ ଦ୍ରୁତ କଲି- ଲୋକଟା ଭୋରରୁ ଆତ୍ମହତ୍ୟା କରିବାକୁ ବାହାରିଛି କି ? କିଛି ପାଖାପାଖି ହେବାରୁ ଦେଖିଲି ଲୋକଟି ଗୋଟିଏ କାଠିରେ ଲମ୍ବା ସୂତା ବାନ୍ଧି ତଳ ପାଣିରେ କିଛି ପକାଇଛି । ସମସ୍ତ ତଥାକଥିତ ପଦପଦବୀ ସତ୍ତ୍ଵେ ମୋ’ ମନରେ ବଳବତ୍ତର କୈଶୋରର ଆକାଂକ୍ଷା- କେବେ ସହର ଭିତରେ ଗୋଟିଏ ବଢ଼ିଆ ଜାଗା ମିଳନ୍ତା; କେହି ଉଠିବା ପୂର୍ବରୁ ମୁଁ ମୋ ସୁଖରେ ଏକାନ୍ତରେ ବନଶୀ ପକାଇ ମାଛ ଧରନ୍ତି । ମୋ ମନରେ ଜାଗି ଉଠିଲା ଲୁଙ୍ଗି ପିନ୍ଧା ଲୋକ ପ୍ରତି ଈର୍ଷାର ସମ୍ମାନ । ‘କେତେ ଚାଲାକ୍, ସହରର କୋଳାହଳ ଘେରିଯିବା ପୂର୍ବରୁ ମାଛ ଧରିବାର ବ୍ୟବସ୍ଥା କରିଛି ।’ ପଦକ୍ଷେପ ଆହୁରି ଦ୍ରୁତ ହେଲା-ଟିକେ ମାଛଧରା ଦେଖିବି । ବନ୍ଧୁତା ହେଲେ, ତା’ ହାତରୁ ବନଶୀ ମାଗି ମୁଁ ଗୋଟେ ଅଧେ ଥୋପ ପକାଇବି । ଏକଦମ୍ ପାଖାପାଖି ପହଞ୍ଚିଗଲି । କୁହୁଡ଼ି ଘେର, ଏ ପର୍ଯ୍ୟନ୍ତ ମୁହଁ ଦେଖିନାହିଁ । ସବୁ ସଙ୍କୋଚ ଭୁଲି ପଚାରିଲି – ‘ମାଛ ଧରୁଛନ୍ତି ?’ ଲୁଙ୍ଗିପିନ୍ଧା ବ୍ୟକ୍ତି ଚମକି ବୁଲି ପଡ଼ିଲେ | ୧୯୭୭ ନିମିଷକରେ ୧୯୬୨ ହୋଇଗଲା-୧୫ ବର୍ଷ ପରେ ରବି ମାମୁଁ ସେହିପରି ନିରୀହ ବିଦୂଷକର ଆଶ୍ଚର୍ଯ୍ୟ ମୁଖମଣ୍ଡଳରେ ମତେ ଚାହିଁ ରହିଲେ । “ମାମୁଁ’, ତୁମେ । ଏଠି କ’ଣ କରୁଛ ? ତୁମେ ରହୁଛ କେଉଁଠି ?’ ମୁଁ ପଚାରିଲି ।”

‘‘ମୁଁ ଚାରି ନମ୍ବର ୟୁନିଟ୍ ଏଜି କଲୋନୀ ପାଖରେ ରହେ । ବର୍ତ୍ତମାନ ଭୁବନେଶ୍ୱରରେ ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ପୋଷ୍ଟିଙ୍ଗ୍ । କାଲି ଏ ବଦ୍‌ମାସ ମତେ ଅପମାନ କରିଥିଲା । ପିଲାଙ୍କ ସାମନାରେ ଯନ୍ତା ଖୋଲୁ ଖୋଲୁ ମୋ’ ଉପରକୁ ନେଇଁ ପଡ଼ିଲା – ମୁଁ ହଡ଼ବଡ଼ ହୋଇ ଗଡ଼ିପଡ଼ିଲି । ପିଲେ ହସିଲେ l ଆଜି ରାତିରେ ପୁଣି ଧରା ପଡ଼ିଲା । ଭୋରରୁ ଖଡ଼ଖଡ଼ । ମୁଁ ଭାବିଲି ଏତେ ହଇରାଣ କରିଛି, ପାନେ ଦେବି । ବାନ୍ଧି ଆଣିଛି ପାଣିରେ ଶିଙ୍ଗିବୁଡ଼ା କରିବାକୁ ।” ଏତେ ଗୁଡ଼ିଏ କଥା ସେ ଅବଲୀଳା କ୍ରମେ କହିଗଲେ । ମୁଁ ସମ୍ପୂର୍ଣ୍ଣ ବୁଝିବା ପୂର୍ବରୁ ତାଙ୍କ ହାତ ଧରା ଛଡ଼ ଓ ସୂତା ଉପରକୁ ଉଠାଇ ଦେଲେ- ସୂତା ଆଗରେ ବନ୍ଧା ହୋଇ ଝୁଲୁଛି ଏକ ବିରାଟ ଗାତୁଆ ମୂଷା । ସକାଳର ଥଣ୍ଡା ପାଣିରେ ବୁଡ଼ି ଆକ୍ତାମାକ୍ତା । ଆଖି ଦୁଇଟି ଜୁଳୁଜୁଳୁ କରୁଛି – ମୁହଁ ନିଶରେ ପାଣିବିନ୍ଦୁ ଲାଗିଛି । ରବି ମାମୁଁଙ୍କୁ ଦୁଷ୍ଟ କୁନି ମୂଷା, ପୁଅ ପରି ସେ ଦେଖାଗଲା । ମୁଁ ସେ ପୋଲ ଉପରେ ଭରା ଦେଇ କୌଣସି ମତେ ନିଜକୁ ସମ୍ଭାଳି ନେଲି । ବହୁତ ଦୁଃଖରେ କାନ୍ଦି ହୁଏନାହିଁ ବୋଲି କୁହାଯାଏ । ବହୁତ ଆନନ୍ଦରେ ମୁଁ ହସି ମଧ୍ୟ ପାରିଲି ନାହିଁ । ରବି ମାମୁଁଙ୍କୁ ଚାହିଁ ରହିଲି । ସକାଳର ସେ ନିଶୂନ୍ ବେଳାରେ କୁହୁଡ଼ି ଦେଇ ପ୍ରଥମ ସୂର୍ଯ୍ୟ କିରଣରେ ହଠାତ୍ ସମଗ୍ର ସହର ଏକ ସଙ୍ଗୀତମୟ ନନ୍ଦନକାନନରେ ପରିଣତ ହୋଇଗଲା । ମଣିଷ ମରିବା ପର୍ଯ୍ୟନ୍ତ ପିଲା ।

