ଭଦ୍ରକ ଟେକ୍ସଟାଇଲ ପାର୍କ : ଭିଡୁକୁ ନୁହେଁ

0
  • ଫଳକ କେବଳ ସାକ୍ଷୀ, ସେ ବି ଅସୁରକ୍ଷିତ

  •  ଆବଶ୍ୟକ ଜମି ଅଧିଗ୍ରହଣ ସତ୍ୱେ ଆଗେଇ ପାରୁନି ପ୍ରକଳ୍ପ
  • ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ହେଉନି ରାଜନୈତିକ ପ୍ରସଙ୍ଗ


ଭଦ୍ରକ,ଭୁବନେଶ୍ୱର,//TATKAL ODISHA//

କପଡ଼ା କାରଖାନାରେ କାମ ପାଇଁ ଲକ୍ଷାଧିକ ସଂଖ୍ୟାର  ଓଡ଼ିଆ ଲୋକେ ଆଉ ସୁରଟ କି ମୁମ୍ବାଇ ଯିବେ ନାହିଁ I ଏଣିକି ନିଜ ରାଜ୍ୟରେ କାମ କରିବେ I ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ଧାମନଗରରେ ପ୍ରସ୍ତାବିତ ‘ଟେକ୍ସଟାଇଲ ପାର୍କ’ରେ କାର୍ଯ୍ୟ କରିବାର ସୁଯୋଗ ମିଳିବ I ପ୍ରକଳ୍ପ ଆରମ୍ଭ ହେବା ପରେ ଓଡ଼ିଶା ଲୋକଙ୍କ ଆର୍ଥିକ ସ୍ଥିତି ବଦଳିଯିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଅଧିକ ରାଜସ୍ବ ପାଇବେ I

ତିନି ବର୍ଷ ପୂର୍ବରୁ ଏଭଳି ଗୋଲାପୀ ଚିତ୍ର ପ୍ରଦର୍ଶନ ହୋଇଥିଲା I ହେଲେ ବାସ୍ତବରେ କାର୍ଯ୍ୟ ଶୂନ! ପାର୍କ ପାଇଁ  ଆବଶ୍ୟକ ଜମି ଅଧିଗ୍ରହଣ ହୋଇ ଥିଲେ ହେଁ ପ୍ରକଳ୍ପ ଆଗେଇ ପାରୁନାହିଁ I

ଟେକ୍ସଟାଇଲ ପାର୍କ ପ୍ରକଳ୍ପ ସ୍ବପ୍ନ ଏବେ ଦୁସ୍ବପ୍ନରେ ପରିଣତ”

ହାୟରେ ଫଳକ??

5 ମାର୍ଚ୍ଚ 2019ରେ ରାଜ୍ୟ ଉଚ୍ଚସ୍ତରୀୟ ନିର୍ଗମନ କର୍ତ୍ତୃପକ୍ଷଙ୍କର ୧୯ତମ ବୈଠକରେ ଭଦ୍ରକ ଜିଲ୍ଲାର ଧାମନଗର ନିକଟରେ ସ୍ଥାପିତ ଟେକ୍ନିକାଲ ଟେକ୍ସଟାଇଲ ପାର୍କ ନେଇ ଅନୁମୋଦନ ଲାଭ କରିଥିଲା I ପରେ ରାଜ୍ୟସ୍ତରୀୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଭାରତୀୟ ତୈଳ ନିଗମ (ଆଇଓସିଏଲ) ଦ୍ବାରା ଏକ ପଲିଷ୍ଟର ସ୍ଟେପଲ ଫାଇବର ଓ ୟାର୍ଣ୍ଣ  ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା (ଏମଓୟୁ) ସ୍ଵାକ୍ଷର ହୋଇଥିଲା I

ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ପ୍ରକଳ୍ପ ପାଇଁ 59.625 ଏକର ଜମି ଆବଣ୍ଟନ କରି ଦେଇଥିଲେ। ଉକ୍ତଜମିକୁ ରାଜ୍ୟ ସରକାର ନବେ ଦଶକର ଶେଷ ପର୍ଯ୍ୟାୟରେ ଧରଣୀ ସୁଗାର ମିଲ୍ସ ପାଇଁ ଉଦ୍ଧିଷ୍ଟ 234.86 ଏକର ଜମିରୁ କାଟି ଆଇଓସିଏଲକୁ ଇଡକୋ ଜରିଆରେ ଯୋଗାଇ ଦିଆଯାଇଛି I ଜାତୀୟ ରାଜପଥ ପାର୍ଶ୍ଵ ଏତେ ଅଳ୍ପ ସ୍ଥାନରେ ଟେକ୍ସଟାଇଲ ପାର୍କ କିଭଳି ସମ୍ଭବ ହେବ ତାକୁ ନେଇ ବିରୋଧୀ ପ୍ରଶ୍ନ କରିଥିଲେ ହେଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର  ଗୁରୁତ୍ୱ ଦେଇ ନଥିଲେ I

