ପ୍ରଫେସର ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ସ୍ତମ୍ବ : “ହେ ଭାରତବର୍ଷ ତୁମେ ଗାନ୍ଧୀ ହେବା ପାଇଁ ସାହସ କର”

0

ପରବର୍ତ୍ତୀ ଯୁଗରେ କେହି ହୁଏତ ବିଶ୍ୱାସ କରିବେ ନାହିଁ, ଗାନ୍ଧୀଙ୍କ ଭଳି ହାଡ଼ ମାଂସ ଧାରୀ କୌଣସି ମଣିଷ ଏଇ ପୃଥିବୀରେ ଚଲାବୁଲା କରିଥିଲେ’। – ଆଇନଷ୍ଟାଇନ, ବିଶିଷ୍ଟ ବୈଜ୍ଞାନିକ

***************************************************

  • ପ୍ରଫସର ଡ଼ଃ ସତ୍ୟେନ୍ଦ୍ର ପଟ୍ଟନାୟକ

*****************************************************


ଅପାର ବ୍ୟବସାୟିକ ସଫଳତା ଲାଭ କରିଥିବା ଚଳଚିତ୍ର ‘କାଶ୍ମୀର ଫାଇଲ୍ସ୍‌’ ସମ୍ପର୍କରେ ନିଜସ୍ୱ ମତାମତ ବ୍ୟକ୍ତ କରିବାକୁ ଯାଇ ପ୍ରଧନମନ୍ତ୍ରୀ ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ଦେଇଥିବା ମତ ସହଜରେ ଗ୍ରହଣ କରାଯାଇ ପାରିବନି।


କାଶ୍ମୀର ପଣ୍ଡିତମାନଙ୍କ ଗଣହତ୍ୟା ଏବଂ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ପଳାୟନ ସମ୍ପର୍କରେ ନିର୍ମାଣ ହୋଇଥିବା ଏହି ସିନେମା ଦ୍ୱାରା ସତ୍ୟକୁ ଉଜାଗର କରିବା କଥା କହିବା ବେଳେ ପ୍ରଧାନମନ୍ତ୍ରୀ ମହାତ୍ମାଗାନ୍ଧୀଙ୍କ ବିଷୟରେ ଟିପପ୍‌ଣୀ କରିଥିଲେ। ନିଜ ଦଳର ସଂସଦୀୟ କମିଟି ମିଟିଙ୍ଗ ସତ୍ୟକୁ ଉଜାଗର କରିବା ପାଇଁ ଏବଂ ସତ୍ୟକୁ ଠିକ ଭାବରେ ଲୋକ ସମ୍ମୁଖରେ ଉପସ୍ଥାପନା କରିବା ପାଇଁ  ବହି, କବିତା ଏବଂ ସିନେମାର ଏକ ପ୍ରମୁଖ ଭୂମିକା ଅଛି ବୋଲି କହିବା ପଯ୍ୟନ୍ତ ସମୀଚୀନ ମନେହୁଏ।
 କିନ୍ତୁ ଏ  ସମ୍ପର୍କରେ ଉଦାହରଣ ଦେବାକୁ ଯାଇ ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ବ୍ରିଟିଶ ନିର୍ଦ୍ଦେଶକ ରିଚାର୍ଡ଼ ଆଟେନବୋରୋ ଯଦି ୧୯୮୨ ମସିହାରେ ଗାନ୍ଧୀ ଚଳଚିତ୍ର ନିର୍ମାଣ କରିନଥାନ୍ତେ ତାହାଲେ ଗାନ୍ଧୀଜୀଙ୍କୁ ସାରା ବିଶ୍ୱ ହୁଏତ ଜାଣିନଥାନ୍ତା। ନିଜ ବକ୍ତବ୍ୟରେ ନେଲସନ ମଣ୍ଡେଲା ଓ ମାର୍ଟିନ ଲୁଥର କିଙ୍ଗଙ୍କୁ ସମସ୍ତେ ଜାଣିଥିବା ବେଳେ ଗାନ୍ଧୀଙ୍କ ବିଷୟରେ ବେଶୀ କେହି ଜାଣି ନଥିବା ଓ ଗାନ୍ଧୀ ଚଳଚିତ୍ର ପରେ ଗାନ୍ଧୀଙ୍କୁ ସାରା ବିଶ୍ୱ ଜାଣିପାରିଲା ବୋଲି କହିବା ଠିକ କି?