ସନ୍ ୧୯୬୨ରେ ବଡ଼ ଭାଇ ଆଇ.ଏ.ଏସ୍. ଚାକିରୀ ପାଇଁ ବଛା ହେଲେ । ଘରେ ଆନନ୍ଦର ଲହରୀ ଖେଳିଗଲା । କାଶୀ ପ୍ରଧାନ ମଧ୍ୟ ଖୁସି ହେବାପରି ଜଣାପଡ଼ିଲା । କିଛି ମାସ ପରେ ବଡ଼ ଭାଇ କଟକରେ ଟ୍ରେନିଂ ପାଇଁ ପୋଷ୍ଟିଙ୍ଗ୍ ହେଲେ ଓ ଏକ ସାଧାରଣ ସନ୍ଧ୍ୟାରେ ସେଟଲମେଣ୍ଟ୍ ଅଫିସ୍‌ର ଏକ ଜିପ୍ ରେ ବସି ତାଙ୍କ ଘରକୁ ଫେରିବା ଓ ଡ୍ରାଇଭର ଜିପ୍ ଧରି ଆଜ୍ଞା ପାଇଁ ଅପେକ୍ଷା କରିବା ଘରେ ହାକିମାତିର କଲ୍ଲୋଳ ଖେଳାଇ ଦେଲା । ମୋ’ ବାପା ପ୍ରଥମ ଶ୍ରେଣୀ ଅଫିସର୍ ଥିଲେ କିନ୍ତୁ ତାଙ୍କ ଚାକିରୀରେ ତାଙ୍କ ବ୍ୟବହାର ପାଇଁ ଅଫିସଗାଡ଼ି ନଥିଲା । ଆମ ପିଲାମାନଙ୍କ ଅପରିପକ୍ୱ ମନର ମଧ୍ୟ ଏକ ଧାରଣା ରହିଥିଲାଯେ, ସରକାରୀ ଚାକିରିଆଙ୍କ ମଧ୍ୟରେ ବିଭିନ୍ନ ଚାକିରୀର ମର୍ଯ୍ୟାଦା ନେଇ ଜାତି ଭେଦ ରହିଛି । ବସୟ୍କଙ୍କ କଥାବାର୍ତ୍ତା ଓ ବ୍ୟବହାରରୁ ଆମେମାନେ ଅନୁମାନ କରିପାରିଥିଲୁଯେ ଚାକିରୀ ମଧ୍ୟରେ କଲେକ୍ଟର ହେଉଛି ରାଜା ଚାକିରୀ ଓ ଆଇ.ଏ.ଏସ୍. ହେଲେ ଯାଇ ଜଣେ କଲେକ୍ଟର ହେବ । ତେଣୁ ଭାଇଙ୍କ ସେଟେଲ୍‌ମେଣ୍ଟର ପୁରୁଣା ଦଦରା ଜିପ୍ ହେଉ ପଛେ ସରକାରୀ ଗାଡ଼ିରେ ବସି ଘରକୁ ଆସିବା ଆମକୁ ଆଇ.ଏ. ଏସ୍. ମାହାତ୍ମ୍ୟର ବହୁବିଧ ସଂଭାବନା ସମ୍ୱନ୍ଧରେ ସଚେତ କରିଦେଲା । କାଶୀ ପ୍ରଧାନଙ୍କ ଉପରେ ଆମର ବୋଧହୁଏ ପ୍ରତିଫଳିତ ହାକିମାତିର ପୁନରାବିର୍ଭାବ ହେଲା । ଆମ ଭାଇ କଲେକ୍ଟର ଅଚିରେ ହେବେ ଏବଂ କାଶୀଙ୍କ ଇଙ୍ଗିତ ଯେ ସେ ଆଇ.ସି.ଏସ୍. ଅଫିସରଙ୍କ ଅଡ଼ର୍ଲି ରହି ଆସିଅଛି, ତେଣୁ ତାଙ୍କ ଉପରେ ଆମମାନଙ୍କ ହାକିମାତି ଚେଷ୍ଟା ହାସ୍ୟାସ୍ପଦ – ଏହାର ଆମେ ଶେଷରେ ମୁହଁ ତୋଡ୍ ଜବାବ ଦେବା ।

