ବୁଦ୍ଧ ଜୟନ୍ତୀରେ ଅରବିନ୍ଦଙ୍କ ନିଚ୍ଛକ ଗଳ୍ପ-‘ନିର୍ବାଣ’
//TATKAL ODISHA//
★★★★★★★★★★★
ଅରବିନ୍ଦ ଦାସ
ସନ୍ୟାସୀ ଗୌତମ ଦେବ ବାବା ଆସୁଛନ୍ତି……
….ଅନେକ ବର୍ଷ ପରେ ନିଜ ସହରକୁ….
ସାରା ସହରରେ ପୋଷ୍ଟର ମରାହୋଇଥିଲା।
ଆଧ୍ୟାତ୍ମିକଜ୍ଞାନ ତଥା ଭଗବତ ସାନିଧ୍ୟ ପାଇବାପାଇଁ ନିଜ ଘର ପରିବାର ତ୍ୟାଗ କରି,ଲୋକଲୋଚନରୁ ନିଜକୁ ଦୂରରେ ରଖି,ହିମାଳୟରର ଗୁମ୍ଫାରେ ଅନେକବର୍ଷ କଠିନ ତପସ୍ୟା କରିଥିବା,ବାବା ଗୌତମଙ୍କର ଋଷିକେଶରେ ଏକ ଆଶ୍ରମ ବି କାଳେ ଅଛି।
ସିଦ୍ଧାନ୍ତ ମହାନ୍ତିରୁ, ସ୍ୱାମୀ ଗୌତମଦେବ !!
ଆବାକାବା ହୋଇ ପୋଷ୍ଟର ଫଟକୁ ଦେଖୁଥିଲେ ଯଶୋଧାରା।ପରିବର୍ତ୍ତନ ଅଥବା ବିବର୍ତ୍ତନ !
ସ୍ୱାମୀ ଗୌତମବାବା, ବୁଦ୍ଧପୂର୍ଣ୍ଣିମା ଦିନ ସହରରେ ଏକ ଅନୁଷ୍ଠାନରେ ତରଫରୁ ହେଉଥିବା ସଭାରେ ପ୍ରବଚନ ଦେବେ।
ଖବରକାଗଜରେ ବାହାରିଥିବା ସମ୍ବାଦ ଉପରେ ଆଖି ବୁଲାଇ ଆଣିଲେ ଯଶୋଧାରା।ଫଟ ଟିକୁ ବାରମ୍ବାର ଦେଖିଲେ।ନା କିଛି ଭୁଲ ନାହିଁ,ଏ ହିଁ ତାଙ୍କ ସ୍ୱାମୀ ସିଦ୍ଧାନ୍ତ।
ଏତେବର୍ଷ ହେଲାଣି ନିଖୋଜ ଥିବା ତାଙ୍କ ସ୍ବାମୀ ଏମିତି ରୂପରେ ଯେ ଫେରିବେ ତାହା ତାଙ୍କୁ ଅବିଶ୍ବାସ ମନେ ହେଉଥିଲା।ନିଜକୁ ଚିମୁଟିଲେ ଯଶୋଧାରା।
କାନ୍ଥରେ ଟଙ୍ଗା ହୋଇଥିବା ସିଦ୍ଧାନ୍ତଙ୍କ ସହ ନିଜର ଯୁଗଳ ଫଟକୁ ଅନେଇଲେ ସେ।ଅଚାନକ ଏଭଳି ଖୁସି ଖବର ଯେ ଭଗବାନ ତାଙ୍କୁ ଦିନେ ଦେବେ ସେ ବିଶ୍ବାସ ଅଵଶ୍ୟ ଥିଲା ତାଙ୍କର।ଚଟକିନା ଯାଇ ଠାକୁରଘରେ ଘିଅ ଦୀପ ବସାଇ ମୁଣ୍ଡିଆ ମାରିଲେ।
ବିବାହିତା ଝିଅ ଦୁହେଁ ଖୁସି ହୋଇ ଯଶୋଧାରାଙ୍କୁ ଫୋନ କରିଥିଲେ।
ବଡ଼ଝିଅ ଡଲି କହୁଥିଲା,
