ପ୍ରକାଶ ତ୍ରିପାଠୀଙ୍କ କାହାଣୀ -ଟିପ୍ସ

0
  • TATKAL ODISHA

++++++++++++++++++++++++++++++++++++

ଟିପ୍ସ

• ପ୍ରକାଶ ତ୍ରିପାଠୀ
ଇଭିନିଙ୍ଗ ସୋ ସରିଲା ବେଳକୁ ରାତି ନଅଟା। ଅବିନାଶ ଓ ମଧୁମିତା ହାତ ଧରାଧରି ହୋଇ ହଲରୁ ବାହାରକୁ ଆସୁଥିଲେ।
ବାହାରେ ଝିପି ଝିପି ବର୍ଷା । ବେଳେବେଳେ କୋହଲା ପବନ ଦେହ ଥରାଇ ଦେଉଥାଏ।ନଭେମ୍ବର ମାସରେ ଶୀତ ବେଶି ନଥିଲେବି ମେଘୁଆ ପାଗ ଶୀତର ଅନୁଭବକୁ ବଢାଇ ଦେଉଥାଏ।
ଏଇ ଦୁଇମାସ ତଳେ ଉଭୟଙ୍କ ବାହାଘର ସରିଛି। ବାହାଘର ମାସକ ପରେ ଅବିନାଶ ମଧୁମିତାକୁ ନେଇଆସିଛନ୍ତି ଭୁବନେଶ୍ବର ନିଜ ଭଡା ଘରକୁ। ଦିନ ବେଳା ଯାହା ରୋଷେଇ ହୁଏ, ରାତିରେ ଦୁଇଜଣ ବାହାରେ ଖାଇ ନିଅନ୍ତି କିମ୍ବା ଖାଇବା ମଗାଇ ଦିଅନ୍ତି।
ଘରେ ୫୪ ଇଞ୍ଚ ଏଲ ଇ ଡି ଟିଭି ରେ ପ୍ରାଇମ ଆମାଜନ ଥିଲେ ବି ସିନେମା ହଲର ମଜ୍ଜା ନିଆରା ବୋଲି ଯୁକ୍ତି କରନ୍ତି ଅବିନାଶ । ଘର ଠାରୁ ମାତ୍ର ଅଧକିଲୋମିଟର ଦୂରରେ ସିନେମାହଲ । ସିନେମାହଲ ପାଖରେ ବି ଅନେକ ଗୁଡିଏ ଭଲ ଏ ସି ଫ୍ୟାମିଲି ରେଷ୍ଟୁରାଣ୍ଟ ରହିଛି। ଶନିବାର ସନ୍ଧ୍ୟାରେ ଅଫିସରୁ ଫେରି ସିନେମା ଯିବାକୁ ଅବିନାଶଙ୍କ ପ୍ରସ୍ତାବକୁ ସାଦରେ ଗ୍ରହଣ କରିଥିଲେ ମଧୁମିତା।
ନିଜ ଭ୍ୟାନିଟ ବ୍ୟାଗରୁ ଫୋଲ୍ଡିଂ ଛତା ବାହାର କରିଥିଲେ ମଧୁମିତା। ସେଇ ଗୋଟିଏ ଛତା ତଳେ ଜାକିଜୁକି ହୋଇ ରେଷ୍ଟୁରାଣ୍ଟକୁ ଚାଲିଲେ ଉଭୟ।
ଚୁପି ଚୁପି କଥା ବାର୍ତ୍ତା ଭିତରେ ଡିନର ସରିଯାଇଥିଲା। ଆଉ କିଛି ଦରକାର ବୋଲି ପଚାରିଥିଲେ ସର୍ଭିସ ବୟ । ମଧୁମିତା ମୁହଁ କୁ ଚାହିଁଲେ ଅବିନାଶ। ମଧୁମିତା ଟିସୁ ପେପରରେ ଓଠ ପୋଛୁ ପୋଛୁ ମୁଣ୍ଡ ହଲାଇଲେ।
ଫୋଲଡର ଭିତରେ ୩୫୦ ଟଙ୍କାର ଡିନର ବିଲ ରଖିଦେଲେ ସର୍ଭିସ ବୟ। ପର୍ସ ରୁ ଦୁଇଖଣ୍ଡ ଦୁଇଶହଟଙ୍କିଆ ନୋଟ କାଢି ଫୋଲଡର ଭିତରେ ରଖିବା ବେଳେ ତୁମ ପାଖେ ପଚାଶ ଟଙ୍କା ହେବ କି ବୋଲି ମଧୁମିତାକୁ ପଚାରିଲେ ଅବିନାଶ। ମଧୁମିତା ମନା କରିଥିଲେ।
