ନୀଳାଦ୍ରୀଶ ଜଗନ୍ନାଥଙ୍କ ଲୀଳା ହେଉଛି ଆଶ୍ଚର୍ଯ୍ୟ ଓ ଆନନ୍ଦର ଚିରନ୍ତନ ଧାରା

0


(ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ନ୍ୟାସ ପାଇଲା ‘ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ-୨୦୨୪’)

ଭୁବନେଶ୍ୱର //TATKAL ODISHA//

ଭକ୍ତକୁ ଆଶ୍ଚର୍ଯ୍ୟମୟ-ଲୀଳାରେ ଆନନ୍ଦ ବିତରଣ କରିବା ସହିତ ବିଶ୍ୱଚେତନାତ୍ମକ-ଲୋକଶିକ୍ଷା ପ୍ରଦାନ କରିବାରେ ସେହି କୋଟି ଜଗତର ନାଥ ନୀଳାଦ୍ରୀଶ ସତତ ଧୁରନ୍ଧର । ତାଙ୍କ ଲୀଳା ହେଉଛି ଆଶ୍ଚର୍ଯ୍ୟ ଓ ଆନନ୍ଦର ଚିରନ୍ତନ ଧାରା I

ଜୟଦେବ ଭବନରେ ଆୟୋଜିତ ହୋଇ ଯାଇଥିବା ଶ୍ରୀଜଗନ୍ନାଥଚେତନା ଆଧାରିତ ସ୍ୱତନ୍ତ୍ର ଭାକ୍ତିକ ସତ୍ତ୍ର ‘ଲୀଳାମୟ ନୀଳାଦ୍ରୀଶ’ ଅବସରରେ ବିଶିଷ୍ଟବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଏହି ସଭାରେ ଉଦ୍‌ଘାଟକଭାବରେ ଯୋଗଦେଇ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ ଆଶୀର୍ବଚନ ପ୍ରଦାନ କରିଥିବା ବେଳେ ମୁଖ୍ୟଅତିଥିଭାବରେ ଯୋଗଦେଇ ଓଡିଶା ଉଚ୍ଚନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଶ୍ରୀଜଗନ୍ନାଥସଂସ୍କୃତିର ଉଚ୍ଚାଙ୍ଗ ଆଦର୍ଶଗତ ମହନୀୟତା ସଂପର୍କରେ ଆଲୋକପାତ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ଉଦାର-ସାମାଜିକ-ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ ।

ସମ୍ମାନନୀୟଅତିଥିଭାବରେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ପ୍ରିୟବ୍ରତ ମିଶ୍ର ଶ୍ରୀଜଗନ୍ନାଥ-ସଂସ୍କୃତିର ଶାସ୍ତ୍ରୀୟ-ଶିକ୍ଷଣୀୟତା ଉପରେ ବକ୍ତବ୍ୟ ରଖିଥିଲେ ।

ଭଞ୍ଜଭାରତୀର ସଭାପତି ତଥା ବିଶିଷ୍ଟ ଜଗନ୍ନାଥଚେତନା-ପ୍ରବକ୍ତା ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ କଳାମୟ-ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମ-ରୂପ-ଲୀଳା-ଧାମର ଯଥାର୍ଥ ତାତ୍ପର୍ଯ୍ୟ ଓ ଲୋକଶିକ୍ଷା ସଂପର୍କରେ ବିସ୍ତୃତଭାବେ ବକ୍ତବ୍ୟ କରିଥିଲେ । ଏହି ଅବସରରେ ରାଜ୍ୟବ୍ୟାପୀ ସାମାଜିକ ତଥା ଆଧ୍ୟାତ୍ମିକ ସେବା ମାଧ୍ୟମରେ ଶ୍ରୀଜଗନ୍ନାଥଚେତନାର ପ୍ରଚାର-ପ୍ରସାର-କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଚିଲିକାନ୍ତର୍ଗତ ନଇରୀସ୍ଥିତ କାଙ୍କଣଶିଖରୀର ‘ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ନ୍ୟାସ’କୁ ମର୍ଯ୍ୟାଦାଜନକ ‘ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା ।

ସେହିପରି ଯୁବସଂସ୍କୃତକବି ଡକ୍ଟର ପ୍ରିୟବ୍ରତ ମିଶ୍ରଙ୍କ ରଚିତ ସଂସ୍କୃତ ସ୍ତୁତିଗ୍ରନ୍ଥ ‘ଶ୍ରୀଜଗନ୍ନାଥସ୍ତୋତ୍ରତରଙ୍ଗିଣୀ’ ପୁସ୍ତକକୁ ଉନ୍ମୋଚିତ ଓ ଲୋକାର୍ପିତ କରାଯାଇଥିଲା ଓ ପୁସ୍ତକର ସମୀକ୍ଷା କରିଥିଲେ ଭଞ୍ଜଭାରତୀର ସଭାପତି ଡାକ୍ତର ଷଡଙ୍ଗୀ ।

ପ୍ରାରମ୍ଭରେ ‘ନାଦବ୍ରହ୍ମ’ ଅନୁଷ୍ଠାନପକ୍ଷରୁ ମହାପାତ୍ର ମିନତି ଭଞ୍ଜ ଓ ପ୍ରଫେସର ଜଗନ୍ନାଥ କୁଅଁର ଶ୍ରୀଗୀତଗୋବିନ୍ଦ ଏବଂ ଶ୍ରୀଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ ।

ସଭା ସଂଯୋଜନା କରିଥିଲେ ଭଞ୍ଜଭାରତୀର କୋଷାଧ୍ୟକ୍ଷା ଶୈଳଜା ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ସଦସ୍ୟ ଗତିକୃଷ୍ଣ ଦାଶ । ସେହିପରି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଭଞ୍ଜଭାରତୀର ଉପସଭାପତି ସୁରେଶ୍ୱର ପାଣିଗ୍ରାହୀ, ସଂପାଦିକା ଶୁଭଶ୍ରୀ ମିଶ୍ର, ବରିଷ୍ଠସଦସ୍ୟ ବିନାୟକ ରଥ, ଡକ୍ଟର ମୃତ୍ୟୁଞ୍ଜୟ ରଥ, ଡକ୍ଟର ନୀଳମାଧବ ପ୍ରଧାନ, ସନ୍ତୋଷ ବେହେରା, ଆଶୁତୋଷ ମହାସୁଆର ପ୍ରମୁଖ । ଏଥିରେ ବହୁସଂଖ୍ୟାରେ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

                                ଏହି ସୂଚନା ଦେଇଛନ୍ତି ସଂସ୍ଥାର ସଭାପତି ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ

Leave A Reply

Your email address will not be published.