–ବୋଉ,ଆମେ ଦୁହେଁ ବି ଘରକୁ ଆସୁଛୁ।ଏତେବର୍ଷ ପରେ ବାପା ଘରକୁ ଫେରୁଛନ୍ତି।ଆମେ ସମସ୍ତେ ମିଶି ତାଙ୍କୁ ସ୍ବାଗତ କରିବା।ସେଦିନ ପୁଣି ବାପାଙ୍କ ଜନ୍ମଦିନ।ଘରେ କେକ କାଟି ସେଲିବ୍ରେଟ କରିବା।”
ସାନଝିଅ ରୁବି କହୁଥିଲା,
-ବୋଉ କଣ ଜନ୍ମଦିନରେ କେକକଟା କୁ ପସନ୍ଦ କରେ ?ସେ ପରା ବାପାଙ୍କ ଜନ୍ମଦିନରେ ପ୍ରତିବର୍ଷ ପିଠା,କ୍ଷୀରି କରେ।ବାପା ଘର ଛାଡ଼ି ଚାଲିଗଲା ପରେ ବି ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ମନେରଖି
ସବୁ ଜିନିଷ କରି ,ବାପାଙ୍କ ଫଟକୁ ଧରି କାନ୍ଦେ।ଯା ହେଉ,ବୋଉର ଧୈର୍ଯ୍ୟ ଓ ବିଶ୍ବାସ ହିଁ ବାପାଙ୍କୁ କେବଳ ବଞ୍ଚାଇ ରଖିନି, ବରଂ ଘରକୁ ଫେରାଇ ଆଣିଛି।ସତରେ ବୋଉ ଅନନ୍ୟା।”
ଜୋଇଁ ଦୁହେଁ ବି ଖୁସିହୋଇ ଯଶୋଧାରାଙ୍କ ସହ କଥାହୋଇ କହିଲେ,
–ଏମିତି ଶୁଭ ଦିନରେ ବାପା ଫେରୁଛନ୍ତି।ଆମେ ଗୋଟେ ସରପ୍ରାଇଜ ପାର୍ଟି ରଖିବା ବାପାଙ୍କ ସ୍ୱାଗତ ପାଇଁ।ଯାହେଲେ ବି ଗୃହ ପ୍ରତ୍ୟାବର୍ତ୍ତନ।”
ପିଲାଙ୍କ ସହ କଥାଆହୋଇ ଫୋନ ରଖିଲେ ଯଶୋଧାରା।ସ୍ୱାମୀଙ୍କ ଠାରୁ ଦୀର୍ଘଦିନର ବିଚ୍ଛେଦ କଥାସବୁ ମନେ ପକାଉଥିଲେ ସେ।ଚଳଚିତ୍ରର ଦୃଶ୍ୟଭଳି ସବୁଜିନିଷ ଗୋଟି ଗୋଟି ହୋଇ ତାଙ୍କ ଆଖି ସାମ୍ନାରେ ନାଚି ଉଠିଲା।
ସ୍ୱାମୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ସୁଖୀ ସଂସାର।ହଠାତ ବ୍ୟବସାୟରେ ବହୁତ କ୍ଷତି ସହ ଅନେକ ଋଣ ନଶୁଝିବାର ଚାପ ସିଦ୍ଧାନ୍ତଙ୍କ ଉପରେ ପଡିବାରୁ,ତଥା ଋଣ ଦେଇଥିବା ଲୋକଙ୍କ ବାରମ୍ବାର ଘରକୁ ଆସି ଧମକ ଚମକ ଦେବାରୁ ମାନସିକଚାପର ବଶବର୍ତ୍ତୀ ହୋଇଥିଲେ ସିଦ୍ଧାନ୍ତ।ଥରେ ସିଦ୍ଧାନ୍ତଙ୍କ କଥାଶୁଣି ଚମକି ପଡ଼ିଥିଲେ ଯଶୋଧାରା।
