ପଖାଳ ଉତ୍କଳେ ସଞ୍ଜିବନୀ ସୁଧା,ହରେ ଏକାବେଳେ କ୍ଲାନ୍ତି, ତୃଷା, କ୍ଷୁଧା
- ଶ୍ରୀଜଗନ୍ନାଥ ଓ ପଖାଳ ଦିବସ
- ଶ୍ରୀକାନ୍ତ ଦାଶ
ପଖାଳ ଦିବସ ଓଡ଼ିଆଙ୍କର ପ୍ରିୟ ଦିବସଟିଏ |ବୋଧ ହୁଏ କେବଳ ଓଡ଼ିଆଙ୍କ ପାଇଁ ଆଜିପଖାଳ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛି |
ଓଡ଼ିଆ ପଖାଳ ପ୍ରିୟ କାରଣ ତାର ଇଷ୍ଟ ଦାରୁଦେବତା ଶ୍ରୀଜଗନ୍ନାଥ ପଖାଳ ପ୍ରିୟ | ବଡିଚୁରା, ଶାଗ ଭଜା, ଛୁଇଁ ଭଜା,ବାଇଗଣ ଭଜା, କଖାରୁ ଫୁଲ ଭଜା,ଆଳୁ ଭରତା, ଆଚାର ଓ ଅନ୍ୟ ସମସ୍ତ ଭଜା (ମାଛ, ଚିଙ୍ଗୁଡ଼ି, ଶୁଖୁଆ )ପିଆଜ, ରସୁଣ, କାକୁଡି, କଞ୍ଚା ଲଙ୍କା ପୁଦିନା ପତ୍ର ସହ ପଖାଳ ସମସ୍ତଙ୍କ ପ୍ରିୟ |ବିଶେଷ କରି ଖରା ଦିନେ ଏହାର ଆଦର ବଢିଯାଏ |
ଏବେ ସାରା ବିଶ୍ୱରେ ପଖାଳର ଆଦର ବଢିଛି ତାର ପୌଷ୍ଟିକତା ଓ ଅନନ୍ୟ ସ୍ୱାଦ ପାଇଁ |
ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ବୁଝାଏ । ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ ।
ଜଗତର ନାଥ ଶ୍ରୀଜଗନ୍ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି ।ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅନେକ ପ୍ରକାରର ପଖାଳ ଲାଗି ହୁଏ । ସେଥିପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବେଳେ ଦହି ଭାସେ, ତ ପୁଣି କେତେବେଳେ ଘିଅ । ଏଠାରେ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ହିଁ ଲାଗେ ।
ତେବେ ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମଣୋହି ହେଉଥିବା ଏହି ପଖାଳର ଅନେକ ନାଁ ରହିଛି । ସାଧାରଣରେ ଲୋକମାନେ ଦିନରେ ଏବଂ ରାତିରେ ମଧ୍ୟ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ହିଁ ସ୍ୱତନ୍ତ୍ର ପଖାଳ ଭୋଗ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ପ୍ରଥମେ ମହାପ୍ରଭୁଙ୍କର ଏହି ସ୍ୱତନ୍ତ୍ର ପଖାଳ ସବୁ କଣ ଏବଂ କଣ ରହିଛି ଏହି ପଖାଳର ସ୍ୱତନ୍ତ୍ରତା ।
ସୁବାସ ପଖାଳ
ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷା ଯାଏ । ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ ।
ଚୁପୁଡା ପଖାଳ
ରନ୍ଧା ହୋଇଥିବା ଅନ୍ନକୁ ପ୍ରଥମେ ଭଲ ଭାବେ ଚିପୁଡି ଦିଆଯାଏ । ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ । ଅନ୍ନକୁ ଚିପୁଡା ଯାଇ ଥିବାରୁ ଏହାକୁ ଚୁପୁଡା ପଖାଳ କୁହାଯାଏ ।
ପାଣି ପଖାଳ
ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ । ଏଥିରେ ଅନ୍ୟ କୌଣସି ପ୍ରକାରର ଦ୍ରବ୍ୟ ମିଶ୍ରଣ କରାଯାଇ ନଥାଏ । ଯାହାକି ହେଉଛି ପ୍ରତ୍ୟେକ ଓଡ଼ିଆ ଘରର ସାଧାରଣ ଖାଦ୍ୟ ।