ମୁଁ କହିଲି, ‘‘ଦେଖିଲ, ଭାଇନା କେମିତି ଗାଡ଼ିରେ ଆସିଲେ ? ଆଉ କିଛି ଦିନ ଗଲେ କଲେକ୍ଟର ହେବେ ।” କାଶୀ ପ୍ରଧାନ ହସିଦେଲେ ଓ ମୁଣ୍ଡ କୁଣ୍ଡଉ କୁଣ୍ଡଉ କହିଲେ, ‘‘ହେଲା ଯେ, ଏବର ଅଫିସର କ’ଣ ଆଗପରି ? ଅଫିସର ତ ଅଫିସର, ସାହେବ ତ ସାହେବ, – – ସାହେବ, ଆଇ.ସି.ଏସ୍. । ଗର୍ଭିଣୀ ଗାଈ ବାଟ ଛାଡ଼ି ଦେଉଥିଲେ ।” ଶ୍ରୀଯୁକ୍ତ — ଆଙ୍ଗୁଠି ଗଣତା ଦୁଇ ଓଡ଼ିଆ ଆଇ.ସି.ଏସ୍.ଙ୍କ ମଧ୍ୟରେ ଅନ୍ୟତମ । କାଶୀ ପ୍ରଧାନଙ୍କ ଭାଷାରେ ଆମ୍ୱ ଗଛରେ କେତେ ଆମ୍ୱ ଅଛି ସେ ଜାଣି ପାରୁଥିଲେ, ସାମୁଦ୍ରିକ ବିଦ୍ୟାରେ ଅସାଧାରଣ ପ୍ରବେଶ ଯୋଗୁଁ କେଉଁ ଚାକର ପୂଝାରୀ ଯଦି ଲୋଭ ସଂଭାଳି ନପାରି ଗୋଟେ ଅଧେ ଆମ୍ୱରେ ହାତ ମାରି ଦେଉଥିଲେ, ସାହେବ ସଙ୍ଗେ ସଙ୍ଗେ ସାମୁଦ୍ରିକ ବିଦ୍ୟାରେ ହିସାବ କରି କେତେ ଆମ୍ୱ ଚୋରୀ ହୋଇଛି କହି ପାରୁଥିଲେ ଏବଂ କିଏ ନେଇଛି ଗଣିତ କଷି ଦୋଷୀ ମଧ୍ୟ ଧରା ପଡ଼ି ଯାଉଥିଲା । ସାହେବ ସଦା ସର୍ବଦା ଫତେଇବାଲା ସୁଟ୍ ପିନ୍ଧୁଥିଲେ । ପରେ ଜାଣିଲି ଥ୍ରୀ ପିସ୍ ସୁଟ୍ – ପାଇପ୍ ଟାଣୁଥଲେ, କଣ୍ଟା ଚାମୁଚରେ ଟେବୁଲରେ ବସି ଖାଉଥିଲେ ଇତ୍ୟାଦି । କାଶୀଙ୍କ ମତରେ ସାହେବଙ୍କ ଚେହେରା କୌଣସି ବିଦେଶୀ ସାହେବଙ୍କ ଚେହେରା ତୁଳନାରେ କମ୍ ନ ଥିଲା । ଆଦବ କାଇଦା ସାହେବ ମାନଙ୍କ ପରି । କଥାବାର୍ତ୍ତା ମଧ୍ୟ ସାହେବ ମାନଙ୍କ ପରି ।
‘‘କିହୋ କାଶୀ, ସାହେବ ପରି କଥା କ’ଣ ? ସେ ତୁମ ସଙ୍ଗେ କ’ଣ କଥାବାର୍ତ୍ତା କରନ୍ତି ?”
-“ଆମେ ମୂର୍ଖ ଲୋକ, ଏଡ଼େ ବଡ଼ ସାହେବ, ଆମ ସଙ୍ଗେ କ’ଣ କଥାବାର୍ତ୍ତା ହେବେ।’
“ଆରେ କ’ଣ ଯେ କହୁଛ
! ତୁମେ ପରା ତାଙ୍କ ଘରେ ଥିଲ, କ’ଣ କହୁଥିଲଯେ ତୁମେ ଖାସ୍ ଅଡ଼ର୍ଲି ବୋଲି ଅନ୍ୟମାନେ ତୁମକୁ ମାନୁଥିଲେ ।”
‘‘ ଆଜ୍ଞା ଆପଣ ବୁଝିବେନି । ଏବେ କ’ଣ ସେ କଥା ଅଛି । ଆମେ ମୁହଁ ଉଠାଇ ସାହେବଙ୍କୁ କେବେ ଦେଖୁକି ? ଦୂରରୁ ଝାପ୍‌ସା, ପାଖକୁ ଆସିଲେ ମୁହଁ ତଳକୁ । ସେ କେବେ ହିନ୍ଦୀରେ, କେବେ ବଙ୍ଗାଳୀରେ, ରାଗିଗଲେ ଇଂଲିଶରେ କ’ଣ ସବୁ କହି ଦିଅନ୍ତି । ଅନୁମାନ କରି ବୁଦ୍ଧି ଲଗାଇ କାମ ତୁରନ୍ତ କରିଯିବା ଦରକାର । ଟିକେ ଏପଟ ସେପଟ ହେଲେ ରକ୍ଷା ନାହିଁ ।”

‘‘କିହୋ, ସେ ପରା ଓଡ଼ିଆ ଥିଲେ!” ‘‘ଆଜ୍ଞା ହେଲେବିତ ଆଇ.ସି.ଏସ୍. ସାଇବ । ମୁଁ ତ କେବେ ହେଲେ ଓଡ଼ିଆ କଥା ତାଙ୍କ ତୁଣ୍ଡରୁ ଶୁଣିନାହିଁ । ମୁଁ ଚିଡ଼ାଇବାକୁ ପଚାରିଲି, ‘‘ତୁମ ସାହେବଙ୍କର ନିଶ ଥିଲା ନା ନାହିଁ ।’’
କାଶୀ ମୋ’ କଥାକୁ ଗୁରୁତ୍ଵ ଦେଇ କହିଲା, ‘‘ପାଖରୁ ତ କେବେ ଦେଖି ନ ଥିଲି । ନିଶ ଥିଲା କି ନାହିଁ ଦୂରରୁ ଜାଣିପାରୁ ନ ଥିଲି । ଭରସିକରି ବେଶୀ ସମୟ ତ ଦେଖିବା ମନା । ଥରେ ବଡ଼ ଅସୁବିଧାରେ ପଡ଼ିଗଲି ।” ଏତକ କହି ସେ ଆଉ କିଛି କହିଲେ ନାହିଁ ଓ ମୁଣ୍ଡ କୁଣ୍ଡାଇ ମୁରୁକି ମୁରୁକି ହସିବାରେ ଲାଗିଲେ । ମୁଁ ଯେତେ ଯାହା ପଚାରିଲି ସେ ଏଡ଼ାଇ ଗଲେ । ବହୁତ ଜିଦ୍ କଲାରୁ ମୁରୁକି ହସି କହିଲେ, ‘‘ନିଶ ନୁହେଁ, ପୋଷାକ ସାହେବ ପରି ହେବା ଦରକାର’’ ; ଏବଂ ଅନ୍ୟ ଆଡ଼େ ଉଠିଗଲେ ।

