ବିଜେଡି ସର୍ଭେ: ପାଇବ 11 ଲୋକସଭା, 117 ବିଧାନସଭା
ଭୁବନେଶ୍ୱର//TATKAL ODISHA//
ଲୋକସଭାରେ ୧୧,ବିଧାନସଭାରେ ୧୧୭ ଆସନ ପାଇବ ।ଓଡ଼ିଶାରେ ପୂର୍ଣ୍ଣ ବହୁମତ ପାଇ ସରକାର ଗଢ଼ିବ ବିଜେଡି ।
ବିଜେଡିର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଭିତ୍ତିରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।
ଗଣମାଧ୍ୟମକୁ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ଓଡ଼ିଶାରେ ଷଷ୍ଠଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ସହଯୋଗରେ ଉଭୟ ବିଧାନସଭା ଓ ଲୋକସଭାରେ ଓଡ଼ିଶାବାସୀ ବିଜେଡ଼ିକୁ ବହୁମତ ମିଳିଛି । ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ବିଜୟଲାଭ କରିବାକୁ ଯାଉଛୁ । ମୋଟ୍ ୧୪୭ ବିଧାନସଭା ଆସନରୁ ବିଜେଡି ହାତେଇବ୧୧୭ ଆସନ । ବାକି ୧୬ ଆସନରେ ହେବ କଡ଼ା ଟକ୍କର । ଏଥିରେ ୧୧ ଆସନରେ ବିଜେପି ସହ ଓ ୩ ଆସନରେ କଂଗ୍ରେସ ସହ ତୀବ୍ର ପ୍ରତିଦ୍ୱନ୍ଦୀତା ହେବ ।
ବୁଥ୍ ଫେରନ୍ତା ସର୍ଭେ ରିପୋର୍ଟ ଅନୁସାରେ…
- ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରେ ମତଦାନ ହୋଇଯାଇଛି । ଏଥିରେ ବିଜେଡି ୨୩, ବିଜେପି ୨, ଓ କଂଗ୍ରେସ ଓ ଅନ୍ୟାନ୍ୟ କେବଳ ଗୋଟିଏ ଆସନ ହାତେଇବେ । ଅର୍ଥାତ ନବରଙ୍ଗପୁର, ଉମରକୋଟ ଆସନକୁ ବିଜେପି ଓ କୋରାପୁଟ ଆସନକୁ କଂଗ୍ରେସ ହାତେଇଥିବାବେଳେ ବାକିସବୁ ଆସନରେ ବିଜେଡି ବାଜିମାତ୍ ମାରିବ ।
- ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ମୋଟ୍ ୩୫ ଆସନରୁ ବିଜେଡି ୨୭, ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନରେ ବିଜୟୀଲାଭ କରିବେ ନାହିଁ ।
- ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ମୋଟ୍ ୪୨ ଆସନରୁ ବିଜେଡି ୩୩, ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନ ପାଇବେ ନାହିଁ ।
- ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୪୨ ଆସନରୁ ବିଜେଡି ୩୪ ଓ ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନରେ ବିଜୟୀଲାଭ କରିବେ ନାହିଁ । ଅର୍ଥାତ ମୋଟ୍ ୧୪୭ ଆସନରୁ ବିଜେଡି ୧୧୭, ବିଜେପି ୧୧ ଓ ଅନ୍ୟାନ୍ୟ ଦଳ ୩ ଆସନ ଅକ୍ତିଆର କରିବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।
ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ଓଡ଼ିଶାର ମୋଟ୍ ୨୧ ଲୋକସଭା ଆସନରୁ ବିଜେଡି ୧୧, ବିଜେପି ୬ରେ ବାଜିମାତ୍ ମାରିବ । ମାତ୍ର ୪ ଆସନରେ ହେବ କଡ଼ା ଟକ୍କର । ଅର୍ଥାତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କନ୍ଧମାଳ, ବ୍ରହ୍ମପୁର,କୋରାପୁଟ ଓ ଆସ୍କା ଲୋକସଭା ଆସନରେ ସହଜରେ ଜିତିବ ବିଜେଡି । ମାତ୍ର ବାଲେଶ୍ୱର, ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର ଆସନରେ ପ୍ରତିଦ୍ୱଦ୍ୱୀ ଦଳ ସହ ଟକ୍କର ହେବ । ବାକି ଆସନକୁ ବିଜେପି ଅକ୍ତିଆର କରିବ । ସେସବୁ ଲୋକସଭା ଆସନଗୁଡ଼ିକ ହେଉଛି ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, କେନ୍ଦୁଝର ଓ ପୁରୀ ବୋଲି ଶ୍ର ମଙ୍ଗରାଜ ସର୍ଭେ ରିପୋର୍ଟ ଆଧାରରେ କହିଛନ୍ତି ।