ପଢ଼ନ୍ତୁ ନୂଆ ଗପ -ସନ୍ୟାସୀର ସ୍ତ୍ରୀ
- //ସନ୍ତୋଷ କୁମାର ସେଠୀ //
- +++++++++++++++
- ସନ୍ୟାସୀର ସ୍ତ୍ରୀ
ନୂଆ ଯାଗାକୁ ବଦଳି ହୋଇ ଆସିବାର ପ୍ରାୟ ୪ ମାସ ପରେ ଝିଅର ସ୍କୁଲ ପରୀକ୍ଷା ଶେଷ ହେବା ରୁ ପତ୍ନୀ ଓ ଝିଅ ଆସି ପହଞ୍ଚିଲେ କ୍ୱାଟରରେ। ତାଙ୍କୁ ସ୍ୱାଗତ କରିନେଲା ସନ୍ୟାସୀ,ମୋ ଅର୍ଡଲୀ। ଭଲ ଲୋକ ଟିଏ। ବୟସ ୫୪/୫୫ ଟପିଲେ ବି କାମ ରେ ଭାରି ଫୁର୍ତ୍ତି।ମୋ କ୍ୱାର୍ଟର ଠାରୁ ପ୍ରାୟ ୩୦୦ ମିଟର ଦୂରରେ ରହୁଥିବା ରୁ ସେ ସବୁ ବେଳେ ବେଶ୍ ସାହାଯ୍ୟ କରିଥାଏ। ଏ ଚାରି ମାସ ମଧ୍ୟରେ ସେ ମୋର ଖୁବ୍ ଯତ୍ନ ନେଇଛି। ଟୁରରୁ ଯେତେ ବିଳମ୍ବ ରେ ଫେରିଲେ ବି ସେ ଅପେକ୍ଷା କରିଥିବ। ରନ୍ଧା ଖାଦ୍ୟ କୁ ଉଷୁମ କରି ଖୋଇ ପେଇ ତା ଘରକୁ ଯିବ। କେବେ କେବେ ବାଧ୍ୟ କଲେ ଖାଏ,ନ ହେଲେ "ମୋ ଘର ଏଇଠି,ଗୋଲାପ ଅପେକ୍ଷା ରେ ଥିବ" କହି ପଳାଏ। ପ୍ରତିଦିନ ଭୋରରୁ ଆସି ଫୁଲ ତୋଳି,ଘର ଅଗଣା ଝାଡୁ କରି କାମ ସାରିଦିଏ ।
ମୋଟ ଉପରେ କର୍ମଠ ଓ ପରିଚ୍ଛନ୍ନ ବ୍ୟକ୍ତି ଟି ଏ ସନ୍ୟାସୀ।
ଅଫିସ ରେ ସମସ୍ତ ଙ୍କ ର ବୋଲହାକ କରୁଥିବା ରୁ ସମସ୍ତେ ତାକୁ ଭଲ ପାଆନ୍ତି।ତା ନିଜ ଘର କାହିଁ କେତେ ଦୂର। କୁହେ ଆଗେ ଫି ବର୍ଷ ୧୦/୧୫ ଥର ବାପା ମା ଥିଲେ ବୋଲି ଗାଁ କୁ ଯାଉଥିଲା। ହେଲେ ଆଗ ପଛ ହୋଇ ସେ ଦୁହେଁ ଯିବା ପରେ ଏବେ ଥରେ ଦି ଥର ସମ୍ପର୍କୀୟ ଙ୍କ ମଲା ମୂର୍ତ୍ତିକିୟାରେ ଯାହା ଯାଉଛି। ଜମି ବାଡ଼ି ଭାଇ ଭଗାରୀ ଚାଷ କରନ୍ତି। ଯାହା ବର୍ଷ ଶେଷ କୁ ଗଣ୍ଡେ ମୁଠେ ଦିଅନ୍ତି। “ଖାଆନ୍ତୁ ସେମାନେ ଜମି ତ ଜଗାରଖା କରୁଛନ୍ତିି” କହେ ସେ। ସ୍ତ୍ରୀ ଗୋଲାପ ଟି ଭାରି ଭଲ ବୋଲି କହେ ସନ୍ୟାସୀ। ଭାରି ସହନଶୀଳ ଉଦାର। ଗୋଟିଏ ବୋଲି ପୁଅ ଗଣେଶ, ମୁମ୍ବାଇ ରେ ଗୋଟେ କମ୍ପାନୀ ରେ ଚାକିରି କରିଛି। ସନ୍ୟାସୀ କି ତା ସ୍ତ୍ରୀ ଆଇଁଷ ଖାଆନ୍ତି ନାହିଁ। କିନ୍ତୁ ମୋ ପାଇଁ କରି ମୋତେ ଖୋଇବାରେ ତାର ଆନନ୍ଦ। ଆମର ଯୌଥ ପରିବାର ହୋଇ ଥିବାରୂ ମୁଁ ଖୁବ୍ ଶୀଘ୍ର ସମସ୍ତ ଙ୍କ ସହ ମିଶିଯାଏ ଓ ବିଶ୍ୱାସ କରିନିଏ। ସନ୍ୟାସୀ ମୋ ବିଶ୍ୱାସ କୁ ସମ୍ମାନ ଦେଉଥିଲା।
ଗର୍ଭବତୀ ପତ୍ନୀ ଅଳକା ଓ ୫ ବର୍ଷ ର ଝିଅ କୁ ନେଇ ମୋ ସଂସାର। ପତ୍ନୀ ଙ୍କ ଆସିବା କଥା ଜାଣି ଗୋଲାପ ପ୍ରାୟ ଆସି ପହଞ୍ଚନ୍ତି କ୍ୱାଟରରେ। ତାଙ୍କ ସାହାଯ୍ୟ ବହୁତ ଥିଲା। ଯଦିଓ ଅଳକା ଓ ଗୋଲାପ ଙ୍କ ର ବୟସର ତାରତମ୍ୟ ଢେର ଥିଲା, ତେବେ ତାହା ତାଙ୍କ ବନ୍ଧୁତା ରେ ପ୍ରଭାବ ପକାଉ ନ ଥିଲା। ଶେଷରେ ନୂଆ ଅତିଥି ଘରକୁ ଆସିଲା। ସେତେବେଳେ ଗୋଲାପ ବହୁତ ସେବା କରିଛନ୍ତି। ଆମ ଘର ଲୋକଙ୍କୁ ସେ ଏତେ ପ୍ରଭାବିତ କରିଥିଲେ ଯେ ବାପା ବୋଉ ଏ ମୋର ଆଉ ଗୋଟେ ଝିଅ ବୋଲି କହିବାକୁ ପଛେଇ ନ ଥିଲେ। ପିଲା ଟି କୁ ବଡ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