କିଛି ସମୟ ପରେ ଫୋଲଡର ଭିତରେ ୫୦ ଟଙ୍କା ରଖି ଟେବୁଲରେ ରଖିଦେଇଥିଲେ ସର୍ଭିସ ବୟ। ଫୋଲଡର ଭିତରୁ ୫୦ ଟଙ୍କା କାଢି ନିଜ ପର୍ସ ରେ ରଖିବା ବେଳେ ସର୍ଭିସ ବୟକୁ ଧନ୍ୟବାଦ କହିବାକୁ ଭୁଲିନଥିଲେ ଅବିନାଶ। ଅବିନାଶଙ୍କୁ ଦେଖୁଥିଲେ ମଧୁମିତା। ଭାବୁଥିଲେ, ୫୦ ଟଙ୍କା ନ ନେଇ ସର୍ଭିସ ବୟକୁ ଟିପ୍ସ ଦେଇଦେଇଥିଲେ ହୋଇନଥାନ୍ତା ? ଅବିନାଶ କେଡେ କଞ୍ଜୁସ ??
ବାହାରେ କୁଣ୍ଡା ଝଡ଼ିଲା ଭଳି ବର୍ଷା। ଅନତି ଦୂରରେ ଗାମୁଛାଟିଏ ଘୋଡ଼ିହୋଇ ଠିଆ ହୋଇଥାନ୍ତି ଜଣେ ରିକ୍ସାବାଲା। ରିକ୍ସାବାଲାକୁ ଡାକିଲେ ଅବିନାଶ। ଖୁସି କ୍ଲାସିକ ଏପାର୍ଟମେନ୍ଟ ଯିବ ? ଆଜ୍ଞା ଯିବି – ଉତ୍ତର ଦେଲେ ରିକ୍ସାବାଲା। ପୁଣି ପ୍ରଶ୍ନ ଅବିନାଶଙ୍କ- କେତେ ନେବ?
୩୦ ଟଙ୍କା ବାବୁ ଦେବେ। ବର୍ଷା ହେଉଛି। ରିକ୍ସାବାଲା ଓଦା ଗାମୁଛାରେ ମୁହଁ ପୋଛି କହିଲେ।
ରିକ୍ସାରେ ବସିପଡିଲେ ଅବିନାଶ ଓ ମଧୁମିତା। ସେମାନଙ୍କ ଦେହରେ ଯେପରି ପାଣି ନପଡ଼େ, ସେଥିପାଇଁ ଉଭୟ ପଟକୁ ପଲିଥିନରେ ଆବରଣ କରିଦେଲେ ରିକ୍ସାବାଲା। ରିକସା ଗଡ଼ିଲା ଆଗକୁ।
ମଝିରେ ମଝିରେ ଆବୁଡା ଖାବୁଡା ରାସ୍ତାରେ ରିକ୍ସାରୁ ଓହ୍ଲାଇପଡି ରିକସା ଭିଡୁଥିଲେ ରିକ୍ସାବାଲା। ମୁଣ୍ଡ ତାଙ୍କର ବର୍ଷାରେ ଓଦା ହେଉଥିଲାବେଳେ ଦେହ ଓଦା ହେଉଥିଲା ଝାଳରେ ।
ଏପାର୍ଟମେନ୍ଟ ପାଖରେ ପହଞ୍ଚିବା ପରେ ନିଜ ପର୍ସରୁ ରେଷ୍ଟୁରାଣ୍ଟରୁ ବଳିଥିବା ୫୦ ଟଙ୍କିଆ ନୋଟ ଟିକୁ ଅବିନାଶ ବଢାଇ ଦେଇଥିଲେ ରିକ୍ସାବାଲାଙ୍କ ହାତକୁ। ରିକ୍ସାବାଲା ନିଜ ଅଣ୍ଟାରୁ ଟଙ୍କା କାଢୁଥିବା ବେଳେ ଫେରାଇବାକୁ ମନା କରିଥିଲେ ଅବିନାଶ।
ଏଥର ବି ଅବିନାଶଙ୍କୁ ଦେଖୁଥିଲେ ମଧୁମିତା। ଭାବୁଥିଲେ ଅନ୍ୟକିଛି।
@ କୋଣାର୍କ, ପୁରୀ

Leave A Reply

Your email address will not be published.