ଜଣେ ବିଜ୍ଞ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱର ଏକ ସଫଳ ନେତା ଓ ସର୍ବୋପରି ଜଣେ ଭାରତୀୟ ଭାବେ ଦେଇଥିବା ଏହି ମନ୍ତବ୍ୟ ତାଙ୍କର ଅଜ୍ଞତା ଅଥବା ତାଙ୍କ ପାଇଁ ଭାଷଣ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଅଜ୍ଞତା ଦର୍ଶାଉଅଛି। ଏଭଳି ମନ୍ତବ୍ୟ ମୋ ଭଳି ଅଗଣିତ ଭାରତୀୟ ତଥା ବିଦେଶୀମାନଙ୍କୁ ଯଥେଷ୍ଟ ବ୍ୟଥିତ କରିଛି।ମୋହନ ଦାସ କରମଚାନ୍ଦ ଗାନ୍ଧୀ ପରବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀ ଭାବରେ ସାରା ବିଶ୍ୱରେ ଏ ଶତାବ୍ଦୀର ଜଣେ ମହାନ ଜନନାୟକ ଭାବେ ପରିଚିତ। ତାଙ୍କର ବ୍ୟକ୍ତିତ୍ୱ ଏବଂ ତାଙ୍କର ମହାନତା  ବିଶ୍ୱବିଦିତ।


ଗାନ୍ଧୀ’ ଚଳଚିତ୍ର ନିର୍ମିତ ହେବା ଆଗରୁ ମଧ୍ୟ ଗାନ୍ଧୀଙ୍କୁ ସମସ୍ତେ ଜାଣିଥିଲେ। ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଏତେ ମହାନ ଯେ ତାଙ୍କ ବିଷୟରେ ଜାଣିବା ପାଇଁ କୌଣସି ସିନେମାର ଆବଶ୍ୟକତା ନଥିଲା। ୧୯୮୨ ମସିହାରେ ନିର୍ମିତ ଗାନ୍ଧୀ ଚଳଚିତ୍ର ପୂର୍ବରୁ ଜଣେ ବିଖ୍ୟାତ କମ୍ପୋଜର ଫିଲିପ୍ ଗ୍ଲାମ୍ ୧୯୮୦ ମସିହାରେ ‘ଅପେରା ସତ୍ୟାଗ୍ରହ’ ସ୍ୱରବଦ୍ଧ କରି ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକା ଅନୁଭୂତିକୁ ପରିବେଷଣ କରିଥିଲେ।

ଗାନ୍ଧୀଙ୍କ ଉପରେ ନିର୍ମିତ ୩୧ଟି ସିନେମା ମଧ୍ୟରୁ ୧୯୫୩ରେ ଆମେରିକୀୟ ଫିଚର ଡ଼କୁମେଣ୍ଟାରୀ ନିର୍ମାଣ କରାଯାଇଥିବା ‘ମହାତ୍ମାଗାନ୍ଧୀ- ବିଂଶ ଶତାବ୍ଦୀର ମହାତ୍ମା’ ଆଟେନବୋରୋଙ୍କ ଗାନ୍ଧୀ ଚଳଚିତ୍ର ପୂର୍ବରୁ ନିର୍ମାଣ କରାଯାଇଥିଲା ଏବଂ ସେତେବେଳକୁ ମଧ୍ୟ ଗାନ୍ଧିଜୀ ବିଶ୍ୱରେ ଏକ ମହାନ ବ୍ୟକ୍ତି ବୋଲି ସମସ୍ତେ ଜାଣିଥିଲେ ।ଆମେରିକାର ବର୍ଣ୍ଣବୈଷମ୍ୟ ବିରୋଧରେ ଏକ ସଫଳ ପ୍ରତିବାଦ କରିଥିବା ବିଶ୍ୱର ଅତ୍ୟତମ ଜନନାୟକ ମାର୍ଟିନ ଲୁଥର କିଙ୍ଗ (ଜୁନିଅର) ୧୯୬୪ ମସିହା ଡ଼ିସେମ୍ବର ୧୧ ତାରିଖରେ ଶାନ୍ତି ପାଇଁ ପାଇଥିବା ନୋବେଲ ପୁରସ୍କାର ଗ୍ରହଣ କରିବା ଭାଷଣରେ ତାଙ୍କ ଜୀବନ ଉପରେ ଗାନ୍ଧିଜୀଙ୍କ ପ୍ରଭାବ ଏବଂ ତାଙ୍କ ଆନ୍ଦୋଳନର ପ୍ରେରଣା ସେ ମହାତ୍ମାଗାନ୍ଧୀଙ୍କର ଅହିଂସା ଆନ୍ଦୋଳନରୁ ପାଇଥିବା ସ୍ୱୀକାର କରି ମହାତ୍ମାଗାନ୍ଧୀଙ୍କୁ ଏକ ଶକ୍ତିଶାଳୀ ଇଂରେଜ ସାମ୍ରାଜ୍ୟକୁ ନିଜର ସତ୍ୟ, ଅହିଂସା ଏବଂ ସାହସ ଦ୍ୱାରା ପରାହତ କରି ପାରିଥିବା କଥା କହିଥିଲେ।  ଏହା ମାର୍ଟିନ ଲୁଥରଙ୍କ ମନର କଥା ଥିଲା ଏବଂ ନିଶ୍ଚିତ ଭାବରେ ସେ କୌଣସି ସିନେମା ଦ୍ୱାରା ପ୍ରଭାବିତ  ହୋଇନଥିଲେ।