ଚାହୁଁ ଚାହୁଁ ୪ ବର୍ଷ ବିତିଗଲା ସେଇଠି। ଆସିଲା ବଦଳି ଆଦେଶ। ସନ୍ୟାସୀ ଓ ଗୋଲାପ ଙ୍କ ମଧ୍ୟରେ ଆମର ଏମିତି ଏକ ସଂପର୍କ ଗଢି ଉଠିଥିଲା ଯେ ବଦଳି କଥା ଶୁଣୁ ଶୁଣୁ ସମସ୍ତେ ଦୁଃଖ ରେ ମ୍ରିୟମାଣ ହୋଇପଡିଲେ। କାହା ଆଖିରୁ ଲୁହ ଶୁଖୁ ନ ଥାଏ। ପିଲାମାନଙ୍କ ଅବସ୍ଥା ତ ଆହୁରି ବେଶି କଷ୍ଟ ଦାୟକ ଥିଲା। ସେମାନେ ଗୋଲାପ ଙ୍କ ସହ ଏତେ ଘନିଷ୍ଠ ହୋଇ ଯାଇଥିଲେ ଯେ କେମିତି ନୂଆ ଯାଗାକୁ ଯିବେ ତାହା ଚିନ୍ତା ର ବିଷୟ ଥିଲା।
ଆଉ ଦିନ ଦୁଇଟା ପରେ ଏ ଯାଗା ଛାଡି ଆମେ ଚାଲିଯିବୁ। କେତେ ସ୍ମୃତି, ସ୍ମରଣୀୟ ମୁହୂର୍ତ୍ତର ଭାବନା ଅଟକି ଯିବ ଏଇଠି। ଏଇଠି ପୁଅ ର ଜନ୍ମ, ଗୋଟିଏ ସ୍ନେହି ଦମ୍ପତି ଙ୍କ ର ନିଃସ୍ୱାର୍ଥପର ସେବା ସବୁ ରହିଯିବ ଏଇଠି। ସେମାନେ ତ ଆମ ପରିବାର ର ଜଣେ ହୋଇ ସାରିଛନ୍ତି। ଭଲପାଇବା ର ଦୁଃଖ ଏଇ ବିଦାୟ ଚିନ୍ତା ଟିକୁ ରାମ୍ପି ବିଦାରି ପକଉଥିଲା ଯେମିତି। ବିଭିନ୍ନ ସ୍ଥାନରେ ଯଦିଓ ବିଦାୟକାଳୀନ ସମ୍ବର୍ଦ୍ଧନା ମିଳିଥିଲା ,ସେଦିନ ରାତିରେ କିନ୍ତୁ ମୋ ତରଫରୁ ସମସ୍ତ ଙ୍କୁ ଭୋଜି ରେ ଆପ୍ୟାୟିତ କରିଥିଲି। ଷ୍ଟାଫ୍, କଲୋନୀ ର ଅନ୍ୟାନ୍ୟ ସମସ୍ତେ ଯୋଗ ଦେଇ ପରସ୍ପର ମଧ୍ୟରେ ଥିବା ସ୍ନେହ ମମତାର ଆଦାନ ପ୍ରଦାନ କଲେ।
ସେଦିନ ରାତିରେ କିନ୍ତୁ ସନ୍ୟାସୀ ଓ ଗୋଲାପ ଙ୍କ ସଂପର୍କରେ ଅଳକା ମୋତେ ଯାହା କହିଲେ ତାହା ଏକ ଅବାସ୍ତବ ବା କାଳ୍ପନିକ ଲାଗିଲା। ଆଜିର ବାସ୍ତୁବାଦୀ ଦୁନିଆରେ ଯୋଉଠି ସାମାନ୍ୟ ସାମାନ୍ୟ ଘଟଣା କୁ ନେଇ ସ୍ୱାମୀ ସ୍ତ୍ରୀ ର ସଂପର୍କ ଭାଂଗି ଯାଉଛି ସେଠାରେ ଏତେ ଜଟିଳ କଥା ସତ୍ୱେ ସେମାନେ ଦୀର୍ଘ ୨୫/୩୦ ବର୍ଷ ଧରି ଏକାଠି ଅଛନ୍ତି ?
“ଗଣେଶ ସନ୍ୟାସୀ ର ପୁଅ ନୁହେଁ !!”
