ବୁଗୁଡାରେ ୬ କରୋନା ଯୋଦ୍ଧା ପଜିଟିଭ: ଚିନ୍ତାରେ ପ୍ରଶାସନ
* ଗାଁ ସାନିଟାଇଜ କଲେ ଯୁବକ ସଂଘର ଯୁବକ
ବୁଗୁଡ଼ା, (ଡ଼ଃ କୁମୁଦ ଚନ୍ଦ୍ର ବେହେରା): କରୋନା ହଟସ୍ପଟ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି I ସକ୍ରମିତଙ୍କ ସଂଖ୍ୟା ହୁ ହୁ ବଢି ଚାଳିଛି I ଏଭଳି ସ୍ଥିତିରେ ବୁଗୁଡ଼ା ବ୍ଲକରେ ଜଣେ ଚିକିତ୍ସାରତ ଡାକ୍ତରଙ୍କ ସହ 6 ଜଣ କରୋନା ଯୋଦ୍ଧାଙ୍କ ରକ୍ତ ନମୁନା ପଜିଟିଭ ବାହାରିଛି I ଫଳରେ କେବଳ ବ୍ଲକ ବାସିନ୍ଦା ନୁହେଁ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡିଛି I

ମିଳିଥିବା ସୂଚାନୁସାରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକରେ ଆଜି ୬ ଜଣ କରୋନା ଯୋଦ୍ଧାଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନେ ହେଲେ ବୁଗୁଡାକୁ ଆସି ବୁଗୁଡା ଥାନା ଅଧୀନରେ କାର୍ଯ୍ୟରତ ୪ ପୋଲିସ ଫୋର୍ସ, ବୁଗୁଡା ପୋଲିସ ବିଭାଗରୁ ଜଣେ ଓ ମାଣିତରା ମେଡ଼ିକାଲର ଜଣେ ଡାକ୍ତର। ଏହି ୬ ଜଣଙ୍କୁ ମିଶାଇ ବୁଗୁଡା ଅଞ୍ଚଳରେ ମୋଟ ୪୯ ଜଣ ଚିହ୍ନଟ ହୋଇଛନ୍ତି।
କରୋନା ପଜିଟିଭ ଚିହ୍ନଟ ଅଧ୍ୟରୁ ବୁଗୁଡା ଥାନା ଅଧୀନରେ କାମ କରୁଥିବା ପୋଲିସ ଫୋର୍ସର ୨୮ ଜଣ ହୋଇଥିବା ବେଳେ ବିଭାଗର ଜଣେ , ଅଗ୍ନିଶମ ବିଭାଗର ୭ ଜଣ କର୍ମଚାରୀ , ବୁଗୁଡା ଏନଏସିର ୨ ଜଣ କର୍ମଚାରୀ, ବ୍ଲକର ୨ ଜଣ କର୍ମଚାରୀ, ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ଜଣେ ଡାକ୍ତର ଓ ଜଣେ ଲେଡି ହେଲଥ ଭିଜିଟର, ଆଇସିଡିଏସ ବିଭାଗର ୨ ଜଣ କର୍ମଚାରୀ ଏବଂ ଶିକ୍ଷା ବିଭାଗର ୪ ଜଣ କର୍ମଚାରୀ ହୋଇଥିବା ଜଣାପଡିଛି। ମାଣିତରା ମେଡିକାଲର ଜଣେ ଡାକ୍ତରଙ୍କ ପଜିଟିଭ ବାହାରି ଥିବା ବେଳେ ମାଣିତରା ମେଡିକାଲରେ ସ୍ୱାସ୍ଥ୍ୟ ସେବା ୨୪ ଘଣ୍ଟା ବନ୍ଦ କରିବା ସହ ସାନିଟାଇଜ କରିବାକୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟ ପକ୍ଷରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦରକୁ ସ୍ଥାନୀୟ ଯୁବକ ସଂଘର ଯୁବକ ମାନେ ସାନିଟାଇଜ କରିଛନ୍ତି I ଉକ୍ତ ଗ୍ରାମରେ କରନା ପଜିଟିଭ ସଂଖ୍ୟା ଯଥେଷ୍ଟ ବଢିବା ସହ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ସଂଘ କରୋନା ହଟାଇବା ପାଇଁ ଅଣ୍ଟା ଭିଡିଥିବା ଦେଖା ଦେଇଛି। ଗୁରୁବାର ଦିନ ହାଦୁବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯୁବକ ସଙ୍ଘ ପକ୍ଷରୁ ବାଲିପଦର ଗ୍ରାମର ମୁଖ୍ୟ ସଡକ, ସରକାରୀ କାର୍ଯ୍ୟାଳୟ ସମେତ ପ୍ରତ୍ୟେକ ସାହିକୁ ସାନିଟାଇଜର କରାଯାଇଛି।
ଗୋଟିଏ ଟ୍ରାକ୍ଟରରେ ଦୁଇଟି ବଡ଼ ଜାରରେ ବିଶୋଧନ ପାଣି ରଖି ମୋଟର ଓ ଜେନିରେଟର ଦ୍ୱାରା ବିଶୋଧନ ସ୍ପ୍ରେକରି ସାନିଟାଇଜ କରିଥିବା ଦେଖିବାକୁ ମିଳିଛି। ଏଥିସହ କୋଭିଡ ଆଇନକୁ ସମସ୍ତେ ମାନି ଚଳିବ ପାଇଁ ଅନୁରୋଧ କରି ଜନସଚେତନତା ସୃଷ୍ଟି କରିଛନ୍ତି। ଯୁବକ ସଂଘର ଏହି କାର୍ଯ୍ୟକ୍ରମରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ବିଶ୍ଵକର୍ମା ସମାଜ ସାଧାରଣ ସମ୍ପାଦକ ରତ୍ନାକର ମହାରଣା, କୈଳାଶ ପ୍ରଧାନ, ସନ୍ତୋଷ ସେଠୀ, ଯୋଗୀ ବାଡ଼ତ୍ୟା,କାହ୍ନୁ ଚରଣ ବାଡତ୍ୟା ପ୍ରମୁଖ ଉପସ୍ଥିତ ରହି ଯୁବ ସମାଜକୁ ସହଯୋଗ କରିଥିଲେ।