୧୯୭୦ ମସିହାରେ କୃଷି ବୈଜ୍ଞାନିକ ନରମାନ ବୋରଲାଗ ତାଙ୍କର ନୋବେଲ ପ୍ରାଇଜ୍ ଗ୍ରହଣ କରିବା ସ୍ୱୀକାର ଭାଷଣରେ ମହାତ୍ମାଗାନ୍ଧୀଙ୍କୁ ନିଜର ଆଦର୍ଶ ବୋଲି କହିଥିଲେ। ନିଶ୍ଚିତ ଭାବରେ ବୋରଲାଗ କୌଣସି ସିନେମା ଦେଖି ଗାନ୍ଧୀଙ୍କୁ ନିଜର ଆଦର୍ଶ ବୋଲି କହିନଥିଲେ।


ପୃଥିବୀ ବହୁ ମହାନ ବ୍ୟକ୍ତି ଏବଂ ସାରା ପୃଥିବୀ ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅହିଂସା, ସତ୍ୟାଗ୍ରହ ଏବଂ ନିଜର ସତ୍ୟନିଷ୍ଠତା  ହେତୁ ମହାତ୍ମାଗାନ୍ଧୀଙ୍କୁ ପୃଥିବୀ ଏକ ମହାନ ବ୍ୟକ୍ତି ଭାବେ ଜାଣିଆସିଛି ଏବଂ ମାନବ ସଭ୍ୟତା ଶେଷ ହେବା ପର୍ଯ୍ୟନ୍ତ ଗାନ୍ଧୀଜୀ ଅମର ହୋଇ ରହିବେ। ଏହି ମହାନତା ତାଙ୍କୁ କୌଣସି ସିନେମା ଦେଇ ନଥିଲା ବା ଦେଇ ପାରିବ ନାହିଁ।ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଯୋଗଦେବା ପାଇଁ ନିଜର ଲଣ୍ଡନ ଗସ୍ତ ସମୟରେ ଗାନ୍ଧିଜୀଙ୍କୁ ଦେଖାକରିବା ପାଇଁ ଚଳଚିତ୍ରର ପ୍ରବାଦ ପୁରୁଷ ଚାର୍ଲି ଚାପଲିନ ଆସିଥିଲେ।


ଯଦିଓ ଗାନ୍ଧୀଜୀ ଚାର୍ଲିଚାପଲିନଙ୍କ ବିଷୟରେ ଅବଗତ ନଥିଲେ ତଥାପି ତାଙ୍କୁ ଦେଖା କରିଥିଲେ ଏବଂ ଏହି ସାକ୍ଷାତାକାରରେ ଚାପଲିନ ଏତେ ପ୍ରଭାବିତ ହୋଇଥିଲେ ଯେ, ‘ମଡ଼ର୍ଣ୍ଣ ଟାଇମ୍ସ୍‌’ ଚଳଚିତ୍ର ନିର୍ମାଣ କରିଥିଲେ। ନିଜର ଆତ୍ମାଜୀବନୀରେ ଚାପଲିନ ଗାନ୍ଧୀଙ୍କ ଦ୍ୱାରା କେତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ତାହା ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ କହିଲା ବେଳେ ଏହା ମନେ ରଖିଥିଲେ ଭଲ ହୋଇଥାନ୍ତା।


ଗାନ୍ଧୀ ୭୦ ବର୍ଷରେ ପଦାର୍ପଣ କରିବା ବେଳେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲର୍ବଟ ଆଇନଷ୍ଟାଇନ୍ ତାଙ୍କ ବିଷୟରେ ଲେଖିଥିବା ଅମର ମନ୍ତବ୍ୟ ନିଶ୍ଚିତ ଭାବରେ କୌଣସି ସିନେମା ଦ୍ୱାରା ପ୍ରଭାବିତ ହୋଇନଥିଲେ। ଆଇନଷ୍ଟାଇନଙ୍କ ଭାଷାରେ ‘ପରବର୍ତ୍ତୀ ଯୁଗରେ କେହି ହୁଏତ ବିଶ୍ୱାସ କରିବେ ନାହିଁ, ଗାନ୍ଧୀଙ୍କ ଭଳି ହାଡ଼ ମାଂସ ଧାରୀ କୌଣସି ମଣିଷ ଏଇ ପୃଥିବୀରେ ଚଲାବୁଲା କରିଥିଲେ’। ଏଭଳି ହୃଦୟସ୍ପର୍ଶୀ ଭାଷାରେ ନିଜର ଭାବନାକୁ ବ୍ୟକ୍ତ କରିବା ବେଳେ ଆଇନଷ୍ଟାଇନ୍ ସିନେମା ବା କୌଣସି ମନୋରଂଜନକାରୀ ମାଧ୍ୟମ ଦ୍ୱାରା ନିଶ୍ଚିତ ଭାବରେ ପ୍ରଭାବିତ ହୋଇନଥିଲେ।