- ଦହି ପଖାଳ: ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ । ଏଥିରେ ଦହିର ମାତ୍ରା ଅଧିକ ଥାଏ ଏବଂ ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଇଥାଏ ଦହି ପଖାଳ ।
- ମିଠା ପଖାଳ : ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପକାଇ ରନ୍ଧାଯାଇଥାଏ ମିଠା ପଖାଳ । ପୁଣି ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ ।
- ମଲ୍ଲିଫୁଲ ପଖାଳ : ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ କିନ୍ତୁ ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ
- ଟଭା ପଖାଳ : ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ । ଏଠାରେ ମଲ୍ଲୀଫୁଲ ପଖାଳ ପରି ହିଁ ଏହି ପଖାଳର ପ୍ରସ୍ତୁତି ମଧ୍ୟ ସମାନ । ସୁବାସ ପଖାଳ ସହ ସମାନ ଥାଏ ଟଭା ପଖାଳ ।
- ଘିଅ ପଖାଳ : ସାଧା ଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ । ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ । ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ ।
କେବଳ ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି । ଖରାଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ଏଭଳି ସ୍ୱତନ୍ତ୍ର ପଖାଳ ଭୋଗ କରାଯାଇଥାଏ ।
ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପ ଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ । ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।
କବି ଶେଖର ଚିନ୍ତାମଣି ମହାନ୍ତି ପଖାଳର ମହତ୍ତ୍ୱ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି :-
“ପଖାଳ ଉତ୍କଳେ ସଞ୍ଜିବନୀ ସୁଧା,
ହରେ ଏକାବେଳେ କ୍ଲାନ୍ତି, ତୃଷା, କ୍ଷୁଧା,
ମଧୁର ଶୀତଳ ପରି ପୁଷ୍ପାକାର,
ଯଥା ବିଜ୍ଞଜନ ଲଘୁ ତିରସ୍କାର” |
ପଖାଳ ତୋରାଣିରୁ ପ୍ରସ୍ତୁତହୁଏ କାଞ୍ଜି |କବିଙ୍କ ମତରେ :- ” ବିକିର୍ଣ୍ଣ -ବିଜୟୀ କାଞ୍ଜି ସ୍ବର୍ଣ୍ଣ ବର୍ଣ୍ଣମୟୀ,
କୋଟି ତୁଣ୍ଡେ ହେବନାହିଁ ତୋ ମହିମା କହି,
ପିତ୍ତ ବିନାଶିନୀ ତୁହି ପଖାଳର କନ୍ୟା,
ଦରିଦ୍ର ସମ୍ବଳ ଦେବୀ ବ୍ୟଞ୍ଜନରେ ଧନ୍ୟା |”
ସଙ୍ଗୀତ ସୁଧାଜର ସ୍ୱ. ବାଳକୃଷ୍ଣ ଦାସଙ୍କ କଣ୍ଠ ନିଃସୃତ କାଳଜୟୀ କବିତା, “ଆହା ମୋ ଜୀଵନ ଧନ ପଖାଳ କଂସା, ତୋ ବିହୁନେ ସଜନୀ ଗୋ ଉଡିଲା ହଂସା”…”ପଖାଳର ମହତ୍ତ୍ୱ ସୂଚେଇ ଦିଏ |
ଆଜି ଆସନ୍ତୁ ସମସ୍ତେ ପଖାଳ ଖାଇ ଅନ୍ୟକୁ ଖୁଆଇ ଏ ଦିବସ ର ମହତ୍ତ୍ୱ ବୁଝିବା ଓ ସୁସ୍ଥ ରହିବା |
ବନ୍ଦେ ଉତ୍କଳ ଜନନୀ 🙏
- ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ ଓଡ଼ିଆ ଜାତୀୟ ସମ୍ମିଳନୀ ଓ ସଭାପତି “AUBI ‘ ଦୂରଭାଷ :-9238304919