ମୁଁ ଆଁଟା କରି ଅନେଇଥିଲି। ଯେମିତି ଗୋଟେ ରହସ୍ୟ ରୋମାଞ୍ଚକର ଯାତ୍ରା ବା ସିନେମା ଦେଖୁଛି। ଅଳକା ବର୍ଣ୍ଣନା କରୁଥିବା ପ୍ରତ୍ୟେକ ଟି କଥା ଆଶ୍ଚର୍ଯ୍ୟ ଲାଗୁଥିଲା।
ସନ୍ୟାସୀ ର ବାହାଘର ଅତି ଅଜବ ଢ଼ଂଗରେ ହୋଇ ଥିଲା। ଗୋଲାପ ଙ୍କ ପରିବାର ସେମାନଙ୍କ ର ଦୂର ସଂପର୍କ ବନ୍ଧୁ ହୋଇ ଥିବା ରୁ ଗୋଲାପ ବାହାଘର ରେ ବେଭାର ଦେବା ଲକ୍ଷ୍ୟରେ ସନ୍ୟାସୀ ବାପା ଙ୍କୁ ନେଇ ସେଠାକୁ ଯାଇଥିଲା। ତେବେ କୌଣସି କାରଣରୁ ବାହାଘର ଟି ଭାଂଗି ଯିବାରୁ ମଗୁଂଳା କନ୍ୟା କୁ ଉଦ୍ଧାର କରିବାକୁ ସନ୍ୟାସୀ ର ବାପା ଆଗେଇ ଆସିଲେ। ଯଦିଓ ଗୋଲାପ ଟି ପ୍ରଥମ ଦେଖାରେ ବାପା ଙ୍କ ମନକୁ ଛୁଇଁ ଥିଲା।
ଜୀବନ ରେ କେବେ ବିବାହ କରି ଅନ୍ୟ ଜଣଙ୍କ ର ଜୀବନ କୁ ନଷ୍ଟ କରିବ ନାହିଁ ବୋଲି ମନେ ମନେ ଶପଥ ନେଇଥିବା ସନ୍ୟାସୀ, କିନ୍ତୁ କିଛି କହିବା ପୂର୍ବରୁ ବର ହୋଇ ବେଦୀରେ ପାଣି ଗ୍ରହଣ କରି ସାରି ଥିଲା।ସନ୍ୟାସୀ ଗୋଟେ ଅଣପୁରୁଷା, ନପୁଂସକ, କୌଣସି ନାରୀକୁ ସନ୍ତୁଷ୍ଟ କରିବା ତା ଦ୍ୱାରା ସମ୍ଭବ ନୁହେଁ ଏ କଥା ସେ କହିବ କାହାକୁ ? ବାହାର କୁ ଦିଶୁଥିବା ଡଉଲ ଡାଉଲ ଷଣ୍ଢ ରୂପୀ ପୁରୁଷ ଟି ସତରେ ଯେ ଗୋଟେ ବଳଦ,ସେ ପ୍ରଜନନ କ୍ଷମତା ହୀନ, ଏ କଥା କହିବାକୁ ଚାହିଁ ମଧ୍ୟ ନୀରବ ହୋଇଗଲା ସନ୍ୟାସୀ। ସେ ଗହଳି ଭିତରେ ତା ପାଟି ଖନି ମାରିଗଲା। ଅଥଚ ସେ ଅନୁଭବ କରୁଥିଲା ସେ କେତେ ବଡ଼ ପାପ ଟାଏ କରିଦେଇଛି ଗୋଟେ ଝିଅ ର ଜୀବନ ନଷ୍ଟ କରି ! ପରବର୍ତ୍ତୀ ସମୟରେ ଏଇ ଭୁଲ୍ ପାଇଁ ଯେଉଁ ପ୍ରଳୟ ହେବ ତାହାର ଭୟାବହତା କୁ ଜଳଜଳ କରି ଦେଖୁଥିଲା ସେ। ଗୋଲାପ ର ବାପା,ମା, ବନ୍ଧୁ ବାନ୍ଧବ ଙ୍କ ସହ ଗାଁ ଲୋକେ ପ୍ରଶଂସା ରେ ପୋତି ପକଉଥିଲେ ବାପ ପୁଅ ଙ୍କୁ। କୃତଜ୍ଞତା ରେ ବାପା ଙ୍କ ପାଦ ତଳେ ଲୋଟି ଯାଉଥିଲେ। ଜ୍ୱାଇଁ ଙ୍କ ଶୁଖିଲା ମୁହଁ କୁ ଦେଖି ଗୋଲାପ ର ମା ଓ ଅନ୍ୟ ମାନେ ବୋଧ ଦେଉଥିଲେ
