ପୁଣି 100 କୋଟିର ଜମି ଘୋଟଲା !!.. ପ୍ରଚ୍ଛଦରେ କେଉଁ ବାବୁ?
- ସମ୍ବେଦନଶୀଳ ରେଡ ଜୋନରେ ଥିବା ଜମିର କିସମ ପରିବର୍ତ୍ତନ!
- କୁଆଖାଇ ନଦୀ ପଠାରେ ଥିବା ନିଷିଦ୍ଧାଞ୍ଚଳରେ ପୋଖରୀ ଜମି ଉପରେ ବିରାଟ ପ୍ରାସାଦ
- ଅବସରପ୍ରାପ୍ତ ବଡ଼ ବାବୁଙ୍କ ବାହୁ ଛାୟା ତଳେ ରହି ସାନ ବାବୁଙ୍କ ବଡ଼ କେଳେଙ୍କାରୀ
- ଖୋର୍ଦ୍ଧା, ଭୁବନେଶ୍ୱର, କଟକ//TATKAL ODISHA// SUPER EXCLUSIVE //
ରାଜଧାନୀରେ ଜମି ହଡ଼ପ ନେଇ କିଛି ଦିନ ହେଲା ଭୀଷଣ ହୋହାଲ୍ଲା ଚାଲିଛି I ଏଇ ସୁଯୋଗକୁ ହାତଛଡ଼ା ନ କରି କିଛି ସଂସ୍ଥା ନିଜ ସ୍ୱାର୍ଥ ସାଧନ ଉଦେଶ୍ୟରେ ଅନ୍ୟର ଗୁମର ଖୋଲି ଚାଲିଛନ୍ତି I
ହେଲେ ଏଭଳି ଭିଡ଼ ଭିତରେ ଲୁଚି ହୋଇ ଯାଇଛି ରାଜଧାନୀର ଛାତି ଉପରେ ପ୍ରାୟ 100 କୋଟି ଟଙ୍କାର ଦୁର୍ମୁଲ୍ୟ ଜମି କେଳେଙ୍କାରୀ ଘଟଣା I
ଓଡ଼ିଶା ସରକାରଙ୍କ କରିତକର୍ମା ବାବୁଙ୍କ ବାହୁଛାୟା ତଳେ ରହି ଗୋଟିଏ ସଂସ୍ଥା ନିୟମକୁ ମାଡ଼ି ମକଚି ବେଆଇନ ଭାବେ ଜମି ହଡ଼ପ କରିଛି I ଏପରିକି ନିଷିଦ୍ଧାଞ୍ଚଳ ସତ୍ୱେ ନଦୀ ପଠାକୁ ବି ଛାଡ଼ି ନାହାନ୍ତି I କିସମ ପରିବର୍ତ୍ତନ କରି ପୋଖରୀ ଉପରେ ପ୍ରାସାଦ ନିର୍ମାଣ ହୋଇଛି I
- ସଂସ୍ଥା ପ୍ରଚ୍ଛଦରେ କିଏ ସେ ବାବୁଦ୍ବୟ ? ରାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ?
TATKAL ODISHA ପକ୍ଷରୁ ଏନେଇ ଅନୁସନ୍ଧାନ କରାଯାଇ କିଛି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ କରିଛି I କିଛି ତଳିଆ ବାବୁ କେମିତି ବଡ଼ ବାବୁ(ଅବସର ପ୍ରାପ୍ତ)ଙ୍କ ହାତ ବାରିଶ ହୋଇ ଜମି ହଡ଼ପର ମୁଖ୍ୟ କାର୍ପଟଦାର ସାଜିଛନ୍ତି ତାହା ଜଣାପଡ଼ିଛି I
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ତହସିଲର ପାଣ୍ଡରା ମୌଜାରେ ହୋଇଛି ଏହି ଜମି ଘୋଟଲା….
- ରିପୋର୍ଟ ମୁତାବକ, ଭୁବନେଶ୍ୱର ତହସିଲ ଖାତା ନମ୍ବର 120,ପ୍ଲଟ ନମ୍ବର 2576, ରକଵା ଏକର 01.0600 ଡ଼ିସିମିଲ, ଜଳାଶୟ କିସମକୁ ପରିବର୍ତ୍ତନ କରାଯାଇ ଜନୈକ ମେଡିକାଲ ସଂସ୍ଥାର କର୍ତ୍ତୃପକ୍ଷଙ୍କ ନାମରେ ରେକର୍ଡ କରାଯାଇଅଛି I ତାହା ଓଏଲଆର କେସ ନମ୍ବର 2- 6413 / 2018ରେ କରାଯାଇଛି I ଉକ୍ତ ଜମି ଏବେ ରେଡ ଜୋନରେ ରହିଛି I
ଦେଖନ୍ତୁ ସରକାରୀ ନଥିରେ କେମିତି ଜମିର କିସମ ପରିବର୍ତ୍ତନ ହୋଇଛି?

