ପଢ଼ନ୍ତୁ ନୂଆ ଗପ -‘କୁସୁମର ଇନ୍ଦ୍ରଦ୍ୟୁମ୍ନ’

0

  • ****************
  • ସନ୍ତୋଷ କୁମାର ସେଠୀ
  • ******************

//କୁସୁମର ଇନ୍ଦ୍ରଦ୍ୟୁମ୍ନ//

କଣ ତୁମ ନାମ ? ” ଜିଜ୍ଞାସା କଲି ମୁଁ। ଅଭିଯୋଗ ପତ୍ରଟି ପୂରଣ କରିବା ପାଇଁ ନାମ,ଠିକଣା ତ ଜରୁରୀ।
ଭରତ ପ୍ରଧାନ, ପିତା, ଠିକଣା ସବୁ ସୂଚନା ଦେଲା ସେ।
ଲେଖି ପଚାରିଲି “ଅଭିଯୋଗ କଣ ?”

ପାଖରେ ଠିଆ ହୋଇଥିବା ଯୁବତୀ ଟିକୁ ଦେଖାଇ କହିଲା “ସାର୍ ଏ ମୋର ସ୍ତ୍ରୀ।ଏ ଦେଖି ପାରେ ନାହିଁ। ସରକାର ବ୍ୟବସ୍ଥା କରିଛନ୍ତି ଜଣେ ଭିନ୍ନକ୍ଷମଙ୍କୁ ଆଉ ଜଣେ ସକ୍ଷମ ବିବାହ କରିଥିଲେ ସେ ସହାୟତା ପାଇବ। ସେଥିପାଇଁ ମୁଁ ଆବେଦନ କରୁଛି।”

ସଂପୂର୍ଣ୍ଣ ତଥ୍ୟ ପାଇବା ପରେ ଆବେଦନ ପତ୍ରକୁ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ପଠାଇ ସହଯୋଗ ପାଇଁ ଅନୁରୋଧ ଜଣାଇଲି। ସ୍ତ୍ରୀ ଲୋକଟିର ନାମ ଥିଲା କୁସୁମ। ବୟସ ୨୨/୨୩ ଭଳି ଲାଗୁଥିଲା। ଆଖି ଟି ସିନା ନ ଥିଲା କିନ୍ତୁ ଦେଖିବାକୁ ସୁନ୍ଦରୀ ଥିଲା। ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଭାବେ ଏ ସବୁ ମୋତେ ବୁଝିବା ଜରୁରୀ ଥିଲା ଯେ ଅଭିଯୋଗ ଓ ତାହାର ସମାଧାନ ର ପଦକ୍ଷେପ ଏବଂ ତାହାର ଫଳାଫଳ ଉଚ୍ଚ ଅଧିକାରୀଙ୍କ ସହ ଅଭିଯୋଗକାରୀଙ୍କୁ ମଧ୍ୟ ଅବଗତ କରାଇବା ପାଇଁ। ସେଦିନ ଲୋକ ବି କମ୍ ଥିଲେ।ଭରତ ଯୁବକଟିର ବ୍ୟବହାର ମୋତେ ଭଲ ଲାଗିଲା। ତାକୁ ତା ବିଷୟରେ ପଚାରିଲି।ତାର ଆଖି ଥିବା ବେଳେ ସେ କାହିଁକି ଜଣେ ଦୃଷ୍ଟିହୀନ କୁ ବିବାହ କଲା,କଣ କେବଳ କୁସୁମ ସୁନ୍ଦରୀ ବୋଲି ?
ସେ ନମ୍ର ଭାବେ ଯାହା ଉତ୍ତର ଦେଲା ତାହା ମୋତେ ସିନେମା ର କାହାଣୀ ଭଳି ଲାଗିଲା।