“ଆମ କ୍ଷମତା କୁ ଦେଖି ଆମେ ଜାନି ଯଉତୁକ ରେ କମି କରିବୁନି ପୁଅ।ଧନଟା ପରା, ସୁନା ଟା ପରା,ମୋ ଗୋଲାପ କୁ କେବେ ହତାଦର କରିବନି। ତାକୁ ସ୍ନେହ,ମମତା, ଭଲପାଇବା ଦେଇ ଆଦର କରିବ।”
ଏ ସବୁ ଶୁଣିବାପରେ ସନ୍ୟାସୀ କୁ ଲାଗୁଥିଲା ଯେମିତି ତା ନଗଦ କଟା ଘା’ରେ କିଏ ଲୁଣ ପୁଳେ ଲଗେଇ ଦେଉଛି।
ଚତୁର୍ଥୀ ରାତିର ଦୃଶ୍ୟ ଥିଲା ଅତ୍ୟନ୍ତ ମର୍ମନ୍ତୁଦ ଓ ଦର୍ଦନାକ। ଗୋଲାପ ର ଆବେଗ, ଉତ୍ସାହ, କୁମାରୀ ଜୀବନର ସମର୍ପଣ ପାଖରେ ସନ୍ୟାସୀ ଥିଲା ନିରୁପାୟ, ଅସହାୟ, ନିର୍ବିକାର !ବାସର ରାତିର ସେ ପବିତ୍ର ଦୀପ ସେମିତି ଚିକ୍ ମିକ୍ ହେଇ ଜଳୁଥିଲା। ଅଥଚ ନବ ଦମ୍ପତିଙ୍କ ହୃଦୟ ଥିଲା ତୀମିରାଛନ୍ନ ! ଗୋଲାପ ର ସୋହାଗ,ଆଦର ରୂପକ ପୁନେଇଁ ଜହ୍ନ କୁ ଯେମିତି ଗ୍ରାସ କରିଥିଲା ରାହୁ କେତୁ ର ଗ୍ରହଣ । ନିଲ୍ଲଜତାର ସହ ସେହି ହୋମ ଦୀପକୁ ସାକ୍ଷୀ ରଖି ନିଜ ଅପୌରୁଷପଣିଆର ସ୍ୱୀକୋରକ୍ତି ଦେଲା ସନ୍ୟାସୀ। କହିଲା
“ମୁଁ ଖାଲି ନାମରେ ନୁହେଁ କାମରେ ବି ସନ୍ୟାସୀ। ! ମୋ ଠାରୁ ତୁମେ ସ୍ୱାମୀ ର ସୁଖ କେବେ ପାଇ ପାରିବନି। ପୁରୁଷ ଭଳି ଦିଶୁଥିବା ମୁଁ କିନ୍ତୁ ତୁଛା ନପୁଂସକ।ବାହା ପୂର୍ବରୁ ଏହା କହିବା କୁ ଚାହିଁଲେ ବି କେହି ଶୁଣିବା ଅବସ୍ଥାରେ ନ ଥିଲେ। ତେବେ କଥା ଦେଉଛି ତମ ଖୁସି ପାଇଁ ତୁମେ ଯାହା କରିବ ମୁଁ ବାଧା ଦେବିନି। ତୁମେ ଚାହିଁଲେ ଅନ୍ୟ କାହାର ହାତ ଧରି ଯାଇପାର, ଅନ୍ୟ ର ଶଯ୍ୟା ସଙ୍ଗିନୀ ହୋଇପାର, ମୋତେ ଛାଡ଼ି ଦେଇ ପାର। ଯେହେତୁ ମୁଁ ଅକ୍ଷମ ତମ ଖୁସି କୁ ସମ୍ମାନ ଦେବାକୁ ମୁଁ ଶପଥ କରୁଛି। “