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସବୁ ସରକାରୀ ନୀତି ନିୟମକୁ ଦଳିମକଚି କିଛି ଧୂର୍ତ୍ତ ଅଧିକାରୀ ମନଇଚ୍ଛା ଜଳାଶୟ କିସମ ଜମିକୁ ଘରବାଡି କିସମ କରିଛନ୍ତି I ପାଣ୍ଡରା ମୌଜାର ନଦୀ ପଠା ଉପରେ ଥିବା ସମ୍ବେଦନଶୀଳ (sensitive Land) ଜମି ଉପରେ ବିରାଟ ପ୍ରାସାଦ ନିର୍ମାଣ ହୋଇଛି I ଗୋଟିଏ ନୁହେଁ ଦୁଇଟି ନୁହେଁ, ଚାରୋଟି ପ୍ରାସାଦ ହୋଇଛି I ଏସବୁ 'ମିଲି ଭଗତ'ରେ ହୋଇଛି I ଦାୟୀତ୍ୱରେ ଥିବା ବାବୁମାନେ ବେଶ ହାତ ଚିକ୍କଣ କରି ଜଳାଶୟ ଜମିକୁ ବେସରକାରୀ ସଂସ୍ଥା ହାତରେ ଟେକି ଦେବାକୁ ନିର୍ଦେଶ ଦେଇ ସଫଳ ହୋଇଛନ୍ତି I
କୁହାଯାଉଛି, ଜନୈକ ଅବସରପ୍ରାପ୍ତ ବଡ଼ ବାବୁଙ୍କ ନିର୍ଦେଶରେ ସାନ ବାବୁ ବେଆଇନ କାର୍ଯ୍ୟ କରିଛନ୍ତି I ସେଥିପାଇଁ ତାଙ୍କୁ ରାତି ଅଧିଆ ପଦୋନ୍ନତି କରାଯାଇଛି I ସେଇ କରିତକର୍ମା ବାବୁ ଜଣକ ଟେବୁଲ ତଳ ଅର୍ଥ ନେଇ ନାଲି ପଡ଼ିଯାଇଥିବା କୁହାଯାଉଛି I ବଡ଼ ବାବୁ ଅବସର ନେଇଥିଲେ ହେଁ “ପାୱାର” ଯାହାକୁ ତାହା I ଫଳରେ ଏବେବି ପଦୋନ୍ନତି ଦେଇଥିବା ସାନ ବାବୁଙ୍କ ଜରିଆରେ ଜମି କାରସାଦି ଅବ୍ୟାହତ ରହିଛି I
ଉଭୟ ପୂର୍ବ ସରକାରଙ୍କର ବୋଲକରା ହୋଇ ସମସ୍ତ ବେଆଇନ କାମ କରିଥିଲାବେଳେ ଏବେ ନୂତନ ସରକାରଙ୍କର କେମିତି ଗେଲ୍ହା ପୁଅ ପାଲଟି ଯାଇଛନ୍ତି? ତାହା ପାୱାର କରିଡରରେ ଚର୍ଚ୍ଚା ହେଉଛି I ନିଶ୍ଚିତ ଭାବରେ ସାଙ୍ଘାତିକ କଥା I
ତେବେ ସେହି ବେଆଇନ କାମ କରିଥିବା ବାବୁ ମାନେ ବଡବଡିଆ ପ୍ରଭାବଶାଳି ବାବୁଙ୍କ ଛତ୍ରଛାୟା ତଳେ ନିରାପଦରେ ଖସିଯିବା ବିଡମ୍ବନାର ବିଷୟ I
ତେବେ ଆମର ପ୍ରଶ୍ନ ଯିଏ ବେଆଇନ ସମ୍ବେଦନଶୀଳ ଜମି ହଡ଼ପ କରି ଯେତେ ଦୋଷୀ, ଯେଉଁ ଅଧିକାରୀ କାରସାଦୀ କରି ଜମି ଦେଇଛି ସେ ତା’ଠାରୁ ତତୋଧିକ ଦୋଷୀ I ନୂଆ ସରକାର ଏସବୁ ପ୍ରତି ନଜର ଦେଇ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି I
//ତୁ ତ ମୁତୁରି… ମୁଁ ତ ମୁତୁରି //
ପୂର୍ବ ଜମି କେଳେଙ୍କାରୀ ସହ ସଂଯୋଗ..
TATKAL ODISHA ପୂର୍ବରୁ ଜମି କେଳେଙ୍କାରୀ ରିପୋର୍ଟ କରି ହଇଚଇ ସୃଷ୍ଟି କରିଥିଲା I ତାହା 2024 ମସିହା ଏପ୍ରିଲ – ମେ ମାସରେ ପ୍ରକାଶ ପାଇଥିଲା I ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଭଗବତୀପୁର ମୌଜା ଖାତା ନମ୍ବର 584/01,ସରକାରଙ୍କ ଚିଠିରେ ବାରଣ ସତ୍ୱେ ଯବାନ ଲିଜର ଚାଷ ଜମିକୁ ଘରବାଡ଼ି କରି ଓଡ଼ିଶା ପ୍ରଶାସନର ଜଣେ ବଡ଼ ବାବୁ ପ୍ରାୟ 4.56 ଏକର ଜମି ହାତେଇ ନେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା I ରିପୋର୍ଟ ପ୍ରକାଶ ପରେ ବିଧାନସଭାରେ ପ୍ରସଙ୍ଗ ଉଠିଲାI ରାଜ୍ୟ ସରକାର ବି ତତ୍ପର ହୋଇ ଉଠିଥିଲେ I ମାତ୍ର କଣ ହେଲା କେଜାଣି ଉକ୍ତ ଜମି କେଳେଙ୍କାରୀ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ସରକାରୀ ନାଲିଫିତା ତଳେ ଚାପି ଗଲା I
ସମ୍ପୃକ୍ତ ବାବୁ ଜଣକ ନିଶରେ ଘିଅ ମାରି ନୂଆ ସରକାରର ନୂଆ ଫାଇଦା ନେବାକୁ ଅଣ୍ଟା ଭିଡ଼ିଥିବା କୁହାଯାଉଛି I
(କ୍ରମଶଃ )
କଣ ଥିଲା ପୂର୍ବ ରିପୋର୍ଟ….??
// SUPER EXCLUSIVE //
TATKAL INVESTIGATION
IAS ବାବୁଙ୍କ 4.55 ଏକର ଜମି ମୋହ ‘ମହଙ୍ଗା’? ରଦ୍ଦ ହେବ କି ଆବଣ୍ଟନ ??