ଭରତ ବାପା ମାଙ୍କର ଗୋଟିଏ ସନ୍ତାନ।ବାପା ଛୋଟ ବ୍ୟବସାୟୀ।ଭରତ ମଧ୍ୟ ବାପାକୁ ବ୍ୟବସାୟ ରେ ସାହାଯ୍ୟ କରେ। ବିଭିନ୍ନ ସ୍ଥାନରେ ବ୍ୟବସାୟ ଦ୍ରବ୍ୟ ଲଗାଇ ତାହାର ପ୍ରାପ୍ୟ ସଂଗ୍ରହ କରି ବାପାଙ୍କୁ ସହଯୋଗ କରିବା ଥିଲା ଭରତ ର କାମ। ଦିନେ ପଇସା ସଂଗ୍ରହ କରି ଫେରୁଥିବା ବେଳେ କିଛି ଅସାମାଜିକ ଯୁବକଙ୍କ ଆକ୍ରମଣ ର ଶିକାର ହେଲା ଭରତ।ଜଗଂଲିଆ ରାସ୍ତା ରେ ହୁଏତ କୁସୁମ ମା’ ର ନଜରରେ ନ ପଡ଼ିଥିଲେ ସେ ମରି ଯାଇଥାନ୍ତା। କୁସୁମର ମା’ ତାକୁ ଘରକୁ ଆଣି ସେବା କରେଇ ଭଲ କରି ଛାଡ଼ିଲା। ଭରତ ମା’ ଝିଅଙ୍କ ସେବାରେ ବହୁତ ଖୁସି ହେଲା। ସେମାନେ ଗରିବ ହେଲେ ବି ସେମାନଙ୍କ ବ୍ୟବହାର ଓ ସେବା ପ୍ରଭାବିତ କରିଥିଲା ଭରତକୁ। ପରେ ଅନ୍ଧୁଣୀ ଝିଅ କୁସୁମ କୁ ସେ ବରଣ କଲା ତା ବାପା ମା’ ଙ୍କ ଘୋର ବିରୋଧ ସତ୍ତ୍ଵେ।ଉତକ୍ଷିପ୍ତ ବାପା ମା’ ଘରେ ତାକୁ ସ୍ଥାନ ନ ଦେବାରୁ ସେ ଘର ଜ୍ୱାଇଁ ହୋଇ ରହିଛି ଶଶୁର ଘରେ। ବେଳା ପୁଣି ଏମିତି ବାହା ହେବା ର ମାସ ଦୁଇଟା ପରେ ଶାଶୁ ହୃଦଘାତରେ ଚାଲିଗଲା। ଭିନ୍ନକ୍ଷମ ଲୋକ କୁ ବାହାହେଲେ ପ୍ରୋତ୍ସାହନ ମିଳେ ବୋଲି ଜାଣିବାପରେ ଏବେ ଆବେଦନ କରୁଛି।ୟା ଭିତରେ ବାହାଘର ହେଲାଣି ୫/୬ ମାସ ହେବ।ଭରତ ପ୍ରଥମେ ମୂଲ ମଜୁରୀ କରି କିଛି ମୂଳ ଜମା କଲାପରେ ଛୋଟ ବ୍ୟବସାୟ ର ଲକ୍ଷ୍ୟ ରଖିଛି।

  • କେମିତି କୁସୁମ ନିଜ କାମ କରେ ବୋଲି ପଚାରିଲି। “ପିଲାଦିନୁ ସେ ଅଭ୍ୟସ୍ତ ଆଜ୍ଞା। ନିଜ ନିତ୍ୟ କର୍ମ କରେ, ହାତରେ ଖାଇପାରେ” ଭରତ ଉତ୍ତର ଦେଲା। କୁସୁମ ମୁଁହ ଖୋଲିଲା ।”ଆଜ୍ଞା ଏ ମୋର ସବୁ କରନ୍ତି। ମୋତେ ଗାଧେଇ ଦବା, ମୁଣ୍ଡ କୁଣ୍ଡେଇବା,ମେଳା ବୁଲେଇନବା, ଗୁପଚୁପ ,ଚାଟ ଖୋଇବା, ଏମିତି କି ଯାତ୍ରା ବି ନେଇ ଦେଖାନ୍ତି।”
  • ମୁଁ ଆଶ୍ଚର୍ଯ୍ୟ ହେଲି। ମେଳା, ଯାତ୍ରା ତମେ କେମିତି ଦେଖ। ଗଭୀର ଆଶ୍ଲେଷରେ ସେ ଭରତର ବାହୁକୁ ଧରି କହିଲା “ମୁଁ ୟା ଙ୍କ ଆଖି ରେ ସବୁ ଦେଖେ ସାର୍।”

