ବାପାମାନେ କାନ୍ଦିନ୍ତି(ନି)
- GUEST EDITOR//ଅରବିନ୍ଦ ଦାସ //
TATKAL ODISHA//STORY TELLING//
◆ ବାପାମାନେ କାନ୍ଦନ୍ତିନି ◆
- ରଚନା: ଅରବିନ୍ଦ ଦାସ
ବାପାମାନଙ୍କ ହୃଦୟ , ମା’ମାନଙ୍କ ହୃଦୟ ଭଳି କୋମଳ ନୁହେଁ।ବାପାମାନଙ୍କ ହୃଦୟ, ସେମାନଙ୍କ ଛାତି ଭଳି ଟାଣ,ପଥର। ପଥର ରୁ କଣ ପାଣି ବାହାରେ ?
ବାପାମାନେ କଣ କାନ୍ଦିପାରନ୍ତି ?ପୁରୁଷ ମାନେ କାନ୍ଦିଲେ କାଳେ ଭଲ ଦିଶନ୍ତି ନାହିଁ। ବାପା ଯଦି କାନ୍ଦିବ, ତେବେ ମାକୁ ସମ୍ଭାଳିବ କିଏ ବୋଲି ଲୋକେ କୁହନ୍ତି।
ଛବି ଅଭିଯୋଗ କରୁଥିଲେ।ଅରୁଣ ସବୁ ଶୁଣି ନଶୁଣିଲା ଭଳି ରହୁଥିଲା।
ଦୁଇମାସେ ହେଲାଣି ଚାଲିଥିବା ଡ୍ରାମାର ଗତକାଲି ଅବସାନ ଘଟିଵ ବୋଲି ଭାବିଥିଲେ ଅରୁଣ।ହେଲେ ପରିସ୍ଥିତି ଏବେ ଭିନ୍ନ।
ଝିଅ ହଷ୍ଟେଲ ଚାଲିଗଲା। ଘରଟା ଖାଁ ଖାଁ ଲାଗୁଛି। ଗୋଟେ ଛୁଆ ଥିବା ଘରଟାର ଅବସ୍ଥା ବୋଧେ ଅଧିକ ସଙ୍ଗୀନ ହୋଇପଡେ।
- ” ହଜାର ହଜାର ପିଲା ହଷ୍ଟେଲରେ ରହି ପଢ଼ୁଛନ୍ତି। ଏଇଟା ତା କ୍ୟାରିଅର କଥା।ଯେତେବେଳେ ଇଛା ଭିଡିଓ କଲ କରି ଦେଖିବ। ମୋବାଇଲ ଯୁଗରେ ଅସୁବିଧା କଣ ? ଘରେ ଯଦି ନିଜ କୋଳରେ ପୁରାଇ ରଖିବାର ଥିଲା ତେବେ ପାଠ ପଢ଼ାଉଥିଲ କାହିଁକି ? ତାଛଡା ମୁଁ ତ କହୁଥିଲି, ଆମର ଏଇ ଟାଉନରେ ରହି ସେ ପଢୁବୋଲି।” ଆଖିପୋଛୁ ପୋଛୁ ଛବି କହିଲେ,
-“ଏଇଠି ,ଆଇଆଇଟି କିମ୍ବା ଏନ ଆଇ ଟି ଥିଲେ ତାକୁ କଣ ବାହାରକୁ ଯିବାକୁ ପଡିଥାନ୍ତା ?”
-“ସେଇ କଥା ତ ;ତା କ୍ୟାରିଅର ପାଇଁ ଆମକୁ କିଛି ତ ସହିବାକୁ ପଡିବ। ତା ଛଡ଼ା ଝିଅ ମାନେ କଣ ସବୁଦିନ ଘରେ ରହିବେ ?ବାହାସାହା ହୋଇ ତା ଘର ଆଉକିଛି ବର୍ଷପରେ ସମ୍ଭାଳିବ।”
ଚା କପ ଟା ହାତକୁ ବଢ଼ାଇଦେଇ ଛବି କହିଲେ,
-“ସେଠି ତମର ପୋଷ୍ଟିଙ୍ଗ ହୋଇପାରିବ ନାହିଁ ?”