କ୍ରମଶଃ ସ୍କୁଲରୁ ଆମେ କଲେଜରେ ସଦ୍ୟ ପାଦ ଦେବା ଆରମ୍ଭ କଲୁ, କିନ୍ତୁ ଫକୀର ମାମୁଁଙ୍କ ନେତୃତ୍ୱ ସେହିପରି ଚାଲିଥାଏ । ପଢ଼ାରେ ଆମେ ସମସ୍ତେ ତାଙ୍କଠାରୁ ଆଗରେ କିନ୍ତୁ ହସରେ ଓ ସ୍ନେହରେ ସେ ଆମ ଆଗରେ । ମାନନୀୟ କାମାକ୍ଷା ସିଂହଦେଓ ଆମ ଦଳରେ ସଦ୍ୟ ଯୋଗ ଦେଇଥା’ନ୍ତି, ସେତେବେଳେ ରାଜନୀତି ଆରମ୍ଭ ହୋଇ ନ ଥିଲା । କିନ୍ତୁ ଯେତେବେଳେ ରାଜାପୁଅ କିଛି ରାଜକୀୟ ଘଟଣା ଘଟିବା ଦରକାର । ଫକୀର ମାମୁଁଙ୍କ ବାପା ଅନେକ ପୁରୁଣା ଷ୍ଟେଟ୍‌ରେ ଦିୱାନ୍ ଥିଲେ । ରାଜାପୁଅଙ୍କ ମନ ଜମାଇଲା ପରି ସଙ୍ଗତ ହେଲା । ସିଂହଦେଓଙ୍କ ଗାଡ଼ିରେ ବସି ସମସ୍ତେ ପିକ୍‌ନିକ୍ ପାଇଁ ଚାନ୍ଦିପୁର ଯାଇଥିଲେ । ତା’ ଆରଦିନ ଦ୍ୱିପହର ବେଳକୁ ଫେରିଲେ । ଭୀଷଣ ଗରମ; ଭବନାଥ ମାମୁଁ ବପୁବନ୍ତ ଶରୀର ଧରି ଅସ୍ତବ୍ୟସ୍ତ ହୋଇଗଲେ । ଭଦ୍ରଖ ପାଖାପାଖି ପିନ୍ଧିଥିବା ସାର୍ଟ କଢ଼ା ହୋଇଗଲା । ରାଜକୁମାର ଉତ୍ସାହିତ କଲେ | ଜାରକା ବଜାର ପାଖାପାଖି ଗଞ୍ଜି ଖୋଲା ହେଲା । ଚଣ୍ଡିଖୋଲ ପହଞ୍ଚିବା ବେଳକୁ ସବୁ ଖୋଲି ଭବନାଥବାବୁ ଫକୀର ବାବାରେ ପରିଣତ ହୋଇଗଲେ । ମନ ପୂରି ନ ଥିଲା ବି କଣ, ରାସ୍ତା ମଝିରେ ଏକୁଟିଆ ଯାଉଥିବା ଜଣେ ଛୋଟିଆ ପତଳା କୁଞ୍ଚୁକୁଞ୍ଚିଆ ବାଳିଆ ଧୋତିପିନ୍ଧା ବାଟୋଇ ପାଖରେ ଗାଡ଼ି ରହିଗଲା । ସେ କିଛି ଜାଣିବା ପୂର୍ବରୁ ଏପରିକି ଭାବିବା ପୂର୍ବରୁ ଦୁଆର ଖୋଲିଗଲା ଓ ସିଂହଦେଓ ସେ ଲୋକକୁ ଟେକି ଆଣିଲା ପରି ଗାଡ଼ିରେ ଆଣି ବସାଇ ଦେଲେ । ଗାଡ଼ି ଚାଲିଲା । ”କିରେ ତୁ କଣ ସେ ମଦନା ଡକାୟତ? ଏବେ ବାଲେଶ୍ୱର ପୋଲିସ୍ ତତେ ଧରିବାକୁ ଆସୁଛି।’