ସତରେ ଝିଅଟେ ଯେତେବେଳେ ସ୍ତ୍ରୀ ହୋଇ ଯାଏ,ତା ସ୍ବାମୀ ତା ପାଇଁ ସବୁ କିଛି ହୋଇଯାଏ। କେତେ ସହଜରେ, କେତେ ଶିଘ୍ର ସିଏ ବିଶ୍ୱାସ କରିଥାଏ ସ୍ୱାମୀ ଟି କୁ।ତାରି ଭରସାରେ ସିଏ ତା ବାପଘରକୁ ଛାଡିଆସେ ।ତାରି ଆଖିରେ ତା ଦୁନିଆଁ କୁ ଦେଖେ।
ଭରତ ହସିଲା କୁସୁମ ର କଥାଶୁଣି।ମତେ କହିଲା” ଠିକ୍ କଥା ଆଜ୍ଞା ମୋ ଆଖି ରେ ସେ ଦେଖେ ଦୁନିଆ କୁ।ତା ର କେହି ନାହିଁ।ମୋ ବାପା ମା ବି ପର ହେଇଗଲେ। ତେଣୁ ଆମେ ପରସ୍ପରର ତ ଆଶା ଭରସା।”
ମୁଁ ଗୋଟିଏ ଅନ୍ଧୁଣୀ ଝିଅ କୁ ବାହା କାରଣ ପଚାରନ୍ତେ ,ସେ କହିଲା “ବାବୁ, ମୁଁ ଏ ଜନ୍ମ କାହିଁକି ସାତ ଜନ୍ମ ରେ ବି ଏମାନଙ୍କ ଋଣ ସୁଝିପାରିବିନି।ଏଇ ମା ଝିଅ ତ ମୋତେ ବଚେଂଇଛନ୍ତି ।ନୂଆ ଜୀବନ ଦେଇଛନ୍ତି।ସେଠି ମଲାଗଲା ବେଳେ ପଡ଼ିଥିଲି ମୁଁ। କେତେ ଲୋକ ମତେ ଦେଖି ଥିବେ। ହେଲେ କେହି ତ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ। ହେଲେ ବାପା ମା ଗୋଟେ ଅନ୍ଧୁଣୀ କୁ ଘରକୁ ନେବା କୁ କୁଣ୍ଠିତ। ବାପା ବାହା ବଦଳରେ କୁସୁମ ପରିବାରକୁ କିଛି ଟଙ୍କା ଦେଇ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ। କିନ୍ତୁ ମୋ ଜିଦ୍ ସିନା ରହିଲା ହେଲେ ସେମାନେ ଆଉ ଆମ ମୁହଁ ଚାହିଁଲେନି। କୁସୁମ ବହୁତ ଥର ଆମ ଘରକୁ ଯାଇ ବାପା ମା ଙ୍କୁ ଦେଖିଆସିବାକୁ କହିଲାଣି। କିନ୍ତୁ କୁସୁମ କୁ ଗ୍ରହଣ ନ କଲା ଯାଏ ସେ ଘରକୁ ନ ଯିବା କୁ ମୁଁ ଶପଥ କରିଛି।”
ତାଙ୍କ ସହ କଥା ହୋଇ ଖୁସି ଲାଗିଲା। ଗୋଟିଏ ସଫଳ ଦମ୍ପତି । ହସ ଖୁସିର ପରିବାର ଦେଖିଲେ କାହାକୁ ବା ଖୁସି ନ ଲାଗିବ !
