ନାରୀ ନୁହେଁ ସେ ନାରାୟଣୀ

0
  • ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ..


    ନାରୀ ହେଉଛି ସୃଷ୍ଟିକର୍ତ୍ତାଙ୍କର ଏକ ଅନବଦ୍ୟ ସୃଷ୍ଟି, ଯାହାଙ୍କ ବିନା ଏ ସୁନ୍ଦର ସୃଷ୍ଟି ସମ୍ଭବ ନୁହେଁ |

ପ୍ରାଚ୍ୟ, ପାଶ୍ଚାତ୍ୟ ସବୁ ରାଷ୍ଟ୍ରରେ କାଳ ନିର୍ବିଶେଷରେ ଏହା ସ୍ୱୀକୃତ ଯେ ନାରୀ ସମାଜର ଅବିଛେଦ୍ୟ ଅଙ୍ଗ ଓ ପ୍ରକୃତି ପୁରୁଷର ମିଳନରେ ସୁନ୍ଦର ସମାଜଟିଏ ଗଢ଼ିଉଠେ | ଛୋଟ ବଡ ଅନେକ ଦାୟିତ୍ୱ ନିର୍ବାହ କରି ଉଭୟ ନାରୀ ଓ ପୁରୁଷ ସମାଜକୁ ଆଗେଇ ନେଇଥାନ୍ତି |

ସେଇ ନାରୀମାନଙ୍କ ସମ୍ମାନ ଓ ସ୍ବାଧୀକାର ପାଇଁ ପ୍ରତିବର୍ଷ ମାର୍ଚ୍ଚ 8ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି |
ତେବେ ଏହି ଦିବସ ପାଳନ ପାଇଁ ନାରୀମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି |

ଇତିହାସରୁ ଜଣାଯାଏ ସବୁ ସମୟରେ ନାରୀକୁ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବେ ବିବେଚନା କରାଯାଇଛି |ଶିଳ୍ପ ବିପ୍ଳବ ପରେ ନାରୀ ତାର କର୍ମ କ୍ଷେତ୍ରର ପରିସୀମାକୁ ବ୍ୟାପକ କଲା | ଅନେକ ବୃତ୍ତିରେ ନିମଗ୍ନ ରହି ପରିବାରର ଆର୍ଥିକ ପ୍ରଗତିରେ ସହାୟକ ହେବା ସହିତ ଦେଶର ଆର୍ଥିକ ପ୍ରଗତିକୁ ଦୃଢ଼ତା ପ୍ରଦାନ କଲା |ତଥାପି କର୍ମ କ୍ଷେତ୍ରରେ ତାର ଅସୁରକ୍ଷିତ ଭାବନାକୁ ସମାଜ ଦୁରେଇ ଦେଇ ପାରିଲାନି | ଅନେକ ସମସ୍ୟାପୂର୍ଣ୍ଣ ସ୍ଥାନରେ କାମକଲା ପରେ ମଧ୍ୟ ପୁରୁଷଙ୍କ ତୁଳନାରେ କମ ପାରିଶ୍ରମିକ ତାକୁ ମିଳୁଥିଲା |ଅଥଚ ତାର ସ୍ଵଭାଵ ସୁଲଭ ନୀତିରେ ସେ ଏସବୁର ପ୍ରତିବାଦ କରୁନଥିଲା|କ୍ରମେ ଶିକ୍ଷାର ପ୍ରସାର ପରେ ସେ ସଚେତନ ହେଲା ଓ ଅନ୍ୟାୟର ପ୍ରତିବାଦ କଲା |1857 ମସିହା ମାର୍ଚ୍ଚ 8 ତାରିଖ ଥିଲା ନାରୀଜାତି ପାଇଁ ଗୁରୁତ୍ୱପୂର୍ଣ୍ଣ ଦିବସ |