–ଶୁଣ,ଏସବୁ ଲୋନ ସୁଝିବାର ବାଟ ମୋତେ ଦିଶୁନି।ଜମିବାଡ଼ି,ସମ୍ପତ୍ତି ବା ଅନେକ ସୁନାଗହଣା ନାହିଁ ଯେ ତାକୁ ବିକି ଏସବୁ ଋଣ ସୁଝିବି।ଚାଲ ଆମେ ସମସ୍ତେ କୋଲଡ଼ ଡ୍ରିଂକ୍ସରେ ବିଷ ମିଶାଇ ପିଇ,ଏକାଠି ଆତ୍ମହତ୍ୟା କରିଦେବା,ମୁକ୍ତି ମିଳିଯିବ ଏସବୁ ନିର୍ଯ୍ୟାତନା, କଷ୍ଟ,ଅପମାନରୁ।”
ଯଶୋଧାରା ବିରକ୍ତ ହୋଇ କହିଥିଲେ,
–ତୁମ ମୁଣ୍ଡ ଖରାପ ହେଲାଣି ନା କଣ ?ଏଭଳି ମୂର୍ଖାମୀ କରିବା କଣ ଠିକ ?ଧୈର୍ଯ୍ୟ ଧର,ଭଗବାନ ସବୁ ଠିକ କରିଦେବେ।ମୁଁ ବି କିଛି କାମ କରି ତୁମକୁ ସାହାଯ୍ୟ କରିବି।”
-କି କାମ କରିବ ତୁମେ ?ପର ଘରେ ବାସନ ମାଜି ମୋତେ ସାହାଯ୍ୟ କରିବ ଅବା ଛୁଆଙ୍କୁ ଧରି ଭିକ ମାଗିବ ?”
ଦିନେ ରାତିରେ କାହାକୁ କିଛି ନକହି ଘର ଛାଡ଼ି ଚାଲିଯାଇଥିଲେ ସିଦ୍ଧାନ୍ତ।ସହର ଉପକଣ୍ଠରେ ଥିବା ନଦୀ ବନ୍ଧ ପାଖରୁ ତାଙ୍କ ପିନ୍ଧା ସାର୍ଟ ପ୍ୟାଣ୍ଟ ଓ ଚପଲ ମିଳିଥିଲା।ସମସ୍ତେ କହୁଥିଲେ ବଢ଼ିଲା ନଈ ପାଣିକୁ ଡେଇଁ ସିଦ୍ଧାନ୍ତ ଆତ୍ମହତ୍ୟା କରିଥିବେ।ଅନେକ ଖୋଜାଖୋଜି ପରେ ବି ସିଦ୍ଧାନ୍ତଙ୍କ ଶରୀର ମିଳିନଥିଲା।ପୋଲିସ ମିସିଙ୍ଗ କେସର ଫାଇଲ ଶେଷରେ ବନ୍ଦ କରିଦେଇଥିଲା।ସିଦ୍ଧାନ୍ତଙ୍କ ନିଖୋଜ ହେବାର ବାର ବର୍ଷ ପରେ ବି ଶୁଦ୍ଧି ହେବାକୁ ମନାକରି ନିଜର ଶଙ୍ଖା,ସିନ୍ଦୁର ଓଲ୍ହାଇ ବିଧବା ବେଶ ପାଇଁ ସଫା ମନା କରିଦେଇଥିଲେ ଯଶୋଧାରା।
ସଧବା ବେଶ ହୋଇ ନିଜେ ଓ ନିଜ ପିଲାଙ୍କୁ ସମ୍ଭାଳି ନିଜ ଉଦ୍ୟମରେ ପ୍ରଥମେ ସିଲାଇ ଓ ପରେ ନିଜ ହାତରେ ଆରିଶା,କାକରା ଇତ୍ୟାଦି ପିଠା ତିଆରି କରି ବ୍ୟବସାୟ ଆରମ୍ଭ କରିଥିଲେ ଯଶୋଧାରା।ଧୀରେ ଧୀରେ ବ୍ୟବସାୟ ବଢ଼ିଥିଲା ଓ ସ୍ବାମୀଙ୍କ ସମସ୍ତ ଋଣ ପରିଶୋଧ କରି ଯଶୋଧାରା ଆଜି ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ଜଣାଶୁଣା।
