ପ୍ରସନ୍ନ କୁମାର ହୋତାଙ୍କ ନିଆରା କଥା ଓ କାହାଣୀ-8:’ଗୁରୁପାକ’

0
  • +++++++++++++++++++++++++
  • TATKAL ODISHA//କଥା ଓ କାହାଣୀ//
  • +++++++++++++++++++++++++

ଗୁରୁପାକ

//ପ୍ରସନ୍ନ କୁମାର ହୋତା//

 
        ମାନସିଂହ ପାଟଣାରେ ଅନେକ ଅପୂର୍ବ ବ୍ୟକ୍ତିତ୍ୱ ରହୁଥିଲେ। ଅକ୍ଷୟ ମହାନ୍ତି ରହୁଥିଲେ କାଫଲା ପଟକୁ। ଅଲିସା ବଜାର ପଟକୁ ରହୁଥିଲେ ଶ୍ରୀଯୁକ୍ତ ସୁବୋଧ କୁମାର ସାହୁ। ସେ କାଳରେ ଆମ ‘ରାଇଜିଂ ଷ୍ଟୁଡେଣ୍ଟସ୍ କ୍ଲବ’ର ସଂପାଦକ

ବଡ଼ ବଖରାଏ ଘର; ତାକୁ ଲାଗି ଦୁଆର ନଥାଇ ଥାଏ ଆଉ ଏକ ଜାଗା।

ବଡ଼ କ୍ୟାରମ୍ ବୋର୍ଡ ବଡ଼ ପ୍ରକୋଷ୍ଠରେ, ସାନ ବୋର୍ଡ ଛୋଟ ଜାଗାଟିରେ। ମୋର କାମ ହେଲା ଛୁଟିଦିନରେ ଆଗ ଯାଇ କ୍ଲବ୍ ଓ ବୋର୍ଡ ଆଦି ସଫା କରି ଚଟାଇ ମସିଣା ବିଛାଇ ଅପେକ୍ଷା କରିବା। କିଛି ଦିନରେ କ୍ୟାରମ୍ ଖେଳରେ ବୋରିକ୍ ପାଉଡର ବ୍ୟବହାର କଥା ଜାଣିବାରୁ ପକେଟରେ ବୋରିକ୍ ପାଉଡର ଛୋଟ ପୁଡ଼ିଆ ରଖିଥାଏ। ଶ୍ରୀଯୁକ୍ତ ସାହୁ ସେତେବେଳେ କଲେଜ ଛାତ୍ର, ମୁଁ ସପ୍ତମ ବା ଅଷ୍ଟମ ଶ୍ରେଣୀରେ। କିନ୍ତୁ ହଠାତ୍ ଭଲ କ୍ୟାରମ୍ ଖେଳିବାରୁ ସେ ମତେ ପାର୍ଟନର ବୋଲି ଡାକିବା ଆରମ୍ଭ କଲେ।

ବିଏସ୍ ସି ପାଶ କଲାପରେ ସେ ଆମ ସ୍କୁଲରେ କିଛି ଦିନ ଶିକ୍ଷକ ହେଲେ। ଦିନେ କୌଣସି କାରଣରୁ ତାଙ୍କ ‘ମୁଡ୍’ ଖରାପ ଥିଲା କି କଣ ! ସେ ଆସି ପ୍ରତ୍ୟେକ ପିଲାକୁ ଗୋଟିଏ ଗୋଟିଏ ବେତ ପ୍ରହାର ଆରମ୍ଭ କଲେ। ମୁଁ ଆଗ ଧାଡ଼ିରେ ବସିଥାଏ। ସେ ପଛଆଡୁ ପିଟି ପିଟି ସାମନାକୁ ଆସି ପହଞ୍ଚିଲେ I