ମହାନ ଲେଖକ ଲିଓ ଟଲଷ୍ଟୟଙ୍କ ଦ୍ୱାରା ପ୍ରଭାବିତ ଗାନ୍ଧୀଜୀ ଟଲଷ୍ଟୟଙ୍କ ସହ ବରାବର ପତ୍ର ବିନିମୟ କରୁଥିଲେ। ଜୀବନର ସାୟାହ୍ନରେ ଥିବା ଟଲଷ୍ଟୟ ‘ଲେଟର ଟୁ ଏ ହିନ୍ଦୁ’ ଲେଖିଥିବା ଚିଠିରେ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ ଏବଂ ୧୯୦୯ ମସିହା ଅକ୍ଟୋବର ୧ ତାରିଖରେ ଲେଖିଥିବା ଚିଠିରେ ଗାନ୍ଧୀ ଟଲଷ୍ଟୟଙ୍କୁ ପଚାରିଥିଲେ ସତରେ କ’ଣ ଟଲଷ୍ଟୟ ତାଙ୍କ ବିଷୟରେ ଲେଖିଛନ୍ତି। ୧୯୦୯ ମସିହା ଅକ୍ଟୋବର ୭ ତାରିଖରେ ଏହି ଚିଠିର ଉତ୍ତର ଟଲଷ୍ଟୟ ଦେଇଥିଲେ। ଏହା ପରେ ସେମାନଙ୍କ ପତ୍ରାଳାପ ଜାରି ରହିଥିଲା। ଅଗଷ୍ଟ ୧୫, ୨୦୧୦ରେ ତାଙ୍କ ଚିଠିରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଟଲଷ୍ଟୟଙ୍କ ନାମରେ ଏକ ‘ଟଲଷ୍ଟୟ ଫାର୍ମ’ ଖୋଲିବା ପାଇଁ ଅନୁରୋଧ କରିଥିଲେ। ଲିଓ ଟଲଷ୍ଟୟ ୭ ସେପ୍ଟେମ୍ବର ୧୯୧୦ରେ ଲେଖିଥିବା ତାଙ୍କର ଶେଷ ଚିଠି ଗାନ୍ଧୀଜୀ ଟଲଷ୍ଟୟଙ୍କ ମୃତ୍ୟୁର କିଛି ଦିନ ଆଗରୁ ନଭେମ୍ବର ୨୦, ୧୯୧୦ରେ ପାଇଥିଲେ। ଭାରତବର୍ଷରେ ଆମେ ଟଲଷ୍ଟୟଙ୍କୁ ଏକ ମହର୍ଷି ଭାବେ ବର୍ଣ୍ଣନା କରିଥାନ୍ତୁ ବୋଲି ଭାବୁକ ହୋଇ ମହାତ୍ମା ଗାନ୍ଧୀ କହିଥିଲେ। ଟଲଷ୍ଟୟ ଗାନ୍ଧୀଙ୍କୁ ପ୍ରଂଶସା କରି ୨୦ ଏପ୍ରିଲ ୧୯୧୦ ମସିହାରେ ତାଙ୍କ ଡ଼ାଇରୀରେ ଲେଖିଥିଲେ, ଟଲଷ୍ଟୟଙ୍କ ମତାମତ କୌଣସି ସିନେମା ଦ୍ୱାରା ପ୍ରଭାବିତ  ନଥିଲା ବରଂ ଏହା ଥିଲା ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱ।


ବର୍ଣ୍ଣବୈଷମ୍ୟ ବିପକ୍ଷରେ ପ୍ରତବାଦ କରି ଦକ୍ଷିଣ ଆଫ୍ରିକାକୁ ରଙ୍ଗଭେଦୀ ସାମ୍ରାଜ୍ୟବାଦରୁ  ମୁକ୍ତ କରିଥିବା ୧୯୯୩ ନୋବେଲ ଶାନ୍ତି ପୁରସ୍କାର ବିଜେତା ନେଲସନ୍ ମଣ୍ଡେଲା ମହାତ୍ମାଗାନ୍ଧୀଙ୍କୁ ନିଜର ଗୁରୁ ବୋଲି ସ୍ୱୀକାର କରିବା ସହ ଗାନ୍ଧୀଙ୍କ ବିଚାର ଧାରା ହେତୁ ବର୍ଣ୍ଣବୈଷମବାଦରୁ  ଦକ୍ଷିଣ ଆଫ୍ରିକାକୁ ରକ୍ଷା କରାଯାଇ ପାରିଲା ବୋଲି କହିଥିଲେ। ମଣ୍ଡେଲାଙ୍କ ଭଳି ନୋବେଲ ବିଜେତା ତୀବ୍‌ତୀୟ ଗୁରୁ ଦଲାଇମାମା ମଧ୍ୟ ଗାନ୍ଧୀଜୀଙ୍କ ଜୀବନ ଦ୍ୱାରା ପ୍ରଭାବିତ ହୋଇଥିବା କଥା କହୁଛନ୍ତି।