ଏମଓୟୁ  ବେଳେ ଆଇଓସିଏଲ କର୍ତ୍ତୃପକ୍ଷ ଏବଂ  ତତକାଳୀନ ରାଜ୍ୟ ଶିଳ୍ପ ସଚିବ ଉପରୋକ୍ତ ପ୍ରକଳ୍ପ ମାଧ୍ୟମରେ 1970.52 କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି ଘୋଷଣା କରିଥିଲେ I ପ୍ରସ୍ତାବ ଭିତ୍ତିରେ 300 କେଟିପିଏ କ୍ଷମତା ବିଶିଷ୍ଟ ପଲିଷ୍ଟର ଉତ୍ପାଦ ୟୁନିଟ ହେଵା କଥା I ଏଥିରେ 100 କେଟିପିଏ କ୍ଷମତା ବିଶିଷ୍ଟ ପଲିଷ୍ଟର ସ୍ଟେପଲ ଫାଇବର, 167 କେଟିପିଏ କ୍ଷମତା ବିଶିଷ୍ଟ ଟେକ୍ସଚରାଇଡ ୟାର୍ଣ୍ଣ  ଓ 33 କେଟିପିଏ କ୍ଷମତା ବିଶିଷ୍ଟ ଫୁଲ୍ଲୀ ଡ୍ରନ ୟାର୍ଣ୍ଣ ଅନ୍ତର୍ଭୁକ୍ତ ହେବା କଥା I

ହେଲେ ତାହା ବିଳମ୍ବିତ ହେବାରେ ଲାଗିଛି I ଟେକ୍ସଟାଇଲ ପାର୍କ’ କାର୍ଯ୍ୟକ୍ଷମ ହେଲେ 209 ଲୋକ କର୍ମନିଯୁକ୍ତି ପାଇବେ ଏବଂ ଡାଉନ ଷ୍ଟ୍ରିମ  କପଡା ଶିଳ୍ପରେ ହଜାର ହଜାର ଲୋକ କାମ କରିବାର ସୁଯୋଗ ପାଇବେ ବୋଲି କୁହାଯାଇଥିଲା I ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଟେକ୍ସଟାଇଲ ପାର୍କ ପ୍ରକଳ୍ପ ଭାଗ୍ୟ ସେମିତି ହୋଇଛି I

କେବଳ ସେତିକି ନୁହେଁ ଧାମନଗର ଛକ ଠାରେ ଇଡକୋ  ଦ୍ବାରା  ଫୁଡ ପାର୍କ, ଟେକ୍ସଟାଇଲ  ପାର୍କ  ଆଦି ପ୍ରତିଷ୍ଠା ନିମନ୍ତେ ବି ନିଷ୍ପତ୍ତି ହୋଇ ଥିଲା I ଇଡକୋ ତରଫରୁ ଅଧିକୃତ 234.86 ଏକର ଜମିରେ ଫୁଡ଼ ଶିଳ୍ପ ଭିତ୍ତିଭୂମିର ଉନ୍ନତିକରଣ ବି କରାଯାଇଛି I ତାହା ବି ଅଧପନ୍ତରିଆ ହୋଇ ପଡ଼ି ରହିଛି I କେବେ ଏସବୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ତାକୁ ନେଇ ଉଠିଛି ପ୍ରଶ୍ନ I

କେତେକଙ୍କ ମତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ  ବିଭିନ୍ନ ପ୍ରସଙ୍ଗରେ ତୁ ତୁ ମେଁ ମେଁ ଚାଲିଥିବାରୁ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେଉଥିବା କୁହାଯାଉଛି I ତେଣୁ ନିର୍ବାଚନରେ ଏହାକୁ ବିରୋଧୀ ରାଜନୈତିକ ପ୍ରସଙ୍ଗ କରାଯାଉନି I କାରଣ ନିଜର ସ୍ୱାର୍ଥ ନିହିତ ରହିଥିବା ଅଭିଯୋଗ ହୋଇଛି I

Leave A Reply

Your email address will not be published.