ମୁଁ ପାଠ ପୁରା କରିଥିଲି, କିଛି ଦୋଷ ମଧ୍ୟ କରିନଥିଲି ….କିନ୍ତୁ ମତେ ବି ତ୍ରାହି ମିଳିଲା ନାହିଁ। ମୋ କାନପାଖ ଗାଲ ଉପରେ ବସିଲା ତାଙ୍କ ଚାପୁଡ଼ା ….ମୋ କାନ ଝାଇଁ ଝାଇଁ ହୋଇଗଲା। ସେ ପର୍ଯ୍ୟନ୍ତ ମତେ ସ୍କୁଲରେ କୌଣସି ଶିକ୍ଷକ କେବେ ବାଡ଼େଇ ନଥିଲେ … ସୁବୋଧ ସାର୍ ପ୍ରଥମ। ମୁଁ ଘରକୁ ଫେରିଲା ପରେ ମତେ ଜ୍ୱର ଏବଂ କାନମୁଣ୍ଡା ଲାଲ୍। ଘରେ କେହି ଜାଣି ପାରିଲେ ନାହିଁ, କିନ୍ତୁ ସାହିରେ ଏକଥା ବ୍ୟାପିଗଲା -ସୁବୋଧ ସାରଙ୍କୁ ସମସ୍ତେ ଗାଳିକଲେ। ସେ ଆସି ଆମ ଘର ଦାଣ୍ଡ ବାରଣ୍ଡାରେ ଚୁପଚାପ୍ ବସିଲେ। ସେ କାଳରେ ଏସବୁ କଥା ସେତିକି… ଗୁରୁଶିଷ୍ୟ ସମ୍ଭ୍ରମ ଥିଲା। ପରେ ସେ ସାହିର ସମକକ୍ଷ ଲୋକଙ୍କୁ କହିଥିଲେ -‘ସମସ୍ତେ ଜାଣିଥିଲେ ଯେ ସେ ମୋ ପାର୍ଟନର; ତାକୁ ନ ଚାପୁଡ଼ା ଦେଇଥିଲେ ପରେ ଅନ୍ୟପିଲା ତାକୁ ହଇରାଣ କରିଥାନ୍ତେ।’

ପ୍ରସନ୍ନ କୁମାର ହୋତା

ସମୟ ଗଡ଼ି ଚାଲିଲା। ଶ୍ରୀଯୁକ୍ତ ସୁବୋଧକୁମାର ସାହୁ ତାଙ୍କ ସାଙ୍ଗଠନିକ ଦକ୍ଷତା ବଳରେ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ସଂପାଦକ ହୋଇଗଲେ। ତାଙ୍କ ସବୁ ସମୟ ବିତିଲା ବାରବାଟୀ ଷ୍ଟାଡିୟମରେ। ପରେ ମାନସିଂହ ପାଟଣାରୁ ଶ୍ରୀଯୁକ୍ତ ଆଶୀର୍ବାଦ ବେହେରା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ସର୍ବେସର୍ବା ଅନେକ କାଳ ପାଇଁ ରହିଲେ।

ମୁଁ କଟକ ମାନସିଂହ ପାଟଣା ୧୯୬୨ ପରେ ଛାଡ଼ିଲି; ଆମେ ବାପାଙ୍କ ସରକାରୀ ଘର ୩,କ୍ୟାଣ୍ଟନ୍‌ମେଣ୍ଟର ଫ୍ଲାଟକୁ ଚାଲିଗଲୁ। ମାନସିଂହ ପାଟଣା ସଙ୍ଗେ ସଂପର୍କ କମି ଆସିଲା।

  ୧୯୭୯ରେ କଟକ ଜିଲ୍ଲାପାଳ ହୋଇ ଆସିଲି। ସେତେବେଳକୁ ସୁବୋଧ ସାର୍ ଓ.ଏଫ୍.ଏ.ର ସଂପାଦକ ହୋଇ ସାରିଥାନ୍ତି ଏବଂ ୧୯୮୦ ମସିହାରେ ସନ୍ତୋଷ ଟ୍ରଫି କଟକରେ ଅନୁଷ୍ଠିତ ହେଲା। ଏବେ ସିନା କ୍ରିକେଟର ଅଧିକ ଲୋକପ୍ରିୟତା। ସେତେବେଳ ପର୍ଯ୍ୟନ୍ତ ଫୁଟବଲ୍‌ର ଲୋକପ୍ରିୟତା କିଛି କମ ନଥିଲା।