ଭାରତୀୟମାନେ ଗାନ୍ଧୀଙ୍କୁ ଏକ ସନ୍ଥ ଏବଂ ଇଂରେଜମାନେ ତାଙ୍କୁ ନିଜ ସୁବିଧା ପାଇଁ ବ୍ୟବହାର କରି ପାରିବେ ବୋଲି ଭାବୁଥିବା ବେଳେ ଗାନ୍ଧୀଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ନୈତିକତା ଏବଂ ନୀତି, ତାଙ୍କର ସବୁଠାରୁ ବଡ଼ ଶକ୍ତିଥିଲା। ଈଶ୍ୱରଙ୍କ ପ୍ରତି ବିଶ୍ୱାସ, ପ୍ରେମ, ସତ୍ୟ ଏବଂ ଭ୍ରାତୃଭାବ ଗାନ୍ଧୀଙ୍କର ବ୍ୟକ୍ତିତ୍ୱର ଅପରିହାର୍ଯ୍ୟ ଅଙ୍ଗ ଥିଲା ଏବଂ ଏହାକୁ ସେ ନିଜ ଜୀବନରେ ପାଳନ କରୁଥିଲେ ବୋଲି ମତ ଦେଇଥିବା ବିଖ୍ୟାତ ଇଂରାଜୀ  ଔପନ୍ୟାସିକ ଜର୍ଜ ଓରୱେଲ କୌଣସି ସିନେମା ଦ୍ୱାରା ପ୍ରଭାବିତ ହୋଇ ନ ଥିଲେ।


ସେହିଭଳି ୧୯୫୦ରେ ନୋବେଲ ବିଜେତା ବିଖ୍ୟାତ ଦାର୍ଶନିକ ବଟଣ୍ଡ ରସେଲ, ଗାନ୍ଧୀଜୀଙ୍କୁ ଏକ ମହାନ ବ୍ୟକ୍ତିତ୍ୱ ଏବଂ ବହୁ ମାନବୀୟ ଗୁଣର ଅଧିକାରୀ ଭାବେ ବର୍ଣ୍ଣନା କରିବା ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇ ତାଙ୍କର ଅଭୂତପୂର୍ବ ବ୍ୟକ୍ତିତ୍ୱ ଦ୍ୱାରା ଇଂରେଜ ସମ୍ରାଜ୍ୟବାଦୀ ଶକ୍ତିକୁ ପ୍ରତିହତ କରିଥିବା ଲେଖିଥିବା ପ୍ରବନ୍ଧ ସେ ‘ଗାନ୍ଧୀ’ ସିନେମା ଦେଖିକରି ଲେଖି ନ ଥିଲେ, କାରଣ ୧୯୭୦ ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା ଏବଂ ଅଟୋନବୋରୋ ୧୯୮୨ ମସିହାରେ ‘ଗାନ୍ଧୀ’ ସିନେମା ନିର୍ଦ୍ଦେଶନା କରିଥିଲେ।


 ଭାରତବର୍ଷର ଶେଷ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ମାଉଣ୍ଟବ୍ୟାଟେନ ତାଙ୍କ ଜୀବନରେ ବହୁ ବିଖ୍ୟାତ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ କେତେ ଜଣ ହାତଗଣତି ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସେ ଗାନ୍ଧୀଜୀଙ୍କୁ ବର୍ଣ୍ଣନା କରିଥିଲେ।
ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବାକୁ ଯାଇଥିବା ଗାନ୍ଧିଜୀଙ୍କର ଏକ ଚିତ୍ର ଆଙ୍କିବା ପାଇଁ ବିଖ୍ୟାତ ମାର୍କିନ ସ୍ଥପତି ଜୋ ଡ଼ାଭିଡ଼ସନ୍‌ଙ୍କ କିଛି ଚିତ୍ର ନେଇ ପରିହାସ ଛଳରେ ଗାନ୍ଧୀ କହିଥିଲେ- ‘ଆପଣ ତାହାଲେ କାଦୁଅରେ ପଡ଼ିଥିବା ଲୋକମାନଙ୍କୁ ନାୟକ ଭାବେ ଚିତ୍ରଣ କରୁଛନ୍ତି’, ଗାନ୍ଧିଙ୍କୁ ଆଙ୍କିବା କଷ୍ଟକର ଥିଲା। ତାଙ୍କ ପାଖକୁ ମୁଣ୍ଡିଆ ମାରି ତାଙ୍କ ଦର୍ଶନ କରିବାକୁ ଆସୁଥିବା ଅଂସଖ୍ୟ ପ୍ରଶଂସକଙ୍କୁ ଦେଖାକଲା ବେଳେ ଗାନ୍ଧୀ କେବେ ବି ସ୍ଥିର ହୋଇ ବସୁ ନ ଥିଲେ। ଗାନ୍ଧୀଙ୍କ ସରଳତା ଏବଂ ହସଖୁସିଆ ମିଜାଜ ବିଷୟରେ ଲେଖି ଡ଼ାଭିଡ଼ସନ୍ ତାଙ୍କୁ ପଚାରିଥିଲେ ‘ମହାତ୍ମା’ ଅର୍ଥ କଣ ଏବଂ ତା ଉତ୍ତରରେ ଗାନ୍ଧୀ କହିଥିଲେ ‘ଏକ ଅର୍ବାଚୀନ ମନୁଷ୍ୟ’। ଗାନ୍ଧୀଙ୍କ ବିଷୟରେ ଏକ ବିଶିଷ୍ଟ ଋଷୀୟ ଚିତ୍ରକାର ଫେଲିକ୍ସ ଟୋପୋଲସ୍କି ମଧ୍ୟ ଗାନ୍ଧୀଜୀଙ୍କର ବିଶାଳ ବ୍ୟକ୍ତିତ୍ୱ କଥା କହିଥିଲେ।