ଭାଵନା ରାଜ୍ୟରୁ ଫେରିଆସି ଦର୍ପଣରେ ନିଜ ମୁହଁକୁ ଦେଖି ନିଜ କପାଳ ଓ ମଥାର ସିନ୍ଦୁରକୁ ସଜାଡି ଦେଲେ ଯଶୋଧାରା।
ବୁଦ୍ଧପୂର୍ଣ୍ଣିମା ଦିନ ସିଦ୍ଧାନ୍ତଙ୍କ ଜନ୍ମଦିନ ବୋଲି ପିଲେ ପାର୍ଟି ରଖିବାକୁ ଜିଦି କରୁଛନ୍ତି।
ସାହିପଡିଶା ତଥା ଜ୍ଞାନ୍ତିକୁଟୁମ୍ବଙ୍କ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି।ହେଲେ ଯଶୋଧାରାଙ୍କ ଅସୁବିଧା ବେଳେ କେହିତ ସାହାଯ୍ୟର ହାତ ବଢ଼ାଇ ନଥିଲେ।ଦୁଇଟା ଝିଅଙ୍କୁ ନେଇ,ଜଣେ ମା ଏକୁଟିଆ କେମିତି ଚଳିବ ତା ବି କିଏ କାହିଁକି ଚିନ୍ତା କରିବ ?ଦୁନିଆ ସ୍ୱାର୍ଥପର।ତେବେ ଯଶୋଧାରା କାହାକୁ ଦୋଷ ଦେଇନଥିଲେ।କାହିଁକି ବା ଦେବେ ?ନିଜ ଶିଙ୍ଗରେ ମାଟି ତାଡି ଆଗକୁ ବଢ଼ିବା ହେଉଛି ଜବନର ମୂଳମନ୍ତ୍ର।ପରିଶ୍ରମ ଓ ଅଧ୍ୟବସାୟ ମଣିଷକୁ ତା ଲକ୍ଷ୍ୟ ସ୍ଥଳରେ ଦିନେ ନା ଦିନେ ପହଞ୍ଚାଇ ଥାଏ।ସେଇ ବିଶ୍ବାସରେ ସେ ବଢି ଆଜି ନିଜେ ସ୍ୱାବଲମ୍ବୀ ହୋଇ,ଦୁଇ ଝିଅଙ୍କୁ ଉଚ୍ଚଶିକ୍ଷା ଦେଇ ବାହା କରାଇଛନ୍ତି।ତଥାପି ସିଦ୍ଧାନ୍ତଙ୍କ କଥା ତାଙ୍କର ମନେପଡେ।ଅବଶ୍ୟ କେବେ ସେ ପିଲାଙ୍କ ସାମ୍ନାରେ ଦିନେ ବି କାନ୍ଦିନ୍ତିନି,କାରଣ ଦୁର୍ବଳମନା ହେଲେ ଜଣେ ଜୀବନରେ ହାରିଯାଏ।
ପଡୋଶୀ ମହିଳାମାନେ ଆସି ତାଙ୍କ ଘରେ ଭିଡ଼ ଜମାଇଥିଲେ।ଜଣେ କହୁଥିଲା,
-ଏବେ ଜାଣ ଯଶୋଧାରାଙ୍କ ମନୋସ୍କାମନା ପୂରଣ ହେଲା।ଭଲ ହୋଇଛି ସାଧବା ବେଶ ତାଙ୍କର ସଫଳ ହେଲା।”
ଅନ୍ୟଜଣେ କହୁଥିଲା,
-କିଏ ଭାବିଥିଲା ମଲା ମଣିଷ ପୁଣି ଫେରିବ ବୋଲି ?ସିଦ୍ଧାଣ୍ଟ ବାବୁ ଏବେ ଗୌତମଦେବ ବାବା।ଜ୍ଞାନୀ,ଗୁଣୀ, ପ୍ରବଚକ।ଅସମ୍ଭବ ସମ୍ଭବ ହେଲା।ବୁଝିଲ ଯଶୋଧାରା,ଭଲ ଭୋଜିଟେ ଆମକୁ ଦେବ।ଆଛା, ସିଦ୍ଧାନ୍ତ ବାବୁ ଏଣିକି ଘରେ ରହିବେ ନା ତାଙ୍କ ଆଶ୍ରମ ରେ ରହିବେ ?”