ଶ୍ରୀଯୁକ୍ତ ସାହୁ ଆସି ମତେ ଭେଟି ସନ୍ତୋଷ ଟ୍ରଫି ଆଦି ବିଷୟରେ କହିଥାନ୍ତି। ମୁଁ ଏସ୍.ପି.ଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥାଏ,  ନିଜ କାମରେ ବ୍ୟସ୍ତ ଥାଏ। ଖେଳ ଦେଖିବା ପାଇଁ ସମୟ କାଢ଼ି ଯାଇପାରି ନଥାଏ, ଦେଖୁ ଦେଖୁ ଫାଇନାଲ୍‌ ମ୍ୟାଚ୍ ଦିନ ଆସିଗଲା। ଶ୍ରୀଯୁକ୍ତ ସାହୁ  ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ, ଚିଫ୍ ସେକ୍ରେଟାରୀ ଆଦିଙ୍କୁ ନିମନ୍ତ୍ରଣ କରିଥାନ୍ତି। ମତେ ସୂଚନା ମିଳିଥାଏ ଯେ ସେମାନେ ସମସ୍ତେ ଆସୁଛନ୍ତି। ମୋର ମଧ୍ୟ ନିମନ୍ତ୍ରଣ ଥାଏ, ମୁଁ ଖେଳ ଆରମ୍ଭ ହେବାର ଅଧଘଣ୍ଟାଏ ଆଗରୁ ପହଞ୍ଚିଗଲି।

ସାରା କ୍ୟାଣ୍ଟନ୍‌ମେଣ୍ଟ ରୋଡ୍ ଲୋକେ ଲୋକାରଣ୍ୟ; ବାଲିଯାତ୍ରା ପଡ଼ିଆଠାରୁ ଆରମ୍ଭ କରି ଏପଟେ କଳାବିକାଶ କେନ୍ଦ୍ର ପର୍ଯ୍ୟନ୍ତ ସବୁଆଡ଼େ ଲୋକ ଭର୍ତ୍ତି -ମୋଟ ଉପରେ ଜନାରଣ୍ୟ। ଫାଇନାଲ୍‌ ଖେଳ ଯେ ! ସମସ୍ତଙ୍କର ସେଥିପାଇଁ ଅପୂର୍ବ ଉତ୍ସାହ।

ସେତେବେଳେ ବାରବାଟୀ ଷ୍ଟାଡିୟମ ବଳୟ ସଂପୂର୍ଣ୍ଣ ହୋଇନଥାଏ। ମୋ ଆକଳନରେ ଷ୍ଟାଡିୟମରେ ଲୋକ ବସି ପାରିବେ ପଚିଶ ହଜାର; କିନ୍ତୁ ସେଦିନ ମୋ ଅଭିଜ୍ଞତାରୁ ଜାଣିଗଲି ଯେ ପ୍ରାୟ ଦୁଇ ତିନି ହଜାର ଅଧିକ ଆଗ୍ରହୀ ଦର୍ଶକ ବାହାରେ ବୁଲୁଥାନ୍ତି।

ତେବେ ସତ କହୁଛି ଯେ ପ୍ରଥମ ପ୍ରବେଶ ବେଳେ ମୁଁ ଏସବୁ କଥା ଭାବିନଥିଲି। ପଡ଼ିଆରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୋ ଚୌକୀ ଥିଲା; ବସି ଅପେକ୍ଷା କଲି। କିଛି କ୍ଷଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଆସିଗଲେ। ସେମାନଙ୍କୁ ସମ୍ମାନର ସହିତ ଶ୍ରୀଯୁକ୍ତ ସାହୁ ପାଛୋଟି ଆଣି ବସାଇଦେଲେ। ସାହୁ ସାର୍ ସେହି ଦିବସର ମୁଖ୍ୟ ଉଦ୍ୟୋକ୍ତା …. ସବୁ ଭୂମିକା ତାଙ୍କର। କିନ୍ତୁ ଖେଳ ଆରମ୍ଭ ହେବାକୁ ଆଉ ମାତ୍ର କୋଡ଼ିଏ ମିନିଟ ଅଛି।