ନିୟୁୟର୍କର ଏକ ବସ୍ତ୍ର ଶିଳ୍ପର ମହିଳାମାନେ ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ | 1908ମସିହା ମାର୍ଚ୍ଚ 8 ତାରିଖରେ 15000 ମହିଳା ନିୟୁୟର୍କ ରାଜ ରାସ୍ତାରେ ଶୋଭାଯାତ୍ରା କରିଥିଲେ | ସେମାନଙ୍କ ଦାବି ଥିଲା କାମ ସମୟର ଅବଧି କମ କରିବା, ଭଲ ବେତନ ଦେବା, ଓ ଭୋଟ ଅଧିକାର ପାଇବା |ଏହାର ପର ବର୍ଷ ଫେବୃଆରୀ 28 ତାରିଖରେ ସମଗ୍ର ଆମେରିକାରେ “ମହିଳା ଜାତୀୟ ଦିବସ “ପାଳନ କରାଗଲା |1910ମସିହାରେ ଡେ଼ନମାର୍କର ରାଜଧାନୀ କୋପେନ ହେଗେନରେ ଏକ ସମ୍ମିଳନୀରେ 17 ଟି ଦେଶର 100 ଜଣ ପ୍ରତିନିଧି ଯୋଗଦେଇଥିଲେ ଓ ମହିଳା ଦିବସ ପାଳନକୁ ସ୍ୱୀକୃତି ଦେଇଥିଲେ, |1911ମସିହାରେ ପ୍ରଥମ ଥର ପାଇଁ ଅଷ୍ଟ୍ରିଆ, ଡେ଼ନମାର୍କ, ଜର୍ମାନୀ ଓ ସ୍ବୀଜରଲାଣ୍ଡ ଦେଶର ଲକ୍ଷଲକ୍ଷ ଲୋକ ନାରୀମାନଙ୍କ ଏହି ଆନ୍ଦୋଳନରେ ସାମିଲ ହେଲେ |ଆମେରିକାରେ ଫେବୃଆରୀ ଶେଷ ରବିବାର ପାଳନ କରାଗଲା ଜାତୀୟ ମହିଳା ଦିବସ ଓ 1913 ମସିହାରୁ ଫେବୃଆରୀ ଶେଷ ରବିବାରକୁ ରୁଷୀୟ ମାନେ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କଲେ |1975ମସିହାରେ ଜାତିସଂଘ ଏହାକୁ ସ୍ୱୀକୃତି ଦେଇ ମାର୍ଚ୍ଚ 8ତାରିଖରେ ଏହାକୁ ପାଳନ କରିବାକୁ ପଦକ୍ଷେପ ନେଲା |
ସମୟ ବଦଳିଛି |

ଅନେକ ସଂଗ୍ରାମ ପରେ ନାରୀ ତାର ସାମ୍ବିଧାନିକ ଅଧିକାର ପାଇଛି |”ଆନ୍ତର୍ଜାତିକ ମହିଳା ଦିବସ”ନାରୀମାନଙ୍କ ରାଜନୈତିକ, ଅର୍ଥନୀତିକ, ଶୈକ୍ଷିକ, ମାନସିକ ଓ ସାମାଜିକ ଜୀବନର ସଫଳତାର ନିଦର୍ଶନ ଅଟେ |

ଆମେଏହି ଦିନରେ ନାରୀଙ୍କୁ ସମ୍ମାନ ଦେବାପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାଉ | ଚୀନ, ଆମେରିକା, ବୁଲଗାରିଆ, କାଜାଖସ୍ଥାନ, ମଙ୍ଗୋଲିଆ, ୟୁକ୍ରେନ ଆଦି ଦେଶରେ ଏହାକୁ ସରକାରୀ ଛୁଟିଦିବସ ଘୋଷଣା କରାଯାଇଛି |ଏହି ଅବସରରେ ସେଠାରେ ପୁରୁଷ ମାନେ ସେମାନଙ୍କ ମା, ଭଉଣୀ, ସ୍ତ୍ରୀ, ସହକର୍ମୀଙ୍କୁ ସମ୍ମାନ ଜଣେଇ ଫୁଲ ଓ ଉପହାର ଡେଇଥାନ୍ତି |ଅନେଜ ଏହାକୁ “mother’s day “ଭାବେପାଳିଥାନ୍ତି |
ଆମ ରାଜ୍ୟରେ ମଧ୍ୟ ମହିଳାଙ୍କ ପାଇଁ ଅନେକ ଯୋଜନା କରାଯାଉଛି |

