ପ୍ରତିଦିନ ଖାଆନ୍ତୁ ଫାଳେ ଅଣ୍ଡା
- ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ରିପୋର୍ଟ
- ଅଣ୍ଡା ଉତ୍ପାଦନରେ ଖୁବଶୀଘ୍ର ସ୍ୱାବଲମ୍ବୀ ହେବ ଓଡ଼ିଶା- ମନ୍ତ୍ରୀ
ଭୁବନେଶ୍ୱର,//TATKAL ODISHA//
ପ୍ରତିଦିନ ଫାଳେ ଅଣ୍ଡା ଖାଆନ୍ତୁ । ଅର୍ଥାତ୍ ଦୁଇ ଦିନରେ ଗୋଟିଏ ଅଣ୍ଡା ଓ ବର୍ଷକୁ ହାରାହାରି ୧୮୦ ଅଣ୍ଡା ଖାଇବା ଜରୁରୀ । ନିୟମିତ ଅଣ୍ଡା ଖାଇଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ ହେବ । ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି । ତେଣୁ ଓଡ଼ିଶା ଚାଷୀ ଓ ଉଦ୍ୟୋଗୀମାନେ ସରକାରୀ ରିହାତି ନେଇ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆଗେଇ ଆସିବା ହରକାର ବୋଲି ରାଜ୍ୟ ସରକାର ଆହ୍ୱାର ଦେଇଛନ୍ତି ।
ଶୁକ୍ରବାର ଲୋକସେବା ଭବନର କନ୍ଭେନ୍ସନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଅଣ୍ଡା ଏକ ଅତ୍ୟନ୍ତ ସ୍ୱାସ୍ଥ୍ୟପଦ ଓ ସଂପୂର୍ଣ୍ଣ ଖାଦ୍ୟ । ପ୍ରାଣୀଜ ପୁଷ୍ଟିସାର ଭାବରେ ଅପପୁଷ୍ଟି ଦୂର କରିବାରେ ଏହା ଅତ୍ୟନ୍ତ ଉପାଦେୟ । ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ନିୟମିତ ଅଣ୍ଡା ଖାଇବା ଦରକାର । ଦିିନକୁ ଦିନ ଅଣ୍ଡାର ଚାହିଦା ବଢ଼ୁଥିବାରୁ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ଜରିଆରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ସେମାନଙ୍କ ପାଇଁ ନିରନ୍ତର ଆୟର ସୁଯୋଗ ସୃଷ୍ଟି କରିଥାଏ । ରାଜ୍ୟର ଚାଷୀ ଓ ଉଦ୍ୟୋଗୀମାନେ ସରକାରୀ ଯୋଜନାର ଲାଭ ଉଠାଇ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ କରି ନିଜର ଆୟ ବୃଦ୍ଧି କରିବା ସହିତ ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ କରିବା ଆବଶ୍ୟକ ।
“ରାଜ୍ୟରେ ଦୈନିକ ଏକ କୋଟିରୁ ଉର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ ହେଉଛି । ଏହି ଧାରା ବଜାୟ ରଖି ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି” : ମନ୍ତ୍ରୀ
ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ, ଅଣ୍ଡାରେ ବିଭନ୍ନ ପ୍ରକାରର ଖାଦ୍ୟସାର ଯଥା -ଲିଉଟିନ୍, ଜାନଥିନ୍, କୋଲିନ୍, ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଡି, ଆମିନୋ ଏସିଡ୍, ସ୍ନେହସାର ଭିଟାମିନ୍ ବି-୧୨ ଓ ଫୋଲିକ୍ ଏସିଡ୍ ଥିବାରୁ ଏହା ଏକ ସଂପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚିତ ହୋଇଥାଏ । କୃଷକମାନଙ୍କ ଆୟ ବୃଦ୍ଧିକରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରାଣୀସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ ଗ୍ରାମାଞ୍ଚଳ ଲୋକଙ୍କର ଆୟ ବୃଦ୍ଧି ସହିତ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ସହଜରେ ପୂରଣ କରିଥାଏ । ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ଫାର୍ମ ପ୍ରତିଷ୍ଠା ପାଇଁ ୩ ଲକ୍ଷ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ସେହିପରି ବାରି ଅଗଣାରେ କୁକୁଡ଼ା ଓ ବତକ ପାଳନ ନିମନ୍ତେ ରାଜ୍ୟ ସରକାର ଶତ ପ୍ରତିଶତ ଆର୍ôଥକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟର ଉଦ୍ୟୋଗୀମାନଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ôଥକ ପ୍ରୋତ୍ସାହନ ଦିଆଯାଉଛି । ଫଳସ୍ୱରୂପ ବିଗତ ୨୦ ବର୍ଷରେ ଓଡ଼ିଶାରେ ଦୁଗ୍ଧ , ମାଂସ ଓ ଅଣ୍ଡାର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ସଂପ୍ରତି ରାଜ୍ୟରେ ଦୈନିକ ଏକ କୋଟିରୁ ଉର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ ହେଉଛି । ଏହି ଧାରା ବଜାୟ ରଖି ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ କୁକୁଡ଼ାଚାଷୀ ଓ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସମାରୋହରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଅଣ୍ଡାର ଖାଦ୍ୟଗୁଣ ଓ ଏହାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି ବୋଲି କହିଥିଲେ । ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ରିପୋର୍ଟ ଅନୁଯାୟୀ ଜଣେ ବର୍ଷକୁ ହାରାହାରି ୧୮୦ଟି ଅଣ୍ଡା ଅର୍ଥାତ୍ ଦୁଇ ଦିନରେ ଗୋଟିଏ ଅଣ୍ଡା କିମ୍ବା ପ୍ରତିଦିନ ଫାଳେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ । ଏହି ପରିପ୍ରେକ୍ଷୀରେ ଚାଷୀ ଓ ଉଦ୍ୟୋଗୀମାନେ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଗେଇ ଆସିବାକୁ ସେ କହିଥିଲେ ।
ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରା ସ୍ୱାଗତ ଭାଷଣ ଦେଇଥିଲେ । ସମାରୋହରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କୁକୁଡ଼ାଚାଷୀ, ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ରାଜ୍ୟର ପ୍ରତି ଜିଲ୍ଲାରେ ମଧ୍ୟ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି ଏବଂ ରାଜ୍ୟସ୍ତରୀୟ ସମାରୋହରେ ପ୍ରତି ଜିଲ୍ଲା ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।
ବିଶ୍ୱ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଅଣ୍ଡାର ଉପାଦେୟ ଗୁଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ୟୁନିଟ୍ -୧ ଓ ୟୁନିଟ୍ – ୬ ହାଇସ୍କୁଲ, ରାଜଭବନ, ଆଇଆ?ର୍ସି ଭିଲେଜ ଓ ଏରୋଡ୍ରମ୍ କଲୋନୀ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏତଦ୍ବ୍ୟତୀତ ଭୁବନେଶ୍ୱରର ବିଭିନ୍ନ ଅନାଥାଶ୍ରମରେ ଅନ୍ତେଃବାସୀମାନଙ୍କୁ ଅଣ୍ଡା ବିତରଣ କରାଯାଇଥିଲା ।