ସେଇ ରାତିରେ ସନ୍ୟାସୀ ତା ଜୀବନର ସମସ୍ତ ଲୁକ୍କାୟିତ ସତ୍ୟ କୁ , ଲଜ୍ୟା କୁ ଗୋଲାପ ଆଗରେ ସମର୍ପି ଦେଇ କହିଥିଲା
“ମୁଁ ଗୋଟେ ଚନ୍ଦ୍ରଶେଣା। ରାଧା ଭଳି ତୁମ କୁ ମୁଁ ବିବାହ କରିଛି ସତ୍ୟ, ହେଲେ କୃଷ୍ଣ ଙ୍କ ମିଳନରେ ବାଧକ ସାଜିବି ନାହିଁ। ତୁମକୁ ଖୁସି ଦେବାପାଇଁ ମୁଁ ନର୍କ କୁ ଯିବାକୁ ପ୍ରସ୍ତୁତ।କାରଣ ତୁମର ଏ ଦୁର୍ଦ୍ଦିନ ପାଇଁ ମୁଁ ହିଁ ଦାୟୀ।”
ସ୍ତବ୍ଧ ଗୋଲାପ ! ଗୋଟେ କୁଆଁରୀ ମନର ସପନ,ବାସର ରାତିର କାମନା, ଯୌବନ ବାସ୍ନାର ବିଳାପ କରୁଥିଲା ତା ଇହକାଳ ପରକାଳ ଦେବତା ର ସତ୍ୟପାଠ ଶୁଣି ! ସେଇ ମୁହୁର୍ତ ର ନିଷ୍ପତ୍ତି ହୁଏତ ତାକୁ ପିତ୍ରାଳୟକୁ ଫେରେଇ ଆଣି ପାରିଥାନ୍ତା, ହୁଏତ ସେ ଚିତ୍କାର କରି ସନ୍ୟାସୀ ର ଅମର୍ଦ ପଣିଆକୁ ସାର୍ବଜନୀନ କରିପାରିଥାନ୍ତା କିମ୍ବା ଜୀବନ ହାରିଦେଇ ପାରିଥାନ୍ତା। ଦିନ କେଇଟା ଆଗରୁ କୌଣସି କାରଣରୁ ବାହାଘର ଭାଂଗିଗଲା ବୋଲି ବଦାନ୍ୟତା ଦେଖେଇ ଏଇ ଲୋକ ତା ପାଣିଗ୍ରହଣ କରି ତା ବାପା ମା ଙ୍କୁ ଅପବାଦ ରୁ ଉଦ୍ଧାର କରିଥିଲେ। ଆଜି ଯଦି ସେ ପୁନଶ୍ଚ ଫେରିଯିବ ପରିବାର ରେ କି ପରିଚୟ ନେଇ ଚଳିବ ? ଦୀର୍ଘ ଶ୍ୱାସ ନେଲା ସେ।
“ଇଏ ବୋଧେ ତାର ଭାଗ୍ୟ !!” ସଂସାର ରେ ଏମିତି ଅନେକ ଅଛନ୍ତି ମନର ମିଳନ ନ ଘଟିଲେ ଅଲଗା ହେଇଯାଉଛନ୍ତି, ଆହୁରି କେତେ କଳି ଝଗଡ଼ା ସତ୍ୱେ ମାଡ଼ି ମକଚି ଏକାଠି ରହୁଛନ୍ତି,ଆଉ ବି କେତେ ଅହଂକାର ଯୋଗୁଁ ବାହାଘର ର ଦିନ କେଇଟାରେ ଛାଡ ଛୁଡ ହେଇଯାଉଛନ୍ତି। ଦିହ ସୁଖ ନ ହେଲା ନାହିଁ ସୁରକ୍ଷିତ ଭବିଷ୍ୟତ ଟି ଏ ତ ହୋଇ ପାରିବ ସନ୍ୟାସୀ ! ଯିଏ ଜୀବନର ଏତେ ଗୋପନ କଥା କହି ପାରେ ସେ କେବେ ଧୋକା ଦେବ ନାହିଁ।ସବୁ ଶୁଣି ସେ ନିଜ କୁ ସମର୍ପି ଦେଲା ସନ୍ୟାସୀ ପାଖରେ।
