ଭାଷା ଆଇନର ହେଉ ସଂଶୋଧନ

0

  • ମାତୃଭାଷା ଦିବସରେ ଅନୁଚିନ୍ତା
  • ଆଲେଖ୍ୟ : ଶ୍ରୀକାନ୍ତ ଦାଶ

TATKAL ODISHA//ଐତିହ୍ୟ ଖୋଜ//


ଆଜି ବିଶ୍ୱ ମାତୃଭାଷାଦିବସ | ଓଡ଼ିଆ ଭାଇଭଉଣୀ ମାନଙ୍କୁ ଆଉଥରେ ମନେ ପକେଇ ଦେବା ଉଚିତ ହେବ ଯେ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡିଶା ରାଜ୍ୟ ପ୍ରଥମେ ଆତ୍ମ ପ୍ରକାଶ କରିଥିଲା | ଏହାରି ମୂଳରେ ମଧୁସୂଦନ, ଗୋପବନ୍ଧୁ, ପାରଳା ମହାରାଜା କୃଷ୍ଣ ଚନ୍ଦ୍ରଗଜପତି , ନୀଳମଣି ବିଦ୍ୟାରତ୍ନ, ବ୍ୟାସ କବି ଫକୀର ମୋହନ ସେନାପତି ଓ ଅନ୍ୟ ଅନେକ ଯୋଗଜନ୍ମା ମନୀଷୀ ମାନଙ୍କର ତ୍ୟାଗ ନିହିତ ଥିଲା |

ସେଇ କଷ୍ଟ ଲବ୍ଧ ଓଡିଶା ତଥା ଓଡ଼ିଆ ଭାଷାର ଦଶା ଆପଣଙ୍କ ସାମନାରେ | ଜଣାପଡେ ସତେ ଯେମିତି ଆମେ 30 ବର୍ଷ ତଳକୁ ଚାଲିଯାଇଛେ |ଏହି ଦିବସ ଆସିଲେ ଅନେକ ସଂଗଠନ ଦିବସକୁ ଯାକ ଯମକ ରେ ପାଳନ କରିବାକୁ ଆଗେଇ ଆସନ୍ତି, ଭାଷଣରେ ଭାଷା ଓ ସୀମା ସୁରକ୍ଷାର ବଜ୍ର ଶପଥ ନିଆଯାଏ | ପ୍ରତି ବର୍ଷ ଏହା ହୁଏ ଗତାନୁଗତିକ ଧାରାରେ | ସତରେ ଯଦି ସବୁ ସଂଗଠନ ଭୀଷ୍ମଙ୍କ ପରି ଶପଥ କାର୍ଯ୍ୟକାରି କରିଥାନ୍ତେ, ତେବେ ଆଜି ଅବସ୍ଥା ଏମିତି ନ ଥାନ୍ତା!.


କୋଉଠି ନା କୋଉଠି ନିଜକୁ ଦେଖେଇ ହବାର, ଲୋଭ ରହିଯାଉଛି |ଏଣୁ କାର୍ଯ୍ୟକ୍ରମ ସଫଳ ହେଉନାହିଁ |ଏତେ ସଂଗଠନ ଯଦି ଗୋଟିଏ ସ୍ୱରରେ ସାରା ପ୍ରଦେଶରେ ଭାଷା ଓ ସୀମା ସୁରକ୍ଷା ଅଭିଯାନ ଚାଲୁ ରଖନ୍ତେ ତେବେ ଅବସ୍ଥା ସୁଧୁରି ଯା’ନ୍ତା | ଏବେ ଭୋଟ ସମୟରେ ଲୋକେ ସଚେତନତା ସହ ପ୍ରାର୍ଥୀ ଚୟନ କରିବାର ଅଛି | ସମସ୍ତଙ୍କୁ ଅନୁରୋଧ ଟିକେ ଅନ୍ତର ଭିତରେ ଚିନ୍ତା କରନ୍ତୁ, ପ୍ରତିବର୍ଷ ବଜେଟରେ ବିକାଶ ପାଇଁ ଅର୍ଥ ବ୍ୟବସ୍ଥା ହୁଏ, ଓ ସେହି ଅର୍ଥ ସତରେ କାର୍ଯ୍ୟରେ ଲାଗିଲେ ଗୋଟିଏ ବର୍ଷରେ ଗରୀବ ଶବ୍ଦ ଉଚ୍ଚାରଣ ହେଉନଥାନ୍ତା |ଦେଶ ରାଜ୍ୟ ସବୁଥିରେ ଆତ୍ମ ନିର୍ଭର ହୋଇଥାନ୍ତା |ମାତ୍ର ତାହା ହୋଇନି |

ଆମ ଭାଷା, ସାହିତ୍ୟ, ସଂସ୍କୃତି ଅବହେଳିତ |

ଅଣଓଡ଼ିଆଙ୍କ ଶାସନରେ ଆମେ ଆଉ କିଛି ବର୍ଷ ପରେ ଦେଖିବା ଓଡିଶା ଭୂଖଣ୍ଡ ଥିବ, ଜଣେ ଓଡ଼ିଆ ନ ଥିବେ |

ସମୟର ଆବଶ୍ୟକତାକୁ ଦେଖି ସୃଷ୍ଟି ହେଇଥିବା ସଙ୍କଟରୁ ଆମ ଭାଷାର ସୁରକ୍ଷା ପାଇଁ ଆମକୁ ଦୃଢ଼ ସ୍ୱର ଉତ୍ତୋଳନ କରିବାକୁ ହେବ | ଓଡ଼ିଆ ଭାଷା ସରକାରୀ କାର୍ଯ୍ୟାଳୟର ଭାଷା ନ ହେଲେ ଏ ଭାଷା ବଞ୍ଚିବନି |

ସରକାରଙ୍କୁ ଅନୁରୋଧ ଏହାକୁ କୃତି ଓ ବୃତ୍ତିର ଭାଷା କରନ୍ତୁ |ଭାଷା ଆଇନ ସଂଶୋଧନ ଯଥାଶୀଘ୍ର କରି ଓଡ଼ିଆ ଭାଷାକୁ ଯଥା ମର୍ଯ୍ୟାଦା ପ୍ରଦାନ କରନ୍ତୁ | ଓଡ଼ିଆ ଜାତୀୟ ସମ୍ମିଳନୀ ଭାଷାଦିବସରେ ସରକାରଙ୍କୁ ଭାଷା ଆଇନ ସଂଶୋଧନ ପୂର୍ବକ ଆମ ଭାଷାକୁ ଶାସନର ଭାଷା କରିବାକୁ ଆଉଥରେ ଅନୁରୋଧ କରୁଛି|

ଭାଷା, ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ବିନମ୍ର ନିବେଦନ ସମସ୍ତେ ଏକସଙ୍ଗେ ଭାଷା ବିରୋଧୀଙ୍କୁ ଉଚିତ ଜବାବ ଦେବାକୁ ଆଗେଇ ଆସନ୍ତୁ |ଓଡ଼ିଆ ଜାତୀୟ ସମ୍ମିଳନୀ ଏ ଦିଗରେ ସମସ୍ତଙ୍କୁ ସକ୍ରିୟ ସହଯୋଗ ପ୍ରଦାନ କରିବ |

* ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି,

ଓଡ଼ିଆ ଜାତୀୟ ସମ୍ମିଳନୀ. . ଦୂରଭାଷ -9238304919

Leave A Reply

Your email address will not be published.