ପ୍ରକାଶ ତ୍ରିପାଠୀଙ୍କ ନୂଆ ଗଳ୍ପ -‘ଉପହାର’

0
  • //TATKAL ODISHA// ନୂଆ ଗପ//

+++++++++++++++++++++++++++++++++

II ଉପହାର।I

++++++++++++++++++++++++++++++++++

  • ପ୍ରକାଶ ତ୍ରିପାଠୀ
    ପୁଅ ପାଇଁ ଡିକ୍ସିନାରୀ ବହିଟିଏ ଆଣିବା ପାଇଁ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ବହିଲେନ୍ ରେ ପୁଅ ସହ ପହଞ୍ଚିବା ପରେ କେଉଁ ଦୋକାନରୁ ବହି କିଣିବେ ନିଷ୍ପତ୍ତି ନେଇ ପାରୁନଥିଲେ ଅନିରୁଦ୍ଧ । ଅନେକ ସୁସଜ୍ଜିତ ବହି ଦୋକାନ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଲମ୍ବି ଯାଇଛନ୍ତି ଶ୍ରୀୟା ଟକିଜ୍ ଛକ ଯାଏଁ। ଖୁବ୍ ଭଲ ଲାଗେ ଏହି ବହି ଦୋକାନ ଗୁଡ଼ିକୁ ଦେଖିଲେ। ବିଶେଷ କରି ବହିପ୍ରେମୀ ମାନଙ୍କ ପାଇଁ ତ ଏହି ସ୍ଥାନଟି ନିଶ୍ଚିତ ଆକର୍ଷଣୀୟ। ନୂତନ ବହି ସହ ପୁରୁଣା ବହି ମଧ୍ୟ ଏଠାରେ ଅଧା ଦାମ୍ ରେ ମିଳେ। ଅନିରୁଦ୍ଧ ଅନେକ ସମୟର ଏଠାକୁ ଆସି ମନପସନ୍ଦର ନୂଆ ପୁରୁଣା ବହି କିଣିଥାନ୍ତି।
  • ଅନିରୁଦ୍ଧ ଆମ ସମୟର ଜଣେ ସୁପରିଚିତ ଲେଖକ। ତାଙ୍କ ରଚିତ ଗଳ୍ପ ଓ ପ୍ରବନ୍ଧମାନ ଅନେକ ସମୟରେ ପତ୍ର ପତ୍ରିକାରେ ପ୍ରକାଶ ପାଇଥାଏ।ଇତି ମଧ୍ୟରେ ସେ ମଧ୍ୟ ଚାରି ପାଞ୍ଚୋଟି ପ୍ରବନ୍ଧ ଓ ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶ କରି ସାରିଲେଣି।
    ପୁଅର ହାତଧରି ଗୋଟିଏ ଦୋକାନ ଭିତରକୁ ଚାଲିଗଲେ ଅନିରୁଦ୍ଧ । ପୁରୁଣା ଅକ୍ସଫର୍ଡ ଡିକ୍ସିନାରୀ ବହିଟିଏ ଦେବା ପାଇଁ ଦୋକାନୀଙ୍କୁ କହିଲେ। ହଠାତ୍ ପୁଅ ଉଚ୍ଚ ସ୍ବରରେ ଅନିରୁଦ୍ଧ ବାବୁଙ୍କ ହାତ କୁ ହଲାଇଦେଇ କହିଲା – ବାପା ଦେଖ, ତୁମର ବହି ସେ ଥାକରେ ରହିଛି।
    ଅନିରୁଦ୍ଧ ବାବୁଙ୍କ ନଜର ଚାଲିଗଲା ବହି ଥାକ ଉପରକୁ। ସତେତ. ତାଙ୍କର ଗଳ୍ପ ସଂକଳନ ବହିଟିଏ ଥୁଆ ହୋଇଛି ବହି ଥାକରେ।
  • ଦୋକାନୀଙ୍କୁ କହିଲେ- ଭାଇ, ସେ ବହିଟି ଦେବେ କି।
    ଦୋକାନୀ ଟି ବହିଟି ବଢ଼ାଇଦେଲା ଅନିରୁଦ୍ଧ ଙ୍କ ହାତକୁ। ନିଜର ବହି ଦୋକାନରେ ବିକ୍ରି ପାଇଁ ରହିଥିବା ଦେଖି କେଉଁ ଲେଖକ ଖୁସି ନ ହେବ ଯେ। ଅନିରୁଦ୍ଧ ଙ୍କ ଛାତି କୁଣ୍ଢେମୋଟ ହୋଇଗଲା। ଅନିରୁଦ୍ଧ ବହି ଟି ଖୋଲୁ ଖୋଲୁ ଦୋକାନୀ
  • କହିଲେ- ସାର୍, ସେଇଟା ପୁରୁଣା ବହି। ଫର୍ଟି ପର୍ସେଣ୍ଟ ରିବେଟ।
    ଅନିରୁଦ୍ଧ ବହିଟିକୁ ଭଲ କରି ଦେଖୁଥିଲେ। ସମ୍ପୂର୍ଣ ନୂଆ ଲାଗୁଥିଲା। ସତେ ଯେମିତି ବହିଟିକୁ କେହି ପଢ଼ିନାହାନ୍ତି।