“ନାରୀ କେବଳ କଣ କାମିନୀ, ପ୍ରେୟସୀ,ଶଯ୍ୟା ସଙ୍ଗିନୀ ! ନା ସେ ଜନନୀ, ଭଗିନୀ ସର୍ବୋପରି ଜଣେ ବିଶ୍ୱସ୍ତ ବାନ୍ଧବୀ। ମୁଁ କେବଳ ଦେହ ସୁଖ ପାଇଁ ତୁମ ହାତ ଧରି ନ ଥିଲି।ଦଶ ଦିଗପାଳ ଙ୍କୁ ଯେତେବେଳେ ସାକ୍ଷୀ ରଖି ତୁମ ହାତ ଧରିଛି ମଲା ଯାଏଁ ସାଥିରେ ରହିବି।”
କାମନା ବିସର୍ଜିତ ଶରୀର କୁ ସନ୍ୟାସୀ ର ଛାତି ଉପରେ ଅଜାଡି ଦେଲା ଗୋଲାପ।। ସନ୍ୟାସୀ ସିନା ତାକୁ ଦୁଇ ବାହୁରେ ଆବୋରି ନେଲା ହେଲେ ନ ଥିଲା ସେଥିରେ ସାମାନ୍ୟ ଉଷ୍ଣତା !
ସମୟ ଗଡି ଚାଲିଲା। କଥା ଟା ସିନା ଦୁହେଁ ଲୁଚେଇ ରଖିଲେ, ହେଲେ ବର୍ଷ ଦୁଇଟା ପୁରିଲେ ବି ଗୋଲାପ ଗର୍ଭ ରେ କଷି ଟାଏ ନ ଦେଖି ବାହାର ଲୋକ କଣ ସନ୍ୟାସୀ ର ବାପା ମା ବି ବାର କଥା କହିଲେ। କିଛି ଦୋଷ ନ ଥାଇ ବି ଅଯଥା ଗୋଲାପ କୁ ଦୋଷାରୋପ ସନ୍ୟାସୀ କୁ ଭଲ ଲାଗିଲାନି। ଏକତ ସେ ଭାରି ଯୋଗାଡିଆ ଥିଲା। ୟା ଭିତରେ ସେ ଭୁବନେଶ୍ୱର ବାରମ୍ବାର ଯାଇ ପଇସା ପତ୍ର ଖର୍ଚ କରି ଅତ୍ୟାଧୁନିକ ପଦ୍ଧତିରେ ଗୋଲାପ କୁ ମା କରେଇ ବାର ବ୍ୟବସ୍ଥା କଲା।ସେ ଛୁଟି ନେଇ ଛ ମାସ ଭୁବନେଶ୍ୱରରେ ପଡ଼ି ରହିଲା। ଗୋଲାପ କି ସନ୍ୟାସୀ ଜାଣିଲେନି ସେ ପିଲା ର ବାପା କିଏ।ଜାଣିବାକୁ ବି କେବେ ଆଗ୍ରହ ଦେଖେଇ ନାହାନ୍ତି। କିନ୍ତୁ ଦୁନିଆଁ ଜାଣିଲା ସନ୍ୟାସୀ ବାପା ହେଇଛି, ଗୋଲାପ ମା ହେଇଛି।ଆଉ ତା ବାପା ମା ଜେଜେ, ଜେଜେ ମା ହୋଇ ଯାଇଛନ୍ତି।
ଅପୂଆ ଘରେ ପୁଅ !!