ହସିଦେଇ ଅରୁଣ କହିଲେ,
-“କଣ, ଏଇ ଷ୍ଟିଲପ୍ଲାଣ୍ଟ କୁ ସେଇ ଟାଉନକୁ ନେଇଯିବି ?ବ୍ୟସ୍ତ ହୁଅନା ,କିଛିଦିନ ପରେ ସବୁଠିକ୍ ହୋଇଯିବ।”
ସେଇଥିପାଇଁ କହୁଥିଲି ବାପାମାନଙ୍କ ହୃଦୟ ପଥର।"
ଅନ୍ୟମନସ୍କ ଭାବେ ଅରୁଣଙ୍କ ପାଟିରୁ ବାହାରିପଡ଼ିଲା,
-“ମାମା ରେ ବିସ୍କୁଟ ଡ଼ାବାଟା ଦେଲୁ।”
ପରମୁହୂର୍ତ୍ତରେ ନିଜ ଭୁଲ ବୁଝିପାରିଲେ। ମାମା ତ ହଷ୍ଟେଲ ରେ। ଛବି ବିସ୍କୁଟ ଡ଼ାବାଟା ବଢ଼ାଇଦେଉଦେଉ ପଚାରିଲେ,
-“କଣ ହେଲାକି ?”
ଅରୁଣ ଆଖିଟା ପୋଛି କହିଲେ,
-“ଚା ଟା ବହୁତ ଗରମଥିଲା। ଜିଭ ପୋଡିଗଲା ବୋଧେ।”
କାନ୍ଦ କାନ୍ଦ ସ୍ୱରରେ ଛବି କହିଲେ,
-“ପନ୍ଦର ମିନିଟ ହେଲାଣି କାନ୍ଥରେ ମାମା’ର ଫଟଟାକୁ ଅନେଇ ବସିଛ; ଚା ଟା ସର୍ବତ୍ ହୋଇଗଲାଣି। ଦିଅ, ମୁଁ ଆଉଥରେ ଗରମ କରିଆଣୁଛି।
ଅରୁଣ ଭାବୁଥିଲେ, ବାପାମାନେ କଣ କାନ୍ଦିପାରନ୍ତି ?
ଟିଭିରେ ସିନେମା ଗୀତ ଲଗାଇ ଶୁଣୁଥାଏ ବୋଲି ମାମା ଉପରେ ବିରକ୍ତ ହୁଅନ୍ତି ଛବି। ଟ୍ୟାବ କିମ୍ବା ଲାପଟପ ରେ ଗେମ ଖେଳିବାଦେଖିଲେ ଆହୁରି ପାଟି।
-“କେତେ କୋର୍ସ ଅଛି ମନେଅଛିତ ? ଭଲ ମାର୍କ ନରଖିଲେ ଏଇ ପାଖ କଲେଜରେ ଆର୍ଟସ ସିଟ ବି ମିଳିବନି।”
ହସିଦେଇ ଅରୁଣ କହନ୍ତି,
-“ଓଃ, ସବୁବେଳେ କାହିଁକି ସେମିତି ହେଉଛ ?ତା ପାଠପଢ଼ା ସେ ଜାଣିଛି।”
ମାମା ଚାପି ଚାପି ହସେ।
ବିରକ୍ତ ହୋଇ ଛବି କୁହନ୍ତି,
-“ତମ ବାପା ଝିଅଙ୍କୁ ଭଗବାନ ବି ପାରିବେନି।”
ଟିଭି ଟା ସେମିତି ବନ୍ଦ ପଡିଛି।ଟେବୁଲ ଉପରେ ଲାପଟପ। ସବୁ ସ୍ଥିର। ଜଣେ ମଣିଷ ଘରୁ ଚାଲିଗଲେ, ଘରଟା ଏମିତି ଲାଗେ ?