ଅନ୍ୟଜଣେ କହିଲା,
–ସିଏ ନିଶ୍ଚେ ଯଶୋଧରାଙ୍କୁ ସାଙ୍ଗରେ ତାଙ୍କ ଆଶ୍ରମ କୁ ନେଇଯିବେ।”
ଗମ୍ଭୀର ହୋଇ ଯଶୋଦା କହିଲେ,
-ମୋର କିନ୍ତୁ ଦୃଢ଼ ବିଶ୍ବାସ ଥିଲା ସେ ବଞ୍ଚିଛନ୍ତି ଓ ଦିନେ ଫେରିବେ।”
ଝିଅ ଜୋଇଁ ସବୁ ଆସି ଘରେ ପହଞ୍ଚି ଯାଇଥିଲେ।ସହରରେ ଅନୁଷ୍ଟିତ ସଭାର କର୍ମକର୍ତ୍ତା ମାନେ ଯଶୋଧାରା ତଥା ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ଜଣାଇ ସେଠାକୁ ଯିବାକୁ ସାଦର ଅନୁରୋଧ କରିଥିଲେ।
ଡଲି କହୁଥିଲା,
-ବୋଉ,ବାପା କଣ ଆମକୁ ଚିହ୍ନି ପାରିବେ ?ଆମେ ବି କେମିତି ଖବର ପାଇଲେନି କି ସେ ରୁଷିକେଶରେ ଆଶ୍ରମ ବନେଇ ରହିଛନ୍ତି ବୋଲି ?ଛାଡ଼ ସେକଥା ତୁ କାଲି ତୋର ସେ ଲାଲ ରଙ୍ଗର ବନାରସୀ ପାଟ ସହ ନାଲି ଶଙ୍ଖା ଓ ଚୁଡ଼ି ପିନ୍ଧିବୁ।”
ଦୁଇ ଜୋଇଁ କହିଲେ,
-ଏତେ ବର୍ଷ ପରେ ବାପା ଫେରୁଛନ୍ତି।ବାପା ବୋଉଙ୍କ ବାହାଘର ଆସନ୍ତାକାଲି ଆଉଥରେ କରିବା।ନାଚ ଗୀତ ଆମେ କରିବା ,ବାପା ବୋଉ ଦୁହେଁ ପରସ୍ପରକୁ ଫୁଲମାଳ ପିନ୍ଧାଇବେ।ଏହା ଅସଲ ସରପ୍ରାଇଜ ହେବ।”
ସାନଝିଅ କହିଲା,
–ବୋଉ ତ ଖୁସି ହେବ,କିନ୍ତୁ ବାପା ରାଜି ହେବେ ତ ?