‘ଷ୍ଟୋରୀ ଅଫ୍ ସିଭିଲାଇଜେସନ’ ଭଳି ବିଖ୍ୟାତ ପୁସ୍ତକ ରଚୟିତା ଆମେରିକୀୟ ଐତିହାସିକ ୱଲି ଡ଼ୁରାଣ୍ଟ ମହାତ୍ମା ଗାନ୍ଧୀଙ୍କ ବିଷୟରେ କହିଥିଲେ- ‘ବୁଦ୍ଧଙ୍କ ପରେ ଭାରତବର୍ଷରେ କୌଣସି ମହାପୁରୁଷ ଆସି ନାହାନ୍ତି ଯେ କି ନିଜର ସରଳତା, କ୍ଷମାଶୀଳତା ପାଇଁ ବିଖ୍ୟାତ। କୌଣସି ସନ୍ଥ ଦ୍ୱାରା ଏକ ବିଳ୍ପବ ଆଣିବା ଭଳି ଏକ ମହାନ ବ୍ୟକ୍ତିତ୍ୱ ଥିଲେ ଗାନ୍ଧୀଜୀ’ ।ତାଙ୍କର ବହୁ ନୀତିର ପ୍ରଭାବ ବିଶ୍ୱ ଉପରେ ପଡ଼ିଛି। ଅହିଂସା ଉପରେ ଥିବା ତାଙ୍କର ଅଗାଢ଼ ବିଶ୍ୱାସ ଏବଂ ଅହିଂସା ଦ୍ୱାରା ଏକ ପରିବର୍ତ୍ତନ ଆଣି ପାରିବା ଭଳି ଶକ୍ତି ଗାନ୍ଧୀଙ୍କର ଥିବା କଥା ଜାତିସଂଘର ତୃତୀୟ ସେକ୍ରେଟାରୀ ଜେନେରାଲ ଉ. ଥାଣ୍ଟ ମତବ୍ୟକ୍ତି କରିଥିଲେ। ବିଶିଷ୍ଟ ବ୍ରିଟିଶ୍ ସଂଗୀତଜ୍ଞ ଏବଂ ଜନପ୍ରିୟ ବ୍ୟାଣ୍ଡ ‘ଦିବିଟଲ୍ସ’ର ସ୍ରଷ୍ଟା ଜନ ଲେନନ୍ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସଂଗୀତର ପ୍ରେରଣା ବୋଲି ବର୍ଣ୍ଣନା କରିବା ବେଳେ ସେ ନିଶ୍ଚିତ ଭାବେ ଗାନ୍ଧୀ ସେନେମା ଦେଖିନଥିଲେ।


ମୁଁଏବଂ ମୋର ସାଥୀମାନେ କ୍ରାନ୍ତିକାରୀ ହୋଇପାରୁ କିନ୍ତୁ ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଗାନ୍ଧୀଙ୍କର ଶିଷ୍ୟ’ ବୋଲି କହିଥିବା ଭିଏତନାମର କ୍ରାନ୍ତିକାରୀ କମ୍ୟୁନିଷ୍ଟ ନେତା ହୋଚିମିନ ଗାନ୍ଧୀଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ।ମେସ୍କିକାନ- ଆମେରିକାନ୍ ଶ୍ରମିକ ନେତା ସିଜର ଚାଭେଜ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ‘ଗାନ୍ଧୀ କେବଳ ଅହିଂସା କଥା କହୁନଥିଲେ ବରଂ ଅହିଂସା କିଭଳି ଭାବେ ନ୍ୟାୟ ଏବଂ ମୁକ୍ତି ଆଣିପାରେ ତାହା ଦେଖାଇଥିଲେ’ ବୋଲି ମନ୍ତବ୍ୟ ଦେଇ ଗାନ୍ଧୀଜୀଙ୍କ ମହାନତା ବିଷୟରେ ବିଶ୍ୱକୁ ଅବଗତ କରାଇଥିଲେ।
ନୋବେଲ ପୁରସ୍କାର ବିଜେତା, ବିଶିଷ୍ଟ ଲେଖକ, ଜର୍ଜ ବାର୍ଣ୍ଣାଡ଼ ଶ’ଙ୍କୁ ପୃଥିବୀରେ କିଏ ନ ଜାଣେ। ଗାନ୍ଧୀଙ୍କ ସମ୍ପର୍କରେ ତାଙ୍କ ମତ ସେ ସ୍ପଷ୍ଟଭାବେ କହିଥିଲେ। ‘ଗାନ୍ଧୀଙ୍କ ବିଷୟରେ ମତାମତ? ଆପଣଙ୍କର ହିମାଳୟର ଉଚ୍ଚତା ସମ୍ପର୍କରେ କାହାକୁ ପଚାରନ୍ତୁ ’ ବୋଲି କହିଥିବା କୌଣସି ସିନେମା ଦ୍ୱାରା ପ୍ରଭାବିତ ହୋଇନଥିଲେ।


