ପ୍ରକାଶ ତ୍ରିପାଠୀଙ୍କ ନିଚ୍ଛକ ଗପ -‘ଅମଣିଷ’

0

//TATKAL ODISHA//

ଅମଣିଷ

  • ପ୍ରକାଶ ତ୍ରିପାଠୀ
    ଆଜିକୁ ବାର ବର୍ଷ ତଳେ ଠିକ୍ ଏହିଭଳି ଘଟଣା ଟିଏ ଘଟିଥିଲା ଆମ ସାହିର ଶେଷ ମୁଣ୍ଡରେ ଥିବା ସେହି ଆଭିଜାତ୍ୟ ସମ୍ପନ୍ନ ଘରେ। ନିଜକୁ ସର୍ବଦା ଜଣେ ସାଧାରଣ ମଣିଷ ଅପେକ୍ଷା ଜଣେ ଉଚ୍ଚ ପଦବୀଧାରୀ ଅଧିକାରୀ ମାନୁଥିବା ସେହି ତଥାକଥିତ ବଡଲୋକର ଘରେ ଘଟିଥିଲା ସେହି ଘଟଣା ଯାହାକୁ ଶୁଣି ମୋ ଆଖି ହୋଇଥିଲା ଲୁହ ଛଳ ଛଳ।ଗୋଟିଏ ଯୁଗ ପରେ ଆଜି ପୁଣି ଥରେ ଅନୁରୂପ ମୋ ଅବସ୍ଥା।
    ପୂର୍ବର ଘଟଣା – ପୁଅକୁ ଦଶବର୍ଷ ହେଲା ବେଳକୁ ପତ୍ନୀଙ୍କ ଦେହାନ୍ତ। ଘର ଲୋକଙ୍କ ଚାପ ସତ୍ତ୍ୱେ ଦ୍ୱିତୀୟ ବିବାହ ପାଇଁ ରାଜିହୋଇନଥିଲେ ସେ।ପୁଅକୁ ମା ର ଅଭାବ ଅନୁଭବ କରିବାର ଗୋଟିଏ ବି ସୁଯୋଗ ଦେଇନଥିଲେ । ପୁଅକୁ ବଡ ମଣିଷ କରିବାର ନିଶା ଘାରିଥିଲା ତାଙ୍କୁ। ନିଜର ସବୁ ସୁଖ ଓ ଭାବ କୁ ଭୁଲି ପୁଅର ଭବିଷ୍ୟତ ଗଢିଥିଲେ। ଆଶାନୁରୁପ ଭବିଷ୍ୟତ ବି ଗଢି ହୋଇଗଲା ପୁଅର। ଏକ ଉଚ୍ଚ ସରକାରୀ ପଦବୀରେ ନିଯୁକ୍ତି ପାଇଥିଲା ସେ। ମଣିଷ ରୁ କ୍ରମଶଃ କମି କମି ସେ ଅଧିକ ହୋଇଯାଉଥିଲା ଅଧିକାରୀ।ସଭିଙ୍କ ଉପରେ ଅଧିକାର ସାବ୍ୟସ୍ତ କରିବା ସତେ ଯେମିତି ହୋଇଯାଇଥିଲା ତାର ଧର୍ମ। ବାପାଙ୍କ ବୟସାଧିକ ଜନିତ ବିଭିନ୍ନ ରୋଗ ଅସହ୍ୟ ହୋଇଥିଲା ଅଧିକାରୀ ପୁଅ ପାଇଁ।ନିସ୍ତାର ପାଇବା ପାଇଁ ଅଭିନବ ଉପାୟ ପାଞ୍ଚିଲା। ଦିନେ ଗାଡିରେ ବୁଲାଇବାକୁ ନେବାକୁ କହି ଦୂର ସହରର ଗୋଟିଏ ବୃଦ୍ଧାଶ୍ରମରେ ବାପାକୁ ଛାଡ଼ି ଦେଇ ଆସିଲା।
    ବାପା ଯିବା ପରେ ଘରକୁ ଆଣିଥିଲା ବ୍ଲାକୀ କୁ । ବାପା ସୋଇବା ଘର ପରିବର୍ତ୍ତିତ ହୋଇଥିଲା ବ୍ଲାକି ର ଶୋଇବା ଘରରେ। କିଚି ମିଚି କଳାରଙ୍ଗର ଦୋବରମ୍ୟାନ ଥିଲା ବ୍ଳାକି।