କପବୋର୍ଡ଼ ଖୋଲିଲେ ଅରୁଣ।ପୁରୁଣାଆଲବମ ରେ ଅନେକ ଫଟ। ମାମା’ର ପ୍ରଥମ ଗୁରୁଣ୍ଡିବା, ଚାଲିବା ଫଟ। ଅନ୍ନପ୍ରସନ୍ନ, କାନଫୋଡ଼ା, ପ୍ରଥମ ଜନ୍ମଦିନ ଫଟ। ଝିଅ ଗୁଡାକ ଏତେ ଜଲଦି ବଡ଼ ହୋଇଯାଆନ୍ତି କାହିଁକି ?
ପୁରୁଣା ବହି, ଖାତା ,ଡ୍ରେସ ଓ ଖେଳନା ଖୁନ୍ଦି ହୋଇଛି ।ଗୋଟାଏ ବାର୍ବି ଡ଼ଲ ଓ ଛୋଟ ଟେଡି ବିଅର ବାହାର କଲେ ଅରୁଣ। ମାମା ର ପ୍ରିୟ ଖେଳନା ଛୋଟ ବେଳର। ନିଜ ଗାଲରେ ସାଉଁଳେଇ ଆଣିଲେ ଅରୁଣ। ମାମା ତାଙ୍କ ଗାଲରେ ଏମିତି ସଲସଲ କରେ। କାନ୍ଧରେ ଚଢ଼େ, ପିଠିରେ ନଦି ହୁଏ। ଚୁଟିକୁ ଟାଣେ। ମାମାର ଗୋଟେ ଖାତା ଆଣି ଦେଖିଲେ ଅରୁଣ। ସବୁ ଝାପସା ଦିଶୁଛି କାହିଁକି ?
-“ଆଲମାରୀ ଟା ଖୋଲି କଣ ଦେଖୁଛ ?”
ନିଜ ଆଖି କୁ ପୋଛି ଦେଇ ଅଋଣ କହିଲେ,
-“ଚଷମା ଲଗାଇବାକୁ ପଡିବ ବୋଧେ। ଝାପସା ଦିଶୁଛି।”
-“ଗତ ମାସ ପରା ଆଖି ପରୀକ୍ଷା କରିଥିଲ ଓ ପାୱାର ଦରକାର ନାହିଁ ବୋଲି ଡାକ୍ତର କହିଥିଲା।”
ସ୍ବାମୀଙ୍କ ମୁହଁକୁ ଚାହିଁ ନୀରବରେ ଚାଲିଗଲେ ଛବି।
ଅରୁଣ ଭାବୁଥିଲେ ବାପାମାନେ କଣ ସତରେ କାନ୍ଦିପାରନ୍ତି !
ମାମା ପନିର ଓ ଚିକେନ ଭଲ ପାଏ। ତେବେ ଇଣ୍ଡିଆନ ବଦଳରେ ଚାଇନିଜ ଚିକେନ ତାର ବେଶୀ ପସନ୍ଦ। ଛଣା ହେଲାବେଳ ଠାରୁ ତା ଖିଆ ଆରମ୍ଭ ହୁଏ।ହଷ୍ଟେଲ ରେ ଆଇଁଷ ନାହିଁ। ଅବଶ୍ୟ ମାମା ର କେଉଁଥିରେ ଜିଦି ନାହିଁ। ଡାଲମା, ସନ୍ତୁଳା ସେ ଅଧିକ ଭଲପାଏ ଆଇଁଷ ଅପେକ୍ଷା। ସବୁ ଚଳେଇନିଏ। କେଉଁଥିରେ ଅଝଟ କରେନା। କାଳେ ବାପା, ମା ମନ କଷ୍ଟ କରିବେ । ହଷ୍ଟେଲରେ ତାକୁ ଅସୁବିଧା ହେବନି। ତଥାପି ମା ମନ ବୋଲି ଛବି, ଭେଁ ଭେଁ ହୋଇ କାନ୍ଦୁଥିଲେ। ସ୍ତ୍ରୀଙ୍କ ଉପରେ ବିରକ୍ତ ହେଉଥିଲେ ଅରୁଣ।
ଓପରଓଳି କଲେଜରୁ ଫେରି ଅଦା ପକାଇ ମାମା ଚାହା କରେ।ଅରୁଣଙ୍କ ଭାରି ପସନ୍ଦ।
-“ତୋ ମମିକୁ ଟିକେ ଶିଖାଇ ଦେଉନୁ ?”