ବିଶ୍ୱର ଅଧା ଜନସଂଖ୍ୟା ନାରୀ |ସେମାନେ ଅବହେଳିତ ହେଲେ କୌଣସି ଜାତି ଆଗେଇବ ନାହିଁ | ସଚେତନତା ଅଭାବରୁ ଅନେକ ଯୋଜନା ଫଳପ୍ରସୁ ହେଉନି |ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକସହାୟତା ଓ କ୍ଷମତା ପ୍ରଦାନ ଦ୍ୱାରା ନାରୀ ମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ଚେଷ୍ଟା ଚାଲିଛି |ଗର୍ଭବତୀ ମହିଳାଙ୍କ ପାଇଁ “ମମତା “କିଶୋରୀମାନଙ୍କ ପାଇଁ “ସବଳା “ଓ ଆହୁରି ଅନେକ ଯୋଜନା ହୋଇଛି |ଲିଙ୍ଗ ଗତ ପାର୍ଥକ୍ୟ ଦୁରେଇ ଦେବା ପାଇଁ ସରକାର “ବେଟି ପଢ଼ାଓ ଓ ବେଟି ବଚାଓ କାର୍ଯ୍ୟକ୍ରମ ମାଧ୍ୟମରେ ବାଳିକାମାନଙ୍କୁ ଶିକ୍ଷିତ କରି ସୁସ୍ଥ ସମାଜ ଗଠନ ପାଇଁ ବ୍ୟବସ୍ଥା କରିଛନ୍ତି |”ସୁଭଦ୍ରା “ଯୋଜନା ମାଧ୍ୟମରେ ନାରୀକୁ ଅର୍ଥ ରାଶି ପ୍ରଦାନ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା ଚାଲିଛି |
ତଥାପି ନାରୀନିଜକୁ ଅସୁରକ୍ଷିତ ମନେକରୁଛି | ନାରୀ ପୁରୁଷ କେନ୍ଦ୍ରିକ ରୂଢି ବାଦୀ କୁସଂସ୍କାରରେ ନିଜକୁ ଅସହାୟ ମନେକରୁଛି |ପ୍ରତିଦିନ ଖବରର ଶିରୋନାମା ‘ନାରୀ ନିର୍ଯ୍ୟାତନା, ଅତ୍ୟାଚାର ‘ଦେଖିବାକୁ ମିଳୁଛି |

ଅନେକ କ୍ଷେତ୍ରରେ ନାରୀ, ନାରୀର ଶତ୍ରୁଭାବେ ଠିଆ ହେଉଛି | ନାରୀଟିଏ ସ୍ୱାଧୀନତାକୁ ସ୍ବେଛାଚାରିତା ମନେ କରି ନିଜର କ୍ଷତି କରିବା ସହିତ ସମାଜର ମଧ୍ୟ କ୍ଷତି କରୁଛି |ଏସବୁ ବନ୍ଦ ନ ହେଲାଯାଏଁ ମହିଳା ଦିବସ ପାଳନ କେବଳ ଔପଚାରିକତା ହୋଇ ରହିଯିବ | “ନାରୀ ନୁହେଁ ସେ ନାରାୟଣୀ “ଏକଥା ଆମେ ଯେମିତି ଭୁଲି ନ ଯାଉ |

  • ଶ୍ରୀକାନ୍ତ ଦାଶ, ସଭାପତି, “ଅବି “ଓ ସାଧାରଣ ସମ୍ପାଦକ ଓଡ଼ିଆ ଜାତୀୟ ସମ୍ମିଳନୀ
    ଦୂରଭାଷ -9238304919

Leave A Reply

Your email address will not be published.