ଏଇ ଗଣେଶ ସେମାନଙ୍କ ର ବିଶିକେସନ। ସନ୍ୟାସୀ ର ସ୍ନେହ ଅତୁଳନୀୟ, ଗୋଲାପ ବି ଅଭିଯୋଗ ଶୂନ୍ୟ। କେବେ ସେମାନଙ୍କ ର ମନାନ୍ତର ବା ମତାନ୍ତର ଘଟିନାହିଁ ଆଜି ଯାଏଁ। ଗୋଟିଏ ସୁଖୀ ପରିବାରର ସୁନ୍ଦର ଛବିର ପ୍ରତୀକ ଯେମିତି।
କହି ଦେଇ ଶୋଇଗଲେ ଅଳକା। ସ୍ତ୍ରୀ ଲୋକ ଙ୍କ ର ଏ କ୍ଷେତ୍ରରେ ନେଟୱର୍କ ଭାରି ଷ୍ଟ୍ରଗଂ । ଗୋଲାପ ହୁଏତ ଅତି ବିଶ୍ୱାସ ରେ ଏ କଥା ଟି କୁ କହିଛନ୍ତି। ମୋ ଆଖି କିନ୍ତୁ ସାରା ରାତି ଅନିଦ୍ରା। ମୋ ଆଖିରେ ଭାସି ଉଠୁଥିଲା ଏକ ଦିବ୍ୟ ଚେତନା ର ମୁଖ ମଣ୍ଡଳ, ଯେମିତି ଆମ ଗାଁ ଠାକୁରାଣୀ ! କାହାକୁ ଜନ୍ମ ନ ଦେଇ ବି ସେ ସମସ୍ତଙ୍କ ମା। ସମସ୍ତ lଙ୍କ ଉପରେ ତା’ର କରୁଣା ଓ ଆଶିଷ ଅଜାଡି ହୋଇ ଚାଲିଛି ଅବିରତ। କିଛି ଦିନ ତଳେ ଦେଖିଥିଲି ମହାଭାରତ ସିରିଏଲ । ସତ୍ୟବତୀ ଙ୍କ ର ଯୁବା ପୁତ୍ର ଅକାଳ ରେ ଚାଲି ଯିବାରୁ ବଂଶ ରକ୍ଷା ଉଦ୍ଦେଶ୍ୟରେ ନିଜ କୁଆଁରୀ ଜୀବନର ପୁତ୍ର ବ୍ୟାସ ଙ୍କୁ ଆମନ୍ତ୍ରଣ କରି ନିଃସର୍ଗ ନିୟମ ଅନୁସାରେ ଗର୍ଭବତୀ କରାଇଥିଲେ ବିଧବା ବୋହୂ ମାନଙ୍କୁ। ସେ ବଂଶ ଆଗକୁ ଆଗକୁ ବଢି ଚାଲିଲା। ଲାଗୁଥିଲା ସନ୍ୟାସୀ ଯେମିତି ସତ୍ୟବତୀ ଙ୍କ ଭଳି ତା ବଂଶ କୁ ଆଗକୁ ନେବାକୁ, ତା ବାପା ମା ଙ୍କ ହୃଦୟ ରେ ଖୁସି ଓ ଶାନ୍ତି ଭରିଦେବାକୁ ଏହି ଐତିହାସିକ ନିଷ୍ପତି ନେଇଥିଲା।
ତା ପରଦିନ ଆମେ ସେ ଅଂଚଳ ଛାଡିଲୁ।ବିଦାୟ ନେବା ପୂର୍ବରୁ ଉଭୟ ଦମ୍ପତି ସନ୍ୟାସୀ ଓ ଗୋଲାପ ଙ୍କ ପାଦ ତଳେ ଭୂମିଷ୍ଠ ପ୍ରଣାମ କରି ତାଙ୍କ ଜୀବନର ସହନଶୀଳତା, ଦୃଢ଼ତା,ପାରସ୍ଷାରିକ ବୁଝାମଣା ଓ ଭଲ ପାଇବା ର ଆଶୀର୍ବାଦ କାମନା କରିଥିଲୁ ଅବଶ୍ୟ। ଗୋଲାପ ଓ ସନ୍ୟାସୀ ଙ୍କ ଆଖି ରୁ କିନ୍ତୁ ବନ୍ଦ ହେଉ ନ ଥିଲା ଲୁହ ର ଝରଣା।।
ସନ୍ତୋଷ କୁମାର ସେଠୀ, ପୁରୀ
9437302618