ଛୋଟମୋଟ କାମ ପାଇଁ ଡାକରା ପକାନ୍ତି ଛବି, ମାମାକୁ।
-“ଓହୋ ତାକୁ ପଢିବାକୁ ଦିଅ।”
-“ଏସବୁ ନଶିଖିଲେ ,ବାହାହେଲା ପରେ କଣ କରିବ ?”
ହସିଦେଇ ମାମା କହେ ମୁଁ ଚାକିରୀ କରିବି।
ସବୁରାଗ ଭୁଲିଯାଇ ଛବି କୁହନ୍ତି,”ତୁ ଚାକିରୀ କଲେ,ମୁଁ ତୋ ପାଖରେ ରହିବି।ଏ ବୁଢ଼ାଙ୍କ ଅଳିଅର୍ଦଳି,ଜିଦି ମୁଁ ପାରିବିନି ।”
ଚକୋଲେଟ,କେକ୍ ଏବଂ ଡାର୍କ ଫାଣ୍ଟାସି, ଓରିଓ ବିସ୍କୁଟ ଝିଅ ର ପ୍ରିୟ ବୋଲି ଅଋଣ ନେଇ ଆସନ୍ତି।
-“କାହିଁକି ଏଗୁଡାକ ଆଣୁଛ ?ମୁହଁରେ ତାର ବ୍ରଣ ଉଠୁଛି ପରା ?”
-“ମୋ ମୁହଁରେ ତ ଏବେବି ବ୍ରଣ ଉଠୁଛି।’
-“ହଁ ,ତମେ ତ ଦିନ କୁ ଦିନ ଛୁଆ ହୋଇଯାଉଛ।ଭଲକରି ଜମା ପାଣି ପିଉନି।ତମେ ତାକୁ ପାଣି ପିଇବାକୁ କହୁଛ ?କି ବାପା ହୋଇଛ କେଜାଣି ?”
-“ମାମା,ପାଣି ପଇଲୁଣି ?ଦି ଗ୍ଲାସ୍ ପିଇଦେ।”
ପାଣି ଗ୍ଲାସ୍ ଟେ ହାତରେ ଧରି ଛବି ଆସି ପଚାରିଲେ,
-“କାହାକୁ ପାଣି ପିଇବାକୁ କହୁଛ ?”
ଅପ୍ରସ୍ତୁତ ହୋଇଗଲେ ଅରୁଣ।ମୁହଁଟା ତାଙ୍କର ବିକଳ ଦିଶିଲା।
ଆଖିଟା ମଳୁ ମଳୁ ବିରକ୍ତ ହୋଇ କହିଲେ,
-“ତମେ କଣ ଛୁଙ୍କ ଦେଇ ବଘାରୁଛ କି ? ଧୂଆଁ ରେ ଆଖିରୁ ପାଣି ବାହାରିପଡୁଛି।ଏକ୍ଜଷ୍ଟ ଫ୍ୟାନ ଟା ଲଗାଉନ ?”
-“ଗ୍ୟାସ ରେ ଭାତ ବସିଛି।”କହି ଚାଲିଗଲେ ଛବି।
ଅରୁଣ ଭାବୁଥିଲେ ସତରେ କଣ ବାପାମାନେ କାନ୍ଦନ୍ତି ?
