ପୌର ନିର୍ବାଚନ ‘ବିଗୁଲ୍’ ଖୁବ୍‌ଶୀଘ୍ର

0

  • ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଏସ୍‌ଇସି

ଭୁବନେଶ୍ୱର,//TATKAL ODISHA//

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ହିଁ ପୌର ନିର୍ବାଚନ ବିଗୁଲ୍ ବାଜିବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ୍ ୪୫୮୪ଟି ବୁଥ୍‌ରେ ଇଭିଏମ୍ ମାଧ୍ୟମରେ ଭୋଟ୍ ଗ୍ରହଣ କରାଯିବ । ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ‘ନୋଟା’ ବ୍ୟବହାର ହେବ ।


 ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ସେଥିରୁ ଗୋଟିଏ କର୍ପୋରେଟର/କାଉନ୍‌ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ,ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ ।

କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବସ୍ଥା କରାଯିବ । ଏତଦ୍‌ବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌? ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ । ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମ୍‌ରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ ।

 ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିଛି । ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଆଗ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିସାରି ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ ଓ ସେଠାରେ କର୍ପୋରେଟର/କାଉନ୍‌ସିଲର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିବେ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପର ସୁବିଧା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ବଛାବଛା ମାଷ୍ଟର ଟ୍ରେନରମାନଙ୍କର ଦୁଇଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ ନିର୍ବାଚନ କମିଶନଙ୍କ ଦ୍ୱାରା ରାଜ୍ୟସ୍ତରରେ ଶେଷ ହୋଇଛି ।

ପୌର ନିର୍ବାଚନ ପାଇଁ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ୱାର୍ଡ ପୁନର୍ଗଠନ, ବୁଥ ଓ ଭୋଟର ତାଲିକା ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକୁ ଅନୁମୋଦନ କରିସାରିଛନ୍ତି । ପୌର ନିର୍ବାଚନ ନିମନ୍ତେ ସମସ୍ତ ଦିଗରୁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତ ଥିବା କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.