ଯେତେବେଳ ପର୍ଯ୍ୟନ୍ତ ସ୍ୱାଧୀନ ମଣିଷ ଓ ସ୍ୱାଧୀନତା ଏବଂ ନ୍ୟାୟକୁ ଭଲ ପାଉଥିବା ମଣିଷ ପୃଥିବୀରେ ଥିବେ ସେତେ ଦିନ ପର୍ଯ୍ୟନ୍ତ ଗାନ୍ଧୀଙ୍କୁ ସମସ୍ତେ ମନେରଖିଥିବେ ଦେଇଥିବା ମତ ଥିଲା ଆଫ୍ରିକା ମହାଦେଶର ଇଥୋପିଆର ସମ୍ରାଟ ହେଲେ ସେଲାସି (ପି)ଙ୍କର। ଗାନ୍ଧୀଜୀଙ୍କ ଅସଂଖ୍ୟ ପ୍ରଶଂସକମାନଙ୍କ ମଧ୍ୟରୁ ଆମେରିକା ରାଷ୍ଟ୍ରପତି ବରାକ ଓବାମା, ନୋବେଲ ବିଜେତା ବର୍ମାର ଅଙ୍ଗସାନ ସୁକ୍ୟି ଷ୍ଟିଭଜୋବଙ୍କ ଭଳି ବହୁ ବିଖ୍ୟାତ ବ୍ୟକ୍ତି ସାମିଲ ଥିଲେ।
୧୯୧୭ ମସିହାରେ ଇଂରେଜ ସରକାରଙ୍କର ସେକ୍ରେଟାରୀ ଅଫ୍ ଷ୍ଟେଟସ୍ ଏଡ଼ୱିନ ମଣ୍ଟାଗୁ ଭାରତ ଆସିଥିଲେ। ଯଦିଓ ବ୍ରିଟିଶ୍ ଅଫିସର ଭାବେ ସେ କିଛି କହିନଥିଲେ କିନ୍ତୁ ତାଙ୍କ ଡ଼ାଏରୀରେ ସେ ଗାନ୍ଧୀଙ୍କୁ ଜଣେ ‘ଭିଜନାରୀ’ ଭାବେ ବର୍ଣ୍ଣନା କରିଥିଲେ। ଗାନ୍ଧୀଙ୍କ ଘୋର ବିରୋଧୀ ଚର୍ଚିଲ ଭାରତର ପ୍ରମୁଖ ବ୍ୟବସାୟୀ ଘନଶ୍ୟାମ ଦାସ ବିରଳାଙ୍କ ସହ କଥାବାର୍ତ୍ତା ହେଲା ବେଳେ ଗାନ୍ଧୀଙ୍କୁ ତାଙ୍କର ଅସ୍ପୃଶ୍ୟତା ବିରୋଧୀ ମନୋଭାବ ଏବଂ କାର୍ଯ୍ୟ ପାଇଁ ଭୁୟସୀ ପ୍ରଂଶସା କରିଥିଲେ।