‘‘ଆଜ୍ଞା, ଆଜ୍ଞା, ମୁଁ ଭୋବନି, ମୁଁ ଡାକ ପିଅନ ନୁହେଁ । ମୁଁ ଆମ ଗାଁରେ ମୃଦଙ୍ଗ ବଜାଏ ।”
” ଚୁପ୍ କର ! କହିଲା, ଭୋବନି। ତୁ ପକ୍କା ଡାକୁ । ଏ ଫକୀର ବାବାଙ୍କୁ ଦେଖୁଛୁ । ଏ ବଡ଼ ପୋଲିସ୍ ଅଫିସର ଥିଲେ । ଏସ୍.ପି.! କଳ୍କୀ ଅବତାର ବିଜେ କଲେ; ଅନ୍ତର୍ଯାମୀ ହୋଇଗଲେ । ଆଖି ବନ୍ଦ କରି ଦିବ୍ୟ ଚକ୍ଷୁରେ ସବୁ ଜାଣିପାରନ୍ତି; ଆଉ ଏସ୍.ପି ରହି କ’ଣ କରିବେ ? ପୋଲିସ୍ ଚୋର ଉଭୟେ ଏବେ ତାଙ୍କ ପାଦ ତଳେ। ତୁ ବି ସାରଙ୍କ ପାଦଧୂଳି ନେଇଯା । ସତ କଥା କହିଦେ । ଚୋରୀନାରୀ ଯାହା କରିଛୁ ।”
‘‘ଆଜ୍ଞା ! ମୁଁ ଡାକୁ ନୁହେଁ । ପିଲାଦିନେ କାକୁଡ଼ି ଥରେ ଅଧେ ଚୋରି କରିଛି, ଆପଣେ ମତେ ଛାଡ଼ି ଦିଅ ।”
“ସିଧାହୋଇ ବସ୍ । ତତେ ଏଇନେ ଛାଡ଼ିଦେଲେ ପଛରେ ଆସୁଥିବା ପୋଲିସ୍ ତତେ ବାନ୍ଧିନେବେ।”
“‘ଆଜ୍ଞା ଆପଣେ ତାଙ୍କୁ ମନା କରିବ । ହଗୁରୁ ବୋଉ – ମୋ’ ପିଲାଙ୍କ ମା’- ରାତିରେ ମୁଁ ଘରେ ନ ପହଞ୍ଚିଲେ ଡରିଯିବ । ଏକୁଟିଆ ସ୍ତ୍ରୀ ଲୋକ, ଘରେ ଖାଲି ସାନ ପିଲା । ଭୟରେ ପଡ଼ିଶା ଘର ରଘୁଆନାକୁ ଡାକିଆଣିବ ।
ଆମେ ବଗୁଲିଆ ଦଳ ରଘୁଆନା ମହାତ୍ମ୍ୟ ଭାବି ଆନନ୍ଦରେ ବିଭୋର। ଫକୀର ମାମୁଁ ତାକୁ ନାନାପ୍ରକାର ଜେରା କରି ଚାଲିଲେ -କେତେଥର ପିଲାଦିନେ ସେ କାକୁଡ଼ି ଚୋରି କରିଥିଲା? ଆଉ କ’ଣ କେବେ ଚୋରି କରି ଥିଲା ? ତା’ ସ୍ତ୍ରୀ ଡରିଗଲେ ରଘୁଆନା ଛଡ଼ା ଆଉ କାହା ଶରଣ ପଶେ କି ? ଇତ୍ୟାଦି ବାଂତର ଏବଂ ଅବାଂତର ପ୍ରଶ୍ନାବଳୀ । ସେ ବାପୁଡ଼ା ସିଂହଦେଓ ଓ ଫକୀର ମାମୁଁଙ୍କ ରାପିଡ୍ ଫାୟାର -ତଡ଼ିତ୍ ପ୍ରଶ୍ନାବଳୀରେ ପୂରା ଘାବରେଇ ତା’ ପୁଅ ହଗୁରା ଓ ଝିଅ ଚେମିକୁ ମନେ ପକାଇ ବାହୁନା ଆରମ୍ଭ କଲା । ଜଗତପୁର ପୂର୍ବରୁ ତାକୁ ଗାଡ଼ିରୁ ଓହ୍ଲାଇ ଦିଆଗଲା; ସେ ଦେ ଦଉଡ଼ ! କଟକରେ ଆସି ପହଞ୍ଚିଲୁ – ରାଜା ପୁଅଙ୍କ ମନରେ ଫକୀର ମାମୁଁ ପୂରାଇଲେ ଅପୁର୍ବ ଖିଆଲ । ସଙ୍ଗେ ସଙ୍ଗେ ବକ୍ସିବଜାର ଖବର କାଗଜ ଅଫିସ୍‌କୁ ଦୁହେଁ ଚାଲିଲେ । ସହରର ସ୍ୱନାମଧନ୍ୟ ସଂପାଦକଙ୍କୁ ଦେଖାକରି ଜାତୀୟ ରାଜପଥରେ ଲୋମହର୍ଷଣକାରୀ ଅପହରଣ ଘଟଣା ଉପରେ ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ତୁରନ୍ତ ପରଦିନ କାଗଜର ମଧ୍ୟ ପୃଷ୍ଠା ସଚିତ୍ର ମଣ୍ଡନ କଲା । ଚିତ୍ରରେ ସଂପାଦକଙ୍କ ଗହଣରେ ରାଜପୁତ୍ର ଓ ଫକୀର ମାମୁଁ । ଆମ ବାପା ମା’ ମାନେ ଆଉ ଗାଡ଼ି ଧରି ସହର ବାହାରକୁ ପିକ୍‌ନିକ୍‌ରେ ଯିବାକୁ ମନା କଲେ । ଗଣତନ୍ତ୍ରର ସୁରକ୍ଷା ପାଇଁ ଜାତୀୟ ରାଜପଥରେ ପୋଲିସ୍‌ ପାଟ୍ରୋଲିଂର ଏକାନ୍ତ ଆବଶ୍ୟକତା ଉପରେ ପୋଲିସ୍ ଉ.ପ୍ରା. ବିଦ୍ୟାଳୟର ଅବସରପ୍ରାପ୍ତ ଡ୍ରିଲ୍ ଶିକ୍ଷକ ସଂପାଦକଙ୍କୁ ନାତିଦୀର୍ଘ ପତ୍ର ଲେଖି ଜନସାଧାରଣଙ୍କୁ ସୂଚାଇ ଦେଲେ ଯେ ସେ କେବଳ କୃଶ୍ଚେଭଙ୍କ ବିୟୋଗରେ ଶୋକ ପ୍ରକାଶ କରି ସଂପାଦକଙ୍କୁ ପତ୍ର ଲେଖି ନିଜର ସୁଦୀର୍ଘ କର୍ମମୟ ଜୀବନର ସମସ୍ତ କର୍ମ ସଂପାଦନ ହୋଇଗଲା ବୋଲି ଭାବି ନ ଥିଲେ ।