ପୋର୍ଟିକୋରେ ଆକ୍ଟିଭା ସ୍କୁଟର ଟା ଥୁଆ ହୋଇଛି। କଲେଜ ନେଇ ଯିବାଆସିବା କରେ ମାମା। ବଡ଼ପିଲା ହୋଇଗଲାଣି। ଅରୁଣ ଓ ଛବିଙ୍କୁ ନେଇ ମାର୍କେଟ ବଜାର ଯାଏ। ଯେଉଁଠି ଯାହା କାମ ପଡେ ସବୁ କରିଦିଏ। ପରିବା କିଣାଠୁ, ଇଲେକ୍ଟ୍ରି ବିଲ ପେମେଣ୍ଟ ପର୍ଯ୍ୟନ୍ତ।ଦାୟିତ୍ୱ ସମ୍ଭାଳିଲାଣି। ମୋବାଇଲ ର ସବୁ ଆପ୍, କଂପ୍ୟୁଟର ବିଷୟରେ ସବୁକଥା ବୁଝାଇଦିଏ।ଅରୁଣଙ୍କୁ ଷ୍ଟେସନ ରୁ ନବା ଆଣିବା କରେ, ଓଲା, ଉବର ବୁକ୍ ନକରି।
ଆକ୍ଟିଭା ଷ୍ଟାର୍ଟ କଲେ ଅରୁଣ।ବାରମ୍ବାର ମାମା ମୁହଁଟା ଆଖି ଆଗରେ ଭାସି ଉଠିଲା।
“ମାଇଁ ଡ୍ୟାଡି ଇଜ ଷ୍ଟ୍ରଙ୍ଗେଷ୍ଟ”।ଟିଭିର ଗୋଟେ ବିଜ୍ଞାପନ ଦେଖି ପାଟିକରି କମ୍ପାଉଥିଲା ମାମା।ଅରୁଣ ଙ୍କ ବେକରେ ଓହଳି ପଡି ସେ ପଦକ ଦୋହରାଏ। ଅରୁଣ ବି ନିଜକୁ ବିଶ୍ବଚାମ୍ପିଆନ ଭଳି ଭାବନ୍ତି।…. କିନ୍ତୁ ଆଜି ଅରୁଣଙ୍କୁ ଇଛାହେଉଥିଲା କହିବାକୁ,
- “ମା ରେ, ତୁ ଭୁଲ କହୁଥିଲୁ। ତୋ ବାପା ଜମା ଷ୍ଟ୍ରଙ୍ଗ ନୁହଁ।ଏକଦମ ଦୁର୍ବଳ, ତୋ ବିନା।”
ଆଖିଟା ପୁଣି ଝାପସା ହୋଇଯାଉଥିଲା। -“ପୁଣି କଣ ହେଲା? ମାମା କଥା ମନେପଡୁଛିକି “? ସ୍କୁଟର ରେ ବସୁବସୁ ପଚାରିଲେ ଛବି।
-” ନା,ନା,ପବନରେ ବୋଧେ ଧୂଳି ଉଡିଆସି ଆଖିରେ ପଡିଗଲା।ରୁମାଲ ଅଛି କି ?”
ଛବି ନିଜ ଶାଢ଼ୀ କାନିରେ ଅରୁଣଙ୍କ ଆଖି ପୋଛିଦେଇ କୋହଭରା ସ୍ୱରରେ କହିଲେ,
-“ଘରକୁ ଚାଲ,ମୁହଁଟା ଧୋଇଦିଅ।ମାର୍କେଟ ପରେ ଯିବା।”
ହତବାକ ହୋଇ ଅରୁଣ ଭାବୁଥିଲେ ,ବାପାମାନେ କାନ୍ଦିନ୍ତି(ନି).
(@ଅରବିନ୍ଦ ଦାସ)