ରିଚାର୍ଡ଼ ଆଟୋନବୋରୋ ଗାନ୍ଧୀ ସିନେମା ନିର୍ମାଣ କରିବାର ପ୍ରେରଣା ପାଇଥିବା ବହିର ଲେଖକ ଇହୁଦୀ – ଆମେରିକୀୟ ସାମ୍ବାଦିକ ଲୁଇସ୍ ଫିସଚର ଗାନ୍ଧୀ ଆତତାୟୀ ଗୁଳିରେ ମୃତ୍ୟୁବରଣ କରିଥିବା ଶୁଣି ବ୍ୟଥିତ ହୋଇ କହିଥିଲେ- ‘ସୁଦୁର ଭାରତବର୍ଷରେ ଆଣ୍ଠୁ ନଲୁଚୁଥିବା ଧୋତି ପିନ୍ଧା ବୁଢ଼ା ଲୋକ ଜଣେ ଚାଲିଗଲେ, ତଥାପି ଯେତେବେଳେ ସେ ମରିଗଲେ ମାନବତା କାନ୍ଦିଲା।’
୧୯୩୦ ମସିହାରେ ‘ଟାଇମ୍‌’ ପ୍ରତିକାରେ ଗାନ୍ଧୀଙ୍କୁ ‘ମ୍ୟାନ୍ ଅଫ୍ ଦି୍ ଇଅର୍’ ଭାବେ ଘୋଷଣା କରିବା ସହ ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ୍ ପୋଷ୍ଟ, ୱାଲଷ୍ଟ୍ରିଟ ଜର୍ଣ୍ଣାଲ, ଚିକାଗୋ ଟ୍ରିବ୍ୟୁନ, ‘ଆସୋସିଏଟେଡ଼ ପ୍ରେସ୍‌’, ୟୁନାଇଟେଡ଼ ପ୍ରେସ୍ ଭଳି ବିଭିନ୍ନ ସମ୍ବାଦପତ୍ର ଓ ସଂବାଦ ସଂସ୍ଥା ଗାନ୍ଧୀଙ୍କୁ ପ୍ରମୁଖ ସ୍ଥାନ ଦେଇଥିଲା ଏବଂ ସାରାବିଶ୍ୱ ଗାନ୍ଧୀଙ୍କୁ ସେତେବେଳେ ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ବିଚାର କରୁଥିଲା। ୧୯୩୦ ମସିହାରେ ‘ଟାଇମ୍‌’ ପ୍ରତିକାରେ ସ୍ଥାନ ପାଇବା ପୂର୍ବରୁ ୧୯୨୧ ମସିହା ଏପ୍ରିଲ ୨୦ ତାରିଖରେ ଆମେରିକାରେ ବର୍ଣ୍ଣବିଦ୍ୱେଷ ପାଇଁ ସଂଘର୍ଷ କରୁଥିବା ଖ୍ରୀଷ୍ଟିଆନ୍ ପାଦ୍ରୀ ଡ଼କ୍ଟର ହେନେସ ହୋମସ୍ ଗାନ୍ଧୀଙ୍କୁ ଭଗବାନଙ୍କ ସହ ତୁଳନା କରି କହିଥିଲେ ‘ମୁଁ ଯେତେବେଳେ ଗାନ୍ଧୀଙ୍କ କଥା ଭାବେ ସେତେବେଳେ ମୁଁ ଯୀଶୁ ଖ୍ରୀଷ୍ଟଙ୍କ କଥା ମଧ୍ୟ ଭାବେ’।


 ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ପାଲ ଏସ୍ ବକ୍ ଗାନ୍ଧୀଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ଗାନ୍ଧୀଙ୍କୁ ଆମ ସମସ୍ତଙ୍କ  ପାଖକୁ ଆହୁରି ଟାଣିଆଣିଛି। ‘ସେ ଜାଣିଥିଲେ ସେ ଠିକ୍। ଆମେ ସମସ୍ତେ ଜାଣିଛୁ ସେ ଠିକ୍‌। ତାଙ୍କୁ ଯେ ହତ୍ୟା କଲା ସେ ବି ଜାଣିଥିଲା ଗାନ୍ଧୀ ଠିକ୍, କିନ୍ତୁ ଅଜ୍ଞାନତା ଏବଂ ହିଂସା ଏବେ ବି ଚାଲିଛି ଏବଂ ଏହା ପ୍ରମାଣ କରେ ଯେ ଗାନ୍ଧୀ ହିଁ ଠିକ୍। କାରଣ ସେ କହିଥିଲେ ପ୍ରତିବାଦ କର କିନ୍ତୁ ଅହିଂସା ଦ୍ୱାରା।  ହିଂସା  ଦ୍ୱାରା ପୃଥିବୀ କ୍ଷତବିକ୍ଷତ।
ହେ ଭାରତବର୍ଷ !! ତୁମ ଗାନ୍ଧୀ ଭଳି ହେବା ପାଇଁ ତୁମେ ସାହସ କର’, ପାଲ ଏସ୍ ବକ୍‌ଙ୍କର ବ୍ୟକ୍ତବ୍ୟ ପରେ ଆଉ କିଛି ଲେଖିବା ବା ଗାନ୍ଧୀଙ୍କୁ ପରିଚିତ କରିବାର ଧୃଷ୍ଟତା ମୋର ନାହିଁ।

(ଲେଖକଙ୍କ ବ୍ୟକ୍ତିଗତ ମତ)

++++++++++++++++++++++++++++++++++++++

Prof DR SATYENDRA PATNAIK //

 (English in Graduation, MA in Ancient Indian History, Culture & Archaeology. (Visva Bharati University) Santiniketan, Ph.D in History. Professor under Gauhati University. Now Rector in KIIT University. Authored several books on History, religion, Tourism, Social Anthropology.)

MOB: 94370 41465

Leave A Reply

Your email address will not be published.