ଦୁଇ ତିନୋଟି ଅସ୍ଵାଭାବିକ ଘଟଣା ସଙ୍ଗଠିତ ହୋଇ କାଶୀ ପ୍ରଧାନଙ୍କ ମୁଣ୍ଡ କୁଣ୍ଡେଇବା ହସର ରହସ୍ୟ ଉଦ୍‌ଘାଟନ ହେଲା । ବାପାଙ୍କ ସରକାରୀ ଘର ନଦୀ କୂଳରେ ୩, କ୍ୟାଣ୍ଟନ୍‌ମେଣ୍ଟ ରୋଡ଼ର ଏକ ବିସ୍ତୃତ ହତାରେ, ଅନ୍ୟାନ୍ୟ ସରକାରୀ ଘର ତଥା ଅନିୟମିତ ଭାବେ କେତେକ ଆସବେଷ୍ଟସର ଛୋଟ ଘରଥାଏ । ସେଥିରେ ରହୁଥିବା ଏକ ଡ୍ରାଇଭର୍‌ ପରିବାରର ଯୁବତୀ ଝିଅ ହଠାତ୍ ମରିଯାଏ । ଆମେ ଏହି ଘଟଣାରେ ସ୍ତମ୍ଭୀଭୂତ । ଝିଅଟି ହତାରେ ଚଳୁଥିଲା । ଆମେ ତା’ର ମରଣକୁ ସହଜ ରୂପେ ନେଇ ପାରିଲୁ ନାହିଁ । ଆମକୁ ଦୁଃଖ ହେଲା ଓ ଆତ୍ମା ସମ୍ୱନ୍ଧୀୟ ଯାବତ ଗୁଲିଖଟି ପିଲାଦିନୁ ଶୁଣି ଶୁଣି -ବିଶେଷ କରି କାଶୀ ପ୍ରଧାନଙ୍କ ଠାରୁ – ଆମେ କିଛି ପରିମାଣରେ ଭୟ ମଧ୍ୟ ପାଇଲୁ । ଦିନବେଳା ଆମେ ଦୁଃଖର ସହିତ ସେ ଝିଅର ଅଚାନକ ଦେହାନ୍ତ ବିଷୟରେ ଆଲୋଚନା କରୁଥିଲୁ, କିନ୍ତୁ ଅମଣିଷ ପଣିଆ ଲାଗିବା ସତ୍ତ୍ୱେ ରାତି ହେଲାକ୍ଷଣି ଭୟ ମାଡ଼ି ଆସୁଥୁଲା । ଘର ମଧ୍ୟରେ ଇଲେକ୍‌ଟ୍ରିକ୍ ଲାଇଟ୍ ଥିଲା, କିନ୍ତୁ ହତାସାରା, ବିଶେଷ କରି ଘରପଛ ନଦୀକୂଳ ସଂପୂର୍ଣ୍ଣ ଅନ୍ଧାର । ଘର ପଛପଟେ ଗାଈ ଗୁହାଳ-ବାପାଙ୍କ ଗୋସେବା ଆଦର୍ଶ ଓ ସହରରେ ଭଲ କ୍ଷୀର ଟୋପେ ପାଇବାର ବାସ୍ତବତା । କାଶୀ ପ୍ରଧାନଙ୍କ ଆମ ଘରେ ଡ୍ୟୁଟି କରିବା ଦଶବର୍ଷ ପାଖାପାଖି ପହଞ୍ଚିଯାଇଥିଲା । ସକାଳେ ବାପା ଗାଈ ମାନଙ୍କ ଗୋବର ସଫା କରିବା ସମେତ ସବୁକାମ ନିଜେ କରୁଥିଲେ । କିନ୍ତୁ ସେ ଟୁରରେ ଗଲେ ରାତିରେ ଘରକୁ ଯିବା ପୂର୍ବରୁ କାଶୀ ପ୍ରଧାନ ଗାଈମାନେ ଠିକ୍ ବନ୍ଧା ହୋଇଛନ୍ତିକି ନାହିଁ ନଜର ପକାଇ ଦେଉଥିଲେ । ସେଦିନ ସଂଧ୍ୟାରେ ମଧ୍ୟ ସେହି କାର୍ଯ୍ୟକ୍ରମ ଥିଲା । ଫକୀର ମାମୁଁ ସଂଧ୍ୟା ହେଉ ହେଉ ଆସିଗଲେ । ତୁରନ୍ତ ତାଙ୍କ ପରାମର୍ଶ ଅନୁସାରେ ସଂଧ୍ୟାର କାର୍ଯ୍ୟକ୍ରମ ସ୍ଥିର ହୋଇଗଲା । କାଶୀ ପ୍ରଧାନ ଆସିଲେ ମୁଁ ଓ ମୋ’ ଭାଇ ତାଙ୍କୁ ଗୁହାଳ ଆଡକୁ ଘର ଭିତର ଦେଇ ଡାକିନେବୁ । ଫକୀର ମାମୁଁ ଭଦ୍‌ଭୂତ ନାଗା ବେଶରେ ଅନ୍ୟବାଟେ ଯାଇ ଗୁହାଳ ପାଖେ ଛପି ରହିବେ । କାଶୀ ପହଞ୍ଚିଲା କ୍ଷଣି ତାକୁ ଡରାଇ ଦେବେ I କାଶୀ ପ୍ରଧାନଙ୍କ ସବୁ ଭୂତ ଗପ ବାହାଦୁରୀ ଛାଡ଼ିଯିବ ।

କାଶୀ ପ୍ରଧାନ ଆସିଲେ । ଦୁଇ ଭାଇ ତାଙ୍କୁ ୟାଡୁ ସାଡୁ କହି ବିଡ଼ିଖିଆ ଦିଆସିଲିଟି କବଳିତ କଲୁ; ଅନ୍ଧାରର ପର୍ଦା ଉଠିବ ନାହିଁ । ଫକୀର ମାମୁଁ ଦାଣ୍ଡ ପାଖ ଗ୍ୟାରେଜ୍ ପାଖରେ ଲୁଚି ରହିଲେ; ଯଥା ସମୟରେ ପଛ ବାଟେ ଭୁତିଆରି ବାଡ଼ ଅରମା ଟପି ଗୁହାଳ ପଛପଟେ ପହଞ୍ଚି ଲୁଗାପଟା ଖୋଲି କିଳିକିଳା ରଡ଼ି କରି କାଶୀ ପ୍ରଧାନଙ୍କ ଆଡ଼କୁ ପୁରାଣ ବର୍ଣ୍ଣିତ ବ୍ରହ୍ମରାକ୍ଷସ ପରି କ୍ଷେପି ଆସିବେ । ପ୍ରଧାନଙ୍କ ସବୁ କଟକୀ ପଠାଣ ଓ କିରସ୍ତାନ ଭୂତ, ହ୍ୟାପ, ଅସାର ହୋଇଯିବେ । ବୁଢ଼ା କାଶୀଙ୍କ ମଜା ବାହାରିଯିବ !

ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ଆଗେଇ ଚାଲିଲା । କାଶୀ ପ୍ରଧାନ, ‘ଗୁହାଳରେ ଗାଈମାନେ କ’ଣ କରୁଛନ୍ତି ଦେଖିଆସେ’ କହି ଆଗେଇଲେ । ତେବେ ଆମେ ଅଳସୁଆ ଦଳ ତାଙ୍କ କର୍ମନିପୁଣତା ଉପରେ ଏତେ ଜାଣି ନ ଥିଲୁ | ସେ ହଠାତ ଲୁଗାପଟା ସବୁ ଖୋଲି ମୁଣ୍ଡବନ୍ଧା ଠେକାକୁ କଛାମାରି ଗୁହାଳ ଆଡ଼କୁ ଚାଲିଲେ । ଆମେ ଉତ୍କଣ୍ଠିତ ଅପେକ୍ଷାରତ । ହଠାତ୍ କାଶୀ ‘‘ହାସ୍, ହାସ୍” କହି ଗୁହାଳ ଆଡ଼ୁ ପଛାଇ ପଛାଇ ଚାଲି ଆସିଲେ । ଆମର ନାଟକୀୟ ଉତ୍କଣ୍ଠା ଅପୂର୍ଣ୍ଣ । “କ’ଣ ହେଲା କି କାଶୀ ?’’ ପଚାରିବାରୁ କହିଲେ, ”ଆଉ କାହା ଧଳା ଛଡ଼ା ଗୋଟେ ଗୁହାଳ ପଛରେ ଠିଆ ହୋଇଥିଲା, ଦୌଡ଼ି ପଳାଇଲା । ମୁଁ ପଦାକୁ ଯିବାକୁ ବାହାରିଲାରୁ ହଠାତ୍ ଚମକିଗଲା ବୋଧେ । ସେ ଡ୍ରାଇଭର ଝିଅ ଆତ୍ମା ତାକୁ ଦୃଶ୍ୟ ହେଲାକି କ’ଣ ? ମୁଁ ସେଥିପାଇଁ ନିଜ ଉପରେ ଟିକେ ଛେପ ପକାଇ ଦେଲି ।’’ କାଶୀ ମଧ୍ୟ ସେ ଝିଅର ଅସ୍ୱାଭାବିକ ଅକାଳ ବିୟୋଗରେ ଅଭିଭୂତ! ଆମେ ହସିବୁ କି କାନ୍ଦିବୁ ଜାଣିପାରିଲୁ ନାହିଁ । ଦାଣ୍ଡ ପଟ ବାରଣ୍ଡା ଯାହାକି ମୂଳ ଯୋଜନା ଅନୁସାରେ ଫକୀର ମାମୁଁଙ୍କ ଅବସ୍ଥିତି ସମ୍ୱନ୍ଧରେ କାଶୀ ପ୍ରଧାନଙ୍କୁ ଅଜ୍ଞ ରଖିବାକୁ ବଲ୍‌ବ ଖୋଲା ହୋଇ ଅନ୍ଧାର ରହିଥିଲା, ଆମେ ତୁରନ୍ତ ସେଠି ପହଞ୍ଚି ଗ୍ୟାରେଜ୍ ଆଡ଼କୁ ଫକୀର ମାମୁଁ କେଉଁ ଆଡ଼େ ଗଲେ ବୋଲି ସନ୍ତର୍ପଣରେ ଚାହିଁଲୁ । ଦୁଇଭାଇ ହଠାତ୍ ବାରଣ୍ଡାକଣେ କୁଜିକାଜି ହୋଇ ଏକା ଧଳା ଅସ୍ପଷ୍ଟ ଆକୃତି ଚୌକି ଉପରେ ବସିଥିବା ଦେଖି ଚମକି ପଡ଼ି କୁଣ୍ଢାକୁଣ୍ଢି ହୋଇ ପାଟିକରି ଉଠିଲୁ “କିଏ, କିଏ ?” ତା’ପରେ, “ଫକୀର ମାମୁଁ କି ?” ଉଉର, ‘‘ହଁ । ଆମେ କ୍ରୋଧରେ, “ମାନେ ? ତମେ ପରା ଗୁହାଳ ପଛକୁ ଯିବା କଥା ।’’ ଫକୀର ମାମୁଁ କିଛିକ୍ଷଣ ନିରୁତ୍ତର ରହି ତାଙ୍କ ସ୍ଵଭାବ ସୁଲଭ ଭାଷାରେ ବୁଝାଇଲେ ‘‘ ଗୁହାଳ ଭିତରୁ ଗୋଟେ କଳା ବାଛୁରୀ ଦୁଇ ଗୋଡ଼ ଟେକି ଚାଲି ଆସିଲା । ମୁଁ ପଳାଇ ଆସିଲି । ମତେ ‘ଡ୍ର’ ମାଡ଼ିଲା।”
ଡରକୁ ବେଶୀ ଡରି ପାଟି ଖନି ମାରିବା ଅବସ୍ଥାରେ ‘ଡ୍ର’ କୁହାଯାଏ ବୋଲି ଫକୀର ମାମୁଁଙ୍କ ଭାଷାକୋଷ ଆମେ ଆଗରୁ ସ୍ୱୀକାର କରିଥଲୁ ।
“ହେ, ହେ, ବାବୁଟି । ମୁଁ ସେଇଆ ଭାବୁଥିଲି ।” ପ୍ରଧାନେ କେତେବେଳେ ପଛଆଡ଼ୁ ଆସି ଆମ ଗୁମର ଜାଣିଲେଣି ଆମେ ଜାଣି ପାରିନୁ । ଆମେ ୟା’ଡୁସାଡୁ କହି ତାଙ୍କୁ ଭଣ୍ଡାଇଲା ବେଳକୁ ସେ କହିଲେ ”ଆଜ୍ଞା ଆପଣେ ଯେତେହେଲେ ପିଲା । ଆମେ ଚପରାସୀ ଲୋକ, ସାହେବ ଭୂତ ଦେଖିଲେ ଡରିବୁ । ଆପଣଙ୍କୁ ନୁହେଁ । ସେ ପୁଣି କପଡ଼ା ବିନା କେବେ ନୁହେଁ । ଭେକ ବିନା ଭୂତ କ’ଣ ?”