ବାପାଙ୍କୁ ମନାଇବାର ଦାୟିତ୍ୱ ବୋଉ’ର।”
ସମସ୍ତେ ହସୁଥିଲେ।
ପ୍ରବଚନ ସଭାକୁ ସମସ୍ତେ ଯିବାକୁ ବାହାରିଲାବେଳେ ଯଶୋଧାରାଙ୍କୁ ଦୁଇ ଝିଅ ଲାଲ ରଙ୍ଗର ପାଟ ଶାଢ଼ୀ ପିନ୍ଧାଇ ମେକ ଅପ କରିଦେଲେ।ହଠାତ ଯଶୋଧାରା କହିଲେ,
-ତୁମେ ସମସ୍ତେ ଗୋଟେ ଗାଡ଼ିରେ ଚାଲିଯାଅ,ମୁଁ ପରେ ଏକୁଟିଆ ଅଲଗା ଯିବି।ମୋତେ ତୁମ ସାଙ୍ଗରେ ନଦେଖି ତୁମ ବାପା ସରପ୍ରାଇଜ ହୋଇଯିବେ।”
ସମସ୍ତଙ୍କ ମନକୁ କଥାଟା ପାଇଲା।
ସଭାରେ ବାବାଗୌତମଦେବ ପ୍ରବଚନ ଦେଉଥିଲେ।ଜଣେ ପ୍ରଶ୍ନ କଲେ,
-ବାବା,ଏଇ ସହରରେ ଆପଣଙ୍କ ପରିବାର ରହୁଛନ୍ତି।ଏତେ ବର୍ଷପରେ ଆପଣ ପୁଣିଥରେ ସାଂସାରିକ ଜୀବନ ଆରମ୍ଭ କରିବେ କି ?ଘର,ପରିବାର ଛାଡି ଆପଣଙ୍କୁ ଜୀବନରେ କଣ ମିଳିଲା ?ଆପଣ ନିଜକୁ ସନ୍ୟାସୀ ଅଥବା ବିବାହିତ ବୋଲି ଭାବନ୍ତି ?”
ଆଖି ବୁଜି ବାବା ଧ୍ୟାନ ମୁଦ୍ରାରେ ବସିଥିବା ଗୌତମବାବା ଆଖି ଖୋଲି,ମୃଦୁହସି କହିଲେ,
-କାମନାର ବିନାଶରେ ଦୁଃଖର ବିନାଶ।ସାଂସାରିକ ମୋହମାୟା ତ୍ୟାଗ କରି କଠିନ ତପସ୍ୟା ବଳରେ ନିଜ ଇନ୍ଦ୍ରିୟ ମାନଙ୍କୁ କବଳିତ କରି ମୁଁ ନିର୍ବାଣ ପ୍ରାପ୍ତ ହୋଇଛି।ଜୀବନର ଅସଲ ଲକ୍ଷ ଖୋଜି ପାଇବା ସହ ଶାନ୍ତି ପାଇଛି ମୁଁ।ତେବେ ନିଜ ସ୍ତ୍ରୀ, ପରିବାରକୁ ମୁଁ ଆଜି ବି ସ୍ୱୀକାର କରେ।”
ତାଳି ମାଡ଼ରେ ସଭାସ୍ଥଳ କମ୍ପୁଥିଲା।ଜଣେ ପୁଣି ପଚାରିଲା,
-ଆପଣଙ୍କୁ ଯଦି ଆଜି ନିଜ ସ୍ତ୍ରୀଙ୍କୁ ଗ୍ରହଣ କରିବାକୁ କୁହାଯାଏ,ତେବେ ଆପଣ ରାଜିହେବେ ?”