ମୁଁ ଚାରିଆଡ଼େ ନଜର ବୁଲାଇଲି -ଆଉ ଚୌକୀରେ ବସି ରହିପାରିଲି ନାହିଁ। ଆଇ.ଜି.(ଏବର ଡିଜି) ବି ଥିଲେ, ଏସ୍.ପି. ବି ଥିଲେ। ସମସ୍ତେ ପଡ଼ିଆରେ ଚୌକୀରେ ଆରାମରେ ବସିଛନ୍ତି। ମୁଁ ଠିଆ ହୋଇ ଛଟପଟ ହେବା ଆରମ୍ଭ କଲି। ଶ୍ରୀଯୁକ୍ତ ସାହୁ ଦୌଡ଼ି ଦୌଡ଼ି ସବୁ ତଦାରଖ କରୁଥାନ୍ତି। ସେଦିନର ଟିକେଟ୍ ବିକ୍ରୀ ପଇସା ଓ.ଏଫ୍.ଏ.ର ମୂଳ ଅର୍ଥ ରାଶି। ସେମିଫାଇନାଲ ଓ ଓଡ଼ିଶା ଖେଳୁଥିବା ଦିନ ଭିଡ଼ ଥିଲା -କିନ୍ତୁ ଫାଇନାଲ୍ ଦିନ ମୁଖ୍ୟ ଆୟ।

ହଠାତ୍ ଶ୍ରୀଯୁକ୍ତ ସାହୁ ଦୌଡ଼ି ଆସି ମତେ କହିଲେ -ସମସ୍ତେ ବସିଥିଲେ, କିନ୍ତୁ ସେ ଆଉ କାହା ଆଡ଼େ ଚାହିଁଲେ ବି ନାହିଁ – ‘ସରିଗଲା, ସରିଗଲା -କେତେ ଟୋକା ଟିକେଟ୍ ନକିଣି ଜବରଦସ୍ତ ଖମ୍ୱ ବାଟେ ଚଢ଼ି ଷ୍ଟାଡିୟମରେ ପଶୁଛନ୍ତି। ପୋଲିସ କିଛି କରିପାରୁ ନାହାନ୍ତି।’


        ମୁଁ ସାଙ୍ଗେ ସାଙ୍ଗେ ଧାଇଁଲି – ବାହାର ଗେଟ ପାଖେ ଦେଖିଲି ପଚାଶ ଷାଠିଏ ଜଣ ଟୋକା ବନ୍ଦଥିବା ଗେଟ ଉପରେ ଚଢ଼ି ଷ୍ଟାଡିୟମ ଭିତରେ ପଶିବା ଉପରେ – ଏ ଆଡ଼େ ଟିକେଟ୍ କିଣି ପଶୁଥିବା ଦର୍ଶକ ସେପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହୋଇ ଜଣ ଜଣ କରି ପଶୁଥାନ୍ତି। ଷ୍ଟାଡିୟମ ଭରି ଯାଇଥାଏ। ବିନା ଟିକେଟ୍ ବାଲା ପଶିଗଲେ ଦଳାଚକଟା ହୋଇଯାଇପାରେ।

  ମତେ ଦେଖି ମୁଷ୍ଟିମେୟ ପୋଲିସ କର୍ମୀ ଉତ୍ସାହିତ ହୋଇଗଲେ। ତାଙ୍କ ମନୋବଳ ଦୃଢ଼ ହେଲା, ସେମାନେ ଲାଠି ଉଞ୍ଚାଇବା ଆରମ୍ଭ କଲେ। ଏତେ ଜନଗହଳିରେ ଲାଠି ଚାଲିଲେ ଅବସ୍ଥା ଅସମ୍ଭାଳ ହୋଇଯାଇପାରେ। ଭିତରେ ମୁଖ୍ୟମନ୍ତ୍ରୀ। ଫାଇନାଲ୍‌ ଖେଳ -ସୁରୁଖୁରରେ ହେବା ଦରକାର।

   ମୁଁ ଡେଇଁ ପଡ଼ି ଦୁଇ ହାତରେ ଦୁଇଟା ଟୋକାଙ୍କ ଗୋଡ଼ଧରି ଭିଡ଼ି ତଳେ ପକାଇଦେଲି। ତା’ ଭିତରୁ ଜଣେ ଟଣାଓଟରା କରିବାକୁ ଚେଷ୍ଟା କଲାରୁ ମୋ ହାତରୁ ଚାପୁଡ଼େ ଖାଇଲା। କିଛି ଦର୍ଶକ ଓ ତା’ର ଆଗରୁ ପଶି ସାରିଥିବା ବନ୍ଧୁ ଗ୍ୟାଲେରୀର ସବା ଉପର ସ୍ତରରୁ ବାହାରକୁ ଚାହିଁ ସେମାନଙ୍କୁ ‘ଚାଲିଆସ, ଚଢ଼ିଆସ’ ବୋଲି ଉତ୍ସାହ ଦେଇ ଡାକୁଥିଲେ।