ସେ ଯା ହେଉ ମୋ ବ୍ୟକ୍ତିଗତ ଉଦ୍ୟମରେ ଖାଲି ପ୍ରୋତ୍ସାହନ ରାଶି ନୁହେଁ ବ୍ୟାଙ୍କ ରୁ ଋଣ କରେଇ ଭରତ କୁ ଆତ୍ମନିର୍ଭରଶୀଳ କରେଇ ପାରିବାର ଖୁସି ନେଇ କିଛି ଦିନ ପରେ ସେ ଯାଗା ଛାଡ଼ି ବଦଳି ସ୍ଥାନରେ ଯୋଗ ଦେଲି ମୁଁ। ବେଶ୍ କିଛି ଦିନ ମନେ ପଡେ ସେମାନଙ୍କ କଥା। ଆସ୍ତେ ଆସ୍ତେ ପୁରୁଣା ସଂପର୍କ କଟି ନୂଆ ଆରମ୍ଭ ହୋଇଗଲା । ୟା ଭିତରେ କଟିଗଲାଣି ୨୫ ବର୍ଷ। ପଦୋନ୍ନତି ପାଇ ପୁଣି ଆସି ଯୋଗ ଦେଲି ସେଇ ପୁରୁଣା ଯାଗାରେ। ଦିନେ ଗୋଟେ ଭିନ୍ନକ୍ଷମ ଅନୁଷ୍ଠାନ କୁ ପରିଦର୍ଶନ ରେ ଗଲାବେଳେ ଦେଖା ହେଇଗଲା ଭରତ ସହ। ତା ଆଡୁସେ ଚିହ୍ନି ମୋତେ ଜୁହାର ହେଲା।ପରିଚୟ ଦେଲା।ତା ଉନ୍ନତି ରେ ମୋ ଅବଦାନ କୁ ସ୍ମରଣ କରି ମୋତେ ବହୁତ ପ୍ରଶଂସା କଲା।ମୋ ସ୍ମୁତି ପଟରେ ସେତେବେଳେ ର କଥା ଜୀବନ୍ତ ହେବାକୁ ଲାଗିଲା। ମୁଁ କୁସୁମ ର ଖବର ପଚାରିଲି, ପିଲା ଛୁଆ ଙ୍କ କଥା ବି। ସେହି ଅନୁଷ୍ଠାନ ରେ ଅନେକ ପ୍ରକାରର ଲୋକ ରହୁଥିଲେ।ଅତି ବୟସ୍କ ଓ ରୁଗ୍ଣ ଲୋକ ବି ରହୁଥିଲେ।
ମୋ କଥା ଶୁଣି ଜଣେ ବୁଢ଼ା ଲୋକ କାନ୍ଦୁଥିବାର ଦେଖିଲି।ଭରତ ତାଙ୍କ ପାଖକୁ ଗଲା ଓ ଲୁହ ପୋଛି ତାଙ୍କୁ ସାନ୍ତ୍ଵନା ଦେଇ ମୋତେ ବାହାରକୁ ଆଣିଆସିଲା।କହିଲା “ସାର୍ ସେ ମୋ ବାପା।୫/୭ ବର୍ଷ ହେଲାଣି ପକ୍ଷାଘାତ ରେ ପୀଡିତ ସେ। ବୋଉ କଷ୍ଟ ପାଇ ଗଲା ବର୍ଷ ଚାଲିଗଲା।”
କହିଲି “ଖୁସି ଲାଗିଲା ବାପା ମା ତୁମ ପାଖକୁ ଫେରି ଆସିଛନ୍ତି।”
” ନାଇଁ ଆଜ୍ଞା ତାଙ୍କୁ କୁସୁମ କଥା ରେ ମୁଁ ଆଣି ସେବା କରୁଛି।”
“ଭଲ ହେଲା। ହେଲେ କୁସୁମ କୋଉଠି ?” ଦୀର୍ଘ ଶ୍ୱାସ ନେଲା ସେ।” ଆପଣ ଙ୍କ ସହଯୋଗ ରେ ମୁଁ ବେପାର ଆରମ୍ଭ କଲି।ଭଲରେ ଚଳିଲୁ ଆମେ। ମୁଁ କୁସୁମ କୁ ଖୋଇ ପେଇ ବେପାର କୁ ଯାଏ ଓ ଫେରିଲେ ହସ ଖୁସିରେ ଦିନ ବିତିଯାଏ। ଦିନେ ଫେରି ଦେଖେ ତ ଘର ପୋଡ଼ି ଛାରଖାର। ଅର୍ଦ୍ଧଦଗ୍ଧ ଅବସ୍ଥାରେ କୁସୁମ ପଡ଼ିଛି। ସାଇ ପଡ଼ିଶା ଙ୍କ ସହାୟତା ରେ ଚିକିତ୍ସା