    ସେହି ଘମଣ୍ଡି ଅଧିକାରୀର ଡ୍ରାଇଭର ଠାରୁ ଏ ଘଟଣା ଶୁଣି ମୁଁ ଗୋଟିଏ ସପ୍ତାହ ନିଦରେ ଶୋଇ ପାରିନଥିଲି। ଭାବିଥିଲି ତାକୁ ଯାଇ ପଚାରିବି। କୁକୁରକୁ ଯତ୍ନର ସହ ଘରେ ପାଳି ପାରୁଛୁ, ହେଲେ ନିଜ ବାପାକୁ ପାଖରେ ରଖି ପାରୁନୁ। ପତ୍ନୀ ବାରଣ କରିବାରୁ ଚୁପ୍ ରହିଲି।
    ଆଜିର ଘଟଣା – ବ୍ଲାକି କୁ ଇତି ମଧ୍ୟରେ ବାର ବର୍ଷ ହୋଇଗଲାଣି। ସେ ବି ବୁଢ଼ା ହେବାକୁ ଲାଗିଲାଣି। ଖାଇବା କମିବା ସହ ଅନେକ ରୋଗ ବାହାରିଲାଣି। ଘରେ ଯୁଆଡେ ଦେଖିବ ବ୍ଲାକି ର ଲୋମ। ଏବେ ଆଉ ବ୍ଲାକି କୁ ବାହାରକୁ ବୁଲାଇବାକୁ ପସନ୍ଦ କରୁନାହିଁ ସେହି ଘମଣ୍ଡି ଅଧିକାରୀ। ଠିକ୍ ବାର ବର୍ଷ ତଳର ସେଇ ମନ୍ଦବୁଦ୍ଧି ପୁଣି ଉଙ୍କି ମାରିଲା ତା ମୁଣ୍ଡରେ। ଗାଡିରେ ବସାଇ ବ୍ଲାକି କୁ ସହର ଠୁ ବହୁଦୂର କୁ ଚାଲିଗଲା ଓ ରାସ୍ତା କଡ଼ରେ ଛାଡ଼ି ଦେଇ ଫେରି ଆସିଲା ଘରକୁ।
    ବୁଢ଼ା ବାପା ଓ ବୁଢ଼ା କୁକୁର କୁ ସମାନ ଦୃଷ୍ଟିରେ ଦେଖି ଥିଲା ସେହି ସ୍ୱାର୍ଥପର ପୁଅ। ଏ କଥା ଶୁଣିବା ପରେ ପୁଣି ଥରେ ମୋ ଆଖି ଲୁହ ରେ ଭରି ଯାଇଥିଲା। ପୁଣି ଥରେ ନିଜକୁ ପ୍ରସ୍ତୁତ କରୁଥିଲି ତାକୁ ପଚାରିବାକୁ ଯେ ତୁ ମଣିଷ ନା ଆଉ କିଛି। ଏଥର ବି ପତ୍ନୀ ଙ୍କ ବାରଣ ଯୋଗୁଁ ଚୁପ୍ ରହିଲି।
    ହେଲେ ବାରମ୍ବାର ଗୋଟିଏ ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଥିଲା – ସେହି ଅମଣିଷ ତା ବୟସାଧିକ ପତ୍ନୀକୁ ନିଜର ବାପା ଓ କୁକୁର ଭଳି କେବେ ବାହାରେ ଛାଡି ଦେବନି ତ ?
  • @କୋଣାର୍କ, ପୁରୀ

Leave A Reply

Your email address will not be published.