‘‘କିହୋ କାଶୀ, ଭୂତ ସଙ୍ଗେ ଲୁଗାପଟାର କି ସମ୍ୱନ୍ଧ ?’’ ମୁଁ ଚିଡ଼ି ପଚାରିଲି ।

‘‘ଭୂତ ନହେଉ, ମଣିଷ ତ କପଡ଼ା ବିନା ଅସାର”। କାଶୀ ପୁଣି କହିଲେ,‘‘ଶୁଣିବେ, ମୋର ଥରେ କେତେ ଅବସ୍ଥା ହେଲା । ମୁଁ ଥାଏ ଆଇ.ସି.ଏସ୍. ସାହେବଙ୍କ ଖାସ୍ ଅର୍ଦ୍ଦଳି । ସାହେବତ ସାହେବ — ସାହେବ, ଆଇ. ସି. ଏସ. । ଏତେ ବର୍ଷ ରହିଲି, ପାଖରୁ ମୁହଁ ଦେଖିବାକୁ ଭରସି ନାହିଁ । ଦିନେ ବେଡ୍‌ରୁମ୍ ଖାଲି ଭାବି ଚଟି ଯୋତା ସଜାଡ଼ିବାକୁ ପଶିଗଲି । ଖଟକଣେ ବସି ଧୀରେ ଧୀରେ ପାଲିସ୍ କରୁଥିଲି । ଗାଧୁଆଘର କବାଟ ଖୋଲିବାର ଶବ୍ଦଶୁଣି କିଛି ସମୟରେ ସେ ଆଡ଼େ ଚାହିଁଲି । ଗୋରା ତକତକ ଉଦ୍‌ଭୂତ ଲଙ୍ଗଳା ଲୋକ । ମାଖୁନା ଚେହେରା, ମାଇଚିଆ ରନ୍ଧା ନନା ପରି । ରନ୍ଧା ନନା ସାହେବଙ୍କ ବାଥରୁମରେ ଏ ଅବସ୍ଥାରେ ! ମତେ ତ ରାଗ ମାଡ଼ିଲା । ମୁଁ ମୂର୍ଖ, କିଛି ନଜାଣି ଟାଣ ପାଟିଟେ କରିଦେଲି, ‘‘ନନା, ସାହେବଙ୍କ ଖାସ୍ କମରାରେ ତୁମେ ଏମିତି କ୍ୟାଁ ?” ଆଉ ଯାଏ କୁଆଡ଼େ । ସେ ବାବନା ମୂର୍ତ୍ତି ବୁଲି ପଡ଼ିଲେ; ପୁଣି ମୋ’ ଆଡ଼କୁ ପଛ କରି ଓଡ଼ିଆରେ କହିଲେ ‘ତୁମେ ପୁରୁଣା ଲୋକ, ଛାଡ଼ିଦେଲି ତୁମକୁ ପାଂଚଟକା ଫାଇନ୍ କରାଗଲା ।’

ଆଜ୍ଞା, ସାହେବ…! ସେହି ପ୍ରଥମଥର ତାଙ୍କ ତୁଣ୍ଡରୁ ଓଡ଼ିଆ କଥା ଶୁଣିଲି ।’’ ୧୯୫୦ ମସିହାରେ ପାଞ୍ଚଟଙ୍କା ଚପରାସୀ ଦରମାର ଅଧା ହେବ । ମୋ’ ଚାକିରୀରେ ମୁଁ ଏପରି ଅବସ୍ଥାରେ ଏବେ ପଡ଼ିଲେ ମୋ’ ଅଡ଼ର୍ଲି ଧର୍ମଘଟ କରି ମୋ’ଠାରୁ ବରଂଚ ପାଂଚଶହ ଟଂକା ଜୋରିମାନା ନେଇ ପାରନ୍ତି । ତେବେ କାଶୀ ପ୍ରଧାନ ତ ମୂଳରୁ କହିଛନ୍ତି ଆମେ କି ସାହେବ; ‘ସାହେବ ତ ସାହେବ, – ସାହେବ, ଆଇ.ସି.ଏସ୍. ।’

  • ପ୍ରସନ୍ନ କୁମାର ହୋତା, Ex IAS
  • ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • MOB : 8368131097

++++++++++++++++++++++++++++++++++++++

( ଅନେକ ଦିନୁ ସମାପ୍ତ ହୋଇଗଲାଣି, ପ୍ରଥମେ ଫକୀର ମାମୁଁଙ୍କ ଜୀବନ । ଅକାଳ ବିୟୋଗ ଏବେ ବି ଅସହ୍ୟ । ଏବେ ବି ଇଚ୍ଛାହୁଏ, କବାଟ ଠକ୍ ଠକ୍ ହୁଅନ୍ତା । ଖୋଲିଦେଲା ବେଳକୁ ଫକୀର ମାମୁଁ ଠିଆ ହୋଇଥାନ୍ତେ, ‘‘ପଳେଇ ଆସିଲି, ସେଠି ସବୁ ମଲା ଲୋକଙ୍କ ଭିତରେ ‘ଡ୍ର’ ଲାଗିଲା ।’’ କାଶୀ ପ୍ରଧାନ କେତେ ବର୍ଷ ତଳେ ଚାଲିଗଲେ । ମୁଁ ବି ଦିନେ ଯିବି । ଭୟ କେବଳ ସେ ଗଲାପରେ ସେ ମାନଙ୍କ ସଙ୍ଗେ ଭେଟ ହେବତ ? ମୁଁ ତ ‘କିଙ୍ଗଡମ ଅଫ ହେଡସ୍’ – ଏ ଜାଗା ଖୋଜିବାକୁ ଗୁଗଲ ଦେଖନ୍ତ୍ – କୁ ଯିବି । ଫକୀର ମାମୁଁ ଓ କାଶୀ ପ୍ରଧାନ ତ ନିଶ୍ଚୟ ସ୍ୱର୍ଗରେ ରହି ପୃଥିବୀରେ ଭେଟିଥିବା ଜୀଅନ୍ତା ଭୂତଙ୍କ ବିଷୟରେ ଗପ ମାରୁଥିବେ । ସେଠି ସବୁ ଭେକ କିପରି ?)

Leave A Reply

Your email address will not be published.