କରେଇଲି। କେମିତି ଏହା ଘଟିଲା ବୋଲି ପୋଲିସ ଅନୁସନ୍ଧାନ କଲା। କିନ୍ତୁ କୁସୁମ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ବୋଲି ସ୍ୱୀକୋରୋକ୍ତି ଦେଲା। ସ୍ୱାମୀ ଉପରେ ଆଉ ବୋଝ ହୋଇ ରହିବାକୁ ଚାହୁଁନାହିଁ ଏଇଟା ଭାବି ମୁଁ ଆତ୍ମହତ୍ୟା ଉଦ୍ୟମ କରିଛି ବୋଲି ସେ ସଫେଇ ଦେଲା।ପୋଲିସ ଅନୁସନ୍ଧାନ ସେତିକି ରେ ବନ୍ଦ ରହିଲା।”
“ହେଲେ ବାବୁ ମୋ ମନ ବୁଝୁନଥାଏ। କୁସୁମ ର କିଛି ଅସୁବିଧା ନ ଥିଲା।ଆମ ଭିତରେ ସେମିତି କିଛି ସମସ୍ୟା ନ ଥିଲା।ସେ ଏମିତି କାହିଁକି କରିବ ? ପୁଣି ଗୋଟେ ନୂଆ କଥା ଡାକ୍ତର କହିଲେ ସେ ମା’ ହେବାକୁ ଯାଉଥିଲା। ଯାହା ପୋଷ୍ଟମର୍ଟମ ରିପୋର୍ଟ ରୁ ଜଣାଗଲା।ମୃତ୍ୟୁ ପୂର୍ବରୁ ମୁଁ ତାକୁ ରାଣ ଖୋଇ ପଚାରିଲି କଣ ସତ ଟା କହ। ସେ ତା ମୁଣ୍ଡ ଆଗ ମୋତେ ଛୁଆଁଇ ଶପଥ କଲା। ଯଦି ତା’ର କିଛି ହେଇଯାଏ ତେବେ ମୁଁ ପୁଣି ଯେମିତି ବାପା ମା ଙ୍କ ପାଖକୁ ଫେରିଯାଏ। ବାପା ମା ଙ୍କ ଋଣ କେହି ଶୁଝି ପାରିନାହିଁ। ତାଙ୍କ ମନରେ ଆଉ ଦୁଃଖ ଦିଅ ନାହିଁ। ଶପଥ କରିସାରି ତା ଠାରୁ ଯାହା ଶୁଣିଲି ଓ ପଛରେ ତାର ସତ୍ୟତା ଅନୁଭବ କଲି ସେଥିରେ ମୋ ଦେହ ହାତ ଜଳିଗଲା ଭଳି ଲାଗିଲା। ଘୃଣା ଓ ବିରକ୍ତି ରେ ମୁଁ ତାଙ୍କ ମୁହଁ ଦେଖିବାକୁ ବି ଚାହୁଁ ନଥିଲି।”
“ଜାଣିଛ ବାବୁ ଦୁଇ ମାସ ର ଗର୍ଭବତୀ କୁସୁମ କୁ ବାପା ମା’ ଙ୍କ ଚକ୍ରାନ୍ତ ରେ ପୋଡ଼ି ଦିଆ ଯାଇଥିଲା। ମୁଁ ଭାବୁଥିଲି ପୋଲିସ କୁ ସବୁ କହି ଏମାନଙ୍କୁ ଜେଲକୁ ପଠେଇ ଦେବି। ହେଲେ କୁସୁମ କୁ ଦେଇଥିବା କଥା ମୋତେ ବାଧା ଦେଲା। ତା ପରେ ବାପା ମା ଆସି ବହୁତ ବୁଝେଇଲେ।ମୋର ଘରକୁ ଫେରିବାକୁ ଇଛା ନ ଥିଲା।