ପୁରୀରେ ନୋହିଲା: ଗୋପାଳପୁର,ପଟି ସୋନାପୁରରେ ‘ବିଚ କୁଡ଼ିଆ’

0
  • ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ‘ବିଚ ସେକ୍‌’
  • ଦୁଇ ବେଳାଭୂମୀରେ ହେବ ‘ଗୋଆ’ ଭଳି ୭ କୁଡ଼ିଆ
  • ମୁକ୍ତାକାଶ ତଳେ ପାନୀୟ ମଜା ନେବେ ପର୍ଯ୍ୟଟକ
  • ଭୁବନେଶ୍ୱର,//TATKAL ODISHA//


ପୁରୀରେ ଫେଲ୍‌! ଅଥଚ ଗୋପାଳପୁର, ପଟି ସୋନାପୁର ବେଳାଭୂମୀରେ ପାସ୍ । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗଞ୍ଜାମ ଜିଲ୍ଲାର ଦୁଇ ବେଳାଭୂମୀ ଗୋପାଳପୁର ଓ ପଟି ସୋନାପୁରରେ ଗୋଆ ଢାଞ୍ଚାରେ ହେବ ‘ବିଚ୍ ସେକ୍‌’ । ଏଥିପାଇଁ ପର୍ଯ୍ୟଟନ ବିଭାଗ ନୂଆ ନକ୍ସା ପ୍ରସ୍ତୁତ କରିଛି । ଉକ୍ତ ବେଳାଭୂମୀ ଦ୍ୱୟରେ ବିଦେଶୀ ପର୍ଯ୍ୟଟକମାନେ ମୁକ୍ତ ଆକାଶ ତଳେ ପାନୀୟ ମଜା ନେବେ । 
 ପର୍ଯ୍ୟଟନ ବିଭାଗ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମିଳିତ ହୋଇ ‘ବିଚ୍ ସେକ୍‌’ ପାଇଁ ଜାଗା ଚିହ୍ନଟ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋପଳପୁରରେ ୫ଟି କୁଡ଼ିଆ ହେବାକୁ ଥିବା ବେଳେ ପଟି ସୋନାପୁରରେ ହେବ ୨ଟି କୁଡ଼ିଆ । ପରେ ଚାହିଦା ଦେଖି କୁଡ଼ିଆ ସଂଖ୍ୟା ବୃଦ୍ଧି ହେବ । ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ହିଁ ମୂଳ ଲକ୍ଷ୍ୟ ରହିଛି । ଗୋଆ ଭଳି ଗାପାଳପୁର ଓ ପଟି ସୋନାପୁର ବେଳାଭୂମୀକୁ ସଜାଇ ଦିଆଯିବ । ପର୍ଯ୍ୟଟକମାନେ ବେଳାଭୂମିର ଖୋଲା ଆକାଶ ତଳେ ବସି ସମୁଦ୍ର ମାଛ ଭଜା ଖାଇବା ସହ ବିଦେଶୀ ପାନୀୟର ମଜା ନେବେ । ସମୁଦ୍ରରେ ଗାଧୋଇବାର ସମସ୍ତ ସୁବିଧା ରହିବ । ସୁଲଭ ଦରରେ ‘ସି-ଫୁଡ୍‌’ ବି ଉପଲବ୍ଧ ହେବ । 
 ବ୍ରହ୍ମପୁର ସହର ଠାରୁ ପୂର୍ବକୁ ଗୋପାଳପୁର ବେଳାଭୂମୀ ପ୍ରାୟ ୧୪ କିମି ଦୂର ହେବ । ହେଲେ ପଟି ସୋନାପୁର ବେଳାଭୂମୀ ବ୍ରହ୍ମପୁର ସହର ଠାରୁ ଦକ୍ଷିଣକୁ ୨୦ କିଲୋମିଟର ଦୂର । ସେହିପରି ଗୋପାଳପୁର ବେଳାଭୂମୀ ଠାରୁ ୩୫ କିଲୋମିଟର ଏବଂ କୋଲକାତା-ଚେନ୍ନାଇ ଜାତୀୟ ରାଜପଥ-୧୬ ଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି । ଏହି ଦୁଇ ବେଳାଭୂମୀକୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସିଲେ ରାଜ୍ୟକୁ ଅଧିକ ପରିମାଣରେ ବିଦେଶୀ ମୁଦ୍ରା ମିଳିପାରିବ । ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.