ସାମ୍ନାସିଟରେ ବସିଥିବା ପିଲାମାନେ ଅନେଇଥିଲେ ବାବାଙ୍କ ମୁହଁରୁ ଉତ୍ତର ଶୁଣିବାକୁ।ହଠାତ ସଭାସ୍ଥଳରେ ଯଶୋଧାରାଙ୍କ ପ୍ରବେଶ ଯୋଗୁଁ,ଚାରିଆଡେ ଚାପା ଗୁଞ୍ଜରଣ ଖେଳିଗଲା।ଆବାକାବା ହୋଇ ପିଲେ ଅନେଇଥିଲେ ବୋଉର ବେଶକୁ।ହାତରେ ବି କଣ ଗୋଟେ ଧରିଥିଲେ।
ବାବା ଗୌତମ ବି ଚୁପଚାପ ଲକ୍ଷ କରୁଥିଲେ ନିଜ ସ୍ତ୍ରୀଙ୍କୁ।
ଯଶୋଧାରା ସିଧା ଷ୍ଟେଜକୁ ଚଢି ଯାଇ ହାତରେ ଧରିଥିବା ଗୋଟେ ଗ୍ଲାସ ସ୍ବାମୀଙ୍କ ଆଡ଼କୁ ବଢ଼ାଇ ଦେଇ କହିଲେ,
–ନିର୍ବାଣ ,ମୋକ୍ଷ ପାଇବାର ଯଦି ସାହାସ ଓ ଇଛା ଅଛି,ତେବେ ଏଇ କୋଲଡ଼ ଡ୍ରିଂକ୍ସ ଆଜି ପିଇଦିଅ।ବିଷ ମିଶାଇ ଆଣିଛି,ତୁମ ମୁକ୍ତି ପାଇଁ ।”
ହସିଦେଇ ବାବା କହିଲେ,
-କାମନାର ବିନାଶରେ ଦୁଃଖର ବିନାଶ।କୋଲଡ଼ ଡ୍ରିଂକ୍ସ ହେଉଛି ଏକ ପ୍ରକାର ମୋହ,ମାୟା।ଏସବୁ ପଦାର୍ଥଠାରୁ ସନ୍ୟାସୀ ଦୂରରେ ରୁହେ।ନିର୍ବାଣ ପାଇଁ କଠିନ ବ୍ରତ ପାଳିବାକୁ ହୁଏ।”
ଠୋ ଠୋ ହସି ଯଶୋଧାରା ଏଥର ଉପସ୍ଥିତ ଜନତାଙ୍କ ଆଡ଼କୁ ଅନାଇ କହିଲେ,
-ଆପଣମାନଙ୍କ ଆରାଧ୍ୟ ଏଇ ସ୍ୱାମୀ ବାବା ହେଉଛନ୍ତି ମୋ ଅସଲ ସ୍ୱାମୀ ସିଦ୍ଧାନ୍ତ ମହାନ୍ତି,ଯିଏ ଅନେକ ବର୍ଷ ତଳେ ମୋତେ ଓ ଆମ ଦୁଇ ପିଲାଙ୍କୁ ଛାଡି ଲୁଚି ପଳାଇ ଥିଲେ।ଋଣ ଭାରର ଚାପ ଯୋଗୁଁ ଦିନେ ଏଇ ଲୋକ ଆମ ସମସ୍ତଙ୍କୁ କୋଲଡ଼ ଡ୍ରିଂକ୍ସରେ ବିଷ ମିଶାଇ ପିଇବାକୁ ବାଧ୍ୟ କରିଥିଲା ,ଅଥଚ ଆଜି ସନ୍ୟାସୀ ହୋଇ ସୁଦ୍ଧା ବିଷ ମିଶ୍ରିତ ଏଇ କୋଲଡ୍ରିଂକ୍ସ ପିଇବାକୁ ଡରୁଛି।କାହିଁକି ?କେଉଁ କାମନା ନେଇ ଏଇ ଢ଼ୋଙ୍ଗୀ ବାବା ଜୀବନର ମୋହ ଛାଡି ପାରୁନି ?”