    ବହିର ପ୍ରଥମ ପୃଷ୍ଠା ଖୋଲିଲେ ଅନିରୁଦ୍ଧ। ଚମକି ପଡ଼ିଲେ ନିଜର ହାତଲେଖା ଦେଖି। ଲେଖାଥିଲା – ବନ୍ଧୁ ବିକାଶଙ୍କୁ ସଶ୍ରଦ୍ଧ ଉପହାର। ତା ତଳେ ନିଜ ଦସ୍ତଖତ।
    ମନେ ପଡ଼ୁଥିଲା ଅନିରୁଦ୍ଧ ଙ୍କ ସେହି ବହିର ଛାପିବା ଦିନର କଥା। ପୁସ୍ତକ ପ୍ରକାଶକଙ୍କ ସର୍ତ୍ତ ଥିଲା ଯେ ଅତି କମରେ ୫୦ ଖଣ୍ଡ ପୁସ୍ତକ ଲେଖକ ସମ୍ପୂର୍ଣ ଦାମ୍ ଦେଇ କିଣିବେ।ବହି ଛାପିବାର ନିଶା ଘାରିଥିଲା ଅନିରୁଦ୍ଧ ଙ୍କୁ। ପ୍ରକାଶକଙ୍କ ପ୍ରସ୍ତାବରେ ରାଜି ହୋଇ ନିଜର ପୁସ୍ତକକୁ ଗୋଟିକୁ ୧୫୦ ଟଙ୍କା ଦରରେ କିଣିଥିଲେ। ସେଥିରୁ ୧୦ ଖଣ୍ଡି ପୁସ୍ତକ ଉନ୍ମୋଚନ ରେ ଅତିଥିମାନଙ୍କୁ ଉପହାର ଭାବେ ଦିଆଯାଇଥିଲା। ବହି ପ୍ରକାଶ ପାଇଥିବା କଥା ବ୍ୟାପି ଯାଇଥିଲା ସାଙ୍ଗ ସାଥୀ ଓ ସାହି ପଡ଼ିଶାରେ। ଯାହାକୁ ନ ଦେଲ, ତା ମନ ଦୁଃଖ।ଉପହାର ଭାବେ ସବୁ ବହି ବାଣ୍ଟି ଦେଇଥିଲେ ଅନିରୁଦ୍ଧ ନିଜ ସାଙ୍ଗ ଓ ଚିହ୍ନା ପରିଚିତଙ୍କ ମଧ୍ୟରେ। ପୁଣି ଥରେ ୨୦ ଖଣ୍ଡ ବହି ପ୍ରକାଶକ ଙ୍କ ଠାରୁ କିଣିବାକୁ ବାଧ୍ୟ ହୋଇଥିଲେ ସେ।
    ଏବେ ସେହି ଉପହାର ଦେଇଥିବା ଗୋଟିଏ ବହି ତାଙ୍କ ହାତରେ। ବହିଟିକୁ ସେ ଦେଇଥିଲେ ନିଜ କଲୋନୀରେ ରହୁଥିବା ପଡୋଶୀ ବିକାଶ ବାବୁଙ୍କୁ ତାଙ୍କ ଅନୁରୋଧରେ । ପ୍ରଥମ ପୃଷ୍ଠାରେ ଆଙ୍କି ଦେଇଥିଲେ ଉପହାର ସ୍ୱରୂପନିଜ ସ୍ୱାକ୍ଷର ।
  • ଅଜାଣତରେ ଦୁଇଟୋପା ଅଶ୍ରୁ ନିଗିଡ଼ି ପଡ଼ିଲା ଅନିରୁଦ୍ଧ ଙ୍କ ଆଖିରୁ। ଉପହାର ର ମୂଲ୍ୟ ଯେଉଁମାନେ ବୁଝନ୍ତି ନାହିଁ, ସେମାନେ ଉପହାର ପାଇବାର ହକଦାର ନୁହନ୍ତି। ନିଜ ବହିଟିର ଦାମ୍ ପଚାରିଲେ ଦୋକାନୀଙ୍କୁ।
    ନବେ ଟଙ୍କା ସାର୍।
    ଆଉ କିଛି କମ୍ କରନ୍ତୁ। ଅନିରୁଦ୍ଧ ଜାଣିଶୁଣି ବାର୍ଗେନିଂ କରୁଥିଲେ ବହିଟି କେତେ ଦାମ୍ ରେ ସେ କିଣିଛି ଜାଣିବାକୁ।
  • ନାଇଁ ସାର୍ ହେବନି। ଅଧା ଦାମ୍ ରେ କିଣୁଛୁ । ଟେନ୍ ପର୍ଷେଣ୍ଟ ପ୍ରଫିଟରେ ବିକୁଛୁ।
    ବହିଟିକୁ ଫେରାଇଦେଲେ ଦୋକାନୀଙ୍କୁ। ଡିକ୍ସିନାରୀ ବହିଟିର ମୂଲ୍ୟ ଦେଇ ପୁଅ ସହ ଦୋକାନରୁ ଫେରି ଆସୁଥିଲେ ଅନିରୁଦ୍ଧ। ମନେ ମନେ ନିଷ୍ପତ୍ତି ନେଉଥିଲେ, ଭବିଷ୍ୟତରେ, ଯେତେ ନିଜର ହେଲେ ବି ନିଜ ବହି ଆଉ ଉପହାର ଭାବରେ ନୁହେଁ, ମୂଲ୍ୟ ରଖି ଦେବେ ବିନା ଲେଖକୀୟ ସନ୍ତକରେ।
  • @କୋଣାର୍କ, ପୁରୀ

Leave A Reply

Your email address will not be published.