ମୋ ପ୍ରସ୍ତାବ ରେ ସେମାନେ ଏଇଠି ରହିଲେ। ମୋତେ ବିବାହ ପାଇଁ ବହୁତ ମନେଇଲେ। ହେଲେ ମୁଁ ସେମାନଙ୍କ କଥା ଏଇଥି ପାଇଁ ପ୍ରତ୍ୟାଖ୍ୟାନ କଲି ଯେ ଆଗାମୀ କାଲି ମୋ ୱରଷରୁ ଜନ୍ମ ହେବାକୁ ଥିବା ପିଲା ଟି ଏଇ ମାନଙ୍କ ରକ୍ତର। ଯାହା ଭିତରେ ଏମାନଙ୍କ ଭଳି ହିଂସା,ବାଦ,କପଟ, ହତ୍ୟା ର ମନୋଭାବ ପୁରି ରହିଥିବ।ସେ ପୁଣି କେତେ କେତେ କୁସୁମ କୁ ମାରି ପୈଶାଚିକ ଆନନ୍ଦ କୁ ଅନୁଭବ କରୁଥିବ।ନା ତା ଅପେକ୍ଷା ଏ ବିପଥଗାମୀ ବଂଶ ର ଏଇଠି ପରିସମାପ୍ତି ଘଟୁ।”
ସେପଟୁ ଭରତ ବାପା ଙ୍କ ର ଯନ୍ତ୍ରଣା ଦାୟକ ଶବ୍ଦ ଭାସି ଆସୁଥିଲା। ଦେଖୁଥିଲି ସେ ବାରମ୍ବାର କେମିତି ହାତ ଯୋଡ଼ି ତାଙ୍କ କଲା କର୍ମ ର ଅନୁତାପ ସ୍ୱରୂପ ଭଗବାନ ଙ୍କୁ ପ୍ରାର୍ଥନା କରୁଥିବାର। ତାଙ୍କ ଆଖି ରୁ ଝରୁଥିବା ଅନୁତାପର ଅଶ୍ରୁ ଯେମିତି ବନ୍ଦ ର ନାଁ ଧରୁ ନ ଥିଲା।
ମୁଁ ଦେଖିଥିଲି କାହିଁ କେତେ ବର୍ଷ ତଳେ ଗୋଟିଏ ପୌରାଣିକ ନାଟକ। ଯେଉଁଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ଙ୍କୁ ଶ୍ରୀମନ୍ଦିର ରେ ପ୍ରତିଷ୍ଠା କଲେ ବୋଲି ପ୍ରଭୁ ବର ଦେବାକୁ ଚାହୁଁଛନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନ ବର ମାଗୁଛନ୍ତି ମୋ ବଂଶ ରେ ମୋ ପରେ କେହି ନ ରୁହନ୍ତୁ। ଏ ମନ୍ଦିର କୁ,ଏ ଦେବତା ଙ୍କୁ ମୋର ମୋର କହିବାକୁ।ଏବେ ଲାଗୁଥିଲା ଏ ଭରତ ଟା ସତରେ କୁସୁମ ପାଇଁ ଇନ୍ଦ୍ରଦ୍ୟୁମ୍ନ ପାଲଟି ଯାଇଛି।
ବାହାର କୁ ଫେରି ପଛକୁ ମୁହଁ ଫେରେଇ ଦେଖିଲି ବୋର୍ଡ କୁ। “କୁସୁମ ଭିନ୍ନକ୍ଷମ ଅନୁଷ୍ଠାନ”। ଭରତ ର ସମର୍ପିତ ପ୍ରେମ ର ଅପୂର୍ବ ନିଦର୍ଶନ। ସେ ବୋର୍ଡ ଭିତରେ କୁସୁମର ମୁହଁ ଟି ସତେ ଅବା ଉଜ୍ଜ୍ବଳ ଦିଶୁଥିଲା।

  • ସନ୍ତୋଷ କୁମାର ସେଠୀ
    :ଲୋକ ସଂପର୍କ ଅଧିକାରୀ, ପୁରୀ
    ୯୪୩୭୩୦୨୬୧୮

Leave A Reply

Your email address will not be published.