ଚ୍ଛେପ ଢ଼ୋକି ଗୌତମବାବା କହିଲେ,
–ମୁଁ କଠିନ ତପସ୍ୟା କରିଛି….ନିର୍ବାଣ ପାଇଛି।ଆଶ୍ରମରେ ଜୀବନ କାଟୁଛି।”
ରାଗିଯାଇ ଯଶୋଧାରା କହିଲେ,
-ପାଟି ଚୁପ କର।ଏଥିରେ ମୁଁ କୌଣସି ବିଷ ମିଶାଇନି, କେବଳ ତୁମ ସାହାସକୁ ପରୀକ୍ଷା କରୁଥିଲି। ଲୋକଦେଖାଣିଆ ଭଣ୍ଡବାବାମାନେ ସିନା ଗୃହତ୍ୟାଗ କରନ୍ତି,ହେଲେ ଗୃହିଣୀ ପାଇଁ ତା ସଂସାର ପରିବାର ହିଁ ଆଶ୍ରମ।ସେ ସେଇଠି ନିଜ ପାଇଁ ଶାନ୍ତି,ମୁକ୍ତି ଖୋଜିନିଏ।ଯେମିତି ମୁଁ ବି ପାଇଛି ସବୁ ଇପ୍ସିତ କାମନା।ଆଉ ହଁ,କାମନା ଖାଲି ଦୈହିକ ବାସନା ଲାଳସା ନୁହେଁ ଯେ ତାର ବିନାଶ ଦରକାର,ବରଂ ଶୃଙ୍ଖଳିତ ଯୋଜନାବଦ୍ଧ କାମନା ହିଁ ମଣିଷର ସ୍ୱପ୍ନକୁ ସାକାର କରେ।”
ଟିକେ ରହି ଦେହରେ ଧଳାଶାଢ଼ୀ ପିନ୍ଧିଥିବା ଯଶୋଧାରା,ନିଜ ଚୁଡ଼ି ଶଙ୍ଖା ତକ ଭାଙ୍ଗି, ମୁଣ୍ଡର ସିନ୍ଦୁରକୁ ପୋଛି ଦେଇ ପୁଣି କହିଲେ,
–ରାତି ଅଧରେ ନିଜ ଦାୟିତ୍ୱକୁ ଡରି ଯେଉଁ ଲୋକ ନିଜ ସ୍ତ୍ରୀ ପିଲାଙ୍କୁ ଛାଡି ପଳାଏ, ସେ କେବେ ନିର୍ବାଣ ପାଏନା।ସେ ସନ୍ଥ ମହାପୁରୁଷ ନୁହେଁ,ବରଂ ଗୋଟେ ପଳାୟନ ପନ୍ଥୀ ଭୀରୁ କାପୁରୁଷ।
ସିଦ୍ଧାନ୍ତମାନେ କେବଳ ଯଶୋଧାରାଙ୍କୁ ଛାଡି ଗୌତମ ବନି ଯାଆନ୍ତିନି ବା ନିର୍ବାଣ ପାଆନ୍ତିନି,ବରଂ ମୋ ଭଳି ସାହସୀ ଯଶୋଧାରାମାନେ ହିଁ ଭୀରୁ କାପୁରୁଷ ସ୍ବାମୀଙ୍କୁ ପରିତ୍ୟାଗ କରି ସାଂସାରିକ ଚିନ୍ତାରୁ ମୁକ୍ତି ପାଆନ୍ତି।ବାକି ଜୀବନ ମୁଁ ମୋ ପିଲାଙ୍କ ସହ ମୋ।ମୋତେ ବ୍ୟବସାୟରେ ସାହାଯ୍ୟ କରୁଥିବା ମହିଳାଙ୍କ ସହ ଆରାମରେ କାଟିଦେବି।ଆଜି ମୋତେ ମିଳିଗଲା ନିର୍ବାଣ।”
ଷ୍ଟେଜ ରୁ ଓଲ୍ହାଇ ଚୁପଚାପ ଚାଲିଯାଉଥିଲେ ଯଶୋଧାରା।ପିଲାମାନେ ତାଳି ମାରି ତାଙ୍କର ଅଭିବାଦନ କରୁଥିଲେ।
- © ଅରବିନ୍ଦ ଦାସ