ସେମାନେ ପକ୍‌କା କଟକିଆ -‘କଲେକ୍‌ଟର ନା ଚୋପା -ସାର୍ ମାରି ପାରିବେ ନାହିଁ -ଏ କଣ ବ୍ୟବହାର’, ଉପରୁ ଗୁଞ୍ଜରଣ ଆରମ୍ଭ ହୋଇଗଲା।

ମୋ ପ୍ରତ୍ୟୁତ୍ପନ୍ନମତି ମତେ ବୁଦ୍ଧି ବତେଇଲା। ମୁଁ ଜାଣିପାରିଲି ଯେ ଉପସ୍ଥିତ ଆନନ୍ଦ ମୁଖରିତ ସମୟରେ କଡ଼ା ବ୍ୟବହାର ଲୋକେ ପସନ୍ଦ କରିବେ ନାହିଁ। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇପାରେ।

  • ମୁଁ ହସିବା ଆରମ୍ଭ କଲି -ନାଟକରେ ହସିବା ଭଳି – କହିଲି, ‘ଆରେ ଏ ତ ହାମ୍ ସାହି ଟୋକା ଲଟିଆ’।
  • ପକେଟରେ ହାତ ଭର୍ତ୍ତି କଲି; ଭାଗ୍ୟକୁ କୋଡ଼ିଏ ଟଙ୍କିଆ ନୋଟ ଖଣ୍ଡେ ଥିଲା -କାଢ଼ି ତା’ ହାତରେ ଦେଲି -କହିଲି, ‘ତୁ ପରା ମୋ ସାନଭାଇ, ସୁବୋଧ ସାର୍ ମୋ ବଡ଼ଭାଇ; ସମସ୍ତେ ମାଗଣାରେ ଖେଳ ଦେଖିଲେ ଆଗକୁ କଣ ସନ୍ତୋଷ ଟ୍ରଫି ହୋଇ ପାରିବ ! ହଇହେ ସବଇନିସପେକ୍ଟର ସାର୍ -ଏ ବାବୁଙ୍କୁ ଟିକେଟ୍ ନେଇ ଆସିବାରେ ସାହାଯ୍ୟ କର। ସେ ଯେପରି ଭିତରେ ବସି ଆରାମରେ ଖେଳ ଦେଖି ପାରିବେ।’


        ବାସ୍ ! ଏତିକି ଯେମିତି କହିଛି ହସ ଓ କରତାଳିରେ ଗ୍ୟାଲେରୀ ଉପର ପାହାଚରୁ ଜନସମର୍ଥନ ମୋ ଆଡ଼େ ହୋଇଗଲା। ସବୁ ଜବରଦସ୍ତ ଚଢୁଥିବା ଟୋକାଙ୍କୁ ଦର୍ଶକମାନେ ପାଟିକଲେ -‘ସେମିତି କରନି, କଲେକ୍‌ଟର ମନାକଲେ ପରା -ଓହ୍ଲାଇ ଯାଅ’। ପ୍ରାୟ ଶହେ ଜଣ ଖଣ୍ଡେ ଓହ୍ଲାଇ ଗଲେ। ଅବସ୍ଥା ସମ୍ଭଳା ପଡ଼ିଲା।
        ଶ୍ରୀଯୁକ୍ତ ସାହୁ ମୋ ହାତଧରି ପଡ଼ିଆ ଭିତରକୁ ନେଇଗଲେ। ଖେଳ ଚାଲିଲା।
        ତାଙ୍କ ହାତରୁ ଚଟକଣା ଖାଇଥିବା ଶିଷ୍ୟ କାମ ଦେଖାଇ ପାରିଲା ….।

  • ପ୍ରସନ୍ନ କୁମାର ହୋତା, EX IAS
  • ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ନୂଆଦିଲ୍ଲୀ

Leave A Reply

Your email address will not be published.